ଭୁବନେଶ୍ଵର: କେନ୍ଦ୍ର ମତ୍ସ୍ୟପାଳନ, ପଶୁ ସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା ଓଡ଼ିଶା ଗସ୍ତ କରି ଭାରତ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନାର ସମୀକ୍ଷା କରିଛନ୍ତି। ସେ ଓଡ଼ିଶାରେ ମତ୍ସ୍ୟପାଳନ କ୍ଷେତ୍ରକୁ ସୁଦୃଢ଼ କରିବାର ଲକ୍ଷ୍ୟ ନେଇ ବିଭିନ୍ନ କାର୍ଯ୍ୟକ୍ରମକୁ ସମୀକ୍ଷା କରିବା ସହିତ କୃଷି ସଂଯନ୍ତ୍ର ମେଳାରେ ଅଂଶଗ୍ରହଣ କରିଥିଲେ। ବାଲେଶ୍ୱର ଠାରେ ମତ୍ସ୍ୟପାଳନ ବିଭାଗର ଅଧିକାରୀ, ମତ୍ସ୍ୟ ଚାଷୀ ଓ ବିଭିନ୍ନ ଅଂଶୀଦାରମାନେ ତାଙ୍କୁ ସ୍ୱାଗତ କରିଥିଲେ। ଦେଶର ଅନ୍ୟ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶରେ ପୂର୍ବରୁ ଏହି ସମୀକ୍ଷା ବୈଠକ ଆୟୋଜନ କରାଯାଇସାରିଛି। ଶ୍ରୀ ରୂପାଲା ହିତାଧିକାରୀ, ମତ୍ସ୍ୟଜୀବୀ, ମାଛ ଚାଷୀ, ବ୍ୟବସାୟୀ ଓ ଅନ୍ୟ ସମ୍ପୃକ୍ତ ଅଂଶୀଦାରମାନଙ୍କ ସହିତ ମତ୍ସ୍ୟପାଳନ କ୍ଷେତ୍ରର ବିକାଶକୁ ନେଇ ଆଲୋଚନା କରିଥିଲେ।
୨୫ ମାର୍ଚ୍ଚ ୨୦୨୩ରେ ଏନଓସିସିଆଇ ବାଲେଶ୍ୱର ଇନଫ୍ରାଷ୍ଟ୍ରକ୍ଚର କମ୍ପାନୀ ଠାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମତ୍ସ୍ୟଜୀବୀ, ମାଛ ଚାଷୀ ଏବଂ ମତ୍ସ୍ୟପାଳନ କ୍ଷେତ୍ରର ଅନ୍ୟ ଅଂଶୀଦାରମାନେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା (ପିଏମଏମଏସୱାଇ) ଭଳି ବିଭିନ୍ନ କେନ୍ଦ୍ର ସରକାରୀ ଯୋଜନାକୁ ସମୀକ୍ଷା କରିଥିଲେ । ଯୋଜନା କାର୍ଯ୍ୟକାରିତା କ୍ଷେତ୍ରରେ ରହିଥିବା ଆହ୍ୱାନ, ଉପଲବ୍ଧି ଏବଂ ସୁଯୋଗ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ଯୋଜନାର ସୁଧାର ପାଇଁ ଅଂଶୀଦାରମାନେ ଆବଶ୍ୟକ ମତାମତ ଓ ପରାମର୍ଶ ଦେଇଥିଲେ। ବାଲେଶ୍ୱର ଠାରେ ଅନୁଷ୍ଠିତ କୃଷି ସଂଯନ୍ତ୍ର କାର୍ଯ୍ୟକ୍ରମର ଉଦଘାଟନୀ ସମାରୋହରେ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଭିଡିଓ କନଫରେନ୍ସିଂ ମାଧ୍ୟମରେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହା ବ୍ୟତୀତ ରବର ବୋର୍ଡ ଅଧ୍ୟକ୍ଷ ସାୱର ଧାନାନିଆ, ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ରେମୁଣା ବ୍ଲକ୍ ଅଧ୍ୟକ୍ଷ ରାଜେନ୍ଦ୍ର ରାଉତ, ବାଲେଶ୍ୱର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ, କୃଷି ଜାଗରଣ ସଂସ୍ଥାର ପ୍ରତିଷ୍ଠାତା ଓ ମୁଖ୍ୟ ସମ୍ପାଦକ ଏମସି ଡୋମିନିକ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ବାଲେଶ୍ୱର ଜିଲ୍ଲାର କୁରୁଡ଼ା ପଡ଼ିଆରେ ଅନୁଷ୍ଠିତ କୃଷି ସଂଯନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା ଯୋଗ ଦେଇ ସ୍ଥାନୀୟ ଅଞ୍ଚଳର ପ୍ରାୟ ୭୫ ଜଣ ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କେନ୍ଦ୍ର ମନ୍ତ୍ରୀ ରୂପାଲା ଉପସ୍ଥିତ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନା ଏବଂ ନୀଳ ବିପ୍ଳବ ସହ ଜଡ଼ିତ ବହୁମୁଖି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ଅନ୍ତର୍ଦେଶୀୟ ଏବଂ ସାମୁଦ୍ରିକ, ଉଭୟ କ୍ଷେତ୍ରରେ ମତ୍ସ୍ୟ ଉତ୍ପାଦନ ଓ ଉତ୍ପାଦକତା ବଢ଼ାଇବା ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି। ଭିତ୍ତିଭୂମି ବିକାଶ, ବିପଣନ, ରପ୍ତାନି ଓ ସଂସ୍ଥାଗତ ବ୍ୟବସ୍ଥା ଆଦି ଯୋଗାଇ ଦେଇ ମତ୍ସ୍ୟପାଳନ ଓ ଆନୁସଙ୍ଗିକ କ୍ଷେତ୍ରକୁ ସରକାର ସହାୟତା ଦେଉଛନ୍ତି।
ସମୀକ୍ଷା ବୈଠକ ସମ୍ପର୍କରେ ସୂଚନା ଦେଇ ଶ୍ରୀ ରୂପାଲା କହିଥିଲେ ଯେ ସେ ପିଏମଏମଏସୱାଇ ଏବଂ କେସିସି ଯୋଜନାର ହିତାଧିକାରୀ, ବିଭାଗୀୟ ଅଧିକାରୀ ଓ ଅନ୍ୟ ଅଂଶୀଦାରମାନଙ୍କ ସହିତ ଆଲୋଚନା କରିଛନ୍ତି। ସବୁ ରାଜ୍ୟରେ ପିଏମଏମଏସୱାଇ ଯୋଜନାର କାର୍ଯ୍ୟକାରିତା ଉପରେ କେନ୍ଦ୍ର ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଉଭୟ ଯୋଜନାର କାର୍ଯ୍ୟକାରିତା ଦ୍ୱାରା ମୂଲ୍ୟ ଶୃଙ୍ଖଳାରେ ରହିଥିବା ଶୂନ୍ୟସ୍ଥାନକୁ ଦୂର କରିବାକୁ ସେ ପରାମର୍ଶ ଦେଇଥିଲେ। ଏହା ମାଛ ଚାଷୀ, ମତ୍ସ୍ୟଜୀବୀ ଓ ଅନ୍ୟ ହିତାଧିକାରୀମାନଙ୍କୁ ଲାଭାନ୍ୱିତ କରିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।
ମତ୍ସ୍ୟ ପାଳନ ବିଭାଗର ସଫଳତା ବିଷୟରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀ ରୂପାଲା କହିଥିଲେ ଯେ, ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୪୭ଟି ନୂଆ ମଧୁରଜଳ ଫିନଫିଶ ଉତ୍ପାଦନ କେନ୍ଦ୍ର ନିର୍ମାଣକୁ ମଞ୍ଜୁର ଦିଆଯାଇଛି। ଏହା ଛଡ଼ା ୨ଟି ଚିଙ୍ଗୁଡ଼ି ହାଚେରୀ, ୪ଟି ବ୍ରାକିଶ ୱାଟର ହାଚେରୀ, ୪ଟି ବୃହତ ସାମୁଦ୍ରିକ ଫିନଫିଶ ହାଚେରୀ, ପୁରୀ ଜିଲ୍ଲା ଅସ୍ତରଙ୍ଗ ନୂଆଗଡ଼ ଠାରେ ଷ୍ଟେଜ ଟୁ ମାଛଧରା ହାର୍ବର, ୧୮ଟି ଆଇସ ପ୍ଲାଣ୍ଟ/ଶୀତଳ ଭଣ୍ଡାର, ୧୨ଟି ମାଛ ଖୁଚୁରା ବଜାର ଓ ୩୨ଟି ମାଛ କିଓସ୍କ, ୧୮ଟି ନୂଆ ମାଛ ବିହନ ମିଲ୍ ୟୁନିଟ୍ ଏବଂ ୩ଟି ମାଛ ଖାଦ୍ୟ ପ୍ଲାଣ୍ଟ ମଧ୍ୟ ସାମିଲ ରହିଛି।
ସେ ସୂଚନା ଦେଇଥିଲେ ଯେ, ୮ଟି ବରଫ ପ୍ଲାଣ୍ଟ/ଶୀତଳ ଭଣ୍ଡାର ଆଧୁନିକୀକରଣକୁ ଅନୁମୋଦନ କରାଯାଇଛି। ଜଳଜ କୃଷି ବା ଆକ୍ୱାକଲଚର ପାଇଁ ୭୫୦ ହେକ୍ଟର କ୍ଷେତ୍ରଫଳର ସମ୍ପ୍ରସାରଣ, ବ୍ରାକିଶ ୱାଟର ଆକ୍ୱାକଲଚର ପାଇଁ ୮୦୦ ହେକ୍ଟର କ୍ଷେତ୍ରଫଳର ସମ୍ପ୍ରସାରଣ, ପାରମ୍ପରିକ ମତ୍ସ୍ୟଜୀବୀଙ୍କ ପାଇଁ ୫ଟି ନୂଆ ଗଭୀର ସମୁଦ୍ର ମାଛ ଧରା ଜାହାଜ କ୍ରୟକୁ ମଞ୍ଜୁର କରାଯାଇଛି। ସେହିପରି ଦୁଇଟି ଜଳଭଣ୍ଡାରର ସମନ୍ୱିତ ବିକାଶ, ୨୩୦୦ ଜଳଭଣ୍ଡାର କ୍ରେଜ୍ ପ୍ରତିଷ୍ଠା, ୭ଟି ଅର୍ଣ୍ଣାମେଣ୍ଟାଲ ମାଛ ଚାଷ ଓ ପ୍ରଜନନ ୟୁନିଟ ପ୍ରତିଷ୍ଠା, ୧୫୭ଟି ରିସର୍କୁଲେଟୋରୀ ଆକ୍ୱାକଲଚର ସିଷ୍ଟମ ପ୍ରତିଷ୍ଠା, ୭୫୦ଟି ପୋଷ୍ଟ-ହାର୍ଭେଷ୍ଟ ପରିବହନ ୟୁନିଟକୁ ମଞ୍ଜୁରି ଦିଆଯାଇଛି। ସେହିପରି ୧୦ଟି ରେଫ୍ରିଜରେଟେଡ୍ ବାହନ, ୧୧୫ ଇନସୁଲେଟେଡ ବାହନ, ୫ଟି ଲାଇଭ ଫିଶ ଭେଣ୍ଡିଂ ସେଣ୍ଟର୍ସ, ବରଫ ବାକ୍ସ ସହିତ ୪୦୦ ମୋଟର ସାଇକେଲ ଓ ୨୨୦ଟି ତିନିଚକିଆ କ୍ରୟ, ଯାନ୍ତ୍ରିକ ମାଛ ଧରା ଡଙ୍ଗାରେ ୧୦ଟି ବାୟୋଶୌଚାଳୟ ପ୍ରତିଷ୍ଠା, ଭିଏଚଏଫ/ଟ୍ରାନ୍ସଫଣ୍ଡର ଆଦି ଭଳି ପାରମ୍ପରିକ ଓ ମୋଟର ଚାଳିତ ମାଛଧରା ଡଙ୍ଗା ପାଇଁ ୧୭୦୦ଟି ଯୋଗାଯୋଗ ଏବଂ/କିମ୍ବା ଟ୍ରାକିଂ ଡିଭାଇସ, ପାରମ୍ପରିକ ମତ୍ସ୍ୟଜୀବୀଙ୍କୁ ୫୬୦ଟି ଡଙ୍ଗା (ପରିବର୍ତ୍ତନ) ଓ ଜାଲ ଯୋଗାଇ ଦେବା, ପାରମ୍ପରିକ ଓ ମୋଟର ଚାଳିତ ମାଛଧରା ଡଙ୍ଗାର ମତ୍ସ୍ୟଜୀବୀମାନଙ୍କୁ ୭୮୧ଟି ସୁରକ୍ଷା ଉପକରଣ, ୮ଟି ରୋଗ ନିଦାନ ଓ ଗୁଣବତ୍ତା ପରୀକ୍ଷାଗାର, ମୋବାଇଲ ପରୀକ୍ଷାଗାର/କ୍ଲିନିକ ଆଦିକୁ ମଞ୍ଜୁର କରାଯାଇଛି ବୋଲି କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଥିଲେ।
କେନ୍ଦ୍ର ମନ୍ତ୍ରୀ ଆହୁରି କହିଥିଲେ ଯେ, ୨୦୨୦-୨୧ ରୁ ୨୦୨୨-୨୩ ସମୟରେ ମାଛ ଧରା ନିଷିଦ୍ଧ/ବନ୍ଦ ରହିଥିବା ସମୟରେ ସାମାଜିକ – ଆର୍ଥିକ ଦୃଷ୍ଟିରୁ ପଛୁଆ ୪୪,୪୧୭ଟି ମତ୍ସ୍ୟଜୀବୀ ପରିବାରକୁ ପୋଷଣ ଓ ଜୀବିକା ସହାୟତା ଯୋଗାଇ ଦିଆଯାଇଛି। ୬୦୦ ବହୁମୁଖି ସାଗର ମିତ୍ରଙ୍କ ନିଯୁକ୍ତି ସମ୍ପର୍କରେ ମଧ୍ୟ ସେ ସୂଚନା ଦେଇଥିଲେ। ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନା ଏବଂ ଭାରତ ସରକାରଙ୍କ ଅନ୍ୟ ଯୋଜନାରେ ମତ୍ସ୍ୟପାଳନ କ୍ଷେତ୍ରକୁ ଯୋଗାଇ ଦିଆଯାଉଥିବା ଆର୍ଥିକ ପ୍ରୋତ୍ସାହନ ବିଷୟରେ କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଥିଲେ। ସେ କହିଥିଲେ ଏ ବାବଦରେ ମୋଟ ୯୬୭ କୋଟି ଟଙ୍କା ନିବେଶ କରିବାକୁ ଲକ୍ଷ୍ୟ ରଖାଯାଇଛି, ଏଥିମଧ୍ୟରୁ ୩୭୨ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ଯୋଗାଇ ଦିଆଯିବ।
ଅନ୍ୟପଟେ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିବା ଲାଗି କେନ୍ଦ୍ର ମନ୍ତ୍ରୀ ସାର୍ବଜନୀନ ବୈଠକ କରିଥିଲେ। ମାଛ ଚାଷୀ, ମତ୍ସ୍ୟଜୀବୀ, ବ୍ୟବସାୟୀ ସ୍ଥାନୀୟ ଲୋକମାନଙ୍କ ସହିତ ମତବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ସେମାନେ ନିଜର ସମସ୍ୟା ବିଷୟରେ ଜଣାଇଥିଲେ ଓ ସୁଚିନ୍ତିତ ପରାମର୍ଶ ଦେଇଥିଲେ।
ମତବିନିମୟ କାର୍ଯ୍ୟକ୍ରମରେ ଉପସ୍ଥାପିତ ସମସ୍ୟାଗୁଡ଼ିକର ସମାଧାନ କରାଯାଇପାରିଲେ ମତ୍ସ୍ୟପାଳନ କ୍ଷେତ୍ରର ବିକାଶରେ ସହାୟତା ମିଳିପାରିବ। ସମୀକ୍ଷା ବୈଠକ କାର୍ଯ୍ୟକ୍ରମ ଭବିଷ୍ୟତ ପିଢ଼ି ଉପରେ ଗୁରୁତ୍ୱପୂର୍ଣ୍ଣ ଏବଂ ଦୀର୍ଘସ୍ଥାୟୀ ପ୍ରଭାବ ପକାଇବ। ମତ୍ସ୍ୟପାଳନ କ୍ଷେତ୍ରର ବିକାଶ ଓ ଅଭିବୃଦ୍ଧି ପାଇଁ ଏହି କାର୍ଯ୍ୟକ୍ରମ ସବୁଦୃଷ୍ଟିରୁ ସକାରାତ୍ମକ ପ୍ରଭାବ ପକାଇବ।