Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଏନସିଏସସିଡିଏ ପକ୍ଷରୁ ନିଯୁକ୍ତି ମେଳା

ଭୁବନେଶ୍ବର: ଭିନ୍ନକ୍ଷମ ମାନଙ୍କ ପାଇଁ ଜାତୀୟ ଆଜୀବିକା ସେବା କେନ୍ଦ୍ର (NCSCDA), ଭୁବନେଶ୍ୱର, ରୋଜଗାର ମହାନିର୍ଦ୍ଦେଶାଳୟ (ଡିଜିଇ), ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ, ଭାରତ ସରକାର ଦ୍ଵାରା ଏକ ନିଯୁକ୍ତି ମେଳା ଆୟୋଜିତ ହୋଇଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରାର୍ଥୀ ମାନେ (ଉଭୟ ଭିନ୍ନକ୍ଷମ ଏବଂ ଅଣ ଭିନ୍ନକ୍ଷମ)  ଏନ.ସି.ଏସ.ସି.ଡି.ଏ କାର୍ଯ୍ୟାଳୟ ପରିସରରେ ଏହି ନିଯୁକ୍ତି ମେଳାରେ ଭାଗ ନେଇଥିଲେ। ଏହି ନିଯୁକ୍ତି ମେଳାରେ ଚଳନ ଶକ୍ତି ବାଧିତ ଏବଂ ଶ୍ରବଣ ଶକ୍ତି ବାଧିତ ଭିନ୍ନକ୍ଷମମାନଙ୍କ ପାଇଁ ବିଭିନ୍ନ କ୍ଷେତ୍ରରେ ପଦବୀ ଥିଲା।

ଏହି ନିଯୁକ୍ତି ମେଳାଟି ବିଭିନ୍ନ ନିଯୁକ୍ତିଦାତା ଯଥା ସାଇଣ୍ଟିଷ୍ଟିକ ମାଇଣ୍ଡ, ଗର୍ଗ ଲଜିଷ୍ଟିକ, କମଳିନୀ ଆସୋସିଏଟ ମାନଙ୍କ ସକ୍ରିୟ ସହଯୋଗରେ ସଫଳ ହୋଇଛି। ସେମାନେ ୬୭ ଜଣ ଚାକିରି ଆଶାୟୀ ମାନଙ୍କର ଇଣ୍ଟରଭ୍ୟୁ ନେଇଥିଲେ, ସେଥି ମଧ୍ୟରୁ ୬୩ ଜଣ ପ୍ରାର୍ଥୀ (ଭିନ୍ନକ୍ଷମ ସହିତ) ସର୍ଟଲିଷ୍ଟ ହୋଇଛନ୍ତି।ଏହି ନିଯୁକ୍ତି ମେଳାରେ ବିଭିନ୍ନ କ୍ଷେତ୍ରରୁ ଯଥା ଲଜିଷ୍ଟିକ, ରିଟେଲ ସେଲ୍ସ ଏକଜିକ୍ୟୁଟିଭ , ମାର୍କେଟିଙ୍ଗ, , ଟେଲି କଲର, ୱେବ ଡିଜାନିଙ୍ଗ ଆଦି ପ୍ରାୟ ୨୦୦ ରୁ ଅଧିକ ପଦବୀ ପାଇଁ ବିଭିନ୍ନ କମ୍ପାନି ମାନେ ଯୋଗଦେଇଛନ୍ତି।

NCSCDA କାର୍ଯ୍ୟାଳୟର ମୁଖ୍ୟ/ମନୋବିଜ୍ଞାନୀ ସୋନାଲିକା ସୁମନ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ ନିଯୁକ୍ତିଦାତା ଏବଂ ଚାକିରି ଆଶାୟୀ ପାର୍ଥିମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ଏବଂ ସେମାନଙ୍କ ସଂଗଠନ ପାଇଁ ଅଧିକରୁ ଅଧିକ PWD ନିଯୁକ୍ତି ଦେବା ପାଇଁ ନିଯୁକ୍ତିଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରତ୍ୟେକ ସଂଗଠନରେ ସମାବେଶୀ କର୍ମକ୍ଷେତ୍ର ନିଶ୍ଚିତ କରିବାକୁ ଏହି କେନ୍ଦ୍ର ଦ୍ୱାରା ଆୟୋଜିତ ହେବାକୁ ଥିବା ଭବିଷ୍ୟତର ଚାକିରି ମେଳାରେ ଅଂଶଗ୍ରହଣ କରିବାକୁ ଶ୍ରୀମତୀ ସୋନାଲିକା ସେମାନଙ୍କୁ ଅନୁରୋଧ କରିଥିଲେ।        

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱର ୨ ନଂ ମାର୍କେଟରେ ଟାଙ୍ଗୀ ପୋଲିସ୍ ର ଚଢାଉ: ଦୁଇ ଗିରଫ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ୨ ନଂ ମାର୍କେଟରେ ଟାଙ୍ଗୀ ପୋଲିସ୍ ଚଢାଉ କରିଛି। ଚଢାଉ ସମୟରେ ଗୋଟିଏ ଚୋରା ଜୁପିଟର ସ୍କୁଟି ଜବତ ସହ ୨ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ଗଂଜାମ ଜିଲ୍ଲା କୋଦଳା ଥାନା ବେଲଝରି ଗ୍ରାମର କୃଷ୍ଣଚନ୍ଦ୍ର ପ୍ରଧାନ (୮ ବର୍ଷ) ଓ ନୟାଗଡ ଜିଲ୍ଲା ଚାନ୍ଦପୁର ଡୋମଣୀ ସାହିର ଜଗନ୍ କୁମାର ସାହୁ (୩୨ ବର୍ଷ) ଗିରଫ ଅଭିଯୁକ୍ତ ଦ୍ୱୟ କାଳୁପଡା ଘାଟ ଜଗା ବଳିଆ ଲଜ୍ ନିକଟରୁ ଗତ ୮ ତାରିଖ ରାତିରେ ଏକ ଜୁପିଟର ସ୍କୁଟିକୁ ଚୋରୀ କରି ନେଇଥିଲେ।

ଟାଙ୍ଗୀ ଥାନା ପୁତନା ଗ୍ରାମର ଯୁବକ ଦେବଦତ୍ତ ପଟ୍ଟନାୟକ ନିଜର ଏକ ଜୁପିଟର ସ୍କୁଟିରେ ଗତ ୮ ତାରିଖରେ ଜଣେ ସାଙ୍ଗର ବାହାଘରରେ ଯୋଗ ଦେବାକୁ କାଳୁପଡା ଘାଟ ସ୍ଥିତ ଜଗା ବଳିଆ ଲଜ୍ କୁ ଆସିଥିଲେ। ଜଗା ବଳିଆ ଲଜ୍ ସମ୍ମୁଖରେ ସ୍କୁଟିକୁ ରଖି ଦେଇ ଦେବଦତ୍ତ ବାହାଘରରେ ସାମିଲ ହୋଇଥିଲେ।

ତେବେ ଭୋଜି ଖାଇ ସାରିବା ପରେ ଲଜ୍ ନିକଟରେ ସ୍କୁଟିକୁ ନପାଇ ଏଣେ ତେଣେ ଖୋଜା ଖୋଜି କରିଥିଲେ। ଏହା ପର ଦିନ ସକାଳୁ ସକାଳୁ ଲୁଟେରା ଦ୍ୱୟ ଦେବଦତ୍ତଙ୍କ ମୋବାଇଲକୁ କଲ୍ କରି ସ୍କୁଟି ଫେରାଇ ଦେବା ପାଇଁ ୧୫ ହଜାର ଟଙ୍କା ମାଗିଥିଲେ। ଏ ନେଇ ଦେବଦତ୍ତ ଟାଙ୍ଗୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ମୋବାଇଲ୍ କୁ ଟ୍ରାକ୍ କରି ଲୁଟେରା ଦ୍ୱୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ଓଡିଆ ଚଳଚ୍ଚିତ୍ର ‘ପ୍ରେମ ଲେଖିଦେଲି ତୋ ନାଁରେ’ର ଶୁଭ ମହୁରତ

ଭୁବନେଶ୍ବର: ‘ପ୍ରେମ ଲେଖିଦେଲି ତୋ ନାଁରେ’ର ଶୁଭ ମହୁରତ ଅନୁଷ୍ଠିତ ହୋଇଛି। ଭୁବନେଶ୍ୱର ଆର୍ଯ୍ୟ ପ୍ୟାଲେସ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମସ୍ତ କଳାକାର ଯୋଗ ଦେଇଥିଲେ। ଆଜି ଏହାର ଶୁଭ ମହୁରତ ହେବା ସହ ଅଗଷ୍ଟ ପ୍ରଥମ ସପ୍ତାହରୁ ସୁଟିଂ ଆରମ୍ଭ ହେବ ବୋଲି ପ୍ରଯୋଜନା ସଂସ୍ଥା ସୂଚନା ଦେଇଛି।

ଏଥିରେ ନୂଆ ଯୋଡି ଭାବେ ପ୍ରେମ୍‌, ସୁସ୍ମିତା ନଜର ଆସିବେ। ଏମାନଙ୍କ ସହ ପୂଜା, ଆଶୁତୋଷ, ରବି ମିଶ୍ର, ଦେବଦତ୍ତ, ତପସ୍ୱିନୀ ପ୍ରମୁଖ ଅଭିନୟ କରିଛନ୍ତି। ସତ୍ୟ ନାରାୟଣ ସାହୁ ସିନେମାରେ ନୂଆକରି ନିର୍ଦ୍ଦେଶନା ଦେଇଥିବା ବେଳେ ଟୁଟୁ ନାୟକ ନୂଆ କରି ପ୍ରଯୋଜନା ଭାର ତୁଲାଇଛନ୍ତି।

ସେହିପରି ନନ୍ଦିନୀ ଆଇ ଲଭ ୟୁ, ମିତରେ ମିତ ଭଳି ଅନେକ ସୁପରହିଟ ଚଳଚ୍ଚିତ୍ରରେ ସଂଗୀତ ନିର୍ଦ୍ଦେଶନା ଦେଇଥିବା ପ୍ରଶାନ୍ତ ପାଢ଼ୀ ଏହି ସିନେମାରେ ସଂଗୀତ ସଜାଇଛନ୍ତି। ଓଲିଉଡର ସୁପରହିଟ ଯୋଡି ବିନି ପଟ୍ଟନାୟକ ଓ ସଚ୍ଚିକାନ୍ତ ଜେନା ଏହି ସିନେମାରେ ପ୍ରଯୋଜନା ଦାୟିତ୍ୱ ନେଇଛନ୍ତି।

ଏହା ପୂର୍ବରୁ ସୁନ୍ଦରଗଡର ସଲମନ୍ ଖାନ୍, ଝିଅଟା ବିଗିଡି ଗଲା ଓ ବଜରଙ୍ଗୀ ଭଳି ଅନେକ ସୁପରହିଟ୍ ଚଳଚ୍ଚିତ୍ର ମୁନ୍ ଟିଭି ମୁଭିଜ୍ ଓଡ଼ିଶାର ଦର୍ଶକମାନଙ୍କୁ ଭେଟି ସାରିଛି ।ଲୁବୁନ-ଟୁବୁନ କ୍ୟୋରିଓଗ୍ରାଫି କରୁଥିବା ବେଳେ ପ୍ରଣୟ ଜେଠୀ କ୍ରିଏଟିଭ ହେଡ ରହିଛନ୍ତି।

ଆଜିର କାର୍ଯ୍ୟକ୍ରମରେ ସମାଜସେବୀ ଶଶୀ କୁମାର ସାହୁ ମହୁରତ କ୍ଲାପ୍ ଦେଇଥିଲେ। ତାଙ୍କ ସହ ପ୍ରଯୋଜକ ଟୁଟୁ ନାୟକ, ଅତିସ କୁମାର ରାଉତ, ରମେଶ ବାରିକ, ଶ୍ରୀଧର ମାର୍ଥା, ସଂଳାପକାର ଡଃ ରଜନୀ ରଞ୍ଜନ ଓ ନିର୍ଦ୍ଦେଶକ ଅବତାର ସିଂ ପ୍ରମୁଖ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ ଦ୍ୱାରା ‘ପୋଷଣ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ’ ଆୟୋଜିତ

ଭୁବନେଶ୍ବର: କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ, ଭୁବନେଶ୍ୱର ଦ୍ୱାରା ପୋଷଣ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ତା: ୮.୭.୨୦୨୨ ରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ହିତାଧିକାରୀଙ୍କୁ ପୋଷଣ ସୁରକ୍ଷାର ବିଭିନ୍ନ ଉପାୟ ଦ୍ୱାରା ପରିବାରର ଖାଦ୍ୟ ଏବଂ ପୋଷଣକୁ ସୁରକ୍ଷିତ କରିବାପାଇଁ ସଚେତନ କରାଯାଇଥିଲା।  ସଂସ୍ଥାନର ନିର୍ଦେଶକ ଡ଼ଃ. ଅନୀଲ କୁମାର ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।  ସେ ତାଙ୍କ ସ୍ୱାଗତ ଭାଷଣରେ କୃଷିକ୍ଷେତ୍ରରେ ମହିଳାମାନଙ୍କର ଅବଦାନ ଏବଂ ବିଭିନ୍ନ ମହିଳା ଅଭିମୁଖୀ ବୈଷୟିକ ଜ୍ଞାନକୌଶଳ ବିଷୟରେ ଉଲ୍ଲେଖ କରିଥିଲେ। କୃଷିର ଉନ୍ନତିରେ ମହିଳାଙ୍କ ଭୂମିକା ମହାନ ବୋଲି ସେ କହିଥିଲେ। ପୋଷଣ ସମ୍ବେଦନ କୃଷିଦ୍ୱାରା ମହିଳା ଓ ଶିଶୁ ମାନଙ୍କର କୁପୋଷଣ ଦୂରୀଭୂତ କରିବାର ଉପାୟମାନ ମଧ୍ୟ ସେ ଉପସ୍ଥାପନ କରିଥିଲେ। ମହିଳା ମାନଙ୍କର ଶ୍ରମ ଲାଘବ ପାଇଁ ଅଧିକ ମାତ୍ରାରେ ମହିଳା ଉପଯୋଗୀ ଜ୍ଞାନକୌଶଳ ଉପରେ ଗବେଷଣା କରିବାକୁ କହିଥିଲେ।

ଓଡ଼ିଶା ରାଜ୍ୟ ମହିଳା ଆୟୋଗର ଅଧକ୍ଷା ଡ଼ଃ. ମିନତୀ ବେହେରା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ତାଙ୍କ ଅଭିଭାଷଣରେ ସଚେତନତା ଏବଂ ଉପଯୁକ୍ତ ପଦକ୍ଷେପ ଦ୍ୱାରା ମହିଳାମାଙ୍କର ସ୍ୱାସ୍ଥ୍ୟ, ପୋଷଣ ଏବଂ ଜୀବନ ଜୀବିକାର ଉନ୍ନତି କରିବା ଉପରେ ଆଲୋକପାତ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି, ହିମାଚଳ ପ୍ରଦେଶ ମହିଳା ଆୟୋଗର ଅଧକ୍ଷା, ଡ଼ଃ. ଡେ଼ଜ଼ୀ ଠାକୁର ତାଙ୍କ ବକ୍ତବ୍ୟରେ ଆଇ.ସି.ଏ.ର.- ଶିବା  ପୁଷ୍ଟି ସମ୍ବେଦନ କାର୍ଯ୍ୟକ୍ରମକୁ ପ୍ରସଂଶା କରିଥିଲେ ଓ ମହିଳାମାନେ ନିଜର ସ୍ୱାସ୍ଥ୍ୟ ଏବଂ ପୋଷଣର ଯତ୍ନ ନେବା ସଂଗେସଂଗେ ଅସୁବିଧା ସମୟରେ କମିଶନର ସାହାଯ୍ୟ ନେବାକୁ କହିଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ରାଷ୍ଟ୍ରୀୟ ମହିଳା ଆୟୋଗ, ନୂଆଦିଲ୍ଲୀର ଅଧକ୍ଷା, ଶ୍ରୀମତୀ ରେଖା ଶର୍ମା ଯୋଗଦାନ ଦେଇଥିଲେ। ସେ କୃଷିରତ ମହିଳା ସଂସ୍ଥାନ ଏପରି ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସଂସ୍ଥାନ ଏବଂ ଉପସ୍ଥିତ ଥିବା ମହିଳାମାନଙ୍କୁ କୃତଜ୍ଞତା ଜଣାଇଥିଲେ। କୃଷି କ୍ଷେତ୍ରରେ କାର୍ଯ୍ୟରତ ମହିଳାମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ମହିଳା ଅଭିମୁଖୀ ଯୋଜନା ଏବଂ କାର୍ଯ୍ୟକ୍ରମରେ ବହୁଳଭାବରେ ଭାଗନେବା ପାଇଁ ସେ ଆହ୍ଵାନ ଦେଇଥିଲେ। କୃଷି ମହିଳାମାନଙ୍କୁ ଜମି ଅଧିକାର ବିଷୟରେ ସଚେତନ କରିଥିଲେ ଏବଂ ସେମାନଙ୍କର ଉଦ୍ୟୋଗ ବିକାଶ ପାଇଁ ଆଇ.ସି.ଏ.ର.- ଶିବା କୁ ବିକ୍ରିବଟା ରେ ସାହାଯ୍ୟ କରିବାକୁ ଉପଦେଶ ଦେଇଥିଲେ।

ଏହି ପରିପେକ୍ଷୀରେ ଏକ କୃଷକ-ବୈଜ୍ଞାନିକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା।  ଏହି ଆଲୋଚନା ଚକ୍ରରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ବିଭିନ୍ନ ଯୋଜନା ଉପରେ ଆଲୋଚନା କରାଯାଇଥିଲା। ଏଥିରେ ସଂସ୍ଥାନର ୧୩ ଟି ପୋଷ୍ୟଗ୍ରାମରୁ ୩୦୦ କୃଷିମହିଳା ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଏକ ପୋଷଣ ମେଳାର ଆୟୋଜନ ମଧ୍ୟ କରାଯାଇଥିଲା। ସମଗ୍ର କାର୍ଯ୍ୟକ୍ରମକୁ ଡ଼ଃ. ତନୁଜା ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଭୁବନେଶ୍ୱରର ଅର୍ପିତା ମହାପାତ୍ର ଜିତିଲେ ଟ୍ରେଣ୍ଡ୍‌ସ ରଜ ରାଜକୁମାରୀ ସେଲ୍‌ଫି ପ୍ରତିଯୋଗିତା

ଭୁବନେଶ୍ୱର: ରିଲାଏନ୍ସ ରିଟେଲ୍‌ର ଭାରତର ସର୍ବବୃହତ ଓ ଦ୍ରୁତ ଅଭିବୃଦ୍ଧିଶୀଳ ପୋଷାକ ଓ ଆକ୍‌ସେସୋରିଜ୍ ସ୍ପେସିଅଲ୍‌ଟି ଶୃଙ୍ଖଳା ଟ୍ରେଣ୍ଡ୍‌ସ ପକ୍ଷରୁ ଏହାର ସ୍ୱତନ୍ତ୍ର ରଜ ରାଜକୁମାରୀ ପ୍ରତିଯୋଗିତା ୨୦୨୨ର ଫଳାଫଳ ଘୋଷଣା କରାଯାଇଛି ଯାହା ଓଡ଼ିଶାର ଲୋକପ୍ରିୟ ରଜ ପର୍ବକୁ ଏକ ମହୋତ୍ସବରେ ପରିଣତ କରିଥିଲା।

ରବିବାର ଦିନ ଏକ ବର୍ଣ୍ଣାଢ଼୍ୟ ରଜ ରାଜକୁମାରୀ ଫିନାଲେ କାର୍ଯ୍ୟକ୍ରମରେ ଟ୍ରେଣ୍ଡସ୍ ରଜ ରାଜକୁମାରୀ ପ୍ରତିଯୋଗିତାର ସମସ୍ତ ଛଅ ବିଜେତାଙ୍କୁ ପୁରସ୍କୃତ କରାଯାଇଛି ଯେଉଁଥିରେ ଏହି ପ୍ରତିଯୋଗିତାର ବ୍ରାଣ୍ଡ୍ ଆମ୍ବାସାଡର ଭାବେ ଯୋଡ଼ି ହୋଇଥିବା ଓଲିଉଡ୍‌ର ଲୋକପ୍ରିୟ ତାରକା ସମ୍ବିତ ଆଚାର୍ଯ୍ୟ ଓ ଶିବାନୀ ସଙ୍ଗୀତା ଅତିଥି ଭାବେ ଉପସ୍ଥିତ ଥିଲେ।

ରଜ ରାଜକୁମାରୀ ସେଲ୍‌ଫି ପ୍ରତିଯୋଗିତାରେ ଭୁବନେଶ୍ୱରର ଅର୍ପିତା ମହାପାତ୍ର ପ୍ରଥମ ପୁରସ୍କାର ଜିତିଥିବା ବେଳେ ସେମିଳିଗୁଡ଼ାର ସୋନାଲି ସ୍ୱାଇଁ ଓ ନବରଙ୍ଗପୁରର ବର୍ଷା ମହାନ୍ତି ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ପୁରସ୍କାର ଜିତିଛନ୍ତି। ସେହିପରି, ରଜ ରାଜକୁମାରୀ ଗୀତ / ଭିିଡିଓ ପ୍ରତିଯୋଗିତାରେ ପାରାଦୀପର ସାୟନ୍ତୀ ଚାଟାର୍ଜୀ ପ୍ରଥମ ପୁରସ୍କାର ଜିତିଥିବା ବେଳେ ଭୁବନେଶ୍ୱରର ନନ୍ଦିନୀ ରାୟ ଓ ଢେଙ୍କାନାଳର ପ୍ରିନ୍‌ସେସ୍ ସିମ୍‌ରନ୍ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ପୁରସ୍କାର ହାସଲ କରିଛନ୍ତି।

ଏହି ଧରଣର ପ୍ରଥମ ପ୍ରତିଯୋଗିତା ପାଇଁ ଦିଆଯାଇଥିବା ହ୍ୱାଟସ୍‌ଆପ୍ ନମ୍ବର ସମେତ ୱେବସାଇଟ୍ www.trendsrajarajakumari.comରେ ସାରା ରାଜ୍ୟରୁ ହଜାର ହଜାର ଆବେଦନ ସହ ଜବରଦସ୍ତ ସମର୍ଥନ ମିଳିଥିଲା। ଏହି ପ୍ରତିଯୋଗିତାର ସମସ୍ତ ପ୍ରତିଯୋଗୀଙ୍କୁ ୫୦୦ ଟଙ୍କା ମୂଲ୍ୟର ଦୁଇଟି ଲେଖାଏଁ ରଜ ସ୍ୱତନ୍ତ୍ର ରିହାତି କୁପନ୍ ପ୍ରଦାନ କରାଯାଇଥିବା ବେଳେ ଦୁଇଟି ବର୍ଗ ମଧ୍ୟରୁ ପ୍ରତି ବର୍ଗର ଶ୍ରେଷ୍ଠ ତିନି ବିଜେତା ଯଥାକ୍ରମେ ୩୧,୦୦୦ ଟଙ୍କା, ୨୧,୦୦୦ ଟଙ୍କା ଓ ୧୧ ହଜାର ଟଙ୍କାର ନଗଦ ରାଶି ପୁରସ୍କାର ଜିତିଛନ୍ତି।

ଏଠାରେ ଏହା ଉଲ୍ଲେଖଯୋଗ୍ୟ ଯେ ଟ୍ରେଣ୍ଡ୍‌ସ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ୧୬-ଦିନିଆ ରଜ ରାଜକୁମାରୀ ପ୍ରତିଯୋଗିତା ୨୦୨୨ ଜୁନ୍ ୪ରୁ ଆରମ୍ଭ ହୋଇ ୧୯ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ଯେଉଁଥିରେ ସାମିଲ ଥିଲା ଅନ୍‌-ଗ୍ରାଉଣ୍ଡ୍‌, ହାଉସିଂ ସୋସାଇଟି ଦଳ, ଗଣମାଧ୍ୟମ ଓ ମଲ୍ ଭିତର କାଯ୍ୟକ୍ରମ। ରଜ ହେଉଛି ନାରୀତ୍ୱକୁ ପାଳନ କରିବାର ଏକ ପର୍ବ ଏବଂ ଏହାକୁ ବଡ଼ ଉଲ୍ଲା. ଆଗ୍ରହ ଓ ଉତ୍ସାହର ସହ ମହିଳାମାନଙ୍କ ଦ୍ୱାରା ପାଳନ କରାଯାଏ ଯେଉଁଥିରେ ସେମାନେ ନୂଆ ପୋଷାକ ପିନ୍ଧନ୍ତି, ଦୋଳିରେ ଖେଳନ୍ତି, ଭଲ ଖାଇବା ପରଷିଥାନ୍ତି, କୌତୁକ ଖେଳ ଖେଳନ୍ତୀ ଏବଂ ଏହି ଉତ୍ସବକୁ ପାଳନ କରିବା ଲାଗି ଲୋକ ଗୀତ ଗାଇବା ସହ ଖେଳିଥାନ୍ତି।

ଟ୍ରେଣ୍ଡ୍‌ସ୍ ଏହାର ପରିବ୍ୟାପ୍ତିକୁ ସୁଦୃଢ କରି ଦେଶରେ ମେଟ୍ରୋଠାରୁ ଆରମ୍ଭ କରି ମିନି ମେଟ୍ରୋ ଏବଂ ଟିୟର-୧ ଓ ଟିୟର-୨ ସହରଗୁଡିକରେ ଉପସ୍ଥିତି ସୁନିଶ୍ଚିତ କରିବା ସହିତ ଗ୍ରାହକଙ୍କ ସହିତ ସଂଯୁକ୍ତ ହୋଇ ବାସ୍ତବରେ ଭାରତରେ ଫାଶନର ସାର୍ବଜନୀନକରଣ କରୁଛି ଏବଂ ଭାରତର ପସନ୍ଦଯୋଗ୍ୟ ଫାଶନ ସପିଙ୍ଗ ଡେଷ୍ଟିନେସନ ପାଲଟିଛି। ଏଠାରେ ଚମତ୍କାର ବର୍ଗର ଉତମ ଗୁଣମାନର ଫାଶନ ସାମଗ୍ରୀ ରହିଛି ଯାହା ପ୍ରତ୍ୟେକ ଅବସର ପାଇଁ ସମ୍ପୂର୍ଣ୍ଣ ଖାପଖୁଆଇବା ଭଳି ହୋଇଛି ଏବଂ ଏହାର ମୂଲ୍ୟ ସୁଲଭ ଏବଂ ଏହା ତାହାର ମୂଲ୍ୟ ତୁଳନାରେ ଯଥେଷ୍ଟ ଅଧିକ ମୂଲ୍ୟବାନ ବିବେଚିତ ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱର ଏବଂ କଟକ ରେଲୱେ ଷ୍ଟେସନରେ ଆରମ୍ଭ ହେଲା “ଗୋଟିଏ ଷ୍ଟେସନ୍ ଗୋଟିଏ ଉତ୍ପାଦ” ଷ୍ଟଲ୍ 

ଭୁବନେଶ୍ବର: “ଗୋଟିଏ ଷ୍ଟେସନ୍ ଗୋଟିଏ ଉତ୍ପାଦ” ଯୋଜନା ସ୍ଥାନୀୟ କାରିଗର, କୁମ୍ଭକାର, ବୁଣାକାର/ହ୍ୟାଣ୍ଡଲୁମ୍ ବୁଣାକାର, ଆଦିବାସୀ ମାନଙ୍କର ଜୀବିକା ବୃଦ୍ଧି ତଥା କଲ୍ୟାଣ ଉଦ୍ଦେଶ୍ୟରେ ଭାରତ ସରକାର ନିକଟରେ ବଜେଟରେ ଘୋଷଣା କରିଥିଲେ। ଏହି ଯୋଜନା ଅଧୀନରେ ରେଳ ଷ୍ଟେସନରେ ସ୍ଥାନୀୟ କାରିଗରମାନଙ୍କୁ ସେହି ନିର୍ଦ୍ଦିଷ୍ଟ ଅଞ୍ଚଳ ସମ୍ବନ୍ଧୀୟ ପ୍ରସିଦ୍ଧ ସ୍ଥାନୀୟ ଉତ୍ପାଦଗୁଡିକ ପ୍ରଦର୍ଶନ ଏବଂ ବିକ୍ରୟ ପାଇଁ ଷ୍ଟଲ୍ ଯୋଗାଇ ଦିଆଯାଉଛି।  ଲକ୍ଷ୍ୟ ହେଉଛି ରେଳ ଷ୍ଟେସନକୁ ଏକ ପ୍ରମୋସନାଲ୍ ହବ୍ ଏବଂ ଏକ ସ୍ଥାନୀୟ ଉତ୍ପାଦ ପାଇଁ ପ୍ରଦର୍ଶନ ଗନ୍ତବ୍ୟସ୍ଥଳ କରିବା, ଯାହା ଦ୍ଵାରା ସ୍ଥାନୀୟ ଶିଳ୍ପଗୁଡିକ ଏକ ପ୍ରମୁଖ ଉତ୍ସ ହେବ।

ଗୋଟିଏ ଷ୍ଟେସନ ଗୋଟିଏ ପ୍ରଡକ୍ଟ ଯୋଜନା ଅଧୀନରେ ଖୋର୍ଦ୍ଧା ରୋଡ଼ ମଣ୍ଡଳ ଦ୍ଵାରା ଓଡ଼ିଶା ଗ୍ରାମୀଣ ବିକାଶ ଏବଂ ମାର୍କେଟିଂ ସୋସାଇଟି (ORMAS) ର ସମନ୍ୱୟ ରେ ଭୁବନେଶ୍ୱର ଏବଂ କଟକ ରେଳ ଷ୍ଟେସନରେ ଦୁଇଟି ବିକ୍ରି ଷ୍ଟଲ ଉନ୍ମୋଚନ କରାଯାଇଛି।
ବର୍ତ୍ତମାନ ଯାତ୍ରୀମାନେ ଭୁବନେଶ୍ୱର ରେଳ ଷ୍ଟେସନରେ ଖୋର୍ଦ୍ଧା ଜିଲ୍ଲାର ପ୍ରସିଦ୍ଧ “ବେଲ୍ ମେଟାଲ୍ ପ୍ରଡକ୍ଟ” ଏବଂ କଟକ ରେଳ ଷ୍ଟେସନରେ କଟକ ଜିଲ୍ଲାର ପ୍ରସିଦ୍ଧ “ସିଲଭର ଫିଲିଗ୍ରି ହ୍ୟାଣ୍ଡିକ୍ରାଫ୍ଟ ଏବଂ ହ୍ୟାଣ୍ଡଲୁମ୍ ଉତ୍ପାଦ” ପାଇପାରିବେ। ଯାତ୍ରୀମାନେ କୌଣସି ମଧ୍ୟସ୍ଥିଙ୍କୁ ଜଡିତ ନକରି ସିଧାସଳଖ କାରିଗରମାନଙ୍କଠାରୁ ଏହି ଉତ୍ପାଦ କ୍ରୟ କରିପାରିବେ।

ଏହାପୂର୍ବରୁ, ଖୋର୍ଦ୍ଧା ରୋଡ଼ ମଣ୍ଡଳ ଦ୍ଵାରା ପୁରୀ ରେଳ ଷ୍ଟେସନରେ ଓଡ଼ିଶାର ପ୍ରସିଦ୍ଧ ହସ୍ତତନ୍ତ “ପଟାଚିଟ୍ରା” ଏବଂ “ପିପିଲି ଆପ୍ଲିକ୍” କୁ ଏକ ଷ୍ଟେସନ୍ ଏକ ପ୍ରଡକ୍ଟ ଯୋଜନା ଅଧୀନରେ ପ୍ରୋତ୍ସାହିତ କରିବା ପାଇଁ ପୁରୀ ରେଳ ଷ୍ଟେସନରେ ଗୋଟିଏ ଷ୍ଟଲ୍ ଖୋଲା ଯାଇଥିଲା।  ଖୋର୍ଦ୍ଧା ରୋଡ଼ ମଣ୍ଡଳ ର ୭୮ ରେଳ ଷ୍ଟେସନରେ ଏକ ଷ୍ଟେସନ୍ ଏକ ପ୍ରଡକ୍ଟ ଷ୍ଟଲ୍ ପାଇଁ ଆବେଦନ ନିମନ୍ତ୍ରଣ ପାଇଁ ଖୋର୍ଦ୍ଧା ରୋଡ ରେଳ ମଣ୍ଡଳ ବିଭିନ୍ନ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ବିଜ୍ଞପ୍ତି ଜାରି କରିଛି।

ଖୋର୍ଦ୍ଧା ରୋଡ଼ର ମଣ୍ଡଳ ରେଳ ପ୍ରବନ୍ଧକ ରିଙ୍କେଶ ରାୟ ଯାତ୍ରୀମାନଙ୍କୁ ଷ୍ଟଲଗୁଡିକର ସୁବିଧା ନେବାକୁ ଏବଂ ରେଳ ଷ୍ଟେସନରେ ସ୍ଥାନୀୟ ଉତ୍ପାଦର ସାମଗ୍ରୀ ଗୁଡ଼ିକ ଦେଖିବାକୁ ଅନୁରୋଧ କରିଛନ୍ତି। ସେ ସ୍ଥାନୀୟ କାରିଗର, କୁମ୍ଭକାର, ବୁଣାକାର, ଆଦିବାସୀମାନଙ୍କୁ ଷ୍ଟେସନ ଗୁଡ଼ିକ ରେ ନିଜର ଷ୍ଟଲ ଖୋଲିବା ପାଇଁ ଆବେଦନ କରିବାକୁ ଅନୁରୋଧ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

୬୭ତମ ଜାତୀୟ ରେଲୱେ ପୁରସ୍କାର ବିତରଣ ଉତ୍ସବ-୨୦୨୨ ଭୁବନେଶ୍ୱରରେ ଆୟୋଜିତ

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ପୂର୍ବ ତଟ ରେଳପଥ ମୁଖ୍ୟାଳୟ ଭୁବନେଶ୍ୱର ଠାରେ ୬୭ ତମ ଜାତୀୟ ରେଲୱେ ପୁରସ୍କାର ବିତରଣ ଉତ୍ସବ-୨୦୨୨ ଆୟୋଜିତ ହୋଇଯାଇଅଛି।

ରେଲୱେ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନିଷ୍ଠାପର ସେବା ତଥା ଦକ୍ଷତା ପାଇଁ ଉତ୍ସର୍ଗୀକୃତ ରେଳ କର୍ମଚାରୀ ଏବଂ ଜୋନାଲ ରେଳବାଇ, ଉତ୍ପାଦନ ୟୁନିଟ୍ ଏବଂ PSU ଗୁଡ଼ିକୁ ପୁରସ୍କୃତ କରିଛନ୍ତି।

ଏହାପୂର୍ବରୁ ରେଳ ବୋର୍ଡର ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭି କେ ତ୍ରିପାଠୀ ତାଙ୍କ ସ୍ୱାଗତ ଭାଷଣରେ ଭାରତୀୟ ରେଳବାଇର ପରିବର୍ତ୍ତନ ବିଷୟରେ କହିଥିଲେ।

ମୋଟାମୋଟି ଭାବେ, ଦେଶର ବିଭିନ୍ନ ଜୋନାଲ ରେଲୱେରୁ ୧୫୬ ରେଲୱେ କର୍ମଚାରୀ ସେମାନଙ୍କର ଉଲ୍ଲେଖନୀୟ ସେବାପାଇଁ ମନ୍ତ୍ରୀଙ୍କଦ୍ୱାରା ପୁରସ୍କୃତ ହୋଇଛନ୍ତି। ଏହା ବ୍ୟତୀତ ବିଭିନ୍ନ ରେଲୱେ, ଉତ୍ପାଦନ ୟୁନିଟ୍ ଏବଂ ରେଲୱେ ପିଏସୟୁ ଗୁଡ଼ିକୁ ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ଏବଂ ଦକ୍ଷତା ପାଇଁ ୨୧ ଟି ସିଲ୍ଡ ମଧ୍ୟ ପୁରସ୍କୃତ କରାଯାଇଅଛି।

ଭାରତୀୟ ରେଳବାଇର ଏହା ହେଉଛି ଏକ ପ୍ରମୁଖ କାର୍ଯ୍ୟ ଯେଉଁଠାରେ ଭୁବନେଶ୍ୱରରେ ରେଳ ମନ୍ତ୍ରଣାଳୟର ଏକ ସମ୍ପୂର୍ଣ୍ଣ ସେଟ୍ ଉପସ୍ଥିତ ଥିଲା। ଭୁବନେଶ୍ୱରରେ ଦ୍ୱିତୀୟ ଥର ପାଇଁ ଏହି କାର୍ଯ୍ୟକୁ ସୁରୁଖୁରୁରେ ଆୟୋଜନ କରିଥିବାରୁ ପୂର୍ବ ତଟ ରେଳବାଇ ଗର୍ବିତ ଅନୁଭବ କରୁଛି।

ରେଳ ବୋର୍ଡର ସଦସ୍ୟମାନେ ଯଥାକ୍ରମେ ମୋହିତ ସିହ୍ନା, ସଦସ୍ୟ (ଅର୍ଥ); ଓ ପି ସିଂ, ସଦସ୍ୟ (ଭିତ୍ତିଭୂମି), ଡି ସି ଶର୍ମା, ସଦସ୍ୟ (ଟ୍ରାକ୍ସନ୍ ଆଣ୍ଡ ରୋଲିଂ ଷ୍ଟକ୍); ଏସ୍ କେ ମହାନ୍ତି, ସଦସ୍ୟ (ଅପରେସନ୍ସ ଏବଂ ବ୍ୟବସାୟ ବିକାଶ) ଏବଂ ରେଳବାଇ ବୋର୍ଡର ସଚିବ ଆର.ଏନ.ସିଂହ; ସମସ୍ତ ଜୋନାଲ ରେଳପଥର ମହାପ୍ରବନ୍ଧକମାନେ, ରେଳବାଇର ଉତ୍ପାଦନ ୟୁନିଟ୍ ଏବଂ ରେଳବାଇର ପିଏସୟୁ ଗୁଡିକର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ପରି ଉଚ୍ଚ ସ୍ତରୀୟ ଅଧିକାରୀ ମାନେ ଏହି ଅବସରରେ ଉପସ୍ଥିତ ଥିଲେ।

ଉଲ୍ଲେଖନୀୟ ସେବା ପାଇଁ ୧୦ ଜଣ ଟ୍ରାକମ୍ୟାନ୍ (ନିରାପତ୍ତା ବର୍ଗରେ 8 ଏବଂ ପରିଚାଳନା, ସୁରକ୍ଷା ବର୍ଗରେ ୦୨) ଙ୍କୁ ପୁରସ୍କୃତ କରାଯାଇଅଛି। ସେହିଭଳି ୨୮ ରେଲୱେ କର୍ମଚାରୀମାନେ ବ୍ୟକ୍ତିଗତ ସୁରକ୍ଷାକୁ ଅବମାନନା କରି ମଧ୍ୟ ରେଳବାଇରେ ଜୀବନ ଏବଂ ସମ୍ପତ୍ତିର ସୁରକ୍ଷା ପାଇଁ ସମ୍ମାନଜନକ କାର୍ଯ୍ୟ ପାଇଁ ପୁରସ୍କୃତ ହୋଇଛନ୍ତି ଯେଉଁଥିରେ 08 ଜଣ ଟ୍ରାକମ୍ୟାନ୍ ଅନ୍ତର୍ଭୁକ୍ତ। ପରିଚାଳନା, ସୁରକ୍ଷା ଏବଂ ନିରାପତ୍ତା, ସମ୍ପତ୍ତିର ଉନ୍ନତ ରକ୍ଷଣାବେକ୍ଷଣ ଏବଂ ଉପଯୋଗରେ ଉନ୍ନତି ଆଣିବା ପାଇଁ କରାଯାଇଥିବା ଆଦର୍ଶ କାର୍ଯ୍ୟ ପାଇଁ ୪୨ ରେଳବାଇ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଛି, ୨୮ କର୍ମଚାରୀଙ୍କୁ ନୂତନ ଉଦ୍ଭାବନ ପାଇଁ ପୁରସ୍କୃତ କରାଯାଇ ଥିବାବେଳେ ଖର୍ଚ୍ଚରେ ଅର୍ଥନୀତିକୁ ଉତ୍ପାଦନ, ଉତ୍ପାଦନର ଉନ୍ନତି ଇତ୍ୟାଦି; ରୋଜଗାରର ବୃଦ୍ଧି ଏବଂ ଟିକେଟ୍ ବିହୀନ ଯାତ୍ରା, ଚୋରି ଇତ୍ୟାଦି ପାଇଁ ୧୧ ଜଣ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇ ଅଛି। ରେକର୍ଡ ସମୟ ମଧ୍ୟରେ ପ୍ରକଳ୍ପ ସମାପ୍ତି ପାଇଁ ୧୨ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିବାବେଳେ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଜଣେ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ 33 ରେଲୱେ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଆରଡିଏସଡିଇ ଓଡିଶା ପକ୍ଷରୁ ଭୁବନେଶ୍ୱରଠାରେ ଶିକ୍ଷାନବୀନ ସଂସ୍କାର କର୍ମଶାଳା ଆୟୋଜିତ

ଭୁବନେଶ୍ୱର: କେନ୍ଦ୍ର କୌଶଳ ବିକାଶ ଓ ଔଦ୍ୟୋଗିକା ମନ୍ତ୍ରଣାଳୟର ଆଂଚଳିକ ନିର୍ଦ୍ଦେଶାଳୟ, ଓଡିଶା (ଆରଡିଏସଡିଇ) ପକ୍ଷରୁ ନୂତନ ଓ ଉନ୍ନତ ଶିକ୍ଷାନବୀଶ ସଂସ୍କାର ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଏକ ଦୁଇଦିନିଆ ଶିକ୍ଷାନବୀଶ କର୍ମଶାଳା, ଭୁବନେଶ୍ୱର ମଞ୍ଚେଶ୍ୱର ସ୍ଥିତ ବିଶ୍ୱ କୌଶଳ କେନ୍ଦ୍ରଠାରେ ଆୟୋଜିତ ହୋଇଯାଇଛି। ଦେଶର ଶିକ୍ଷାନବୀଶ ମଡେଲରେ ହୋଇଥିବା ନୂତନ ପରିବର୍ତ୍ତନ ସମ୍ପର୍କରେ ଏହାର ଅଂଶୀଦାରମାନଙ୍କ ସାମର୍ଥ୍ୟ ବିକାଶ ହେଉଛି ଏହି କର୍ମଶାଳା ଆୟୋଜନର ଲକ୍ଷ୍ୟ। ଏହାଛଡା ଦେଶବ୍ୟାପୀ ସଂସ୍କାର ସମ୍ପର୍କରେ ସଚେତନତା ସୃଷ୍ଟି ନେଇ କେନ୍ଦ୍ର ଶିକ୍ଷା କୌଶଳ ବିକାଶ ଓ ଔଦ୍ୟୋଗିକା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶର ୨୫୦କର୍ମଶାଳା ଆୟୋଜନ ନେଇ ଆଗରୁ ଘୋଷଣା କରିଛନ୍ତି।

ଶିକ୍ଷାନବୀଶ କାର୍ଯ୍ୟକ୍ରମର ୧୬୩ରୁ ଅଧିକ ଅଂଶଗ୍ରହଣକାରୀ ଏଥିରେ ଯୋଗଦେଇଥିଲେ। ଟାଟା ଷ୍ଟିଲ ଲିମିଟେଡ, ବୋକାରୋ ଇସ୍ପାତ କାରଖାନା, ପାରାଦ୍ୱୀପ ରେଳବାଇ, ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ, ୨-କ୍ଷେତ୍ର କୌଶଳ ପରିଷଦ (ଏସଏସ୍‌ସିଏସ), ୧୮ଟି ଆଞ୍ଚଳିକ କୌଶଳ ବିକାଶ ଓ ଔଦ୍ୟୋଗିକତା (ଆରଏସଏସଡିଇ) ୯ ତୃତୀୟ ପକ୍ଷ  ସଂସ୍ଥା (ଟିପିଏ) ୨୫କର୍ମନିଯୁକ୍ତି , ତାଲିମ ନିର୍ଦ୍ଦେଶାଳୟ (ଡିଇଟି) ଓ ୫ଜାତୀୟ କୌଶଳ ବିକାଶ ନିଗମ (ଏନଏସ୍‌ଡିସି) ସମେତ ୧୦୪ଟି ସଂସ୍ଥା ଏଥିରେ ଅଂଶଗ୍ରହଣ କରିଥିଲେ।

ମୁଖ୍ୟ ଆଲୋଚନା ପରୀକ୍ଷା ମୋଡୁଲ, ସମୟାନୁର୍ତ୍ତିତା ପେମେଣ୍ଟ, ଗେଟୱେ ଉପରେ ହୋଇଥିଲେ ମଧ୍ୟ ଆଉ କେତେକ ନିମ୍ନରେ ଦିଆହୋଇଛି।

-ସର୍ବଭାରତୀୟ ଟ୍ରେଡ ଟେଷ୍ଟ (ଏଆଇଟିଆଇ) ବର୍ତ୍ତମାନ ବାର୍ଷିକ ପରିବର୍ତ୍ତେ ତ୍ରୈୟମାସିକ ପରୀକ୍ଷା ହୋଇଛି। ପର୍ଯ୍ୟାୟକ୍ରମେ ପରୀକ୍ଷା ଏକ ଅନ-ଡିମାଣ୍ଡ ସେଡ ଆଡକୁ ଗତି କରିବ।

-ଆଇଟିଆଇରୁ ଉତ୍ତୀର୍ଣ୍ଣମାନଙ୍କ ଥିଓରୀ ପରୀକ୍ଷା ହେବ ନାହିଁ। ମାତ୍ର ସଦ୍ୟ ଶିକ୍ଷାନବୀଶମାନେ ଉଭୟ ଥିଓରୀ ଏବଂ ପ୍ରାକ୍ଟିକାଲ ପରୀକ୍ଷା ଦେବାକୁ ପଡିବ।

-ଦାଖଲ, ପ୍ରକ୍ରିୟାକରଣ, ଅନୁମୋଦନ ଓ ରିଲିଜ ସବୁ ଅନଲାଇନ ଯୋଜନା ଏକ ଏକକ ଗବାକ୍ଷ ପଦ୍ଧତିରେ ହେବ। ଏନଏପିଏସ୍ ଅଧୀନରେ ଅର୍ଥପ୍ରଦାନ ଓ ଅନଲାଇନ ଆପତ୍ତି ଅଭିଯୋଗ ପଦ୍ଧତି ଶିଳ୍ପର ସହାୟତା ନିମନ୍ତେ ପ୍ରବର୍ତ୍ତନ ହୋଇଛି।

-ପେମେଣ୍ଟ ଗେଟୱେ ପରିପାଟି ନିର୍ଦ୍ଦିଷ୍ଟ ଟ୍ରେଡ ପରିଚାଳନାକାରୀ ଅନୁଭାଗକୁ ସମ୍ପ୍ରସାରିତ ହେବ।

-ଯେଉଁ ସଂସ୍କାର ବ୍ୟବସ୍ଥା ଚାରି ତା’ଠାରୁ ଅଧିକ ରାଜ୍ୟରେ ଅଛି ସେମାନେ ଆରଡିଏସଡିଇ ପଞ୍ଜୀକୃତ ହେବାକୁ ଅନୁମତି ପାଇବେ।

-ଶିକ୍ଷାନବୀଶ ଅତିରିକ୍ତ ଟ୍ରେଡ, ନିର୍ଦ୍ଦିଷ୍ଟ ଟ୍ରେଡ, ଶିକ୍ଷା ମନ୍ତ୍ରଣାଳୟ ଅଧୀନ ଶିକ୍ଷାନବୀଶଙ୍କ ମୋଟ ନମ୍ବର ତଦାରଖ ନକରି କାରଖାନାକୁ ନୋଟିସ ଜାରି କରାଯିବ ନାହିଁ।

ପଦକ୍ଷେପକୁ ସ୍ୱାଗତ କରି କେନ୍ଦ୍ର କୌଶଳ ବିକାଶ ଓ ଔଦ୍ୟୋଗିକତା ମନ୍ତ୍ରଣାଳୟ ସ୍ୱତନ୍ତ୍ର ସଚିବ ତଥା ତାଲିମ ମହାନିର୍ଦ୍ଦେଶାଳୟ ମହାନିର୍ଦ୍ଦେଶକ ଶ୍ରୀ ଅତୁଲ କୁମାର ତିୱାରୀ କହିଲେ ଯେ “ ଭାରତର କର୍ମଜୀବୀ ମାନଙ୍କ ମଧ୍ୟରେ ଶତକଡା ୬୨. ୫ଭାଗଙ୍କ ବୟସ ୧୫ରୁ ୫୯ମଧ୍ୟରେ ହୋଇଥିବାରୁ ଦେଶ ଆର୍ଥିକ କଳକୁ ଆଗେଇ ନେବାରେ ଏହା ଖୁବ୍ ଉପାଦେୟ। କୌଶଳ ଅଧିଗ୍ରହଣ ନିମନ୍ତେ ସବୁଠାରୁ ଶ୍ରେଷ୍ଠ ମଡେଲ କୁହାଯାଉଥିବା ଶିକ୍ଷାନବୀଶ ତାଲିମ ଜରିଆରେ ଆମେ ଯୁବକ ଯୁବତୀଙ୍କୁ ଶୀଘ୍ର ଓ ଦକ୍ଷତା ସମ୍ପନ୍ନ ଭାବେ ତାଲିମପ୍ରାପ୍ତ କରିପାରିବୁ। ମୁଁ ଆଶାବାଦୀ ଯେ ଏହି ସବୁ କର୍ମଶାଳା ଆୟୋଜନ ଦ୍ୱାରା ଆମେ ଶିଳ୍ପାନୁଷ୍ଠାନଗୁଡିକୁ ଆମ ସହ ସାମିଲ କରି ସେମାନଙ୍କୁ କାର୍ଯ୍ୟବଳରେ ଅଧିକ ଶିକ୍ଷାନବୀଶ ଯୋଡି ହୋଇପାରିବେ।”

ଏଥିସହିତ ଶିକ୍ଷାନବୀଶ ପୋର୍ଟାଲର ଠିକା ଉପରେ ପ୍ରତ୍ୟକ୍ଷ ପ୍ରଦର୍ଶନ, ପେ-ରୋଲ ପ୍ରୋସେସ୍‌, ଦାବି ପ୍ରଦାନ ପେରୋଲ ସବମିଶନ, ପେମେଣ୍ଟ ଗେଟୱେ, ଆପତ୍ତି ଅଭିଯୋଗ ନେଇ ବ୍ୟବସ୍ଥା ଓ ପାଠ୍ୟକ୍ରମ ସମ୍ପର୍କରେ ଅବଗତ କରାଯାଇଥିଲା। ଅଂଶଗ୍ରହଣକାରୀ ମାନେ ତ୍ୱରାନ୍ୱିତ ପ୍ରକ୍ରିୟାକୁ  ନିୟମ ଓ ଅଧିନିୟମକୁ ଅଧିକ ସରଳୀକରଣକୁ ନେଇ ବିଭିନ୍ନ ପ୍ରସ୍ତାବମାନ ଦେଇଥିଲେ। ଏମଏସଡିଇ ଅତିରିକ୍ତ ନୀତିର ସୁପାରିଶ ଓ ସରକାରୀ ଆଦେଶଗୁଡିକୁ ସଂକଳିତ କରୁଛି।

କୌଶଳ ବିକାଶ ଓ ଔଦ୍ୟୋଗିକା ମନ୍ତ୍ରଣାଳୟ (ଏମଏସ୍‌ଡ଼ିଇ) ସମ୍ପର୍କରେ

କୁଶଳୀ କାରିଗରମାନଙ୍କ କର୍ମନିଯୁକ୍ତି ସୁଯୋଗ ବୃଦ୍ଧି ନିମନ୍ତେ ଏମଏସ୍‌ଡିଇ ଭାରତ ସରକାର ୯ନଭେମ୍ବର ୨୦୧୪ରେ ଗଠନ କରିଥିଲେ। ଏମଏସଡିଇ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଓ ସଂସ୍କାର କାର୍ଯ୍ୟକ୍ରମ  ହାତକୁ ନେଇ ନୀତିକୁ ଆନୁଷ୍ଠାନିକ ମର୍ଯ୍ୟାଦାଦେବା, ମାନରକ୍ଷା ଓ ନୂତନ କାର୍ଯ୍ୟକ୍ରମ ଓ ଯୋଜନା ଆରମ୍ଭ, ନୂତନ ଭିତିଭୂମି ଗଠନ ଓ କାର୍ଯ୍ୟ କରୁଥିବା ଅନୁଷ୍ଠାନଗୁଡିକର ଉନ୍ନୀତକରଣ ଇତ୍ୟାଦି ସହ ରାଜ୍ୟ ସରକାର ଗୁଡିକ ସହିତ ମିଶି କୌଶଳ ବିକାଶକୁ ସମାଜରେ ପରିଚିତ କରାଇବାରେ କାର୍ଯ୍ୟ କରିଆସୁଛି। ମନ୍ତ୍ରଣାଳୟ ଚାହିଦା ଓ ଯୋଗାଣ ମଧ୍ୟ ଥିବା ବ୍ୟବଧାନ ଦୂରକରି ନୂତନ କୌଶଳ ଓ ଭାବନା ତ୍ୱରାନ୍ୱିତ କରି କେବଳ ବର୍ତ୍ତମାନର କର୍ମନିଯୁକ୍ତି ବ୍ୟତୀତ ଭବିଷ୍ୟତ କର୍ମନିଯୁକ୍ତ ନିମନ୍ତେ ମଧ୍ୟ କୁଶଳୀ ବ୍ୟକ୍ତି ସୃଷ୍ଟି କରୁଛି। ସ୍କିଲ ଇଣ୍ଡିଆ ଅଧୀନରେ ଏପର୍ଯ୍ୟନ୍ତ ୫.୫ କୋଟିରୁ ଅଧିକ ବ୍ୟକ୍ତିକୁ ତାଲିମ ପ୍ରଦାନ କରାଯାଇଛି। (ପି.ଆଇ.ବି.)

Categories
ଆଜିର ଖବର ଜାତୀୟ ଖବର

ଭୁବନେଶ୍ୱରରେ ଅନୁଷ୍ଠିତ ହେବ ୬୭ ତମ ଜାତୀୟ ରେଳବାଇ ପୁରସ୍କାର ବିତରଣ ଉତ୍ସବ

ନୂଆଦିଲ୍ଲୀ/ଭୁବନେଶ୍ବର: ୬୭ ତମ ଜାତୀୟ ରେଳ ପୁରସ୍କାର ଉତ୍ସବ-୨୦୨୨ କୁ ଚଳିତ ବର୍ଷ ପୂର୍ବ ତଟ ରେଳପଥ ୨୮ ମଇ ୨୦୨୨ ଦିନ ଆୟୋଜନ କରୁଅଛି।

ଅଶ୍ୱିନୀ ଵୈଷ୍ଣବ, ରେଳବାଇ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ; ରେଳବାଇ, କୋଇଲା ଏବଂ ଖଣି ବିଭାଗର ମାନ୍ୟବର କେନ୍ଦ୍ର ରାଜ୍ୟ ମନ୍ତ୍ରୀ ରାଓସାହେବ ପାଟିଲ ଡାନଭେ; ରେଳବାଇ ଏବଂ ଟେକ୍ସଟାଇଲର ମାନ୍ୟବର କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଦର୍ଶନା ଜରଦୋଶ ୨୮ ମଇ ୨୦୨୨ ରେ ଓଡ଼ିଶା ଗସ୍ତରେ ଆସି ପୂର୍ବତଟ ରେଳପଥ ଆନୁକୂଲ୍ୟରେ ଭୁବନେଶ୍ୱରର ରେଳବାଇ ଅଡିଟୋରିୟମ ଠାରେ ଆୟୋଜିତ ହେବାକୁଥିବା ୬୭ ତମ ଜାତୀୟ ରେଳ ପୁରସ୍କାରର ଉପସ୍ଥାପନା ସମାରୋହରେ ଯୋଗଦାନ କରିବେ।

ରେଳବାଇ ବୋର୍ଡର ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହିତ ରେଳବାଇ ବୋର୍ଡର ସମସ୍ତ ସଦସ୍ୟ, ସମସ୍ତ ଜୋନାଲ ରେଳବାଇର ମହାପ୍ରବନ୍ଧକମାନେ, ରେଳବାଇର ଉତ୍ପାଦନ ୟୁନିଟ୍ ଗୁଡିକର ମହାପ୍ରବନ୍ଧକ ଏବଂ ରେଳବାଇର ପିଏସୟୁ ଗୁଡିକର ମୁଖ୍ୟ ମାନଙ୍କ ପରି ମାନ୍ୟଗଣ୍ୟ ବ୍ୟକ୍ତି ଏହି ଅବସରରେ ଉପସ୍ଥିତ ରହିବେ।

ରେଳବାଇରେ ଉଲ୍ଲେଖନୀୟ ସେବା ପାଇଁ ମୋଟାମୋଟି ଭାବେ, ବିଭିନ୍ନ ଜୋନାଲ ରେଳବାଇ, ଉତ୍ପାଦନ ୟୁନିଟ୍ ଏବଂ ରେଳବାଇର ପିଏସୟୁ ଗୁଡିକର ୧୫୫ ଜଣ ରେଳବାଇ କର୍ମଚାରୀ ମାନଙ୍କୁ ପୁରସ୍କୃତ କରାଯିବାକୁ ଥିବାବେଳେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ ଦକ୍ଷତା ପାଇଁ ଜୋନାଲ ରେଳବାଇ, ଉତ୍ପାଦନ ୟୁନିଟ୍ ଏବଂ ରେଳବାଇ ପିଏସୟୁ ଗୁଡିକୁ ସର୍ବମୋଟ ୨୧ ଟି ସିଲ୍ଡ ପୁରସ୍କୃତ କରାଯିବ।

ଭାରତୀୟ ରେଳବାଇର ଏହା ହେଉଛି ଏକ ପ୍ରମୁଖ କାର୍ଯ୍ୟ ଯେଉଁଠାରେ ଭୁବନେଶ୍ୱରରେ ରେଳ ମନ୍ତ୍ରଣାଳୟର ଏକ ସମ୍ପୂର୍ଣ୍ଣ କାର୍ଯ୍ୟବଳର ମୁଖ୍ୟମାନେ ଉପସ୍ଥିତ ରହିବେ। ପୂର୍ବ ତଟ ରେଳପଥ ଭୁବନେଶ୍ୱରରେ ଦ୍ୱିତୀୟ ଥର ପାଇଁ ଏହି କାର୍ଯ୍ୟକୁ ଆୟୋଜନ କରିଥିବାରୁ ଗର୍ବିତ ଅନୁଭବ କରୁଛି।

Categories
ଆଜିର ଖବର ରାଜ୍ୟ ଖବର

ନିସ୍ ଶିକ୍ଷାନୁଷ୍ଠାନରେ ଜାତୀୟ ସେମିନାର

ଭୁବନେଶ୍ୱର: ଭୁବନେଶ୍ୱର ମଦନପୁର ସ୍ଥିତ ନିସ୍ ଇନଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଡମିନିଷ୍ଟ୍ରେସନ ପରିସରରେ ଜାତୀୟ ସେମିନାର ଅନୁଷ୍ଠିତ ହୋଇଯାଇଛି। ଏହାର ଶୀର୍ଷକ ‘୪ର୍ଥ ଶିଳ୍ପ ବିପ୍ଳବ ଏବଂ ଏହି ଦିଗରେ ବାଣିଜ୍ୟ ଜଗତର କ୍ରମବର୍ଦ୍ଧିତ ଉନ୍ନତି’ ରହିଛି।

ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ସେମିନାରକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ବଲପୁର ଆଇଆଇଏମର ଆସୋସିଏଟ ପ୍ରଫେସର ଡକ୍ଟର ରାମକୃଷ୍ଣ ପାଢ଼ୀ ମୁଖ୍ୟବକ୍ତା ଭାବେ ଯୋଗଦେଇଥିବା ବେଳେ ଏମ୍ ଏସ ପି ଏଲର ଭାଇସ ପ୍ରେସିଡେଣ୍ଟ ଡକ୍ଟର ଦେବବ୍ରତ ଦାସ, କିଟ୍ ବିଶ୍ୱବିଦ୍ୟାଳୟର ଡାଇରେକ୍ଟର ଡକ୍ଟର ସୁମନ ଭଟ୍ଟାଚାର୍ଯ୍ୟ, ଜାଭିୟର ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟର ପ୍ରଫେସର ଡକ୍ଟର ଡବ୍ଲ୍ୟୁ ଏସ୍ ଉଇଲିୟମ୍ ପ୍ରମୁଖ ସମ୍ମାନିତ ଅତିଥୀ ଭାବେ ଯୋଗଦେଇ ମତବ୍ୟକ୍ତ କରିଥିଲେ।

ନିସ୍ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠାତା ଡକ୍ଟର ସୁଭାଷ ଚନ୍ଦ୍ର ନାୟକ ସ୍ୱାଗତ ଭାଷଣ ଦେବା ସହିତ ଶିଳ୍ପ ବିପ୍ଳବ ଓ ଛାତ୍ରଛାତ୍ରୀଙ୍କ ଉନ୍ନତ ଭବିଷ୍ୟତ ସମ୍ପର୍କରେ ଆଲୋକପାତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ଉପଦେଷ୍ଟା ଡକ୍ଟର ପ୍ରତାପ କୁମାର ତ୍ରିପାଠୀ, ଉପନିର୍ଦ୍ଦେଶକ ଡକ୍ଟର ଦୁଷ୍ମନ୍ତ କୁମାର ପଟ୍ଟନାୟକ, ଅଧ୍ୟକ୍ଷ ଡକ୍ଟର ରାଜେଶ ସ୍ୱାଇଁ, ଡିନ୍ ସାଧାରଣ ପ୍ରଶାସନ ପ୍ରଫେସର ବିଷ୍ଣୁ ପାଲ, ଯୁଗ୍ମ ରେଜିଷ୍ଟ୍ରାର ପ୍ରଫେସର ଭବାନୀ ଶଙ୍କର ରଥ ଓ ପ୍ରଶାସନିକ ଅଧିକାରୀ ପିତାମ୍ବର ଚୟନୀ ପ୍ରମୁଖ ଯୋଗଦେଇଥିଲେ।

ନିସ୍ ଶିକ୍ଷାନୁଷ୍ଠାନର ସହ ପ୍ରତିଷ୍ଠାତା ପ୍ରଫେସର ସ୍ମୃତିସୁଧା ନାୟକ ଅତିଥୀମାନଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରିଥିବା ବେଳେ ଶିକ୍ଷାନୁଷ୍ଠାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଏମବିଏ ବିଭାଗର ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱର ଠାରେ ଅଟଳ ଟିଙ୍କରିଂ ଲ୍ୟାବର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ମନୋବୃତିକୁ ବଢ଼ାଇବା ପାଇଁ ଦେଶର ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲରେ ଅଟଳ ଟିଙ୍କରିଂ ଲ୍ୟାବ୍ ପ୍ରତିଷ୍ଠା କରାଯାଉଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଭୁବନେଶ୍ୱର ୟୁନିଟ୍ -୩ ସ୍ଥିତ ଓଡ଼ିଶାର ସର୍ବପୁରାତନ ଶିଶୁ ବିଦ୍ୟା ମନ୍ଦିରରେ ଅଟଳ ଟିଙ୍କରିଂ ଲ୍ୟାବର ଉଦଘାଟନ କରିବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି। ସେ କହିଛନ୍ତି ଯେ ଏକବିଂଶ ଶତାବ୍ଦୀ ଜ୍ଞାନ ଆଧାରିତ ଶତାବ୍ଦୀ। ଏହି ସମୟରେ ନୂଆପିଢିର ଛାତ୍ରଛାତ୍ରୀମାନେ ଦେଶର ଖ୍ୟାତିସମ୍ପନ୍ନ ବୈଜ୍ଞାନିକ ସ୍ୱର୍ଗତ ଡ଼.ଏପିଜେ ଅବଦୁଲ କଲାମଙ୍କ ପରି ବାଲ୍ୟକାଳରୁ ଦେଶ ପାଇଁ ସ୍ୱପ୍ନ ଦେଖିବା ଦରକାର।

ବର୍ତ୍ତମାନର ଅଧୁନିକ ସମୟରେ ୬ ବର୍ଷରୁ ୧୨ବର୍ଷ ମଧ୍ୟରେ ଛାତ୍ରଛାତ୍ରୀଙ୍କୁ ନବସୃଜନ ପ୍ରତି ପ୍ରୋତ୍ସାହିତ କରିବା ପ୍ରଧାନମନ୍ତ୍ରୀଙ୍କ କଳ୍ପନା ରହିଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସମଗ୍ର ଶିକ୍ଷା ଅଭିଯାନରେ ଆଗାମୀ ୫ ବର୍ଷ ପାଇଁ ୩ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯିବାର ବ୍ୟବସ୍ଥା ହୋଇଛି। ବିଦ୍ୟାଳୟ ମାନଙ୍କରେ ବୈଜ୍ଞାନିକ ପଦ୍ଧତିରେ ଶିକ୍ଷାଦାନ ପାଇଁ ଭର୍ଚ୍ଚୁଆଲ ଲାବ୍ରୋଟୋରୀର ବ୍ୟବସ୍ଥା କରାଯିବ । ଛାତ୍ରଛାତ୍ରୀଙ୍କୁ ଉଦ୍ୟମୀ କରିବା ଓ ନବସୃଜନ ପ୍ରତି ପ୍ରୋତ୍ସାହିତ କରିବା ପାଇଁ ଅଟଳ ଟିଙ୍କରି ଲ୍ୟାବ୍ ଏକ ବଡ଼ ପଦକ୍ଷେପ।

ଛାତ୍ରଛାତ୍ରୀଙ୍କ ପୂର୍ଣ୍ଣାଙ୍ଗ ବିକାଶ ପାଇଁ ଜାତୀୟ ଶିକ୍ଷା ନୀତି ପ୍ରଣୟନ କରାଯାଇଛି। ୩ ବର୍ଷରୁ ୨୩ ବର୍ଷ ପର୍ଯ୍ୟନ୍ତ ବିଦ୍ୟାର୍ଥୀଙ୍କୁ ବାଲବାଟିକା ଠାରୁ ଗବେଷକ ହେବା ପର୍ଯ୍ୟନ୍ତ ବିଶେଷ ଧ୍ୟାନ ଦିଆଯାଇଛି। ନୂଆପିଢ଼ିଙ୍କୁ ଭାରତୀୟତା ଆଧାରରେ ଯୋଡ଼ିବା, ଭାରତୀୟ ଭାଷାକୁ ପ୍ରୋତ୍ସାହନ ଓ ଗୁଣାତ୍ମକ ଶିକ୍ଷା ସହ ରୋଜଗାର ଦେବା ଶିକ୍ଷା ନୀତିର ମୂଳ ଲକ୍ଷ୍ୟ।

ରାଜଧାନୀର ଏହି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଲୋକଙ୍କ ଦାୟିତ୍ୱରେ ଆଜି ଏକ ବଡ଼ ଅନୁଷ୍ଠାନରେ ପରିଣତ ହୋଇଛି। ଭାରତ ସରକାରଙ୍କ ନୀତି ଆୟୋଗ ଯୋଜନା ଅନ୍ତର୍ଗତ ଏହି ବିଦ୍ୟାଳୟରେ ଅଟଳ ଟିଙ୍କରିଂ ଲ୍ୟାବ ପ୍ରତିଷ୍ଠା ହେବା ଆନନ୍ଦର ବିଷୟ। ଏହି ପଦକ୍ଷେପ ସ୍କୁଲର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ମନୋବୃତିକୁ ଉଜ୍ଜିବୀତ କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଉଲ୍ଲେଖନୀୟ ଯେ, ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ସ୍କୁଲର ଲ୍ୟାବ୍ କକ୍ଷ ପରିଦର୍ଶନ କରିଥିଲେ। ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ଅଭିନବ ଉପକରଣକୁ ଦେଖିବା ସହ ସେମାନଙ୍କ ସହ ଆଲୋଚନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱର ରେଳ ଷ୍ଟେସନରେ ଦୁଇ ମହିଳାଙ୍କ ଜୀବନ ବଞ୍ଚାଇଲେ ଆରପିଏଫ୍, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଦୁଇଜଣ ମହିଳା ଯାତ୍ରୀଙ୍କ ରେଳବାଇ ସୁରକ୍ଷା ବଳ ଯବାନ ଜୀବନ ବଞ୍ଚାଇ ଚର୍ଚ୍ଚାକୁ ଆସିଛନ୍ତି। ୧୮୪୪୪ ପଲାସା-କଟକ ଟ୍ରେନ ଗତିଶୀଳ ଥିବାବେଳେ ମହିଳା ଦ୍ବୟ ଓହ୍ଲାଇବାକୁ ଚେଷ୍ଟାକରି ପାଦ ଖସିଯିବାରୁ ପ୍ରାୟତଃ ଟ୍ରେନ ତଳକୁ ଚାଲିଯାଇଥାନ୍ତେ।

ଡ୍ୟୁଟିରେ ଥିବା ଭୁବନେଶ୍ୱର ଆରପିଏଫ ପୋଷ୍ଟର ହେଡ଼ କନେଷ୍ଟବଳ ଏସ.ମୁଣ୍ଡାଙ୍କ ଉପସ୍ଥିତ ବୁଦ୍ଧି ଓ ପ୍ରୟାସ ଯୋଗୁଁ ମହିଳା ଦ୍ବୟଙ୍କୁ ପ୍ଳାଟଫର୍ମକୁ ଟାଣି ଆଣିଥିଲେ। ଯାହାଦ୍ୱାରା ସେମାନଙ୍କର ଜୀବନ ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚାଯାଇ ପାରିଥିଲା। ଯବାନଙ୍କ ଏଭଳି ସାହସିକ ପ୍ରଚେଷ୍ଟା ଯୋଗୁଁ ଷ୍ଟେସନରେ ଥିବା ଅନ୍ୟ ଯାତ୍ରୀମାନେ ପ୍ରଶଂସା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱରରେ ବିଶାଳ ପାଇକ ଆଖଡ଼ା ଜନଗର୍ଜନ ସମାବେଶ: ଦିଲ୍ଲୀ ଚଲୋ ଅଭିଯାନ ଡ଼ାକରା

ଭୁବନେଶ୍ୱର: ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଦାବି ଓ ପାଇକ ରେଜିମେଣ୍ଟ ଗଠନ ଆଦି ଦାବି ନେଇ ଭୁବନେଶ୍ୱରରେ ବିଶାଳ ପାଇକ ଆଖଡ଼ା ଜନଗଜର୍ନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ମାଷ୍ଟର କ୍ୟାଣ୍ଟିନ ଛକରୁ ହଜାର ହଜାର ପାଇକ ଏକ ବିରାଟ ଶୋଭାଯାତ୍ରାରେ ପାରମ୍ପରିକ ବେଶପୋଷକ ପରିଧାନ କରି ଖଣ୍ଡା, ତଲୱାର, ଗଦା, ମୁଦ୍‌ଗର ଆଦି ଧରି ପାଇକ ଆଖଡ଼ା ପ୍ରଦର୍ଶନ କରି, ରଣ କୁହାଟ ଦେଇ ରାମ ମନ୍ଦିର ଛକ ଅତିକ୍ରମ କରି ପ୍ରଦର୍ଶନୀ ପଡ଼ିଆରେ ପହଞ୍ôଚଥିଲା। ସେଠାରେ ଏକ ବିରାଟ ସମାବେଶ ଅନୁଷ୍ଠିତ ହୋଇଥିଲା।

ଏହି ସମାବେଶରେ ଓଡ଼ିଶା ବୀର ମହାସଂଘର ସଭାପତି ଡଃ ପ୍ରକାଶ ଶ୍ରୀଚନ୍ଦନ ଓ ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ଡ଼ଃ ଦିଲ୍ଲୀପ ଶ୍ରୀଚନ୍ଦନ କହିଥିଲେ ଯେ, ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ପାଇକ ବିଦ୍ରୋହ ବ୍ରିଟିଶମାନଙ୍କ ବିରୁଦ୍ଧରେ ଆରମ୍ଭ ହୋଇଥିଲା ଓଡ଼ିଶାର ଖୋର୍ଦ୍ଧା ମାଟିରୁ । ତେଣୁ ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀ ପାଇକ ବିଦ୍ରୋହର ଦୁଇଶହ ବର୍ଷ ପୂର୍ତ୍ତି ଉତ୍ସବ ଦିଲ୍ଲୀର ବିଜ୍ଞାନ ଭବନରେ ପାଳନ ଅବସରରେ ମତବ୍ୟକ୍ତ କରିଥିଲେ।

ସେହି ଆଧାରରେ ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦ ବରୁଣେଇ ପାହାଡ଼ ପାଦଦେଶରେ ଆସି ପାଇକ ସ୍ମାରକୀ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ ଓ ପାଇକ ବିଦ୍ରୋହ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ନିଜର ମନ୍ତବ୍ୟ ରଖିଥିଲେ। କିନ୍ତୁ ବର୍ତ୍ତମାନ ଏହାକୁ ଅସ୍ୱୀକାର କରାଯିବା ଓଡ଼ିଶାର ଜନସାଧାରଣଙ୍କ ସ୍ୱାଭିମାନ ପ୍ରତି ଏହା ଏକ ବିଶେଷ କୁଠାରଘାତ।

ସେମାନେ ଦାବି କରିଛନ୍ତି ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ପ୍ରଦାନ କରିବା ସହିତ ପଞ୍ଜାବ ରେଜିମେଣ୍ଟ, ଗୁର୍ଖା ରେଜିମେଣ୍ଟ ଓ ଆସାମ ରେଜିମେଣ୍ଟ ପରି ଯଥାଶୀଘ୍ର ଓଡ଼ିଶାରେ ପାଇକ ରେଜିମେଣ୍ଟ ଗଠନ କରାଯାଉ। ଯାହାଦ୍ୱାରା ଓଡ଼ିଶା ଯୁବକମାନଙ୍କର ବେକାରୀ ସମସ୍ୟାର ସମାଧାନ ହେବା ସହ ସେମାନେ ଦେଶମାତୃକାର ସେବା ପାଇଁ ସୈନ୍ୟବାହିନୀରେ ଯୋଗ ଦେଇପାରିବେ,ଏହା ଆମର ହକ୍ ଦାବି। ଯେପର୍ଯ୍ୟନ୍ତ ଆମର ଦାବି ପୂରଣ ନହୋଇଛି, ପର୍ଯ୍ୟାୟକ୍ରମେ ଏହିଭଳି ଆନ୍ଦୋଳନ ଆଗାମୀ ଦିନରେ ଭୟଙ୍କର ଭାବେ କରାଯିବ ବୋଲି ସେମାନେ ଦୃଢ ଚେତାବନୀ ଦେଇଛନ୍ତି। ପ୍ରୟୋଜନ ହେଲେ ଏହି ଦାବି ପୂରଣ ପାଇଁ ଦିଲ୍ଲୀର ରାମଲୀଳା ମୈଦାନ, ଲାଲକିଲ୍ଲା ଆଦିରେ ହଜାର ହଜାର ପାଇକ ଯାଇ ବିପ୍ଲବ କରିବା ସହିତ ସମସ୍ତ ଐତିହାସିକ ତଥ୍ୟ ସହ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବ।

ଏଥିରେ ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ ଯୋଗଦେଇ କହିଲେ ଯେ, ଏହିସବୁ ଦାବି ସହ ରାଜ୍ୟ ସରକାର ଯଥାଶୀଘ୍ର ବରୁଣେଇ ଠାରେ ରାଷ୍ଟ୍ରପତି ଶିଳାନ୍ୟାସ କରିଥିବା ସ୍ଥାନକୁ ବିନା ମୂଲ୍ୟରେ ଯୋଗାଇ ଦିଅନ୍ତୁ। ଯାହାଦ୍ୱାରା ଯଥାଶୀଘ୍ର ପାଇକ ସ୍ମୃତି ସ୍କାରକୀ ନିର୍ମାଣ ହୋଇପାରିବ।

ଏହି ସମାବେଶ ପାଇଁ ପୁରୀରୁ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ଆଣି ଆସିଥିଲେ ବିଶିଷ୍ଟ ସଂଗଠକ ଓ ଗୀତିକାର ବଦ୍ରୀନାରାୟଣ ମିଶ୍ର। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମର ସଂଯୋଜକ ନରେନ୍ଦ୍ର ପୃଷ୍ଟି, ଅନ୍ୟତମ ସଂଯୋଜକ ଡଃ ଅଶୋକ ସୁନ୍ଦରାୟ, ଗଣେଶ ସାମନ୍ତ, ରାମାକାନ୍ତ ମହାପାତ୍ର, ବିଶ୍ୱଭୂଷଣ ଛୋଟରାୟ, ଅବନିକାନ୍ତ ଜେନା, ପଦ୍ମଚରଣ ରାୟ ତଥା ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାର ବହୁ ଦଳବେହେରା, ଦଳେଇ, ପାଇକ ଆଖଡ଼ା ଗୁରୁ ଓ ହଜାର ହଜାର ପାଇକ ଆଖଡ଼ା ଦଳ ଯୋଗଦାନ କରି ଏହିସବୁ ଦାବି ପ୍ରତି ନିଜର ସମର୍ଥନ ଜ୍ଞାପନ କରିଥିଲେ।

ପ୍ରାରମ୍ଭରେ ଏହି ସମାବେଶ ପାଇଁ ଶୋଭାଯାତ୍ରା ଖୋର୍ଦ୍ଧାର ମା’ ବରୁଣେଇ ପୀଠରୁ ପୂଜାର୍ଚ୍ଚନା ପରେ ବାହାରିଥିବା ବେଳେ ଖୋର୍ଦ୍ଧା ନାଗରିକ ମଞ୍ଚର ଶହ ଶହ ମହିଳା ଏଥିରେ ଯୋଗଦାନ କରି ଏହି ସମାବେଶ ପ୍ରତି ନିଜର ସମର୍ଥନ ମଧ୍ୟ ଜ୍ଞାପନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଏପ୍ରିଲ୍ ୨୭ରେ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ବିଶାଳ ପାଇକ ଆଖଡ଼ା ଜନଗର୍ଜନ ସମାବେଶ

ଭୁବନେଶ୍ୱର: ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ପାଇକ ବିଦ୍ରୋହ ବ୍ରିଟିଶମାନଙ୍କ ବିରୁଦ୍ଧରେ ଓଡ଼ିଶାର ଖୋର୍ଦ୍ଧାରୁ ଆରମ୍ଭ ହୋଇଥିଲା। ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀ ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ଦିଲ୍ଲୀର ବିଜ୍ଞାନ ଭବନରେ ମତବ୍ୟକ୍ତ କରିଥିଲେ। ସେହି ଅନୁସାରେ ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖୋର୍ଦ୍ଧାର ବରୁଣେଇ ପାହାଡ଼ ପାଦଦେଶରେ ପାଇକ ସ୍ମୃତି ସ୍ମାରକୀ ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି।

ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ପ୍ରଦାନ ଓ ସିକ୍ ରେଜିମେଣ୍ଟ, ଗୁର୍ଖା ରେଜିମେଣ୍ଟ, ଆସାମ ରେଜିମେଣ୍ଟ ପରି ଓଡ଼ିଶା ପାଇକ ରେଜିମେଣ୍ଟ ଗଠନ ଦାବିରେ ଓଡ଼ିଶା ବୀର ମହାସଂଘ ପକ୍ଷରୁ ଆସନ୍ତା ଏପ୍ରିଲ ୨୭ ତାରିଖ ଦିନ ଖୋର୍ଦ୍ଧାର ପାଇକମାନଙ୍କର ଆରାଧ୍ୟ ଦେବୀ ବରୁଣେଇଠାରୁ ଏକ ବିରାଟ ପାଇକ ଆଖଡ଼ା ଜନଗର୍ଜନ ଶୋଭାଯାତ୍ରା ବାହାରି ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଛକରେ ଦିବା ୧୦ ଘଟିକା ସମୟରେ ପହଞ୍ଚିବ।

ଏହି ସମାବେଶରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରୁ ହଜାର ହଜାର ପାଇକ ଆଖଡ଼ା ଦଳ, ବୁଦ୍ଧିଜୀବୀ, ଐତିହାସିକ ଓ ସ୍ୱାଭିମାନୀ ଓଡ଼ିଶାବାସୀ ଯୋଗଦାନ କରିବେ। ଏହି ଜନଗର୍ଜନ ସମାବେଶ ଦିବା ୧୦ଘଟିକା ସମୟରେ ମାଷ୍ଟର କ୍ୟାଣ୍ଟିନ ଛକରୁ ବାହାରି ରାମ ମନ୍ଦିର ଛକ ଦେଇ ପ୍ରଦର୍ଶନୀ ପଡ଼ିଆରେ ପହଞ୍ଚିବ ଓ ସେଠାରେ ଏକ ବିଶାଳ ସମାବେଶ ଅନୁଷ୍ଠିତ ହେବ ବୋଲି ଆଜି ହୋଟେଲ କେଶରୀଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ବୀର ମହାସଂଘର ସଭାପତି ଡ. ପ୍ରକାଶ ଶ୍ରୀଚନ୍ଦନ, ସାଧାରଣ ସମ୍ପାଦକ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ ପ୍ରକାଶ କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀ ନରେନ୍ଦ୍ର ପୃଷ୍ଟି ଓ ଡଃ ଅଶୋକ ସୁନ୍ଦରାୟ ଉପସ୍ଥିତ ଥିଲେ। ଏହି ସମାବେଶରେ ଓଡ଼ିଶାର ସ୍ୱାଭିମାନ ଓ ବୀରତ୍ୱପୂର୍ଣ୍ଣ ଅସ୍ମିତାର ସୁରକ୍ଷା ପାଇଁ ଓଡ଼ିଶାବାସୀ ବହୁ ସଂଖ୍ୟାରେ ଯୋଗଦାନ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି।

ଏଥି ସହିତ ଯେଉଁ ପାଇକ ଆଖଡ଼ା ଦଳ ଓ ସ୍ୱାଭିମାନୀ ଓଡ଼ିଶାର ଭାଇଭଉଣୀମାନେ ଯୋଗଦାନ କରିବେ, ସେ ସମ୍ପର୍କରେ ସବିଶେଷ ତଥ୍ୟ ଜାଣିବା ପାଇଁ ଫୋନ୍ ନମ୍ବର ୬୩୭୧୫୦୧୧୨୬ ସହ ଯୋଗାଯୋଗ କଲେ ପାଇପାରିବେ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Categories
ଆଞ୍ଚଳିକ

ଆନ୍ତର୍ଜାତୀୟ ଲାୟନ୍ସ କ୍ଲବ ୩୨୨ସି୪ର ଦୁଇଦିନିଆ ଜିଲ୍ଲା ବାର୍ଷିକ ସମ୍ମିଳନୀ

ଭୁବନେଶ୍ୱର: ଭୁବନେଶ୍ୱରରେ ଆନ୍ତର୍ଜାତୀୟ ଲାୟନ୍ସ କ୍ଲବ ୩୨୨ସି୪ ଜିଲ୍ଲାର ଜିଲ୍ଲା ସମ୍ମିଳନୀ ହୋଟେଲ ଏକ୍ସଲେନ୍ସିଠାରେ ଅନୁଷ୍ଠିତ ହୋଇଯାଇଛି। ଆନ୍ତର୍ଜାତୀୟ ଲାୟନ୍ସ କ୍ଲବ ଯାହାକି ପୃଥିବୀର ବୃହତମ ଏନ.ଜି.ଓ. ଭାବରେ ମାନ୍ୟତା ପାଇଛି, ତାହା ସାରା ପୃଥିବୀରେ ୨୧୦ ଦେଶରେ ୧୫ ଲକ୍ଷ ସଦସ୍ୟ ଅଛନ୍ତି। ଭାରତବର୍ଷରେ ଲାୟନ୍ସ କ୍ଲବରେ ସବୁଠାରୁ ଅଧିକ ସଦସ୍ୟ ଓ କ୍ଲବ ରହିଛନ୍ତି। ଓଡ଼ିଶାରେ ଲାୟନ୍ସ କ୍ଲବର ୩ଟି ଲାୟନ୍ସ ଜିଲ୍ଲା ଅଛି। ତାହା ମଧ୍ୟରୁ ଭୁବନେଶ୍ୱର (ଖୋର୍ଦ୍ଧା ଜିଲ୍ଲା) ଓ ଦକ୍ଷିଣର ୯ଟି ଜିଲ୍ଲା ନେଇ ୩୨୨ ସି୪ ଜିଲ୍ଲାର ଦୁଇଦିନିଆ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହେଉଛି।

ଏହି ସମ୍ମିଳନୀରେ ମଣିପୁରମ ଗୋଲ୍‌ଡ଼ର ମୁଖ୍ୟ ଲାୟନ ଭି.ପି. ନନ୍ଦକୁମାର ଯିଏକି ଭାରତବର୍ଷରୁ ଲାୟନ୍ସ କ୍ଲବର ଆନ୍ତର୍ଜାତୀୟ ନିର୍ଦ୍ଦେଶକ ଅଛନ୍ତି, ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ଭୁବନେଶ୍ୱର ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର କୁଳପତି ଓ ଏମ୍‌ସ ଭୁବନେଶ୍ୱର ର ପୂର୍ବତନ ନିର୍ଦ୍ଦେଶକ ଡ଼କ୍ଟର ଅଶୋକ କୁମାର ମହାପାତ୍ର ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ। ଏହି ସମ୍ମିଳନୀର ମୁଖ୍ୟ ହେଉଛନ୍ତି ଜିଲ୍ଲା ୩୨୨ସି୪ର ଜିଲ୍ଲା ଗଭର୍ଣ୍ଣର ଲାୟନ ପୂର୍ଣ୍ଣଚନ୍ଦ୍ର ପାଢୀ।

ଏହି ସମ୍ମିଳନୀରେ ଭୁବନେଶ୍ୱର, ବ୍ରହ୍ମପୁର ଭଳି ବଡ଼ ବଡ଼ ସହରର ୪୫ କ୍ଲବର ସଦସ୍ୟମାନେ ଭାଗ ନେଇଛନ୍ତି। ୧୬ ଓ ୧୭ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ଓଡ଼ିଶାରେ ଓ ଭାରତବର୍ଷରେ ଲାୟନ୍ସ କ୍ଲବ ମାନଙ୍କ ଉତ୍ତୋରତ୍ତର ଉନ୍ନତି ନିମନ୍ତେ କାର୍ଯ୍ୟ କରିବା ପାଇଁ ଆଲୋଚନା ହେବ ଓ ଲାୟନ୍ସ କ୍ଲବରେ ବିଭିନ୍ନ ବିଭାଗରେ ଭଲ କାମ କରୁଥିବା ସଦସ୍ୟମାନଙ୍କୁ ପୁରସ୍କୃତ କରାଯିବ।

ଏହି ସମ୍ମିଳନୀରେ କ୍ୟାବିନେଟ ସମ୍ପାଦକ ଲାୟନ ବିଜୟ କୁମାର ସାହୁ, ଅତିଥି କମିଟିର ଚେୟାରମ୍ୟାନ ଡ଼କ୍ଟର ସୁରେଶ ସାହୁ ତଥା ଅନ୍ୟ ଲାୟନ୍ସ କ୍ଲବର ନେତୃବର୍ଗ ଉପସ୍ଥିତ ଥିଲେ।

Categories
ଆଜିର ଖବର ସ୍ବାସ୍ଥ୍ୟ

ଏମ୍ସରେ କୋକ୍ଲିୟର ସମ୍ମିଳନୀ ଅନୁଷ୍ଠିତ, ଶ୍ରବଣ ଶକ୍ତି ଫେରିପାଇବା ନେଇ ତାଲିମ ପ୍ରଦାନ

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସ ଇଏନଟିରେ ଅନୁବୁତି ଚାରିଟେବୁଲ ଟ୍ରଷ୍ଟ ଫାଉଣ୍ଡେସନ ଏବଂ କୋକ୍ଲିୟର କ୍ରୁଜ୍ ସହଯୋଗରେ ଷଷ୍ଠ ଆନ୍ତର୍ଜାତୀୟ କୋକ୍ଲିୟର ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ଭାରତ ତଥା ବିଦେଶର ଡାକ୍ତରମାନଙ୍କୁ କୋକ୍ଲିୟର ପ୍ରତିରୋପଣ ସର୍ଜରୀର ତାଲିମ ଦିଆଯାଇଛି। ଏହି ସର୍ଜରୀ ଦ୍ୱାରା ଶିଶୁଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ଯେଉଁମାନେ ଶ୍ରବଣ ଶକ୍ତି ହରାଇଛନ୍ତି ସେମାନେ ପୁନର୍ବାର ସେମାନଙ୍କର ଶ୍ରବଣଶକ୍ତି ଫେରିପାଆନ୍ତି। ଭୁବନେଶ୍ୱର ଏମ୍ସର ଇଏନଟି ବିଭାଗ ଏହି କାର୍ଯ୍ୟରେ ସକ୍ରିୟ ଭାବରେ ଜଡିତ ରହିଛି ଓ ଅନେକ କୁନିପିଲା ଓ ବୟସ୍କଙ୍କୁ ଶ୍ରବଣଶକ୍ତି ଉପହାର ଦେଇଛି।

ଏହି ଅବସରରେ ‘ନୀରବତାର ଶବ୍ଦ: ବଧିରତା ବିରୋଧରେ ଲଢ଼ନ୍ତୁ’ ଶୀର୍ଷକରେ ମେ ଫେୟାର ସମ୍ମିଳନୀ କକ୍ଷରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏହାସହ କୋକ୍ଲିୟର ପ୍ରତ୍ୟାରୋପଣ ସମ୍ପର୍କିତ ଏକ ପୁସ୍ତକ ମଧ୍ୟ ଲୋକାର୍ପିତ ହୋଇଥିଲା।

ତେବେ ଏହି କୋକ୍ଲିୟର ଚିକିତ୍ସା ଦ୍ୱାରା ଶ୍ରବଣଶକ୍ତି ଫେରି ପାଇଥିବା ଶିଶୁମାନେ ଏବେ ସାଧାରଣ ଶିଶୁମାନଙ୍କ ଭଳି ବିଦ୍ୟାଳୟକୁ ଯାଉଛନ୍ତି ଏବଂ ଗୀତ, ବକ୍ତୃତା ଆଦି ପ୍ରଦାନ କରି ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି। ସେହପରି ସ୍ୱାସ୍ଥ୍ୟସେବାରେ ଉତ୍କୃଷ୍ଟତା ଦେଖାଇଥିବା ଦେଶ ବିଦେଶର ଡାକ୍ତରମାନେ ମଧ୍ୟ ସମ୍ମାନିତ ହୋଇଥିଲେ। ଏହି ଅବସରରେ ଗରୀବ ଓ ଅଭାବୀ ରୋଗୀଙ୍କୁ ମାଗଣା ଶ୍ରବଣ ଯନ୍ତ୍ର ବଣ୍ଟନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅଭିନେତା ତଥା ସମାଜସେବୀ ସବ୍ୟସାଚ୍ଚୀ ମିଶ୍ର ସମ୍ମାନିତ ଅତିଥୀ ଭାବେ ଯୋଗ ଦେଇଥିଲେ।

ଭୁବନେଶ୍ୱର ପାଠ୍ୟକ୍ରମ ସଂଯୋଜକ ଡ. ସି ପ୍ରିତମ, ଜୟପୁରର ଡ. ମୋହନିଶ ଗ୍ରୋଭର ଏବଂ ବିକାନିରର ଡ. ଗୌରବ ଗୁପ୍ତା ପ୍ରମୁଖ ଏହି ଚିକତ୍ସା ଉପରେ ଆଲୋକପାତ କରିଥିବା ବେଳେ ଭାରତରେ ଶ୍ରବଣଶକ୍ତି ହ୍ରାସ ପାଇବା ପ୍ରାୟ ୬.୩ ପ୍ରତିଶତ ବୋଲି କହିଥିଲେ। ତେବେ ଜନ୍ମ ହୋଇଥିବା ପ୍ରତି ହଜାରେ ଶିଶୁଙ୍କ ମଧ୍ୟରେ ମାତ୍ର ୪ ଜଣ କୋକ୍ଲିୟର ପ୍ରତ୍ୟାରୋପଣ ଆବଶ୍ୟକ କରନ୍ତି ବୋଲି ବରିଷ୍ଠ ଚିକିତ୍ସକମାନେ ମତ ପ୍ରକାଶ କରିଥିଲେ। ତେବେ ଓଡିଶାରେ ପ୍ରଥମ ଥର ପାଇଁ ଏଭଳି ଏକ ପାଠ୍ୟକ୍ରମ ଆୟୋଜନ କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଚିଲିକା ଗସ୍ତ କଲେ ମନ୍ତ୍ରୀ, ବିଧାୟକ ଓ ବାଚସ୍ପତି: ଦେଖିଲେ ନୌସେନାର ସମରାଭ୍ୟାସ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଚିଲିକା ଗସ୍ତରେ ଆସି ଭୁବନେଶ୍ୱର ଫେରି ଯାଇଛନ୍ତି ଓଡ଼ିଶାର ବହୁ ମନ୍ତ୍ରୀ, ବିଧାୟକ ଓ ବାଚସ୍ପତି। ଓଟିଡିସି ପକ୍ଷରୁ ୪ ଟି ସ୍ୱତନ୍ତ୍ର ବସରେ ସକାଳୁ ବିଧାନସଭାରୁ ସମସ୍ତେ ଚିଲିକା ଅଭିମୁଖେ ବାହାରିଥିଲେ। ପୂର୍ବାହ୍ନରେ ବଡ଼କୁଳ ପାନ୍ଥନିବାସ ପହଞ୍ଚିବା କ୍ଷଣି ସେଠାରେ ସମସ୍ତଙ୍କୁ ଜିଲ୍ଲା ପ୍ରଶାସନ ଓ ଆଇଏନଏସ ଚିଲିକା ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା।

ଏହାପରେ ଆଇଏନଏସ ଚିଲିକାର ସ୍ୱତନ୍ତ୍ର ବୋଟରେ ମା’ କାଳିଜାଇଙ୍କ ଦର୍ଶନ ପାଇଁ ଯାଇଥିଲେ ବାଚସ୍ପତି, ମନ୍ତ୍ରୀ ଓ ବିଧାୟକମାନେ। ଦର୍ଶନ ସାରି ଆଇଏନଏସ ଚିଲିକା ବେସ କ୍ୟାମ୍ପରେ ପହଞ୍ଚିଥିଲେ ସମସ୍ତେ। ନୌସେନା ପକ୍ଷରୁ ସମସ୍ତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ନୌସେନାରେ ତାଲିମରତ ପ୍ରଶିକ୍ଷାର୍ଥୀଙ୍କ ସହ ସାକ୍ଷାତ କରିଥିଲେ ମନ୍ତ୍ରୀ ବିଧାୟକ ଓ ବାଚସ୍ପତି। ପ୍ରଶିକ୍ଷାର୍ଥୀଙ୍କ ସମରାଭ୍ୟାସ ଦେଖିବା ପରେ ଆଇଏନଏସ ଚିଲିକା ପକ୍ଷରୁ ସମସ୍ତ ଅତିଥିଙ୍କୁ ଉପହାର ପ୍ରଦାନ କରାଯାଇଥିଲା ଏବଂ ବିଦାୟ ଦିଆଯାଇଥିଲା।

ସନ୍ଧ୍ୟାରେ ମନ୍ତ୍ରୀ, ବିଧାୟକ ଓ ବାଚସ୍ପତି ଭୁବନେଶ୍ୱର ଫେରିଯାଇଛନ୍ତି। ତେବେ ସେମାନଙ୍କ ଗସ୍ତ ସମୟରେ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଅତିରିକ୍ତ ଏସପି ସୁରେଶ କୁମାର ଦାସ, ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ସମେତ ବହୁ ସରକାରୀ ଏବଂ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂଜୋନ ସୁରକ୍ଷା ଟ୍ରଷ୍ଟ ତରଫରୁ ୧୦ଟି ଜଳଛତ୍ର ଉଦ୍‌ଘାଟିତ

ଭୁବନେଶ୍ୱର: ସମ୍ପ୍ରତି କ୍ରମାଗତଭାବେ ବୃକ୍ଷଛେଦନ ଫଳରେ ରାଜ୍ୟରେ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ବୃକ୍ଷଛେଦନ ଫଳରେ ବଢୁଛି ବିଶ୍ୱତାପମାନ, ବୃଦ୍ଧିପାଉଛି ଅଂଶୁଘାତ ଜନିତ ମୃତ୍ୟୁ। ପ୍ରବଳ ରୁଦ୍ରତାପ ଓ ଅସହ୍ୟ ଗୁଳୁଗୁଳି ଯୋଗୁ ପାଣି ମୁନ୍ଦିଏ ପିଇବା ପାଇଁ ପଥଚାରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ଗ୍ରୀଷ୍ମଋତୁ ଚାଲିଥିବାରୁ ପାନୀୟ ଜଳର ଘୋର ସଙ୍କଟ ଦେଖାଦେଇଛି। ଏସବୁକୁ ଦୃଷ୍ଟିରେ ରଖି ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂଜୋନ ସୁରକ୍ଷା ଟ୍ରଷ୍ଟ ଓ ଭୁବନେଶ୍ୱର ମହାନଗର ନିଗମର ମିଳିତ ସହଯୋଗରେ ପବିତ୍ର ଓଡ଼ିଆ ନବବର୍ଷ ଅବସରରେ ରାଜଧାନୀ ଭୁବନେଶ୍ୱର ୟୁନିଟ୍‌-୧ସ୍ଥିତ ବଜରଙ୍ଗ ଭେଣ୍ଡିଂଜୋନ, ମୈତ୍ରୀବିହାରସ୍ଥିତ ନୀଳକଣ୍ଠେଶ୍ୱର ବଜାର କମିଟି, ୟୁନିଟ୍‌-୩ସ୍ଥିତ ମା’ତାରିଣୀ କ୍ଷୁଦ୍ର ବ୍ୟବସାୟୀ ସଂଘ, ସହିଦ ନଗରସ୍ଥିତ ମା’ଦୁର୍ଗା କ୍ଷୁଦ୍ର ବ୍ୟବସାୟୀ ସଂଘ, ସତ୍‌ସଙ୍ଗ ବିହାରସ୍ଥିତ ସ୍ୱସ୍ତିକ ସେବକ କ୍ଷୁଦ୍ର ବ୍ୟବସାୟୀ ସଂଘ, ସିଆରପିଏଫ୍‌ଛକସ୍ଥିତ ଶ୍ରୀ ଲୋକନାଥ ଭେଣ୍ଡିଂଜୋନ ସମେତ ୧୦ଟି ସ୍ଥାନରେ ଜଳଛତ୍ର ଉଦ୍‌ଘାଟିତ ହୋଇଯାଇଛି।

ବରିଷ୍ଠ କର୍ପୋରେଟର ଅମରେଶ ଜେନା ଓ ଟ୍ରଷ୍ଟର ପ୍ରତିଷ୍ଠାତା ସଭାପତି ପ୍ରତାପ କୁମାର ସାହୁ ଫିତା କାଟି ଜଳଛତ୍ରକୁ ଉଦ୍‌ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ୧୬ ନମ୍ବର ୱାର୍ଡ଼ର କର୍ପୋରେଟର ଅଚ୍ୟୁତାନନ୍ଦ ସ୍ୱାଇଁ, ୪୦ ନମ୍ବର ୱାର୍ଡ଼ର କର୍ପୋରେଟର ଆସିଆ ବେଗମ, ଟ୍ରଷ୍ଟର ସାଧାରଣ ସମ୍ପାଦକ ଅନୁଜ କୁମାର ପ୍ରଧାନ, ବିପିନ ବିହାରୀ ଜେନା, ନିରଞ୍ଜନ ପାଣ୍ଡେ, ଗୀତା ବିଶ୍ୱାସ, ସୁରେଶ ପଟ୍ଟନାୟକ, ରାଜକିଶୋର ସାହୁ ପ୍ରମୁଖ ଉପସ୍ଥିତ ରହି ପଥଚାରୀମାନଙ୍କୁ ପଣା, ଲେମ୍ବ ସରବତ, ଓଆରଏସ୍‌, ଗ୍ଲୁକୋନ-ଡ଼ି ବଣ୍ଟନ କରିବା ସହିତ ଲୋକମାନଙ୍କୁ ମହାମାରୀ କରୋନା ଉପରେ ସଚେତନ କରାଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ପୂର୍ବାଞ୍ଚଳ ଜୋନ୍‌ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ

ଭୁବନେଶ୍ୱର: ଭୁବନେଶ୍ୱର ଠାରେ ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ପୂର୍ବାଞ୍ଚଳ ଜୋନ୍‌ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ  ରାଷ୍ଟ୍ରମନ୍ତ୍ରୀ ଡକ୍ଟର ମୁଞ୍ଜପାରା ମହେନ୍ଦ୍ରଭାଇ ଅଧ୍ୟକ୍ଷତା କରିଥିଲେ। ସମ୍ମିଳନୀରେ ପୂର୍ବାଞ୍ଚଳ କ୍ଷେତ୍ରର ୫ଟି ରାଜ୍ୟ ସରକାରଙ୍କ ପ୍ରତିନିଧି ଏବଂ ଅଂଶୀଦାରମାନେ ଅଂଶଗ୍ରହଣ କରିଥିଲେ।

ସମ୍ମିଳନୀ ଅବସରରେ କେନ୍ଦ୍ର ମନ୍ତ୍ରୀ ମହେନ୍ଦ୍ର ଭାଇ କହିଥିଲେ ଯେ, ବର୍ତ୍ତମାନର ଦ୍ରୁତ ପରିବର୍ତ୍ତନଶୀଳ ବିଶ୍ୱରେ ମାନବ ଓ ସାମାଜିକ ପୁଞ୍ଜି ନିର୍ମାଣ କରିବାର ଆବଶ୍ୟକତା ରହିଛି ଯାହାକି ଉନ୍ନତ ପୋଷଣ, ଲିଙ୍ଗଗତ ସମାନତା, ଉପଯୁକ୍ତ ଶିକ୍ଷା ଏବଂ ମହିଳା ଓ ଶିଶୁମାନଙ୍କ ସୁରକ୍ଷା ଅଧିକାରର ସ୍ତମ୍ଭ ଉପରେ ଆଧାରିତ ହେବା ଉଚିତ୍‌। ସେ କହିଥିଲେ ଯେ, ଦେଶର ଜନସଂଖ୍ୟାର ୬୯% ହେଉଛନ୍ତି ମହିଳା ଓ ଶିଶୁ। ସେମାନଙ୍କର କଲ୍ୟାଣ ସୁନିଶ୍ଚିତ କରିବା ଦିଗରେ ସରକାର ନିରନ୍ତର କାର୍ଯ୍ୟ କରି ଆସୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ତିନୋଟି ଅଭିଯାନ କାର୍ଯ୍ୟକାରୀ କରୁଛନ୍ତି – ମିଶନ ପୋଷଣ ଟୁ ପଏଣ୍ଟ ଜିରୋ ମାଧ୍ୟମରେ ମହିଳା ଓ ଶିଶୁମାନଙ୍କର ପୁଷ୍ଟିସାଧନ ଆବଶ୍ୟକତା ଉପରେ ଧ୍ୟାନ ଦିଆଯାଇଛି। ଦ୍ବିତୀୟତଃ ମିଶନ ଶକ୍ତି ମାଧ୍ୟମରେ ମହିଳାମାନଙ୍କ ସୁରକ୍ଷା, ନିରାପତ୍ତା ଓ ସଶକ୍ତିକରଣ କରାଯାଉଛି ଏବଂ ତୃତୀୟରେ ମିଶନ ବାତ୍ସଲ୍ୟ ମାଧ୍ୟମରେ ଶିଶୁମାନଙ୍କର କଲ୍ୟାଣ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଛି।

ସମ୍ମିଳନୀରେ ଉଦବୋଧନ ଦେଇ କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ମହିଳା ଓ ଶିଶୁମାନଙ୍କ ପୋଷଣରେ ସୁଧାର ଆଣିବା ପାଇଁ ସବୁପିଢ଼ି ମଧ୍ୟରେ ସମୟୋଚିତ ହସ୍ତକ୍ଷେପର ଆବଶ୍ୟକତା ରହିଛି। ଡକ୍ଟର ମୁଞ୍ଜପାରା କହିଥିଲେ ଯେ ପୋଷଣ ଟୁ ପଏଣ୍ଟ ଜିରୋ ମାଧ୍ୟମରେ ଦୀର୍ଘସ୍ଥାୟୀ ସୁସ୍ଥତା, କଲ୍ୟାଣ ଏବଂ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇଁ ପୁଷ୍ଟିସାଧନ ସଚେତନତା ଏବଂ ଉତ୍ତମ ଖାଦ୍ୟ ଅଭ୍ୟାସକୁ ପ୍ରୋତ୍ସାହନ ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି। ସ୍ଥାନୀୟ ସହଭାଗିତା ଏବଂ ଉତ୍ତରଦାୟିତ୍ୱ ଜରିଆରେ ଅଭ୍ୟାସଗତ ପରିବର୍ତ୍ତନ ଆଣିବାକୁ ଆମେ ଲକ୍ଷ୍ୟ ରଖିଛୁ ବୋଲି ସେ କହିଥିଲେ। କେନ୍ଦ୍ର ମନ୍ତ୍ରୀ ଆହୁରି କହିଥିଲେ ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ଆମେ ୧୧.୯୪ ଲକ୍ଷ ଅଭିବୃଦ୍ଧି ନିରୀକ୍ଷଣ ଉପକରଣ ବିତରଣ କରିଛୁ ଏବଂ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ୧୧ ଲକ୍ଷ ତିନି ହଜାର ସ୍ମାର୍ଟ ଫୋନ୍‌ ଯୋଗାଇ ଦିଆଯାଇଛି। ପ୍ରଶାସନିକ ସୁଧାର ଏବଂ ଅପପୁଷ୍ଟିର ଶିକାର ଶିଶୁଙ୍କୁ ଚିହ୍ନଟ ଓ ଚିକିତ୍ସା କରିବା ଲାଗି ଆମେ ପୋଷଣ ଟ୍ରାକର୍‌ କାର୍ଯ୍ୟକାରୀ କରିଛୁ। କେନ୍ଦ୍ର ମନ୍ତ୍ରୀ ଅନ୍ୟ ଦୁଇଟି ଯୋଜନା ବିଷୟରେ ସୂଚନା ଦେଇ କହିଥିଲେ ଯେ, ବର୍ତ୍ତମାନର ବୈଧାନିକ ସଂସ୍ଥାକୁ ସୁଦୃଢ଼ କରିବା ଏବଂ ଜରୁରିକାଳୀନ ପ୍ରସାର ସେବା ବିତରଣ ଜରିଆରେ ଅସହାୟ ପିଲାମାନଙ୍କୁ ସହାୟତା ଯୋଗାଇ ଦେବା ପାଇଁ ମିଶନ ବାତ୍ସଲ୍ୟ ଯୋଜନା କାର୍ଯ୍ୟକାରୀ କରୁଛୁ। ମିଶନ ଶକ୍ତି ଅଧୀନରେ ମହିଳା-କୈନ୍ଦ୍ରିକ ବିକାଶ ପାଇଁ ସରକାରଙ୍କ ସଂକଳ୍ପକୁ ସାକାର କରିବା ଲାଗି ଲକ୍ଷ୍ୟ ରଖାଯାଇଛି।

କେନ୍ଦ୍ର ମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ, କୋଭିଡ ସଂକ୍ରାନ୍ତ ସବୁ କଟକଣା ଉଚ୍ଛେଦ କରାଯାଇଛି। ଲକ୍ଷ୍ୟବଦ୍ଧ ହସ୍ତକ୍ଷେପ ମାଧ୍ୟମରେ ଏକ ସୁସ୍ଥ ସମାଜ ଗଠନ ପାଇଁ ସମୟ ଆସିଛି। ଆଗାମୀ ଆର୍ଥିକ ବର୍ଷଗୁଡ଼ିକରେ ରାଜ୍ୟମାନେ କାର୍ଯ୍ୟକାରୀ ସଂସ୍ଥା ଭାବେ ଏସବୁ ଯୋଜନାକୁ କାର୍ଯ୍ୟକାରୀ କରିବେ। ତେଣୁ ସେମାନଙ୍କୁ ଯୋଜନାଗୁଡ଼ିକ ସମ୍ପର୍କରେ ସଚେତନ କରିବା ଲାଗି ଏହି ଜୋନ୍‌ସ୍ତରୀୟ ସମ୍ମିଳନୀ ଆୟୋଜନ କରାଯାଇଛି।

ଏହି ସମ୍ମିଳନୀରେ ଓଡ଼ିଶାର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଏବଂ ପଶ୍ଚିମବଙ୍ଗର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଡକ୍ଟର ଶଶି ପଞ୍ଜା ଅଂଶଗ୍ରହଣ କରିଥିଲେ। ମହିଳା ଓ ଶିଶୁମାନଙ୍କର କଲ୍ୟାଣ ପାଇଁ ଉଭୟ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ଓ ହସ୍ତକ୍ଷେପ ସମ୍ପର୍କରେ ସେମାନେ ସୂଚନା ଦେଇଥିଲେ। କେନ୍ଦ୍ର ସରକାରଙ୍କ ତିନୋଟି ମିଶନର ଉପଯୁକ୍ତ କାର୍ଯ୍ୟକାରିତା ନିମନ୍ତେ ପୂର୍ଣ୍ଣ ସମର୍ଥନ ଯୋଗାଇ ଦେବା ନିମନ୍ତେ ଉଭୟ ଆଶ୍ବାସନା ଦେଇଥିଲେ।

ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ସଚିବ ଇନ୍ଦିବର ପାଣ୍ଡେ ଏହି ତିନୋଟି ନୂଆ ମିଶନର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟର ବିବରଣୀ ପ୍ରଦାନ କରିଥିଲେ। ସେ କହିଥିଲେ ଯେ, ୨୦୩୦ ସୁଦ୍ଧା ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ଅଧୀନରେ କେତେକ ଲକ୍ଷ୍ୟ ହାସଲ ପାଇଁ ଯୋଜନା କରାଯାଇଛି। ଏହି ତିନୋଟି ମିଶନ ଜରିଆରେ ଉଦ୍ଦିଷ୍ଟ ଲକ୍ଷ୍ୟ ହାସଲ କରାଯାଇ ପାରିବ ଏବଂ ରାଜ୍ୟଗୁଡ଼ିକ ଏଥିରେ ସକ୍ରିୟ ଭାଗିଦାର ରହିବେ।

ଏହି ଜୋନ୍‌ସ୍ତରୀୟ ସମ୍ମିଳନୀରେ ୫ଟି ପୂର୍ବାଞ୍ଚଳ ରାଜ୍ୟ ଓଡ଼ିଶା, ପଶ୍ଚିମବଙ୍ଗ, ଛତିଶଗଡ଼, ବିହାର ଓ ଝାଡ଼ଖଣ୍ଡର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ଲକ୍ଷ୍ୟବଦ୍ଧ ହସ୍ତକ୍ଷେପ ଜରିଆରେ ମହିଳା ଓ ଶିଶୁମାନଙ୍କର ବିକାଶ ଓ ସଶକ୍ତିକରଣ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ଆଜି ଆଲୋଚନା ହୋଇଥିଲା।

Categories
ଆଜିର ଖବର ଖେଳ ଜାତୀୟ ଖବର

ଫେଡେରେସନ୍‍ କପରେ ରିଲାଏନ୍ସ ଫାଉଣ୍ଡେସନ ଓଡ଼ିଶା ଆଥଲେଟିକ୍ସ ଏଚ୍‍ପିସିର ଆଥଲେଟଙ୍କୁ ଏକାଧିକ ପଦକ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ରିଲାଏନ୍ସ ଫାଉଣ୍ଡେସନ ଓଡ଼ିଶା ଆଥ୍‍ଲେଟିକ୍ସ ହାଇ ପରଫରମାନ୍ସ ସେଣ୍ଟର (ଏଚ୍‍ପିସି)ର ଆଥଲେଟମାନେ ଗତ ସପ୍ତାହରେ କେରଳର କାଲିକଟଠାରେ ଅନୁଷ୍ଠିତ ଫେଡେରେସନ୍‍ କପ୍‍ରେ ସେମାନଙ୍କର ଅନନ୍ୟ ପ୍ରଗତିର ପ୍ରମାଣ ପୁନଃ ପ୍ରଦର୍ଶିତ କରିଛନ୍ତି। ଏଚ୍‍ପିସିର ତିନିଜଣ ଆଥଲେଟ- ଅମ୍ଲାନ ବୋରଗୋହେନ୍‍, ଜ୍ୟୋତି ୟାରାଜୀ ଏବଂ ସିଦ୍ଧାନ୍ତ ଥିଙ୍ଗାଲୟା ସ୍ୱର୍ଣ୍ଣ ପଦକ ବିଜୟୀ ହୋଇ ପ୍ରତ୍ୟାବର୍ତ୍ତନ କରିଥିବାବେଳେ ଅନ୍ୟଜଣେ ଆଥଲେଟ ମୌମିତା ମଣ୍ଡଳ ଏକ ରୌପ୍ୟ ପଦକ ବିଜୟିନୀ ହୋଇଛନ୍ତି। ଏଚ୍‍ପିସିର ଅନ୍ୟ ବହୁ ଆଥ୍‍ଲେଟ ସେମାନଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ (ପିବି) ପ୍ରଦର୍ଶନ କରିଥିବାବେଳେ ଆଉ କିଛି ଅଳ୍ପକେ ପଦକ ହାସଲରୁ ବଂଚିତ ହୋଇଛନ୍ତି, ଯାହା ହେଡ୍‍ କୋଚ୍‍ ଜେମ୍ସ ହିଲିଅର୍‍ଙ୍କୁ ତାଙ୍କର ଶିଷ୍ୟମାନଙ୍କୁ ନେଇ ଗର୍ବ ଅନୁଭବ କରିବାର ଯଥେଷ୍ଟ କାରଣ ଯୋଗାଇ ଦେଇଛି ଏବଂ ତାହାସହିତ ସେ ହାତଛଡା ହୋଇଥିବା ସୁଯୋଗକୁ ସମ୍ପର୍କରେ ଉଲ୍ଲେଖ କରିଛନ୍ତି।

“ମୁଁ ସନ୍ତୁଷ୍ଟ ବୋଲି କହିବା କଷ୍ଟକର, କାରଣ କୋଚ୍‍ ଭାବରେ ଜଣେ ଅଧିକ ଆଶା କରନ୍ତି,” ବୋଲି ହିଲିଅର୍‍ କହିଛନ୍ତି। ଏଥିସହିତ ସେ କହିଛନ୍ତି ଯେ, “ପ୍ରତିଯୋଗିତାରେ ଆମ ଆଥଲେଟମାନେ କେତେକ ଅନନ୍ୟ ବ୍ୟକ୍ତିଗତ ପ୍ରଦର୍ଶନ କରିଥିଲେ କିନ୍ତୁ ମୋଟାମୋଟି ଭାବରେ ଆମେ କେତେକ ସୁବର୍ଣ୍ଣ ସୁଯୋଗକୁ ହାତଛଡା କରିଦେଲୁ।”

ସ୍ୱର୍ଣ୍ଣ ପଦକ ବିଜେତାଙ୍କ ମଧ୍ୟରେ ବୋରଗୋହେନ୍‍ ସ୍ପ୍ରିଣ୍ଟ ବିଭାଗରେ ଚମତ୍କାର ପ୍ରଦର୍ଶନ କରି ଜାତୀୟ ରେକର୍ଡ ୨୦.୬୩ ସେକେଣ୍ଡକୁ ଭାଙ୍ଗିବା ସହିତ ୨୦୦ ମିଟରକୁ ୨୦.୫୨ ସେକେଣ୍ଡରେ ଅତିକ୍ରମ କରି ବିଜୟୀ ହୋଇଥିଲେ। ବୋର୍‍ଗୋହେନ୍‍ ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିବାବେଳେ ୟାରାଜୀ ୧୦୦ ମିଟର ହର୍ଡଲ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିବା ସତ୍ତ୍ୱେ କାନ୍ଦି ପକାଇଥିଲେ। ତାଙ୍କର ସମୟ ୧୩.୦୯ ସେକେଣ୍ଡ ସମ୍ପ୍ରତି ରହିଥିବା ୧୩.୩୮ସେକେଣ୍ଡର ଜାତୀୟ ରେକର୍ଡକୁ ଭାଙ୍ଗିଥିଲେ ମଧ୍ୟ ତାଙ୍କୁ ଏହି ସମୟ ପ୍ରଦାନ ପାଇଁ ମନା କରାଯାଇଥିଲା, କାରଣ ପବନର ବେଗ (ଟେଲ୍‍ ୱିଣ୍ଡ୍‍) ଅନୁମୋଦିତ ସୀମାଠାରୁ ସାମାନ୍ୟ ଅଧିକ ରହିଥିଲା । ଅବଶ୍ୟ ଏହି ଧକ୍କା ସେହିସମୟରେ କିଛି ପରିମାଣରେ ଅବଦମିତ ହୋଇଥିଲା, ଯେତେବେଳେ ୟାରାଜୀଙ୍କ ତାଲିମ ସହଯୋଗୀ ମଣ୍ଡଳ ୧୩.୭୮ ସେକେଣ୍ଡ ସହିତ ରୌପ୍ୟ ପଦକ ହାସଲ କଲେ ଏବଂ ଏହା ଏଚ୍‍ପିସି ଆଥ୍‍ଲେଟମାନଙ୍କ ପାଇଁ ଉଲ୍ଲେଖନୀୟ ୧-୨ ସଫଳତା ଆଣିଦେଇଥିଲା।

“ଏହା ବାସ୍ତବିକ ଏକ ପ୍ରଭାବଶାଳୀ ପ୍ରଦର୍ଶନ ଥିଲା ଏବଂ କିଛି ସମୟରେ ଜ୍ୟୋତି ଆନୁଷ୍ଠାନିକ ଭାବରେ ଏହି ରେକର୍ଡକୁ ପୁନର୍ବାର ଭାଙ୍ଗିପାରିବେ,” ବୋଲି ହିଲିଅର୍‍ କହିଛନ୍ତି। ସେ କହିଛନ୍ତି ଯେ, “ଜ୍ୟୋତି ଆମମାନଙ୍କ ନିକଟକୁ ଗତବର୍ଷ ଜୁଲାଇରେ ଆସିଥିଲେ ଏବଂ ତାଙ୍କ ଭିତରେ ଆତ୍ମବିଶ୍ୱାସ ଖୁବ୍‍ ନିମ୍ନରେ ଥିଲା, ତାଙ୍କ ଶରୀରରେ ଆଘାତ ଲାଗିଥିଲା ଏବଂ ସେ ଅନ୍‍ଫିଟ୍‍ ସ୍ଥିତିରେ ଥିଲେ। କ୍ରମଶଃ ମୁଁ ତାଙ୍କ ଭିତରେ ଆତ୍ମବିଶ୍ୱାସ ଭରିଦେବା ଏବଂ ତାଙ୍କର ବେଗ, ସାମର୍ଥ୍ୟ ଏବଂ ତାଲିମରେ ନିରନ୍ତରତା ବଜାୟ ରଖିବା ପ୍ରୟାସ କରିଥିଲି ।”
୩୧ ବର୍ଷ ବୟସ୍କ ଥିଙ୍ଗାଲୟା ଜାତୀୟ ସର୍କିଟରେ ଅନ୍ୟତମ ଭେଟେରାନ୍‍ ହୋଇଥିବାବେଳେ ଅଢେଇ ବର୍ଷ ପରେ ପ୍ରତିଯୋଗିତାକୁ ପ୍ରତ୍ୟାବର୍ତ୍ତନ କରି ୧୧୦ ମିଟର ହର୍ଡଲ୍ସକୁ ୧୪.୦୮ ସେକେଣ୍ଡରେ ଅତିକ୍ରମ କରି ବିଜୟୀ ହୋଇଥିଲେ। ସେହି ବିଭାଗରେ ଗ୍ରେସିସନ୍‍ ଜୀଭା ବ୍ୟକ୍ତିଗତ ଶ୍ରେଷ୍ଠ ୧୪.୬୭ ସେକେଣ୍ଡ ପ୍ରଦର୍ଶନ ସହିତ ଚତୁର୍ଥ ସ୍ଥାନରେ ରହିଥିଲେ। ମାତ୍ର ୧୯ ବର୍ଷ ବୟସ ହୋଇଥିବା ଗ୍ରେସିସନ୍‍ଙ୍କୁ ହିଲିଅର୍‍ ଭବିଷ୍ୟତର ଜଣେ ଉଜ୍ଜ୍ୱଳ ସମ୍ଭାବନା ଭାବରେ ଚିହ୍ନଟ କରିଛନ୍ତି।

ହାଇ ଜମ୍ପର୍‍ ସ୍ୱାଧୀନ ମାଝୀ ଗୋଇଠିରେ କ୍ଷତ କାରଣରୁ ଗତ ମାସରେ ତାଲିମକୁ ସୀମିତ କରିଥିବା ସତ୍ତ୍ୱେ ବ୍ୟକ୍ତିଗତ ଶ୍ରେଷ୍ଠ ୨.୧୦ ମିଟର ପ୍ରଦର୍ଶନ ସହିତ ପଞ୍ଚମ ସ୍ଥାନରେ ରହିଥିଲେ। ଏଚପିସିରେ ନୂଆକରି ଯୋଗଦେଇଥିବା ୩୦୦୦ ମିଟର ଷ୍ଟିପଲଚେଜର୍‍ ସୁସ୍ମିତା ଟିଗା ବ୍ୟକ୍ତିଗତ ଶ୍ରେଷ୍ଠ ସମୟ ୧୧.୨୩.୧୦ ସହିତ ଚତୁର୍ଥ ସ୍ଥାନରେ ରହିଥିଲେ। କାଂସ୍ୟ ପଦକ ହାସଲ ଅଳ୍ପକେ ହାତଛଡା କରିଥିବା ଅନ୍ୟଜଣେ ଆଥଲେଟ ହେଉଛନ୍ତି ୪୦୦ ମିଡର ହର୍ଡଲ୍ସରେ ପ୍ରଜ୍ଞା ସାହୁ। ଲଙ୍ଗ ଜମ୍ପର୍‍ ସବିତା ଟପ୍ପୋ ଏବଂ ମନୀଷା ମେରେଲ ପଦକ ତାଲିକା ବାହାରେ ରହିଯାଇଥିଲେ, କାରଣ ଏହି ପ୍ରତଯୋଗିତା ସେମାନଙ୍କ ପାଇଁ ଶୀର୍ଷ ସ୍ତରରେ ଅନୁଭୂତି ଏବଂ ପ୍ରଦର୍ଶନ ସୁଯୋଗ ଯୋଗାଇବାକୁ ଉଦ୍ଦିଷ୍ଟ ଥିଲା।

“ଆମର ସମସ୍ତ ଚମତ୍କାର ପ୍ରଦର୍ଶନ ମଧ୍ୟରେ କୌଣସିଟି ସହଜ ସଫଳତା ଥିବା ମୁଁ ଲକ୍ଷ୍ୟ କରିନାହିଁ,” ବୋଲି ହିଲିଅର୍‍ କହିଛନ୍ତି। ସେ ମଧ୍ୟ କହିଛନ୍ତି ଯେ, “ପ୍ରତ୍ୟେକଟି ବିଷୟରେ ତାଲିମ ଦିଆଯାଇଥିଲା ଏବଂ ଅତ୍ୟନ୍ତ ନିଖୁଣ ଭାବରେ ଯୋଜନା କରାଯାଇଥିଲା। ଆମେ ବାସ୍ତବରେ ସମ୍ମିଳିତ ଭାବରେ ଏକ ମହାନ୍‍ ପ୍ରଦର୍ଶନକାରୀ ଟିମ୍‍ ସୃଷ୍ଟି କରିପାରିଛୁ। ମୋର କାମକୁ ସେମାନେ ସମସ୍ତେ ମୂଲ୍ୟଯୁକ୍ତ କରୁଛନ୍ତି ଏବଂ ସେମାନଙ୍କ ବ୍ୟତୀତ, ସେମାନଙ୍କର ବିଦ୍ୱତା ଏବଂ ସେମାନଙ୍କର ଶକ୍ତି ବ୍ୟତୀତ ମୁଁ ନିଶ୍ଚିତ ଯେ ଆମେ ଏଭଳି ସଫଳ ହୋଇପାରିନଥାନ୍ତୁ।”

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱର ନୂଆ ଷ୍ଟେସନ ଠାରେ ରହଣି କରିବ ଚାରିଟି ଟ୍ରେନ

ଭୁବନେଶ୍ବର: ଯାତ୍ରୀମାନଙ୍କ ସୁବିଧା ପାଇଁ ଏବଂ ନିୟମିତ ଟ୍ରେନ୍ ଗୁଡିକର ପୁନଚଳାଚଳ କରିବା ପରେ କେତେ ଗୁଡିଏ ଟ୍ରେନ ପାଇଁ ନିମ୍ନଲିଖିତ ଷ୍ଟେସନଗୁଡିକ ଠାରେ ଅତିରିକ୍ତ ରହଣି ପାଇଁ ସ୍ଥିର କରାଯାଇଅଛି।

କୋଭିଡ ୧୯ ମହାମାରୀ ସମୟରେ, ଏହି ଟ୍ରେନ୍ ଗୁଡିକର ଚଳାଚଳ କୋଭିଡ ନିୟମ ଆଧାରରେ ସୀମିତ ଷ୍ଟପେଜ୍ ସହିତ ସ୍ୱତନ୍ତ୍ର ଟ୍ରେନ୍ ଭାବରେ ଚଳାଚଳ କରୁଥିଲା। ଅତିରିକ୍ତ ରହଣି ଯୋଗାଇବା ପାଇଁ ଟ୍ରେନ୍ ଗୁଡିକ ହେଉଛି ପୁରୀ-ହଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସ, ପୁରୀ-ଯୋଗ ନାଗରୀ-ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ, ଧନବାଦ୍-ଆଲାପୁଜା-ଧନବାଦ୍ ଏକ୍ସପ୍ରେସ, ହାଓଡ଼ା-ଟିଟିଲାଗଡ-ହାଓଡ଼ା ଇସ୍ପାତ ଏକ୍ସପ୍ରେସ। ଏହା ବ୍ୟତୀତ ଭୁବନେଶ୍ୱର ନୂତନ ଷ୍ଟେସନରେ ଚାରୋଟି ଟ୍ରେନ ରହଣି ପାଇଁ ସ୍ଥିର କରାଯାଇଅଛି। ଏହି ଟ୍ରେନ୍ ଗୁଡିକ ହେଉଛି ପୁରୀ-କଟକ-ପୁରୀ ମେମୁ, ଭୁବନେଶ୍ୱର-କେନ୍ଦୁଝରଗଡ଼-ଭୁବନେଶ୍ୱର ମେମୁ, ପାଲାସା-କଟକ-ପାଲାସା ପାସେଞ୍ଜର ଏବଂ ଖଡ଼ଗ୍ପୁର-ଖୋର୍ଦ୍ଧା ରୋଡ଼-ଖଡ଼ଗ୍ପୁର ଫାଷ୍ଟ ପାସେଞ୍ଜର।

ରେଙ୍ଗାଲୀ ଏବଂ ବାଗଡିହି ଷ୍ଟେସନ ଠାରେ ତପସ୍ୱିନୀ ଏକ୍ସପ୍ରେସ:

୧୮୪୫୧/୧୮୪୫୨ ପୁରୀ-ହଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସ ରେଙ୍ଗାଲି ଷ୍ଟେସନରେ ୭ ଏପ୍ରିଲ, ୨୦୨୨ ଠାରୁ ପରୀକ୍ଷାମୂଳକ ଭିତ୍ତିରେ ଛଅ ମାସ ପାଇଁ ରହଣି କରିବ। ହଟିଆରୁ ଏହି ଟ୍ରେନ୍ ରେଙ୍ଗାଲିରେ ରାତ୍ରି ୯ଘ.୪୦ମି.ରେ ପହଞ୍ଚି ରାତ୍ରି ୯ଘ.୪୨ମି.ରେ ପୁରୀ ଅଭିମୁଖେ ଯାତ୍ରା କରିବ। ସେହିଭଳି ପୁରୀରୁ ଏହି ଟ୍ରେନ୍ ରେଙ୍ଗାଲିରେ ଭୋର ୦୪ଘ.୪୦ମି.ରେ ଘଣ୍ଟାରେ ପହଞ୍ଚି ୦୪ଘ.୪୨ମି.ହଟିଆ ଅଭିମୁଖେ ଯାତ୍ରା କରିବ।

ସେହିଭଳି, ହଟିଆ ଠାରୁ ଏହି ଟ୍ରେନ୍ ବାଗଡିହିରେ ରାତ୍ରି ୮ଘ.୨୯ମି.ରେ ପହଞ୍ଚି ରାତ୍ରି ୮ଘ.୩୦ମି.ରେ ପୁରୀ ଅଭିମୁଖେ ଯାତ୍ରା କରିବ ଏବଂ ପୁରୀ ଠାରୁ ରୁ ଏହି ଟ୍ରେନ୍ ବାଗଡିହରେ ଭୋର ୫ଘ.୪୬ମି.ରେ ପହଞ୍ଚି ଏବଂ ଭୋର ୫ଘ.୪୭ମି.ରେ ହଟିଆ ଅଭିମୁଖେ ଯାତ୍ରା କରିବ। ଏପ୍ରିଲ୍ ମାସ ୨ ତାରିଖ ଠାରୁ ଏହି ଟ୍ରେନ ପରୀକ୍ଷାମୂଳକ ଭାବେ ତିନି ମାସ ପାଇଁ ରହଣି କରିବ।

କଳିଙ୍ଗ ଉତ୍କଳ ଏକ୍ସପ୍ରେସ ବାମରା ଠାରେ:

୧୮୪୭୭/୧୮୪୭୮ ପୁରୀ-ଯୋଗ ନାଗରୀ-ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ବାମରା ଷ୍ଟେସନରେ ୪ ଏପ୍ରିଲ, ୨୦୨୨ ଠାରୁ ଛଅ ମାସ ପାଇଁ ପରୀକ୍ଷାମୂଳକ ଭିତ୍ତିରେ ରହଣି କରିବ। ପୁରୀରୁ ଏହି ଟ୍ରେନ୍ ବାମରା ଠାରେ ପୂର୍ବାହ୍ନ ୦୯ଘ.୫୮ମି.ରେ ପହଞ୍ଚି ପୂର୍ବାହ୍ନ ୧୦ ଘଟିକାରେ ରୀଷିକେଶ ଅଭିମୁଖେ ଯାତ୍ରା କରିବ। ସେହିଭଳି ରୀଷିକେଶରୁ ଏହି ଟ୍ରେନ୍ ବାମରା ଠାରେ ଅପରାହ୍ନ ୧ଘ.୫୦ମି.ରେ ପହଞ୍ଚିବ ଅପରାହ୍ନ ୧ଘ.୫୨ମି.ରେ ପୁରୀ ଅଭିମୁଖେ ଯାତ୍ରା କରିବ।

ଇସ୍ପାତ ଏକ୍ସପ୍ରେସ ରେଙ୍ଗାଲୀରେ:

୧୨୮୭୧/୧୨୮୭୨ ହାଓଡ଼ା-ଟିଟିଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସ ୭ ଏପ୍ରିଲ, ୨୦୨୨ ଠାରୁ ପରୀକ୍ଷାମୂଳକ ଭିତ୍ତିରେ ରେଙ୍ଗଲି ଷ୍ଟେସନ ଠାରେ ଛଅ ମାସ ପାଇଁ ରହଣି କରିବ। ହାଓଡ଼ା ରୁ ଏହି ଟ୍ରେନ୍ ରେଙ୍ଗାଲିରେ ଅପରାହ୍ନ ୩ଘ.୨୦ମି.ରେ ପହଞ୍ଚି ଅପରାହ୍ନ ୩ଘ.୨୨ମି.ରେ ଟିଟିଲାଗଡ ଅଭିମୁଖେ ଯାତ୍ରା କରିବ। ଟିଟିଲାଗଡରୁ ଏହି ଟ୍ରେନ୍ ରେଙ୍ଗାଲିରେ ପୂର୍ବାହ୍ନ ୦୮ଘ.୪୦ମି.ରେ ପହଞ୍ଚିବ ପୂର୍ବାହ୍ନ ୦୮ଘ.୪୨ ମି.ରେ ହାଓଡ଼ା ଅଭିମୁଖେ ଯାତ୍ରା କରିବ।

ଧନବାଦ୍-ଆଲାପୁଜା ଏକ୍ସପ୍ରେସ୍:

୧୩୩୫୧/୧୩୩୫୨ ଧନବାଦ୍-ଆଲାପୁଜା-ଧନବାଦ୍ ଏକ୍ସପ୍ରେସ ୭ ଏପ୍ରିଲ, ୨୦୨୨ ଠାରୁ ଛଅ ମାସ ପାଇଁ ପରୀକ୍ଷାମୂଳକ ଭିତ୍ତିରେ ରେଙ୍ଗାଲିରେ ରହଣି କରିବ। ଧନବାଦ୍ ରୁ ଏହି ଟ୍ରେନ୍ ରେଙ୍ଗାଲିରେ ରାତ୍ରି ୧୦ଘ.୦୩ମି.ରେ ପହଞ୍ଚି ରାତ୍ରି ୧୦ଘ.୦୫ମି.ରେ ଆଲାପୁଜା ଯାତ୍ରା କରିବ। ଆଲାପୁଜା ଠାରୁ ଏହି ଟ୍ରେନ୍ ରେଙ୍ଗIଲିରେ ରାତ୍ରି ୧୧ଘ.୩୩ମି.ରେ ପହଞ୍ଚିବ ରାତ୍ରି ୧୧ଘ.୩୫ମି.ରେ ଧନବାଦ୍ ଅଭିମୁଖେ ଯାତ୍ରା କରିବ।

ଭୁବନେଶ୍ୱରରେ ନୂତନ ଷ୍ଟେସନ ଠାରେ ଟ୍ରେନ ରହଣି:

ପୁରୀ-କଟକ-ପୁରୀ ମେମୁ, ଭୁବନେଶ୍ୱର-କେନ୍ଦୁଝରଗଡ଼-ଭୁବନେଶ୍ୱରମେମୁ, ପାଲାସା-କଟକ-ପାଲାସା ପାସେଞ୍ଜର ଏବଂ ଖଡ଼ଗ୍ପୁର-ଖୋର୍ଦ୍ଧା ରୋଡ଼-ଖଡ଼ଗ୍ପୁର ଫାଷ୍ଟ ପାସେଞ୍ଜର ୧୦ ଏପ୍ରିଲ, ୨୦୨୨ ଠାରୁ ରହଣି କରିବ।

ପୁରୀ-କଟକ-ପୁରୀ ମେମୁ:

ପୁରୀରୁ ୬୮୪୧୬/୬୮୪୧୫ ପୁରୀ-କଟକ-ପୁରୀ ମେମୁ ଭୁବନେଶ୍ୱର ନୂଆ ଷ୍ଟେସନ ଠାରେ ପୂର୍ବାହ୍ନ ୧୦ଘ.୦୫ମି.ରେ ପହଞ୍ଚି ପୂର୍ବାହ୍ନ ୧୦ଘ.୦୬ମି.ରେ କଟକ ଆଡକୁ ଯିବ। କଟକରୁ ଏହି ଟ୍ରେନ୍ ଅପରାହ୍ନ ୫ଘ.୨୦ମି.ରେ ପହଞ୍ଚି ଏବଂ ଅପରାହ୍ନ ୫ଘ.୨୧ମି.ରେ ପୁରୀ ଅଭିମୁଖେ ଯାତ୍ରା କରିବ।

ଭୁବନେଶ୍ୱର-କେନ୍ଦୁଝରଗଡ଼-ଭୁବନେଶ୍ୱର ମେମୁ:

୬୮୪୨୬/୬୮୪୨୫ ଭୁବନେଶ୍ୱରରୁ ଭୁବନେଶ୍ୱର-କେନ୍ଦୁଝରଗଡ଼-ଭୁବନେଶ୍ୱର ମେମୁ ଭୁବନେଶ୍ୱର ନୂଆ ଷ୍ଟେସନ ଠାରେ ଅପରାହ୍ନ ୪ଘ.୫୪ମି.ରେ ପହଞ୍ଚି ଅପରାହ୍ନ ୪ଘ.୫୫ମି.ରେ କେନ୍ଦୁଝରଗଡ଼ ଅଭିମୁଖେ ଯାତ୍ରା କରିବ। କେନ୍ଦୁଝରଗଡ଼ରୁ ଏହି ଟ୍ରେନ୍ ଭୁବନେଶ୍ୱର ନୂଆ ଠାରେ ପୂର୍ବାହ୍ନ ୧୦ଘ.୧୪ମି.ରେ ପହଞ୍ଚି ପୂର୍ବାହ୍ନ ୧୦ଘ.୧୫ମି.ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ।

ପାଲାସା-କଟକ-ପାଲାସା ପାସେଞ୍ଜର:

୫୮୫୩୪/୫୮୫୩୩ ପଲାସା ଠାରୁ ପଲାସା-କଟକ-ପାଲାସା ପାସେଞ୍ଜର ଭୁବନେଶ୍ୱର ନୂଆ ଷ୍ଟେସନ ଠାରେ ପୂର୍ବାହ୍ନ ୦୯ଘ.୫୪ମି.ରେ ପହଞ୍ଚି ପୂର୍ବାହ୍ନ ୦୯ଘ.୫୫ମି.ରେ କଟକ ଆଡକୁ ଯିବ। କଟକରୁ ଏହି ଟ୍ରେନ୍ ଭୁବନେଶ୍ୱର ନୂଆ ଷ୍ଟେସନ ଠାରେ ଅପରାହ୍ନ ୪ଘ.୩୮ମି.ରେ ପହଞ୍ଚି ଅପରାହ୍ନ ୪ଘ.୩୯ମି.ରେ ପଲାସା ଅଭିମୁଖେ ଯାତ୍ରା କରିବ।

ଖଡ଼ଗ୍ପୁର-ଖୋର୍ଦ୍ଧା ରୋଡ଼-ଖଡ଼ଗ୍ପୁର ଫାଷ୍ଟ ପାସେଞ୍ଜର:

ଖଡ଼ଗ୍ପୁର ଠାରୁ ୫୮୦୦୫/୫୮୦୦୬ ଖଡ଼ଗ୍ପୁର-ଖୋର୍ଦ୍ଧା ରୋଡ଼-ଖଡ଼ଗ୍ପୁର ଫାଷ୍ଟ ପାସେଞ୍ଜର ଭୁବନେଶ୍ୱର ନୂଆ ଷ୍ଟେସନ ଠାରେ ପୂର୍ବାହ୍ନ ୧୦ଘ.୫୪ମି.ରେ ପହଞ୍ଚି ପୂର୍ବାହ୍ନ ୧୦ଘ.୫୫ମି.ରେ ଖୋର୍ଦ୍ଧା ରୋଡ଼ ଅଭିମୁଖେ ଯାତ୍ରା କରିବ। ଖୋର୍ଦ୍ଧା ରୋଡ଼ରୁ ଏହି ଟ୍ରେନ୍ ଭୁବନେଶ୍ୱର ନୂଆ ଷ୍ଟେସନ ଠାରେ ଅପରାହ୍ନ ୫ଘ.୨୯ମି.ରେ ପହଞ୍ଚି ଅପରାହ୍ନ ୫ଘ.୨୯ମି.ରେ ଖଡ଼ଗ୍ପୁର ଅଭିମୁଖେ ଯାତ୍ରା କରିବ।