Categories
ଆଞ୍ଚଳିକ

ରଣପୁର: ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

ରଣପୁର: ନୟାଗଡ ଜିଲ୍ଲାର ରଣପୁର ବ୍ଲକ ଅନ୍ତର୍ଗତ ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ଆଜି ଆନ୍ତର୍ଜାତୀୟ ମାତୃଭାଷା ଦିବସ ଉତ୍ସାହପୂର୍ଣ୍ଣ ଭାବରେ ପାଳିତ ହୋଇଯାଇଛି।  ଛାତ୍ରଛାତ୍ରୀମାନେ ନିଜ ମାତୃଭାଷାର ସମ୍ମାନରେ ବିଭିନ୍ନ ସାହିତ୍ୟିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ, ଯାହାର ମାଧ୍ୟମରେ ସେମାନେ ନିଜ ଭାଷାର ସଂସ୍କୃତିକ ଧାରାବାହିକତାକୁ ପ୍ରଦର୍ଶନ କରିଥିଲେ।

ଶିକ୍ଷକମାନେ ମାତୃଭାଷାର ଗୁରୁତ୍ୱ ବିଷୟରେ ଉପସ୍ଥିତ ମଣ୍ଡଳୀକୁ ଉଦବୋଧନ କରି ଛାତ୍ରଛାତ୍ରୀମାନଙ୍କୁ ନିଜ ଭାଷାର ସୁରକ୍ଷା ଓ ସମ୍ବର୍ଦ୍ଧନ ପାଇଁ ଉତ୍ସାହିତ କରିଥିଲେ। ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରଣାଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଦିଲ୍ଲୀପ କୁମାର ସାହୁ, ଶିକ୍ଷୟତ୍ରୀ ପଦ୍ମାବତୀ ବେହେରା ଓ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟସଦସ୍ୟା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ସେହିପରି ନରସିଂହପୁର କ୍ଲଷ୍ଟର, ଖଇରପଲ୍ଲୀ କ୍ଲଷ୍ଟର, ଗୌରାଙ୍ଗପୁର କ୍ଲଷ୍ଟର, ରଣପୁର କ୍ଲଷ୍ଟର, କାଶନ୍ଦା କ୍ଲଷ୍ଟର ସମେତ ରଣପୁର ବ୍ଲକର ସମସ୍ତ ବିଦ୍ୟାଳୟରେ ଏହି ଦିବସ ପାଳିତ ହୋଇ ଯାଇଛି।

Categories
ଆଞ୍ଚଳିକ

ଯୋଗ ମନ ଓ ମସ୍ତିଷ୍କକୁ ସୁସ୍ଥ ରଖେ: ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ

ରଣପୁର: ଆଜି ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ଯୋଗ ଦିବସ ପାଳିତ ହୋଇ ଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରଣାଙ୍କ ତତ୍ୱାବଧାନରେ ଯୋଗ ଦିବସ ପାଳିତ ହୋଇଥିଲା।  ସହକାରୀ ଶିକ୍ଷକ ଦିଲ୍ଲୀପ କୁମାର ସାହୁ ପିଲାମାନଙ୍କୁ ଯୋଗ ଶିକ୍ଷା ଦେଇଥିଲେ। ପିଲାମାନଙ୍କୁ ନେଇ ବିଭିନ୍ନ ଆସନ ଓ ବ୍ୟାୟାମ ମଧ୍ୟ କରାଯାଇଥିଲା।

ଏହି ଅବସରରେ ବିଶେଷ ଆକର୍ଷଣ ଭାବେ ପିଲାମମାନଙ୍କୁ ନେଇ IYD ଆକୃତି କରି ଆନ୍ତର୍ଜାତିକ ଯୋଗ ଦିବସର ବାର୍ତ୍ତା ସମ୍ବନ୍ଧରେ ସମସ୍ତଙ୍କୁ ଅବଗତ କରାଯାଇଥିଲା।  ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ରଣା ପିଲାମାନଙ୍କୁ କହିଥିଲେ ଯେ ଯୋଗ କରିବା ସ୍ୱାସ୍ଥ୍ୟ ପାଇଁ ଭଲ, ଏହା ମନ ଓ ମସ୍ତିଷ୍କକୁ ସୁସ୍ଥ ରଖେ। ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ପଦ୍ମାବତୀ ବେହେରା, ଅଙ୍ଗନବାଡି କର୍ମୀ ପୁଷ୍ପମଞ୍ଜରୀ ଦେଇ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟସଦସ୍ୟାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସେହିପରି ମନ୍ଦାକିନୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବିଲଗାଡ଼ିଆ ପ୍ରାଥମିକ ବିଦ୍ୟାଳୟ, ଗୌରାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗୌରାଙ୍ଗପୁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ବରମୂଳ, ପିମ୍ପଲ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଯଦୁପୁର ବିଦ୍ୟାଳୟ ସହ ବିଭିନ୍ନ ବିଦ୍ୟାଳୟରେ ମଧ୍ୟ ଯୋଗ ଦିବସ ପାଳିତ ହୋଇ ଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ”ଆମ ସଂସ୍କୃତି ଆମ ଖେଳନା” କର୍ମଶାଳା ଅନୁଷ୍ଠିତ

ରଣପୁର: ଆଜି ନୟାଗଡ ଜିଲ୍ଲା ରଣପୁର ଶିକ୍ଷା ବ୍ଲକର ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ପିଲାମାନଙ୍କ ଶିକ୍ଷଣ ଉଦ୍ଦେଶ୍ୟରେ ଆମ ସଂସ୍କୃତି ଆମ ଖେଳନା କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି। ଏହି କର୍ମଶାଳା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଧନ କେନ୍ଦ୍ର କର୍ମୀ ସନ୍ତୋଷ କୁମାର ମିଶ୍ର, ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ଲକ୍ଷ୍ମୀଧର ସାହୁ, ସମ୍ମାନିତ ଅତିଥି ଭାବେ ପିମ୍ପଲ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସେଠି, କ୍ଷେତ୍ରୀବରପୁର ମଧ୍ୟ ଇଁରାଜୀ ବିଦ୍ୟାଳୟର ଶିକ୍ଷୟତ୍ରୀ ସନ୍ଧ୍ୟାରାଣୀ ସେଠି, ୱାର୍ଡ଼ ମେମ୍ବର ସରୋଜିନୀ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ମନ୍ଦାକିନୀ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ବେହେରା ସଭାପତି ଭାବେ ସଭାକାର୍ଯ୍ୟ ପରିଚାଳନା କରିଥିଲେ।

ବରିଷ୍ଠ ଶିକ୍ଷକ ନୃସିଂହ ଚରଣ ଚୌଧୁରୀ ପ୍ରଶିକ୍ଷକ ଭାବେ ଯୋଗ ଦେଇ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଖବର କାଗଜରେ ବିଭିନ୍ନ ପ୍ରକାରର ଟୋପି, ରଙ୍ଗୀନ କାଗଜରେ ଫିଙ୍ଗର ପପେଟ, ବିଭିନ୍ନ ମୁଖା, କପଡାରେ ବିଭିନ୍ନ ପ୍ରକାର କଣ୍ଢେଇ ଓ ପାଠ୍ୟ ଉପକରଣ ପ୍ରସ୍ତୁତି ପ୍ରକ୍ରିୟା ଶିଖାଇ ଥିଲେ। ସେହିପରି କୈଳାଶ ଚନ୍ଦ୍ର ମହାରଣା, ଶରତ ଚନ୍ଦ୍ର ମହାରଣା, ସନ୍ତୋଷ କୁମାର ମୁଦୁଲି ପ୍ରମୁଖ ଯୋଗ ଦେଇ ପିଲାମାନଙ୍କୁ ଫୋମ ତୁଳାରେ ବିଭିନ୍ନ ପ୍ରକାର ଟେଡି, ନଡ଼ିଆ କତାରେ ବଗ, ଚଢେଇ ବସା, କଇଁଛ ଏବଂ ମାଟିରେ ହାତୀ, କଇଁଛ, ଗଣେଷ, ଘୋଡା, ଫୁଲ ଦାନୀ ଭଳି ବିଭିନ୍ନ ପ୍ରକାର ଜିନିଷ ପ୍ରସ୍ତୁତି ପ୍ରକ୍ରିୟାର କୌଶଳ ପିଲାମାନଙ୍କୁ ଶିଖାଇ ଥିଲେ। ପିଲାମାନେ ମଧ୍ୟ କାଗଜରେ ଟୋପି, ଫୋମ ତୁଳାରେ କଣ୍ଢେଇ, ନଡ଼ିଆ କତାରେ ଚଢେଇ, ମାଟିରେ କଇଁଛ ତିଆରି କରିଥିଲେ।

ମୁଖ୍ୟ ଅତିଥି ଶ୍ରୀ ମିଶ୍ର, ମୁଖ୍ୟ ବକ୍ତା ଶ୍ରୀ ସାହୁ ଓ ଅନ୍ୟାନ୍ୟ ଅତିଥିମାନେ ଏହି କାର୍ଯ୍ୟକ୍ରମ ଦ୍ୱାରା ପିଲାମାନେ ଆତ୍ମ ନିର୍ଭରଶୀଳ ହେବା ସହିତ ନିଜେ ନିଜେ ବିଭିନ୍ନ ପାଠ୍ୟ ସହାୟକ ଉପକରଣ ପ୍ରସ୍ତୁତ କରି ପାରିବେ ବୋଲି ମତ ରଖିଥିଲେ। କାର୍ଯ୍ୟକ୍ରମ ଶେଷରେ ପ୍ରଶିକ୍ଷକ ନୃସିଂହ ଚରଣ ଚୌଧୁରୀ, କୈଳାଶ ଚନ୍ଦ୍ର ମହାରଣା, ଶରତ ଚନ୍ଦ୍ର ମହାରଣା, ସନ୍ତୋଷ କୁମାର ମୁଦୁଲି, ଶିକ୍ଷାବିତ ଲକ୍ଷ୍ମୀଧର ସାହୁ, ସାଧନ କେନ୍ଦ୍ର କର୍ମୀଙ୍କୁ ଉପଢୌକନ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରଣାଙ୍କ ନେତୃତ୍ୱରେ ଶିକ୍ଷୟତ୍ରୀ ପଦ୍ମାବତୀ ବେହେରା, ଅଙ୍ଗନବାଡି କର୍ମୀ ପୁଷ୍ପମଞ୍ଜରୀ ଦେଇ, କନନବାଳା ସାହୁ ଏହି କର୍ମଶାଳାରେ ସହଯୋଗ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ସଦସ୍ୟା ଓ ଗ୍ରାମବାସୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ପୂର୍ଣ୍ଣ ସମର୍ଥନ କରିଥିଲେ।