ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାତ୍ୟା ସମୀକ୍ଷା କରି ଯିବା ପରେ ସହାୟତା ରାଶି ଘୋଷଣା କରିଛନ୍ତି। ତିନୋଟି ରାଜ୍ୟ ଓଡିଶା, ପଶ୍ଚିମବଂଗ ଏବଂ ଝାଡଖଣ୍ଡ ପାଇଁ 1000 କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ଏଥିରେ ଏକାକୀ ଓଡିଶା ପାଇଁ 500 କୋଟି ରହିଛି। ସେହିପରି ଉଭୟ ପଶ୍ଚିମବଂଗ ଏବଂ ଝାଡଖଣ୍ଡ ପାଇଁ ରହିଛି 500 କୋଟି।
ଏହି ଟଙ୍କା ତୁରନ୍ତ ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ବାତ୍ୟାରେ ମୃତ୍ୟୁବରଣ କରିଥିବା ପରିବାରଙ୍କୁ 2 ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରାଯାଇଛି। ସେହିପରି ଆହତ ବ୍ୟକ୍ତିଙ୍କୁ 50 ହଜାର ଟଙ୍କା ପ୍ରଦାନ ପାଇଁ ନିଷ୍ପତି ହୋଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡିଶା ଆସି ଭୁବନେଶ୍ବରର ବିମାନ ବନ୍ଦରରେ ବାତ୍ୟା ୟଶ କ୍ଷୟକ୍ଷତି ଉପରେ ସମୀକ୍ଷା କରିଥିଲେ। ଏହି ସମୀକ୍ଷା ବୈଠକରେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଉପସ୍ଥିତ ଥିଲେ।
ଏଥିସହିତ ମୁଖ୍ୟଶାସନ ସଚିବ, ପୋଲିସ ଡିଜି ଏବଂ ଏସଆରସିଙ୍କ ସହିତ ବହୁ ଉଚ୍ଚ ପଦସ୍ଥ ଅଧିକାରୀ ଏହି ବୈଠକରେ ସାମିଲ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ସକାଳେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଞ୍ଚିବା ପରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବ ସ୍ବାଗତ କରିଥିଲେ। ଏହାପରେ ସମୀକ୍ଷା ବୈଠକ ବିମାନ ବନ୍ଦର ଭିତରେ କରାଯାଇଥିଲା।
ଏହି ବୈଠକ ପରେ ମୋଦି ଆକାଶ ମାର୍ଗରୁ ବାତ୍ୟା ପରିସ୍ଥିତି ଦେଖି ପଶ୍ଚିମବଂଗ ଯାଇଥିଲେ। ସେଠାରେ ଆକାଶମାର୍ଗରୁ ସ୍ଥିତି ଦେଖିବା ସହ ସମୀକ୍ଷା ବୈଠକ କରିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ଫେରିବା ପରେ ଏହି ସହାୟତା ରାଶି ଘୋଷଣା କରିଛନ୍ତି।