Categories
ବିଶେଷ ଖବର ରାଜ୍ୟ ଖବର

ସରକାରୀ ବିଜ୍ଞାପନରେ ଶଙ୍ଖ ଚିହ୍ନକୁ ନେଇ ବିରୋଧୀଙ୍କ ଅଭିଯୋଗ, ଜବାବ ରଖିଲା ବିଜେଡି

ଭୁବନେଶ୍ୱର: ଆଜି ରାଜ୍ୟ ସରକାରଙ୍କ ତରଫରୁ ପ୍ରକାଶିତ ଏକ ବିଜ୍ଞାପନରେ ଶଙ୍ଖ ଚିହ୍ନ ରହିଥିବା  ନେଇ ବିରୋଧ କରିଛନ୍ତି ବିରୋଧୀ। ସରକାରଙ୍କ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମକୁ ବିଭିନ୍ନ ଖବରକାଗଜରେ ବିଜ୍ଞାପନ ଦିଆଯାଇଛି। ସେଥିରେ ଶଙ୍ଖର ଏକ ଗ୍ରାଫିକାଲ ଚିତ୍ର ପ୍ରଦାନ କରାଯାଇଛି। ଯାହାକୁ ନେଇ ବିଜେପି ପ୍ରଶ୍ନ ଉଠାଇଛି।

ବିଜେପି କହିଛି ଯେ, ସରକାରୀ ବିଜ୍ଞାପନରେ କଣ ପାଇଁ ବିଜୁ ଜନତା ଦଳର ଶଙ୍ଖ ଚିହ୍ନକୁ ସ୍ଥାନିତ କରାଯାଇଛି। ସରକାରୀ ବିଜ୍ଞାପନରେ ଦଳୀୟ ପ୍ରଚାର ଅଗଣତାନ୍ତ୍ରିକ ବୋଲି ବିଜେପି ଅଭିଯୋଗ କରିଛି। ବିରୋଧୀଦଳର ନେତା ଜୟନାରାୟଣ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସରକାରୀ ବିଜ୍ଞାପନରେ ଦଳୀୟ ଚିହ୍ନର ବ୍ୟବହାର ଘୃଣ୍ୟ ପରମ୍ପରା, ବେଆଇନ ବୋଲି କହିଛନ୍ତି।

ତେବେ ଏହାର ଜବାବ ଦେଇଛି ବିଜେଡି। ଦଳ କହିଛି ଯେ, ” ଶଙ୍ଖ – ଓଡିଆ ଜାତି ଓ ସଂସ୍କୃତିର ଅବିଛେଦ୍ୟ ଅଙ୍ଗ। ଆମ ପରମ୍ପରା ଅନୁସାରେ ସବୁ ଶୁଭ କାର୍ଯ୍ୟ ଆରମ୍ଭରେ “ଶଙ୍ଖ’ ବଜାଯାଏ। ରାଜ୍ୟ ବିଜେପି ନେତା କଣ ଚାହୁଁଛନ୍ତି ଏହା ବନ୍ଦ ହେଉ? ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କ୍ଷେତ୍ରକୁ ଶଙ୍ଖକ୍ଷେତ୍ର କୁହାଯାଏ। ଏହାର ନାମ ପରିବର୍ତ୍ତନ କରିବାକୁ କଣ ବିରୋଧୀ ଦଳ ଚାହୁଁଛନ୍ତି କି ବୋଲି କହିଛନ୍ତି ବିଜେଡିର ବରିଷ୍ଠ ବିଧାୟକ ଡକ୍ଟର ଅରୁଣ ସାହୁ।

ଡକ୍ଟର ସାହୁ କହିଛନ୍ତି ଯେ ଆମ ଓଡିଶା, ନବୀନ ଓଡିଶା – ଓଡିଶାର ଜନସାଧାରଣଙ୍କ ପାଇଁ କରାଯାଉଥିବା କାର୍ଯ୍ୟକ୍ରମ। ଜନତା ନିଜ ପଞ୍ଚାୟତରେ ଯେଉଁ ପ୍ରକଳ୍ପ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ, ତାକୁ ଏହି ଯୋଜନାରେ କାର୍ଯ୍ୟକାରୀ କରାଯାଉଛି। ଲୋକଙ୍କ ପାଇଁ ହେଉଥିବା ଭଲ କାମରେ ଶୁଭ ଶଙ୍ଖ ରହିଲେ ରାଜ୍ୟ ବିଜେପି ନେତାଙ୍କୁ କଷ୍ଟ କ’ଣ ପାଇଁ ହେଉଛି? ପ୍ରତି କଥାରେ ରାଜନୀତି କରିବା ବିରୋଧୀ ଦଳର ଅଭ୍ୟାସ ହୋଇଗଲାଣି।

ଓଡିଶାରେ ହେଉଥିବା ଦ୍ରୁତ ବିକାଶ ଜନତା ଦେଖୁଛନ୍ତି ଆଉ ଅନୁଭବ ମଧ୍ୟ କରୁଛନ୍ତି । ଯାହା ବିରୋଧୀଙ୍କୁ ଅସହ୍ୟ ହେଉଛି। ତେଣୁ ରାଜ୍ୟ ବିଜେପି ନେତା ଜନବିରୋଧୀ କାର୍ଯ୍ୟରେ ନିଜକୁ ସାମିଲ କରି ବିକାଶ ପ୍ରକ୍ରିୟାରେ ବାଧା ଆଣୁଛନ୍ତି। ସାଢେ ୪ କୋଟି ଓଡିଶାବାସୀ ଏଭଳି ଜନବିରୋଧୀଙ୍କୁ ଲଗାତାର ପ୍ରତ୍ୟାଖ୍ୟାନ କରି ଆସୁଛନ୍ତି ଏବଂ ଆଗକୁ ମଧ୍ୟ କରିବେ। ଯେଉଁଥିପାଇଁ ବିରୋଧୀ ଦଳ ହତାଶ ହୋଇଗଲେଣି ବୋଲି ଡକ୍ଟର ସାହୁ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଜୁଆ ଖେଳର ପ୍ରତ୍ୟକ୍ଷ ଓ ପରୋକ୍ଷ ବିଜ୍ଞାପନକୁ ଅନୁମତି ନଦେବାକୁ ଗଣମାଧ୍ୟମ ସଂସ୍ଥାକୁ ପରାମର୍ଶ

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆଜି ଗଣମାଧ୍ୟମ ସଂସ୍ଥା, ଅନଲାଇନ୍ ବିଜ୍ଞାପନ ମଧ୍ୟସ୍ଥ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ସମେତ ସବୁ ଅଂଶୀଦାରଙ୍କୁ କୌଣସି ରୂପରେ ବେଟିଂ/ଜୁଆ ଖେଳ ଉପରେ ବିଜ୍ଞାପନ/ପ୍ରଚାର ବିଷୟବସ୍ତୁ ପ୍ରସାରଣ କରିବା ଠାରୁ ତୁରନ୍ତ ଦୂରେଇ ରହିବାକୁ ପରାମର୍ଶ ଦେଇଛି । ଏହି ପରାମର୍ଶକୁ ପାଳନ ନକଲେ ଭାରତ ସରକାରଙ୍କ ପକ୍ଷରୁ ବିଭିନ୍ନ ଆଇନ ଅନୁଯାୟୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଜୁଆ ଆପ୍ ବ୍ୟବହାରକାରୀଙ୍କଠାରୁ ଯଥେଷ୍ଟ ଅର୍ଥ ଆଦାୟ କରିଥିବା ଏଜେଣ୍ଟମାନଙ୍କ ବିରୋଧରେ ନିକଟରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟାନୁଷ୍ଠାନର ଉଦାହରଣ ଦେଇ ମନ୍ତ୍ରଣାଳୟ କହିଛି ଯେ ଜୁଆ/ବେଟିଂ ପ୍ଲାଟଫର୍ମର ବିଜ୍ଞାପନ ଉପଭୋକ୍ତା, ବିଶେଷକରି ଯୁବବର୍ଗ ଏବଂ ପିଲାମାନଙ୍କ ପାଇଁ ଗମ୍ଭୀର ଆର୍ଥିକ ଏବଂ ସାମାଜିକ-ଆର୍ଥିକ ବିପଦ ସୃଷ୍ଟି କରିଥାଏ। ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ଏହି ବ୍ୟବସ୍ଥାର ବେଆଇନ ଅର୍ଥ କାରବାର ନେଟୱର୍କ ସହିତ ସମ୍ପର୍କ ରହିଛି, ଯାହା ଦେଶର ଆର୍ଥିକ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରୁଛି।

ମନ୍ତ୍ରଣାଳୟ ନିଜର ମାର୍ଗଦର୍ଶିକାରେ କହିଛି ଯେ ଏସବୁ ବେଆଇନ କାର୍ଯ୍ୟ ସହିତ ଏଭଳି ବିଜ୍ଞାପନ ପାଇଁ କଳାଧନ ବ୍ୟବହାର କରାଯିବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି। ବିଜ୍ଞାପନ ମଧ୍ୟସ୍ଥ ଏବଂ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ସମେତ କେତେକ ଗଣମାଧ୍ୟମ ସଂସ୍ଥା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଭଳି ପ୍ରମୁଖ କ୍ରୀଡ଼ା ଇଭେଣ୍ଟରେ ବେଟିଂ ଏବଂ ଜୁଆ ପ୍ଲାଟଫର୍ମର ପ୍ରତ୍ୟକ୍ଷ ଓ ପରୋକ୍ଷ ବିଜ୍ଞାପନକୁ ଅନୁମତି ଦେଉଥିବା ମନ୍ତ୍ରଣାଳୟର ଦୃଷ୍ଟିକୁ ଆସିଛି । ଏହାବ୍ୟତୀତ ମନ୍ତ୍ରଣାଳୟ କହିଛି ଯେ ପ୍ରମୁଖ କ୍ରୀଡ଼ା ସମାରୋହ, ବିଶେଷ କରି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ସମୟରେ ଏଭଳି ବେଟିଂ ଏବଂ ଜୁଆ ପ୍ଲାଟଫର୍ମର ପ୍ରଚାର ପ୍ରସାର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ପ୍ରତିଯୋଗିତା କିଛି ଦିନ ପରେ ଆରମ୍ଭ ହେବାକୁ ଯାଉଛି ।

ବେଟିଂ/ଜୁଆ ପ୍ଲାଟଫର୍ମର ପ୍ରଚାର ପ୍ରସାର ନ କରିବାକୁ ଗଣମାଧ୍ୟମ ପ୍ଲାଟଫର୍ମକୁ ଚେତାବନୀ ଦେବା ପାଇଁ ମନ୍ତ୍ରଣାଳୟ ପରାମର୍ଶ ଜାରି କରିଛି। ଅନଲାଇନ୍ ବିଜ୍ଞାପନ ମଧ୍ୟସ୍ଥମାନଙ୍କୁ ମଧ୍ୟ ଭାରତୀୟ ଦର୍ଶକଙ୍କ ପ୍ରତି ଏଭଳି ବିଜ୍ଞାପନକୁ ଟାର୍ଗେଟ ନ କରିବାକୁ ପରାମର୍ଶ ଦିଆଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ୧୩.୦୬.୨୦୨୨, ୦୩.୧୦.୨୦୨୨ ଏବଂ ୦୬.୦୪.୨୦୨୩ରେ ଏହି ଉଦ୍ଦେଶ୍ୟରେ ମାର୍ଗଦର୍ଶିକା ଜାରି କରାଯାଇଥିଲା। ମାର୍ଗଦର୍ଶିକାରେ କୁହାଯାଇଥିଲା ଯେ ବେଟିଂ ଓ ଜୁଆ ଏକ ବେଆଇନ କାର୍ଯ୍ୟକଳାପ ଏବଂ ତେଣୁ କୌଣସି ଗଣମାଧ୍ୟମ ପ୍ଲାଟଫର୍ମରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଏଭଳି କାର୍ଯ୍ୟକଳାପର ବିଜ୍ଞାପନ/ପ୍ରୋତ୍ସାହନ ଉପଭୋକ୍ତା ସୁରକ୍ଷା ଆଇନ, ୨୦୧୯, ପ୍ରେସ୍ କାଉନସିଲ ଅଧିନିୟମ ୧୯୭୮ ଇତ୍ୟାଦି ସମେତ ବିଭିନ୍ନ ଆଇନର ଉଲ୍ଲଂଘନ କରୁଛି।

ଅଧିକନ୍ତୁ, ସୂଚନା ପ୍ରଯୁକ୍ତି (ମଧ୍ୟସ୍ଥ ନିର୍ଦ୍ଦେଶାବଳୀ ଏବଂ ଡିଜିଟାଲ ମିଡିଆ ନୈତିକତା ସଂହିତା) ନିୟମ, ୨୦୨୧ର ନିକଟରେ ସଂଶୋଧିତ ନିୟମ ୩(୧) (ବି) ରେ ବ୍ୟବସ୍ଥା ରହିଛି ଯେ ମଧ୍ୟସ୍ଥମାନେ ନିଜ ଆଡ଼ୁ ଯଥାର୍ଥ ପ୍ରୟାସ କରିବେ ଏବଂ ଏହାର କମ୍ପ୍ୟୁଟର ସମ୍ବଳକୁ ଉପଯୋଗ କରୁଥିବା ଉପଭୋକ୍ତାଙ୍କ ଉଦ୍ଦେଶ୍ୟରେ ଏପରି କୌଣସି ସୂଚନା ହୋଷ୍ଟ, ପ୍ରଦର୍ଶନ, ଅପଲୋଡ୍, ସଂଶୋଧନ, ପ୍ରକାଶ, ପ୍ରସାରଣ, ଷ୍ଟୋର୍, ଅପଡେଟ୍ କିମ୍ବା ଶେୟାର କରିବେ ନାହିଁ ଯାହାଏକ ଅନଲାଇନ୍ ଗେମ ପ୍ରକୃତିର ହୋଇଥିବ ଏବଂ ଏକ ଅନୁମୋଦିତ ଅନଲାଇନ୍ ଗେମ୍ ଭାବରେ ମାନ୍ୟତା ଲାଭ କରିନଥିବ; (x) ଅନୁମତିପ୍ରାପ୍ତ ଅନଲାଇନ ଗେମ୍‌ ପ୍ରକୃତିର ହୋଇନଥିବା ଏକ ଅନଲାଇନ ଗେମ ଅଥବା ଏପରି ଅନଲାଇନ ଗେମ୍‌ର ପ୍ରସ୍ତାବ ଦେଉଥିବା ଯେକୌଣସି ଅନଲାଇନ ଗେମ୍‌ ମଧ୍ୟସ୍ଥଙ୍କର ପ୍ରଚାର କରୁଥିବା ବିଜ୍ଞାପନ କିମ୍ବା ଛଦ୍ମ ବିଜ୍ଞାପନ ପ୍ରସାରଣ କରିବେ ନାହିଁ।

Categories
ଅପରାଧ ଆଜିର ଖବର ଖେଳ ଜାତୀୟ ଖବର ବ୍ୟବସାୟ

ବିଜ୍ଞାପନରେ ବେଆଇନ ଭାବେ ନାମ, ଫଟୋ ଏବଂ ସ୍ଵର ବ୍ୟବହାର ମାମଲା: FIR କଲେ ସଚିନ ତେନ୍ଦୁଲକର

ମୁମ୍ବାଇ: ଅଜ୍ଞାତ ବ୍ୟକ୍ତିଙ୍କ ଦ୍ଵାରା ନାମ, ସ୍ୱର ଏବଂ ଫଟୋ ବେଆଇନ ବ୍ୟବହାର କରିଥିବାରୁ କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ମୁମ୍ବାଇରେ ଏଫଆଇଆର ଦାଖଲ କରିଛନ୍ତି। ସଚିନ ତେନ୍ଦୁଲକର ଶୁକ୍ରବାର ମୁମ୍ବାଇ ସାଇବର ସେଲରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ମୁତାବକ, ମାଷ୍ଟର ବ୍ଲାଷ୍ଟର କହିଛନ୍ତି ଯେ, ତାଙ୍କ ଅନୁମତି ବିନା ଡାକ୍ତରୀ ଉତ୍ପାଦକ ପ୍ରୋତ୍ସାହିତ କରିବା ପାଇଁ ବିଜ୍ଞାପନରେ ତାଙ୍କ ଫଟୋ, ତାଙ୍କ ନାମ ଏବଂ ସ୍ୱର ଜାଲିଆତି କରାଯାଇଛି। ଅନଲାଇଇନ୍ ରେ ଉତ୍ପାଦ ଏବଂ ସେବା କିଣିବା ପାଇଁ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ଏହି ବିଜ୍ଞାପନଗୁଡିକ ଠକାମିରେ ବ୍ୟବହୃତ ହୋଇଛି ବୋଲି ସଚିନ ଅଭିଯୋଗ କରିଛନ୍ତି। ପ୍ରକାଶ ଥାଉ କି ସଚିନ୍ ତେନ୍ଦୁଲକରଙ୍କ ଛବିର ଅପବ୍ୟବହାରର ଅନେକ ମାମଲା ସାମ୍ନାକୁ ଆସିଛି।

SRT ସ୍ପୋର୍ଟସ୍ ଏକ ଟୁଇଟ୍ ମାଧ୍ୟମରେ ଏହି ସୂଚନା ଦେଇଛି। ସଚିନ ନିଜେ ମଧ୍ୟ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ଏହି ଟ୍ୱିଟକୁ ରିଟ୍ୱିଟ କରିଛନ୍ତି।

ମୁମ୍ବାଇ ସାଇବର ସେଲରେ ରଖାଯାଇଥିବା ଏଫ୍ଆଇଆର୍ ଅନୁଯାୟୀ, ତେନ୍ଦୁଲକର ଏଭଳି କୌଣସି ଉତ୍ପାଦକୁ ସମର୍ଥନ କରୁନାହାଁନ୍ତି। କିନ୍ତୁ ଲୋକଙ୍କୁ ଛଳନା କରିବା ପାଇଁ ତାଙ୍କର ଚିତ୍ର ଏବଂ ସ୍ୱରର ଅପବ୍ୟବହାର କରାଯାଉଛି। ମୁମ୍ବାଇ ପୋଲିସର ସାଇବର ସେଲ୍ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ୪୨୦, ୪୬୫ ଏବଂ ୫୦୦ ଆଇପିସି ଅଧୀନରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Categories
ବିଶେଷ ଖବର

ଅନଲାଇନ ଜୁଆ ଖେଳର ପ୍ରଚାର କରୁଥିବା ବିଜ୍ଞାପନ ବନ୍ଦ କରିବାକୁ ସୂଚନା ପ୍ରସାରଣ ମନ୍ତ୍ରଣାଳୟର ପରାମର୍ଶ

ନୂଆଦିଲ୍ଲୀ: ଅନଲାଇନ ଜୁଆ ଖେଳ ପରିଚାଳନା କରୁଥିବା ପ୍ଲାଟଫର୍ମ ସମ୍ପର୍କରେ ପ୍ରଚାର ଓ ପ୍ରସାର କରୁଥିବା ବିଜ୍ଞାପନ ବନ୍ଦ କରିବା ଲାଗି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି। ଦେଶର ସବୁ ଛାପା, ବୈଦ୍ୟୁତିକ ଏବଂ ଡିଜିଟାଲ ଗଣମାଧ୍ୟମ ଉଦ୍ଦେଶ୍ୟରେ ମନ୍ତ୍ରଣାଳୟ ପକ୍ଷରୁ ଏହି ମାର୍ଗଦର୍ଶିକା ଜାରି ହୋଇଛି। ବର୍ତ୍ତମାନ ସମୟରେ ବିଭିନ୍ନ ଛାପା, ବୈଦ୍ୟୁତିକ, ସାମାଜିକ ଓ ଅନଲାଇନ ଗଣମାଧ୍ୟମରେ ଅନଲାଇନ ବେଟିଂ (ଜୁଆ ଖେଳ) ପରିଚାଳନା କରୁଥିବା ୱେବସାଇଟ/ପ୍ଲାଟଫର୍ମ ସମ୍ପର୍କରେ ସଂଖ୍ୟାଧିକ ବିଜ୍ଞାପନର ପ୍ରଚାରପ୍ରସାର କରାଯାଉଥିବା ଦେଖିବାକୁ ମିଳୁଛି। ଏହାକୁ ଦୃଷ୍ଟିରେ ରଖି ମନ୍ତ୍ରଣାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି।

ଦେଶର ଅଧିକାଂଶ ଭାଗରେ ଜୁଆ ଖେଳ ଓ ସଟ୍ଟାବାଜିକୁ ବେଆଇନ ଘୋଷଣା କରାଯାଇଛି। ଏହା ସାଧାରଣ ଉପଭୋକ୍ତା, ବିଶେଷ କରି ଯୁବବର୍ଗ ଏବଂ ପିଲାମାନଙ୍କ ଉପରେ ଗମ୍ଭୀର ଆର୍ଥିକ ଓ ସାମାଜିକ ପ୍ରଭାବ ପକାଇଥାଏ ବୋଲି ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି। ଏଥିରେ ଆହୁରି କୁହାଯାଇଛି ଯେ ଅନଲାଇନ ଜୁଆ ଖେଳ ସମ୍ପର୍କରେ ପ୍ରସାରିତ ହେଉଥିବା ବିଜ୍ଞାପନ ଏହି ବେଆଇନ କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ଭଳି ପ୍ରଭାବ ପକାଉଛି। ଅନଲାଇନ ବେଟିଂ ଉପରେ ଏହି ବିଜ୍ଞାପନଗୁଡ଼ିକ ବିଭ୍ରାନ୍ତିକର ଏବଂ ଏଥିରେ ଉପଭୋକ୍ତା ସୁରକ୍ଷା ଆଇନ ୨୦୧୯ର ନିୟମକୁ ଉଲ୍ଲଙ୍ଘନ କରାଯାଉଛି। ଏହାବ୍ୟତୀତ  କେବୁଲ ଟେଲିଭିଜନ ନେଟୱର୍କ ନିୟନ୍ତ୍ରଣ ଆଇନ, ୧୯୯୫ ଅଧୀନରେ ଧାର୍ଯ୍ୟ ବିଜ୍ଞାପନ ସଂହିତାକୁ ମଧ୍ୟ ଏସବୁ ବିଜ୍ଞାପନରେ ପାଳନ କରାଯାଉନାହିଁ। ଅନୁରୂପ ଭାବେ ପ୍ରେସ କାଉନସିଲ ଆଇନ ୧୯୭୮ ଅଧୀନରେ ପ୍ରେସ କାଉନସିଲ ଅଫ ଇଣ୍ଡିଆ ଦ୍ବାରା ନିର୍ଦ୍ଧାରଣ କରାଯାଇଥିବା ସାମ୍ବାଦିକ ଆଚରଣ ସଂହିତା ଅଧୀନରେ ବିଜ୍ଞାପନ ମାନଦଣ୍ଡକୁ ମଧ୍ୟ ଏପରି ବିଜ୍ଞାପନରେ ଉଲ୍ଲଙ୍ଘନ କରାଯାଉଥିବା ମନ୍ତ୍ରଣାଳୟର ମାର୍ଗଦର୍ଶିକାରେ କୁହାଯାଇଛି।

ବ୍ୟାପକ ଜନହିତରେ ଏହି ମାର୍ଗଦର୍ଶିକା ଜାରି କରାଯାଇଛି ଏବଂ ଅନଲାଇନ ବେଟିଂ ପ୍ଲାଟଫର୍ମର ବିଜ୍ଞାପନ ପ୍ରସାରଣ ଠାରୁ ଦୂରେଇ ରହିବା ଲାଗି ଛାପା, ବୈଦ୍ୟୁତିକ ଗଣମାଧ୍ୟମକୁ ଏଥିରେ ପରାମର୍ଶ ଦିଆଯାଇଛି। ଭାରତରେ ଏବଂ ଭାରତୀୟ ଦର୍ଶକଙ୍କ ଉଦ୍ଦେଶ୍ୟରେ ଏପରି ବିଜ୍ଞାପନ ପ୍ରଚାରପ୍ରସାର ନକରିବା ଲାଗି ଅନଲାଇନ ବିଜ୍ଞାପନ ମଧ୍ୟସ୍ଥ (ଇଣ୍ଟରମିଡିଆରିଜ) ଏବଂ ପ୍ରକାଶକଙ୍କ ସମେତ ଅନଲାଇନ ଓ ସାମାଜିକ ଗଣମାଧ୍ୟମକୁ ମଧ୍ୟ ମାର୍ଗଦର୍ଶିକାରେ ପରାମର୍ଶ ଦିଆଯାଇଛି।

ଏଥିପୂର୍ବରୁ ଅନଲାଇନ ଗେମିଂର ବିଜ୍ଞାପନ କ୍ଷେତ୍ରରେ ଭାରତୀୟ ବିଜ୍ଞାପନ ମାନକ ପରିଷଦ (ଏଏସସିଆଇ)ର ମାର୍ଗଦର୍ଶିକା ଅନୁସରଣ କରିବା ଲାଗି ୪ ଡିସେମ୍ବର, ୨୦୨୦ରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଥିଲା। ଅନଲାଇନ ଗେମିଂର ଛାପା ଏବଂ ଅଡିଓ-ଭିଜୁଆଲ ବିଜ୍ଞାପନ ପ୍ରସାରଣ ପାଇଁ କ’ଣ କରିବା ଉଚିତ୍‌ ଏବଂ କ’ଣ ନକରିବା ଉଚିତ୍‌ ତାହା ଏହି ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଥିଲା।

 ବିସ୍ତୃତ ମାର୍ଗଦର୍ଶିକା ପଢ଼ିବା ପାଇଁ ନିମ୍ନ ଲିଙ୍କରେ କ୍ଲିକ୍‌ କରନ୍ତୁ :

https://mib.gov.in/sites/default/files/Advisory%20on%20online%20betting%20advertisements%2013.06.2022%282%29_0.pdf

Categories
ବିଶେଷ ଖବର ମନୋରଂଜନ

ମୂଲ୍ୟବୋଧ ବିଜ୍ଞାପନ ପ୍ରଚାରର ଦୁଇଟି ଉଦାହରଣ, ବିଜୁ ପଟ୍ଟନାୟକ ଆଉ ଅକ୍ଷୟ ମହାନ୍ତି

ପ୍ରଦୀପ ମହାନ୍ତି

ଏବେ ଏଇ କିଛି ଦିନ ପୂର୍ବେ ଅମିତାଭ ବଚନ ଗୋଟେ ପାନ ମସଲା (କମଳା ପସନ୍ଦ )ପାଇଁ ଵିଜ୍ଞାପନ କରି ସମାଲୋଚିତ ତଥା ଲୋକହସା ହେବା ପରେ ସେ ସେଥିରୁ ବାଧ୍ୟ୍ୟ ହେଲେ ଓହରି ଯିବାପାଇଁ! ମୋ ଭଳି ଅନେକ ଅମିତାଭ ପ୍ରେମୀ ତାଙ୍କର ଏତାଦୃଶ କାର‌୍ୟ୍ୟ କଳାପ ପାଇଁ ବିରକ୍ତ ଓ ବ୍ୟଥିତ ହେବା ସ୍ୱାଭାବିକ।

ବିଗ-ବି ବୋଲାଉଥିବା ସୁପର ମେଗା ଷ୍ଟାର ଅମିତାଭ ବଚନ ଏମିତି ମର୍ଯ୍ୟଦାହୀନ କାମ କାହିଁକି କରୁଥିଲେ ତାହା ଏକ ସମ୍ବେଦନଶୀଳ ଅଧ୍ୟାୟ। ଏକଥା ସତ କି ବିଗ୍-ବି କମ୍ପାନୀ ପ୍ରତିଷ୍ଠା କରି ଦେବାଳିଆ ହେଲାପରେ ସେ ପୁରାପୁରି ଭାଙ୍ଗି ପଡ଼ିଥିଲେ.. ବିଭିନ୍ନ ବ୍ୟାଙ୍କରୁ ଆଣିଥିବା କୋଟି କୋଟି ଟଙ୍କାର ଋଣ ସୁଝି ନପାରିବାର ଅସହାୟତା ତାଙ୍କ ପାଇଁ ଥିଲା ଏକ ମସ୍ତବଡ଼ ଆହ୍ୱାନ! ଘଟଣାକ୍ରମେ ସେ “କୌନ ବନେଗା କରୋଡ଼ପତି” ଭଳି ରିୟଲିଟି ସୋ’ରେ ଆଙ୍କରିଂ କରି ପୁନଶ୍ଚ କରୋଡ଼ପତି ହେଇଗଲେ!! ତା’ପରଠୁ ତାଙ୍କର ସେକେଣ୍ଡ ଇନିଂସ ଆରମ୍ଭ ହେଇଗଲା ଏବଂ ତା’ ପରଠୁଁ ସେ ଆଉ ପଛକୁ ଫେରି ନାହାନ୍ତି କ୍ଷ

କେବିସିର ରେ ଉପସ୍ଥାପନା ସହିତ ଅନେକ ବଛା ବଛା ସିନେମାରେ ତାଙ୍କର ଔଜଲ୍ୟପୂର୍ଣ୍ଣ ଅଭିନୟ ତାଙ୍କ ଗୌରବାଜ୍ଜଳ ଇମେଜକୁ ବଜାୟ ରଖିପାରିବାରେ ସମର୍ଥ ହେଇପାରିଲା। ତା’ପରଠୁଁ ଭଳିକି ଭଳି ଵିଜ୍ଞାପନ ଫିଲ୍ମରେ ଅଭିନୟ କରି ସେ ପ୍ରଚୁର ଅର୍ଥ ଉପାର୍ଜ୍ଜନ କରି ଚାଲିଛନ୍ତି କ୍ଷ ସିଏ ତେଲ ମାଲିସ ହଉ କି ସୁନା ଗହଣା ବିକା ହେଉ, ଅଧିକାଂଶ ଆଡ୍ ରେ ଅମିତାଭଙ୍କୁ ଭିନ୍ନ ଭିନ୍ନ ଭୂମିକାରେ ଦେଖିବାକୁ ମିଳୁଛି।

ଏଇ ଅଣାଅଶୀ ବର୍ଷ ବୟସରେ ତାଙ୍କର ଆକର୍ଷଣ ଓ ଲୋକପ୍ରିୟତା ଅପ୍ରତିହତ ରହିବା କିଛି କମ କଥା ନୁହେଁ!! ଅନ୍ୟ ଷ୍ଟାର ମାନଙ୍କ ପାଖରେ ସେ ନିଶ୍ଚୟ ଇର୍ଷଣୀୟ ହେଇ ପଡିଛନ୍ତି ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ମତେ ଲାଗେ ଅନେକ କମ୍ପାନୀର ମାଲିକମାନେ ଅମିତାଭ ବଚ୍ଚନଙ୍କୁ ତାଙ୍କର ବ୍ରାଣ୍ଡ ଅମ୍ବାସାଡ଼ର କରିବାକୁ ଯେମିତି ପ୍ରତିଯୋଗୀତା କରୁଛନ୍ତି ଏବଂ ତାଙ୍କର ବହୁ ଦିନର ଅରମାନ ପୁରା କରୁଛନ୍ତି। ସେଥିପାଇଁ ସେମାନେ ୫-୧୦ କୋଟି ଟଙ୍କା ଯାଏ ଦେବାକୁ କୁଣ୍ଠାବୋଧ କରୁନାହାନ୍ତି!

ଏଇ ଘଟଣାରେ ସବୁଠୁଁ କ୍ଷୋଭ ଓ ପରିତାପର ବିଷୟ ହେଉଛି ତାଙ୍କର ଏଇ ସ୍ୱାସ୍ଥ୍ୟହାନୀ କାରକ ପାନ ମସାଲାର ଵିଜ୍ଞାପନ କରିବା!! ଯେଉଁଠି ତାଙ୍କ ଶୁଭେଛୁ ତଥା ପ୍ରଶଂସକ ମାନେ ତାଙ୍କୁ ଭାରତରତ୍ନ ଅବା ରାଷ୍ଟ୍ରପତି ଆସନରେ ଦେଖିବାକୁ ଭାବୁଛନ୍ତି, ସେଠି ଲଜ୍ଜାହୀନ ଲୋଭ ଦ୍ୱାରା ବଶବର୍ତ୍ତୀ ହେଇ ଅମିତାଭ ଏମିତି ନାଁ ପକା କାମ କରି ନିନ୍ଦିତ ହେବାଟା ଆଦୌ ସ୍ପୃହଣୀୟ ନୁହେଁ! ଯଦିଓ ସେ ଅପଯଶ ହେବା ଭୟରେ ଏଇ ଶସ୍ତା ଵିଜ୍ଞାପନରୁ ଓହରି ଯାଇଛନ୍ତି, ତଥାପି ତାଙ୍କ ଭଳି ଜଣେ ଲିଭିଙ୍ଗ ଲିଜେଣ୍ଡ ଏମିତି କରିବାର ନଥିଲା।

ଏଇ ପରିପ୍ରେକ୍ଷୀରେ ମୁଁ ଉତ୍ଥାପନ କରୁଛି ଆଉ ଦୁଇଜଣ ଦିବଂଗତ କିମ୍ବଦନ୍ତୀ ପୁରୁଷଙ୍କ କଥା.. ସେମାନେ ହେଲେ ଆମ ଅକ୍ଷୟ ମହାନ୍ତି ଓ ବିଜୁ ପଟ୍ଟନାୟକ।

୧୯୮୩-୮୪ ମସିହା କଥା.. ସେତେବେଳେ ଓଡ଼ିଶାରେ ପ୍ରଥମ ଵିଜ୍ଞାପନ ଫିଲ୍ମ ନିର୍ମାତା (ଉଇଙ୍କ ଫିଲ୍ମ ମେକର )ଭାବେ ଆମେ ଅନେକ ଆଡ୍ ଫିଲ୍ମ କରୁଥାଉ ଏବଂ ଓଡ଼ିଶାର ଅଧିକାଂଶ ପ୍ରସିଦ୍ଧ ଅଭିନେତା ଅଭିନେତ୍ରୀ ମାନେ ବିଭିନ୍ନ ପ୍ରଡକ୍ଟ ପାଇଁ ଅଭିନୟ କରୁଥାନ୍ତି ଏବଂ ସେସବୁ ସେତେବେଳେ ବିଭିନ୍ନ ସିନେମା ହଲରେ ରିଲିଜ ହେଉଥାଏ। ଥରେ ଓଡ଼ିଶା ବିଖ୍ୟାତ ଆକବର ଖାଁ ଗୁଡ଼ାଖୁ ପାଇଁ ଗୋଟେ ମିନିଟିକିଆ ଆଡ଼ ଫିଲ୍ମ କରିବାକୁ ଅଫର ଆସିଲା ଏବଂ ସେଥିପାଇଁ ମୁଁ ଅକ୍ଷୟ ମହାନ୍ତିଙ୍କୁ ପ୍ରଥମ ଥର ପାଇଁ ଏଇ ଅଡ଼ିଓ ଭିଜୁଆଲ ମିଡ଼ିଆରେ ଅଭିନୟ ପାଇଁ ପ୍ରସ୍ତାବ ଦେଲି, କାରଣ ଖୋକା ଭାଇ ଗୁଡ଼ାଖୁ ଘଷୁଥିଲେ ଏବଂ ଗୁଡ଼ାଖୁ ଘଷିବା ପରର ମିଞ୍ଜାସ ତାଙ୍କର ପୁରା ବିନ୍ଦାସ ହେଇଯାଉଥିଲା!!

ସେଇ ସମୟରେ ଗୀତ ଲେଖା, ସ୍ୱର ସଂଯୋଜନା ପୁରା ମାତିକି କରୁଥିଲେ! ମାନେ ପାନ ଖିଲେ କି ଟେଳାଏ ଗୁଡ଼ାଖୁରେ ସେ ଚଉଦ ଭୁବନ ଦେଖିପାରୁଥିଲେ କହିଲେ ଅତ୍ୟୁକ୍ତି ହେବନି!

ମୁଁ ସେଇ ତାଙ୍କର ଜୀବନଚର୍ଯ୍ୟା ମାନେ ଲାଇଫ ଷ୍ଟାଇଲକୁ ମୁଣ୍ଡରେ ରଖି ଗୋଟେ ରଫ ସ୍କ୍ରିପ୍ଟ କରିଦେଇ ପାର୍ଟିକୁ ଶୁଣାଇ ଦେଲି। ଆକବର ଖାଁ ପୁରା ଖୁସ୍ ହେଇଗଲେ ଏମିତିକା ଆଇଡ଼ିଆ ଶୁଣି…ପୁଣି ସୁପ୍ରସିଦ୍ଧ ସଂଗୀତଜ୍ଞ ଅକ୍ଷୟ ମହାନ୍ତି ଗୀତ ଗାଇବା ସହ ଏଥିରେ ଅଭିନୟ କରିବେ, ୟାଠୁଁ ବଳି ସୁଯୋଗ ଓ ଆକର୍ଷଣ ଆଉ କଣ ହେଇପାରେ?

ମୁଁ ଗୁଡ଼ାଖୁ କମ୍ପାନୀରୁ ସବୁଜ ସଂକେତ ପାଇ ଧାଇଁ ଗଲି ଖୋକା ଭାଇଙ୍କ ପାଖକୁ ଏ ବିଷୟରେ କଥା ପକ୍କା କରିବାକୁ ଏବଂ ସେ ସାଙ୍ଗେ ସାଙ୍ଗେ ରାଜି ହେଇଗଲେ କରିବାକୁ। ଗୀତ, ସଂଗୀତ, କଣ୍ଠ ପୁଣି ଅଭିନୟ ସବୁ ଏକାକାର ହେଇଯିବ ଗୋଟେ ମାଡ଼ରେ!!! ଏଇ ପ୍ରଡକ୍ସନ ନିମନ୍ତେ ଆମେ ୩୦ହଜାର ଟଙ୍କା ପାଇବାକୁ କମ୍ପାନୀ ସହିତ କଥା ଛିଣ୍ଡିଥିଲା ଏବଂ ମୁଁ ଖୋକାଇଙ୍କୁ ଏ ବାବଦରେ ୫୦୦୦ ଟଙ୍କା ଦେବାକୁ କହିଦେଲି। ମୁଁ ଜାଣିଥିଲି ସେ ବହୁତ ଖୁସି ହେଇଯିବେ ଏବଂ ହେଲେ ମଧ୍ୟ.. କାରଣ ସେ ସମୟରେ ଗୋଟେ ଓଡ଼ିଆ ଫିଲ୍ମରେ ମୁଖ୍ୟ ଅଭିନେତା, ଅଭିନେତ୍ରୀ ମାନେ ୩-୪ ହଜାର ଟଙ୍କା ଯାଏ ପାଉଥିଲା ବେଳେ ଅକ୍ଷୟ ମହାନ୍ତିଙ୍କ ପରି ଆଗ ଧାଡ଼ିର ମ୍ୟୁଜିକ ଡାଇରେକ୍ଟର ମାନେ ବି ପାଖାପାଖି ସେତିକି ପାଉଥିଲେ।

ଗୋଟେ ରଙ୍ଗୀନ ଓଡ଼ିଆ ଫିଲ୍ମର ବଜେଟ ସେତେବେଳେ ସମୁଦାୟ ୫-୬ଲକ୍ଷ ଭିତରେ ଥିଲା। ଏମିତିକା ସୁଆଦିଆ ଅଫର ପାଇ ଖୋକା ଭାଇ ତ ରାଜି ହେଇଯାଇଥିଲେ, ହେଲେ କିଛି ଦିନ ପରେ ମୁଁ ଯେତେବେଳେ ତାଙ୍କ ସହ ଫାଇନାଲ ସ୍କ୍ରିପ୍ଟ ଡିସ୍କସନ ପାଇଁ ଗଲି, ସେ ମୋ ସହ କେମିତି ଗୋଟେ ଦୋ ଦୋ ପାଞ୍ଚିଆ ହେଇ କଥା ବାର୍ତ୍ତା କଲେ.. ” ଶଳା ମୁଁ ଆକବର ଖାଁ ଗୁଡ଼ାଖୁ ପାଇଁ ଵିଜ୍ଞାପନ କଲେ ଲୋକମାନେ କଣ କହିବେ… ମୋ ପ୍ରେଷ୍ଟିଜ ରହିବ?? ନିତେଇଦା (ନିର୍ଦ୍ଦେଶକ ନିତାଇ ପାଲିତ ), ପ୍ରଶାନ୍ତ ନନ୍ଦ, ଦେବଦାସ ଏମାନେ ସବୁ ମତେ କମେଣ୍ଟ କରିବେନି.. ମୁଁ କଣ ସତରେ କରିବି ତୁ କହୁଚୁ….. ” ଖୋକାଇଙ୍କ ଏମନ୍ତ ରଙ୍ଗ ବଦଳା କଥା ଶୁଣି ମୁଁ ଟିକେ ଥତମତ ହେଇଗଲି ଓ କହିଲି, ” ତମେ ତ ସବୁଦିନ ଗୁଡ଼ାଖୁ ଘଷୁଛ ପୁଣି ଦି ତିନ ଥର ଲେଖାଁ, ଆଉ ଗୁଡ଼ାଖୁ ଵିଜ୍ଞାପନ ପାଇଁ ଡରୁଚ କିପାଇଁ ?”

ମୁଁ ଦେଖିଲି ଖୋକା ଭାଇକୁ ନ ମନେଇଲେ ଏତେ ଭଲ ବଜେଟର କାମଟା ହାତଛଡା ହେଇଯିବ କ୍ଷ ମୁଁ ଏଥର ଭାଉଜଙ୍କୁ ପଟେଇବାକୁ ଚେଷ୍ଟା କଲି.. ସେ କିନ୍ତୁ ତାଙ୍କର ଚିରାଚରିତ ମୁର୍କୀ ହସ ଫୁଟାଇ ଖୋକାଇଙ୍କ ଆଡ଼କୁ ଚାହିଁଲେ। ଖୋକାଇ କହିଲେ, ” ହଉ ତୁ ଯା.. କାଲି ଆଡ଼କୁ କଥା ହେବା.. ” ମୁଁ ସେଦିନ ଟିକେ ମନ ଊଣା କରି ପଳେଇ ଆସିଲି କ୍ଷ ଆସିଲା ବେଳେ ମନେ ମନେ ଭାବୁଥାଏ, ଦି ଚାରିଦିନ ମାତ୍ର କାମ କରି ପାଞ୍ଚ ହଜାର ପାଇବ, ସେଥିରେ ଏତେ କୁଂଥୁ କୁଂଥୁ କଣ ପାଇଁ କେଜାଣି!!

ତା’ର ଦି ଦିନ ପରେ ଫେର ଆସି ସକାଳୁ ସକାଳୁ ଖୋକାଭାଇଙ୍କ ଘରେ ହାଜର ହେଲି, ସେ ମତେ ଦେଖି ଦେଇ କହିଲେ, ” ନାଇଁ ପ୍ରଦୀପ ମୁଁ ଏ ଗୁଡ଼ାଖୁ ଆଡ୍ କରିବି ନାହିଁ.. ତୁ ଆଉ କାହାକୁ ନେଇଯା.. ମତେ ଆମର ବନ୍ଧୁ ବାନ୍ଧବ ମାନେ, ମୋ ଫ୍ୟାନ ମାନେ ଖରାପ ଭାବିବେ.. ତୁ କହିଲେ ମୁଁ ତା’ପାଇଁ ଗୀତ ଜିଙ୍ଗଲ କମ୍ପୋଜ କରିଦେବି, କିନ୍ତୁ ଆକ୍ଟିଙ୍ଗ କରିବି ନାହିଁ… ”

ଖୋକା ଭାଇଙ୍କର ଏମିତି ନାସ୍ତିବାଚକ କଥା ଶୁଣି ମୁଁ କିଛି ସମୟ ଭକୁଆ ବନିଗଲି ଓ କମ୍ପାନୀକୁ କଣ କହି ବୁଝେଇବି ମୋ ଅକଲ ଗୁଡ଼ୁମ ହେଇଗଲା! ସେତେବେଳେ ମୁଁ ଜାଣିବାରେ ଖୋକାଭାଇଙ୍କର ଆର୍ଥିକ ପରିସ୍ଥିତି ଠିକ୍ ନଥିଲା…୫୦୦ ଟଙ୍କାର ଟେଲିଫୋନ ବିଲ ଦେଇ ନପାରିଥିବାରୁ ତାଙ୍କ ଫୋନ ଲାଇନ କାଟି ଦିଆଯାଇଥିଲା, ସେଥିପାଇଁ ଥରେ ସେ ରାଗିକି ତାଙ୍କର ସେ କଳା ରଙ୍ଗର ଫୋନ ସେଟକୁ ତଳେ କଚାଡି ଭାଙ୍ଗି ଦେଇଥିଲେ!! ଏଭଳିଆ ଅଭାବ ଅନାଟନ ସତ୍ତ୍ୱେ ବି ସେ ନିଜର ମାନ ମର୍ଯ୍ୟଦା, ସ୍ୱାଭିମାନ ଛାଡୁନଥିଲେ। ଲୋଭରେ ପଡ଼ି କେବେବି ସେ ତାଙ୍କର ଭାବମୂର୍ତ୍ତିକୁ ବିକଳ କରିବାକୁ ଚାହୁଁ ନଥିଲେ। ନହେଲେ ୫୦୦ ଟଙ୍କା ଟେଲିଫୋନ ଦେୟ ଦେଇ ପାରୁନଥିବା ଜଣେ ମଣିଷ ୫୦୦୦ ଟଙ୍କା ରୋଜଗାରକୁ ଏଡ଼ାଇ ଯାଇନଥାନ୍ତେ!

ଏବେ ଆସନ୍ତୁ ଫେରିବା ୧୯୬୩-୬୪ ମସିହାକୁ… ବିଜୁ ପଟ୍ଟନାୟକଙ୍କ ଦ୍ୱାରା ପ୍ରତିଷ୍ଠିତ ଦୈନିକ ଖବର କାଗଜ “କଳିଙ୍ଗ” ସେତେବେଳେ ଘୋର ସଙ୍କଟ ଭିତର ଦେଇ ଗତି କରୁଥାଏକ୍ଷ ବିଜୁ ପଟ୍ଟନାୟକ ମାତ୍ର ଅଢ଼େଇ ବର୍ଷରୁ କମ୍ ସମୟ ମୁଖ୍ୟମନ୍ତ୍ରୀ ହେଇ ଇସ୍ତଫା ଦେଇସାରିଥାନ୍ତି। ନା ଅଛି କ୍ଷମତା ନା ଅଛି ଆର୍ଥିକ ସ୍ଵଛଳତା କ୍ଷ ସ୍ଵର୍ଗତ ସୁରେନ୍ଦ୍ର ମହାନ୍ତି ଥାଆନ୍ତି ସେତେବେଳେ କଳିଙ୍ଗର ସମ୍ପାଦକ।

ତାଙ୍କ ଆତ୍ମ ଜୀବନୀ “ପଥ ଓ ପୃଥିବୀ”ରେ ସେ ଲେଖିଛନ୍ତି ଏମିତି କିଛି ଅଜଣା ରୋଚକ କଥା… ଖବର କାଗଜ ପ୍ରକାଶନ ହେଉ କି ପତ୍ରପତ୍ରିକା, ଏସବୁକୁ ନିୟମିତ ରୂପେ ପ୍ରକାଶନ ଜାରି ରଖିବା ଏତେ ସହଜସାଧ୍ୟ ନୁହେଁ! କାଗଜ ବିକ୍ରୀ ଟଙ୍କାରେ ଲାଭ ନଥାଏ, ସେଥିପାଇଁ ଵିଜ୍ଞାପନ ଅର୍ଥ ଉପରେ ସବୁବେଳେ ନିର୍ଭରଶୀଳ ସବୁ ଖବରକାଗଜ। ସେତେବେଳେ ସମାଜ ଏକ ନମ୍ବର କାଗଜ ଭାବରେ ଗୁରୁତ୍ୱ ରଖୁଥାଏ ଏବଂ ପ୍ରାୟ ଵିଜ୍ଞାପନ ସମାଜକୁ ମିଳିଥାଏ। ତେବେ ସମାଜ କୌଣସି ଅରୁଚିକର ଅଥବା ତମାଖୁ ମାଦକଦ୍ରବ୍ୟ ଇତ୍ୟାଦିର ଵିଜ୍ଞାପନ ଗ୍ରହଣ କରୁନଥିଲା।

କଳିଙ୍ଗରେ ସଙ୍କଟ ଚାଲିଥିଲାବେଳେ ଆକସ୍ମିକ ଭାବେ ଆସିଲା ଗୋଟେ ସୁବର୍ଣ୍ଣ ସୁଯୋଗ… ମାକଡୁଏଲ ମଦ କମ୍ପାନୀ ତରଫରୁ ଚାରିଟା ଚଉଠ ପୃଷ୍ଠାର ଵିଜ୍ଞାପନ ଅର୍ଡର ଆସି ପହଁଚିଲା କଳିଙ୍ଗ ରେ ଚାରି ଥର ବାହାରିବାପାଇଁ କ୍ଷ ପ୍ରାୟ ୧୦ହଜାର ଟଙ୍କାର ଆୟ.. କିଛି କମ୍ କଥା ନୁହେଁ କ୍ଷ ମରୁଡ଼ିଆ ଅବସ୍ଥା ଭିତରେ ଧିମେଇ ଯାଇଥିବା କଳିଙ୍ଗ ପ୍ରେସରେ କେବେ କାଗଜ ଥିଲେ କାଳି ନାହିଁ,କେବେ କର୍ମଚାରୀ ମାନଙ୍କୁ ନିୟମିତ ଦରମା ଦେଇ ହେଉନି!!! ଏମିତି ଅଭାବନୀୟ ଅବସ୍ଥାରେ ଏଇ ମଦ ଵିଜ୍ଞାପନର ଅର୍ଡର ମରୁଭୂମିରେ ଓଏସିସ ପରି ଅନୁଭୁତ ହେଉଥିଲା କର୍ମଚାରୀଙ୍କ ମହଲରେ। ଯଥା ସମୟରେ ଏଇ ଖୁସି ଖବର ବିଜୁ ପଟ୍ଟନାୟକଙ୍କ କାନକୁ ଗଲା.. ସେ ବି ଖୁସି ହେଲେ ଏତେଦିନ ପରେ ଏତେ ବଡ଼ ଅର୍ଡର ଆସିଥିବାରୁ, ହେଲେ ପୁଣି ଆସିଲା ଧର୍ମସଙ୍କଟ.. ବିଜୁବାବୁ ଏଇ ମଦ ଵିଜ୍ଞାପନକୁ ଛାପିବେ ନା ନାହିଁ ଚିନ୍ତାରେ ପଡିଗଲେ।

ଏପଟେ ଅର୍ଥାଭାବର ଦୁରାବସ୍ଥା, ସେପଟେ ଵିଜ୍ଞାପନର ମୋଟା ଅର୍ଥର ଆକର୍ଷଣ କ୍ଷ ବାସ୍ତବ ଅବସ୍ଥା ଦୃଷ୍ଟିରୁ ସମସ୍ତେ ଚାହୁଁଥିଲେ ଏଇ ଵିଜ୍ଞାପନ ପ୍ରକାଶିତ ହେଉ, କିଛିଟା ତ ଉଶ୍ୱାସ ହେଇଯିବ ଅବସ୍ଥା। ଶେଷରେ କିନ୍ତୁ ବିଜୁବାବୁ ମନା କରିଦେଲେ ଏଇ ସରୋଗେଟ ମଦ ଵିଜ୍ଞାପନ ଛାପିବାକୁ!! ଜନହିତରେ ବା ଲୋକ କଲ୍ୟାଣ ବିପକ୍ଷରେ ଏହା ଯାଉଥିବାରୁ ବିଜୁ ପଟ୍ଟନାୟକ ରୋକଠୋକ ରିଫ୍ୟୁଜ କରିଦେଲେ। ଇଏ ହେଉଛି ମର୍ଯ୍ୟଦାର କଥା.. ମୂଲ୍ୟବୋଧର ଗାଥା.. ଏମିତି ଆଦର୍ଶକୁ ବଜାୟ ରଖିବା ଏକ ଅନନ୍ୟ ମହାନତା।

( ଲେଖକ ହେଉଛନ୍ତି ଜଣେ ବିଜ୍ଞାପନ ଚଳଚିତ୍ର ଜଗତର ପରିଚିତ ବ୍ୟକ୍ତିତ୍ବ, ଏହି ଲେଖାଟି ତାଙ୍କର ଫେସବୁକ ପୋଷ୍ଟିଂରୁ ଗ୍ରହଣ କରାଯାଇଛି। ତାଙ୍କର ଯୋଗାଯୋଗ ନମ୍ବର ହେଲା -୯୪୩୮୦୧୭୦୨୯ )

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ମନୋରଂଜନ

ପାନ ମସାଲାର ବିଜ୍ଞାପନରୁ ନିଜକୁ ଦୂରେଇ ରଖିଲେ ଅମିତାଭ ବଚ୍ଚନ: ଫେରାଇଲେ ଦେଲେ ପ୍ରଚାର ରାଶି

ମୁମ୍ବାଇ: ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ପାନ ମସାଲା ବ୍ରାଣ୍ଡ ପାଇଁ ବିଜ୍ଞାପନରୁ ନିଜକୁ ଦୂରେଇ ରଖିଛନ୍ତି। ଏହାର ପ୍ରଚାର ପାଇଁ ସେ ଯେଉଁ ରାଶି ପାଇଛନ୍ତି, ତାକୁ ମଧ୍ୟ ଅମିତାଭ ଫେରସ୍ତ କରିଛନ୍ତି। ୭୯ ବର୍ଷିୟା ଅଭିନେତା ଏକ ପାନ୍ ମସାଲା ବ୍ରାଣ୍ଡର ପ୍ରଚାର ପାଇଁ ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି। ତାଙ୍କର ଅନେକ ପ୍ରଶଂସକ ଏ ବିଷୟରେ ନିରାଶ ହୋଇଥିଲେ। ‘ଅମିତାଭ ବଚ୍ଚନ କାର୍ଯ୍ୟାଳୟ’ ଦ୍ୱାରା ପ୍ରକାଶିତ ଏକ ବ୍ଲଗ୍ ପୋଷ୍ଟରେ ରବିବାର ରାତିରେ କୁହାଯାଇଛି ଯେ, ସେ ଆଉ ଏହି ପ୍ରଚାର ସହ ଜଡିତ ନୁହଁନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ସିବିଆଇ ପଞ୍ଜାରେ ଖବରକାଗଜ ମାଲିକ, ସରକାରୀ ବିଜ୍ଞାପନ ହାତେଇବାରେ କରୁଥିଲେ ଠକେଇ

ନୂଆଦିଲ୍ଲୀ, ବିଜ୍ଞାପନ ନାମରେ ହୋଇଛି ଏକ ବଡ ଠକେଇ। ଖବରକାଗଜ ପ୍ରକାଶ କରୁଥିବା କହି କେତେକ ଖବରକାଗଜ ମାଲିକ ଦୀର୍ଘ ବର୍ଷ ଧରି ଠକେଇ କରିଆସୁଥିଲେ। ଯାହାକୁ ଧରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ। ଏଥିରେ ସୂଚନା ଓ ପ୍ରସାରଣ ବିଭାଗ ଅଧିନରେ ଥିବା ବ୍ୟୁରୋ ଅଫ ଆଉଟ ରିଚ୍ ଆଣ୍ଡ କମ୍ୟୁନିକେସନର କେତେକ ଅଧିକାରୀ ମଧ୍ୟ ସଂପୃକ୍ତ ଅଛନ୍ତି। ଏ ନେଇ ଖବରକାଗଜ ସହିତ ସଂପୃକ୍ତ ଥିବା ତିନି ଜଣଙ୍କ ନାମରେ ମାମଲା ଋଜୁ କରିଛି ସିବିଆଇ।

ଘଟଣାରୁ ଜଣାପଡିଛି ଯେ, ହରିଶ ଲାମ୍ବା, ଆରତୀ ଲାମ୍ବା ଏବଂ ଅଶୋକ କୁମାର 6ଟି ବିଭିନ୍ନ ଖବର କାଗଜ ପ୍ରକାଶିତ କରୁଛନ୍ତି। ସେଥି ମଧ୍ୟରୁ ତିନୋଟି ଖବରକାଗଜ ସରକାରୀ ବିଜ୍ଞାପନ ପାଇବା ପାଇଁ ବ୍ୟୁରୋ ଅଫ ଆଉଟ ରିଚ୍ ଆଣ୍ଡ କମ୍ୟୁନିକେସନ ବା ବିଓସି ର ଏମପ୍ୟାନେଲ କରାଇ ନେଇଛନ୍ତି। ଏହି ତିନୋଟି ଖବରକାଗଜ ହେଲା ଅର୍ଜୁନ ଟାଇମସ୍, ହେଲଥ ଅଫ ଭାରତ ଏବଂ ଦିଲ୍ଲୀ ହେଲଥ୍।

ସିବିଆଇ ତଦନ୍ତ କରିବା ପରେ ଜାଣିବାକୁ ପାଇଲା ଯେ, ଏହି ତିନୋଟି ଖବରକାଗଜ ବିଓସିରେ ଜାଲ କାଗଜ ପତ୍ର ଦେଇ ବିଜ୍ଞାପନ ହାସଲ ପାଇଁ ଯୋଗ୍ୟ ହୋଇଛନ୍ତି। ବିଓସିକୁ ଦେଇଥିବା କାଗଜପତ୍ରରୁ ଜଣାପଡିଲା ଯେ ଏହି ଖବରକାଗଜର ସର୍କୁଲେସନ ସଂଖ୍ୟା ହେଲା ଦୈନିକ ଦେଢ ଲକ୍ଷ। ପ୍ରତି ଖବରକାଗଜର ପୃଷ୍ଠା ସଂଖ୍ୟା ହେଲା ଆଠ। ହେଲେ ସିବିଆଇ ଯାଞ୍ଚ ପରେ ଅବଗତ ହେଲା ଯେ, ଏହି ଖବରକାଗଜ ସର୍କୁଲେସନ ସଂଖ୍ୟା ମାତ୍ର 150 ଖଣ୍ଡ।

ସେହିପରି ଏମାନେ 2017 ମସିହାରେ ବିଓସିକୁ ଜଣାଇଥିଲେ ଯେ, ଅର୍ଜୁନ ଟାଇମସ ଖବରକାଗଜର ପବ୍ଲିସର ହେଉଛନ୍ତି ଅଶୋକ କୁମାର ଏବଂ ମାଲିକ ହେଉଛନ୍ତି ହରିସ୍ ଲାମ୍ବା। ଏହି ପେପର ନୂଆଦିଲ୍ଲୀର ଡଲଫିନ ପେକ୍ଟୋଗ୍ରାଫି ପ୍ରେସର ଛପାଯାଉଛି। ହେଲେ ସିବିଆଇ ଏହି ପ୍ରେସ ଯାଞ୍ଚ କରିବା ପରେ ସେଠାରେ ଏହି ପେପର ଛପାଯାଉ ନ ଥିବାର ଜାଣିବାକୁ ପାଇଲେ। ହେଲେ ଅର୍ଜୁନ ଟାଇମସ ଦୈନିକ 25 ହଜାର 8ଶହ କପି ଛପାଯାଉଛି ବୋଲି ବିଓସିକୁ ରିପୋର୍ଟ ଦିଆଯାଇଥିଲା।

ହିସାବରୁ ଜଣାପଡିଛି ଯେ, ଏହି ଖବରକାଗଜ ଗତ 3 ବର୍ଷରେ 62 ଲକ୍ଷ ଟଙ୍କାର ସରକାରୀ ବିଜ୍ଞାପନ ନେଇଛି। ଏହା ସଂପୂର୍ଣ୍ଣ ଜାଲ ଖବରକାଗଜ ଜଣାପଡିବା ପରେ ସିବିଆଇ ଏମାନଙ୍କ ବିରୋଧରେ ମାମଲା ଋଜୁ କରିଛି। ଏପରିକି ବିଓସିର କେତେକ ଅଧିକାରୀଙ୍କ ବିରୋଧରେ ମଧ୍ୟ ମାମଲା ଋଜୁ ହୋଇଛି। ଏମାନେ ବିଓସି ଅଧିକାରୀଙ୍କୁ ହାତ କରି ବିଜ୍ଞାପନ ପାଇବା ପାଇଁ ଯୋଗ୍ୟ କରାଇଥିବାର ସିବିଆଇ ଜାଣିବାକୁ ପାଇଛି।

Categories
ଆଜିର ଖବର ଖେଳ ଜାତୀୟ ଖବର

ଅନଲାଇନ ଗେମିଂ ବିଜ୍ଞାପନ ପାଇଁ ଘରୋଇ ଟିଭି ଚ୍ୟାନେଲଗୁଡ଼ିକୁ ଗାଇଡଲାଇନ ଜାରି କଲା ଏଏସସିଆଇ

ନୂଆଦିଲ୍ଲୀ: ଘରୋଇ ଟିଭି ଚ୍ୟାନେଲରେ ପ୍ରଦର୍ଶିତ ହେଉଥିବା ଅନଲାଇନ ଗେମିଂ, ଫାଣ୍ଟାସି ସ୍ପୋର୍ଟସ ଆଦି ସହିତ ଜଡ଼ିତ ସମସ୍ତ ବିଜ୍ଞାପନରେ ଭାରତୀୟ ବିଜ୍ଞାପନ ମାନକ ପରିଷଦ (ଏଏସସିଆଇ) ପକ୍ଷରୁ ଜାରି କରାଯାଇଥିବା ଦିଶାନିର୍ଦ୍ଦେଶ ପାଳନ କରିବା ଲାଗି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି। ସମସ୍ତ ଘରୋଇ ଟିଭି ଚ୍ୟାନେଲକୁ ଏହି ମାର୍ଗଦର୍ଶିକାର ପାଳନ କରିବା ଲାଗି କୁହାଯାଇଛି। ବିଧି ଓ ଆଇନ ଦ୍ୱାରା ନିଷିଦ୍ଧ କୌଣସି ପ୍ରକାରର ଗତିବିଧିକୁ ଏପରି ବିଜ୍ଞାପନ ପ୍ରୋତ୍ସାହିତ କରିବା ଅନୁଚିତ ବୋଲି ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଏହି ମାର୍ଗଦର୍ଶିକାରେ କୁହାଯାଇଛି ଯେ “ଅନଲାଇନ ଗେମିଂ, ଫାଣ୍ଟାସି ସ୍ପୋର୍ଟସ ଆଦି ଉପରେ ବହୁସଂଖ୍ୟକ ବିଜ୍ଞାପନ ଟେଲିଭିଜନ ଚ୍ୟାନେଲରେ ପ୍ରଦର୍ଶିତ ହେଉଥିବା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଦୃଷ୍ଟିକୁ ଆସିଛି। ଏ ସମ୍ପର୍କରେ ଚିନ୍ତା ବ୍ୟକ୍ତ କରାଯାଇଛି ଯେ ଏପରି ବିଜ୍ଞାପନ ଭ୍ରମାତ୍ମକ ପ୍ରତୀୟମାନ ହେଉଛି, ଗ୍ରାହକମାନଙ୍କୁ ଏହା ସହ ଜଡ଼ିତ ଆର୍ଥିକ ଓ ଅନ୍ୟ ବିପଦ ବିଷୟରେ କୁହାଯାଉ ନାହିଁ। ତେଣୁ କେବୁଲ ଟେଲିଭିଜନ ନେଟୱର୍କ (ନିୟାମକ) ଆଇନ, ୧୯୯୫ ଏବଂ ଉପଭୋକ୍ତା ସଂରକ୍ଷଣ ଆଇନ, ୨୦୧୯ ଅନ୍ତର୍ଗତ ନିର୍ଦ୍ଧାରିତ ବିଜ୍ଞାପନ କୋଡକୁ ଏଥିରେ କଡ଼ାକଡ଼ି ଭାବେ ପାଳନ କରାଯାଇନାହିଁ ବୋଲି ମାର୍ଗଦର୍ଶିକାରେ କୁହାଯାଇଛି।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ପରାମର୍ଶ ବୈଠକ ପରେ ଏହି ମାର୍ଗଦର୍ଶିକା ଜାରି କରାଯାଇଛି। ଏଥିରେ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ, ଏଏସସିଆଇ, ନ୍ୟୁଜ ବ୍ରଡକାଷ୍ଟର୍ସ ଆସୋସିଏସନ, ଇଣ୍ଡିଆନ ବ୍ରଡକାଷ୍ଟିଂ ଫାଉଣ୍ଡେସନ, ଅଲଇଣ୍ଡିଆ ଗେମିଂ ଫେଡରେସନ, ଫେଡରେସନ ଅଫ ଇଣ୍ଡିଆନ ଫାଣ୍ଟାସି ସ୍ପୋର୍ଟ୍ସ ଏବଂ ଅନଲାଇନ ରମ୍ମି ଫେଡରେସନର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ।

ଏଏସସିଆଇର ଗାଇଡଲାଇନ ଅନୁଯାୟୀ, ଏପରି ପ୍ରତ୍ୟେକ ଗେମିଂ ବିଜ୍ଞାପନ ସହିତ ସତର୍କ ସୂଚନା ରହିବା ଆବଶ୍ୟକ: “ଏହି ଗେମରେ ଆର୍ଥିକ ବିପଦର ଏକ ତତ୍ତ୍ୱ ସାମିଲ ରହିଛି ଏବଂ ଏହାର ନିଶା ମଧ୍ୟ ହୋଇପାରେ। ଦୟାକରି ଉତ୍ତରଦାୟିତ୍ୱର ସହ ଏବଂ ନିଜର ରିସ୍କ ଅନୁଯାୟୀ ହିଁ ଏହାକୁ ଖେଳନ୍ତୁ”। ଏପରି ଚେତାବନୀକୁ ବିଜ୍ଞାପନରେ ଅତିକମରେ ୨୦ ପ୍ରତିଶତ ସ୍ଥାନ ଦେବା ଆବଶ୍ୟକ। ଏହି ଦିଶାନିର୍ଦ୍ଦେଶରେ ଏହା ମଧ୍ୟ କୁହାଯାଇଛି ଯେ ଗେମିଂ ବିଜ୍ଞାପନରେ ୧୮ ବର୍ଷରୁ କମ ବୟସର ୟୁଜର୍ସ ପାଇଁ “ଅସଲ ଟଙ୍କା ଜିତିବା ଲାଗି ଅନଲାଇନ ଗେମିଂ” ଖେଳ ଖେଳିବା ବୋଲି ଦର୍ଶାଯାଇପାରିବ ନାହିଁ। ଏହା ମଧ୍ୟ ଦର୍ଶାଯାଇପାରିବ ନାହିଁ ଯେ ଏପରି ୟୁଜର୍ସ ଏହି ଗେମ ଖେଳିପାରିବେ। ଅନଲାଇନ ଗେମିଂ ରୋଜଗାରର ବିକଳ୍ପ ପ୍ରଦାନ କରିଥାଏ ଏବଂ ଏଗୁଡ଼ିକୁ ଖେଳୁଥିବା ଲୋକ ଅନ୍ୟମାନଙ୍କ ଠାରୁ ଅଧିକ ସଫଳ ହୋଇଥାନ୍ତି ବୋଲି ମଧ୍ୟ ବିଜ୍ଞାପନରେ ଦର୍ଶାଯାଇପାରିବ ନାହିଁ।

ସୂଚନାଯୋଗ୍ୟ ଯେ ଭାରତୀୟ ବିଜ୍ଞାପନ ମାନକ ପରିଷଦ (ଏଏସସିଆଇ) ୧୯୮୫ରେ ପ୍ରତିଷ୍ଠା ହୋଇଥିଲା। ଏହା ଭାରତରେ ବିଜ୍ଞାପନ ଉଦ୍ୟୋଗଗୁଡ଼ିକ ପାଇଁ ମୁମ୍ବାଇସ୍ଥିତ ସ୍ୱନିୟାମକ ସ୍ୱେଚ୍ଛାକୃତ ସଂଗଠନ ଅଟେ। ଏହାର ଉଦ୍ଦେଶ୍ୟ ହେଉଛି ବିଜ୍ଞାପନ ସ୍ୱ-ନିୟନ୍ତ୍ରଣକୁ ଏହାର କୋଡ ଅନୁରୂପ କରିବା। କେବୁଲ ଟେଲିଭିଜନ ନେଟୱର୍କ (ନିୟାମକ) ଆଇନ, ୧୯୯୫ ଅନ୍ତର୍ଗତ ଟେଲିଭିଜନ ନେଟୱର୍କଗୁଡ଼ିକ ଲାଗି ଏଏସସିଆଇ ଦ୍ୱାରା ନିର୍ଦ୍ଧାରିତ ବିଜ୍ଞାପନ କୋଡକୁ ପାଳନ କରିବା ବାଧ୍ୟତାମୂଳକ ଅଟେ।