Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ -୨୦୨୫

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଆଜି ପୂର୍ବାହ୍ନରେ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ଜିଲ୍ଲାପରିଷଦ ସଭାପତି ରୂପଶ୍ରୀରାଣୀ ଗୁମାନ ସିଂହ, ଜିଲ୍ଲା ପରିଷଦ ଉପସଭାପତି ଗୋପୀନାଥ ମହାରଣା, ସାଂସଦ ଏବଂ ବିଧାୟକଙ୍କ ପ୍ରତିନିଧି ବୃନ୍ଦ ଯୋଗ ଦେଇଥିଲେ।

ପ୍ରାରମ୍ଭରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରାଣା ସମସ୍ତଙ୍କୁ ସ୍ୱାଗତ କରିବା ସହ ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କୁ ତାଙ୍କ ମତାମତ ରଖିବାକୁ ଅନୁରୋଧ କରିଥିଲେ। ବିଧାୟକ ଶ୍ରୀ ଜଗଦ୍ଦେବ ନିଜ ଉଦବୋଧନରେ କହିଲେ ଯେ, ପ୍ରଶାସନର ସହଯୋଗ ଓ ଟିମ୍ ସ୍ପିରିଟ ରେ ସମସ୍ତଙ୍କ ହିତରେ ଜିଲ୍ଲାପାଳଙ୍କ ତତ୍ତ୍ଵାବଧାନରେ ଜିଲ୍ଲାର ବିକାଶ ଦୃତ ଗତିରେ ଆଗେଇ ଚାଲିଛି ଏହା ଏକ ଆନନ୍ଦର କଥା ଓ ଶୁଭ ସଂକେତ।

ଆହୁରି ମଧ୍ୟ ଶ୍ରୀଯୁକ୍ତ ଜଗଦ୍ଦେବ କହିଲେ ଯେ, ଦୀର୍ଘ ମିଆଦି କାର୍ଯ୍ୟସୂଚୀ ଖସଡ଼ା ପ୍ରସ୍ତୁତ କରି ଶାଳିଆ ଡ୍ୟାମ୍ କାର୍ଯ୍ୟକ୍ରମ ହାତକୁନେଇ ବେଗୁନିଆ, ବୋଲଗଡ଼, ସରଗାଁ, ସାରୁଅ, ବାଙ୍କୀ ତୁଳସୀପୁର ଓ ପ୍ରଧାନ ସାହିର ଜଳପଶିବା ଓ ବନ୍ୟା ସମସ୍ୟାକୁ ଦୂର କରିବାକୁ ପଡ଼ିବ।  ବିପର୍ଯ୍ୟୟକୁ ଆମେ ସଫଳ ଭାବେ ପ୍ରତିହତ କରି ପାରିଲେ ଆମର ଅର୍ଥନୀତି ସୁଦୃଢ ହେବାସହ ବିକଶିତ ଦେଶ, ବିକଶିତ ରାଜ୍ୟ, ବିକଶିତ ଜିଲ୍ଲା ଓ ବିକଶିତ ଗାଁ ର ସ୍ବପ୍ନ ସାକାର ହେବା। ଏଣୁ ଆମେ ସମସ୍ତେ ଦଳମତ ନିର୍ବିଶେଷରେ ଭାଇଚାରା ବଜାୟ ରଖି ଉତ୍ସାହ, ଉଦ୍ଦୀପନା ଓ ଆନ୍ତରିକତା ର ସହ କାର୍ଯ୍ୟ କରି ସେହି ଲକ୍ଷ୍ୟକୁ ପୁରଣ କରିବାକୁ ବିଧାୟକ ଆହ୍ବାନ ଦେଇଥିଲେ।

ପରେ କାର୍ଯ୍ୟସୂଚୀ ଅନୁଯାୟୀ ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ବିପର୍ଯ୍ୟୟ ପରିଚାଳନାର ପୂର୍ବ ଓ ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ଵନ୍ଧରେ ବୈଠକରେ ଉପସ୍ଥାପନ କରିଥିଲେ।  ନିୟନ୍ତ୍ରଣ କକ୍ଷ, ବର୍ଷା ଜଳ ପରିମାପକ କେନ୍ଦ୍ର ମରାମତି ଓ ନିର୍ଦ୍ଧିଷ୍ଟ ସମୟ ବ୍ୟବଧାନରେ ବୃଷ୍ଟିପାତ ମାପିବା ଓ ରିପୋର୍ଟ ପଠାଇବା, ଦୁର୍ବଳ ନଦୀ ଓ କେନାଲ ବନ୍ଧର ଯୁଗ୍ମ ତଦନ୍ତ ତଥା ଜଳସେଚନ ବିଭାଗ ପକ୍ଷରୁ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ବାଲିବସ୍ତା ମହଜୁଦ କରି ରଖିବା,ଦୁର୍ବଳ ସ୍ଥାନ ଗୁଡ଼ିକୁ ମରାମତି କରିବା, ବନ୍ୟା ଓ ବାତ୍ୟା ପ୍ରବଣ ଅଞ୍ଚଳରେ ଅସ୍ଥାୟୀ ଆଶ୍ରୟସ୍ଥଳ, ଡଙ୍ଗା,ପାୱାର ବୋଟ ମୃତାୟନ, ଦୁରଭାଷ ସେବା ଉପଲବ୍ଧ, ବିଶୁଦ୍ଧ ପାନୀୟ ଜଳ,ଡି.ଜି ସେଟ୍ ମହଜୁଦ ରଖିବା, ଭୁବନେଶ୍ୱର ମହାନଗର ନିଗମ ଏବଂ ପୌରାଞ୍ଚଳ ମାନଙ୍କରେ ଜଳ ନିସ୍କାସନ, ଦୂର୍ଗମାଞ୍ଚଳରେ ଖାଦ୍ୟ ପଦାର୍ଥ, ଔଷଧ ପତ୍ର ସାପ କାମୁଡ଼ା ଇଞ୍ଜେକ୍ସନ ମହଜୁଦ କରି ରଖିବା,ପ୍ରତ୍ୟେକ ପ୍ରାଥମିକ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମାନଙ୍କରେ ପ୍ରଚୁର ଔଷଧ ଓ ଓ ଆର ଏସ ପ୍ୟାକେଟ, ବ୍ଲିଚିଂ ପାଉଡର ଗଚ୍ଛିତ କରି ରଖିବା, ଗୋଖାଦ୍ୟ, ମନୁଷ୍ୟ ଖାଦ୍ୟ ଚୂଡା, ଚାଉଳ, ଶୁଖିଲା ଖାଦ୍ୟ ବନ୍ୟା ବାତ୍ୟା ପ୍ରବଣ ଅଞ୍ଚଳରେ ମହଜୁଦ କରି ରଖିବା, ରାସ୍ତାଘାଟ ମରାମତି,ରିଲିଫ, ଉଦ୍ଧାର କାର୍ଯ୍ୟ, ବନ୍ୟାବାତ୍ୟା ଆଶ୍ରୟ ସ୍ଥଳିଗୁଡ଼ିକରେ ସମସ୍ତ ସୁବିଧା ଉପଲବ୍ଧ କରିବା,ହେଲିପ୍ୟାଡ ଓ ଆକାଶ ମାର୍ଗରୁ ଖାଦ୍ୟ ପଦାର୍ଥ ଅବତରଣ ସ୍ଥାନ ନିରୂପଣ କରି ବା,ଓଡରାଫ,ଏନ ଦ୍ରାଫ୍ ମୃତାୟନ,ସିଭିଲ ଦିଫେନ୍ସ,ସ୍ଵୟଂ ସହାୟକ ଗୋଷ୍ଠୀ, ପଞ୍ଚାୟତିରାଜ ଅନୁଷ୍ଠାନ ମାନଙ୍କୁ ନିୟୋଜିତ କରି ସମ୍ଭାବ୍ୟ ବନ୍ୟା ବାତ୍ୟା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନସାଧାରଣଙ୍କୁ ସେବା ଯୋଗାଇବ ତଥା ଉଦ୍ଧାର କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା ନିମନ୍ତେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା।

ସେହିପରି ସମସ୍ତ ଅଧିକାରୀ ମାନଙ୍କ ମୋବାଇଲ ନମ୍ବର ରଖିବା, ରେନ୍ ଗଜ ରିପୋର୍ଟ, ଜାତୀୟ ରାଜପଥ, ପୂର୍ତ୍ତ,ଗ୍ରାମ୍ୟ ଉନ୍ନୟନ ବିଭାଗ ନିଚାରାସ୍ତା ଗୁଡ଼ିକର ବିବରଣୀ ପ୍ରଦାନ କରିବା ,ପ୍ରତ୍ୟେକ ଅଙ୍ଗନୱାଡ଼ି କେନ୍ଦ୍ର ଠିକ୍ ଅଛି କି ନାହିଁ, ସେ ସମ୍ବନ୍ଧରେ ବି ଡି ଓ ମାନେ ବିଭାଗୀୟ ଅଧିକାରୀଙ୍କ ସହ ତଦନ୍ତ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ବୋଲଗଡ଼ ସହରକୁ ସଫା କରିବା,ଏବଂ ଡଙ୍ଗା ମୃତାୟନ୍ ତଦନ୍ତ ରିପୋର୍ଟ ୨୩ ତାରିଖ ସୁଦ୍ଧା ଦେବାକୁ ସଂପୃକ୍ତ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ସେହିପରି ବି ଡି ଓ ଟାଙ୍ଗି, ଚିଲିକା ଡଙ୍ଗା ଓ ବୋଟ ର ଚୂଡାନ୍ତ ସ୍ଥିତି, ଜୀବନ ରକ୍ଷାକାରୀ ଜ୍ୟାକେଟ ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଉପଜିଲ୍ଲାପାଳ ଏବଂ ତହସିଲଦାର ମିଳିତ ଭାବେ ରେଡ୍ କରି ବିନା ଲାଇସେନ୍ସ ଥିବା ବୋଟ ଗୁଡ଼ିକୁ ରଦ୍ଦ କରିବା ସହ ପାୱାର ବୋଟ ଗୁଡ଼ିକ ଠିକଠାକ ଅଛି କି ନାହିଁ ତାହାର ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରିବେ।

ବିଦ୍ୟୁତ୍ ବିଭାଗ, ବି ଏମ୍ ସି, ପ୍ରତ୍ୟେକ ବ୍ଲକ୍ ଅଫିସରେ ଜେନେରେଟର ମହଜୁଦ କରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଟି ପି ସି ଓ ଏନ୍ ଡି ଏଲ କୁ ବିଦ୍ୟୁତ୍ ସରବରାହ ସେବା ସଠିକ୍ ଭାବେ ପରିଚାଳନା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସ୍କୁଲ ବିଲ୍ଡିଂ ଗୁଡ଼ିକ ଯେଉଁଠି ଅସ୍ଥାୟୀ ଆଶ୍ରୟ ସ୍ଥଳି ହେବ ସେଗୁଡିକ ତାଲିକା ପ୍ରଦାନ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ବୋଲଗଡ଼, ବାଣପୁର ଆଦି ଅଞ୍ଚଳରେ ଲାଇନ କଟିବା ସ୍ଥାନରେ ପାଟ୍ରୋଲିଂ କରାଯିବାକୁ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସହରାଞ୍ଚଳରେ ଡ୍ରେନ ସଫା, ଖାଦ୍ୟ ପଦାର୍ଥ ଯାଞ୍ଚ ଫୁଡ୍ ସେଫ୍ଟି ଅଧିକାରୀଙ୍କ ଦ୍ବାରା, ପି ଡବ୍ଲୁ ଡ଼ି, ଆର ଆଣ୍ଡ ବି, ଆର ଡି ମିଳିତ ଭାବେ ଡ୍ରେନ ସଫା କରିବା, ତହସିଲଦାର, ଉପଜିଲ୍ଲାପାଳ ଏବଂ ବି ଏମ୍ ସି ମିଳିତ ଭାବେ ସମସ୍ତ କାର୍ଯ୍ୟର ତଦାରଖ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ବାଲିଅନ୍ତା ବ୍ଲକରେ ଇଣ୍ଟରନେଟ ସୁବିଧା ବ୍ୟାଘାତ ହେଉଥିବାରୁ ତୁରନ୍ତ ଠିକ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ସହ ସମସ୍ତ ବିଭାଗ ଜିରୋ କାଯୁଆଲ୍ଟୀ ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଶେଷରେ ଡେପୁଟି କଲେକ୍ଟର ରାଜସ୍ବ ନିବେଦିତା ପରିଡ଼ା ବୈଠକରେ ଯୋଗଦେଇଥିବା ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଭୁବନେଶ୍ୱର ଉପଜିଲ୍ଲାପାଳ ଡ.ମନୋରଞ୍ଜନ ସାହୁ, ଖୋର୍ଦ୍ଧା ଉପଜିଲ୍ଲାପାଳ କିଶୋର କୁମାର ପଣ୍ଡା, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, କୃଷି, ସମସ୍ତ ତହସିଲଦାର, ବି ଡି ଓ,ବି ଏମ୍ ସି, ପୌର ପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦ, ବ୍ୟାଙ୍କ, ଦୁରଭାସ, ବିଭିନ୍ନ ଲାଇନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ, ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ବୈଠକରେ ଯୋଗଦାନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ୮ଟି ଦେଶର ପ୍ରତିନିଧି: ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସମ୍ପର୍କରେ ନେଲେ ଉପଲବ୍ଧି

ଭୁବନେଶ୍ୱର: ଓଡ଼ିଶାରେ ୧୯୯୯ ମହାବାତ୍ୟା ସାରା ରାଜ୍ୟକୁ ବିପର୍ଯ୍ୟସ୍ତ କରିଦେଇଥିବା ବେଳେ ଏହାର ପରବର୍ତୀ ସମୟରେ ଦୀର୍ଘ ୨୨ ବର୍ଷ ଧରି ରାଜ୍ୟ କିଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରି ଆସୁଛି ସେ ସମ୍ପର୍କରେ ଇଣ୍ଡିଆନ୍ କାଉନ୍‌ସିଲ୍ ଫର୍ କଲ୍‌ଚରାଲ ରିସର୍ଚ୍ଚ (ଆଇସିସିଆର୍‌) ଓ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ମିଳିତ ସହଭାଗିତାରେ ଓଡ଼ିଶା ଗସ୍ତରେ ଆସିଥିବା ୮ଟି ଗଣତାନ୍ତ୍ରିକ ଦେଶର ପ୍ରତିନିଧିଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ତଥ୍ୟ ଯୋଗାଇ ଦିଆଯାଇଛି।

ସୋମବାର ଏହି ପ୍ରତିନିଧିମାନେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ରାଜ୍ୟ ସଚିବାଳୟରେ ସାକ୍ଷାତ କରିଥିବା ବେଳେ ଓଡ଼ିଶାରେ ଫାଇଲିନ୍‌, ତିତିଲି ଓ ଫନି ଭଳି ବାତ୍ୟା ବିପର୍ଯ୍ୟୟ ସମୟରେ ଓଡ଼ିଶା ସରକାର କିଭଳି ଏହାର ମୁକାବିଲା କରିବା ସହ ଧନ ଜୀବନହାନୀ ହେବାରୁ ରକ୍ଷା କରିଛନ୍ତି ସେ ବିଷୟରେ ମୁଖ୍ୟ ଶାସନ ସଚିବ ସେମାନଙ୍କ ସମ୍ମୁଖରେ ତଥ୍ୟ ରଖିଥିଲେ।

ସେହିପରି ସୋମବାର ସକାଳେ ଏହି ପ୍ରତିନିଧିମାନେ ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ସ୍ଥିତ ଓଡ଼ିଶା ଫାୟାର ଆଣ୍ଡ ଡିଜାଷ୍ଟର ରେସପନ୍ସ ଏକାଡେମି ମଧ୍ୟ ବୁଲି ଦେଖିଥିଲେ। ହଠାତ୍ ନିଆଁ ଲାଗିଲେ କିଭଳି ଏଭଳି ପରିସ୍ଥିତିରୁ ଧନ ଜୀବନ ରକ୍ଷା କରିହେବ ଓ ଅଗ୍ନି ନିରାପତା ବ୍ୟବସ୍ଥା ସମ୍ପର୍କରେ ଓଡ୍ରାଫର ଅଧିକାରୀମାନେ ଏହି ପ୍ରତିନିଧିମାନଙ୍କୁ ମକ୍ ଡ୍ରିଲ୍ ମାଧ୍ୟମରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ।

ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଅବସରରେ ତଥା ଆଜାଦୀ କା ଅମୃତ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ଇଣ୍ଡିଆନ୍ କାଉନ୍‌ସିଲ୍ ଫର୍ କଲ୍‌ଚରାଲ୍ ରିଲେସନ୍‌( ଆଇସିସିଆର୍‌) ଓ ‘ଜେନ୍‌- ନେକ୍ସଟ ଡେମୋକ୍ରେସି ନେଟ୍‌ୱାର୍କ’ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୮ଟି ଦେଶର ପ୍ରତିନିଧିମାନେ ଭାରତ ଗସ୍ତରେ ଆସିଛନ୍ତି। ସେମାନେ ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥା, ସାଂସ୍କୃତିକ ଐତିହ୍ୟ ଓ ବିକାଶ ସଂପର୍କରେ ଏକ ବିସ୍ତୃତ ଅନୁଶୀଳନ କରୁଛନ୍ତି।

ପର୍ତୁଗାଲ୍‌, ଦକ୍ଷିଣ ଆଫ୍ରିକା, ମଙ୍ଗୋଲିଆ, କ୍ରୋଏସିଆ, ଗାୟେନା, ବ୍ରାଜିଲ୍‌, ବେଲ୍‌ଜିୟମ୍ ଏବଂ ବୁଲଗେରିଆର ରାଜନେତା, ଆଇନ ପ୍ରଣେତା, ବ୍ୟବସାୟୀ, ସାମ୍ବାଦିକ, ଶିକ୍ଷାବିତ୍ ଓ ଯୁବନେତା ସମ୍ମିଳିତ ୨୬ ଜଣିଆ ପ୍ରତିନିଧି ଦଳ ଏହି ଟିମ୍‌ରେ ସାମିଲ ଅଛନ୍ତି। ସୋମବାର ସନ୍ଧ୍ୟାରେ ସେମାନେ ଓଡ଼ିଶାରୁ ଫେରିଯାଇଛନ୍ତି।

Categories
ବିଶେଷ ଖବର

ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ: ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ସମସ୍ତ ସମ୍ଭାବ୍ୟ ବିପର୍ଯ୍ୟୟ ପାଇଁ ପ୍ରସ୍ତୁତ ରହିବାକୁ ରାଜ୍ୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମର ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମର ନୀତି ହେଉଛି ପ୍ରତ୍ୟେକ ଜୀବନ ମୂଲ୍ୟବାନ। ଏହି ନୀତିକୁ ଅନୁସରଣ କରି ଓଡିଶା ଭଳି ଗୋଟିଏ ବିପର୍ଯ୍ୟୟ ପ୍ରବଣ ରାଜ୍ୟରେ ଆମେ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ କରି ଏ କ୍ଷେତ୍ରରେ ଏକ ଆଗୁଆ ରାଜ୍ୟ ହୋଇପାରିଛୁ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ପ୍ରତ୍ୟେକ ବର୍ଷର ଜୁନ୍‌ରୁ ଅକ୍ଟୋବର ମାସ ସମୟ ଅତି ଗୁରୁତ୍ବପୂର୍ଣ୍ଣ। ଏହି ସମୟରେ ବନ୍ୟା, ବାତ୍ୟା, ମରୁଡି ପରି ଅନେକ ପ୍ରାକୃତିକ ବିପର୍ଯ୍ୟୟ ଆସେ। ତେଣୁ ଏହି ସମୟ ଭିତରେ ବାତ୍ୟା ଓ ବନ୍ୟା ଏକ ସମୟରେ ଆସିବାର ମଧ୍ୟ ସମ୍ଭାବନା ରହିଛି। ଏ ବାବଦରେ ଆମର ପ୍ରସ୍ତୁତିକୁ ସୁଦୃଢ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ସମସ୍ତ ପ୍ରଶାସନିକ କଳ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଆଗୁଆ ବିପର୍ଯ୍ୟୟ ସୂଚନା ବ୍ୟବସ୍ଥା, ଉଦ୍ଧାର ଓ ରିଲିଫ କାର୍ଯ୍ୟ, ପାନୀୟ ଜଳ ବ୍ୟବସ୍ଥା ସ୍ବାସ୍ଥ୍ୟ ଓ ପ୍ରାଣୀସେବା ବ୍ୟବସ୍ଥା ଆଦି ସମସ୍ତ ବ୍ୟବସ୍ଥା ଗୁଡିକୁ ପ୍ରସ୍ତୁତ କରି ରଖିବା ଜରୁରୀ।

ଏହାସହିତ ସମସ୍ତ ଓଡ୍ରାଫ ଓ ଅଗ୍ନିସେବା ବାହିନୀ ପ୍ରସ୍ତୁତ ହୋଇ ରହିବା ଜରୁରୀ ବୋଲି ସେ କହିଥିଲେ। ବିପର୍ଯ୍ୟୟ ପ୍ରବଣ ଓ ଦୁର୍ଗମ ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟପଦାର୍ଥକୁ ମହଜୁଦ ରଖିବା, ଜିଲ୍ଲାସ୍ତରୀୟ ଜରୁରୀକାଳୀନ କେନ୍ଦ୍ରଗୁଡିକୁ ୨୪ ଘଣ୍ଟିଆ କାର୍ଯ୍ୟକାରୀ କରିବା, ପଶୁ ଖାଦ୍ୟ ମହଜୁଦ ରଖିବା ଓ ବିପର୍ଯ୍ୟୟ ସମୟରେ ପ୍ରାଣୀସେବା କ୍ୟାମ୍ପ ଖୋଲିବା ପାଇଁ ସେ ପରାମର୍ଶ ଦେଇଥିଲେ। ଗର୍ଭବତୀ ମହିଳା, ଶାରୀରିକ ଓ ମାନସିକ ଭିନ୍ନକ୍ଷମ ବ୍ୟକ୍ତି, ଶିଶୁ, ବିଧବା ଓ ବୟସ୍କ ଲୋକମାନଙ୍କ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ବୈଠକରେ ରାଜ୍ୟସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ ରାଜ୍ୟ ସରକାର ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଯେଉଁସବୁ ପଦକ୍ଷେପ ନେଇଛନ୍ତି, ତା ଉପରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ ରାଜ୍ୟରେ ୮୭୯ଟି ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳ ଥିବାବେଳେ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଅର୍ଥ ବିନିଯୋଗ କରାଯାଇ ଆହୁରି ୫୫ଟି ଆଶ୍ରୟସ୍ଥଳ ନିର୍ମାଣ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ, ବିଶେଷ କରି ଉପକୂଳ ଅଞ୍ଚଳରେ ବିପର୍ଯ୍ୟୟ ପ୍ରତିରୋଧି ଗୃହ ନିର୍ମାଣ କରାଯାଉଛି ବୋଲି ସେ କହିଥିଲେ।

ଏହି ବୈଠକରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ, ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ପ୍ରମୁଖ ବକ୍ତବ୍ୟ ରଖି ନିଜ ନିଜ ଅଞ୍ଚଳରେ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ଉପରେ ସୁଚିନ୍ତିତ ମତାମତ ଦେଇଥିଲେ।

ଉନ୍ନୟନ କମିଶନର-ତଥା-ସ୍ବତନ୍ତ୍ର ରିଲିଫ କମିଶନର ପି.କେ. ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

ବୈଠକରେ ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟଗଣ, ବରିଷ୍ଠ ଅଧିକାରୀ ଓ ବିଭିନ୍ନ ଜିଲ୍ଲାର ଅଧିକାରୀ ମାନେ ଉପସ୍ଥିତ ଥିଲେ।