Categories
ଆଜିର ଖବର ଜାତୀୟ ଖବର

ଆରବିଆଇ @୯୦ର ଉଦଘାଟନୀ ସମାରୋହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ମୁମ୍ବାଇଠାରେ ଭାରତୀୟ ରିଜର୍ଭ ବ୍ୟାଙ୍କର ୯୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଆରବିଆଇ@ ୯୦ ଉଦଘାଟନୀ ସମାରୋହକୁ ସମ୍ବୋଧିତ କରିଛନ୍ତି। ରିଜର୍ଭ ବ୍ୟାଙ୍କର ୯୦ ବର୍ଷ ପୂର୍ତ୍ତି ଅବସରରେ ଶ୍ରୀ ମୋଦୀ ଏକ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ୧୯୩୫ ମସିହା ଏପ୍ରିଲ ପହିଲାରୁ ଏହାର କାର୍ଯ୍ୟ ଆରମ୍ଭ କରି ଆଜି ଏହାର ୯୦ତମ ବର୍ଷରେ ପ୍ରବେଶ କରିଛି।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି ୯୦ ବର୍ଷ ପୂର୍ତ୍ତି ଅବସରରେ ଏକ ଐତିହାସିକ ସ୍ଥାନରେ ପହଞ୍ଚିଛି। ରିଜର୍ଭ ବ୍ୟାଙ୍କ ଉଭୟ ସ୍ୱାଧୀନତା ପୂର୍ବ ଓ ପରବର୍ତ୍ତୀ ଯୁଗର ସାକ୍ଷୀ ହୋଇଛି ଏବଂ ନିଜର ବୃତ୍ତିଗତ ଆଭିମୁଖ୍ୟ ଓ ପ୍ରତିବଦ୍ଧତା ଆଧାରରେ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ବୋଲି ସେ ଉଲ୍ଲେଖ କରିଥିଲେ। ଆରବିଆଇର ୯୦ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ସମସ୍ତ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ବର୍ତ୍ତମାନର ଆରବିଆଇ କର୍ମଚାରୀମାନଙ୍କୁ ଭାଗ୍ୟଶାଳୀ ବୋଲି ଅଭିହିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ପ୍ରସ୍ତୁତ କରାଯାଇଥିବା ନୀତିଗୁଡ଼ିକ ଆରବିଆଇର ପରବର୍ତ୍ତୀ ଦଶନ୍ଧିକୁ ଆକାର ଦେବ ଏବଂ ଆଗାମୀ ୧୦ ବର୍ଷ ରିଜର୍ଭ ବ୍ୟାଙ୍କକୁ ଏହାର ଶତବାର୍ଷିକୀ ବର୍ଷକୁ ନେଇଯିବ । ଦ୍ରୁତ ଅଭିବୃଦ୍ଧି, ବିଶ୍ୱାସ ଏବଂ ସ୍ଥିରତା ଉପରେ ଧ୍ୟାନ ଦେବା ଦିଗରେ ରିଜର୍ଭ ବ୍ୟାଙ୍କର ପ୍ରାଥମିକତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘‘ଆଗାମୀ ଦଶନ୍ଧି ଏକ ବିକଶିତ ଭାରତର ସଂକଳ୍ପ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।’’ ଏହାର ଲକ୍ଷ୍ୟ ଓ ସଂକଳ୍ପ ପୂରଣ ପାଇଁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି।

ଦେଶର ଜିଡିପି ଏବଂ ଅର୍ଥନୀତିରେ ମୁଦ୍ରା ଏବଂ ବିତ୍ତୀୟ ନୀତିର ସମନ୍ୱୟ ଉପରେ ଗୁରୁତ୍ୱ ଦେଇ  ପ୍ରଧାନମନ୍ତ୍ରୀ ୨୦୧୪ରେ ଆରବିଆଇର ୮୦ ବର୍ଷ ପୂର୍ତ୍ତି ଉତ୍ସବକୁ ମନେ ପକାଇଥିଲେ ଏବଂ ସେହି ସମୟରେ ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସମ୍ମୁଖୀନ ହୋଇଥିବା ଏନପିଏ ଏବଂ ସ୍ଥିରତା ଭଳି ଆହ୍ୱାନ ଏବଂ ସମସ୍ୟାକୁ ମନେ ପକାଇଥିଲେ । ସେଠାରୁ ଆରମ୍ଭ କରି ଆଜି ଆମେ ଏପରି ଏକ ସ୍ଥିତିରେ ପହଞ୍ଚିଛୁ ଯେଉଁଠାରେ ଭାରତୀୟ ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ବିଶ୍ୱର ଏକ ସୁଦୃଢ଼ ଏବଂ ସ୍ଥାୟୀ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଭାବରେ ଦେଖାଯାଉଛି କାରଣ ସେହି ସମୟରେ ପ୍ରାୟତଃ ସ୍ଥାଣୁ ପାଲଟି ଯାଇଥିବା ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଏବେ ଲାଭରେ ଅଛି ଏବଂ ରେକର୍ଡ କ୍ରେଡିଟ୍ ଦେଖାଉଛି।

ଏହି ପରିବର୍ତ୍ତନ ପାଇଁ ପ୍ରଧାନମନ୍ତ୍ରୀ ନୀତି, ଉଦ୍ଦେଶ୍ୟ ଏବଂ ନିଷ୍ପତ୍ତିର ସ୍ପଷ୍ଟତାକୁ ଶ୍ରେୟ ଦେଇଥିଲେ । ଯେଉଁଠି ଉଦ୍ଦେଶ୍ୟ ଠିକ୍, ସେଠାରେ ଫଳାଫଳ ମଧ୍ୟ ଠିକ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସଂସ୍କାରର ବ୍ୟାପକ ପ୍ରକୃତି ଉପରେ ବକ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ସ୍ୱୀକୃତି, ସଂକଳ୍ପ ଏବଂ ପୁନଃପୁଞ୍ଜିକରଣ ରଣନୀତି ଉପରେ କାର୍ଯ୍ୟ କରିଛନ୍ତି। ପ୍ରଶାସନିକ ସମ୍ବନ୍ଧୀୟ ଅନେକ ସଂସ୍କାର ସହିତ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ସାହାଯ୍ୟ କରିବା ପାଇଁ ୩.୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କରାଯାଇଥିଲା। କେବଳ ଦେବାଳିଆ ଓ ଦେବାଳିଆପଣ ସଂହିତା ଦ୍ୱାରା ୩.୨୫ ଲକ୍ଷ ଟଙ୍କାର ଋଣର ସମାଧାନ କରିଛି ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି। ଆଇବିସି ଅଧୀନରେ ପ୍ରବେଶ ପୂର୍ବରୁ ୯ ଲକ୍ଷ କୋଟି ଟଙ୍କାରୁ ଅଧିକ ଡିଫଲ୍ଟ ଥିବା ୨୭,୦୦୦ରୁ ଅଧିକ ଆବେଦନର ସମାଧାନ କରାଯାଇଥିଲା ବୋଲି ସେ ଦେଶକୁ ସୂଚନା ଦେଇଛନ୍ତି। ୨୦୧୮ରେ ବ୍ୟାଙ୍କଗୁଡ଼ିକର ମୋଟ ଏନପିଏ ୧୧.୨୫ ପ୍ରତିଶତ ଥିବା ବେଳେ ୨୦୨୩ ସେପ୍ଟେମ୍ବର ସୁଦ୍ଧା ଏହା ୩ ପ୍ରତିଶତ ତଳକୁ ଖସି ଆସିଛି। ଟ୍ୱିନ୍ ବାଲାନ୍ସ ସିଟ୍ ସମସ୍ୟାକୁ ଅତୀତର ସମସ୍ୟା ବୋଲି ସେ କହିଛନ୍ତି। ଏହି ପରିବର୍ତ୍ତନରେ ଆରବିଆଇର ଅବଦାନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶଂସା କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ଦର୍ଶାଇଛନ୍ତି ଯେ ଯଦିଓ ଆରବିଆଇ ସହ ଜଡିତ ଆଲୋଚନା ପ୍ରାୟତଃ ଆର୍ଥିକ ସଂଜ୍ଞା ଏବଂ ଜଟିଳ ଶବ୍ଦରେ ସୀମିତ ରହିଥାଏ, ତଥାପି ଆରବିଆଇରେ କରାଯାଇଥିବା କାର୍ଯ୍ୟ ସିଧାସଳଖ ସାଧାରଣ ନାଗରିକଙ୍କ ଜୀବନ ଉପରେ ପ୍ରଭାବ ପକାଇଥାଏ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ୧୦ ବର୍ଷ ମଧ୍ୟରେ ସରକାର କେନ୍ଦ୍ରୀୟ ବ୍ୟାଙ୍କ, ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଏବଂ ଅନ୍ତିମ ସୋପାନରେ ହିତାଧିକାରୀଙ୍କ ମଧ୍ୟରେ ସଂଯୋଗ ଉପରେ ଜୋର ଦେଇଛନ୍ତି। ସେ ଗରିବଙ୍କ ଆର୍ଥିକ ଅନ୍ତର୍ଭୁକ୍ତୀକରଣର ମଧ୍ୟ ଉଦାହରଣ ଦେଇଥିଲେ। ଦେଶର ୫୨ କୋଟି ଜନଧନ ଆକାଉଣ୍ଟ ମଧ୍ୟରୁ ୫୫ ପ୍ରତିଶତ ମହିଳାଙ୍କର ବୋଲି ସେ ଉଲ୍ଲେଖ କରିଛନ୍ତି। କୃଷି ଏବଂ ମତ୍ସ୍ୟ କ୍ଷେତ୍ରରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣର ପ୍ରଭାବ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ ଯେଉଁଠାରେ ୭ କୋଟିରୁ ଅଧିକ କୃଷକ, ମତ୍ସ୍ୟଜୀବୀ ଏବଂ ଗୋରୁ ମାଲିକମାନେ ପିଏମ କିଷାନ କ୍ରେଡିଟ୍ କାର୍ଡ ଉପଲବ୍ଧ କରାଇଛନ୍ତି ଯାହା ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ପ୍ରଦାନ କରୁଛି । ବିଗତ ୧୦ ବର୍ଷ ମଧ୍ୟରେ ସମବାୟ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସମବାୟ ବ୍ୟାଙ୍କ ସମ୍ପର୍କରେ ଭାରତୀୟ ରିଜର୍ଭ ବ୍ୟାଙ୍କର ନିୟମାବଳୀର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ସେ ୟୁପିଆଇ ମାଧ୍ୟମରେ ୧୨୦୦ କୋଟିରୁ ଅଧିକ ମାସିକ କାରବାର ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଯାହା ଏହାକୁ ବିଶ୍ୱସ୍ତରରେ ସ୍ୱୀକୃତିପ୍ରାପ୍ତ ପ୍ଲାଟଫର୍ମରେ ପରିଣତ କରିଛି। କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ ମୁଦ୍ରା ଉପରେ କରାଯାଉଥିବା କାର୍ଯ୍ୟ ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ ଗତ ୧୦ ବର୍ଷର ପରିବର୍ତ୍ତନ ଏକ ନୂତନ ବ୍ୟାଙ୍କିଙ୍ଗ ବ୍ୟବସ୍ଥା, ଅର୍ଥନୀତି ଏବଂ ମୁଦ୍ରା ଅଭିଜ୍ଞତା ସୃଷ୍ଟି କରିବାରେ ସକ୍ଷମ କରିଛି।

ଆଗାମୀ ୧୦ ବର୍ଷର ଲକ୍ଷ୍ୟ ପାଇଁ ସ୍ପଷ୍ଟତାର ଗୁରୁତ୍ୱ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଡିଜିଟାଲ କାରବାରକୁ ପ୍ରୋତ୍ସାହିତ କରିବା ସହିତ କ୍ୟାସଲେସ୍ ଅର୍ଥବ୍ୟବସ୍ଥା ଦ୍ୱାରା ଆସିଥିବା ପରିବର୍ତ୍ତନ ଉପରେ ନଜର ରଖିବାର ଗୁରୁତ୍ୱ ଉପରେ ସେ ଜୋର ଦେଇଥିଲେ। ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଏବଂ ସଶକ୍ତୀକରଣ ପ୍ରକ୍ରିୟାକୁ ଆହୁରି ସୁଦୃଢ଼ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ଭାରତ ଭଳି ଏକ ବିଶାଳ ଦେଶର ବିବିଧ ବ୍ୟାଙ୍କିଙ୍ଗ ଆବଶ୍ୟକତା ଉପରେ ଜୋର ଦେଇ ପ୍ରଧାନମନ୍ତ୍ରୀ ‘ଇଜ୍ ଅଫ୍ ଡୁଇଙ୍ଗ୍ ବ୍ୟାଙ୍କିଙ୍ଗ୍’ ବା ବ୍ୟାଙ୍କ କାରବାରକୁ ସହଜ କରିବାରେ ଉନ୍ନତି ଆଣିବା ଏବଂ ନାଗରିକଙ୍କ ଆବଶ୍ୟକତା ଅନୁଯାୟୀ ଉପଯୁକ୍ତ ସେବା ପ୍ରଦାନ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ମେସିନ୍ ଲର୍ଣ୍ଣିଂର ଭୂମିକା ଉପରେ ଆଲୋକପାତ କରିଥିଲେ।

ଦେଶର ଦ୍ରୁତ ଏବଂ ସ୍ଥାୟୀ ଅଭିବୃଦ୍ଧିରେ ଆରବିଆଇର ଭୂମିକା ଉପରେ ସେ ଆଲୋକପାତ କରିଥିଲେ । ବ୍ୟାଙ୍କିଙ୍ଗ କ୍ଷେତ୍ରରେ ନିୟମ ଭିତ୍ତିକ ଶୃଙ୍ଖଳା ଏବଂ ଆର୍ଥିକ ଦୃଷ୍ଟିରୁ ବିଚକ୍ଷଣ ନୀତି ପ୍ରଣୟନ କରିବାରେ ଆରବିଆଇର ସଫଳତା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ବ୍ୟାଙ୍କଗୁଡ଼ିକୁ ସରକାରଙ୍କ ସହାୟତାର ପ୍ରତିଶ୍ରୁତି ଦେବା ସହିତ ସକ୍ରିୟ ପଦକ୍ଷେପ ଗ୍ରହଣ କରିବା ପାଇଁ ବିଭିନ୍ନ କ୍ଷେତ୍ରର ଆବଶ୍ୟକତାର ଆଗୁଆ ଆକଳନ କରିବାକୁ ମଧ୍ୟ କହିଥିଲେ । ରିଜର୍ଭ ବ୍ୟାଙ୍କକୁ ମୁଦ୍ରାସ୍ଫୀତି ଲକ୍ଷ୍ୟର ଅଧିକାର ଦେବା ଭଳି ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପଦକ୍ଷେପ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଏବଂ ଏ ଦିଗରେ ମୁଦ୍ରାନୀତି କମିଟିର ପ୍ରଦର୍ଶନକୁ ପ୍ରଶଂସା କରିଥିଲେ । ସକ୍ରିୟ ମୂଲ୍ୟ ନିରୀକ୍ଷଣ ଏବଂ ବିତ୍ତୀୟ ସୁଦୃଢ଼ୀକରଣ ଭଳି ପଦକ୍ଷେପ କରୋନାର କଠିନ ସମୟରେ ମଧ୍ୟ ମୁଦ୍ରାସ୍ଫୀତିକୁ ମଧ୍ୟମ ସ୍ତରରେ ରଖିଥିଲା ବୋଲି ସେ କହିଥିଲେ ।

ଯଦି କୌଣସି ଦେଶର ପ୍ରାଥମିକତା ସ୍ପଷ୍ଟ ହୁଏ ତେବେ ତାକୁ କେହି ପ୍ରଗତିରୁ ଅଟକାଇ ପାରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ। କରୋନା ମହାମାରୀ ସମୟରେ ସରକାର ଆର୍ଥିକ ସଚେତନତା ପ୍ରତି ଧ୍ୟାନ ଦେବା ସହ ସାଧାରଣ ନାଗରିକଙ୍କ ଜୀବନକୁ ପ୍ରାଥମିକତା ଦେଉଥିବାରୁ ଗରିବ ଓ ମଧ୍ୟବିତ୍ତ ବର୍ଗ ପ୍ରତିକୂଳ ପରିସ୍ଥିତିରୁ ମୁକୁଳି ଆଜି ଦେଶର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିଛନ୍ତି ବୋଲି ସେ ଉଦାହରଣ ଦେଇଥିଲେ। ମହାମାରୀର ଆର୍ଥିକ ଝଟକାରୁ ମୁକୁଳିବା ପାଇଁ ବିଶ୍ୱର ଅନେକ ଦେଶ ଏବେ ବି ପ୍ରୟାସ କରୁଥିବା ବେଳେ ଭାରତୀୟ ଅର୍ଥନୀତି ନୂଆ ରେକର୍ଡ ସୃଷ୍ଟି କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତର ସଫଳତାକୁ ବିଶ୍ୱସ୍ତରରେ ପହଞ୍ଚାଇବାରେ ଆରବିଆଇର ଭୂମିକା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଯେକୌଣସି ବିକାଶଶୀଳ ଦେଶ ପାଇଁ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ଏବଂ ଅଭିବୃଦ୍ଧି ମଧ୍ୟରେ ସନ୍ତୁଳନ ସୃଷ୍ଟି କରିବାର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ଆରବିଆଇ ଏଥିପାଇଁ ଏକ ମଡେଲ ହୋଇପାରିବ ଏବଂ ବିଶ୍ୱରେ ଏକ ନେତୃତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ, ଯାହା ସମଗ୍ର ଗ୍ଲୋବାଲ୍‌ ସାଉଥ ବା ଦକ୍ଷିଣ ବିଶ୍ୱ କ୍ଷେତ୍ରକୁ ସମର୍ଥନ କରିବ।

ଭାରତ ଆଜି ବିଶ୍ୱର ସବୁଠାରୁ ଯୁବ ରାଷ୍ଟ୍ର ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଯୁବବର୍ଗଙ୍କ ଆକାଂକ୍ଷା ପୂରଣ କରିବାରେ ଆରବିଆଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା କଥା କହିଥିଲେ। ଦେଶରେ ନୂଆ ନୂଆ କ୍ଷେତ୍ର ଖୋଲିବାରେ ସରକାରଙ୍କ ନୀତିକୁ ସେ ଶ୍ରେୟ ଦେଇଛନ୍ତି ଯାହାଦ୍ୱାରା ଆଜିର ଯୁବପିଢିଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି ହୋଇଛି। ସେ ସବୁଜ ଶକ୍ତି କ୍ଷେତ୍ରର ସମ୍ପ୍ରସାରଣର ଉଦାହରଣ ଦେବା ସହ ସୌର ଶକ୍ତି, ସବୁଜ ହାଇଡ୍ରୋଜେନ ଏବଂ ଇଥାନଲ ମିଶ୍ରଣ ବିଷୟରେ ଉଲ୍ଲେଖ କରିଥିଲେ। ସେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ୫ଜି ପ୍ରଯୁକ୍ତି ବିଦ୍ୟା ଏବଂ ପ୍ରତିରକ୍ଷା କ୍ଷେତ୍ରରେ ବଢୁଥିବା ରପ୍ତାନି ବିଷୟରେ ମଧ୍ୟ ସ୍ପର୍ଶ କରିଥିଲେ। ଏମ୍ଏସ୍ଏମ୍ଇ ଗୁଡ଼ିକ ଭାରତର ଉତ୍ପାଦନ କ୍ଷେତ୍ରର ମେରୁଦଣ୍ଡ ପାଲଟିବା ବିଷୟରେ ଜୋର ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, କୋଭିଡ୍ ମହାମାରୀ ସମୟରେ ଏମ୍ଏସ୍ଏମ୍ଇଗୁଡ଼ିକୁ ସହାୟତା କରିବା ପାଇଁ କ୍ରେଡିଟ୍ ଗ୍ୟାରେଣ୍ଟି ସ୍କିମର କାର୍ଯ୍ୟକାରିତା ଉପରେ ଆଲୋକପାତ କରିଥିଲେ। ନୂଆ କ୍ଷେତ୍ର ସହ ଜଡ଼ିତ ଯୁବକମାନଙ୍କ ପାଇଁ ଋଣ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ରିଜର୍ଭ ବ୍ୟାଙ୍କ ବାହାର ନୀତି ପ୍ରଣୟନ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଏକବିଂଶ ଶତାବ୍ଦୀରେ ନବସୃଜନର ଗୁରୁତ୍ୱ ଉପରେ ଜୋର ଦେଇ ପ୍ରଧାନମନ୍ତ୍ରୀ ନିଜ ଦଳ ସହିତ ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ ଏହି କାର୍ଯ୍ୟ ପାଇଁ କର୍ମଚାରୀ ଚିହ୍ନଟ ସମ୍ପର୍କରେ ଆସୁଥିବା ପ୍ରସ୍ତାବଗୁଡ଼ିକ ପାଇଁ ପ୍ରସ୍ତୁତ ରହିବାକୁ କହିଥିଲେ। ମହାକାଶ ଏବଂ ପର୍ଯ୍ୟଟନ ଭଳି ନୂତନ ଏବଂ ପାରମ୍ପରିକ କ୍ଷେତ୍ରର ଆବଶ୍ୟକତା ପାଇଁ ପ୍ରସ୍ତୁତ ରହିବାକୁ ସେ ବ୍ୟାଙ୍କର୍‌ ଏବଂ ନିୟାମକମାନଙ୍କୁ କହିଥିଲେ। ଆଗାମୀ ବର୍ଷଗୁଡ଼ିକରେ ଅଯୋଧ୍ୟା ବିଶ୍ୱର ସର୍ବବୃହତ ଧାର୍ମିକ ପର୍ଯ୍ୟଟନ କେନ୍ଦ୍ର ହେବାକୁ ଯାଉଛି ବୋଲି ସେ ବିଶେଷଜ୍ଞଙ୍କ ମତ ଉଲ୍ଲେଖ କରିଥିଲେ।

ପ୍ରଧାନମନ୍ତ୍ରୀ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଏବଂ ଡିଜିଟାଲ ଦେୟ ପାଇଁ ସରକାରଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟକୁ ଶ୍ରେୟ ଦେଇଥିଲେ ଯାହା କ୍ଷୁଦ୍ର ବ୍ୟବସାୟୀ ଏବଂ ଷ୍ଟ୍ରିଟ୍ ଭେଣ୍ଡରଙ୍କ ଆର୍ଥିକ କ୍ଷମତାରେ ସ୍ୱଚ୍ଛତା ସୃଷ୍ଟି କରିଛି । ସେମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ପାଇଁ ଏହି ସୂଚନା ବ୍ୟବହାର କରାଯିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ଆଗାମୀ ୧୦ ବର୍ଷ ମଧ୍ୟରେ ଭାରତର ଆର୍ଥିକ ଆତ୍ମନିର୍ଭରଶୀଳତା ବୃଦ୍ଧି କରିବା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି। ଆଜି ବିଶ୍ୱ ଜିଡିପି ଅଭିବୃଦ୍ଧିରେ ୧୫ ପ୍ରତିଶତ ଅଂଶ ସହ ଭାରତ ବିଶ୍ୱ ଅଭିବୃଦ୍ଧିର ଇଞ୍ଜିନ୍ ପାଲଟିଛି ବୋଲି ଶ୍ରୀ ମୋଦୀ କହିଥିଲେ। ସମଗ୍ର ବିଶ୍ୱରେ ଟଙ୍କାକୁ ଅଧିକ ସୁଲଭ ଏବଂ ଗ୍ରହଣୀୟ କରିବାର ପ୍ରୟାସ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଅତ୍ୟଧିକ ଆର୍ଥିକ ସମ୍ପ୍ରସାରଣ ଏବଂ ଋଣର ବଢୁଥିବା ଧାରା ସମ୍ପର୍କରେ ମଧ୍ୟ ସେ ଆଲୋଚନା କରିଥିଲେ। ସେ ଦର୍ଶାଇଥିଲେ ଯେ ଅନେକ ଦେଶର ଘରୋଇ କ୍ଷେତ୍ରର ଋଣ ସେମାନଙ୍କ ଜିଡିପିକୁ ଦ୍ୱିଗୁଣିତ କରିଛନ୍ତି। ଅନେକ ଦେଶର ଋଣ ସ୍ତର ମଧ୍ୟ ବିଶ୍ୱ ଉପରେ ନକାରାତ୍ମକ ପ୍ରଭାବ ପକାଉଛି ବୋଲି ସେ କହିଥିଲେ। ଭାରତର ଅଭିବୃଦ୍ଧି କ୍ଷମତା ଏବଂ ସମ୍ଭାବନାକୁ ଦୃଷ୍ଟିରେ ରଖି ଆରବିଆଇ ଏହା ଉପରେ ଏକ ଅଧ୍ୟୟନ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ଦେଶର ପ୍ରକଳ୍ପଗୁଡ଼ିକୁ ଆବଶ୍ୟକ ପାଣ୍ଠି ଯୋଗାଇବା ପାଇଁ ଏକ ଶକ୍ତିଶାଳୀ ବ୍ୟାଙ୍କିଙ୍ଗ ଶିଳ୍ପର ଆବଶ୍ୟକତା ଉପରେ ଜୋର ଦେଇଥିଲେ। ଏଆଇ ଏବଂ ବ୍ଲକଚେନ୍ ଭଳି ଟେକ୍ନୋଲୋଜି ଦ୍ୱାରା ହୋଇଥିବା ପରିବର୍ତ୍ତନକୁ ସେ ଉଲ୍ଲେଖ କରିଥିଲେ ଏବଂ ବଢୁଥିବା ଡିଜିଟାଲ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ସାଇବର ସୁରକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ। ନୂଆ ଫାଇନାନ୍ସିଂ, ଅପରେଟିଂ ଏବଂ ବିଜନେସ୍ ମଡେଲର ଆବଶ୍ୟକତା ଥିବାରୁ ଫିନଟେକ୍ ଇନୋଭେସନ୍ ପରିପ୍ରେକ୍ଷୀରେ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାର ଢାଞ୍ଚାରେ ଆବଶ୍ୟକ ପରିବର୍ତ୍ତନ ବିଷୟରେ ଚିନ୍ତା କରିବାକୁ ସେ ଦର୍ଶକମାନଙ୍କୁ କହିଥିଲେ। ବିଶ୍ୱ ଚାମ୍ପିଅନଙ୍କ ଠାରୁ ଉଠାଦୋକାନୀଙ୍କ ପର୍ଯ୍ୟନ୍ତ, ଅତ୍ୟାଧୁନିକ କ୍ଷେତ୍ର ଠାରୁ ଆରମ୍ଭ କରି ପାରମ୍ପରିକ କ୍ଷେତ୍ର ପର୍ଯ୍ୟନ୍ତ ଋଣ ଆବଶ୍ୟକତା ପୂରଣ କରିବା ବିକଶିତ ଭାରତ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ସେ କହିଥିଲେ ଯେ, ଆରବିଆଇ ବିକଶିତ ଭାରତର ବ୍ୟାଙ୍କିଙ୍ଗ ଦୃଷ୍ଟିକୋଣର ସାମଗ୍ରିକ ପ୍ରଶଂସା ପାଇଁ ଏକ ଉପଯୁକ୍ତ ସଂସ୍ଥା ଅଟେ।

ଏହି ଅବସରରେ ମହାରାଷ୍ଟ୍ର ରାଜ୍ୟପାଳ ରମେଶ ବୈସ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ଓ ଅଜିତ ପାୱାର, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଅର୍ଥ ରାଷ୍ଟ୍ରମନ୍ତ୍ରୀ ଭାଗବତ କିଶନରାଓ କରାଡ ଓ ପଙ୍କଜ ଚୌଧୁରୀ, ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

କ୍ରମାଗତ ଚତୁର୍ଥ ଥର ପାଇଁ ସୁଧ ହାର ଅପରିବର୍ତ୍ତିତ ରଖିଲା ଆରବିଆଇ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ନେତୃତ୍ୱରେ ମୁଦ୍ରା ନୀତି କମିଟିର ଦ୍ୱି-ମାସିକ ମୁଦ୍ରା ସମୀକ୍ଷା ବୈଠକ (MPC ମିଟ୍) ବୁଧବାର ଠାରୁ ଆରମ୍ଭ ହୋଇଛି। ଆଜି ଅର୍ଥାତ୍ ଶୁକ୍ରବାର ଦିନ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ର ଗଭର୍ଣ୍ଣର ଘୋଷଣା କରିଛନ୍ତି। ଆର୍‌ବିଆଇ ରେପୋ ରେଟକୁ ୬.୫୦ ପ୍ରତିଶତରେ ବଜାୟ ରଖିଛି। ଏହାର ଅର୍ଥ ହେଉଛି ଆପଣଙ୍କର ଘର ଋଣ, କାର ଋଣ ଏବଂ ଅନ୍ୟାନ୍ୟ ଋଣ ଉପରେ EMI ରେ କୌଣସି ପରିବର୍ତ୍ତନ ହେବ ନାହିଁ।

ମୁଦ୍ରା ନୀତି କମିଟି (ଏମପିସି) ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ପରିସ୍ଥିତିକୁ ଅନୁଧ୍ୟାନ କରିବା ପରେ ଏମପିସିର ସମସ୍ତ ୬ ଜଣ ସଦସ୍ୟ ସର୍ବସମ୍ମତି କ୍ରମେ ରେପୋ ରେଟକୁ ୬.୫ ପ୍ରତିଶତ ବଜାୟ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଜି-୨୦ ଶିଖର ସମ୍ମିଳନୀରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଖୋଲାଯିବ ସ୍ୱତନ୍ତ୍ର ପାଭିଲିୟନ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ଅବସରରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ପ୍ରଦର୍ଶନୀ ପାଭିଲିୟନ ଖୋଲାଯିବ। ଏଥିରେ ଆର୍ଥିକ ଅନ୍ତର୍ଭୂକ୍ତୀକରଣ ଏବଂ ଡିଜିଟାଲ ଅର୍ଥ କାରବାର କ୍ଷେତ୍ରରେ ଆରବିଆଇର ବିଭିନ୍ନ ସଫଳତାକୁ ପ୍ରଦର୍ଶିତ କରାଯିବ।

ଆରବିଆଇ ପାଭିଲିୟନରେ ସମସ୍ୟାମୁକ୍ତ ଋଣ ଯୋଗାଣ ପାଇଁ ସାର୍ବଜନୀନ ପ୍ରଯୁକ୍ତି ପ୍ଲାଟଫର୍ମ (ପିଟିପି)କୁ ପ୍ରଦର୍ଶିତ କରାଯିବ। ଅନ୍ତର୍ଜାତୀୟ ଅତିଥି, ଗଣମାଧ୍ୟମ ପ୍ରତିନିଧି ଓ ଆଗନ୍ତୁକମାନେ ଇଣ୍ଟରଆକ୍ଟିଭ ପ୍ରଦର୍ଶନୀ ଜରିଆରେ ସମ୍ପୂର୍ଣ୍ଣ ପ୍ରକ୍ରିୟା ସମ୍ପର୍କରେ ଅନୁଭୂତି ହାସଲ କରିପାରିବେ। ସହଜ ଋଣ ଲଗାଣ ପାଇଁ କେନ୍ଦ୍ର ସରକାର ପିଟିପି ବ୍ୟବସ୍ଥା ଆରମ୍ଭ କରିଛନ୍ତି। କିଷାନ କ୍ରେଡିଟ୍‌ କାର୍ଡ ମାଧ୍ୟମରେ ଏବଂ ଦୁଗ୍ଧ ଉତ୍ପାଦନ କ୍ଷେତ୍ରକୁ ସହଜରେ ଋଣ ଯୋଗାଇ ଦେବା ଲାଗି ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ କିଭଳି ଡିଜିଟାଲକରଣ କରାଯାଇଛି ଏବଂ ଏହାଦ୍ୱାରା ଗ୍ରାମାଞ୍ଚଳର ଲୋକମାନେ ମାତ୍ର କିଛି ମିନିଟ୍‌ ମଧ୍ୟରେ କିଭଳି ଋଣ ପାଇପାରୁଛନ୍ତି ତାହା ପ୍ରଦର୍ଶନୀରେ ଦେଖିବାର ସୁଯୋଗ ମିଳିଛି। ସରକାରଙ୍କ ପିଟିପି ପ୍ଲାଟଫର୍ମ ଗ୍ରାମାଞ୍ଚଳରେ ଋଣ ବଣ୍ଟନ ବ୍ୟବସ୍ଥାରେ ବିପ୍ଳବ ଆଣିଛି।

ରିଜର୍ଭ ବ୍ୟାଙ୍କର ଡିଜିଟାଲ କରେନ୍ସି ବା ମୁଦ୍ରା ଉପରେ ପ୍ରଦର୍ଶନୀ ପାଭିଲିୟନରେ ସ୍ୱତନ୍ତ୍ର ପ୍ରଦର୍ଶନୀ ଆୟୋଜନ କରାଯିବ। ଏଥିରେ ଆରବିଆଇର ଡିଜିଟାଲ ରୂପୀ ଓ ଏହାର ଯାତ୍ରା ସମ୍ପର୍କରେ ସୂଚନାମୂଳକ ଭିଡିଓ ପ୍ରଦର୍ଶିତ ହେବ। ପରୀକ୍ଷାମୂଳକ ଭିତ୍ତିରେ ଡିଜିଟାଲ ମୁଦ୍ରା ଆରମ୍ଭ କରିଥିବା ନିର୍ଦ୍ଦିଷ୍ଟ ବ୍ୟାଙ୍କମାନେ ପ୍ରଦର୍ଶନୀ ପରିସରରେ ଡିଜିଟାଲ ମୁଦ୍ରା କାରବାର ଦେଖାଇବେ।

ୟୁପିଆଇ ୱାନ ୱାର୍ଲ୍ଡ ଅତିଥିମାନେ ୟୁପିଆଇ ମାଧ୍ୟମରେ ଡିଜିଟାଲ କାରବାରର ସୁବିଧା ଦେଖିପାରିବେ। ଭାରତରେ ବ୍ୟାଙ୍କ ଏକାଉଣ୍ଟ ଥିଲେ ୟୁପିଆଇ ମାଧ୍ୟମରେ କିଭଳି ତୁରନ୍ତ ଡିଜିଟାଲ ଅର୍ଥ କାରବାର ହୋଇପାରିବ ତାହା ଏହି ପ୍ରଦର୍ଶନୀରେ ବିଦେଶାଗତ ଅତିଥିମାନେ ଦେଖିବାକୁ ପାଇପାରିବେ।

ରୂପେ ଅନ୍‌ ଦ ଗୋ ପ୍ରଦର୍ଶନୀରେ ଗ୍ରାହକମାନେ ପିନ୍ଧିଥିବା ଘଣ୍ଟା, ମୁଦି, ଚାବି ଚେନ୍‌ ଆଦି ଜରିଆରେ ସ୍ପର୍ଶମୁକ୍ତ ଅର୍ଥ ପଇଠ କରିବାର ସୁବିଧାକୁ ଅନୁଭବ କରିପାରିବେ। ଏହା ବିଶ୍ୱସ୍ତରୀୟ ଉତ୍ପାଦ ସହିତ ଘରୋଇ କାର୍ଡ ଯୋଜନାର ଗ୍ରହଣୀୟତାକୁ ପ୍ରଦର୍ଶିତ କରିବ।

ସୀମାପାର୍‌ ବିଲ୍‌ ପଇଠ ଲାଗି ଭାରତ ବିଲ୍‌ ପେମେଣ୍ଟ ବ୍ୟବସ୍ଥା (ବିବିପିଏସ) ଆରବିଆଇ ପାଭିଲିୟନରେ ପ୍ରଦର୍ଶିତ ହେବ। ଘରୋଇ ଏବଂ ସୀମାପାର ଅର୍ଥ କାରବାର ସୁବିଧା ଦେବା ପାଇଁ ଫିନଟେକ୍‌ ଓ ପାରମ୍ପରିକ ଉଦ୍ୟୋଗ ସହିତ ଯୋଡ଼ି ହେବା ଲାଗି ବିବିପିଏସ ପ୍ଲାଟଫର୍ମର ଗ୍ରହଣୀୟତା ଏଥିରେ ପ୍ରଦର୍ଶିତ ହେବ।

Categories
ଆଜିର ଖବର ଜାତୀୟ ଖବର

ସିଷ୍ଟମରୁ ୫୦୦ ଟଙ୍କା ନୋଟ୍ ଗାଏବ!: ଜାଣନ୍ତୁ ଏହା ଉପରେ କ’ଣ ଉତ୍ତର ରଖିଲା ଆରବିଆଇ

ନୂଆଦିଲ୍ଲୀ: ଦେଶର କେନ୍ଦ୍ରୀୟ ବ୍ୟାଙ୍କ, ଭାରତୀୟ ରିଜର୍ଭ ବ୍ୟାଙ୍କ ବଜାରରୁ ୫୦୦ ଟଙ୍କା ନୋଟ୍ ଅଦୃଶ୍ୟ ହେବାର ଖବରକୁ ଅସ୍ୱୀକାର କରିଛି ଏବଂ ଏହା ଉପରେ ସ୍ପଷ୍ଟୀକରଣ ଜାରି କରିଛି। ଗତକାଲି ଆରବିଆଇ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ କହିଛି ଯେ, ଏହାର ସିଷ୍ଟମରୁ ୮୮,୦୩୨.୫ କୋଟି ଟଙ୍କା ନିଖୋଜ ହେବାର ଖବର ଭୁଲ। RTI ରୁ ପ୍ରାପ୍ତ ତଥ୍ୟର ଭୁଲ ବ୍ୟାଖ୍ୟା ହେତୁ ଏହା ଘଟିଛି। ଆରବିଆଇ କହିଛି ଯେ, ଦେଶର ତିନୋଟି ପ୍ରିଣ୍ଟିଂ ପ୍ରେସରୁ ୫୦୦ ଟଙ୍କିଆ ନୋଟ ବିଷୟରେ ଆରଟିଆଇ ଅଧୀନରେ ଦିଆଯାଇଥିବା ସୂଚନାକୁ ଭୁଲ ବ୍ୟାଖ୍ୟା କରାଯାଇଛି।

ଗତକାଲି ଅନେକ ଗଣମାଧ୍ୟମରେ ରିପୋର୍ଟ କରାଯାଇଥିଲା ଯେ, ମନୋରଂଜନ ରୟ ରାଇଟ୍ ଟୁ ଇନଫର୍ମେସନ୍ ଯଥା ଆରଟିଆଇ ଅଧୀନରେ କିଛି ପ୍ରଶ୍ନ ପଚାରିଥିଲେ ଏବଂ ଏହାର ଉତ୍ତରରେ କୁହାଯାଇଥିଲା ଯେ, ନୂତନ ଡିଜାଇନ୍ ର ୫୦୦ ଟଙ୍କାର ଲକ୍ଷ ଲକ୍ଷ ନୋଟ୍ ଗାଏବ ହୋଇଯାଇଛି, ଏହାର ମୂଲ୍ୟ ୮୮,୦୩୨.୫ କୋଟି ଟଙ୍କା। ମିଳିଥିବା ସୂଚନା ଅନୁଯାୟୀ, ଦେଶର ତିନୋଟି ପ୍ରିଣ୍ଟିଂ ପ୍ରେସ୍ ମିଳିତ ଭାବେ ନୂତନ ଡିଜାଇନ୍ ସହିତ ୫୦୦ ଟଙ୍କାର ୮୮୧୦.୬୫ କୋଟି ନୋଟ୍ ଛାପି ଥିଲେ, କିନ୍ତୁ ରିଜର୍ଭ ବ୍ୟାଙ୍କ ଏଥିରୁ ମାତ୍ର ୭୨୬ କୋଟି ନୋଟ୍ ପାଇଥିଲା। ମୋଟ ଉପରେ ୫୦୦ ର ୧୭୬୦.୬୫ କୋଟି ନୋଟ୍ ଗାଏବ ହୋଇଯାଇଛି, ଯାହାର ମୂଲ୍ୟ ୮୮,୦୩୨.୫ କୋଟି ଟଙ୍କା।

ଆରବିଆଇ କ’ଣ କହିଲା?:

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ନିଜର ପ୍ରେସ ବିଜ୍ଞପ୍ତିରେ ଏବଂ ଟ୍ୱିଟରରେ ପୋଷ୍ଟରେ କହିଛି ଯେ, ଆରବିଆଇ ସୂଚନା ପାଇଛି ଯେ ବିଭିନ୍ନ ମିଡିଆ ରିପୋର୍ଟରେ ସିଷ୍ଟମରୁ ୫୦୦ ଟଙ୍କିଆ ନୋଟ୍ ଅଦୃଶ୍ୟ ହେବାର ଖବର ଭୁଲ। ପ୍ରିଣ୍ଟିଂ ପ୍ରେସରୁ ମିଳିଥିବା ସୂଚନାକୁ ଭୁଲ ବୁଝାମଣା କରାଯାଇଛି ଏବଂ ଏହା ଜାଣିବା ଜରୁରୀ ଯେ ପ୍ରିଣ୍ଟିଂ ପ୍ରେସରେ ଯାହା କିଛି ନୋଟ୍ ପ୍ରିଣ୍ଟ୍ ହୋଇଛି ତାହା ସମ୍ପୂର୍ଣ୍ଣ ସୁରକ୍ଷିତ। ଏହି ବ୍ୟାଙ୍କ ନୋଟଗୁଡିକର ଉତ୍ପାଦନ, ସଂରକ୍ଷଣ ଏବଂ ବିତରଣକୁ ଆରବିଆଇ ଦ୍ୱାରା ସମ୍ପୂର୍ଣ୍ଣ ପ୍ରୋଟୋକଲ୍ ସହିତ ତଦାରଖ କରାଯାଏ ଏବଂ ଏଥିପାଇଁ ଏକ ମଜବୁତ ବ୍ୟବସ୍ଥା ଅଛି।

ଆରବିଆଇ ଦ୍ଵାରା ଜାରି କରାଯାଇଥିବା ପ୍ରେସ ବିଜ୍ଞପ୍ତିରେ ବ୍ୟାଙ୍କର ମୁଖ୍ୟ ଜେନେରାଲ ମ୍ୟାନେଜର ଯୋଗେଶ୍ୱର ଦୟାଲଙ୍କ ଦ୍ଵାରା ଏହା ଲେଖାଯାଇଛି ଯେ, ଏହିପରି କୌଣସି ସୂଚନା ପାଇଁ ସମସ୍ତେ କେବଳ ଆରବିଆଇ ଦ୍ୱାରା ପ୍ରକାଶିତ ସୂଚନା ଉପରେ ନିର୍ଭର କରିବା ଉଚିତ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଭାରତୀୟ ମୁଦ୍ରାରେ ଅନ୍ତର୍ଜାତୀୟ ବାଣିଜ୍ୟ କାରବାର ପାଇଁ କେନ୍ଦ୍ର ସରକାରଙ୍କ ମଞ୍ଜୁରି

ନୂଆଦିଲ୍ଲୀ: ଭାରତୀୟ ମୁଦ୍ରା ବା ଟଙ୍କା (ଆଇଏନଆର)ରେ ଅନ୍ତର୍ଜାତୀୟ ବାଣିଜ୍ୟ କାରବାର ପାଇଁ ଅନୁମତି ଦେବା ଲାଗି ବୈଦେଶିକ ବାଣିଜ୍ୟ ନୀତି ଏବଂ ପଦ୍ଧତି ପୁସ୍ତିକାରେ ଆବଶ୍ୟକ ସଂଶୋଧନ କରିଛନ୍ତି ଭାରତ ସରକାର। ଏହାଦ୍ବାରା ଭାରତୀୟ ମୁଦ୍ରାରେ ଇନଭଏସ ପ୍ରସ୍ତୁତି, ଅର୍ଥ ପଇଠ ଏବଂ ରପ୍ତାନି/ଆମଦାନୀ କାରବାର କରାଯାଇପାରିବ। ଏ ଦିଗରେ ଏକ ପଦକ୍ଷେପ ସ୍ବରୂପ ପୂର୍ବରୁ ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ (ଡିଜିଏଫଟି)ପକ୍ଷରୁ ଅନୁଚ୍ଛେଦ ସଂଖ୍ୟା ୨.୫୨ (ଡି) ବୈଧ ବିଜ୍ଞପ୍ତି ସଂଖ୍ୟା ୩୩/୨୦୧୫-୨୦ ଜରିଆରେ ସେପ୍ଟେମ୍ବର ୧୬, ୨୦୨୨ରେ ଭାରତୀୟ ମୁଦ୍ରାରେ ଇନଭଏସ ପ୍ରସ୍ତୁତି, ଅର୍ଥପଇଠ ଏବଂ ରପ୍ତାନି ଓ ଆମଦାନୀ କାରବାରକୁ ଅନୁମତି ଦିଆଯାଇଥିଲା। ଏହା ପୂର୍ବରୁ ୧୧ ଜୁଲାଇ ୨୦୨୨ରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏ.ପି. (ଡିଆଇଆର ସିରିଜ) ବିଜ୍ଞପ୍ତି ସଂଖ୍ୟା ୧୦ ଜରିଆରେ ଭାରତୀୟ ମୁଦ୍ରାରେ ଅନ୍ତର୍ଜାତୀୟ ବାଣିଜ୍ୟ କାରବାରକୁ ମଞ୍ଜୁର କରିଥିଲା ଏବଂ ଡିଜିଏଫଟି ସେହି ଅନୁଯାୟୀ ପଦକ୍ଷେପ ଗ୍ରହଣ କରିଥିଲା।

ଉପରୋକ୍ତ ବିଜ୍ଞପ୍ତିକୁ ଆଗକୁ ବଢ଼ାଇ, ବୈଦେଶିକ ବାଣିଜ୍ୟ ନୀତିର ଅନୁଚ୍ଛେଦ ୨.୫୩ରେ ଆବଶ୍ୟକ ପରିବର୍ତ୍ତନ କରିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ମାର୍ଗଦର୍ଶିକା ଅନୁଯାୟୀ,  ଭାରତୀୟ ମୁଦ୍ରାରେ ରପ୍ତାନି ପ୍ରାପ୍ତି ପାଇଁ ବୈଦେଶିକ ବାଣିଜ୍ୟ ନୀତି ଅଧୀନରେ ରପ୍ତାନି ଲାଭ/ଆର୍ଥିକ ପ୍ରୋତ୍ସାହନ/ରପ୍ତାନି ଉତ୍ତରଦାୟିତ୍ବ ପୂରଣକୁ ଅନୁମତି ଦେବା ଲାଗି ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

ଭାରତୀୟ ମୁଦ୍ରାରେ ରପ୍ତାନି ଅସୁଲି ପାଇଁ ସଂଶୋଧିତ ବ୍ୟବସ୍ଥା ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି। ରପ୍ତାନି ପାଇଁ ଆମଦାନୀ (ଏଫଟିପିର ଅନୁଚ୍ଛେଦ ୨.୪୬), ଷ୍ଟାଟସ ହୋଲ୍ଡର ବା ସ୍ଥିତିଧାରକ ଭାବେ ମାନ୍ୟତା ପାଇଁ ରପ୍ତାନି ପ୍ରଦର୍ଶନ (ଏଫଟିପିର ଅନୁଚ୍ଛେଦ ୩.୨୦), ଅଗ୍ରୀମ ପ୍ରାଧିକରଣ (ଏଏ) ଏବଂ ଶୁଳ୍କ ମୁକ୍ତ ଆମଦାନୀ ପ୍ରାଧିକରଣ (ଡିଏଫଆଇଏ) ଯୋଜନା ଅଧୀନରେ ରପ୍ତାନି କାରବାର ପ୍ରାପ୍ତି ପାଇଁ (ଏଫଟିପିର ଅନୁଚ୍ଛେଦ ୪.୨୧) ଏବଂ ରପ୍ତାନି ପ୍ରୋତ୍ସାହନ ପୁଞ୍ଜିଗତ ବସ୍ତୁ (ଇପିସିଜି) ଯୋଜନା (ଏଚବିପିର ଅନୁଚ୍ଛେଦ ୫.୧୧) ଅଧୀନରେ ରପ୍ତାନି କାରବାରର ପ୍ରାପ୍ତି ନିମନ୍ତେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି।

ସେହି ଅନୁଯାୟୀ, ବୈଦେଶିକ ବାଣିଜ୍ୟ ନୀତି ଅଧୀନରେ, ଲାଭ/ରିହାତି/ରପ୍ତାନି ବାଧ୍ୟତା ପୂରଣକୁ ୧୧ ଜୁଲାଇ ୨୦୨୨ରେ ପ୍ରକାଶିତ ଭାରତୀୟ ରିଜର୍ଭ ବ୍ୟାଙ୍କର ମାର୍ଗଦର୍ଶିକା ଅନୁଯାୟୀ ଭାରତୀୟ ଟଙ୍କାର ପ୍ରାପ୍ତି ନିମନ୍ତେ ସମ୍ପ୍ରସାରଣ କରାଯାଇଛି। ଭାରତୀୟ ମୁଦ୍ରାର ଅନ୍ତର୍ଜାତୀୟକରଣରେ ଆଗ୍ରହକୁ ଦୃଷ୍ଟିରେ ରଖି, ଭାରତୀୟ ମୁଦ୍ରାରେ ଅନ୍ତର୍ଜାତୀୟ ବାଣିଜ୍ୟ କାରବାରକୁ ସୁଗମ କରିବା ତଥା ସେଥିରେ ସରଳତା ଆଣିବା ଲାଗି ନୀତିଗତ ସଂଶୋଧନ ଆରମ୍ଭ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଏହି ବ୍ୟାଙ୍କର ଗ୍ରାହକମାନେ ଧ୍ୟାନ ଦିଅନ୍ତୁ! ୨ ଦିନ ପରେ ଆକାଉଣ୍ଟରୁ ଉଠାଇପାରିବେନି ଟଙ୍କା

ନୂଆଦିଲ୍ଲୀ: ଯଦି ଆପଣଙ୍କର ଆକାଉଣ୍ଟ୍ ସହକାରୀ କିମ୍ବା ସମବାୟ ବ୍ୟାଙ୍କରେ ଅଛି, ତେବେ ଏହି ଖବର ଆପଣଙ୍କ କାମରେ ଆସିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ଅନେକ ଗ୍ରାହକଙ୍କୁ ସୂଚନା ଦେଇଛି ଯେ, ସେପ୍ଟେମ୍ବର ୨୨ ତାରିଖ ୨୦୨୨ରୁ ସେମାନେ ସେମାନଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ପାରିବେ ନାହିଁ। ଏଭଳି ପରିସ୍ଥିତିରେ ସେମାନେ ଯଥାଶୀଘ୍ର ତାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇନିଅନ୍ତୁ। ପୁଣେ ସ୍ଥିତ ରୂପି ସମବାୟ ବ୍ୟାଙ୍କର ଲାଇସେନ୍ସ ବାତିଲ କରିବାକୁ ଆରବିଆଇ ନିଷ୍ପତ୍ତି ନେଇଛି। ଏଭଳି ପରିସ୍ଥିତିରେ ଗ୍ରାହକମାନଙ୍କୁ ବ୍ୟାଙ୍କ ସେପ୍ଟେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛି। କାରଣ ସେପ୍ଟେମ୍ବର ୨୨ ତାରିଖରୁ ବ୍ୟାଙ୍କ ଏହାର ସେବା ବନ୍ଦ କରିବ। ଏଭଳି ପରିସ୍ଥିତିରେ ସେମାନେ ପରେ ତାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ପାରିବେ ନାହିଁ।

ଉଲ୍ଲେଖ ଯୋଗ୍ୟ ଯେ, ଗତ କିଛି ଦିନ ମଧ୍ୟରେ ଭାରତର ରିଜର୍ଭ ବ୍ୟାଙ୍କ ଅନେକ ବ୍ୟାଙ୍କ ବିରୋଧରେ ବଡ଼ ପଦକ୍ଷେପ ନେଇଛି। ବର୍ତ୍ତମାନ ପୁଣେରେ ଥିବା ରୁପି କୋ-ଅପରେଟିଭ୍ ବ୍ୟାଙ୍କ ଲିମିଟେଡର ନାମ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହୋଇଛି। ବ୍ୟାଙ୍କର ଲାଇସେନ୍ସ ଆରବିଆଇ ବାତିଲ କରିଛି। ଏପରି ପରିସ୍ଥିତିରେ, ଏହି ସମବାୟ ବ୍ୟାଙ୍କ ସେପ୍ଟେମ୍ବର ୨୨ ତାରିଖରୁ ଗ୍ରାହକଙ୍କୁ ଏହାର ବ୍ୟାଙ୍କିଙ୍ଗ୍ ସେବା ପ୍ରଦାନ କରିବାକୁ ସମର୍ଥ ହେବ ନାହିଁ। ବ୍ୟାଙ୍କର ଆର୍ଥିକ ଅବସ୍ଥାକୁ ଦୃଷ୍ଟିରେ ରଖି ଆରବିଆଇ ବହୁ ସଂଖ୍ୟକ ସମବାୟ ବ୍ୟାଙ୍କର ନାମ ସମେତ ଅନେକ ବ୍ୟାଙ୍କର ଲାଇସେନ୍ସକୁ ବାତିଲ କରିଦେଇଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଭାରତରେ ଶ୍ରୀଲଙ୍କା ଏବଂ ପାକିସ୍ତାନ ଭଳି ପରିସ୍ଥିତି ହେବ ନାହିଁ: ଆରବିଆଇକୁ ପ୍ରଶଂସା କଲେ ରଘୁରାମ ରାଜନ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଆରବିଆଇକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ‘ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ବୈଦେଶିକ ମୁଦ୍ରା ଭଣ୍ଡାର ବୃଦ୍ଧିରେ ଏକ ଭଲ କାମ କରିଛି। ଦେଶ ଶ୍ରୀଲଙ୍କା ଏବଂ ପାକିସ୍ତାନ ଭଳି ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବ ନାହିଁ। ଆମର ପର୍ଯ୍ୟାପ୍ତ ବୈଦେଶିକ ମୁଦ୍ରା ଭଣ୍ଡାର ଅଛି, ରିଜର୍ଭ ବ୍ୟାଙ୍କ ସଂରକ୍ଷଣ ବୃଦ୍ଧିରେ ଏକ ଭଲ କାମ କରିଛି। ଗଣମାଧ୍ୟମ ବାର୍ତ୍ତାଳାପରେ ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ, ଆମ ଦେଶ ଉପରେ ବୈଦେଶିକ ଋଣ ମଧ୍ୟ କମ୍ ଅଟେ।

ଏଥି ସହିତ ଦେଶର ମୁଦ୍ରାସ୍ଫୀତି ଉପରେ ପୂର୍ବତନ ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ, ଆରବିଆଇ ଦ୍ୱାରା ନୀତି ହାର ବୃଦ୍ଧି ମୁଦ୍ରାସ୍ଫୀତି ଚାପ ହ୍ରାସ କରିବାରେ ସହାୟକ ହେବ। ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ସମୟରେ ସମଗ୍ର ବିଶ୍ୱରେ ମୁଦ୍ରାସ୍ଫୀତି ଅଛି। ଆରବିଆଇ କ୍ରମାଗତ ଭାବେ ଏହାର ସୁଧ ହାର ବୃଦ୍ଧି କରୁଛି, ଯାହା ମୁଦ୍ରାସ୍ଫୀତି ହ୍ରାସ କରିବାରେ ସହାୟକ ହେବ। ଖାଦ୍ୟ ଏବଂ ଇନ୍ଧନରେ ସର୍ବାଧିକ ମୁଦ୍ରାସ୍ଫୀତି ବୋଲି ସେ କହିଛନ୍ତି। ଆମେ ସମସ୍ତେ ସ୍ପଷ୍ଟ ଭାବରେ ଦେଖୁଛୁ ଯେ, ବିଶ୍ୱରେ ଖାଦ୍ୟ ମୁଦ୍ରାସ୍ଫୀତି ହ୍ରାସ ପାଉଛି ଏବଂ ଆଗାମୀ ସମୟରେ ଏହା ମଧ୍ୟ ଭାରତରେ ହ୍ରାସ ପାଇବ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ରେପୋ ରେଟ୍‌ରେ ୫୦ ବେସିସ ପଏଣ୍ଟ ବୃଦ୍ଧି କଲା ଭାରତୀୟ ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ତ୍ରୈମାସିକ ମୁଦ୍ରା ନୀତି ସମୀକ୍ଷା ସମିତି ଅନେକଗୁଡ଼ିଏ ମହତ୍ବପୂର୍ଣ୍ଣ ନୀତିଗତ ପଦକ୍ଷେପ ଗ୍ରହଣ କରାଯାଇଛି । ସମିତିର ବୈଠକ ୬-୮ ଜୁନ, ୨୦୨୨ରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସର୍ବସମ୍ମତିକ୍ରମେ ରେପୋ ରେଟରେ ୫୦ ବେସିସ ପଏଣ୍ଟ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି, ଫଳରେ ବର୍ତ୍ତମାନ ରେପୋ ଦର ୪.୯୦%ରେ ପହଞ୍ଚିଛି।

ଅନୁରୂପ ଭାବେ, ସ୍ଥାୟୀ ଜମା ସୁବିଧା ଦର ବା ଷ୍ଟାଣ୍ଡିଂ ଡିପୋଜିଟ୍ ଫ୍ୟାସିଲିଟୀ ରେଟକୁ ୪.୬୫% ଏବଂ ସୀମାନ୍ତ ସ୍ଥାୟୀ ସୁବିଧା ଦର ବା ମାର୍ଜିନାଲ ଷ୍ଟାଣ୍ଡିଂ ଫେସିଲିଟୀ ରେଟ୍ ଏବଂ ବ୍ୟାଙ୍କ ଦରକୁ ୫.୧୫%ରେ ରଖାଯାଇଛି ।

ବିକାଶକୁ ସମର୍ଥନ କରି ମୂଦ୍ରାସ୍ଫୀତି ହାରକୁ ଭବିଷ୍ୟତରେ ନିର୍ଦ୍ଧାରିତ ସୀମା ମଧ୍ୟରେ ରଖିବା ସକାଶେ ହସ୍ତକ୍ଷେପ ହ୍ରାସ କରିବା (ଙ୍ଗସଗ୍ଧଷୟକ୍ସବଙ୍ଗବକ୍ଷ କ୍ଟଲ ବମମକ୍ଟଜ୍ଞଜ୍ଞକ୍ଟୟବଗ୍ଧସକ୍ଟଦ୍ଭ) ପାଇଁ ମୁଦ୍ରା ନୀତି ସମିତି ନିଷ୍ପତ୍ତି ନେଇଛି ।

ମୁଦ୍ରାସ୍ଫୀତି

୨୦୨୨ ବର୍ଷରେ ସ୍ବାଭାବିକ ମୌସୁମୀ ଏବଂ ଭାରତୀୟ ବାସ୍କେଟରେ ହାରାହାରୀ ଅଶୋଧିତ ତୈଳ ଦର ବ୍ୟାରେଲ୍ ପିଛା ୧୦୫ ଆମେରିକୀୟ ଡଲାର ରହିବା ନେଇ ଆକଳନକୁ ଦୃଷ୍ଟିରେ ରଖି ୨୦୨୨-୨୩ରେ ମୁଦ୍ରାସ୍ଫୀତି ୬.୭% ରହିବା ନେଇ ପୂର୍ବାନୁମାନ କରାଯାଇଛି ।

ପ୍ରଥମ ତ୍ରୈମାସ – ୭.୫%
ଦ୍ବିତୀୟ ତ୍ରୈମାସ – ୭.୪%
ତୃତୀୟ ତ୍ରୈମାସ – ୬.୨%
ଚତୁର୍ଥ ତ୍ରୈମାସ – ୫.୮%

ଅଭିବୃଦ୍ଧି ଆକଳନ

ବହୁଦଶନ୍ଧି ଧରି ଉଚ୍ଚ ମୁଦ୍ରାସ୍ଫୀତି ଏବଂ ମନ୍ଥର ଅଭିବୃଦ୍ଧି, ବର୍ତ୍ତମାନର ଭୂ-ରାଜନୈତିକ ଉତ୍ତେଜନା ଓ କଟକଣା, ଅଶୋଧିତ ତୈଳ ଓ ଅନ୍ୟାନ୍ୟ ସାମଗ୍ରୀର ଉଚ୍ଚ ମୂଲ୍ୟ ଏବଂ କୋଭିଡ-୧୯ ସଂକ୍ରାନ୍ତ ଯୋଗାଣ ଶୃଙ୍ଖଳରେ ବାଧା କାରଣରୁ ବିଶ୍ବ ଅର୍ଥବ୍ୟବସ୍ଥା ଅନେକଗୁଡ଼ିଏ ମାନ୍ଦାବସ୍ଥା ଦେଇ ଗତି କରୁଥିବା ମୁଦ୍ରା ନୀତି ସମିତି ହୃଦୟଙ୍ଗମ କରିଛି ।

ତେବେ ଏପ୍ରିଲ-ମେ ମାସର ଆର୍ଥିକ ସୂଚକାଙ୍କ ଭାରତର ଆର୍ଥିକ ଗତିବିଧରେ ଆସିଥିବା ବ୍ୟାପକ ସୁଧାର ସମ୍ପର୍କରେ ସୂଚନା ଦେଉଛି । ସହରାଞ୍ଚଳ ଚାହିଦାରେ ସୁଧାର ଆସିଛି ଏବଂ ଗ୍ରାମୀଣ ଚାହିଦା ଧୀରେ ଧୀରେ ବଢ଼ୁଛି । ମେ ମାସ ପର‌୍ୟ୍ୟନ୍ତ ପଣ୍ୟ ରପ୍ତାନି କ୍ରମାଗତ ୧୫ ମାସ ଧରି ଦୁଇ ସଂଖ୍ୟା ବିଶିଷ୍ଟ ଦୃଢ଼ ଅଭିବୃଦ୍ଧି ହାସଲ କରିଛି । ଅନ୍ୟପକ୍ଷରେ ଅଣ-ତୈଳ ଅଣ-ସ୍ବର୍ଣ୍ଣ ରପ୍ତାନି ସୁସ୍ଥ ହାରରେ ଅଭିବୃଦ୍ଧି ହାସଲ କରୁଛି, ଯାହାକି ଘରୋଇ ଚାହିଦାରେ ସୁଧାର ପ୍ରତି ଇଙ୍ଗିତ କରୁଛି ।

୨୦୨୨-୨୩ରେ ବାସ୍ତବ ଜିଡିପି ଅଭିବୃଦ୍ଧି ୭.୨% ରହିବା ନେଇ ଆକଳନ କରାଯାଇଛି

ପ୍ରଥମ ତ୍ରୈମାସ – ୧୬.୨%
ଦ୍ବିତୀୟ ତ୍ରୈମାସ – ୬.୨%
ତୃତୀୟ ତ୍ରୈମାସ – ୪.୧%
ଚତୁର୍ଥ ତ୍ରୈମାସ – ୪.୦%

ମେ ୩୧ରେ ପ୍ରକାଶ ପାଇଥିବା ଏନଏସଓର ପ୍ରାରମ୍ଭିକ ଆକଳନ ଅନୁଯାୟୀ, ଭାରତର ଜିଡିପି ଅଭିବୃଦ୍ଧି ୨୦୨୧-୨୨ରେ ୮.୭% ରହିବ, ଯାହାକି ମହାମାରୀ ପୂର୍ବ ସ୍ତର ଠାରୁ ଅଧିକ ।

ସମବାୟ ବ୍ୟାଙ୍କର ଲାଭ ପାଇଁ ପଦକ୍ଷେପ

1- ସମବାୟ ବ୍ୟାଙ୍କ ମାନଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ବ୍ୟକ୍ତିଗତ ଆବାସିକ ଋଣ ସୀମା ବୃଦ୍ଧି ନିମନ୍ତେ ନିଷ୍ପତ୍ତି ନିଆଯାଇଛି । ଶେଷ ଥର ପାଇଁ ଋଣ ସୀମା ସଂଶୋଧନ ପରବର୍ତ୍ତୀ ସମୟରେ ଘର ମୂଲ୍ୟ ବୃଦ୍ଧି ପାଇବା ଏବଂ ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବର୍ତ୍ତମାନର ଋଣ ସୀମା ବଢ଼ାଇବାକୁ ନିଷ୍ପତ୍ତି ହୋଇଛି । ଟିୟର ୧/ଟିୟର ୨ ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କ (ୟୁସିବି) ପକ୍ଷରୁ ଦିଆଯାଉଥିବା ଋଣ ସୀମାକୁ ୩୦ ଲକ୍ଷ ଟଙ୍କା/୭୦ଲକ୍ଷ ଟଙ୍କାରୁ ବଢ଼ାଇ ୬୦ ଲକ୍ଷ ଟଙ୍କା/୧ କୋଟି ୪୦ ଲକ୍ଷ ଟଙ୍କା କରି ଦିଆଯାଇଛି ।

2- ସେହିପରି ୧୦୦ କୋଟି ଟଙ୍କାରୁ କମ୍ ଆକଳିତ ମୋଟ୍ ସମ୍ପତ୍ତି ଥିବା ଗ୍ରାମୀଣ କୋ-ଅପରେଟିଭ୍ ବ୍ୟାଙ୍କ (ଆରସିବି) ପାଇଁ ଗୃହ ଋଣ ସୀମାକୁ ୨୦ ଲକ୍ଷ ଟଙ୍କାରୁ ବଢ଼ାଇ ୫୦ ଲକ୍ଷ ଟଙ୍କା କରି ଦିଆଯାଇଛି । ଅନ୍ୟ ଆରସିବିରେ ଏହାକୁ ୩୦ ଲକ୍ଷ ଟଙ୍କାରୁ ୭୫ ଲକ୍ଷ ଟଙ୍କା କରାଯାଇଛି ।

3- ସହରାଞ୍ଚଳ ସମବାୟ ବ୍ୟାଙ୍କମାନେ ଏବେ ଘର ପାଖରେ ଗ୍ରାହକମାନଙ୍କୁ ବ୍ୟାଙ୍କ ସେବା ଯୋଗାଇ ଦେଇ ପାରିବେ, ଫଳରେ ସେମାନେ ନିଜ ଗ୍ରାହକଙ୍କ ଆବଶ୍ୟକତାକୁ ଭଲ ଭାବେ ପୂରଣ କରିପାରିବେ । ଏହାଦ୍ବାରା ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ଗ୍ରାହକମାନେ ବିଶେଷ ସୁବିଧା ପାଇପାରିବେ ।

4- ଗ୍ରାମୀଣ ସମବାୟ ବ୍ୟାଙ୍କଗୁଡ଼ିକ ଏବେ ବାଣିଜ୍ୟିକ ରିଅଲ ଇଷ୍ଟେଟ୍ ପ୍ରକଳ୍ପ (ଆବାସିକ ଗୃହ ନିର୍ମାଣ ପ୍ରକଳ୍ପକୁ ଋଣ)କୁ ଋଣ ଯୋଗାଇ ଦେଇପାରିବେ । ତେବେ ସେମାନେ ମୋଟ୍ ସମ୍ପତ୍ତିର ୫% ମୋଟ୍ ଆବାସିକ ଅର୍ଥ ଯୋଗାଣ ସୀମା ମଧ୍ୟରେ ଏଥିପାଇଁ ଋଣ ଦେଇପାରିବେ ।

ଇ-ମ୍ୟାଣ୍ଡେଟ୍ କାରବାରର ବର୍ଦ୍ଧିତ ସୀମା

ଗ୍ରାହକଙ୍କ ସୁବିଧାକୁ ଆହୁରି ବଢ଼ାଇବା ଏବଂ ସଦସ୍ୟତା, ବୀମା ପ୍ରିମିୟମ ଓ ଅଧିକ ମୂଲ୍ୟର ଶିକ୍ଷା ଶୁଳ୍କ ଭଳି ପୁନରାବୃତ୍ତି (ରିକରିଂ) ଅର୍ଥ ପଇଠ ସୁବିଧା ନିମନ୍ତେ ଇ-ମ୍ୟାଣ୍ଡେଟ୍ ଆଧାରିତ ରିକରିଂ ପେମେଣ୍ଟ (ଅର୍ଥପଇଠ) ପାଇଁ ନେଣଦେଣ ସୀମାକୁ ୫୦୦୦ ଟଙ୍କାରୁ ବଢ଼ାଇ ୧୫ ହଜାର ଟଙ୍କା କରି ଦିଆଯାଇଛି ।

ୟୁପିଆଇ ପେମେଣ୍ଟ ପ୍ରଣାଳୀରେ ଅଧିକ ସୁବିଧା

ଏଣିକି ୟୁପିଆଇ ପ୍ଲାଟଫର୍ମରେ କ୍ରେଡିଟ୍ କାର୍ଡକୁ ଲିଙ୍କ କରାଯାଇପାରିବ। ପ୍ରଥମେ ରୂପେ କାର୍ଡରୁ ଏହି ସୁବିଧା ଆରମ୍ଭ ହେବ । ଏହା ଗ୍ରାହକଙ୍କୁ ଅତିରିକ୍ତ ସୁବିଧା ଯୋଗାଇ ଦେବା ସହିତ ଡିଜିଟାଲ ପେମେଣ୍ଟର ପରିସରକୁ ବୃଦ୍ଧି କରିବ । ଭାରତରେ ୟୁପିଆଇ ଏବେ ସବୁଠୁ ସମାବେଶୀ ଅର୍ଥ ପଇଠ ମାଧ୍ୟମ ପାଲଟିଛି । ୟୁପିଆଇ ପ୍ଲାଟଫର୍ମରେ ବର୍ତ୍ତମାନ ୨୬ କୋଟି ଅଭିନବ ବ୍ୟବହାରକାରୀ (ୟୁଜର୍ସ) ଏବଂ ୫ କୋଟି ବ୍ୟବସାୟୀ ସାମିଲ ରହିଛନ୍ତି ।
ମୂଦ୍ରା ନୀତି ସମିତିରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶ୍ରୀ ଶକ୍ତିକାନ୍ତ ଦାସଙ୍କ ସମେତ ଡକ୍ଟର ଶଶାଙ୍କ ଭିଡ଼େ, ଡକ୍ଟର ଅସୀମା ଗୋୟଲ, ପ୍ରଫେସର ଜୟନ୍ତ ଆର. ବର୍ମା, ଡକ୍ଟର ରାଜୀବ ରଞ୍ଜନ ଏବଂ ଡକ୍ଟର ମିଶେଲ ଦେବବ୍ରତ ପାତ୍ର ପ୍ରମୁଖ ସଦସ୍ୟ ରହିଛନ୍ତି । ମୁଦ୍ରା ନୀତି ସମିତର ପରବର୍ତ୍ତୀ ବୈଠକ ଅଗଷ୍ଟ ୨-୪, ୨୦୨୨ରେ ଅନୁଷ୍ଠିତ ହେବ ।

Categories
ବିଶେଷ ଖବର ବ୍ୟବସାୟ

ଆରବିଆଇର ଦୁଇଟି ଅଭିନବ ଗ୍ରାହକ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ ଏହା କଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଦୁଇଟି ଅଭିନବ ଗ୍ରାହକ କୈନ୍ଦ୍ରିକ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଦୁଇଟି ଯୋଜନା ହେଲା- ରିଟେଲ୍ ଡାଇରେକ୍ଟ ଯୋଜନା ଏବଂ ରିଜର୍ଭ ବ୍ୟାଙ୍କ – ସମନ୍ୱିତ ଲୋକପାଳ ଯୋଜନା। ପ୍ରଧାନମନ୍ତ୍ରୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଜନା ଦୁଇଟିର ଶୁଭାରମ୍ଭ କରିଥିଲେ। ଏହି କାର‌୍ୟ୍ୟକ୍ରମରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶ୍ରୀ ଶକ୍ତିକାନ୍ତ ଦାସ ଉପସ୍ଥିତ ଥିଲେ।

ପ୍ରଧାନମନ୍ତ୍ରୀ ଏହି ସମାରୋହରେ ଉଦବୋଧନ ଦେଇ ମହାମାରୀ ସମୟରେ ଅର୍ଥ ମନ୍ତ୍ରଣାଳୟ ଏବଂ ଆରବିଆଇ ଭଳି ସଂସ୍ଥାନର ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, “ଅମୃତ ମହୋତ୍ସବର ଏହି ସମୟ, ଏକବିଂଶ ଶତାବ୍ଦୀର ଏ ଦଶନ୍ଧି ଦେଶର ବିକାଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାଳଖଣ୍ଡ। ଏଭଳି ପରିସ୍ଥିତିରେ ଆରବିଆଇର ଭୂମିକା ସୁବୁଠୁ ମହତ୍ୱପୂର୍ଣ୍ଣ। ଆରବିଆଇର ସମ୍ପୂର୍ଣ୍ଣ ଟିମ୍ ଦେଶବାସୀଙ୍କ ଆଶାଆକାଂକ୍ଷା ପୂରଣ କରିବାରେ ସଫଳ ହୋଇପାରିବ ବୋଲି ମୋର ବିଶ୍ୱାସ ରହିଛି।”

ଆଜି ଶୁଭାରମ୍ଭ ହୋଇଥିବା ଦୁଇଟି ଯୋଜନା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଯୋଜନାଗୁଡ଼ିକ ଦେଶରେ ନିବେଶର ପରିସର ବୃଦ୍ଧି କରିବ ଏବଂ ପୁଞ୍ଜି ବଜାରକୁ ନିବେଶକମାନଙ୍କ ପାଇଁ ଅଧିକ ସହଜ ଓ ନିରାପଦ କରିବ। ରିଟେଲ ଡାଇରେକ୍ଟ ଯୋଜନା ସରକାରୀ ସିକ୍ୟୁରିଟିଜ ବା ପ୍ରତିଭୂତିରେ ନିବେଶ ଲାଗି ଦେଶର ଛୋଟ ନିବେଶକମାନଙ୍କୁ ଏକ ସରଳ ଓ ସୁରକ୍ଷିତ ମାଧ୍ୟମ ଯୋଗାଇ ଦେବ । ଅନୁରୂପ ଭାବେ, ଆଜି ଶୁଭାରମ୍ଭ ହୋଇଥିବା ସମନ୍ୱିତ ଲୋକପାଳ ଯୋଜନା ଦେଶର ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଏକ ରାଷ୍ଟ୍ର, ଏକ ଲୋକପାଳ ବ୍ୟବସ୍ଥାକୁ ସାକାର ରୂପ ଦେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଏସବୁ ଯୋଜନାର ଗ୍ରାହକ କୈନ୍ଦ୍ରିକ ବୈଶିଷ୍ଟ୍ୟ ବିଷୟରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ଅଭିଯୋଗ ସମାଧାନ ବ୍ୟବସ୍ଥା ଏକ ଗଣତନ୍ତ୍ରର ସବୁଠୁ ବଡ଼ ସାମର୍ଥ୍ୟ। ସମନ୍ୱିତ ଲୋକପାଳ ଯୋଜନା ଏହି ଉଦ୍ଦେଶ୍ୟକୁ ପୂରଣ କରିବା ଦିଗରେ ଦୀର୍ଘଦିନ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ।

ଅନୁରୂପ ଭାବେ ରିଟେଲ ଡାଇରେକ୍ଟ ଯୋଜନା ଅର୍ଥବ୍ୟବସ୍ଥାରେ ସମସ୍ତଙ୍କୁ ଅନ୍ତର୍ଭୂକ୍ତ କରିବାର ପ୍ରୟାସକୁ ସୁଦୃଢ଼ କରିବ କାରଣ ଏହା ମଧ୍ୟବିତ୍ତ, କର୍ମଚାରୀ, କ୍ଷୁଦ୍ର ବ୍ୟବସାୟୀ ଓ ବରିଷ୍ଠ ନାଗରିକମାନଙ୍କୁ ସେମାନଙ୍କର ସ୍ୱଳ୍ପ ଜମା ସହିତ ସରକାରୀ ସିକ୍ୟୁରିଟିଜରେ ପ୍ରତ୍ୟକ୍ଷ ଓ ନିରାପଦ ଭାବେ ସାମିଲ କରିବ । ସରକାରୀ ସିକ୍ୟୁରିଟିଜରେ ସେଟଲମେଣ୍ଟ ବା ସମାଧାନର ଗ୍ୟାରେଣ୍ଟି ଥିବାରୁ ଏହା ସମସ୍ତ କ୍ଷୁଦ୍ର ନିବେଶକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଗତ ୭ ବର୍ଷ ମଧ୍ୟରେ, ପାରଦର୍ଶିତାର ସହ ଏନପିଏଗୁଡ଼ିକୁ ଚିହ୍ନଟ କରାଯାଉଛି, ସମାଧାନ ଓ ଅସୁଲି ଉପରେ ଗୁରୁତ୍ୱାରୋପ କରାଯାଉଛି, ରାଷ୍ଟ୍ରାୟତ୍ତ କ୍ଷେତ୍ରର ବ୍ୟାଙ୍କଗୁଡ଼ିକର ପୁନଃପୁଞ୍ଜିକରଣ କରାଯାଉଛି, ଆର୍ଥିକ ବ୍ୟବସ୍ଥା ଏବଂ ରାଷ୍ଟ୍ରାୟତ୍ତ କ୍ଷେତ୍ରର ବ୍ୟାଙ୍କଗୁଡ଼ିକରେ ଗୋଟିଏ ପରେ ଗୋଟିଏ ସଂସ୍କାର ଲାଗୁ କରାଯାଉଛି। ସେ ଆହୁରି କହିଥିଲେ, ବ୍ୟାଙ୍କିଙ୍ଗ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ଲାଗି, ସମବାୟ ବ୍ୟାଙ୍କଗୁଡ଼ିକୁ ଆରବିଆଇର ପରିଚାଳନା ଅଧୀନକୁ ଅଣାଯାଇଛି। ଏହି କାରଣରୁ ଏସବୁ ବ୍ୟାଙ୍କଗୁଡ଼ିକର ପ୍ରଶାସନରେ ସୁଧାର ଆସିଛି ଏବଂ ଜମାକାରୀମାନଙ୍କ ମଧ୍ୟରେ ଏହି ବ୍ୟବସ୍ଥା ପ୍ରତି ବିଶ୍ୱାସ ଆହୁରି ସୁଦୃଢ଼ ହେଉଛି ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ କିଛି ବର୍ଷ ଧରି, ଦେଶର ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବିଭିନ୍ନ ପ୍ରକାରର ସଂସ୍କାର କାର‌୍ୟ୍ୟକାରୀ କରାଯାଇଛି। ଆର୍ଥିକ କ୍ଷେତ୍ରରେ ଅନ୍ତର୍ଭୂକ୍ତୀକରଣ ଠାରୁ ଆରମ୍ଭ କରି ପ୍ରଯୁକ୍ତିର ସମନ୍ୱୟକୁ କାର‌୍ୟ୍ୟକାରୀ କରାଯାଉଛି। କୋଭିଡ ସଙ୍କଟ କାଳରେ ଏଗୁଡ଼ିକର ସାମର୍ଥ୍ୟ ଆମେ ଦେଖିଛୁ। ଭାରତୀୟ ରିଜର୍ଭ ବ୍ୟାଙ୍କର ନିଷ୍ପତ୍ତି ନିକଟ ଅତୀତରେ ସରକାର ଗ୍ରହଣ କରିଥିବା ବଡ଼ ନିଷ୍ପତ୍ତିର ପ୍ରଭାବ ବୃଦ୍ଧି କରିବାରେ ବେଶ ସହାୟକ ହେଉଛି ବୋଲି ସେ କହିଥିଲେ।

୬-୭ ବର୍ଷ ପୂର୍ବରୁ, ବ୍ୟାଙ୍କସେବା, ପେନସନ ଓ ବୀମା କେବଳ ଭାରତର ନିର୍ଦ୍ଦିଷ୍ଟ ବର୍ଗଙ୍କ ଦ୍ୱାରା ବ୍ୟବହୃତ ହେଉଥିଲା। ଏସବୁ ସେବାର ସୁବିଧା ଦେଶର ସାଧାରଣ ନାଗରିକ, ଗରିବ ପରିବାର, ଚାଷୀ, କ୍ଷୁଦ୍ର ବ୍ୟବସାୟୀ, ମହିଳା, ଦଳିତ-ବଞ୍ଚିତ-ପଛୁଆବର୍ଗ ଆଦିଙ୍କ ନିକଟରେ ପହଞ୍ଚି ପାରୁନଥିଲା। ପୂର୍ବ ବ୍ୟବସ୍ଥାକୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏସବୁ ସୁବିଧା ଗରିବ ଲୋକଙ୍କ ନିକଟରେ ପହଞ୍ଚାଇବାର ଉତ୍ତରଦାୟିତ୍ୱ ଯେଉଁମାନଙ୍କ ପାଖରେ ଥିଲା ସେମାନେ କେବେ ଏଥିପ୍ରତି ଧ୍ୟାନ ଦେଇନଥିଲେ। ବରଂ, ପରିବର୍ତ୍ତନ ନଆସିବା ପାଇଁ ନାନା ବାହାନା କରୁଥିଲେ। ବ୍ୟାଙ୍କ ଶାଖା ନାହିଁ, କର୍ମଚାରୀ ନାହାନ୍ତି, ଇଣ୍ଟରନେଟ ନାହିଁ, ସଚେତନତା ନାହିଁ, ଉପାୟ ନାହିଁ ଆଦି ନାନା ଯୁକ୍ତି ଦର୍ଶାଯାଉଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ୟୁପିଆଇ କାର‌୍ୟ୍ୟକାରୀ ହେବା ଫଳରେ ଭାରତ ଖୁବ କମ ସମୟ ମଧ୍ୟରେ ଡିଜିଟାଲ କାରବାର କ୍ଷେତ୍ରରେ ବିଶ୍ୱର ଅଗ୍ରଣୀ ରାଷ୍ଟ୍ର ପାଲଟି ଯାଇଛି। ମାତ୍ର ୭ ବର୍ଷ ମଧ୍ୟରେ, ଭାରତରେ ଡିଜିଟାଲ କାରବାର ୧୯ ଗୁଣା ବୃଦ୍ଧି ପାଇଛି। ଆଜି ଆମର ବ୍ୟାଙ୍କ ସେବା ୨୪ ଘଣ୍ଟା, ୭ ଦିନ ଏବଂ ୧୨ ମାସ ଧରି ଦେଶର ଯେକୌଣସି ସ୍ଥାନରେ, ଯେକୌଣସି ସମୟରେ ମିଳିପାରୁଛି ବୋଲି ଶ୍ରୀ ମୋଦୀ ଜୋର ଦେଇ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆମକୁ ଦେଶର ନାଗରିକମାନଙ୍କର ଆବଶ୍ୟକତାକୁ କେନ୍ଦ୍ରରେ ରଖିବାକୁ ହେବ ଏବଂ ନିବେଶକମାନଙ୍କ ବିଶ୍ୱାସ ଦୃଢ଼ କରିବାକୁ ପଡ଼ିବ। ଏକ ସମ୍ବେଦନଶୀଳ ଏବଂ ନିବେଶ-ଅନୁକୂଳ ଲକ୍ଷ୍ୟସ୍ଥଳୀ ଭାବେ ଭାରତର ନୂତନ ପରିଚୟକୁ ସୁଦୃଢ଼ କରିବାରେ ଆରବିଆଇ ନିଜର ପ୍ରୟାସ ଜାରି ରଖିବ ବୋଲି ମୋର ବିଶ୍ୱାସ ରହିଛି ବୋଲି ଶେଷରେ ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଗୋଟିଏ ବ୍ୟାଙ୍କର ଲାଇସେନସକୁ ବାତିଲ କଲା ଭାରତୀୟ ରିଜର୍ଭ ବ୍ୟାଙ୍କ, ସବୁ କାରବାରକୁ ବନ୍ଦ ନିର୍ଦ୍ଦେଶ

ମୁମ୍ବାଇ, ଭାରତୀୟ ରିଜର୍ଭ ବ୍ୟାଙ୍କ ଗୋଟିଏ ବ୍ୟାଙ୍କର ଲାଇସେନ୍ସ ବାତିଲ କରିଛି। ରିଜର୍ଭ ବ୍ୟାଙ୍କ ଏକ ପ୍ରେସ ବିବୃତ୍ତିରେ କହିଛି ଯେ ଏହି ବ୍ୟାଙ୍କର ସମସ୍ତ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବ୍ୟାଙ୍କ ବନ୍ଦ କରିବାକୁ ଏବଂ ବ୍ୟାଙ୍କ ପାଇଁ ଏକ ଋଣଦାତା ନିଯୁକ୍ତ କରିବାକୁ କୋଅପରେଟିଭ୍ କମିଶନର ଏବଂ ରେଜିଷ୍ଟ୍ରାର୍ ଅଫ୍ କୋଅପରେଟିଭ୍ ସୋସାଇଟି ମଧ୍ୟ ଅନୁରୋଧ କରାଯାଇଛି।

ପର୍ଯ୍ୟାପ୍ତ ପୁଂଜି ଏବଂ କୈଣସି ରୋଜଗାରର ସମ୍ଭାବନା ନ ଥିବାରୁ ଏହାକୁ ବନ୍ଦ କରାଯାଇଛି। ଏହି ବ୍ୟାଙ୍କଟି ହେଉଛି ମହାରାଷ୍ଟ୍ରର ରାୟଗଡରେ ଅବସ୍ଥିତ କର୍ନଲା ନଗରୀ ସହକାରି ବ୍ୟାଙ୍କ। ରିଜର୍ଭ ବ୍ୟାଙ୍କ କହିଛି ଯେ 95 ପ୍ରତିଶତ ଜମାକାରୀ ସେମାନଙ୍କ ଜମା ରାଶି ଜମା ବୀମା ଏବଂ କ୍ରେଡିଟ ଗ୍ୟାରେଣ୍ଟି କର୍ପୋରେସନରୁ ପାଇବେ। ବ୍ୟାଙ୍କ ବନ୍ଦ ହେବାପରେ ପ୍ରତ୍ୟେକ ଜମାକାରୀଙ୍କ ପାଖରେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୀମା ସହିତ ଜମା ବୀମା ଦାବି କରିବାର ଅଧିକାର ରହିବ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଏକ ବ୍ୟାଙ୍କ ଲାଇସେନସ ହେଲା ରଦ୍ଦ, ବନ୍ଦ କରିବାକୁ ଆରବିଆଇର ନିର୍ଦ୍ଦେଶ, ଆଶଙ୍କାରେ ବହୁ ଗ୍ରାହକ

ମୁମ୍ବାଇ, ବ୍ୟାଙ୍କ ନେଣଦେଣ ଠିକ୍ ଭାବେ କରି ନ ଥିବାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆରବିଆଇ ଏକ ବ୍ୟାଙ୍କ ଲାଇସେନସକୁ ରଦ୍ଦ କରିଦେଇଛି। ଡିସେମ୍ବର ସାତ ତାରଖଠାରୁ ଏହି ବ୍ୟାଙ୍କ କୌଣସି କାରବାର କରିପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛି। ତୁରନ୍ତ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ କୁହାଯାଇଛି। ଆରବିଆଇ କହିଛି ଯେ, ସାଧାରଣତଃ ସମବାୟ ବ୍ୟାଙ୍କ ଗୁଡିକ ଯେତିକି ନିମ୍ନତମ ଜମା ରଖିବା କଥା ତାହା ଏହି ବ୍ୟାଙ୍କ କରି ନାହିଁ।

ଏଥି ସହିତ ଆରବିଆଇ କହିଛି ଯେ ଏହି ବ୍ୟାଙ୍କ ସାଧାରଣରେ ଯେତିକି କାରବାର କରିବା  କଥା ତାହା ମଧ୍ୟ କରିପାରୁ ନାହିଁ। ଏପରିକି ବ୍ୟାଙ୍କର ଆୟ ବୋଲି କିଛି ନାହିଁ। ଫଳରେ ବ୍ୟାଙ୍କି ରେଗୁଲେସନ ଆକ୍ଟ 1949ର ସେକ୍ସନ 22(3) (a), 22 (3) (b), 22(3)(c), 22(3) (d) ଏବଂ 22(3)(e) ଧାରା ଅନୁଯାଇ ଏହାକୁ ବନ୍ଦ କରାଯାଇଛି। ଏହି ବ୍ୟାଙ୍କଟି ହେଉଛି ମହାରାଷ୍ଟ୍ରର ‘କରଦ ଜନତା ସହକାରୀ ବ୍ୟାଙ୍କ’। ତେବେ ଏହି ବ୍ୟାଙ୍କରେ ଯେଉଁମାନେ ଜମା ରଖିଛନ୍ତି ସେମାନଙ୍କ ଟଙ୍କା ସୁରକ୍ଷିତ ରହିଛି ବୋଲି ଆରବିଆଇ କହିଛି।