Categories
ଆଞ୍ଚଳିକ

ବାଲୁଗାଁ ସହରର ମୁଖ୍ୟ ରାସ୍ତାରୁ ଆରମ୍ଭ ହେଲା ବେଆଇନ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଲୁଗାଁ ସହରର ମୁଖ୍ୟ ରାସ୍ତା ଉଭୟ ପାର୍ଶ୍ଵରେ ଥିବା ବେଆଇନ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆଜି ଆରମ୍ଭ ହୋଇଛି। ଖବର ମୁତାବକ ବାଲୁଗାଁ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ଠାରୁ ସୋମନାଥ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ୪ ଲେନ ବିଶିଷ୍ଟ ରାସ୍ତା ସମ୍ପ୍ରସାରଣ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ କାର୍ଯ୍ୟାଦେଶ ପାଇଁ ନିର୍ଦ୍ଦେଶ ଥିବା ବେଳେ ଏନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସରକାରୀ ଜାଗା ଚିହ୍ନଟ କରି ଅବରୋଧ କାରୀଙ୍କୁ ସୂଚିତ କରାଯାଇଥିଲା।

ମୁଖ୍ୟ ରାସ୍ତା ସମ୍ପ୍ରସାରଣ ନେଇ ଉଭୟ ପାର୍ଶ୍ଵରେ ଥିବା ସ୍ଥାୟୀ ଓ ଅସ୍ଥାୟୀ ଜବରଦଖଲ କାରୀଙ୍କୁ ଅବରୋଧ ମୁକ୍ତ କରିବାକୁ ଚିଲିକା ତହସିଲ ପକ୍ଷରୁ ଦୁଇ ଥର ବିଜ୍ଞପ୍ତି ଜାରି କରାଯାଇଥିଲା। ସୂଚନା ପାଇବା ପରେ କିଛି ଲୋକ ନିଜ ତରଫରୁ ଚିହ୍ନଟ ଦିଆଯାଇଥିବା ଜାଗା ପର୍ଯ୍ୟନ୍ତ ଭଙ୍ଗାରୁଜା ଆରମ୍ଭ କରିଥିଲେ। ମାତ୍ର ଅଧିକାଂଶ ସ୍ଥାନରେ ଅବରୋଧ ନହଟିବା ଫଳରେ ଆଜି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି।

ପୂର୍ବାହ୍ନରୁ ଭଗବତୀ ପାଟଣା ନିକଟରୁ ବୁଲଡୋଜର ମାଧ୍ୟମରେ ଉଛେଦ କରାଯାଇଥିଲା।ଚିଲିକା ତହସିଲଦାର ଚକ୍ରଧର ପାଢ଼ୀଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ତହସିଲଦାର ବିଷ୍ଣୁପ୍ରିୟା ବେହେରା, ବାଲୁଗାଁ ରାଜସ୍ୱ ଅଧିକାରୀ ନିକୁଞ୍ଜ ପ୍ରଧାନ, ଅମିନ, ତହସିଲ କର୍ମଚାରୀ, ଏକ ପ୍ଲାଟୁନ ଫୋର୍ସ ଓ ସ୍ଥାନୀୟ ପୋଲିସ ପ୍ରଶାସନ ଉପସ୍ଥିତିରେ ଉଛେଦ ପ୍ରକ୍ରିୟା କରାଯାଇଥିଲା।