ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ ଲିମିଟେଡ଼ ଦ୍ୱାରା ବିଭିନ୍ନ ସମୟରେ ବେଆଇନ କାର୍ଯ୍ୟ କରାଯାଉଥିବା ଅଭିଯୋଗ ହେବାରେ ଲାଗିଛି। କେତେବେଳେ ଆଦିବାସୀଙ୍କ ଉପରେ ଅତ୍ୟାଚାର, କେତେବେଳେ ଆଦିବାସୀଙ୍କ ଜମିରେ ନାଲିପାଣି ମାଡିବା ଘଟଣା, କେତେବେଳେ ପରିବେଶ ପ୍ରଦୂଷଣ ଅଭିଯୋଗ ହୋଇଆସୁଛି। ଯାହାକୁ ନେଇ ସ୍ଥାନୀୟ ଆଦିବାସୀମାନେ ଆନ୍ଦୋଳନ କରିବା ସହିତ ଥାନା ଘେରାଉ କରୁଛନ୍ତି।
ସେହିପରି ଆଉ ଏକ ଅଭିଯୋଗ ବେଦାନ୍ତ ବିରୋଧରେ କରାଯାଇଛି। ତାହା କିନ୍ତୁ ଏସବୁ ଅଭିଯୋଗଠାରୁ ସଂପୂର୍ଣ୍ଣ ଭିନ୍ନ। ତାହା ହେଲା ବେଦାନ୍ତ କର୍ତ୍ତୁପକ୍ଷ ଆଦିବାସୀଙ୍କ ଧର୍ମିୟ ଭାବନା ଉପରେ ଅସମ୍ମାନ କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ଯାହାକୁ ନେଇ ବେଦାନ୍ତ ଲାଞ୍ଜିଗଡ କାରଖାନ ନିକଟସ୍ଥ ଗ୍ରାମବାସୀମାନେ ଆନ୍ଦୋଳନ କରି ବେଦାନ୍ତ କଂପାନୀ ରାସ୍ତାକୁ ଅବରୋଧ କରିଥିଲେ।
ଅଭିଯୋଗ ଅନୁସାରେ ବେଦାନ୍ତ କର୍ମାଚାରୀ ଲାଞ୍ଜିଗଡ଼ ବ୍ଲକ ଜଗନ୍ନାଥପୁର ପଞ୍ଚାୟତ କେନ୍ଦୁବର୍ଡି ଗାଁରେ ଥିବା ଆଦିବାସୀଙ୍କ ପୂଜାପୀଠକୁ ଭାଙ୍ଗି ଦେଇଛନ୍ତି। ସେଠାରେ କମ୍ପାନୀର କର୍ମଚାରୀମାନେ ରୋଷେଇ କରି ଭୋଜି କରୁଥିବାର କେନ୍ଦୁବର୍ଡି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ବେଦାନ୍ତ କର୍ମଚାରୀମାନେ ଜାଣିଶୁଣି ଦେବାଦେବୀଙ୍କ ମୂର୍ତ୍ତି ହଟାଇ ସେଠାରେ ଜୋତା ପିନ୍ଧି ଚଳପ୍ରଚଳ କରିବା ଏବଂ ମଦମାଂସର ଭୋଜି କରୁଛନ୍ତି ବୋଲି ଅଭିଯୋଗ ହୋଇଛି।ଯାହାକୁ ନେଇ ତାତିଛନ୍ତି ସ୍ଥାନୀୟ ଆଦିବାସୀ।
ଏହାକୁ ବିରୋଧ କରି ଚଳିତ ନଭେମ୍ବର ମାସ 18 ତାରିଖରେ ଶତାଧିକ ଗ୍ରାମବାସୀ ଜଗନ୍ନାଥପୁର- କେନ୍ଦୁବର୍ଡି ମୁଖ୍ୟ ରାସ୍ତାରେ ଧାରଣାରେ ବସିଥିଲେ। ଏହାଦ୍ବାରା ବେଦାନ୍ତ ମୁଖ୍ୟ ଫାଟକକୁ ସଂଯୋଗ କରୁଥିବା ରାସ୍ତା ସଂପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଥିଲା। ବେଦାନ୍ତ କର୍ତ୍ତୃପକ୍ଷ ନିଜ ଦୋଷ ଲୁଚାଇବାକୁ ଉଦ୍ୟମ କରି ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଠା କରିଥିଲେ।
ଏ ସମ୍ପର୍କରେ ଖବର ପାଇ ଲାଞ୍ଜିଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ହେଁ ଲୋକେ ବୁଝି ନ ଥିଲେ। ସେହିପରି ଗାଁ ଲୋକେ ପୂଜାପୀଠର ପୁନଃରୁଦ୍ଧାର ଓ ପ୍ରତିଷ୍ଠା ଦାବି କରିଥିଲେ। ପରବର୍ତ୍ତି ସମୟରେ ସେମାନେ ରାସ୍ତାରୁ ହଟିଥିଲେ ମଧ୍ୟ ବେଦାନ୍ତ ବିରୋଧରେ ଏକ ବଡ ମେଳି ବାନ୍ଧୁଥିବାର ଜଣାପଡିଛି। କାରଣ ଆଦିବାସୀଙ୍କ ଧର୍ମିୟଭାବନ ଉପରେ ଆଘାତ ଦେଲେ ସେମାନେ ତାହାକୁ ସହଜରେ ଗ୍ରହଣ କରି ନ ଥାନ୍ତି।