ଚେନ୍ନାଇ, ତାମିଲନାଡୁର ଭେଲରୋରେ ରହିଛି ଏକ ଆଶ୍ଚର୍ଯ୍ୟ ମନ୍ଦିର। ଯାହାକୁ ଯେ କେହି ଦେଖୁଛି ସେ ଆଶ୍ଚର୍ଯ୍ୟ ହୋଇଯାଉଛି। ଏହି ମନ୍ଦିରର ନାମ ହେଉଛି ଶ୍ରୀପୁରମ ସ୍ବର୍ଣ୍ଣ ମନ୍ଦିର। ଚେନ୍ନାଇରୁ ୧୪୫ କିଲୋମିଟର ଦୂରରେ ଥିବା ମାଲାଲକୋଡି ପାହାଡ ଉପରେ ଏହି ମନ୍ଦିରଟି ଅବସ୍ଥିତ। ଏହି ମନ୍ଦିରରେ ମା ଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ।
ଏହି ମନ୍ଦିରର ଦୁଇଟି ବଡ ବିଶେଷତ୍ବ ରହିଛି। ତାହା ହେଉଛି ଏହାର ବିମାନମ ଏବଂ ଅର୍ଦ୍ଧ ମଣ୍ଡପମ ଦୁଇଟି ଖାଣ୍ଟି ସୁନାରେ ତିଆରି କରାଯାଇଛି। ଏହା ଭିତରକୁ ଯିବା ବେଳେ ସ୍ତମ୍ବଠାରୁ ଆରମ୍ଭ କରି ମନ୍ଦିରର କାରୁକାର୍ଯ୍ୟ ଖାଣ୍ଟି ସୁନାରେ ତିଆରି ହୋଇଛି। ଏଥିରେ 15 ହଜାର କିଲୋଗ୍ରାମର ସୁନା ଲାଗିଛି।
ପ୍ରାୟ ଶହେ ଏକର ପରିମିତ ସ୍ଥାନରେ ଥିବା ଏହି ମନ୍ଦିରର ଆଉ ଏକ ବିଶେଷତ୍ବ ହେଉଛି ଯେ ଏହା ଶ୍ରୀଚକ୍ର ଆକୃତିର ନିର୍ମାଣ କରାଯାଇଛି। ଉପରୁ ଦେଖିଲେ ଏହା ଏକ ଶ୍ରୀଚକ୍ର ପରି ଦୃଶ୍ୟମାନ ହେଉଛି।
ଶ୍ରୀପୁରମରେ ଏକ ତାରା ଆକୃତିର ରାସ୍ତା ଅଛି ଯାହାର ଲମ୍ବ ପ୍ରାୟ 1.8 କିଲୋମିଟର । ଭକ୍ତମାନେ ଏହି ରାସ୍ତା ଚାଲିଚାଲି ମନ୍ଦିର ଭିତରକୁ ଯିବାକୁ ପଡିବ। ଏହି ରାସ୍ତାରେ ସମସ୍ତ ଧର୍ମଶାସ୍ତ୍ରର ପୁସ୍ତକ ପଢିବା ଏବଂ ଧାର୍ମିକ ଜିନିଷ ଦେଖିବା ପାଇଁ ବ୍ୟବସ୍ଥା କରାଯାଇଛି। ମନ୍ଦିର ପରିସରରେ 27 ଫୁଟ ଉଚ୍ଚର ଦୀପ ମାଲିକା ମଧ୍ୟ ଅଛି । ଏହାକୁ ଜାଳିବା ପରେ ମନ୍ଦିର ପ୍ରକୃତରେ ମାତା ଲକ୍ଷ୍ମୀଙ୍କ ବାସସ୍ଥାନ ପରି ଦେଖାଯାଏ ।
ତେବେ ଏହି ମନ୍ଦିରର କୌଣସି ପ୍ରାଚୀନତା ନ ଥିଲେ ମଧ୍ୟ ବର୍ତ୍ତମାନ ଏହା ଏକ ପ୍ରମୁଖ ତୀର୍ଥସ୍ଥଳ ପାଲଟି ଯାଇଛି। ଏହି ମନ୍ଦିରର ନିର୍ମାଣ 2000 ମସିହାର ଆରମ୍ଭ କରାଯାଇଥିଲା। ନିର୍ମାଣ ଶେଷ ହେବାକୁ ପ୍ରାୟ ସାତ ବର୍ଷ ଲାଗିଯାଇଥିଲା। 2007 ମସିହା ଅଗଷ୍ଟ 24 ତାରିଖରେ ଏହି ମନ୍ଦିର ସର୍ବସାଧାରଣ ଦର୍ଶନ ପାଇଁ ଖୋଲା ଯାଇଥିଲା।