Categories
ଆଜିର ଖବର

ଉପାନ୍ତ ଅଞ୍ଚଳ ଯାଇ ବାସ୍ତବ ସ୍ଥିତି ପରଖିବ ଓଡ଼ିଆ ଭାଷା ଗୃହ କମିଟି

ଭୁବନେଶ୍ୱର: ଓଡ଼ିଆ ଭାଷା ଗୃହ କମିଟି ବୈଠକ କମିଟି ଅଧ୍ୟକ୍ଷ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଧାନସଭା ସଚିବାଳୟରେ ୫୪ ନଂ ପ୍ରକୋଷ୍ଠରେ ଅନୁଷ୍ଠିତ ଉକ୍ତ ବୈଠକରେ ସୀମାନ୍ତ ଅଞ୍ଚଳରେ ଓଡ଼ିଆ ଭାଷାର ବାସ୍ତବ ସ୍ଥିତି ଉପରେ ବ୍ୟାପକ ଆଲୋଚନା ହୋଇଥିଲା ।

ଝାଡ଼ଖଣ୍ଡ ଓ ଛତିଶଗଡ଼ ରାଜ୍ୟରେ ଓଡ଼ିଆ ଭାଷାକୁ ଅଣଦେଖା କରାଯାଉଥିବା କମିଟି ହୃଦ୍‌ବୋଧ କରିଛି । ସେହିପରି ଅନ୍ୟ କେତେକ ସୀମାନ୍ତ ରାଜ୍ୟରେ ମଧ୍ୟ ଓଡ଼ିଆ ଭାଷାକୁ ଦ୍ୱିତୀୟ ଭାଷାରୁ ବାଦ୍‌ ଦିଆଯାଇଥିବାରୁ ଘୋର ଉଦ୍‌ବେଗ ପ୍ରକାଶ କରିଛି ।

ଓଡ଼ିଆ ଭାଷାର ପାଠ୍ୟପୁସ୍ତକ ଓଡ଼ିଶା ସରକାର ନିୟମିତ ଭାବରେ ଯୋଗାଇ ଦେଉଥିବା ଗୃହ କମିଟିକୁ ଅବଗତ କରାଯାଇଥିଲା । ତେବେ ସେଠାରେ କାର୍ଯ୍ୟରତ ଓଡ଼ିଆ ଶିକ୍ଷକଙ୍କ ଦରମା କମ୍‌ ହେଉଥିବା ଯୋଗୁଁ ସେମାନଙ୍କ ଦରମା ବୃଦ୍ଧି ପାଇଁ ପଦକ୍ଷେପ ନିଆଯିବ । ଖାଲିଥିବା ଓଡ଼ିଆ ଶିକ୍ଷକ ପଦବୀ ତୁରନ୍ତ ପୂରଣ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ।

ଉପାନ୍ତ ଅଞ୍ଚଳରେ ଥିବା ବିଭିନ୍ନ ବିଦ୍ୟାଳୟର ବାସ୍ତବ ସ୍ଥିତି ପରଖିବା ପାଇଁ ଗୃହ କମିଟି ଉକ୍ତ ଅଞ୍ଚଳକୁ ଗସ୍ତରେ ଯିବେ ଏବଂ ସରକାରକୁ ରିପୋର୍ଟ ଦେବେ । ଏହି ବୈଠକରେ ସମ୍ପୃକ୍ତ କମିଟି ସଦସ୍ୟଙ୍କ ସହ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପଦାଧିକାରୀ ଏବଂ ବିଧାନସଭା ସଚିବ ଦାଶରଥୀ ଶତପଥୀ ଯୋଗଦେଇଥିଲେ ।