Categories
ଆଜିର ଖବର

କେନ୍ଦ୍ର ସରକାର ଅଧିକ ଅର୍ଥ ଦେବାକୁ ଗୋଆ ସାମୁଦ୍ରିକ ରାଜ୍ୟ ବିକାଶ ପରିଷଦ ବୈଠକରେ ଦାବୀ କଲା ଓଡିଶା

ଭୁବନେଶ୍ୱର: ଓଡ଼ିଶାରେ ବନ୍ଦର ବିକାଶ, ମାଛଧରା ବନ୍ଦର ଓ ଜେଟିଗୁଡ଼ିକର ଉନ୍ନତି ସାଙ୍ଗକୁ ରାଜ୍ୟରେ ଏକ ବିଶ୍ୱସ୍ତରୀୟ ସାମୁଦ୍ରିକ ପ୍ରତିଷ୍ଠାନ ଆରମ୍ଭ କରିବା ପାଇଁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା କେନ୍ଦ୍ର ସରକାରଙ୍କଠାରେ ପ୍ରସ୍ତାବ ରଖିଛନ୍ତି। ମନ୍ତ୍ରୀ ଶ୍ରୀ ଜେନା ଉପରୋକ୍ତ ମର୍ମରେ କେନ୍ଦ୍ରର ସହାୟତା ଓ ସହଯୋଗ କାମନା କରିଛନ୍ତି।

ଗୋଆଠାରେ କେନ୍ଦ୍ର ବନ୍ଦର, ଜାହଜ ଚଳାଚଳ ଓ ଜଳପଥ ମନ୍ତ୍ରାଳୟ ଅଧୀନସ୍ଥ ସାମୁଦ୍ରିକ ରାଜ୍ୟ ବିକାଶ ପରିଷଦର ବିଂଶତମ ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଜେନା ଓଡ଼ିଶାରେ ସାମୁଦି୍ରକ ଭିତ୍ତିଭୂମିର ବିକାଶ ଓ ବନ୍ଦରଗୁଡ଼ିକର ଉନ୍ନତି ନେଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ମନ୍ତ୍ରୀ ଶ୍ରୀ ଜେନା ବୈଠକରେ ବକ୍ତବ୍ୟ ରଖି କହିଛନ୍ତି ଯେ ଓଡ଼ିଶାରେ ଆଉ ଗୋଟିଏ ବଡ଼ ବନ୍ଦରର ଉନ୍ନତି ସାଙ୍ଗକୁ କ୍ରୁଇଜ୍‌ ଟର୍ମିନାଲ ନିର୍ମାଣର ଆବଶ୍ୟକତା ରହିଛି। କେନ୍ଦ୍ର ସରକାରଙ୍କ ‘ହରିତ୍‌ ନୌକା’ ମାର୍ଗଦର୍ଶିକା ଅନୁସାରେ ଚିଲିକାରେ ୨୦ ସିଟ୍‌ବିଶିଷ୍ଟ ସୌରଶକ୍ତି ଚାଳିତ ବୋଟ୍‌ର ଶୁଭାରମ୍ଭ, ରାଜ୍ୟରେ ଥିବା ୨୬୯୬ଟି ପଞ୍ଜିକୃତ ଡଙ୍ଗାକୁ ସୌର ବିଦ୍ୟୁତ ହାଇବ୍ରିଡ ବୋଟ୍‌ ଭାବରେ ପରିବର୍ତ୍ତିତ କରିବା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।

ରାଜ୍ୟରେ ନୂତନ ମାଛଧରା ବନ୍ଦର ଓ ଜେଟି ନିର୍ମାଣ ନିମନ୍ତେ ସହାୟତା ଯୋଗାଇଦେବାକୁ ମନ୍ତ୍ରୀ ଶ୍ରୀ ଜେନା କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିଛନ୍ତି। ଓଡ଼ିଶାର ୪୮୦ କିମି ବିସ୍ତୃତ ସମୁଦ୍ରତଟର ଉପଯୋଗ କ୍ରମେ ସାମୁଦ୍ରିକ କ୍ଷେତ୍ର ତଥା ଆଭ୍ୟନ୍ତରୀଣ ଜଳପଥର ସାମଗ୍ରିକ ଓ ସ୍ଥାୟୀ ବିକାଶ ନିମନ୍ତେ ମନ୍ତ୍ରୀ ପ୍ରସ୍ତାବ ରଖିଛନ୍ତି। ଦକ୍ଷ ମାନବସମ୍ବଳ ସୃଷ୍ଟି ଉଦ୍ଦେଶ୍ୟରେ ଓଡ଼ିଶାରେ ଏକ ବିଶ୍ୱସ୍ତରୀୟ ସାମୁଦି୍ରକ ପ୍ରତିଷ୍ଠାନ ବା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ସେ ଦାବି ଜଣାଇଛନ୍ତି।

ସାମୁଦ୍ରିକ ରାଜ୍ୟ ବିକାଶ ପରିଷଦ ବୈଠକରେ ସଦସ୍ୟ ରାଜ୍ୟଗୁଡ଼ିକର ସଂପୃକ୍ତ ମନ୍ତ୍ରୀ ତଥା ବିଭାଗୀୟ ଅଧିକାରୀମାନେ ଅଂଶଗ୍ରହଣ କରିଥିବାବେଳେ ଓଡ଼ିଶାର ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ମଧ୍ୟ ଉପସ୍ଥିତ ଥିଲେ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ ମୟୂରଭଂଜ ଜିଲ୍ଲାର ଅମର୍ଦା ରୋଡ୍ ବିମାନଘାଟି

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲାସ୍ଥିତ ଅମର୍ଦା ରୋଡ୍‌ (ରାସଗୋବିନ୍ଦପୁର) ବିମାନବନ୍ଦରକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ନିମନ୍ତେ ପଦକ୍ଷେପ ନିଆଯିବ। ଆଜି ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ଏହି ପ୍ରସଙ୍ଗ ନେଇ ଗୃହନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସହିତ ବିସ୍ତୃତ ଆଲୋଚନା କରିଛନ୍ତି।

ଅମର୍ଦା ରୋଡ୍‌ ବିମାନବନ୍ଦରରେ ନିର୍ମାଣ କାର୍ଯ୍ୟ ସମୀକ୍ଷା କରିବା ସହିତ ଶୀଘ୍ର ଏହାକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ଉଭୟ ମନ୍ତ୍ରୀ ସହମତ ହୋଇଥିଲେ। ଏଥି ସହିତ ଝାରସୁଗୁଡ଼ା ବିମାନବନ୍ଦରର ସର୍ବାଙ୍ଗୀନ ବିକାଶ ନିମନ୍ତେ ମଧ୍ୟ ଆଲୋଚନା ହୋଇଥିଲା। ଆଲୋଚନା ସମୟରେ ଝାରସୁଗୁଡ଼ା ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠୀ ମଧ୍ୟ ଉପସ୍ଥିତ ଥିଲେ।

ଏଠାରେ ପ୍ରକାଶଯୋଗ୍ୟ ଯେ ମୟୂରଭଞ୍ଜର ଅମର୍ଦା ରୋଡ଼୍‌ ବିମାନବନ୍ଦର ୪୦ ଦଶକରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ କାର୍ଯ୍ୟ କରୁଥିଲା। ପୂର୍ବରୁ ଏହାର ୧୧ ହଜାର ଫୁଟର କଂକ୍ରିଟ୍‌ ରନ୍‌ୱେ ରହିଥିଲା। କେନ୍ଦ୍ର ସରକାରଙ୍କ ଉଡ଼ାଣ ଯୋଜନାରେ ଅଧିକ ଜମି ଅଧିଗ୍ରହଣ ସାଙ୍ଗକୁ ଉନ୍ନତିକରଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ନିମନ୍ତେ ପ୍ରସ୍ତାବ ଗ୍ରହଣ କରାଯାଇଛି। କାର୍ଯ୍ୟକ୍ଷମ ହେଲେ ଏହା ଏକ ଉଲ୍ଲେଖଯୋଗ୍ୟ ବିମାନ ବନ୍ଦର ଭାବରେ ରାଜ୍ୟର ଆର୍ଥିକ ପ୍ରଗତିରେ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଛନ୍ତି।