Categories
ଆଜିର ଖବର ରାଜ୍ୟ ଖବର

ବାରିପଦା ଠାରେ ରାଜ୍ୟସ୍ତରୀୟ ଆଦିବାସୀ ଶକ୍ତି ସମାବେଶ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ବାରିପଦାର ଛଉ ପଡ଼ିଆ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ଆଦିବାସୀ ଶକ୍ତି ସମାବେଶକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତିଯେ, ଓଡ଼ିଶା ସାଂସ୍କୃତିକ ବୈଭବ ଚିତ୍ରପଟରେ ଜନଜାତି ସଂସ୍କୃତି ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଛି ତେଣୁ ଏହି ସଂସ୍କୃତିର ବିକାଶ ପାଇଁ ଆଗାମୀ ୨୦୩୬ ସୁଦ୍ଧା ଓଡିଶାକୁ ସମୃଦ୍ଧ ଓଡିଶାରେ ପରିଣତ କରିବାକୁ ହେବ। ଆଗାମୀ ୧୧ ବର୍ଷ ଭିତରେ ଏହି ଲକ୍ଷ୍ୟକୁ ସାକାର କରିବାକୁ ହେଲେ ରାଜ୍ୟର ୪୦ ପ୍ରତିଶତ ଜନସଂଖ୍ୟା ବିଶିଷ୍ଟ ଜନଜାତି ଏବଂ ଅନୁସୂଚିତ ଜାତିଙ୍କ ବିକାଶ କରିବାକୁ ହେବ।

ଆଜି ଏହି “ଆଦିବାସୀ ଶକ୍ତି ସମାବେଶ” ରେ ସଂସ୍କୃତି ଓ ପରମ୍ପରାର ଏକ ଅପୂର୍ବ ମିଳନ ହେଉଛି। ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ମେଳା ରାଜ୍ୟର ସମସ୍ତ ଆଦିବାସୀ ସମ୍ପ୍ରଦାୟଙ୍କୁ ଏକାଠି କରିବାର ଓ ସେମାନଙ୍କୁ ପରସ୍ପରର ସଂସ୍କୃତି ସହ ପରିଚିତ କରାଇବାର ଏକ ସୁଯୋଗ ସୃଷ୍ଟି କରି ଆସୁଛି। ଏହି ସମାବେଶର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆଦିବାସୀ ସମ୍ପ୍ରଦାୟର ସମସ୍ତ ସମସ୍ୟା ଓ ଆବଶ୍ୟକତାକୁ ସୁନିଶ୍ଚିତ କରିବା। ଆମେ ତାଙ୍କର ଶିକ୍ଷା, ସ୍ୱାସ୍ଥ୍ୟ, ଓ ସାମାଜିକ ସୁରକ୍ଷାରେ ଉନ୍ନତି କରିବା ପାଇଁ ପ୍ରତିବଦ୍ଧ ବୋଲି ସେ କହିଥିଲେ।

ଓଡିଶାର ପ୍ରାଣ ହେଉଛନ୍ତି ଏହାର ଜନଜାତି। ରାଜ୍ୟର ପ୍ରାୟ ଏକ ଚତୁର୍ଥାଂଶ ହେଉଛନ୍ତି ଆଦିବାସୀ ସଂପ୍ରଦାୟ ।ଆଦିବାସୀ ଜନଜାତି ଆଜି ଭାରତର ଶ୍ରେଷ୍ଠ ସ୍ଥାନ ଗ୍ରହଣ କରିଛନ୍ତି ଏବଂ ମୟୂରଭଞ୍ଜରୁ ୭ ଜଣ ଆଦିବାସୀ ସମ୍ପ୍ରଦାୟ ର ବିଧାୟକ ମାନେ ଆଜି ଏହି ଜିଲ୍ଲାର ପ୍ରତିନିଧିତ୍ବ କରୁଛନ୍ତି, ଏହା ଆମ ପାଇଁ ଗୌରବର ବିଷୟ। ଯେତେବେଳେ ସମ୍ମାନର କଥା ଆସେ ଏଇ ମୟୂରଭଞ୍ଜ ମାଟିର ଜଣେ ସାଧାରଣ ପରିବାରର ଝିଅ ବହୁ ବାଧାବିଘ୍ନ ସତ୍ତ୍ୱେ ଆଜି ଦେଶରା ପ୍ରଥମ ନାଗରିକ, ମହାମହିମ ରାଷ୍ଟ୍ରପତି ପଦରେ ଦେଶକୁ ଗୌରବାନ୍ଵିତ କରୁଛନ୍ତି। କେବଳ ମୟୂରଭଞ୍ଜ ନୁହେଁ ସାରା ଦେଶର ଜନଜାତି ଝିଅ, ପ୍ରତ୍ଯେକ ମହିଳାଙ୍କ ପାଇଁ ପ୍ରାରଣାର ଉତ୍ସ। ଭାରତୀୟ ସଂସ୍କୃତି ଓ ପରମ୍ପରା ଜନଜାତିଙ୍କ ବିନା କଳ୍ପନା କରିବା ଅସମ୍ଭବ ବୋଲି ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି।

ସେ କହିଛନ୍ତିଯେ, କେନ୍ଦ୍ର ସରକାରଙ୍କ ସହିତ ଓଡିଶା ରାଜ୍ୟ ସରକାର ଜନଜାତି କଲ୍ୟାଣ ପାଇଁ ପ୍ରତିବଦ୍ଧ। ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଅଧିନରେ ରାଜ୍ୟର ଜନଜାତି ସମୁଦାୟର ଜୀବିକା ବିକାଶକୁ ପ୍ରୋତ୍ସାହନ କରାଯାଉଛି। କୃଷି, ଜଳସେଚନ ଓ ପଶୁପାଳନ ମାଧ୍ୟମରେ ୧.୪୫ ଲକ୍ଷ ଜନଜାତି ପରିବାରର ଜୀବିକା ଓ ଆର୍ଥିକ ସ୍ଥିତିରେ ଉନ୍ନତି ଆସିଛି। ୫ ହଜାର ଆଦିବାସୀ ଯୁବକ ଓ ଯୁବତୀମାନେ ପ୍ରତ୍ୟେକେ ୧ ଲକ୍ଷ ଟଙ୍କା ସହଯୋଗ ରାଶି ପାଇ ଲଘୁ ଉଦ୍ୟୋଗ ଆରମ୍ଭ କରି ଉପକୃତ ହୋଇଛନ୍ତି। ଛାତ୍ରଛାତ୍ରୀଙ୍କ ଆବାସିକ ଶିକ୍ଷାକୁ ସହଜ କରିବା ପାଇଁ ୨୦୨୪ ଆର୍ଥିକ ବର୍ଷରେ ୮୩ ଗୋଟି ନୂତନ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରାବାସ, ୨୩ଟି ଅନ୍ୟାନ୍ୟ ପଛୁଆବର୍ଗ ଛାତ୍ରାବାସ ଏବଂ ୨୨୯ ଗୋଟି ପ୍ରାଥମିକ ବିଦ୍ୟାଳୟ ଛାତ୍ରାବାସ ପାଇଁ ମୋଟ ୭୩୨.୪୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।

ଶିକ୍ଷାକୁ ସୁଦୂରପ୍ରସାରି କରିବା ନିମନ୍ତେ ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ସ୍ତରରେ ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନାଟିକୁ ଆରମ୍ଭ ହୋଇଛି । ଆବାସିକ ବିଦ୍ୟାଳୟଗୁଡ଼ିକୁ ଅତ୍ୟାଧୁନିକ ଶିକ୍ଷାନୁଷ୍ଠାନରେ ପରଣିତ କରିବା ଲକ୍ଷ୍ୟରେ ସହିଦ ଲକ୍ଷ୍ମଣ ନାୟକ ଆଦର୍ଶ ଆଶ୍ରମ ବିଦ୍ୟାଳୟ ଯୋଜନା ନିମନ୍ତେ ୧୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ‘ବିକଶିତ ଓଡିଶା, ବିକଶିତ ଭାରତ’ର ସାରଥି କରିବା ଉଦ୍ଦେଶ୍ୟରେ ରାଜ୍ୟରେ ପିଏମ୍-ଜନମନ ଯୋଜନାର ପ୍ରଚାରପ୍ରସାର କରାଯାଉଛି। ଏହି ଅଭିଯାନ ରାଜ୍ୟର ୧୪ ଟି ଜିଲ୍ଲାର ୧୬୭୯ ଟି ଗ୍ରାମରେ ବାସ କରୁଥିବା ୨,୯୪,୭୧୨ ଜଣ ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟ (ପିଭିଟିଜି) ଙ୍କ ନିକଟରେ ପହଞ୍ଚିବ। ରାଜ୍ୟ ସରକାର ଆଦିବାସୀ ସଂସ୍କୃତି ଓ ଐତିହ୍ୟ ଭବନ ଏବଂ ଆଦିବାସୀ ଭାଷା ପ୍ରତିଷ୍ଠାନ ନିମନ୍ତେ ଯଥାକ୍ରମେ ୧୦୦ କୋଟି ଓ ୫୦ କୋଟି ଟଙ୍କା ବ୍ୟୟ ବରାଦରେ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ପରିଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଓଡିଶାର ସାମଗ୍ରିକ ବିକାଶ ପାଇଁ ଆମ ସରକାର ଏକ ରଣ କୌଶଳ ପ୍ରସ୍ତୁତ କରିଛନ୍ତି। ଆଦିବାସୀ ସଶକ୍ତିକରଣ ଆମ ପାଇଁ କେବଳ ଏକ ସ୍ଲୋଗାନ କିମ୍ବା ଭୋଟ ପାଇଁ ଇଭେଣ୍ଟ ମେନେଜ୍ମେଣ୍ଟ ନୁହେଁ। ଏହା ଆମ ସରକାରଙ୍କ ଆପଣଙ୍କ ପାଇଁ ପ୍ରତିବଦ୍ଧତା।

ପ୍ରତ୍ୟେକ ଆଦିବାସୀ ପରିବାରରେ ଶିକ୍ଷାର ପ୍ରସାର ହିଁ ଆଦିବାସୀ ସମାଜର ବିକାଶ ବୋଲି ଗଣଶିକ୍ଷା ତଥା ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ, ନିତ୍ୟାନନ୍ଦ ଗଣ୍ଡ କହିଥିଲେ।

ଗରିବ, ଅବହେଳିତ ଆଦିବାସୀ ଭାଇ ଭଉଣୀ ମାନଙ୍କ ସମସ୍ତ ମୌଳିକ ଆବଶ୍ୟକତା ପୂର୍ଣ୍ଣ କରିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ପଂଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ କହିଥିଲେ।

ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଥିଲେଯେ, ଜନଜାତିମାନଙ୍କ ସାମାଜିକ ବ୍ୟବସ୍ଥା, ସାଂସ୍କୃତିକ ବୈଭବ ଓ ମୌଳିକତାକୁ ବଜାୟ ରଖିବାକୁ ପଡିବ କାରଣ ଆମ ସଂସ୍କୃତିର ମୂଳପିଣ୍ଡ ହେଉଛନ୍ତି ଆମ ଆଦିମ ଅଧିବାସୀ।

ଏହି ଅବସରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଥିଲେ ଯେ, ଆଦିବାସୀଙ୍କ ଉନ୍ନତିର କେବଳ ଆମ ସଂସ୍କୃତିର ବିକାଶ ନୁହେଁ ବରଂ ଆମ ପର୍ଯ୍ୟାବରଣର ବିକାଶ।

ଉକ୍ତ କାର୍ଯ୍ୟକ୍ରମରେ ଆଦିବାସୀ ଲୋକକଳା, ସଂସ୍କୃତି ଓ ପରମ୍ପରା ସମ୍ବନ୍ଧରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ବ୍ୟକ୍ତି ବିଶେଷଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ।

କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ, ମମତା ମହାନ୍ତ, ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ମୟୁରଭଞ୍ଜ ସାଂସଦ, ନବଚରଣ ମାଝୀ, ଉଦଳା ବିଧାୟକ, ଭାସ୍କର ମଢେଇ, କରଞ୍ଜିଆ ବିଧାୟକ, ପଦ୍ମଚରଣ ହାଇବୁରୁ, ସାରସକଣା ବିଧାୟକ ଭାଦବ ହାଂସଦା, ବାରିପଦା ବିଧାୟକ, ପ୍ରକାଶ ସୋରେନ, ରାଇରଙ୍ଗପୁର ବିଧାୟକ, ଜଲେନ୍‍ ମୁର୍ମୁ, ବାଙ୍ଗିରିପୋଷି ବିଧାୟିକା, ସଞ୍ଜଳି ମୁର୍ମୁ ପ୍ରମୁଖ ମଂଚାସୀନ ଥିଲେ।

ବଡ଼ସାହି ବିଧାୟକ ସନାତନ ବିଜୁଳି ସ୍ୱାଗତଭାଷଣ ଦେଇଥିବା ବେଳେ, ଅନୁସୂଚିତ ଜାତି ଏବଂ ଜନଜାତି ବିଭାଗ ନିର୍ଦ୍ଦେଶିକା ପୋମା ଟୁଡୁ ଧନ୍ୟବାଦ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଟ୍ରାଇ ପକ୍ଷରୁ ବାରିପଦା ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଅପରେଟର ଆସିଷ୍ଟେଡ୍‌ ଡ୍ରାଇଭ୍‌ ଟେଷ୍ଟ ସମ୍ପାଦନ

ଭୁବନେଶ୍ୱର: ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧୀକରଣ (ଟ୍ରାଇ) ପକ୍ଷରୁ ବାରିପଦା ସହର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଓ ରାଜପଥର ୪୩୦ କିଲୋମିଟର କ୍ଷେତ୍ରରେ ଅପରେଟର ଆସିଷ୍ଟେଡ୍‌ ଡ୍ରାଇଭ୍‌ ଟେଷ୍ଟ ସମ୍ପାଦନ କରାଯାଇଛି। ଡିସେମ୍ବର ୨୦୨୪ ଶେଷ ହେଉଥିବା ତ୍ରୈମାସରେ କରାଯାଇଥିବା ଏହି ପରୀକ୍ଷଣରେ ବିଏସଏନଏଲ, ଏୟାରଟେଲ, ଜିଓ, ଭୋଡ଼ାଫୋନ ଆଇଡିଆ ଭଳି ଦୂରସଞ୍ଚାର ସେବା ପ୍ରଦାନକାରୀ ସହଯୋଗ କରିଥିଲେ। ପରୀକ୍ଷଣ ପରେ ରିପୋର୍ଟ ମଧ୍ୟ ଜାରି କରାଯାଇଛି।

ପରୀକ୍ଷଣ ସମୟରେ ଭଏସ କଲ୍‌ ଏବଂ ଇଣ୍ଟରନେଟ୍‌ ଡାଟା ସେବାର ବିଭିନ୍ନ ମାପଦଣ୍ଡ ପରୀକ୍ଷା କରାଯାଇଥିଲା। ଭଏସ୍‌ ସେବାରେ କଭରେଜ୍‌, କଲ ସେଟଅପ୍‌ ସଫଳତା ହାର, ଡ୍ରପ୍‌ କଲ୍‌ ହାର, ବ୍ଲକ୍‌ କଲ୍‌ ହାର, ହ୍ୟାଣ୍ଡଓଭର୍‌ ସଫଳତାର ହାର ଏବଂ ଆରଏକ୍ସ ଗୁଣବତ୍ତା ଆଦି ଅନୁଧ୍ୟାନ କରାଯାଇଥିଲା। ସେହିପରି ଡାଟା ସେବାରେ ଡାଉନଲୋଡ୍‌ ଓ ଅପଲୋଡ୍‌ ଥ୍ରୁପୁଟ୍‌, ୱେବବ୍ରାଉଜିଂ ବିଳମ୍ବ, ଭିଡିଓ ଷ୍ଟ୍ରିମିଂ ବିଳମ୍ବ, ଲାଟେନ୍ସି ଆଦିର ଆକଳନ କରାଯାଇଥିଲା। ଟ୍ରାଇର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ କରାଯାଇଥିବା ଏହି ପରୀକ୍ଷଣର ବିସ୍ତୃତ ରିପୋର୍ଟ https://www.trai.gov.in/ରେ ଦିଆଯାଇଛି। ଏଭଳି ପରୀକ୍ଷଣ ଦୂରସଞ୍ଚାର ସେବାରେ ସୁଧାର ଆଣିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ବାରିପଦା ଠାରେ ‘ସିନ୍ଦୂର ପଦଯାତ୍ରା’: ସାମିଲ ହେଲେ ଓଡିଶା ସରକାରଙ୍କ ମନ୍ତ୍ରୀ, ସାଂସଦ ଏବଂ ବିଧାୟକ

ଭୁବନେଶ୍ଵର: ଅପରେସନ ସିନ୍ଦୂରର ସଫଳତା ପାଳନ ଅବସରରେ ମୟୁରଭଞ୍ଜ ଜିଲ୍ଲା ସ୍ଥିତ ବାରିପଦା ଠାରେ ଆୟୋଜିତ ‘ସିନ୍ଦୂର ପଦଯାତ୍ରା’ ରେ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗ ଦେଇଥିଲେ।

ଯେପରି ସିନ୍ଦୂର ପ୍ରତ୍ୟେକ ଭାରତୀୟ ନାରୀଙ୍କର ଗର୍ବ ଓ ଗୌରବ ସେପରି ଆମ ଭାରତୀୟ ଯବାନ ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବ।ବୀର ଯବାନମାନଙ୍କର ପରାକ୍ରମ ଓ ଶୌର୍ଯ୍ୟ ପାଇଁ ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ଅଶେଷ ଅଶେଷ ଅଭିନନ୍ଦନ ଜ୍ଞାପନ କରିଥିଲେ। ଆଜିର ଏହି ପଦଯାତ୍ରା ଥିଲା ଆମ ମାତୃଭୂମି ପ୍ରତି ଆମର ସମର୍ପଣ, ସାହସ ଓ ଶକ୍ତିର ନିଦର୍ଶନ।

ଏହି ପଦଯାତ୍ରାରେ ଗୃହ ଓ ନଗର ଉନ୍ନୟନ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡ଼ଃ କୃଷ୍ଣଚ଼ନ୍ଦ୍ର ମହାପାତ୍ର, ମୟୂରଭଞ୍ଜ ଲୋକସଭା ସାଂସଦ ନବ ଚରଣ ମାଝୀ, ରାଜ୍ୟସଭା ସାଂସଦ ମମତା ମହାନ୍ତ, ବାରିପଦା ବିଧାୟକ ପ୍ରକାଶ ସୋରେନ୍, କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୁରୁ, ରାଇରଙ୍ଗପୁର ବିଧାୟକ ଜଲେନ୍ ନାୟକ, ବାଙ୍ଗିରିପୋଷି ବିଧାୟିକା ସଞ୍ଜଳୀ ମୁର୍ମୁ ପ୍ରମୁଖ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ମମରେ ୬ ବର୍ଷ ଶିଶୁପୁତ୍ରର ମୃତ୍ୟୁ ପରେ ଅଙ୍ଗଦାନ, ଶିଶୁର କିଡ଼ନୀ ବଂଚାଇଲା ଦୁଇ ଜୀବନ

ଭୁବନେଶ୍ୱର: ଛଅ ବର୍ଷର ଶିଶୁପୁତ୍ରଟିର ଇଚ୍ଛା ଥିଲା ସେ ଗୋଟିଏ ପୁରସ୍କାର ପାଇବ। ମା’ବି ତାକୁ ଆଶ୍ୱାସନା ଦେଇଥିଲେ ଯେ, ସେ ଏଭଳି ପୁରସ୍କାର ପାଇବ ଯାହା କେହି ବି ପାଇ ନଥିବେ। ଶିଶୁଟି ଜୀବିତ ଅବସ୍ଥାରେ ପୁରସ୍କାର ପାଇପାରିଲା ନାହିଁ ସତ, ତେବେ ମୃତ୍ୟୁ ପରେ ଆଉ ଦୁଇଟି ଜୀବନ ବଂଚାଇବାରେ ସଫଳ ହୋଇପାରିଛି।

ବାରିପଦା ମୂର୍ଗାବାଡି ଅଚଂଳର ଏହି ଶିଶୁଟିର ଆକସ୍ମିକ ଦୁର୍ଘଟଣାରେ ମୁଣ୍ଡରେ ଗଭୀର ଆଘାତ ଯୋଗୁଁ ସ୍ଥାନୀୟ ସମ୍ ଅଲ୍ଟିମେଟ ମେଡିକେୟାରରେ ଚିକିତ୍ସିତ ହେଉଥିଲା। ମାତ୍ର ଶିଶୁଟି ବ୍ରେନ୍ ଡେଡ ଘୋଷିତ ହେବା ପରେ ତାର ପିତା-ମାତା ତାର ଅଙ୍ଗଦାନ କରିବା ନିମନ୍ତେ ମନସ୍ଥ କରିଥିଲେ। ଶିଶୁଟିର ଦୁଇ କିଡ଼ନୀ ଆଉ ଦୁଇଟି ରୋଗୀଙ୍କର ଜୀବନ ବଂଚାଇବାରେ ସାହାଯ୍ୟ କରିଛି।

ଅଂଗଦାନ ଭଳି ମହତ କାର୍ଯ୍ୟରେ ଅଗ୍ରଣୀ ସମ୍ ଅଲ୍ଟିମେଟ ମେଡିକେୟାର ହସ୍ପିଟାଲ୍‌ରେ ଏହି ଶିଶୁଟିର ଦୁଇଟି ବୃକକକୁ ବାହାର କରାଯାଇ ଭୁବନେଶ୍ୱର ଏମ୍ସ ଏବଂ ଅନ୍ୟ ଏକ ଘରୋଇ ହସ୍ପିଟାଲ୍‌କୁ ପଠାଯାଇଛି।

ଗତ ୬ ତାରିଖ ଦିନ ଶିଶୁଟିର ମୁଣ୍ଡ ଉପରେ ୩ କ୍ୱିଂଟାଲ୍ ଓଜନର ଏକ ଗେଟ ପଡ଼ିଯିବା ପରେ ଶିଶୁର ବାପା-ମା ପ୍ରଥମେ ବାଲେଶ୍ୱର ହସ୍ପିଟାଲ ଏବଂ ପରବର୍ତ୍ତୀ ସମୟରେ ସମ୍ ଅଲ୍ଟମେଟ ମେଡିକେୟାରରେ ଚିକିତ୍ସା ପାଇଁ ଭର୍ତି କରାଇଥିଲେ। ତେବେ ଅନେକ ଚିକିତ୍ସା ଓ ଚେଷ୍ଟା ସତ୍ୱେ ଶିଶୁଟିକୁ ବଂଚା ଯାଇପାରି ନଥିଲା। ତା’ର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ଯାହାକୁ କି ସିଭିୟର ଟ୍ରମାଟିକ୍ ବ୍ରେନ୍ ଇଞ୍ଜୁରି ବୋଲି କୁହାଯାଏ ବୋଲି ଚିକିତ୍ସା କରୁଥିବା ଡାକ୍ତର ତଥା ସମ୍ ଅଲ୍ଟିମେଟ ମେଡିକେୟାରର କ୍ରିଟିକାଲ୍ କେୟାର ମେଡିସିନ ବିଭାଗର ସିନିୟର କନ୍‌ସଲ୍‌ଟାଂଟ ଡାକ୍ତର ଆଲୋକ କୁମାର ପାଣିଗ୍ରାହୀ କହିଥିଲେ।

ଅନେକ ପ୍ରଚେଷ୍ଟା ସତ୍ୱେ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନଥିଲା। ତେଣୁ ସମ୍ମମ୍‌ର ନ୍ୟୁରୋସର୍ଜରୀ ବିଭାଗର ସିନିୟର କନ୍‌ସଲ୍‌ଟାଂଟ ଡାକ୍ତର ସୋମନାଥ ଜେନା ଏବଂ ଡାକ୍ତର ପାଣିଗ୍ରାହୀ ତା’ର ଦୁଇ ଥର ଆପ୍‌ନିଆ ଟେଷ୍ଟ କରାଇବା ପରେ ଶିଶୁଟିକୁ ବ୍ରେନ୍ ଡେଡ ଘୋଷଣା କରାଯାଇଥିଲା।

ନିଜ କୁନି ପୁଅର ମୃତ୍ୟୁ ପରେ ଅନ୍ୟ କାହାର ଜୀବନ ବଂଚାଇବା ସହ ଆଉ କେଉଁ ପିତା-ମାତାଙ୍କ ଜୀବନରେ ଖୁସି ଆଣିବାର ମହତ୍ ଉଦ୍ଦେଶ୍ୟ ନେଇ ଶିଶୁଟିର ବାପା-ମା ଅଂଗଦାନ କରିବା ପାଇଁ ନିଷ୍ପତି ନେଇ ହସ୍ପିଟାଲ୍‌ର କର୍ତୃପକ୍ଷଙ୍କୁ ଜଣାଇଥିଲେ।

ସମ୍ମମ୍ ପକ୍ଷରୁ ଷ୍ଟେଟ୍ ଅର୍ଗାନ୍ ଆଣ୍ଡ ଟିସ୍ୟୁ ଟ୍ରାନ୍ସପ୍ଲାଂଟ ଅର୍ଗାନାଇଜେସନ୍ (ସୋଟୋ)କୁ ଅବଗତ କରାଯାଇ ଅଂଗଦାନ ଓ ପ୍ରତ୍ୟାରୋପଣ ପ୍ରକ୍ରିୟା ସମ୍ପନ୍ନ କରାଯାଇଥିଲା।

ଏହାକୁ ମିଶାଇ ମାତ୍ର ଦୁଇ ବର୍ଷ ସମୟସୀମା ମଧ୍ୟରେ ସମ୍ମମ ପକ୍ଷରୁ ଚତୁର୍ଥ ଥର ପାଇଁ ଅଂଗଦାନ କରାଯାଇଥିବା ବେଳେ ସମୁଦାୟ ୧୩ଟି ଅଂଗ ପ୍ରତ୍ୟାରୋପଣ ପାଇଁ ବିଭିନ୍ନ ହସ୍ପିଟାଲ୍‌କୁ ପଠାଯାଇଛି। ଆଗକୁ ମଧ୍ୟ ଏହି ମହତ୍ କାର୍ଯ୍ୟ ହସ୍ପିଟାଲ ପକ୍ଷରୁ ଜାରି ରହିବ ବୋଲି ଏହାର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ କହିଛନ୍ତି।

ଏହି ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ କହିଛନ୍ତି ଯେ ସମ୍ମମ୍ ପକ୍ଷରୁ ଅଂଗଦାନ ଭଳି ମହତ କାର୍ଯ୍ୟକୁ ଅଧିକ ଲୋକାଦୃତ କରିବା ପାଇଁ ପ୍ରଚେଷ୍ଟା କରାଯାଉଥିବା ବେଳ ଆଗାମୀ ଦିନରେ ମଧ୍ୟ ଏହି ପ୍ରକ୍ରିୟା ହସ୍ପିଟାଲ ପକ୍ଷରୁ ଜାରି ରହିବ ବୋଲି କହିଛନ୍ତି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଆକାଉଣ୍ଟକୁ ଗଲା ସୁଭଦ୍ରା ଟଙ୍କା, ବାରିପଦାରୁ ମୁଖ୍ୟମନ୍ତ୍ରୀ ପଠାଇଲେ ଟଙ୍କା

ଭୁବନେଶ୍ବର: ବର୍ତ୍ତମାନ ସୁଭଦ୍ରା ଯୋଜନାର ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ସୁଭଦ୍ରା ଟଙ୍କା। ଅଳ୍ପ ସମୟ ତଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାରିପଦାରେ ଆୟୋଜିତ ଏକ କାର୍ଯ୍ୟକ୍ରମରୁ ଏହି ଟଙ୍କା ପଠାଇଛନ୍ତି। ଫଳରେ ଯେଉଁମାନେ ଏହି ଟଙ୍କା ପାଇବା ପାଇଁ ହକଦାର ସେମାନଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଛି।

ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେଇ କହିଛନ୍ତି ଯେ, ଆଜି ପ୍ରଥମ ପର୍ଯ୍ୟାୟର ଦ୍ବିତୀୟ କିସ୍ତି ଟଙ୍କା ପଠାଗଲା। ଏଥିରେ 25 ଲକ୍ଷ 11 ହଜାର ହିତାଧିକାରୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ପଠାଯାଇଛି। ତେବେ ଆଜି ସଂଧ୍ୟା ସୁଦ୍ଧା ସମସ୍ତ ହିତାଧିକାରୀଙ୍କ ନିକଟକୁ ଟଙ୍କା ଯିବ ବୋଲି ସେ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ମିଳିବ ସୁଭଦ୍ରା ଟଙ୍କା, ହେଲେ କେତେବେଳେ ?

ଭୁବନେଶ୍ବର: ଆଜି ଆସିବ ସୁଭଦ୍ରା ଟଙ୍କା। ଆଜି ବାରିପଦାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ କାର୍ଯ୍ୟକ୍ରମରେ ଏହି ଟଙ୍କା ପ୍ରେରଣ କରିବେ। ସେଥିପାଇଁ ସରକାରୀ ସ୍ତରରେ ବଡ ଆୟୋଜନ କରାଯାଇଛି। ଏହି ଉତ୍ସବରେ ରାଜ୍ୟର ଦୁଇ ଉପମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ।

ଏହି ଉତ୍ସବରେ ଆଜି 40 ଲକ୍ଷ ମହିଳାଙ୍କୁ ଏହି ଟଙ୍କା ପ୍ରେରଣ କରାଯିବ। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ବରରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ପ୍ରଥମ କିସ୍ତିର ପ୍ରଥମ ଭାଗ ଟଙ୍କା ପ୍ରଦାନ କରିଥିଲେ। ତେବେ ଆଜି ଦିନ 12ଟା ପୂର୍ବରୁ ହିତାଧିକାରୀଙ୍କ ଖାତାକୁ ଟଙ୍କା ଆସିବା ଆରମ୍ଭ ହେବ ବୋଲି ଜଣାପଡିଛି।

Categories
ବିଶେଷ ଖବର

୧ କୋଟି ଛୁଇଁଲା ସୁଭଦ୍ରା ଯୋଜନାରେ ପଞ୍ଜୀକରଣ: ବାରିପଦାରେ ଦ୍ଵିତୀୟ ପର୍ଯ୍ୟାୟର ପ୍ରଥମ କିସ୍ତି ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ସୁଦ୍ଧା ଓଡ଼ିଶାର ୧ କୋଟି ୨୦ ହଜାର ମହିଳା ହିତାଧିକାରୀ ସୁଭଦ୍ରା ଯୋଜନାରେ ପଞ୍ଜୀକରଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ଶୁଭାରମ୍ଭ କରାଯାଇଥିବା ଯୁଗାନ୍ତକାରୀ “ସୁଭଦ୍ରା” ଯୋଜନାରେ ଏକ କୋଟିରୁ ଅଧିକା ହିତାଧିକାରୀଙ୍କୁ ପଞ୍ଜୀକୃତ କରିବା ଏକ ବଡ ଉପଲବ୍ଧି ହେବ ବୋଲି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା କହିଥିଲେ। ଆଜି ଏହା ପ୍ରମାଣିତ ହୋଇଛି।

ଆସନ୍ତା ଅକ୍ଟୋବର ୯ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାରିପଦା ଠାରେ ୩୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଦ୍ଵିତୀୟ ପର୍ଯ୍ୟାୟରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରିବେ।

ଏହା ସହ ହିତାଧିକାରୀମାନଙ୍କ ବ୍ୟାଙ୍କ ଖାତା ସଚଳ ଅଛି କି ନାହିଁ ତାହା ପରୀକ୍ଷା କରିବା ସହ ସ୍ଵଚ୍ଛତା ଅନୁଧ୍ୟାନ କରିବା ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ହୋଇଥିବା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପରୀକ୍ଷାମୂଳକ ଭାବେ ଏକ ଟଙ୍କା ପଠାଇଯିବାର ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଦ୍ଵିତୀୟ ପର୍ଯ୍ୟାୟ ନିମନ୍ତେ ଏପରି କିଛି ବ୍ୟବସ୍ଥା ଏଯାବତ ଆରମ୍ଭ କରାଯାଇନାହିଁ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସୋସିଆଲ ମିଡିଆରେ ଚାଲୁଥିବା ଏହି ମିଥ୍ୟା ଖବର ଦ୍ଵାରା ଭ୍ରମିତ ନ ହେବା ପାଇଁ ବିଭାଗ ତରଫରୁ ଅନୁରୋଧ କରାଯାଉଛି।

“ସୁଭଦ୍ରା” ଯୋଜନା ସମ୍ବନ୍ଧୀୟ ସମସ୍ତ ଅପଡେଟ ଖବର ପାଇଁ “ସୁଭଦ୍ରା”ର ଅଫିସିଆଲ ୱେବସାଇଟ କିମ୍ବା ଅଫିସିଆଲ ସୋସିଆଲ ମିଡିଆକୁ ଅନୁସରଣ କରନ୍ତୁ ଅବା ଟୋଲ ଫ୍ରୀ ନମ୍ବର (୧୪୬୭୮) କୁ କଲ କରନ୍ତୁ ବୋଲି ବିଭାଗ ପକ୍ଷରୁ ସୂଚିତ କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ବାଙ୍ଗିରିପୋଷି ଘାଟିରେ ଯାତ୍ରା ପାର୍ଟି ଟ୍ରକ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୧୦ ଗୁରୁତର

 ଭୁବନେଶ୍ଵର: ବର୍ତ୍ତମାନ ବାରିପଦା ବାଙ୍ଗିରିପୋଷି ଦ୍ଵାରଶୁଣି ଘାଟିରୁ ଏକ ବଡ ଖବର ଆସୁଛି। ଦ୍ଵାରଶୁଣି ଘାଟିରେ ଯାତ୍ରା ପାର୍ଟି ଟ୍ରକ ତଳକୁ ଖସି ଯାଇଥିବାର ସୂଚନା ରହିଛି। ଯେଉଁଥିରେ ୫ ଜଣଙ୍କର ମୃତ ହୋଇଥିବା ଆଶଙ୍କା କରାଯାଇଥିବା ବେଳେ ୧୦ ରୁ ଉର୍ଦ୍ଧ୍ଵ ଲୋକ ଗୁରୁତର ହୋଇଥିବା ସୂଚନା ରହିଛି। ୨ ଜଣ ଲୋକ ଟ୍ରକ ତଳେ ଚାପି ହୋଇ ରହିଥିବା ଜଣାପଡିଛି।

ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଛି। ପୋଲିସ ଓ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ତେବେ ପ୍ରାଥମିକ ସୂଚନାରୁ ଟ୍ରକଟି ଧଉଳି ଗଣନାଟ୍ୟର ବୋଲି କୁହାଯାଉଥିବା ବେଳେ ଏହା ରାଇରଙ୍ଗପୁରରୁ ଜଳେଶ୍ଵର ଯାଉଥିବା ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ବାରିପଦାରେ ‘ବିଜୁଳି ମହୋତ୍ସବ’ ଆୟୋଜିତ

ଭୁବନେଶ୍ବର: ଭାରତର ସ୍ବାଧୀନତାର 75 ବର୍ଷ ପାଳନ ଅବସରରେ ‘ଆଜାଦି କା ଅମୃତ ମହୋତ୍ସବ’ ର ଅଂଶସ୍ବରୂପ ଶକ୍ତି ମନ୍ତ୍ରଣାଳୟ ଓଡ଼ିଶା ସରକାରଙ୍କ ସହିତ ମିଶି ଉଜ୍ଜ୍ବଳ ଭାରତ ଉଜ୍ଜ୍ବଳ ଭବିଷ୍ୟ- ପାୱାର @ 2047 ଅନ୍ତର୍ଗତ ସହୀଦ ସ୍ମୃତି ଭବନ, ବାରିପଦା, ମୟୁରଭଞ୍ଜ ଜିଲ୍ଲା, ଓଡ଼ିଶାରେ ଗୁରୁବାର 28 ଜୁଲାଇ 2022 ରେ ‘ବିଜୁଳି ମହୋତ୍ସବ’ ଆୟୋଜନ କରାଯାଇଛି। ଏହାକୁ ଇଆରଏଲ୍‌ଡିସି ପିଓଏସଓସିଓ, ଟିପିଏନ୍‌ଓଡିଏଲ୍‌ ଓ ଓପିଟିସିଏଲ୍ ଆୟୋଜନ କରିଛନ୍ତି।

ରାଜ୍ୟ ଓ କେନ୍ଦ୍ର ସରକାର ମଧ୍ୟରେ ସହଭାଗୀତାକୁ ପାଳନ କରିବା ପାଇଁ ବିଜୁଳି ମହୋତ୍ସବକୁ ଏକ ପ୍ଲାଟଫର୍ମ ଭାବରେ ବ୍ୟବହାର କରାଯାଉଛି। 2014 ରେ ଶକ୍ତି ଉତ୍ପାଦନ କ୍ଷମତା 248554 ମେଗାୱାଟ ଥିବା ବେଳେ ଆଜି ଏହା 4,00,000 ମେଗାୱାଟରେ ପହଞ୍ଚିଛି ଯାହାକି ଚାହିଦା ଠାରୁ 185000 ମେଗାୱାଟ ଅଧିକ। ଭାରତ ଏବେ ଏହାର ପଡ଼ୋଶୀ ଦେଶକୁ ବିଦ୍ୟୁତଶକ୍ତି ରପ୍ତାନୀ କରୁଛି। 163000 ସିକେଏମ୍‌ ଟ୍ରାନ୍‌ସମିସନ ଲାଇନକୁ ଯୋଗ କରାଯାଇଛି ଯାହାକି ସମଗ୍ର ଦେଶକୁ ଗୋଟିଏ ଗ୍ରିଡ଼ରେ ସଂଯୁକ୍ତ କରୁଛି। ଲଦାଖ ଠାରୁ କନ୍ୟାକୁମାରୀ ଓ କଛ ଠାରୁ ମିଆଁମାର ସୀମା  ପର୍ଯ୍ୟନ୍ତ ପରିବ୍ୟାପ୍ତ ଏହା ସର୍ବବୃହତ୍ ସମନ୍ବିତ ଗ୍ରୀଡ୍ ହୋଇ ପାରିଛି।

ଏହି ଗ୍ରୀଡ଼୍ ସହାୟତାରେ ଏବେ ଦେଶର ଗୋଟିଏ କୋଣରୁ ଅନ୍ୟ କୋଣକୁ 112000 ମେଗାୱାଟ ବିଦ୍ୟୁତ ଶକ୍ତି ପ୍ରେରଣ କରାଯାଇପାରୁଛି। ଭାରତ ସିଓପି21 ପାଇଁ ପ୍ରତିଶ୍ରୁତିବଦ୍ଧ। ଏହା ଅନ୍ତର୍ଗତ 2030 ସୁଦ୍ଧା ଆମର 40% ଉତ୍ପାଦନ କ୍ଷମତା ନବୀକରଣୀୟ ଶକ୍ତି ଉତ୍ସରୁ ଗ୍ରହଣ କରାଯିବ। ଏହି ସଫଳତାକୁ ଆମେ ନିର୍ଦ୍ଧାରିତ ସମୟର 9 ବର୍ଷ ପୂର୍ବରୁ ନଭେମ୍ବର 2021 ରେ ହାସଲ କରିପାରିଛୁ। ଆଜି ଭାରତ ନବୀକରଣୀୟ ଶକ୍ତି ଉତ୍ସରୁ 163000 ମେଗାୱାଟ ଶକ୍ତି ଉତ୍ପାଦନ କରୁଛୁ। ଏହା ସହିତ ଭାରତ ଦ୍ରୁତ ଗତିରେ ନବୀକରଣୀୟ ଶକ୍ତି କ୍ଷମତାର ସ୍ଥାପନ କରୁଛି। ଟ.201,722 କୋଟିର ପାଣ୍ଠି ସହିତ ଗତ ପାଞ୍ଚ ବର୍ଷରେ ଭାରତ ଆବଣ୍ଟନ ଭିତ୍ତିଭୂମିକୁ ଦୃଢ଼ୀଭୂତ କରିଛି। ଏଥିରେ 2921 ନୂତନ ସବଷ୍ଟେସନ ସ୍ଥାପନ କରାଯାଇଛି, 3926 ସବଷ୍ଟେସନର ଉନ୍ନତି କରାଯାଇଛି, 604465 ସିକେଏମ୍ ଏଲଟି ଲାଇନର ସ୍ଥାପନା କରାଯାଇଛି, 268838 ର 11 କେଭି ଏଚଟି ଲାଇନ୍ ସ୍ଥାପନ ହୋଇଛି ଓ ଏହା ସହିତ 122123 ସିକେଏମ୍ କୃଷି ଫିଡରକୁ ସ୍ଥାପନ କରାଯାଛି।

2015 ରେ ଗ୍ରାମୀଣ କ୍ଷେତ୍ରରେ ଶକ୍ତି ଯୋଗାଣର ହାରାହାରି ନିର୍ଘଣ୍ଟ 12.5 ଘଣ୍ଟା ରହିଥିଲା ଯାହା ବର୍ତ୍ତମାନ ବୃଦ୍ଧି ହୋଇ 22.5 ଘଣ୍ଟାରେ ପହଞ୍ଚିଛି। ସରକାର  ବିଦ୍ୟୁତ (ଖାଉଟିଙ୍କ ଅଧିକାର) ନିୟମ, 2020 ଉପସ୍ଥାପନ କରିଛି ଯାହା ଅନ୍ତର୍ଗତ ଏକ ନୂତନ ସଂଯୋଗ ଲାଭ କରିବାର ସର୍ବାଧିକ ସମୟ ସୀମାକୁ ସୂଚୀତ କରାଯାଇଛି। ଗ୍ରାହକମାନେ ଏବେ ରୁଫ୍ ଟପ୍ ସୋଲାରର ମଧ୍ୟ ବ୍ୟବହାର କରିପାରିବେ। ମିଟର ସମ୍ପର୍କିତ ସମସ୍ୟାର ସମାଧାନ ପାଇଁ ସମୟ ସୀମା ନିର୍ଦ୍ଧାରିତ କରାଯାଇଛି। ରାଜ୍ୟ ନିୟାମକ ପ୍ରାଧୀକରଣ ଅନ୍ୟ ସମସ୍ତ ସେବା ପାଇଁ ସମୟସୀମାକୁ ସୂଚୀତ କରିବେ। ଗ୍ରାହକଙ୍କ ଅଭିଯୋଗକୁ ନିବାରଣ କରିବା ପାଇଁ ଡିସକମ୍ ଗୁଡ଼ିକ 24×7 କଲ ସେଣ୍ଟର ସ୍ଥାପନ କରିବେ।

2018 ରେ 987 ଦିନରେ 100% ଗ୍ରାମ ବିଦ୍ୟୁତିକରଣ (18374) କୁ ହାସଲ କରାଯାଇ ପାରିଛି। 18 ମାସରେ 100% ଆବାସିକ ବିଦ୍ୟୁତିକରଣ (2.86 କୋଟି) କୁ ସୁନିଶ୍ଚିତ କରାଯାଇପାରିଛି ଯାହାକି ବିଶ୍ବର ସର୍ବବୃହତ୍ ବିଦ୍ୟୁତକରଣ ଅଭିଯାନ।

ସୌର ପମ୍ପ ଗ୍ରହଣ କରିବା ପାଇଁ ସ୍କିମର ଆରମ୍ଭ କରାଯାଇଛି ଯେଉଁଥିରେ କେନ୍ଦ୍ର ସରକାର 30% ରିହାତି ପ୍ରଦାନ କରୁଛନ୍ତି ଓ ରାଜ୍ୟ ସରକାର 30% ରିହାତି ପ୍ରଦାନ କରୁଛନ୍ତି। ଏହା ସହିତ 30% ର ଋଣ ସୁବିଧା ମଧ୍ୟ ଉପଲବ୍ଧ ରହିଛି। ଉଜ୍ଜ୍ବଳ ଭାରତ ଉଜ୍ଜ୍ବଳ ଭବିଷ୍ୟ- ପାୱାର @ 2047 ଅନ୍ତର୍ଗତ ବିଜୁଳି ମହୋତ୍ସବ ସାରା ଦେଶରେ ପାଳନ କରାଯାଉଛି ଏବଂ ଏଥିରେ ବହୁ ସଂଖ୍ୟକ ଜନସାଧାରଣ ଅଂଶଗ୍ରହଣ କରୁଛନ୍ତି।

ଏହି କାର୍ଯ୍ୟକ୍ରମରେ ଭାରତୀ ହାଂସଦା, ସଭାପତି, ଜିଲ୍ଲା ପରିଷଦ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। କୃଷ୍ଣାନନ୍ଦ ମହାନ୍ତି, ଚେୟାରମ୍ୟାନ, ବାରିପଦା ମ୍ୟୁନିସିପାଲିଟି ଓ ଅନ୍ୟ ସମ୍ମାନିତ ଅତିଥିମାନେ ଏହି ଅବସରରେ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମରେ ନିକଟସ୍ଥ ଗ୍ରାମ ଓ ଜିଲ୍ଲାରୁ ବହୁ ସଂଖ୍ୟକ ଜନସାଧାରଣ ଅଂଶଗ୍ରହଣ କରିଥିଲେ। ସମ୍ମାନିତ ଅତିଥିମାନେ ଗତ କିଛି ବର୍ଷ ମଧ୍ୟରେ ବିଦ୍ୟୁତ କ୍ଷେତ୍ରରେ ହୋଇଥିବା ବିକାଶ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନେକ ହିତାଧିକାରୀ ସେମାନଙ୍କର ଅନୁଭୂତିକୁ ବର୍ଣ୍ଣନା କରିଥିଲେ।

ପରିଦର୍ଶକ ଓ ଅତିଥିମାନଙ୍କର ମନୋରଞ୍ଜନ ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ନୁକଡ଼ ନାଟକ ଓ ଶକ୍ତି କ୍ଷେତ୍ରରେ କ୍ଷୁଦ୍ର ଚଳଚ୍ଚିତ୍ରର ସ୍କ୍ରିନିଂ କରାଯାଇଥିଲା। ଏହି ଅବସରରେ ସମସ୍ତ ପ୍ରକାର କୋଭିଡ୍ ସୁରକ୍ଷା ନିୟମାବଳୀର ଅନୁପାଳନ କରାଯାଇଥିଲା ଯାହା ସାମାଜିକ ଦୂରତା ରକ୍ଷା ଓ ମାସ୍କ ପରିଧାନ ଇତ୍ୟାଦିକୁ ସୁନିଶ୍ଚିତ କରାଯାଇଥିଲା। ଏହା ସହିତ ଉପସ୍ଥିତ ବ୍ୟକ୍ତିମାନଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଇଥିଲା।

Categories
ଆଞ୍ଚଳିକ

ଆସନ୍ତା ଜୁଲାଇ ମାସରୁ ଅନ ଲାଇନ ମାଧ୍ୟମରେ ପେନସନ ଆବେଦନ ଜରୁରୀ

ବାରିପଦା: ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ପ୍ରଧାନ ମହାଲେଖାକାର ଓ ଲେଖା ନିୟନ୍ତ୍ରକ ସହଯୋଗରେ ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଆଜି ବାରିପଦାସ୍ଥିତ ପ୍ରୟାସ ସମ୍ମିଳନୀ କକ୍ଷ ଠାରେ ଉଦଯାପିତ ହୋଇଯାଇଛି ।

ବରିଷ୍ଠ ଉପ ମହାଲେଖାକାର ଶ୍ରୀରାଜ ଅଶୋକ ଅଧ୍ୟକ୍ଷତାରେ ଅନୁଷ୍ଠିତ ପେନସନ ଅଦାଲତରେ ଜିଲ୍ଲାପାଳ ଭିନୀତ ଭରଦ୍ୱାଜ, ମୁଖ୍ୟ ଅତିଥି, ସହକାରୀ ମହାଲେଖାକାର ମୁକୁଲ ଜାମଲୋଖୀ, ସୁଶ୍ରୀ ତାନ୍ୟା ଆମ୍ଭସ୍ତା, ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତି, ଉପ ଲେଖା ନିୟନ୍ତ୍ରକ ପୁଷ୍ପଶ୍ରୀ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ l ବରିଷ୍ଠ ଉପ ମହାଲେଖାକାର ଶ୍ରୀରାଜ ଅଶୋକ ତାଙ୍କ ଅଭିଭାଷଣରେ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ନିର୍ଦିଷ୍ଟ ସମୟସୀମା ମଧ୍ୟରେ ପେନସନ ପ୍ରଦାନ ପାଇଁ ସରକାରୀ ନିର୍ଦେଶନାମା ଥିବା ସତ୍ବେ ପେନସନ ମଞ୍ଜୁରକର୍ତମାନେ ଠିକ ସମୟରେ ସେମାନଙ୍କର ପେନସନ କାଗଜପତ୍ର ଏ. ଜି କିମ୍ବା ଲେଖା ନିୟନ୍ତ୍ରକ କାର୍ଯ୍ୟାଳୟକୁ ପଠାଉନାହାନ୍ତି।

ଯାହାଫଳରେ ବାହୁବର୍ଷ ଧରୀ ଅବସରପ୍ରାପ୍ତ କର୍ମଚାରୀ ସେମାନଙ୍କର ପେନସନ ପାଇବାରେ ବିଳମ୍ବ ହେଉଅଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ 2018 ମସିହାରୁ ବିଭିନ୍ନ ସମୟରେ ଅନଲାଇନ ମାଧ୍ୟମରେ ଆବେଦନ କରିବାକୁ ନିର୍ଦେଶନାମା ଜାରି କରିଛନ୍ତି। ମାତ୍ର ପେନସନ ମଞ୍ଜୁରକର୍ତ୍ତାମାନେ ସେହି ପୁରୁଣା ପଦ୍ଧତିରେ ପେନସନ କାଗଜ ପଠାଉଛନ୍ତି।

ଆସନ୍ତା ଜୁଲାଇ ମାସଠାରୁ ଅନଲାଇନ ମାଧ୍ୟମରେ ପେନସନ ପାଇଁ ଆବେଦନ କରିବାକୁ ଅବସରପ୍ରାପ୍ତ କର୍ମଚାରୀ ଓ ପେନସନ ମଞ୍ଜୁରକର୍ତ୍ତାମାନଙ୍କୁ ଅନୁରୋଧ କରିଛନ୍ତି l ପୁରୁଣା ପଦ୍ଧତିରେ ପଠାଇଲେ ଏହାକୁ ଗ୍ରହଣ କରାଯିବ ନାହିଁ ବୋଲି ବରିଷ୍ଠ ଉପ ମହାଲେଖାକାର ପ୍ରକାଶ କରିଛନ୍ତି। ଏହି ପେନସନ ଅଦାଲତରେ 2012 ରୁ 2021 ପ୍ରଯ୍ୟନ୍ତ 180ଟି ବକେୟା ପେନସନ ପ୍ରାପ୍ୟ ଉପରେ ଶୁଣାଣି କରାଯାଇ ପେନସନ ମଂଜୁର ପାଇଁ ପଦକ୍ଷେପ ନିଆଗଲା।

ବିଗତ 2 ବର୍ଷ ମଧ୍ୟରେ ମୟୁରଭଞ୍ଜ ଜିଲ୍ଳାରେ 989 ଜଣ ଅବସର ଗ୍ରହଣ କରିଥିବା କର୍ମଚାରୀମାନଙ୍କ ମଧ୍ୟରୁ 629 ଜଣଙ୍କ ପେନସନ କାଗଜପତ୍ର ଏ. ଜି କାର୍ଯ୍ୟାଳୟକୁ ପେନସନ ମଂଜୁର ପାଇଁ ପଠାଯାଇଥିଲା। ସେଥିମଧ୍ୟରୁ 48ଟି ଠିକ କାଗଜପତ୍ର ନ ଥିବାରୁ ଫେରି ଆସିଥିଲା ଲ ଜିଲ୍ଲାପାଳ ଶ୍ରୀ ଭାରଦ୍ୱାଜ ଓ ଶ୍ରୀରାଜ ଅଶୋକ ଫଇସଲା ହୋଇଥିବା ଅବସରପ୍ରାପ୍ତ କର୍ମଚାରୀଙ୍କ ଗ୍ରାଟୁଇଟି ଆଦେଶ ପ୍ରଦାନ କରିଥିଲେ।

ଏହି ପେନସନ ଅଦାଲତକୁ ଉପ ଜିଲ୍ଲାପାଳ ପ୍ରମିଳା ମଲ୍ଲିକ, ସ୍ୱତନ୍ତ୍ର ଅଧିକାରୀ ପୁରୁଷୋତ୍ତମ ବଳ, ବରିଷ୍ଠ ଲେଖା ଅଧିକାରୀ ମନୋରଞ୍ଜନ ପାଣିଗ୍ରାହୀ ଓ ସୁଶୀଲ ମିଶ୍ର ପରିଚାଳନା କରିଥିଲେ ଲ ଆଗାମୀ ଦିନରେ ଅନ୍ୟ ଜିଲ୍ଲା ମାନଙ୍କରେ ପେନସନ ଅଦାଲତ ଅନୁଷ୍ଠିତ ହେବ ବୋଳି ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ ପକ୍ଷରୁ ଜଣାଯାଇଛି।

Categories
ଆଞ୍ଚଳିକ

ବାରିପଦାରେ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସରେ ଜାତୀୟ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ପ୍ରତାପ ଜେନା

ବାରିପଦା, ଆଜି ବାରିପଦା ଠାରେ ୭୫ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ପଚାଂୟତିରାଜ , ପାନୀୟଜଳ , ଆଇନ , ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ଜେନା ଜାତିର ପିତା ମହାତ୍ମା ଗାନ୍ଧୀ ଓ ଅନ୍ୟ ବରପୁତ୍ର ମାନଙ୍କ ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଦେଶର ଅଖଣ୍ଡତା ଓ ଶାନ୍ତି ରକ୍ଷା ପାଇଁ ଶହୀଦ ହୋଇଥିବା ଅମର ଜବାନ ଏବଂ କରୋନା ଲଢେଇରେ ଶହୀଦ ହୋଇଥିବା କୋଭିଡ ଯୋଦ୍ଧା ମାନଙ୍କ ପ୍ରତି ମଧ୍ୟ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମୟୁରଭଂଜର ୯୪ଟି ଗାଁର ୧୫ ହଜାର ହେକ୍ଟର ଜମିକୁ ଗଲା ସୁବର୍ଣ୍ଣରେଖା ପାଣି, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ଆଜି ମୟୂରଭଞ୍ଜ ଜିଲ୍ଲାର ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର କେନାଲ ସିଷ୍ଟମରୁ ୧୫,୩୫୯ ହେକ୍ଟର ଚାଷ ଜମିକୁ ପାଣି ଛଡା ଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି। ଏହାଦ୍ଵାରା ମୟୂରଭଞ୍ଜ ଜିଲ୍ଲାର ବାରିପଦା, ବେତନଟୀ, ମୋରଡା, ଶୂଳିଆପଦା ଓ ରାସଗୋବିନ୍ଦପୁର ବ୍ଲକର ୯୪ଟି ଗ୍ରାମର ଚାଷ ଜମିକୁ ଜଳସେଚନର ସୁବିଧା ମିଳିଲା।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଆଜି ମୟୂରଭଞ୍ଜ ଜିଲ୍ଲା ଓ ସାରା ଓଡିଶା ପାଇଁ ଏକ ଆନନ୍ଦର ଦିନ। ଏହା ଦ୍ଵାରା ମୟୂରଭଞ୍ଜରେ ଜମିରେ ସୁନାର ଫସଲ ଫଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଦ୍ଵାରା ମୟୂରଭଞ୍ଜ ଓ ବାଲେଶ୍ଵରର ୧.୦୯ ଲକ୍ଷ ହେକ୍ଟର ଜମିକୁ ଜଳସେଚନର ସୁବିଧା ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୟୂରଭଞ୍ଜ ତାଙ୍କ ପାଇଁ ସ୍ଵତନ୍ତ୍ର ଗୁରୁତ୍ଵ ବହନ କରେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୟୂରଭଞ୍ଜରେ ସ୍ୱାସ୍ଥ୍ୟସେବାର ବିକାଶ ହେଉ ବା ମିଶନଶକ୍ତି କାର‌୍ୟ୍ୟର ସଫଳ ରୂପାୟନ ହେଉ ବା ଜନଜାତି ମାନଙ୍କର ବିକାଶ ସବୁ କ୍ଷେତ୍ରରେ ମୟୂରଭଞ୍ଜ ଆଜି ଉନ୍ନତି କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସବୁ ଘରକୁ ସବୁ ପରିବାରକୁ ପାଇପ ପାଣି ଯୋଗାଇବାରେ ଦେଶର ଅଳ୍ପ କେତେକ ଜିଲ୍ଲା ମଧ୍ୟରୁ ମୟୂରଭଞ୍ଜ ଦେଶର ପ୍ରଥମ ଜିଲ୍ଲା ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୟୂରଭଞ୍ଜରେ ପାଇପ ପାଣି ପ୍ରକଳ୍ପ ପାଇଁ ୭୬୮ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ବୋଲି ସେ ସୂଚନା ଦେଇଥିଲେ ।

ଜଳସେଚସନ ରାଜ୍ୟ ସରକାରଙ୍କର ଏକ ପ୍ରଥମିକତା କ୍ଷେତ୍ର ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଗାମୀ ଖରିଫ ଋତୁ ରୁ ଦେଓ ଜଳସେଚନ ପ୍ରକଳ୍ପରୁ ୧୦ ହଜାର ହେକ୍ଟର ଜମିକୁ ପାଣି ଯୋଗାଇ ଦିଆଯିବ । ଆଗାମୀ ୨-୩ ବର୍ଷ ମଧ୍ୟରେ ପ୍ରାୟ ୧୫ ଟି ଜଳସେଚନ ପ୍ରକଳ୍ପ ସଂପୂର୍ଣ୍ଣ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଜଳ ଏକ ଅମୂଲ୍ୟ ସମ୍ପଦ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏହାକୁ ନଷ୍ଟ ନ କରି ଠିକ ଭାବେ ବିନିଯୋଗ କରିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ସରକାର ସବୁବେଳେ ଚାଷୀଙ୍କ ସାଥିରେ ଅଛି ଓ ସେମାନଙ୍କ ଉନ୍ନତି ପାଇଁ କାମ କରୁଛି । କାଳିଆ ଯୋଜନାରେ ୬୭ ଲକ୍ଷ ଚାଷୀ ପରିବାର ଉପକାର ପାଉଛନ୍ତି ବୋଲି ପ୍ରକାଶ କରି ସେ କହିଥିଲେ ଯେ ସରକାରଙ୍କ ବିଭିନ୍ନ କୃଷିକଲ୍ୟାଣ କାଯ୍ୟକ୍ରମ ଯୋଗୁ ଚାଷୀ ଆଜି ସମ୍ମାନର ସହ ବଞ୍ଚି ପାରୁଛି। ଚାଷୀକୁ ତାର ହକ ଦେବା ଆମର ଲକ୍ଷ ଏବଂ ଚାଷୀର ହକ ମିଳିଲା ପର‌୍ୟ୍ୟନ୍ତ ଆମର ଲଢେଇ ଜାରି ରହିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପଞ୍ଚାୟତିରାଜ ଓ ପାନୀୟ ଜଳ , ଆଇନ , ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା କହିଥିଲେ ଯେ ମୟୂରଭଞ୍ଜର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଅନେକ ପଦକ୍ଷେପ ନେଉଛନ୍ତି । ଆଜିର ପ୍ରକଳ୍ପ ଦ୍ଵାରା ୨୦୨୪ ଜାନୁଆରୀ ସୁଧା ଜିଲ୍ଲାର ୭୦ ହଜାର ହେକ୍ଟର ଜମିକୁ ଜଳସେଚନର ସୁବିଧା ମିଳିପାରିବ ବୋଲି ସେ କହିଥିଲେ । ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ରାଜ୍ୟରେ ଜଳସେଚନ ପାଇଁ ବିଭାଗ ର ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଶ୍ରୀ ଭି.କେ. ପାଣ୍ଡିଆନ କାଯ୍ୟକ୍ରମର ପରିଚାଳନା କରିଥିଲେ ।
ମୟୂରଭଞ୍ଜ ଜିଲ୍ଲାପାଳ ସ୍ଵାଗତ ଭାଷଣ ଦେଇଥିଲେ ଏବଂ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ମୁଖ୍ୟ ଯନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ । କାଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର , ଉନ୍ନୟନ କମିଶନର ଶ୍ରୀ ପି କେ ଜେନା ଏବଂ ଜଳସଂପଦ ବିଭାଗ ପ୍ରମୁଖ ସଚିବ ଶ୍ରୀମତୀ ଅନୁ ଗର୍ଗ ଉପସ୍ଥିତ ଥିଲେ ।

Categories
ଫଟୋ ଖବର

ଜନ୍ମଦିନରେ ବାରିପଦା ରଘୁନାଥପୁର ହରିହର ମନ୍ଦିର ଦର୍ଶନ କରୁଛନ୍ତି ବିଧାୟକ ପ୍ରଣବ ପ୍ରକାଶ ଦାସ

ବାରିପଦା, ନିଜର ଜନ୍ମ ଦିନରେ ବିଧାୟକ, ବିଜେଡି ସାଧାରଣ ସମ୍ପାଦକ ଏବଂ ମୟୁରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ବାରିପଦା ରଘୁନାଥପୁର ହରିହର ମନ୍ଦିର ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି।