Categories
ଆଜିର ଖବର ରାଜ୍ୟ ଖବର

୨୩ଟି ଜିଲ୍ଲାର ୩୦ ଜଣ ପ୍ରତିଭାବାନ ଛାତ୍ରଛାତ୍ରୀ ପୁରସ୍କୃତ

ଭୁବନେଶ୍ୱର: ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ ବା Young Astronomers Talent Search (ୟ୍ୟାଟ୍‌ସ)ର ୧୮ତମ ଗ୍ରାଣ୍ଡ ଫିନାଲେ ଭୁବନେଶ୍ୱରର ପଠାଣି ସାମନ୍ତ ପ୍ଲାନେଟୋରିୟମ ଠାରେ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହାନ ଜ୍ୟୋତିର୍ବିଦ ପଠାଣି ସାମନ୍ତଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଉପସ୍ଥିତ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ, ୧୮୩୫ ମସିହାରେ ନୟାଗଡ ଖଣ୍ଡପଡାର ପଠାଣି ସାମନ୍ତ ଦୁଇ ଖଣ୍ଡ ବାଉଁଶ ନଳୀରେ ମହାକାଶ ରେ ଗ୍ରହ ନକ୍ଷତ୍ରର ଗତିବିଧିକୁ ଲକ୍ଷ୍ୟ କରି ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ସଠିକ୍ ନିର୍ଦ୍ଧାରଣ କରି ଅସମ୍ଭବକୁ ସମ୍ଭବ କରି ଦେଖାଇଥିଲେ। ସେହିଭଳି ଜ୍ୟୋତିର୍ବିଜ୍ଞାନର ଜନକ ଆର୍ଯ୍ୟଭଟ୍ଟ ପ୍ରଥମେ ନିର୍ଣ୍ଣୟ କରିଥିଲେ ପୃଥିବୀ ନିଜ ଅକ୍ଷ ଚାରିପଟେ ଆବର୍ତ୍ତନ କରୁଛି। ବ୍ରହ୍ମଗୁପ୍ତଙ୍କ ଗଣିତ, ବରାହମିହିରଙ୍କ ବୃହତ ସଂହିତା, ଭାସ୍କରଙ୍କ ସିଦ୍ଧାନ୍ତ ଶିରୋମଣୀ, ଭାରତ ଜ୍ୟୋତିର୍ବିଜ୍ଞାନକୁ ଋଦ୍ଧିମନ୍ତ କରିଛି। ଆଧୁନିକ ଜଗତରେ ଯେତେବେଳେ ବି ମହାକାଶ ବିଜ୍ଞାନର ଚର୍ଚ୍ଚା ହେବ, ଭାରତୀୟ ସଂସ୍କୃତିର ଅବଦାନ ବିନା ଏହା ଅସମ୍ପୂର୍ଣ୍ଣ ରହିବ ବୋଲି ସେ କହିଥିଲେ।

ସେ ଆହୁରି ପୁଣି କହିଥିଲେ ଯେ, ବିଶ୍ୱର ପ୍ରଥମ ପାଞ୍ଚ ଗୋଟି ମହାକାଶ ବିଜ୍ଞାନରେ ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ମଧ୍ୟରେ ଆମ ଦେଶ ଭାରତ ରହିଛି। ଆଜି ବିଜ୍ଞାନ ଯୁଗରେ ଆମ ବୈଜ୍ଞାନିକମାନେ ଆଧୁନିକ ଯନ୍ତ୍ରପାତି ମାଧ୍ୟମରେ ପୃଥିବୀର ଉଭୟ ପାର୍ଶ୍ୱକୁ ମିଶାଇ ପ୍ରାୟ ୯୩ ନିୟୁତ ଆଲୋକ ବର୍ଷ ପରିମିତ ଅଞ୍ଚଳକୁ ନିରିକ୍ଷଣ କରିପାରୁଛନ୍ତି। ଆମ ବିଜ୍ଞାନ ଆଜି ଏତେ ଅଗ୍ରଗତି କରିଛି ଯେ, ଆଗାମୀ ଦିନରେ ଅନ୍ୟ ଗ୍ରହରେ ଜୀବନର ସତ୍ତା ମଧ୍ୟ ଖୋଜି ପାଇବାରେ ସକ୍ଷମ ହେବେ ବୋଲି ମୋର ବିଶ୍ୱାସ। ଚନ୍ଦ୍ରଯାନ-୨, ଗଗନଯାନ, ଆଦିତ୍ୟ-L-1 ପରି ଐତିହାସିକ ଘଟଣା ଆମ ବିଶ୍ୱାସକୁ ଦୃଢିଭୂତ କରିଛି। ଭାରତ ବର୍ତ୍ତମାନ ଚନ୍ଦ୍ରର ଦକ୍ଷିଣ ମେରୁରେ ଯାନ ପହଞ୍ଚାଇବାରେ ବିଶ୍ୱର ପ୍ରଥମ ଦେଶ । ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୩୫ ସୁଦ୍ଧା ଭାରତର ନିଜସ୍ୱ Space Station ଏବଂ ୨୦୪୦ ସୁଦ୍ଧା ଚନ୍ଦ୍ରପୃଷ୍ଠକୁ ପ୍ରଥମ ଭାରତୀୟଙ୍କୁ ପଠାଇବା ପାଇଁ ଘୋଷଣା କରିଛନ୍ତି। ଏହି ଦୁଇ ପ୍ରକଳ୍ପରେ ବୈଜ୍ଞାନିକ ଭାବେ ସାମିଲ ହେବା ପାଇଁ ସେ ଉପସ୍ଥିତ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ୨୩ଟି ଜିଲ୍ଲାର ୩୦ ଜଣ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ପୁରସ୍କୃତ ହୋଇଥିବା ଛାତ୍ରଛାତ୍ରୀମାନେ ଜ୍ଞାନ ଆହରଣ ପାଇଁ ଇସ୍ରୋ ପରିଦର୍ଶନରେ ଯିବେ।

କାର୍ଯ୍ୟକ୍ରମରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ ଯେ, ଆମ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସମୟରୁ ଭାରତ ବର୍ଷରେ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ଆସିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ପ୍ରସିଦ୍ଧ ସ୍ଲୋଗାନ ‘ଜୟ ଯବାନ ଜୟ କିଷାନ’ ରେ ‘ଜୟ ବିଜ୍ଞାନ’ ଶବ୍ଦ ଯୋଡି ଥିଲେ ଅଟଳ ବିହାରୀ ବାଜପେୟୀ । ଚନ୍ଦ୍ରାୟଣ-୩ ହେଉଛି ଭାରତ ବର୍ଷର ସଫଳତା । ଏହି ସଫଳତା ବିଶ୍ୱର କୌଣସି ଦେଶ ଏପର୍ଯ୍ୟନ୍ତ ପାଇ ନାହାନ୍ତି। ସେ କିହଥିଲେ ଯେ, ଆଜି ଏଠାରେ ସମ୍ବର୍ଦ୍ଧିତ ହୋଇଥିବା ୩୦ ଜଣ ପ୍ରତିଭାବାନ ଛାତ୍ରଛାତ୍ରୀ ହେଉଛନ୍ତି ଆମ ଦେଶର ଶକ୍ତି। ସେମାନେ ଯେତେ ଆଗକୁ ବଢିବେ ଆମ ରାଜ୍ୟ ସେତିକି ଗୌରବାନ୍ୱିତ ହେବ ଏବଂ ଦେଶ ଶକ୍ତିଶାଳୀ ହେବ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ପାତ୍ର, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପଠାଣି ସାମନ୍ତଙ୍କ ସମ୍ମାନାର୍ଥେ ଖଣ୍ଡପଡାଠାରେ ଗୋଟିଏ ପ୍ଲାନେଟୋରିୟମ ଏବଂ Astro Physics & Astronomy Institute ପ୍ରତିଷ୍ଠା କରାଯିବ ବୋଲି କହିଥିଲେ।

କାର୍ଯ୍ୟକ୍ରମରେ ଖଣ୍ଡପଡା ବିଧାୟକ ଶ୍ରୀ ଦୁଷ୍ମନ୍ତ ସ୍ୱାଇଁ, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ତଥା ପଠାଣୀ ସାମନ୍ତ ପ୍ଲାନେଟାରିୟମର ଅଧ୍ୟକ୍ଷା ଶ୍ରୀମତୀ ଚିତ୍ରା ଅରୁମୁଗମ୍ ଉପସ୍ଥିତ ଯୁବ ପ୍ରତିଭାମାନଙ୍କୁ ବିଜ୍ଞାନ କ୍ଷେତ୍ରରେ ଆହୁରି ଆଗକୁ ବଢିବା ପାଇଁ ଉତ୍ସାହିତ କରି ନିଜର ଅଭିଭାଷଣ ରଖିଥିଲେ।

ଟାଟା ଷ୍ଟିଲ କଳିଙ୍ଗନଗରର ଅପରେସନ ଉପାଧ୍ୟକ୍ଷ ଶ୍ରୀ ରାଜୀବ କୁମାର ସ୍ୱାଗତ ଭାଷଣ ଦେଇଥିଲେ ଏବଂ ପଠାଣି ସାମନ୍ତ ପ୍ଲାନେଟୋରିୟମର ଭାରପ୍ରାପ୍ତ ନିର୍ଦ୍ଦେଶିକା ଶ୍ରୀମତୀ ଉର୍ମିପ୍ରଭା ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଜିଲ୍ଲା ବିଜ୍ଞାନ କେନ୍ଦ୍ର ତଥା ପ୍ଲାନେଟୋରିୟମ ଉଦ୍‌ଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ଜାତୀୟ ବିଜ୍ଞାନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲା ଜୟପୁରରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର, ରାୟଗଡାରେ ପ୍ଲାନେଟୋରିୟମ, କେନ୍ଦୁଝର ଜିଲ୍ଲା ଘଟଗାଁରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟୋରିୟମ ଓ ମୟୁରଭଞ୍ଜ ଜିଲ୍ଲା ବାରିପଦାଠାରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟୋରିୟମ ଉଦ୍‌ଘାଟନ କରିବା ସହିତ କଳାହାଣ୍ଡି, ବୌଦ୍ଧ, କେନ୍ଦ୍ରାପଡା, ଝାରସୁଗୁଡା, ଗଜପତି, ନୂଆପଡା ଓ ଜଗତସିଂହପୁର ଜିଲ୍ଲା ବିଜ୍ଞାନ କେନ୍ଦ୍ର ନିର୍ମାଣ ପାଇଁ ଭିତ୍ତି ସ୍ଥାପନ କରିଛନ୍ତି।

କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜ୍ଞାନ ଓ ବିକାଶ ସମତାଳରେ ଆଗକୁ ବଢିଥାଏ। ବିଜ୍ଞାନ ବିନା ବିକାଶ ଅସମ୍ପୂର୍ଣ୍ଣ । ପ୍ରତିଦିନ ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ ସମାଜର ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି। ଶିକ୍ଷା କ୍ଷେତ୍ରରେ ଏହାର ବିଶେଷ ଗୁରୁତ୍ୱ ରହିଛି। 5T ସ୍କୁଲ ରୂପାନ୍ତରଣରେ ଆଜି ବୈଷୟିକ ଜ୍ଞାନକୌଶଳକୁ ବ୍ୟବହାର କରି ସ୍ମାର୍ଟ କ୍ଲାସ ରୁମ୍‌, ଇ- ଲାଇବ୍ରେରୀ, ମଡର୍ଣ୍ଣ ଲାବୋରଟୋରୀ ଆଦି ବିକାଶ କରାଯାଇଛି।

ପ୍ରତି ଜିଲ୍ଲାରେ ବିଜ୍ଞାନ କେନ୍ଦ୍ର ଖୋଲିବା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜ୍ଞାନକୁ ଲୋକପ୍ରିୟ କରିବା ଓ ବୈଷୟିକ ଜ୍ଞାନକୈଶଳର ବ୍ୟବହାରରେ ବୃଦ୍ଧି ପାଇଁ ରାଜ୍ୟ ସରକାର ପ୍ରତି ଜିଲ୍ଲାରେ ବିଜ୍ଞାନ କେନ୍ଦ୍ର ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥି ସହିତ ପ୍ଲାନେଟୋରିୟମ ତଥା ସ୍କୁଲମାନଙ୍କରେ Innovation Centre ଖୋଲିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି।

ଆଗାମୀ ଦିନରେ ଭଦ୍ରକରେ ବିଜ୍ଞାନ କେନ୍ଦ୍ର ଏବଂ ବଲାଙ୍ଗିର, ସୁନ୍ଦରଗଡ ଓ ଗଂଜାମ ଜିଲ୍ଲାରେ ବିଜ୍ଞାନ କେନ୍ଦ୍ର ସହିତ ପ୍ଲାନେଟୋରିୟମ ମଧ୍ୟ ଖୋଲାଯିବ। ଏହି ସବୁ ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟୋରିୟମ ପିଲାମାନଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରିବାରେ ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ମୁଁ ଚାହେଁ ମୋ ରାଜ୍ୟର ପିଲାମାନେ ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ଆଗରେ ରୁହନ୍ତୁ। ଦକ୍ଷ ହୁଅନ୍ତୁ ଓ ଓଡିଶାର ସୁନାମ ବୃଦ୍ଧି କରନ୍ତୁ। ଏଥି ସହିତ ମୁଖ୍ୟମନ୍ତ୍ରୀ ନୂଆ ଓଡିଶା ଗଠନର ସ୍ୱପ୍ନକୁ ସାକାର କରିବା ପାଇଁ ସମ୍ମିଳିତ ଭାବେ କାମ କରିବା ପାଇଁ ଆହ୍ୱାନ ଦେଇଥିଲେ।

ସୂଚନାଯୋଗ୍ୟ ଯେ 5T ଉପକ୍ରମରେ ନିର୍ମିତ ପ୍ରତ୍ୟେକ ବିଜ୍ଞାନ କେନ୍ଦ୍ର ପାଇଁ ୬.୫ କୋଟି ଟଙ୍କା, ପ୍ଲାନେଟୋରିୟମ ପାଇଁ ୧୫ କୋଟି ଟଙ୍କା ଏବଂ ବିଜ୍ଞାନ କେନ୍ଦ୍ର ତଥା ପ୍ଲାନେଟୋରିୟମ ପାଇଁ ୨୧.୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

କାର୍ଯ୍ୟକ୍ରମରେ ରାଜ୍ୟ ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଜୟପୁରରେ ଯୋଗଦେଇ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ବିଜ୍ଞାନକୁ ଲୋକପ୍ରିୟ କରିବାର ଏହି ଉଦ୍ୟମ ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କ ପାଇଁ ବହୁ ଉପାଦେୟ ସାବ୍ୟସ୍ତ ହେବ ଏବଂ ଏହି ସମୟୋପଯୋଗୀ ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚ ପ୍ରଶଂସା କରିଥିଲେ।

5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ପିଲାମାନଙ୍କ ସହିତ ଆଲୋଚନା କରି ବିଜ୍ଞାନ ଶିକ୍ଷା ସେମାନଙ୍କ ଜୀବନକୁ ପରିବର୍ତ୍ତନ କରିବା ସହିତ ସମାଜକୁ ମଧ୍ୟ ପରିବର୍ତ୍ତନ କରିଥାଏ ବୋଲି କହିଥିଲେ। ରାଜ୍ୟ ସରକାର 5T କାର୍ଯ୍ୟକ୍ରମରେ କରୁଥିବା ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ, ନୂଆ-ଓ କାର୍ଯ୍ୟକ୍ରମ ଆଦି ଶିକ୍ଷା କ୍ଷେତ୍ରରେ ପିଲାଙ୍କ ପାଇଁ ଭଲ ପ୍ଲାଟଫର୍ମ ତିଆରି କରିଛି ବୋଲି ମତ ଦେଇ ସେ ପିଲାମାନଙ୍କୁ କଠିନ ପରିଶ୍ରମ କରି ଜୀବନରେ ସଫଳ ହେବାକୁ ପରାମର୍ଶ ଦେଇଥିଲେ।

କାର୍ଯ୍ୟକ୍ରମରେ ଭବାନିପାଟଣାଠାରେ ସାଂସଦ ଶ୍ରୀ ସୁଜିତ କୁମାର, ରାୟଗଡାଠାରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଓ ଘଟଗାଁଠାରେ ବିଧାୟକ ଶ୍ରୀ ବଦ୍ରିନାରାୟଣ ପାତ୍ର ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ପ୍ରତି ଆକର୍ଷିତ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଏହି ଯୁଗପୋଯୋଗୀ ପଦକ୍ଷେପ ପାଇଁ ଧନ୍ୟବାଦ ଦେଇଥିଲେ।

କାର୍ଯ୍ୟକ୍ରମରେ ବିଜ୍ଞାନ ଓ ବୈଷୟିକ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଚିତ୍ରା ଆରୁମୁଗମ୍ ସ୍ୱାଗତ ଭାଷଣ ଦେଇଥିଲେ ଏବଂ କଳାହାଣ୍ଡି ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ।