Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

PM Budget Reaction: ନିର୍ମଳା ସୀତାରମଣଙ୍କ ବଜେଟକୁ ନେଇ କଣ କହିଲେ ପ୍ରଧାନମନ୍ତ୍ରୀ ମୋଦି

PM Budget Reaction: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ କେନ୍ଦ୍ର ବଜେଟ୍ ୨୦୨୫-୨୬ ଉପରେ ନିଜର ମନ୍ତବ୍ୟ ଦେଇଛନ୍ତି। ଆଜି ଭାରତର ବିକାଶ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟକୁ ଚିହ୍ନିତ କରି ଶ୍ରୀ ମୋଦୀ କହିଛନ୍ତି ଯେ, ଏହି ବଜେଟରେ ୧୪୦ କୋଟି ଭାରତୀୟଙ୍କ ଆକାଂକ୍ଷା ପ୍ରତିଫଳିତ ହୋଇଛି ଏବଂ ପ୍ରତ୍ୟେକ ନାଗରିକଙ୍କ ସ୍ୱପ୍ନ ପୂରଣ ହୋଇଛି।

ସେ ଦର୍ଶାଇଛନ୍ତି ଯେ ଯୁବକମାନଙ୍କ ପାଇଁ ବଜେଟରେ ଅନେକ କ୍ଷେତ୍ର ଓ ସୁଯୋଗ ଖୋଲାଯାଇଛି ଏବଂ ସାଧାରଣ ନାଗରିକଙ୍କୁ ଏହା ବିକଶିତ ଭାରତ ଯାତ୍ରାରେ ସାମିଲ କରିବ। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ଏହି ବଜେଟ୍ ହେଉଛି ଏକ ବୃହତ ଶକ୍ତି, ଯାହା ସଞ୍ଚୟ, ବିନିଯୋଗ, ବ୍ୟବହାର ଏବଂ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବ। ସେ କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଏବଂ ତାଙ୍କ ଟିମ୍‍କୁ ଏହି ‘ଲୋକଙ୍କ ବଜେଟ୍’ ପାଇଁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ସାଧାରଣତଃ ସରକାରଙ୍କ ଟ୍ରେଜେରୀକୁ କିପରି ପୂରଣ କରାଯିବ ତାହା ଉପରେ ବଜେଟରେ ଧ୍ୟାନ ଦିଆଯାଇଥାଏ । କିନ୍ତୁ ଏହି ବଜେଟରେ ନାଗରିକଙ୍କ ପକେଟ କିପରି ପୂରଣ କରାଯିବ, ସଞ୍ଚୟ ବୃଦ୍ଧି ପାଇବ ଏବଂ ଦେଶର ବିକାଶରେ ସେମାନଙ୍କୁ ଅଂଶୀଦାର କରାଯିବ ସେଥି ନିମନ୍ତେ ଧ୍ୟାନ ଦିଆଯାଇଛି ।

ଏହି ବଜେଟରେ ସଂସ୍କାର ଆଣିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି ବୋଲି ଶ୍ରୀ ମୋଦୀ କହିଛନ୍ତି ଏବଂ ଆଣବିକ ଶକ୍ତିରେ ଘରୋଇ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ ନିଆଯାଇଥିବା ଐତିହାସିକ ନିଷ୍ପତ୍ତି ଉପରେ ଆଲୋକପାତ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବେସାମରିକ ପରମାଣୁ ଶକ୍ତି ଭବିଷ୍ୟତରେ ଦେଶର ବିକାଶରେ ଏକ ମହତ୍ବପୂର୍ଣ୍ଣ ଅବଦାନକୁ ନିଶ୍ଚିତ କରିବ। ବଜେଟରେ ସମସ୍ତ ନିଯୁକ୍ତି କ୍ଷେତ୍ରକୁ ପ୍ରାଥମିକତା ଦିଆଯାଇଛି ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି।

ଦୁଇଟି ପ୍ରମୁଖ ସଂସ୍କାର ଯାହା ଆଗାମୀ ସମୟରେ ଗୁରୁତ୍ବପୂର୍ଣ ପରିବର୍ତ୍ତନ ଆଣିବ ବୋଲି ସୂଚାଇ ଶ୍ରୀ ମୋଦୀ କହିଛନ୍ତି ଯେ ଜାହାଜ ନିର୍ମାଣକୁ ଭିତ୍ତିଭୂମି ମାନ୍ୟତା ପ୍ରଦାନ କରିବା ଦ୍ବାରା ଭାରତରେ ବୃହତ ଜାହାଜ ନିର୍ମାଣ ବୃଦ୍ଧି ପାଇବ, ଆତ୍ମନିର୍ଭର ଭାରତ ଅଭିଯାନ ତ୍ୱରାନ୍ୱିତ ହେବ ଏବଂ ଭିତ୍ତିଭୂମି ବର୍ଗ ଅନ୍ତର୍ଗତ ୫୦ ଟି ପର୍ଯ୍ୟଟନ ସ୍ଥଳରେ ହୋଟେଲ ସ୍ଥାପନା ଦ୍ୱାରା ପର୍ଯ୍ୟଟନ କ୍ଷେତ୍ର ସମୃଦ୍ଧ ହେବ ।

ଏହାଦ୍ବାରା ପର୍ଯ୍ୟଟନ କ୍ଷେତ୍ର ଯଥେଷ୍ଟ ବୃଦ୍ଧି ପାଇବ, ଆତିଥ୍ୟ କ୍ଷେତ୍ରକୁ ନୂତନ ଶକ୍ତି ମିଳିବ, ଯାହାକି ସବୁଠାରୁ ବଡ଼ ରୋଜଗାର କ୍ଷେତ୍ର । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ “ବିକାଶ ଭୀ, ବୀରାସତ ଭୀ” (ବିକାଶ ଏବଂ ଐତିହ୍ୟ) ମନ୍ତ୍ର ସହିତ ଦେଶ ଅଗ୍ରଗତି କରୁଛି। ଜ୍ଞାନ ଭାରତମ୍ ମିଶନର ଶୁଭାରମ୍ଭ ମାଧ୍ୟମରେ ଏକ କୋଟି ପାଣ୍ଡୁଲିପି ସଂରକ୍ଷଣ ପାଇଁ ଏହି ବଜେଟରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଥିବା ସେ ଉଲ୍ଲେଖ କରିଛନ୍ତି। ଏହା ସହିତ, ଭାରତୀୟ ଜ୍ଞାନ ପରମ୍ପରା ଦ୍ୱାରା ଅନୁପ୍ରାଣିତ ଏକ ଜାତୀୟ ଡିଜିଟାଲ୍ ସଂଗ୍ରହାଳୟ ସୃଷ୍ଟି ହେବ ।

କୃଷକମାନଙ୍କ ପାଇଁ ବଜେଟରେ ଦିଆଯାଇଥିବା ଘୋଷଣା କୃଷି କ୍ଷେତ୍ର ତଥା ସମଗ୍ର ଗ୍ରାମୀଣ ଅର୍ଥନୀତିରେ ଏକ ନୂତନ ବିପ୍ଳବର ମୂଳଦୁଆ ପକାଇବ ବୋଲି ସ୍ମରଣ କରି ଶ୍ରୀ ମୋଦୀ ଦର୍ଶାଇଛନ୍ତି ଯେ ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା ଅଧୀନରେ ୧୦୦ଟି ଜିଲ୍ଲାରେ ଜଳସେଚନ ଏବଂ ଭିତ୍ତିଭୂମି ବିକାଶ ହେବ। ସେ ଗୁରୁତ୍ୱାରୋପ କରିଛନ୍ତି ଯେ କିଷାନ କ୍ରେଡିଟ କାର୍ଡର ସୀମା ୩ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି କରିବା ଦ୍ୱାରା କୃଷକମାନଙ୍କୁ ଅଧିକ ସହାୟତା ମିଳିବ।

ବଜେଟରେ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକୁ ଟିକସରୁ ମୁକ୍ତ କରାଯାଇଛି ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମସ୍ତ ଆୟ ଗୋଷ୍ଠୀ ପାଇଁ ଟିକସ ହ୍ରାସ କରାଯାଇଛି, ଯାହା ମଧ୍ୟବିତ୍ତ ତଥା ନୂତନ ଭାବରେ ନିଯୁକ୍ତି ପାଇଥିବା ଲୋକଙ୍କୁ ବହୁତ ଲାଭଦାୟକ ହେବ।

ଉଦ୍ୟୋଗୀ, ଏମଏସଏମଇ ଏବଂ କ୍ଷୁଦ୍ର ବ୍ୟବସାୟକୁ ମଜବୁତ କରିବା, ନୂତନ ନିଯୁକ୍ତି ସୃଷ୍ଟି କରିବା ପାଇଁ ବଜେଟରେ ୩୬୦ ଡିଗ୍ରୀ ଧ୍ୟାନ ରହିଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ସେ ଦର୍ଶାଇଛନ୍ତି ଯେ ସ୍ୱଚ୍ଛ ବୈଷୟିକ ଜ୍ଞାନ, ଚମଡା, ଜୋତା ଏବଂ ଖେଳନା ଶିଳ୍ପ ପରି କ୍ଷେତ୍ରଗୁଡିକ ଜାତୀୟ ଉତ୍ପାଦନ ମିଶନ ଅଧୀନରେ ବିଶେଷ ସହାୟତା ପାଇଛି। ସେ କହିଛନ୍ତି ଯେ ବିଶ୍ବ ବଜାରରେ ଭାରତୀୟ ଉତ୍ପାଦଗୁଡିକର ଚାହିଦା ବୃଦ୍ଧି ନିଶ୍ଚିତ କରିବା ଲକ୍ଷ୍ୟ ସ୍ପଷ୍ଟ ହୋଇଛି।

ରାଜ୍ୟଗୁଡ଼ିକରେ ଏକ ଉତ୍ସାହଜନକ ଏବଂ ପ୍ରତିଯୋଗିତାମୂଳକ ପୁଞ୍ଜି ବିନିଯୋଗ ପରିବେଶ ସୃଷ୍ଟି କରିବା ଉପରେ ବଜେଟରେ ବିଶେଷ ଗୁରୁତ୍ୱ ଦିଆଯାଉଛି ବୋଲି ଦର୍ଶାଇ ଶ୍ରୀ ମୋଦୀ ଏମଏସଏମଇ ଏବଂ ଷ୍ଟାର୍ଟଅପ୍ ପାଇଁ ଋଣ ଗ୍ୟାରେଣ୍ଟି ଦ୍ୱିଗୁଣିତ କରିବାକୁ ଘୋଷଣା ଉପରେ ଆଲୋକପାତ କରିଥିଲେ। ଏସସି, ଏସଟି ଏବଂ ନୂଆ ମହିଳା ଉଦ୍ୟୋଗୀମାନଙ୍କ ପାଇଁ ଗ୍ୟାରେଣ୍ଟି ବିନା ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇବା ପାଇଁ ସେ ଏକ ଯୋଜନା ପ୍ରଣୟନ ବିଷୟରେ ଉଲ୍ଲେଖ କରିଛନ୍ତି।

ପ୍ରଥମ ଥର ପାଇଁ ଇ-ଶ୍ରମ ପୋର୍ଟାଲରେ ସେମାନଙ୍କର ପଞ୍ଜୀକରଣ ସହିତ ସେମାନଙ୍କୁ ସ୍ୱାସ୍ଥ୍ୟସେବା ଏବଂ ଅନ୍ୟାନ୍ୟ ସାମାଜିକ ସୁରକ୍ଷା ଯୋଜନାରେ ପ୍ରବେଶ କରିବା ପାଇଁ ଗିଗ୍ ଶ୍ରମିକମାନଙ୍କ ପାଇଁ ଉଲ୍ଲେଖନୀୟ ଘୋଷଣା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଶ୍ରମର ସମ୍ମାନ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥାଏ। ଜନ ବିଶ୍ବାସ ୨.୦ ପରି ନିୟାମକ ଏବଂ ଆର୍ଥିକ ସଂସ୍କାର ସର୍ବନିମ୍ନ ସରକାର ତଥା ବିଶ୍ୱାସ ଭିତ୍ତିକ ଶାସନ ପ୍ରତି ପ୍ରତିବଦ୍ଧତାକୁ ମଜବୁତ କରିବ ବୋଲି ସେ ଦର୍ଶାଇଛନ୍ତି।

ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନକୁ ସମାପ୍ତ କରି କହିଛନ୍ତି ଯେ ଏହି ବଜେଟ୍ କେବଳ ଦେଶର ସାମ୍ପ୍ରତିକ ଆବଶ୍ୟକତାକୁ ନୁହେଁ ବରଂ ଦେଶକୁ ଭବିଷ୍ୟତ ପାଇଁ ପ୍ରସ୍ତୁତି କରିବାରେ ମଧ୍ୟ ସହାୟକ ହେବ । ସେ ଡିପ୍ ଟେକ୍ ପାଣ୍ଠି, ଜିଓସ୍ପ୍ୟାଟିଆଲ୍ ମିଶନ୍ ଏବଂ ଆଣବିକ ଶକ୍ତି ମିଶନ୍ ସହିତ ଷ୍ଟାର୍ଟଅପ୍ ପାଇଁ ପଦକ୍ଷେପଗୁଡିକ ଉପରେ ଆଲୋକପାତ କରିଥିଲେ। ଏହି ଐତିହାସିକ ବଜେଟ୍ ପାଇଁ ସେ ସମସ୍ତ ନାଗରିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

୨୦୨୮ ପର୍ଯ୍ୟନ୍ତ ସମ୍ପ୍ରସାରିତ ହେଲା ଜଳ ଜୀବନ ମିଶନ୍, ବ୍ୟୟବରାଦ ୬୭,୦୦୦ କୋଟି ଟଙ୍କାକୁ ବୃଦ୍ଧି

ନୂଆଦିଲ୍ଲୀ: ଆଜି ସଂସଦରେ କେନ୍ଦ୍ର ବଜେଟ୍ ୨୦୨୫-୨୬ ଉପସ୍ଥାପନ କରୁଥିବାବେଳେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଜଳ ଜୀବନ ମିଶନ ପାଇଁ ମୋଟ ବଜେଟ ବ୍ୟୟବରାଦ ୬୭,୦୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ସେ କହିଛନ୍ତି ଯେ ମିଶନ ଅବଧିକୁ ୨୦୨୮ ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଛି।

ଶ୍ରୀମତୀ ନିର୍ମଳା ସୀତାରମଣ କହିଛନ୍ତି ଯେ ୨୦୧୯ ମସିହାରୁ ଭାରତର ଗ୍ରାମାଞ୍ଚଳର ୮୦ ପ୍ରତିଶତ ପ୍ରତିନିଧିତ୍ୱ କରୁଥିବା ୧୫ କୋଟି ପରିବାର ଜଳ ଜୀବନ ମିଶନ ଦ୍ୱାରା ଉପକୃତ ହୋଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ମିଶନ ଅଧିନରେ ଟ୍ୟାପ୍‍ ଜଳ ସଂଯୋଗ ଯୋଗାଇ ଦିଆଯାଉଛି ଏବଂ ଆଗାମୀ ତିନି ବର୍ଷ ମଧ୍ୟରେ  ଶତ ପ୍ରତିଶତ ଲକ୍ଷ୍ୟ ହାସଲ କରାଯାଇ ପାରିବ।

ଜଳ ଜୀବନ ମିଶନର ଫୋକସ “ଜନ ଭାଗିଦାରୀ” ମାଧ୍ୟମରେ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ଯୋଜନାର ଗୁଣାତ୍ମକ ଭିତ୍ତିଭୂମି ଏବଂ ଓ ଆାଣ୍ଡ୍‍ ଏମ୍‍ ଉପରେ ରହିଛି। ସ୍ଥାୟୀ ଏବଂ ନାଗରିକ-କୈନ୍ଦ୍ରିକ ଜଳ ସେବା ବିତରଣକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟ /କେନ୍ଦ୍ରଶାସିତ ଅଞ୍ଚଳ ସହିତ ପୃଥକ ବୁଝାମଣା ସ୍ୱାକ୍ଷରିତ ହେବ ବୋଲି ଶ୍ରୀମତୀ ସୀତାରମଣ ସୂଚନା ଦେଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

Budget 2025: ବୀମା କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ସୀମା ୭୪ରୁ ୧୦୦ ପ୍ରତିଶତକୁ ବୃଦ୍ଧି

Budget 2025: କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିବା ସମୟରେ କହିଛନ୍ତି ଯେ ବଜେଟ୍ ୨୦୨୫-୨୬ର ଲକ୍ଷ୍ୟ ହେଉଛି ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ସମସ୍ତ ୬ଟି କ୍ଷେତ୍ରରେ ପରିବର୍ତ୍ତନମୂଳକ ସଂସ୍କାର ଆରମ୍ଭ କରିବା, ଯାହା ଆମର ଅଭିବୃଦ୍ଧି ସମ୍ଭାବନା ଏବଂ ବିଶ୍ୱସ୍ତରୀୟ ପ୍ରତିଦ୍ୱନ୍ଦ୍ୱିତାକୁ ବଢ଼ାଇବ।

ସେଥିମଧ୍ୟରୁ ଗୋଟିଏ ହେଉଛି ଆର୍ଥିକ କ୍ଷେତ୍ର, ଯେଉଁଥିରେ ବୀମା, ପେନସନ, ଦ୍ୱିପାକ୍ଷିକ ନିବେଶ, ଚୁକ୍ତି (ବିଟିଟି) ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ କ୍ଷେତ୍ର ଅନ୍ତର୍ଭୁକ୍ତ ।

ବୀମା କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ

ଶ୍ରୀମତୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି ଯେ ବୀମା କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶର ସୀମା ୭୪%ରୁ ୧୦୦%କୁ ବୃଦ୍ଧି କରାଯିବ। ଏହି ବର୍ଦ୍ଧିତ ସୀମା ସେହି କମ୍ପାନୀଗୁଡ଼ିକ ପାଇଁ ଉପଲବ୍ଧ ହେବ ଯେଉଁମାନେ ସମ୍ପୂର୍ଣ୍ଣ ପ୍ରିମିୟମ୍ ଭାରତରେ ନିବେଶ କରିବେ। ବିଦେଶୀ ପୁଞ୍ଜି ନିବେଶ ସମ୍ବନ୍ଧୀୟ ସାମ୍ପ୍ରତିକ ସୀମା ଏବଂ କଟକଣାର ସମୀକ୍ଷା ଏବଂ ସରଳୀକରଣ କରାଯିବ ।

ପେନସନ କ୍ଷେତ୍ର

ନିୟାମକ ସମନ୍ୱୟ ଏବଂ ପେନସନ ଉତ୍ପାଦର ବିକାଶ ପାଇଁ ଏକ ଫୋରମ୍ ପ୍ରତିଷ୍ଠା କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

କେୱାଇସି ସରଳୀକରଣ

ଶ୍ରୀମତୀ ନିର୍ମଳା ସୀତାରମଣ କହିଛନ୍ତି ଯେ କେୱାଇସି ପ୍ରକ୍ରିୟାର ସରଳୀକରଣ ସମ୍ପର୍କରେ ପୂର୍ବ ଘୋଷଣାକୁ କାର୍ଯ୍ୟକାରୀ କରିବା ପାଇଁ ୨୦୨୫ ରେ ନବୀକୃତ କେନ୍ଦ୍ରୀୟ କେୱାଇସି ରେଜିଷ୍ଟ୍ରିକୁ କାର୍ଯ୍ୟକ୍ଷମ କରାଯିବ । ନିୟମିତ ଅପଡେଟ୍ ପାଇଁ ଏକ ସୁବ୍ୟବସ୍ଥିତ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ।

କଂପାନିଗୁଡ଼ିକର ମିଶ୍ରଣ

କମ୍ପାନୀ ମିଶ୍ରଣକୁ ତ୍ୱରାନ୍ୱିତ କରିବା ପାଇଁ ଆବଶ୍ୟକତା ଏବଂ ପ୍ରକ୍ରିୟାକୁ ଯୁକ୍ତିଯୁକ୍ତ କରାଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଦ୍ରୁତ ମିଶ୍ରଣର ସୁଯୋଗ ମଧ୍ୟ ବୃଦ୍ଧି କରାଯିବ ଏବଂ ପ୍ରକ୍ରିୟାକୁ ସରଳ କରାଯିବ ।

ଦ୍ୱିପାକ୍ଷିକ ନିବେଶ ଚୁକ୍ତି

ନିରନ୍ତର ବିଦେଶୀ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବା ଏବଂ ‘ପ୍ରଥମ ବିକଶିତ ଭାରତ’ର ଭାବନାରେ ବର୍ତ୍ତମାନର ମଡେଲ ବିଆଇଟିକୁ ସଂଶୋଧନ କରାଯିବ ଏବଂ ଅଧିକ ନିବେଶକ ଅନୁକୂଳ କରାଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

କେନ୍ଦ୍ର ପ୍ରାକ ବଜେଟ ବୈଠକରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦେଲେ ଏହି ପ୍ରସ୍ତାବ

ନୂଆଦିଲ୍ଲୀ: ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତି ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ରାଜସ୍ଥାନର ଜୈସଲମେର ଠାରେ ଅନୁଷ୍ଠିତ ପ୍ରାକ-ବଜେଟ୍ ପରାମର୍ଶ ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦାନ କରିଥିଲେ। ଆଗାମୀ କେନ୍ଦ୍ର ବଜେଟ୍, 2025-26 ପାଇଁ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀଙ୍କ ପରାମର୍ଶ ନେବାକୁ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।

ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ଵତ ମିଶ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହ ଏହି ବୈଠକରେ ଯୋଗ ଦେଇଥିଲେ। ଓଡ଼ିଶା ପକ୍ଷରୁ ରାଜ୍ୟର ଅର୍ଥନୀତି, ବିକାଶ ପ୍ରସଙ୍ଗକୁ ନେଇ ଏକ ଲିଖିତ ସ୍ମାରକପତ୍ର କେନ୍ଦ୍ର ବଜେଟ୍, 2025-26 ରେ ଉପଯୁକ୍ତ ପଦକ୍ଷେପ ନିମନ୍ତେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ନିକଟରେ ଦାଖଲ କରାଯାଇଥିଲା। ତେବେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଓଡିଶାର ମୁଖ୍ୟମନ୍ତ୍ରୀ ତାଙ୍କ ସଂକ୍ଷିପ୍ତ ବକ୍ତବ୍ୟ ମାଧ୍ୟମରେ ଉପସ୍ଥାପନ କରିଥିଲେ । ସେଗୁଡିକ ହେଲା..

  1. ଭିତ୍ତିଭୂମି ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ପୁଞ୍ଜି ନିବେଶ ନିମନ୍ତେ ସ୍ୱତନ୍ତ୍ର ସହାୟତା ଯୋଜନା 2025-26 (SACI) ଅଧୀନରେ ରାଜ୍ୟକୁ ଅଧିକ ଆବଣ୍ଟନ;
  2. ଓଡିଶାରେ ସହରୀକରଣ ପାଇଁ କେନ୍ଦ୍ର ସରକାରଙ୍କ ସହାୟତା;
  3. ଦକ୍ଷିଣ ଏବଂ ପଶ୍ଚିମ ଓଡିଶାରେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଯଥାକ୍ରମେ ଗୋପାଳପୁର (ଲୁଣ ଖଳା) ଏବଂ ଝାରସୁଗୁଡା ପାଇଁ ନୂତନ ଇଣ୍ଡଷ୍ଟ୍ରିଆଲ୍ ଟାଉନସିପ୍ ପାଇଁ ପ୍ରସ୍ତାବ;
  4. ଓଡିଶାରେ ନିବେଶ ପ୍ରୋତ୍ସାହନ ପାଇଁ ଏକ ଉପଯୁକ୍ତ ପରିବେଶ ସୃଷ୍ଟି ନିମନ୍ତେ କେନ୍ଦ୍ର ସରକାରଙ୍କ ବିଶେଷ ସହାୟତା;
  5. ଓଡିଶାରେ ପର୍ଯ୍ୟଟନର ବିକାଶ ପାଇଁ ୧୦,୦୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ବ୍ୟବସ୍ଥା;
  6. ଆସନ୍ତା ଗ୍ରୀଷ୍ମ ପୂର୍ବରୁ ଲକ୍ଷ୍ୟ ଧାର୍ଯ୍ୟ ପ୍ରକଳ୍ପ ସମାପ୍ତ କରିବା ଏବଂ ସମସ୍ତ ପ୍ରକଳ୍ପର ଅଗ୍ରଗତିକୁ ତ୍ୱରାନ୍ୱିତ କରିବା ପାଇଁ ଜଳ ଜୀବନ ମିଶନ୍ (ଜେ.ଜେ.ଏମ୍.) ଅଧୀନରେ ପର୍ଯ୍ୟାପ୍ତ ବଜେଟ୍ ବ୍ୟବସ୍ଥା;
  7. ଓଡ଼ିଶାର ଲୋକମାନଙ୍କର ନୂତନ ସରକାର ଠାରୁ ଉଚ୍ଚ ଆଶା ପୂରଣ ଦିଗରେ ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ଭିତ୍ତିଭୂମିରେ ବୈପ୍ଳବିକ ପରିବର୍ତ୍ତନ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା;
  8. ଆସ୍ପିରେସନନାଲ ବ୍ଲକ୍ ପ୍ରୋଗ୍ରାମ୍ ଅନ୍ତର୍ଗତ ପୂର୍ବରୁ ଅନୁମୋଦିତ 29 ଟି ବ୍ଲକ୍ ବ୍ୟତୀତ ମୟୂରଭଞ୍ଜ ଏବଂ କେନ୍ଦୁଝରର ଜିଲ୍ଲାର ଅନ୍ୟ 11 ଟି ଅତିରିକ୍ତ ବ୍ଲକ୍ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରସ୍ତାବ ।

ପରିଶେଷରେ, ମାନ୍ୟବର କେନ୍ଦ୍ର ଅର୍ଥମନ୍ତ୍ରୀ ଉପସ୍ଥାପିତ ସମସ୍ତ ଦାବି ଏବଂ ପରାମର୍ଶଗୁଡିକ ଅନୁଧ୍ୟାନ କରି ଉପଯୁକ୍ତ ପଦକ୍ଷେପ ନେବାକୁ ପ୍ରତିଶୃତି ଦେଲେ।