Categories
ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର ସିନେମା

ରବିବାର ଦିନ ବାରବାଟୀରେ ସେଲିବ୍ରିଟି କ୍ରିକେଟ୍ ଲିଗ୍: ଆଗାମୀ ସଂସ୍କରଣରେ ଭାଗ ନେବ ଓଡ଼ିଶା ଦଳ!

ଭୁବନେଶ୍ଵର: ଭାରତ-ଇଂଲଣ୍ଡ ଏକଦିବସୀୟରେ ଏବେ କଟକ ବାରବାଟୀରେ ସେଲିବ୍ରିଟି କ୍ରିକେଟ୍ ଲିଗ୍ (ସିସିଏଲ୍) ଖେଳାଯିବ। ସେଥିପାଇଁ ଓଡିଶା କ୍ରିକେଟପ୍ରେମୀମାନେ ବହୁତ ଉତ୍ସାହିତ ଅଛନ୍ତି। ଆସନ୍ତା ରବିବାର ଦିନ ବାରବାଟୀରେ ସିସିଏଲର ୨ଟି ମ୍ୟାଚ ଅନୁଷ୍ଠିତ ହେବ। ରବିବାର ଦିନ ଅପରାହ୍ଣ ୨ ଟାରେ ପ୍ରଥମ ମ୍ୟାଚ ଖେଳାଯିବ। ଏହି ମ୍ୟାଚରେ ‘ପଞ୍ଜାବ ଦେ ଶେର’ ଓ ‘ଭୋଜପୁରୀ ଦବଙ୍ଗ’ ଦଳ ମୁହାଁମୁହିଁ ହେବେ। ଏହାପରେ ସନ୍ଧ୍ୟା ୬ଟା ୩୦ ରେ ଦ୍ଵିତୀୟ ମୁକାବିଲା ମୁମ୍ବାଇ ହିରୋସ୍ ଓ ବେଙ୍ଗଲ ଟାଇଗର୍ସ ମଧ୍ୟରେ ଖେଳାଯିବ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ଵାରା ବାରବାଟୀର ଏହି ସିସିଏଲ୍ ମ୍ୟାଚର ଉଦଘାଟନ ହେବ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡା ଏବଂ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ତେବେ ଚଳିତ ସଂସ୍କରଣରେ ୭ ଟି ଟିମ ଅଂଶଗ୍ରହଣ କରିଥିବା ବେଳେ ଆଗାମୀ ସଂସ୍କରଣରେ ଓଡ଼ିଶାର ସିନେ ତାରକାଙ୍କ ଏକ ଦଳ ସାମିଲ କରାଯିବା ନେଇ ଏବେ ଯୋଜନା କରାଯାଉଛି। ଏଥିପାଇଁ ଫେବ୍ରୁଆରି ୧୬ ତାରିଖ ସକାଳେ ଏକ ପ୍ରଦର୍ଶନୀ ମ୍ୟାଚରେ ଓଡ଼ିଆ ସେଲିବ୍ରିଟି ଦଳ ଭାଗ ନେବେ। ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏବଂ ଅନୁଭବ ମହାନ୍ତିଙ୍କ ନେତୃତ୍ଵରେ ଗଠନ କରାଯାଇଛି। ଓଡ଼ିଶାର ପୂର୍ବତନ ରଣଜୀ କ୍ରିକେଟର ଜିତୁ ଶତପଥୀ ଏବଂ ପବନ ଅଗ୍ରୱାଲ ମଧ୍ୟ ଏଥିରେ ଅଂଶ ଗ୍ରହଣ କରିବେ।

ଏହି ଟିମ୍ ସିସିଏଲ୍ ଓଡ଼ିଶା କୋର୍ କମିଟିର ସହ ଭାଗିଦାରୀରେ ରହିଛି। ଅଜୟ ଅଗ୍ରୱାଲ ଏହାର ମୁଖ୍ୟ ସଂଯୋଜକ ରହିଛନ୍ତି। ଡକ୍ଟର ସତ୍ୟବ୍ରତ ମିନକେତନ କମିଟିର ମୁଖ୍ୟ ଆବାହକ, ଗୋଲକ ମହାପାତ୍ର ପରାମର୍ଶଦାତା ଓ ବାସୁଦେବ ଭଟ୍ଟ ଆବାହକ ରହିଛନ୍ତି।

ସିସିଏଲ୍ ୨୦୨୫ର ଟିକେଟ୍‌ ଅନଲାଇନ୍ ଉପଲବ୍ଧ କରାଯାଉଛି। www.ticketginie.com ରେ ଲୋକେ ବାରବାଟୀ ମ୍ୟାଚର ଟିକେଟ ହାସଲ କରିପାରିବେ। ଏହାସହ ଫେବ୍ରୁଆରି ୧୧ରୁ ବାରବାଟି ଷ୍ଟାଡିୟମରେ ଅଫଲାଇନ ଟିକେଟ କାଉଣ୍ଟର ଖୋଲା ରହିଛି। ଏହାଛଡ଼ା ବିମାନବନ୍ଦର, ରେଳଷ୍ଟେସନ, ବସ୍  ଷ୍ଟାଣ୍ଡ ଏବଂ ପ୍ରମୁଖ ହୋଟେଲରେ ଅତିରିକ୍ତ ଟିକେଟ୍ ଆଉଟଲେଟ୍ ମଧ୍ୟ ଖୋଲା ହେବ।

Categories
ଜାତୀୟ ଖବର ରାଜ୍ୟ ଖବର

ଖେଳ ପରିଚାଳନାରେ ବିଭ୍ରାଟ ପାଇଁ କ୍ରୀଡା ମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲା ଆମ ଆଦମୀ ପାର୍ଟି

ଭୁବନେଶ୍ବର: ଗତକାଲି ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା କ୍ରିକେଟ୍ ମ୍ୟାଚ ଅବସରରେ ଫ୍ଲଡ୍ ଲାଇଟ୍ ଅଚଳ ଯୋଗୁଁ ଦୀର୍ଘ ୨୬ମିନିଟ୍ ଧରି ଖେଳ ବନ୍ଦ ରହିବା ଘଟଣା ଓଡ଼ିଶାର ଅଗଣିତ ଖେଳପ୍ରେମୀଙ୍କୁ ନିରାଶ କରିନି ବରଂ ଓଡ଼ିଶାର ସ୍ୱାଭିମାନକୁ ବିଶ୍ଵ ଦରବାରରେ ନିନ୍ଦିତ ଓ ଅପମାନିତ କରିଛି।

୫ ବର୍ଷର ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇ ଓଡ଼ିଶାବାସୀଙ୍କ ଭାଗ୍ୟରେ ଗୋଟିଏ କ୍ରିକେଟ୍ ମ୍ୟାଚର ଆୟୋଜନ ଖବରଟି ଓଡ଼ିଶାବାସୀଙ୍କୁ ଯେତିକି ଆହ୍ଲାଦିତ କରିଥିଲା ଗତକାଲିର ନିନ୍ଦିତ ଘଟଣାଟି ସେମାନଙ୍କ ମନ ଓ ପ୍ରାଣକୁ ଅଶେଷ ଆଘାତ ପ୍ରଦାନ କରିଛି। ଆପଣମାନେ ଜାଣିଥିବେ ଭାରତୀୟ ଇନିଂସର ସପ୍ତମ ଓଭରରେ ଓସିଏ ପୁରୁଣା ପ୍ୟାଭିଲିୟନ ନିକଟରେ ଥିବା ଫ୍ଲଡ୍ ଲାଇଟ୍ ଅଚଳ ହୋଇଯିବାରୁ ଓ ପୁନଶ୍ଚ ଲାଇଟ୍ ଜଳିବାରୁ ଗୋଟିଏ ବଲ୍ ପଡ଼ିବାପରେ ପୁନର୍ବାର ଲାଇଟ୍ ଲିଭିଯାଇଥିଲା।

ଉକ୍ତ ସମୟରେ ଭାରତର ସ୍କୋର ବିନା ୱିକେଟରେ ୪୮ରନ୍ ରହିଥିଲା ଓ ଦୁଇ ଭାରତୀୟ ବ୍ୟାଟ୍ସମ୍ୟାନ୍ ପିଚରେ ରହିଥିଲେ।ଏତେ ବଡ଼ ମ୍ୟାଚରେ ସନ୍ଧ୍ୟା ୬ ଘଟିକା ୧୭ମିନିଟରୁ ୬ଘଟିକା ୪୩ ମିନିଟ୍ ପର୍ଯ୍ୟନ୍ତ ପ୍ରାୟ ୨୬ମିନିଟ୍ ଫ୍ଲଡ୍ ଲାଇଟ୍ ନ ଜଳି ପାରିବାରୁ ଭାରତୀୟ ଖେଳାଳୀଙ୍କୁ ଉତ୍ସାହ ଓ ତୀବ୍ରତାରେ ବ୍ୟାଘାତ ସୃଷ୍ଟି ହେବାରୁ ବିରକ୍ତି ପ୍ରକାଶ କରି ଉଭୟ ବ୍ୟାଟ୍ସମ୍ୟାନ୍ ପ୍ୟାଭିଲିୟନକୁ ଫେରିଯାଇଥିଲେ। କେବଳ ଖେଳାଳି ନୁହନ୍ତି ଦର୍ଶକଙ୍କ ମଧ୍ୟରେ ଘୋର ନୈରାଶ୍ୟର ବାତାବରଣ ଖେଳିଯାଇଥିଲା।

ଏଭଳି ଗୁରୁତର ତ୍ରୁଟିର ଫଳସ୍ୱରୁପ ପରାଜୟର ଆଶଙ୍କାକୁ ହୁଏ ତ ଏଡାଇ ଯାଇ ହୋଇନଥାନ୍ତା ! ସର୍ବଦା ଓଡ଼ିଆ ଅସ୍ମିତାକୁ ଆଳ କରୁଥିବା ଭାଜପା ସରକାର ଆନ୍ତର୍ଜାତୀୟ ସ୍ତରରେ ସେହି ଅସ୍ମିତା ଓ ସ୍ବାଭିମାନକୁ ଅନ୍ଧକାରାଛନ୍ନ କରିନି ବରଂ କ୍ରୀଡା ବିଭାଗ ଏବଂ ଓସିଏ ଯେଉଁଭଳି ଭାବରେ ମ୍ୟାଚ୍ ପ୍ରସ୍ତୁତିକୁ ବେଖାତିର କରି ବଡ଼ବଡ଼ିଆ ଓ ନିଜ ଲୋକଙ୍କୁ ପାଶ୍ ବାଣ୍ଟିବାରେ ବ୍ୟସ୍ତ ରହିଲେ ତାହାର ଫଳସ୍ୱରୁପ ଏଭଳି ଏକ ଦୁଃଖଦ ପରିସ୍ଥିତିରେ ଓଡ଼ିଶାର ସ୍ଵଭିମାନ ପ୍ରତି ଆନ୍ତର୍ଜାତୀୟ ସ୍ତରରେ କୁଠାରାଘାତ ହୋଇଛି।

ଏଭଳି ଏକ ସଙ୍ଗୀନ ଘଟଣାକ୍ରମରୁ ନିଜ ଦୋଷ ଲୁଚାଇବାକୁ ଯାଇ କ୍ରୀଡାମନ୍ତ୍ରୀଙ୍କର ଇଙ୍ଗିତରେ ଓସିଏ ସମ୍ପାଦକ ବ୍ୟାକଅପ୍ ଜେନେରେଟର ଗାଡ଼ି ସାମନାରେ ଖେଳାଳିଙ୍କ ବସ୍ ରହିଥିବାର ସଫେଇ ଆଦୌ ବିଶ୍ୱାସଯୋଗ୍ୟ ଓ ଗ୍ରହଣୀୟ ନୁହେଁ ବୋଲି ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଏଠି ସ୍ଵତଃସ୍ପୂର୍ତ୍ତ ଭାବେ ପ୍ରଶ୍ନ ଉଠୁଛି ଯେ ଫ୍ଲଡ୍ ଲାଇଟ୍ ନିକଟରେ ସାଧାରଣତଃ ବ୍ୟାକଅପ୍ ଜେନେରେଟର ରହିବାର ଆବଶ୍ୟକତା ଥିବାରୁ କେଉଁ କାରଣରୁ ଫ୍ଲଡ୍ ଲାଇଟ୍ ପୋଷ୍ଟ ଠାରୁ ବହୁ ଦୂରରେ ବ୍ୟାକଅପ୍ ଜେନେରେଟର ରହିଥିଲା ? ଯଦି ଏବେକାର ଭାଜପା ସରକାର ଅମଳରେ ଖୋଦ୍ କ୍ରୀଡ଼ାମନ୍ତ୍ରୀ ତାଙ୍କର ଗାଡ଼ିକୁ କଳିଙ୍ଗ ଷ୍ଟାଡିୟମରେ ଥିବା ଖେଳାଳୀଙ୍କ ଟ୍ରାକ ଉପରେ ଚଲେଇ ଆଣିବାର ବ୍ୟବସ୍ଥାକୁ ବୈଧ ବୋଲି ସ୍ବୀକୃତି ଦେଉଛନ୍ତି ତେବେ ଏତେ ବଡ ଆନ୍ତର୍ଜାତୀୟ ମ୍ୟାଚରେ କାହା ଇସାରାରେ ବ୍ୟାକଅପ୍ ଜେନେରେଟର ଗାଡ଼ିକୁ ଫ୍ଲଡ୍ ଲାଇଟ୍ ପୋଷ୍ଟ ନିକଟରେ ରଖିବାର ଅନୁମତି ଦିଆଗଲା ନାହିଁ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବାରବାଟୀ ଷ୍ଟାଡିୟମ ଫ୍ଲଡ ଲାଇଟ ଲିଭିବା ଘଟଣା, କ୍ରୀଡାମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲା ବିଜେଡି

ଭୁବନେଶ୍ବର: ଗତକାଲି ଭାରତ ଇଂଲଣ୍ଡ ମ୍ୟାଚ ଚାଲିଥିବା ବେଳେ ବାରବାଟୀ ଷ୍ଟାଡିୟମର ଫ୍ଲଡ ଲାଇଟ ବନ୍ଦ ଘଟଣା ନେଇ ରାଜନୈତିକ ବୟାନ ବାଜି ଆରମ୍ଭ ହୋଇଯାଇଛି। ଏପରି ଅବହେଳା ପାଇଁ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଟାର୍ଗେଟ କରିଛି ଦଳ। ଏପରି ଅବହେଳା ପାଇଁ କ୍ରୀଡାମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଦଳ ଦାବୀ କରିଛି।

ବିଜେଡି ନେତା ଲେନିନ ମହାନ୍ତି କହିଛନ୍ତି ଯେ, ମ୍ୟାଚ ପୂର୍ବରୁ ମନ୍ତ୍ରୀ ଚାରିଥର ଷ୍ଟାଡିୟମ ଯାଇ ପ୍ରସ୍ତୁତି ତଦାରଖ କରିଥିଲେ। ହେଲେ ଠିକ ମ୍ୟାଚ ବେଳେ କିପରି ଲାଇଟ ପଳାଇଲା ତାହା ବଡ ନିନ୍ଦନୀୟ ଘଟଣା। ମନ୍ତ୍ରୀ କିପରି ପ୍ରସ୍ତୁତି ନିରୀକ୍ଷଣ କରୁଥିଲେ ବୋଲି ବିଜେଡି ପ୍ରଶ୍ନ କରିଛି। ଆନ୍ତର୍ଜାତୀୟ ସ୍ତରରେ ଓଡିଶାକୁ ନିନ୍ଦିତ କରାଯାଇଥିବାରୁ ତୁରନ୍ତ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ବିଜେଡି ଦାବୀ କରିଛି।

Categories
ଅନ୍ତରାଷ୍ଟ୍ରୀୟ ଖେଳ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବଦନାମ ହେଲା ବାରବାଟୀ ଷ୍ଟାଡିୟମ, ଫ୍ଲଡ ଲାଇଟ ଖରାପ ପାଇଁ ଭାରତ ଇଂଲଣ୍ଡ ମ୍ୟାଚ ବାଧାପ୍ରାପ୍ତ

କଟକ: ପୁଣି ଥରେ ବାରବାଟୀ ବଦନାମ ହୋଇପଡିଛି। ଆଜି ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଭାରତ ଇଂଲଣ୍ଡ ମ୍ୟାଚ ବାଧାପ୍ରାପ୍ତ ହୋଇଛି। ଫଳରେ ଖେଳାଳୀମାନେ ଖେଳି ନ ପାରି ସେମାନେ ପାଭେଲିୟନକୁ ଫେରିଯାଇଛନ୍ତି। ଅନ୍ୟପକ୍ଷରେ ସେଠାରେ ଖେଳ ଦେଖିବାକୁ ଯାଇଥିବା ହଜାରହଜାର ଦର୍ଶକ ନିରାଶ ହୋଇପଡିଛନ୍ତି। ସେମାନଙ୍କୁ ବାରବାଟୀ ଆଜି ନିରାଶ କରିଛି।

ସୂଚନା ଅନୁସାରେ ଷ୍ଟାଡିୟମରେ ଥିବା ଫ୍ଲଡ ଲାଇଟ ଲିଭିଯିବା ପରେ ବ୍ୟାଟରଙ୍କୁ ବ୍ୟାଟିଂ କରିବା ପାଇଁ ଅସୁବିଧା ସୃଷ୍ଟି ହୋଇଥିଲା। ଫଳରେ ସେମାନେ ଅମ୍ପାୟରଙ୍କୁ ଏହି ଅଭିଯୋଗ କରିଥିଲେ। ସେମାନେ ଏପରି ଲାଇଟିରେ ଖେଳିପାରିବେ ନାହିଁ ବୋଲି ଜଣାଇଦେଇଥିଲେ। ଫଳରେ ଅମ୍ପାୟର ଖେଳକୁ ସ୍ଥଗିତ ରଖିଥିଲେ। ସମସ୍ତ ଖେଳାଳୀ ପଡିଆ ଛାଡି ପ୍ୟାଭିଲିୟନକୁ ଫେରିଯାଇଥିଲେ।

ଆଜି ପ୍ରଥମେ ଇଂଲଣ୍ଡ ଟସ ଜିତି ବ୍ୟାଟିଂ କରି ୩୦୪ ରନ ହାସଲ କରିଛି। ଏହାପରେ  ଭାରତର ଓପନର ଭାବେ ରୋହିତ ଶର୍ମା ଏବଂ ଶୁବମନ ଗିଲ୍ଲ ଓପନିଂ କରିଥିଲେ। ରୋହିତ ଶର୍ମା ଧୂଆଁଧାର ପାଳି ଖେଳି ମାତ୍ର ୩୦ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ ବହୁତ ଭଲ ଖେଳି ୬ ଓଭରରେ ଭାରତ ୪୮ ରନ କରିଛି। ହେଲେ ଖରାପ ଲାଇଟ ପାଇଁ ରୋହିତ ଶର୍ମା ଅଭିଯୋଗ କରିଥିଲେ। ଯାହାଫଳରେ ଖେଳକୁ ବର୍ତ୍ତମାନ ସ୍ଥଗିତ ରଖାଯାଇଛି। କିଛି ସମୟ ପାଇଁ ଖେଳ ସ୍ଥଗିତ ରହିବା ପରେ ବର୍ତ୍ତମାନ ତାହା ଆରମ୍ଭ କରାଯାଇଛି।

ପାଞ୍ଚ ବର୍ଷ ପରେ ବାରବାଟୀକୁ ଏକ ଆନ୍ତର୍ଜାତୀୟ ମ୍ୟାଚ ଆସିଥିଲା। ହେଲେ ଓସିଏର ଖରାପ ପ୍ରସ୍ତୁତି ପାଇଁ ଆଜି ବାରବାଟୀ ଷ୍ଟାଡିୟମ ଆନ୍ତର୍ଜାତୀୟ ସ୍ତରରେ ବଦନାମ ହୋଇଛି।

Categories
Hockey Worldcup23 ଆଜିର ଖବର ରାଜ୍ୟ ଖବର

ହକି ବିଶ୍ଵକପ୍ ପାଇଁ ଆସନ୍ତାକାଲି ଅପରାହ୍ନ ୧ ଟା ରୁ ବନ୍ଦ ରହିବ ସମସ୍ତ ବିଦ୍ୟାଳୟ

ଭୁବନେଶ୍ବର: ଆସନ୍ତାକାଲି ହକି ବିଶ୍ଵ କପ୍ ର ଉଦଘାଟନୀ ଉତ୍ସବ। ଆସନ୍ତାକାଲି କଟକର ବାରବାଟୀ ଷ୍ଟାଡିୟମ ଠାରେ ହକି ବିଶ୍ଵକପ୍ ର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ। ଏହି ଉତ୍ସବରେ ରାଜ୍ୟର କଳା, ସଂସ୍କୃତି, ଐତିହ୍ୟ ତଥା ପରମ୍ପରା ଉପରେ ଆକର୍ଷଣୀୟ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯିବ।  ଏହି ପ୍ରରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନେ ଉକ୍ତ କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖିପାରିବେ। ଏଣୁ ରାଜ୍ୟ ସରକାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ତଥା ବେସରକାରୀ ବିଦ୍ୟାଳୟଗୁଡିକୁ ଅପରାହ୍ନ ୧ ଟାରେ ଛୁଟି ଘୋଷଣା କରିଛନ୍ତି।

ସମସ୍ତ ବେସରକାରୀ ବିଦ୍ୟାଳୟଗୁଡିକରେ ମଧ୍ୟ ଏହି ନିର୍ଦ୍ଦେଶନାମା ଲାଗୁ ହେବ।

Categories
ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ଭାରତ- ଦକ୍ଷିଣ ଆଫ୍ରିକା ଦ୍ଵିତୀୟ ଟି-ଟ୍ୱେଣ୍ଟି: ଏଭଳି ରହିବ ଖେଳାଳି ଏକାଦଶ!, କ’ଣ ରହିଛି ରେକର୍ଡ

କଟକ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ଦଳ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜର ଦ୍ୱିତୀୟ ମ୍ୟାଚ୍ ପାଇଁ ପ୍ରସ୍ତୁତ। ଏହି ମ୍ୟାଚ୍ ଆଜି ସନ୍ଧ୍ୟା ୭ ଟାରୁ କଟକସ୍ଥିତ ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହେବ। ଏପର୍ଯ୍ୟନ୍ତ ଏହି ଷ୍ଟାଡିୟମରେ ଦୁଇଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି ଯେଉଁଥିରେ ବୋଲରମାନଙ୍କୁ ସାହାଯ୍ୟ ମିଳିଥିବାର ଦେଖାଯାଇଛି। ଟିମ୍ ଇଣ୍ଡିଆ ଏହାର ଦୁଇଟି ମ୍ୟାଚ୍ ମଧ୍ୟରୁ ଗୋଟିଏରେ ଜିତି ଗୋଟିଏ ମ୍ୟାଚରେ ହାରିଛି।

ପିଚ୍ ରିପୋର୍ଟ: ବୋଲରମାନେ ଏହି ପିଚ୍ ରେ ସାହାଯ୍ୟ ପାଇପାରିବେ। ଦ୍ରୁତ ବୋଲରମାନେ ଏଠାରେ ବାଉନ୍ସ ପାଇବେ, ସ୍ପିନରମାନେ ମଧ୍ୟ ଏଠାରେ ସାହାଯ୍ୟ ପାଇବେ। ଏଠାରେ ଭାରତର ଶେଷ ଟି-ଟ୍ୱେଣ୍ଟି ମ୍ୟାଚରେ ୟୁଜଭେନ୍ଦ୍ର ଚହଲ ୪ ଟି ୱିକେଟ୍ ନେଇଥିଲେ। ମୋଟ ଉପରେ, ବ୍ୟାଟ୍ସମ୍ୟାନମାନଙ୍କ ପାଇଁ ପରୀକ୍ଷା ଦେବାକୁ ପଡିବ।

ଟସ୍‌ର ଭୂମିକା: ଏପର୍ଯ୍ୟନ୍ତ କେବଳ ଦୁଇଟି ଟି-ଟ୍ୱେଣ୍ଟି ଖେଳାଯାଇଛି, ଥରେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ଜିତିଥିବା ବେଳେ ଦ୍ଵିତୀୟ ମ୍ୟାଚରେ ପଛରେ ବ୍ୟାଟିଂ କରିଥିବା ଦଳ ଜିଟିଛି। ଏଭଳି ପରିସ୍ଥିତିରେ ଟସ୍ ର ଭୂମିକା ବର୍ତ୍ତମାନ ସମୟରେ ଗୁରୁତ୍ବପୂର୍ଣ୍ଣା ଦେଖାଯାଉ ନାହିଁ।

ବାରବାଟିରେ ଟି-ଟ୍ୱେଣ୍ଟି ଆନ୍ତର୍ଜାତୀୟ ମ୍ୟାଚ୍ ର ରେକର୍ଡ:

ସର୍ବାଧିକ ସ୍କୋର: ଭାରତ (୧୮୦/୩)
ସର୍ବନିମ୍ନ ସ୍କୋର: ଶ୍ରୀଲଙ୍କା (୮୭/୧୦)
ସର୍ବାଧିକ ରନ୍: କେ.ଏଲ୍ ରାହୁଲ (୬୧)
ସର୍ବାଧିକ ୱିକେଟ୍: ୟୁଜଭେନ୍ଦ୍ର ଚହଲ (୪)
ସର୍ବାଧିକ ଷ୍ଟ୍ରାଇକ୍ ରେଟ: ମନୀଷ ପାଣ୍ଡେ (୧୭୭)
ଶ୍ରେଷ୍ଠ ବୋଲିଂ ହାରାହାରି: ଏଲବି ମର୍କେଲ (୪)
ସର୍ବୋତ୍ତମ ଏକୋନୋମି: ଏଲବି ମର୍କେଲ (୩)

ଉଭୟ ଦଳର ସମ୍ଭାବ୍ୟ ଖେଳିବା ଏକାଦଶ: ଉଭୟ ଦଳର ଖେଳୁଥିବା ଏକାଦଶରେ ପରିବର୍ତ୍ତନ ହେବାର କମ୍ ସମ୍ଭାବନା ଅଛି। ଏଭଳି ପରିସ୍ଥିତିରେ, ଉଭୟ ଦଳ ସେମାନଙ୍କର ଶେଷ ମ୍ୟାଚର ଖେଳିଥିବା ଖେଳାଳି ସହିତ ପଡ଼ିଆରେ ପ୍ରବେଶ କରିପାରନ୍ତି।

ଟିମ୍ ଇଣ୍ଡିଆ: ଋଷଭ ପନ୍ତ (କ୍ୟାପଟେନ), ଋତୁରାଜ ଗାଏକ୍ଵାଡ, ଇଶାନ କିଶନ, ଶ୍ରେୟାସ ଆୟର, ଦୀନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ, ଅକ୍ସାର ପଟେଲ, ଭୂବନେଶ୍ୱର କୁମାର, ହର୍ଷଲ ପଟେଲ, ଆଭେଶ ଖାନ।

ଦକ୍ଷିଣ ଆଫ୍ରିକା: ଡେଭିଡ ମିଲର, ରାସି ଭାନ ଡେର୍ ଡୁସେନ୍, ଟେମ୍ବା ବାଭୁମା (କ୍ୟାପଟେନ), ଟ୍ରାଇଷ୍ଟାନ୍ ଷ୍ଟବ୍ସ୍, ଡୱେନ ପ୍ରିଟୋରିୟସ୍, କ୍ୱିଣ୍ଟନ୍ ଡି କକ୍, ଏନ୍ରିକ୍ ନର୍ସିଆ, କାଗିସୋ ରାବାଡା, କେଶଭ ମହାରାଜ, ତାବାରିଜ ଶାମସି, ୱେନ ପାର୍ନେଲ