Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଦୀପାଳି ଦାସଙ୍କୁ ବିଜେପି କାହିଁକି ବାରମ୍ବାର ଆଘାତ ଦେଉଛି, କଣ ବିଜେପିରେ ସାମିଲ ହେବା ପାଇଁ ଇସାରା ?

ଭୁବନେଶ୍ବର: ଦୀର୍ଘ ମାସ ଧରି ସ୍ବର୍ଗତ ନବ ଦାସଙ୍କ ଝିଅ ତଥା ଝାରସୁଗୁଡାର ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କର ଏବେ ଶନି ଦଶା ଚାଲିଛି। କାରଣ ତାଙ୍କ ଉପରେ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ବାରମ୍ବାର ଆକ୍ରମଣ କରାଯାଉଛି। ଦୀପାଳି ଯେପରି ଲହୁଲୁହାଣ ହେବେ ସେ ନେଇ ଯୋଜନା ବଦ୍ଧ ଭାବେ ତାଙ୍କ ପଛରେ ବିଭିନ୍ନ ସରକାରୀ ଏଜେନ୍ସିକୁ ନିୟୋଜିତ କରାଯାଇଛି।

ବର୍ତ୍ତମାନ ତାଙ୍କୁ ଏବଂ ତାଙ୍କ ପରିବାରକୁ ଅପମାନିତ ହେବା ପରି ଯେଉଁ କାର୍ଯ୍ୟ କରାଯାଉଛି ତାହା ହେଲା ତାଙ୍କ ବାପା ନବ ଦାସଙ୍କ ହତ୍ୟାକାଣ୍ଡ। ଏହାକୁ ନେଇ ଦିନକୁ ଦିନ ରାଜନୈତିକ ବୟାନ ବାଜି ଚାଲିଛି। ବିଜେପି ନେତାମାନେ ଦୀପାଳି ଏବଂ ତାଙ୍କ ପରିବାରକୁ ଅପମାନିତ ହେବା ପରି ବୟାନ ଦେବାରେ ଲାଗିଛନ୍ତି। ଯାହାକୁ ନେଇ ଦୀପାଳିଙ୍କ ପରିବାର ବେଶ ମ୍ରିୟମାଣ ହେଉପଡୁଥିବାର ଅନୁମାନ କରାଯାଉଛି।

ତେବେ ସବୁ ବୟାନବାଜିକୁ ବଳିପଡିଲେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର। ସେ କହିଲେ ଯେ, ଦୀପାଳି ପଦ ଏବଂ ବ୍ୟବସାୟ ଲୋଭରେ ତାଙ୍କ ବାପାଙ୍କ ମୃତ୍ୟୁକୁ ଭୁଲିଗଲେ। ଏପରି କହିବା କେତେ ଦୂର ଯଥାର୍ଥତା ରହିଛି ତାହା ସାଧାରଣରେ ଅନୁମେୟ। ସେହିପରି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଲେ ଯେ, ସିବିଆଇ ତଦନ୍ତ ପାଇଁ ଦୀପାଳି ଲେଖିକି ଦେଲେ ତାହା କାର୍ଯ୍ୟକାରୀ ହେବ। ଏପରି କହି ବିଜେପି ନେତା ଦୀପାଳିଙ୍କୁ ଜଣଙ୍କ ପରେ ଜଣେ ଘେରିବାରେ ଲାଗିଛନ୍ତି।

ସେହିପରି ନବ ଦାସଙ୍କ ଭାଇ ବ୍ରଜକିଶୋର ଦାସଙ୍କ ଘରେ ମଧ୍ୟ ଆଇଟି ରେଡ ଆରମ୍ଭ ହୋଇଯାଇଛି। ଦୁଇଦିନ ଧରି ତାଙ୍କ ଘରେ ଚଢାଉ ଚାଲିଛି। ସେହିପରି ଦୀପାଳିଙ୍କ ଭାଇ ବିଶାଳ ଦାସଙ୍କୁ ଛତିଶଗଡ ପୋଲିସ ଅଟକ ରଖି ହଇରାଣ କରିବାରେ ଲାଗିଛି। ଯାହାକୁ ନେଇ ତାଙ୍କ ପରିବାର ଏପରି ପରିସ୍ଥିତିକୁ ସାମନା କରିବାକୁ ପଡୁଛି। ଆଗକୁ ମଧ୍ୟ ତାଙ୍କ ବ୍ୟବସାୟ ଉପରେ ଲୋଲୁପ ଦୃଷ୍ଟି ନ ପଡିବ ତାହା କହି ହେବ ନାହିଁ। ପୁଣି କିଛିଦିନ ପରେ ତାଙ୍କୁ ଆଉ କିଛି ମାମଲାରେ ଛନ୍ଦି ହେବାକୁ ପଡିବ ବୋଲି ଜଳଜଳ ଦେଖାଯାଉଛି।

ତେବେ ଏତେ ସବୁ କରିବା ପଛରେ ଗୋଟିଏ କାରଣ ହେଉଛି ଯେ, ଦୀପାଳି ବିଜେଡି ଛାଡି ବିଜେପିରେ ଯୋଗ ଦିଅନ୍ତୁ। କାରଣ ବିଜେପି ଅନୁଭବ କରିସାରିଲାଣି ଯେ, ଦୀପାଳିଙ୍କର ନେତୃତ୍ୟ ନେବାର ଦକ୍ଷତା ରହିଛି ଏବଂ ତାଙ୍କ ପାଖରେ ଦଳ ଚଳାଇବାରେ ପ୍ରଚୁର ପଇସା ମଧ୍ୟ ରହିଛି।

ଏପରିକି ଦୀପାଳି ଚାହିଁଲେ ଝାରସୁୁଗୁଡା ଜିଲ୍ଲା ସଂଗଠନକୁ ପୁରା ସମ୍ଭାଳି ପାରିବେ। ସେଥିପାଇଁ ବିଜେପି ତାଙ୍କୁ ଏବଂ ତାଙ୍କ ପରିବାର ବର୍ଗକୁ ହରଡ ଘଣାରେ ପକାଇବାରେ ଲାଗିଛି। ଏହିପରି ବାରମ୍ବାର ତାଙ୍କୁ ଆଘାତ ଦେଲେ ଦୀପାଳି ଛାଟିପିଟି ବିଜେପିରେ ସାମିଲ ହେବେ ବୋଲି ଦଳର ମୁଖିଆ ଆଶା ରଖିଛନ୍ତି। ତେବେ ଦୀପାଳି କେତେଦିନ ପର୍ଯ୍ୟନ୍ତ ଏହି ଆକ୍ରମଣକୁ ସାମନା କରିବେ ତାହା ହିଁ ସବୁଠାରୁ ବଡ ପ୍ରଶ୍ନ।

Categories
ଜାତୀୟ ଖବର ବିଶେଷ ଖବର

ନିର୍ବାଚନ ପାଇଁ ବିଜେପିର ନୂଆ ରଣନୀତି: ଏଥର ଆଗୁଆ ପ୍ରାର୍ଥୀ ତାଲିକା, ୫ଟି ଆସନକୁ ନେଇ ଏକ ୟୁନିଟ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ୫୦ ପ୍ରତିଶତରୁ ଅଧିକ ଭୋଟ ପାଇବାକୁ ଲକ୍ଷ୍ୟ ରଖିଥିବା ବିଜେପି ଏଥର ନୂଆ ରଣନୀତି ପ୍ରସ୍ତୁତ କରିବାକୁ ଯାଉଛି । କ୍ରମାଗତ ତୃତୀୟ ଥର ପାଇଁ କ୍ଷମତାକୁ ଫେରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ‘ମାଇକ୍ରୋ-ଲେଭଲ’ ଯୋଜନାର ନିର୍ବାଚନୀ ମନ୍ତ୍ରକୁ କାର୍ଯ୍ୟକାରୀ କରିବା ପାଇଁ ଦଳର ରଣନୀତିଜ୍ଞ ଗୃହମନ୍ତ୍ରୀ ଅମିତ ଶାହା ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସମ୍ପୂର୍ଣ୍ଣ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ଏଥର ୫ଟି ଲୋକସଭା ଆସନର କ୍ଲଷ୍ଟର ଗଠନ କରି ନିର୍ବାଚନ ରଣନୀତି ପ୍ରସ୍ତୁତ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

ନିର୍ବାଚନ ପ୍ରସ୍ତୁତି ଉପରେ ବିଚାର ବିମର୍ଶ

ପୂର୍ବରୁ ଦୁର୍ବଳ ଅଞ୍ଚଳରେ ଦମଦାର ପ୍ରଭାବ ପକାଇବାକୁ ଲକ୍ଷ୍ୟ ରଖିଥିବା ବିଜେପି ମଧ୍ୟ ଖୁବ୍ ଶୀଘ୍ର ପ୍ରାୟ ୧୬୦ଟି ଆସନ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ କରିବାକୁ ସଙ୍କେତ ଦେଇଛି। ଏହି ତାଲିକା ବିଧାନସଭା ଭଳି ଆଗୁଆ ପ୍ରକାଶ ପାଇବ। ବିଜେପି ରାଷ୍ଟ୍ରୀୟ ପଦାଧିକାରୀଙ୍କ ବୈଠକର ଦ୍ୱିତୀୟ ଦିନରେ ବିଭିନ୍ନ ଅଧିବେଶନରେ ନିର୍ବାଚନ ପ୍ରସ୍ତୁତି ଉପରେ ବିଚାର ବିମର୍ଶ ହୋଇଥିଲା।

ଶାହ, ନଡ୍ଡା ଓ ସାଂଗଠନିକ ସାଧାରଣ ସମ୍ପାଦକ ବିଏଲ ସନ୍ତୋଷ ନିଜ ନିଜ ବୟାନରେ କର୍ମକର୍ତ୍ତାମାନଙ୍କୁ ରଣନୀତି ବୁଝାଇଛନ୍ତି। ସମସ୍ତ ୫୪୩ ଲୋକସଭା ଆସନକୁ ୪ କିମ୍ବା ୫ଟି ଆସନକୁ ନେଇ ୟୁନିଟ ଗଠନ କରାଯିବ। ଦଳୀୟ ହାଇକମାଣ୍ଡଙ୍କ ଦ୍ୱାରା ସେମାନଙ୍କର ପୃଥକ୍‌ ବୈଠକ ଅନୁଷ୍ଠିତ ହେବ। ସେମାନଙ୍କ ସ୍ଥିତିର ତୀକ୍ଷ୍ଣ ସମୀକ୍ଷା ସହ ରଣନୀତିକୁ ଆଗକୁ ବଢ଼ାଯିବ।

ଦୁଇ ଲୋକସଭା ନିର୍ବାଚନରେ ବିଜେପି ବିଜୟୀ ହୋଇନଥିବା ପ୍ରାୟ ୧୬୦ଟି ଆସନରେ ଦଳ ଯଥାଶୀଘ୍ର ପ୍ରାର୍ଥୀ ଘୋଷଣା କରିପାରେ ବୋଲି ସୂଚନା ମିଳିଛି। ଜାନୁଆରି ଶେଷ ସୁଦ୍ଧା ଏହି ସବୁ ଆସନ ପାଇଁ ପ୍ରାର୍ଥୀ ଙ୍କ ନାମ ସ୍ଥିର ହୋଇଯିବ।

କଂଗ୍ରେସ ଭଳି ଦୁର୍ବଳତା ରହିବା ଉଚିତ ନୁହେଁ, ଜନସାଧାରଣଙ୍କ ସହ ଯୋଡ଼ି ହୋଇ ରୁହନ୍ତୁ
ଗୃହମନ୍ତ୍ରୀ ଶାହାଙ୍କ ଏହି ରଣନୀତି କେବଳ ନିର୍ବାଚନ ଜିତିବା ପାଇଁ ନୁହେଁ, ବରଂ ପ୍ରତ୍ୟେକ ବର୍ଗଙ୍କ ନିକଟରେ ପହଞ୍ଚିବା ଲକ୍ଷ୍ୟ ରହିଛି। ସେ ସେହି ଜାତିଗୋଷ୍ଠୀଙ୍କ ବିଷୟରେ ମଧ୍ୟ କହିଥିଲେ ଯେଉଁମାନେ ଗୋଟିଏ ଦଳର ସମାନ ନେତୃତ୍ୱ ସହିତ ଅଧିକ ସଂଯୁକ୍ତ ଏବଂ ବିଜେପି ସେମାନଙ୍କ ତୁଳନାରେ ସେହି ବର୍ଗରୁ କମ୍ ଭୋଟ ପାଇଥାଏ।

ଦଶନ୍ଧି ଧରି ବିଜେପିକୁ ଯେପରି କେହି ହଲାଇ ପାରିବେ ନାହିଁ ସେଥିପାଇଁ ଦଳର ପ୍ରତ୍ୟେକ ବର୍ଗଙ୍କ ନିକଟରେ ପହଞ୍ଚିବା ଜରୁରୀ ବୋଲି କୁହାଯାଇଥିଲା। ସଂଗଠନରେ କଂଗ୍ରେସ ଭଳି ଦୁର୍ବଳତା ରହିବା ଉଚିତ ନୁହେଁ ଯେ ଜନସାଧାରଣଙ୍କ ସହ କୌଣସି ସମ୍ପର୍କ ନାହିଁ।

ଜାନୁଆରୀ ସୁଦ୍ଧା ଟିମ୍ ଗଠନ କରାଯିବ

ସଂଗଠନର ବରିଷ୍ଠ ଅଧିକାରୀମାନଙ୍କୁ ରାଜ୍ୟ ନିର୍ବାଚନ ପରିଚାଳନା ଓ ଲୋକସଭା ନିର୍ବାଚନ ପରିଚାଳନାର ଟିମକୁ ଏପରି ଭାବେ ପ୍ରସ୍ତୁତ କରିବାକୁ କୁହାଯାଇଛି ଯେ ଭୋଟ ଗଣତି ସମୟରେ କେଉଁ କର୍ମୀଙ୍କୁ ଏଜେଣ୍ଟଭାବେ ପଠାଯିବ ତାହା ଉଲ୍ଲେଖ କରାଯିବ। ଜାନୁଆରି ସୁଦ୍ଧା ଦଳ ଗଠନ କାର୍ଯ୍ୟ ଶେଷ ହେବା ଦରକାର। ଦଳ ଦୁର୍ବଳ ଥିବା ସ୍ଥାନରେ ଏବେଠାରୁ ବୈଠକ ଆରମ୍ଭ କରାଯିବା ସହ ଜନଆଲୋଚନା କାର୍ଯ୍ୟକ୍ରମକୁ ଅଧିକରୁ ଅଧିକ କରିବାକୁ ରଣନୀତିରେ ଉଲ୍ଲେଖ ରହିଛି। ଶକ୍ତିଶାଳୀ, ଦୁର୍ବଳ ଓ ହାରାହାରି ସିଟ୍ ର ଗ୍ରେଡିଂ ଆଧାରରେ ଏହି କାର୍ଯ୍ୟ ସମ୍ପାଦନ କରାଯିବ।