Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ମହାସମୁନ୍ଦ-ଟିଟିଲାଗଡ଼ ରେଳ ସେକ୍ସନ ନୀରିକ୍ଷଣ

ଭୁବନେଶ୍ୱର: ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ବର ଫୁଙ୍କୱାଲ ମହାସମୁନ୍ଦ-ଟିଟିଲାଗଡ଼ ରେଳ ସେକ୍ସନକୁ ବିସ୍ତୃତ ଭାବେ ନୀରିକ୍ଷଣ କରିଛନ୍ତି। ଏହି ନୀରିକ୍ଷଣ ସମୟରେ ରେଳ ସେକ୍ସନର ବିଭିନ୍ନ ଷ୍ଟେସନରେ ନିରାପତ୍ତା ବ୍ୟବସ୍ଥା, ଟ୍ରାଫିକ୍ ସୁବିଧା, ଯାତ୍ରୀଙ୍କ ସୁବିଧା ଏବଂ ଚାଲୁରହିଥିବା ଭିତ୍ତିଭୂମି କାର୍ଯ୍ୟ ଉପରେ ସମୀକ୍ଷା କରାଯାଇଥିଲା।

ନୀରିକ୍ଷଣ ସମୟରେ ଶ୍ରୀ ଫୁଙ୍କୱାଲ ମହାସମୁନ୍ଦ, କୋମାଖାନ, ଲଖନା, ଖରିଆର ରୋଡ, କଣ୍ଟାବାଞ୍ଜୀ ଏବଂ ଟିଟିଲାଗଡ ସମେତ ବିଭିନ୍ନ ଷ୍ଟେସନରେ ଟ୍ରାଫିକ ସୁବିଧା କାର୍ଯ୍ୟ, ଯାତ୍ରୀଙ୍କ ସୁବିଧା ତଥା ଭିତ୍ତିଭୂମି ବିକାଶ ପ୍ରକଳ୍ପର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ। ମହାପ୍ରବନ୍ଧକ ମଧ୍ୟ ନିରାପଦ ଏବଂ ସୁଗମ ଟ୍ରେନ୍ ଚଳାଚଳ କାର୍ଯ୍ୟ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଯାତ୍ରୀ ସୁବିଧା ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଥିବା ଅନେକ ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତି ଉପରେ ମଧ୍ୟ ଶ୍ରୀ ଫୁଙ୍କୱାଲ ସମୀକ୍ଷା କରିଛନ୍ତି। ଏଥିମଧ୍ୟରେ ପାର୍କିଂ କ୍ଷେତ୍ରରେ ଉନ୍ନତି, ସର୍କୁଲାର ବା ଚଳପ୍ରଚଳ କ୍ଷେତ୍ର ଏବଂ ଷ୍ଟେସନରେ ଲ୍ୟାଣ୍ଡସ୍କେପ୍ ଅନ୍ତର୍ଭୁକ୍ତ। ମହାପ୍ରବନ୍ଧକ ବିଶେଷ ଭାବରେ ଅମୃତ ଷ୍ଟେସନ ଯୋଜନା ଅଧୀନରେ ଷ୍ଟେସନ ପୁନର୍ବିକାଶ କାର୍ଯ୍ୟର ଅଗ୍ରଗତି ଉପରେ ଧ୍ୟାନ ଦେଇଥିଲେ, ଯାହା ନେଟୱାର୍କରେ ଯାତ୍ରୀଙ୍କ ଅଭିଜ୍ଞତାକୁ ବୃଦ୍ଧି କରାଇବା ପାଇଁ ଲକ୍ଷ୍ୟ ରଖିଛି।

ମହାପ୍ରବନ୍ଧକ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡିକର ଠିକ୍ ସମୟରେ ସମାପ୍ତ ହେବା ଉପରେ ଗୁରୁତ୍ୱାରୋପ କରି ଯାତ୍ରୀମାନଙ୍କ ପାଇଁ ସାମଗ୍ରିକ ସେବା ଗୁଣରେ ଉନ୍ନତି ଆଣିବାରେ ସେମାନଙ୍କର ମହତ୍ୱକୁ ଦର୍ଶାଇଛନ୍ତି।

ମହାପ୍ରବନ୍ଧକଙ୍କ ନୀରିକ୍ଷଣ ସମୟରେ ସମ୍ବଲପୁର ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ତୁଷାର କାନ୍ତ ପାଣ୍ଡେ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ଏବଂ ପ୍ରକଳ୍ପ ସମୟସୀମା ଏବଂ ନିରାପତ୍ତା ଓ ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନାରେ ସହଯୋଗ କରିଥିଲେ।

ଏହି ନିରାପତ୍ତା ଜନିତ ନିରୀକ୍ଷଣ ପୂର୍ବତଟ ରେଳପଥର ସୁବିଧାଗୁଡ଼ିକର ନବୀକରଣ ଏବଂ ଏହାର ନେଟୱାର୍କରେ କାର୍ଯ୍ୟକ୍ଷମ ଦକ୍ଷତା ବୃଦ୍ଧି ପାଇଁ ଚାଲିଥିବା ପ୍ରୟାସର ଏକ ଅଂଶ।

Categories
ଆଜିର ଖବର ଜାତୀୟ ଖବର

୨୦୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟ: ପ୍ରଥମ ୧୫ ଦିନରେ ନେଲେ ଏହି ସବୁ ପଦକ୍ଷେପ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେତେକ ପରିବର୍ତ୍ତନକାରୀ ପଦକ୍ଷେପ ସହ ୨୦୨୫ର ଅୟମାରମ୍ଭ କରିଛନ୍ତି, ଯାହାକି ଏକ ପ୍ରଗତିଶୀଳ, ଆତ୍ମନିର୍ଭରଶୀଳ ଓ ଏକତ୍ରିତ ଭାରତ ପାଇଁ ତାଙ୍କର ଦୂରଦୃଷ୍ଟିକୁ ଜାହିର କରୁଛି। ଭିତ୍ତିଭୂମି ବିକାଶ ଓ ବୈଜ୍ଞାନିକ ଗବେଷଣା ଠାରୁ ଆରମ୍ଭ କରି ଯୁବ ସଶକ୍ତୀକରଣ ଓ ଭାରତର ସାଂସ୍କୃତିକ ବିବିଧତାକୁ ପାଳନ କରିବା ପର୍ଯ୍ୟନ୍ତ ତାଙ୍କର ନେତୃତ୍ବ ଏକ ସଫଳ ବର୍ଷ ପାଇଁ ଭିତ୍ତି ପ୍ରସ୍ତୁତ କରିଛି।

ବର୍ଷର ପ୍ରଥମ କ୍ୟାବିନେଟ ବୈଠକରେ ହିଁ କୃଷକମାନଙ୍କ କଲ୍ୟାଣ ଉପରେ ନିଜର ଫୋକସକୁ ଅବ୍ୟାହତ ରଖି ଡାଇ ଆମୋନିୟମ ଫସଫେଟ (ଡିଏପି) ଉପରେ ଏକକାଳୀନ ସ୍ବତନ୍ତ୍ର ପ୍ୟାକେଜର ସଂପ୍ରସାରଣକୁ ଅନୁମୋଦନ କରାଯାଇଥିଲା। ଏହି ପଦକ୍ଷେପ ଦ୍ବାରା କୃଷକମାନଙ୍କ ପଇଁ ସୁଲଭ ମୂଲ୍ୟରେ ସାର ଉପଲବ୍ଧତାକୁ ସୁନିଶ୍ଚିତ କରାଯାଇଛି। ଏହି ନିଷ୍ପତ୍ତି ଭାରତର କୃଷି ମେରୁଦଣ୍ଡକୁ ସୁଦୃଢ଼ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି। ସେହିଦିନ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଗାୟକ-ଅଭିନେତା ଦିଲଜିତ୍ ଦୋସାଞ୍ଜ ଏବଂ ଚେସ୍ ଗ୍ରାଣ୍ଡମାଷ୍ଟର କୋନେରୁ ହମ୍ପିଙ୍କ ଭଳି ସାଂସ୍କୃତିକ ବ୍ୟକ୍ତିତ୍ବ ମାନଙ୍କୁ ଭେଟିଥିଲେ ଯାହାକି କଳା, କ୍ରୀଡ଼ା ଭଳି ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତାକୁ ପ୍ରୋତ୍ସାହିତ କରିବା ଉପରେ ତାଙ୍କର ଫୋକସକୁ ଦର୍ଶାଇଥାଏ।

ଜାନୁଆରୀ ୩ ରେ ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀରେ ଇନ୍-ସିଟୁ ବସ୍ତି ଥଇଥାନ ପ୍ରକଳ୍ପ ଅଧୀନରେ ୧,୬୭୫ ଟି ନବନିର୍ମିତ ଫ୍ଲାଟ ଆବଣ୍ଟନ କରିଥିଲେ, ଯାହା ହଜାର ହଜାର ପରିବାରର ଉନ୍ନତ ଜୀବନଧାରଣକୁ ସୁନିଶ୍ଚିତ କରିଥିଲା। ସୁରଜମଲ ବିହାରସ୍ଥିତ ଇଷ୍ଟର୍ଣ୍ଣ କ୍ୟାମ୍ପସ, ଦ୍ୱାରକାସ୍ଥିତ ପଶ୍ଚିମ କ୍ୟାମ୍ପସ ଏବଂ ନଜଫଗଡ଼ର ବୀର ସାବରକର କଲେଜ ସମେତ ୬୦୦ କୋଟି ରୁ ଅଧିକ ଟଙ୍କାର ତିନୋଟି ପରିବର୍ତ୍ତନକାରୀ ଶିକ୍ଷା ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଶିକ୍ଷା ଭିତ୍ତିଭୂମି ବୃଦ୍ଧି ଏବଂ ଭବିଷ୍ୟତ ପିଢ଼ିକୁ ପ୍ରେରଣା ଦେବା ଏହି ପ୍ରକଳ୍ପଗୁଡ଼ିକର ଲକ୍ଷ୍ୟ।

ଜାନୁଆରି ୪ରେ ଅନୁଷ୍ଠିତ ଗ୍ରାମୀଣ ଭାରତ ମହୋତ୍ସବରେ ଜିଏଲ-ପ୍ରମାଣିତ ଗ୍ରାମୀଣ ଉତ୍ପାଦ ଓ ଗ୍ରାମୀଣ ଅର୍ଥନୀତିକୁ ପ୍ରେତ୍ସାହନ ଦିଆଯାଇଥିଲା ଯାହାକି ଗ୍ରାମୀଣ ବିକାଶ ପାଇଁ ସରକାରଙ୍କ ପ୍ରାଥମିକତାକୁ ଦର୍ଶାଉଛି। ଏହି ପଦକ୍ଷେପଟି, ଗ୍ରାମୀଣ ଭାରତକୁ ସଶକ୍ତ କରିବା ଓ ତାହାକୁ ବିଶ୍ବ ଅର୍ଥନୀତି ସହ ଯୋଡ଼ିବା ପାଇଁ ରଖାଯାଇଥିବା ଲକ୍ଷ୍ୟ ସହ ମେଳ ଖାଉଛି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ମୋଦୀ ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡେଲାଙ୍କ ସମେତ ବିଶ୍ୱସ୍ତରୀୟ ଟେକନଲୋଜୀ ଲିଡରମାନଙ୍କ ସହ ଆଲୋଚନା କରିଥିଲେ, ଯେଉଁଠାରେ ଭାରତରେ ଏଆଇ ଭିତ୍ତିଭୂମିରେ ୩ ବିଲିୟନ ଡଲାର ନିବେଶ କରିବାକୁ ଘୋଷଣା କରାଯାଇଥିଲା। ଦେଶରେ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ଏବଂ ଏକ ଆତ୍ମନିର୍ଭରଶୀଳ ଟେକନଲୋଜୀ ଇକୋସିଷ୍ଟମ ସୃଷ୍ଟି କରିବା ଉପରେ ଏହି ଆଲୋଚନା ହୋଇଥିଲା।

ଭିତ୍ତିଭୂମି ବିକାଶ ଉପରେ ରହିଥିବା ଫୋକସକୁ ଜାରି ରଖି ଜାନୁଆରି ୫ରେ ନମୋ ଭାରତ ଟ୍ରେନ କରିଡରର ଉଦଘାଟନ କରାଯାଇଥିଲା ଯାହାକି ସାହିବାବାଦ ସହ ଅଶୋକନଗରକୁ ଯୋଡ଼ିଥାଏ । ଏହା ସହିତ ଓଡ଼ିଶା, ତେଲେଙ୍ଗାନା ଏବଂ ଜମ୍ମୁ ଓ କଶ୍ମୀରରେ ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବରେ ପରିବହନ ନେଟଓ୍ବର୍କର ଆଧୁନିକୀକରଣ କ୍ଷେତ୍ରରେ ଦେଉଥିବା ଦ୍ରୁତ ପ୍ରଗତିକୁ ଏହା ଦର୍ଶାଉଛି ।

ଜାନୁଆରି ୭ରେ ପ୍ରଧାନମନ୍ତ୍ରୀ ଆନ୍ଧ୍ରପ୍ରଦେଶରେ ଦୁଇଟି ଐତିହାସିକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଗୋଟିଏ ହେଉଛି ୧୮୭୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ବଲକ୍ ଡ୍ରଗ୍ ପାର୍କ ଓ ଅନ୍ୟଟି ହେଉଛି ଗ୍ରୀନ ହାଇଡ୍ରୋଜେନ ହବ୍, ଯାହାକି ଦିନକୁ ୧୫୦୦ ଟନ ଗ୍ରୀନ ହାଇଡ୍ରୋଜେନ ଉତ୍ପାଦନ କରିପାରିବ । ଏହି ଦୁଇ ପ୍ରକଳ୍ପ ଅକ୍ଷୟ ଶକ୍ତି ଓ ଫାର୍ମାସୁଟିକାଲ ଉତ୍ପାଦନ କ୍ଷେତ୍ରରେ ଭାରତର ଅଗ୍ରଣୀ ଭୂମିକାକୁ ଦର୍ଶାଉଛି ।

ଜାନୁଆରି ୯ରେ ଜିନୋମ ଇଣ୍ଡିଆ ପ୍ରୋଜେକ୍ଟ ଉଦଘାଟନ ହୋଇଥିଲା, ଯାହାକି ଭାରତୀୟଙ୍କ ଜେନେଟିକ୍ ବିବିଧତାର ପରିମାପ କରିବ ଜେନେଟିକ ସମସ୍ୟାର ଉପଚାରକୁ ଆଗେଇ ନେବ। ସେହିଦିନ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଭୁବନେଶ୍ବରରେ ଅନୁଷ୍ଠିତ ପ୍ରବାସୀ ଭାରତୀୟ ଦିବସରେ ଉଦବୋଧନ ଦେଇଥିଲେ। ପ୍ରବାସୀ ଭାରତୀୟ ଦିବସ ପ୍ରବାସୀ ଭାରତୀୟଙ୍କ ସଫଳତା ଓ ବିଶ୍ବ ପାଇଁ ସେମାନଙ୍କ ଅବଦାନକୁ ସ୍ବୀକୃତି ଦେଇଥାଏ ।

ଜାନୁଆରି ୧୨ରେ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ଓ ଜାତୀୟ ଯୁବ ଦିବସରେ ପ୍ରଧାନମନ୍ତ୍ରୀ ମୋଦୀ ବିକଶିତ ଭାରତ ଯୁବ ନେତା ସମ୍ମିଳନୀ ୨୦୨୫ରେ ଯୋଗ ଦେଇଥିଲେ । ଏହି ପଦକ୍ଷେପ ଉଦ୍ଭାବନଶୀଳ ଯୁବ ପ୍ରତିଭାମାନଙ୍କୁ ଏକତ୍ରିତ କରିଥିଲା ଓ ଏକ ବିକଶିତ ଭାରତ ପାଇଁ ସେମାନେ ନିଜ ନିଜର ଦୃଷ୍ଟିକୋଣ ବାଣ୍ଟିଥିଲେ । ଏହା ମଧ୍ୟ ଯୁବପିଢିଙ୍କୁ ସଶକ୍ତ କରିବା କ୍ଷେତ୍ରରେ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି।

ଜାନୁଆରି ୧୩ରେ ପ୍ରଧାନମନ୍ତ୍ରୀ ମୋଦୀ ଜମ୍ମୁ ଓ କଶ୍ମୀରରେ ନିର୍ମିତ ସୋନମର୍ଗ ଟନେଲର ଉଦଘାଟନ କରିଥିଲେ, ଯାହାକି କେବଳ ଯୋଗାଯୋଗ ଓ ପର୍ଯ୍ୟଟନକୁ ପ୍ରେତ୍ସାହିତ କରିବ ତାହା ନୁହେଁ, ବରଂ ଜାତୀୟ ସୁରକ୍ଷାକୁ ବି ସୁଦୃଢ କରିବ । ସେହିଦିନ ସଂଧ୍ୟାରେ ସେ ଭାରତର ସାଂସ୍କୃତିକ ଏକତା ଓ ଐତିହ୍ୟକୁ ଦର୍ଶାଉଥିବା ପର୍ବ ଲୋହରି, ପୋଙ୍ଗଲ ଓ ମକରସଂକ୍ରାନ୍ତି ପାଳନ କରିଥିଲେ ।

ଜାନୁଆରି ୧୫ରେ ପ୍ରଧାନମନ୍ତ୍ରୀ ଆଉ ଏକ ଐତିହାସିକ ମାଇଲଖୁଣ୍ଟରେ ପହଞ୍ଚିଥିଲେ ଯେତେବେଳେ ସେ ଭାରତୀୟ ନୌସେନା ପାଇଁ କେତେକ ଯୁଦ୍ଧ ଜାହାଜ ଓ ବୁ଼ଡ଼ାଜାହାଜର ଲୋକାର୍ପଣ କରିଥିଲେ । ଏସବୁ ଯୁଦ୍ଧ ଜାହାଜ ସାମିଲ ହେବା ପରେ ଭାରତୀୟ ମହାସାଗର ଅଂଚଳରେ ଭାରତୀୟ ନୌସେନାର ଶକ୍ତିବୃଦ୍ଧି ହେବ । ଏହା ମଧ୍ୟ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ଭାରତ ଲାଗି ସରକାରଙ୍କ ଅଙ୍ଗୀକାରକୁ ଦର୍ଶାଉଛି ।  ଜାନୁଆରି ୧୬ରେ ଭାରତୀୟ ମହାକାଶ କାର୍ଯ୍ୟକ୍ରମ ପାଇଁ ଥିବା ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ ଛୁଇଁଲା ଯେତେବେଳେ ଇସ୍ରୋ ଦ୍ବାରା ସ୍ପେସ ଡକିଂ ସାଟେଲାଇଟର ପ୍ରଦର୍ଶନ କରାଗଲା । ଏହି ସଫଳତା ଆଗାମୀ ଦିନରେ ଭାରତର ମହାକାଶ କାର୍ଯ୍ୟକ୍ରମକୁ ଏକ ନୂଆ ଉଚ୍ଚତାକୁ ନେଇଯିବ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବରେ ପ୍ରଥମ ୧୫ ଦିନରେ ହିଁ ୨୦୨୫ ଲାଗି ଏକ ପରିବର୍ତନମୂଳକ ଶୁଭାରମ୍ଭ କରାଯାଇଛି । ବୈଜ୍ଞାନିକ ସଫଳତା ଏବଂ ଭିତ୍ତିଭୂମି ପ୍ରକଳ୍ପଠାରୁ ଆରମ୍ଭ କରି ଯୁବ ସଶକ୍ତୀକରଣ ଏବଂ ସାଂସ୍କୃତିକ ଉତ୍ସବ ଆଦି କାର୍ଯ୍ୟ ଏକ ବିକଶିତ ଭାରତ ଗଠନ ଲାଗି ତାଙ୍କର ପରିକଳ୍ପନାକୁ ପ୍ରତିଫଳିତ କରେ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆମେ ସମସ୍ତେ ମିଶି ଏକ ବିକଶିତ ଭାରତ ଗଠନ କରୁଛୁ, ଯେଉଁଠାରେ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ  ପ୍ରତ୍ୟେକ ନାଗରିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ତାଳଚେର ଅଞ୍ଚଳ ପରିଦର୍ଶନ

ଭୁବନେଶ୍ଵର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ତାଳଚେର ଅଞ୍ଚଳ ପରିଦର୍ଶନ କରି ରେଳବାଇ ଭିତ୍ତିଭୂମି ବିକାଶ ଏବଂ ଟ୍ରାଫିକ ସୁବିଧା ସମେତ ତାଳଚେର ଅଞ୍ଚଳରେ ଚାଲୁଥିବା ନିର୍ମାଣ କାର୍ଯ୍ୟ ନିରୀକ୍ଷଣ କରିଛନ୍ତି। ମହାପ୍ରବନ୍ଧକଙ୍କ ଏହି ନିରୀକ୍ଷଣ ସମୟରେ ପୂର୍ବତଟ ରେଳପଥ ମୁଖ୍ୟାଳୟର ପ୍ରମୁଖ ଓ ବରିଷ୍ଠ ଅଧିକାରୀ ଏବଂ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଏଚ୍ ଏସ୍ ବଜୱା ପ୍ରମୁଖ ଯୋଗଦାନ କରିଥିଲେ।

ନିରୀକ୍ଷଣ ସମୟରେ ଫୁଙ୍କୱାଲ ଭିତ୍ତିଭୂମି କାର୍ଯ୍ୟର ସମୀକ୍ଷା କରିବା ସହ ଧାର୍ଯ୍ୟ ସମୟ ମଧ୍ୟରେ ପ୍ରକଳ୍ପ ସମାପ୍ତି ପାଇଁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ମହାପ୍ରବନ୍ଧକ ମଧ୍ୟ ତାଳଚେର ଅଞ୍ଚଳରେ ରେଳବାଇ ସାଇଡିଙ୍ଗ ନିରୀକ୍ଷଣ କରି ଉନ୍ନତ ଟ୍ରାଫିକ ଗତିବିଧି ପାଇଁ ପରାମର୍ଶ ଦେଇଛନ୍ତି।

ଟ୍ରାଫିକ ସୁବିଧା କାର୍ଯ୍ୟର ସମୀକ୍ଷା କରି ମହାପ୍ରବନ୍ଧକ ଫୁଂକୱାଲ ସଂପୃକ୍ତ ଅଧିକାରୀମାନଙ୍କୁ ଅସୁବିଧା ମୁକ୍ତ ଟ୍ରାଫିକ ଗତିବିଧି ପାଇଁ ଗତିଶୀଳତାକୁ ଉନ୍ନତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହା ବ୍ୟତୀତ ମହାପ୍ରବନ୍ଧକ ତାଳଚେର ଅଞ୍ଚଳର ବିଭିନ୍ନ କୋଲିଆରୀରୁ ଦେଶର ବିଭିନ୍ନ ଗନ୍ତବ୍ୟସ୍ଥଳକୁ ଶୀଘ୍ର କୋଇଲା ଉତ୍ତୋଳନ କରି ପରିବହନ ଉପରେ ଗୁରୁତ୍ୱାରୋପ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ସୁରଟ ବିମାନ ବନ୍ଦରରେ ନୂତନ ଟର୍ମିନାଲ ସୌଧର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଗୁଜରାଟର ସୁରଟ ବିମାନ ବନ୍ଦରରେ ନୂତନ ଟର୍ମିନାଲ ସୌଧକୁ ଉଦଘାଟନ କରିଛନ୍ତି। ସେ ନୂଆ ଟର୍ମିନାଲ ସୌଧ ପରିସରକୁ ବୁଲି ଦେଖିଥିଲେ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟରେ ଲେଖିଛନ୍ତି ଯେ, ‘‘ସୁରଟରେ ନୂତନ ସମନ୍ୱିତ ଟର୍ମିନାଲ ସୌଧ ସହରର ଭିତ୍ତିଭୂମି ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି। ଏହି ଅତ୍ୟାଧୁନିକ ସୁବିଧା କେବଳ ଯାତ୍ରା ଅଭିଜ୍ଞତାକୁ ବଢ଼ାଇବ ନାହିଁ ବରଂ ଅର୍ଥନୈତିକ ଅଭିବୃଦ୍ଧି, ପର୍ଯ୍ୟଟନ ଏବଂ ଯୋଗାଯୋଗକୁ ମଧ୍ୟ ତ୍ୱରାନ୍ୱିତ କରିବ।

ପ୍ରଧାନମନ୍ତ୍ରୀଙ୍କ ସହ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମଧ୍ୟ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

ଟର୍ମିନାଲ ସୌଧରେ ୧୨୦୦ ଘରୋଇ ଯାତ୍ରୀ ଏବଂ ୬୦୦ ଅନ୍ତର୍ଜାତୀୟ ଯାତ୍ରୀଙ୍କୁ ପିକ୍ ସମୟରେ ପରିବହନ କରିବା ପାଇଁ ବ୍ୟବସ୍ଥା କରାଯାଇଛି ଏବଂ ବାର୍ଷିକ ପରିଚାଳନା କ୍ଷମତା ୫୫ ଲକ୍ଷ ଯାତ୍ରୀଙ୍କୁ ବୃଦ୍ଧି କରିବା ସହିତ ପିକ୍ ସମୟର କ୍ଷମତାକୁ ୩୦ ଯାତ୍ରୀକୁ ବୃଦ୍ଧି କରିବାର ବ୍ୟବସ୍ଥା ରହିଛି। ସୁରଟ ସହରର ପ୍ରବେଶ ଦ୍ୱାର ହୋଇଥିବାରୁ ଟର୍ମିନାଲ ସୌଧକୁ ଏହାର ସ୍ଥାନୀୟ ସଂସ୍କୃତି ଏବଂ ଐତିହ୍ୟ ସହିତ ଡିଜାଇନ କରାଯାଇଛି ଯାହା ଦ୍ୱାରା ଉଭୟ ଆଭ୍ୟନ୍ତରୀଣ ଏବଂ ବାହ୍ୟ ସ୍ଥାନରେ ପ୍ରତିଫଳିତ ହେବା ଉଚିତ, ଯାହା ପର୍ଯ୍ୟଟକମାନଙ୍କ ପାଇଁ ଏକ ସ୍ଥାନର ଭାବନା ସୃଷ୍ଟି କରିବ । ଉନ୍ନତ ଟର୍ମିନାଲ ସୌଧର ଉଦ୍ଦେଶ୍ୟ ହେଉଛି ସୁରଟ ସହରର ‘ରାଣ୍ଡେର’ ଅଞ୍ଚଳର ପୁରୁଣା ଘରଗୁଡ଼ିକର ସମୃଦ୍ଧ ଏବଂ ପାରମ୍ପରିକ କାଠକାମ ସହିତ ଯାତ୍ରୀଙ୍କ ଅନୁଭୂତିକୁ ସମୃଦ୍ଧ କରିବା । ବିମାନବନ୍ଦରର ଗ୍ରିହ-୪ ନ୍ନୂଆ ଟର୍ମିନାଲ ସୌଧରେ ଡବଲ ଇନସୁଲେଟେଡ୍ ରୁଫିଂ ସିଷ୍ଟମ, ଶକ୍ତି ସଞ୍ଚୟ ପାଇଁ କ୍ୟାନୋପିଜ୍, ଲୋ ହିଟ୍ ଗେନ୍ ଡବଲ୍ ଗ୍ଲାଜିଂ ୟୁନିଟ୍, ବର୍ଷା ଜଳ ଅମଳ, ଜଳ ବିଶୋଧନ ପ୍ଲାଣ୍ଟ, ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ଏବଂ ଲ୍ୟାଣ୍ଡସ୍କେପିଂ ଏବଂ ସୌର ଶକ୍ତି ପ୍ଲାଣ୍ଟ ପାଇଁ ପୁନଃବ୍ୟବହାର ଜଳର ବ୍ୟବହାର ଭଳି ବିଭିନ୍ନ ସ୍ଥାୟୀ ବୈଶିଷ୍ଟ୍ୟ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ପ୍ରମୁଖ ଭିତ୍ତିଭୂମି ବିକାଶ ଏବଂ ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ

ଭୁବନେଶ୍ଵର: 12 ଅଗଷ୍ଟରୁ 30 ଅଗଷ୍ଟ ମଧ୍ୟରେ ହରିଦାସପୁର, ଭୁବନେଶ୍ୱର, ମଞ୍ଚେଶ୍ୱର, କଟକ, ସମ୍ବଲପୁର ଏବଂ ସମ୍ବଲପୁର ସିଟି ରେଳ ଷ୍ଟେସନ ମାନଙ୍କରେ ନିରାପତ୍ତା ସମ୍ବନ୍ଧୀୟ ତଥା ଭିତ୍ତିଭୂମି ସମ୍ପର୍କିତ ବିକାଶମୂଳକ କାର୍ଯ୍ୟ କରାଯିବ।

17 ରୁ 30 ଅଗଷ୍ଟ, 2023 ସମୟ ଅବଧିରେ ଭୁବନେଶ୍ୱର ଏବଂ ମଞ୍ଚେଶ୍ୱର ମଧ୍ୟରେ ତୃତୀୟ ଲାଇନ ସହିତ ଜଡିତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟ।

17 ରୁ 30 ଅଗଷ୍ଟ, 2023 ସମୟ ଅବଧି ମଧ୍ୟରେ ମଞ୍ଚେଶ୍ୱର ରେଳ ଷ୍ଟେସନର ଲେଆଉଟ୍ ରେ ପ୍ରମୁଖ ପରିବର୍ତ୍ତନ।

ଭୁବନେଶ୍ୱର ରେଳ ଷ୍ଟେସନରେ ସିଗନାଲ୍ ସିଷ୍ଟମ (ସାଙ୍କେତିକ ପ୍ରଣାଳୀ) ର ପ୍ରମୁଖ ପୁନଃ ବ୍ୟବସ୍ଥା।

14 ରୁ 21 ଅଗଷ୍ଟ, 2023 ପର୍ଯ୍ୟନ୍ତ ହରିଦାସପୁର ରେଳ ଷ୍ଟେସନର ସିଗନାଲ୍ ସିଷ୍ଟମର ଆଧୁନିକୀକରଣ କାର୍ଯ୍ୟ ମଧ୍ୟ ହାତକୁ ନିଆଯାଇଅଛି।

ଭୁବନେଶ୍ୱର କୋଚ୍ ରକ୍ଷଣାବେକ୍ଷଣ ଡିପୋ (କୋଚ୍ ମେଣ୍ଟେନାନ୍ସ ଡିପୋ) କୁ ଟ୍ରେନ ଗୁଡିକର ପ୍ରବେଶ ଏବଂ ପ୍ରସ୍ଥାନ ମଧ୍ୟ ପ୍ରଭାବିତ ହେବ।

ସ୍ୱଳ୍ପ ଦିନ ପାଇଁ ଦୈନିକ ହାରାହାରି 25 ଟି ଟ୍ରେନ୍ (ଭୁବନେଶ୍ୱର ରୁ ଉତ୍ପତ୍ତି ହେଉଥିବା କିମ୍ବା ଏହି ମାର୍ଗ ଦେଇ ଯାତାୟାତ କରୁଥିବା) ପ୍ରକଳ୍ପ କାର୍ଯ୍ୟ ସମୟରେ ଅସ୍ଥାୟୀ ଭାବରେ ବାତିଲ୍ ହେବ।

ପ୍ରମୁଖ ଭିତ୍ତିଭୂମି ବିକାଶମୂଳକ କାର୍ଯ୍ୟ ଓ ଗୁରୁତ୍ୱପୂର୍ଣ୍ଣ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେତୁ ବାତିଲ୍ ହେବାକୁ ଥିବା, ଷ୍ଟେସନ ଉତ୍ପତ୍ତି ସ୍ଥଳ ପରିବର୍ତ୍ତନ କରିବାକୁ ଥିବା, ଗନ୍ତବ୍ୟ ଷ୍ଟେସନ ପୂର୍ବରୁ ଯାତ୍ରା ସମାପ୍ତ କରିବାକୁଥିବା କିମ୍ବା ମାର୍ଗ ପରିବର୍ତ୍ତନ କରିବାକୁଥିବା ଟ୍ରେନ ମାନଙ୍କର ତାଲିକା ପୂର୍ବତଟ ରେଳପଥ ଖୁବ୍ ଶୀଘ୍ର ସୂଚନା ପ୍ରଦାନ କରିବ।