ସୀତାରାମ ଅଗ୍ରୱାଲ
ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକର ବହୁ ପ୍ରସିଦ୍ଧ ନଈରୀ ଦଶଦୋଳ ଏବଂ ବଉଳାବନ୍ଧ ଏଗାରଦୋଳ ଉତ୍ସବ ପାଳନ ନିମନ୍ତେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜି ମଧ୍ୟାହ୍ନରେ ଚିଲିକା ବିଡ଼ିଓ ଡ଼ା. ସୁଷମା ବାରିକଙ୍କ ଅଧ୍ୟକ୍ଷତାରେ ଚିଲିକା ବ୍ଲକ ସଭାଗୃହ ମଧ୍ୟରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକରେ ନଈରୀ ଗ୍ରାମର ବାଇଶି ମୌଜା କମିଟି ଏବଂ ବଉଳାବନ୍ଧ ଗ୍ରାମର ଏଗାର ଦୋଳ କମିଟିର ସଭ୍ୟମାନେ ଅଂଶଗ୍ରହଣ କରିଥିଲେ।
ଚଳିତ ବର୍ଷ ଏପ୍ରିଲ ୭, ୮, ୯ ତାରିଖ ମଧ୍ୟରେ ଏହି ଉତ୍ସବ ଦୁଇଟି ପାଳନ ହେବ। କେବଳ ରୀତିନୀତି ଅନୁଯାୟୀ ଚଳିତ ବର୍ଷ ଉକ୍ତ ଦୁଇ ଉତ୍ସବ ପାଳନ କରିବା ନିମନ୍ତେ ସର୍ବସହମତି ହୋଇଛି। ବିମାନକୁ ସିମୀତ ସଂଖ୍ୟକ ସେବାୟତ (କମିଟି ଦ୍ୱାରା ନିର୍ଦ୍ଧାରିତ) ନେଇ ପଡ଼ିଆକୁ ଯିବେ। ଆତସବାଜି ପ୍ରଦର୍ଶନ ହେବ ନାହିଁ। ସାମାଜିକ ଦୂରତ୍ୱ, ମାସ୍କ ଏବଂ ସାନିଟାଇଜେସନ ବ୍ୟବହାର ବାଧ୍ୟତାମୂଳକ। ଦୋକାନ ବଜାର ପଡିବ ନାହିଁ। ବିମାନ ସହିତ ଆସିବାକୁ ଥିବା ୪୫ ବର୍ଷରୁ ଉର୍ଦ୍ଧ୍ଵ ସେବାୟତ ମାନଙ୍କୁ କୋଭିଡ ଟୀକା ଦିଆଯିବ। ୨୪ ଘଣ୍ଟା ପୋଲିସ ଏବଂ ମେଡିକାଲର ଅସ୍ଥାୟୀ କ୍ୟାମ୍ପ କାର୍ଯ୍ୟକାରୀ ହେବ।
ଆସନ୍ତାକାଲିଠାରୁ କଟକଣା ଗୁଡ଼ିକର ତହସିଲ ପ୍ରଶାସନ ଦ୍ୱାରା ପ୍ରଚାର ପ୍ରସାର ହେବ। ପୋଲିସ ଦ୍ୱାରା ଯାତ୍ରା ସରିବା ପର୍ଯ୍ୟନ୍ତ ଉକ୍ତ ଅଞ୍ଚଳରେ ମଦ ଧରପଗଡ଼ ଅଭିଯାନ ଜାରି ରହିବ। ବାହାରୁ ଯଦି କୌଣସି ବ୍ୟକ୍ତି ଯାତ୍ରା ସମୟରେ ଉକ୍ତ ଅଞ୍ଚଳକୁ ଆସିବେ ତେବେ ସେ ୭ ଦିନ ସଙ୍ଗରୋଧରେ ରହିବାକୁ ବାଧ୍ୟତାମୂଳକ।
ଉକ୍ତ ବୈଠକରେ ବିଡ଼ିଓଙ୍କ ସହ ଚିଲିକା ତହସିଲଦାର ପୁନମ ମହାପାତ୍ର, ଅତିରିକ୍ତ ତହସିଲଦାର ଅପର୍ଣ୍ଣା ଡ଼ାଙ୍ଗୁଆ, ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ, ୪ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ସୁମନ୍ତ ପଟ୍ଟନାୟକ, ହରିପୁର ଗ୍ରାମ ପଞ୍ଚାୟତ ସରପଞ୍ଚ, ବଉଳାବନ୍ଧ ଗ୍ରାମ ପଞ୍ଚାୟତ ସରପଞ୍ଚ, ୨୨ ମୌଜା କମିଟି ସଭାପତି ଲଳିତ ମୋହନ ପଟ୍ଟନାୟକ, ଏଗାରଦୋଳ କମିଟି ସଭାପତି ହାଡିବନ୍ଧୁ ପଟ୍ଟନାୟକ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।