Categories
ଆଞ୍ଚଳିକ

ଚିଲିକା: ୧୧୭ ଲିଟର ଦେଶୀମଦ ଜବତ, ଦୁଇ ଗିରଫ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧିକ୍ଷକ ସୁମତି ତ୍ରିପାଠୀ ଓ ଟାଙ୍ଗୀ ରେଞ୍ଜ ଅବକାରୀ ଅଧିକାରୀ ରାଧାକାନ୍ତ ଭୋଇଙ୍କ ନିର୍ଦ୍ଦେଶ କ୍ରମେ ବାଲୁଗାଁ ଅବକାରୀ ଅଧିକାରୀ ସୁଜିତ କୁମାର ମୁଦୁଲିଙ୍କ ନେତୃତ୍ୱରେ ବାଲୁଗାଁ, ବାଣପୁର, ନାଚୁଣି ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ୧୧୭ ଲିଟର ଦେଶୀମଦ ଜବତ ହୋଇଥିବା ବେଳେ ଦୁଇ ଜଣ ଚୋରା ମଦ ବେପାରୀଙ୍କୁ ଗିରଫ ସହିତ ଏକ ବାଇକ ଜବତ ହୋଇଛି। ଅଭିଯୁକ୍ତ ମାନେ ହେଲେ ସୁନଖଳା ଗ୍ରାମର ଶ୍ୱେତ ବେହେରାଙ୍କ ନିକଟରୁ ୯ ଲିଟର ଓ ଭୁସକା ପଡା ଗ୍ରାମର ଗୌରୀ ଶଙ୍କର ମହାନ୍ତିଙ୍କ ନିକଟରୁ ୧୦୮ ଲିଟର ଦେଶୀ ମଦ ଜବତ କରାଯାଇଛି।

ଅଭିଯୁକ୍ତଙ୍କ ବିରୁଦ୍ଧରେ ପୃଥକ ଭାବେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ବାଲୁଗାଁ ଅବକାରୀ ଅଧିକାରୀ ଶ୍ରୀ ମୁଦୁଲି ସୂଚନା ଦେଇଛନ୍ତି। ଉକ୍ତ ଚଢ଼ାଉରେ ବାଲୁଗାଁ ଅବକାରୀ ଅଧିକାରୀ ଶ୍ରୀ ମୁଦୁଲିଙ୍କ ସମେତ ଏଏସଆଇ ସଞ୍ଜୟ କୁମାର ମୁଦୁଲି, କନେଷ୍ଟବଳ ଆଶୀଷ କୁମାର ପ୍ରଧାନ, ଚିନ୍ମୟୀ ଦାସ, ତୁଷାର ଚମ୍ପତି, କାଳୁ ପ୍ରଧାନ ପ୍ରମୁଖ ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମଦ ବେପାରୀର ଆକ୍ରୋଶର ଶୀକାର ହେଲେ ମହିଳା

କୁଜଙ୍ଗ: ଚୋରାମଦ ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ଆକ୍ରୋଶର ଶୀକାର ହେଇଛନ୍ତି କୁଜଙ୍ଗ ଥାନା ବାଲିତୁଠ ପଂଚାୟତର ୱାର୍ଡ ସଭ୍ୟା ରାନୁ ସାମନ୍ତରାୟ। ଏ ନେଇ କୁଜଙ୍ଗ ଥାନାରେ ମହିଳା ଜଣଙ୍କ ଲିଖିତ ଅଭିଯୋଗ କରିବା ପରେ କୁଜଙ୍ଗ ପୋଲିସ ଚୋରାମଦ ବେପାରୀ ଅନିଲ ବେହେରା ଓ ତାର ସହଯୋଗୀ ବିରଂଚି ନାରାୟଣ ବେଗ୍‌କୁ ଉଠାଇଆଣି ପଚରାଉଚରା କରୁଥିବା ଜଣାପଡିଛି।

ସୂଚନାଯୋଗ୍ୟ ବାଲିତୁଠ ଅଂଚଳରେ ଦୀର୍ଘଦିନ ଧରି ଅନିଲ ଏକ ଭେରାଇଟ୍ ଷ୍ଟୋର କରି ସେଥିରେ ଚୋରା ମଦ କାରବାର କରିଆସୁଥିଲା। ସ୍ଥାନିୟ ଅଂଚଳବାସୀ ଅଭିଯୋଗ କଲେ ମଧ୍ୟ ତତ୍କାଳୀନ ଥାନା ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ କରି ନଥିଲେ। ମାତ୍ର କୁଜଙ୍ଗ ଥାନାରେ ଗତମାସରେ ନୂତନ ଥାନାଅଧିକାରୀ ଭାବେ ରଂଶ୍ମୀରଞ୍ଜନ ଦାଶ ଯୋଗଦେବା ପରେ ସ୍ଥାନିୟ ବାଲିତୁଠ ଅଂଚଳରେ ‘ଆମ ପୋଲିସ୍‌’ କାର୍ଯ୍ୟକ୍ରମ କରିଥିଲେ। ସେଠାରେ ସ୍ଥାନିୟ ଅଂଚଳରେ କିଛି ବ୍ୟକ୍ତି ଚୋରା ମଦ ବ୍ୟବସାୟ କରୁଥିବା ନେଇ ମହିଳା ୱାର୍ଡ଼ ସଭ୍ୟା ସମେତ କିଛି ମହିଳା ଥାନା ଅଧିକାରୀଙ୍କ ଦୃଷ୍ଟି ଗୋଚରକୁ ଆଣିଥିଲେ। ଥାନା ଅଧିକାରୀ ଘଟଣା ସଂପର୍କରେ ଅବଗତ ହେବା ପରେ ଛଦ୍ମବେଶରେ ଅନିଲ୍‌ର ଦୋକାନରେ ଚଢ଼ାଉ କରି ୩୬ ଲିଟର ମଦ ଜବତ କରିଥିଲେ।

ଏହି ଘଟଣାରେ ଅନିଲ ଜେଲ୍ ଯାଇଥିଲା। ଜେଲ୍‌ରୁ ଫେରିବା ପରେ ଗତକାଲି ରାତିରେ ଅନିଲ୍ ଓ ତାହାର ସହଯୋଗୀ ବିରଂଚି ଆକ୍ରୋଶ ମୂଳକ ଭାବେ ଉକ୍ତ ମହିଳା ୱାର୍ଡ ସଭ୍ୟାଙ୍କୁ ଗାଳିଗୁଲଜ ସହିତ ଆକ୍ରମଣ କରିଥିଲା। ଉକ୍ତ ମହିଳା ଜଣଙ୍କ କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଏହି ଘଟଣାରେ ଆଜି କୁଜଙ୍ଗ ପୋଲିସ୍ କେସ୍ ନଂ-୪୩୧/୨୩ରେ ମାମଲା ରୁ୍‌ଜୁ କରିବା ସହିତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଥାନା ଅଧିକାରୀ ରଂଶ୍ମୀରଞ୍ଜନ ଦାଶ ପ୍ରକାଶ କରିଛନ୍ତି।

Categories
ଆଞ୍ଚଳିକ

ଅଭ୍ୟାସଗତ ମଦ ବେପାରୀଙ୍କୁ ବାନ୍ଧିଲା ବାଲୁଗାଁ ପୋଲିସ: ଦେଶୀ ବିଦେଶୀ ମଦ ଜବତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ପୋଲିସ ଆଜି ଜଣେ ଅଭ୍ୟାସଗତ ମଦ ବେପାରୀଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଦେଶୀ ବିଦେଶୀ ମଦ ଜବତ କରିଛି। ଅଭିଯୁକ୍ତ ଜଣକ ହେଲେ ବଡ଼କୁଳ ଗ୍ରାମର କେଶର ସାହୁ। ତାଙ୍କ ନିକଟରୁ ସମୁଦାୟ ୨୩ ଲିଟର ଦେଶୀ ବିଦେଶୀ ମଦ ଜବତ କରିଛି ପୋଲିସ।

ସୂଚନା ଥାଉକି କେଶର ଜଣେ ଅଭ୍ୟାସଗତ ମଦ ବେପାରି ଥିବା ବେଳେ ତାଙ୍କୁ ଗତବର୍ଷ ବାଲୁଗାଁ ପୋଲିସ ଦୁଇ ଦୁଇ ଥର ଗିରଫ ମଧ୍ୟ କରିଥିଲା। ଏହି ପରିପ୍ରେକ୍ଷୀରେ ତାଙ୍କ ବିରୁଦ୍ଧରେ ସିଆରପିସି ଦଫା ୧୧୦ ମଧ୍ୟ ଲଗାଯିବ ବୋଲି ଆଇଆଇସି ରଶ୍ମିରଂଜନ ଦାସ କହିଛନ୍ତି। ଅଭିଯୁକ୍ତଙ୍କୁ ଆଜି ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ସୂଚନା ଥାଉକି ଏହାକୁ ମିଶାଇ ବିଗତ ୧୦ ଦିନ ମଧ୍ୟରେ ବାଲୁଗାଁ ପୋଲିସ ବିଭିନ୍ନ ସ୍ଥାନରୁ ୪ ଗୋଟି ମଦ ମାମଲା ଠାବ କରିବାରେ ସଫଳ ହୋଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମଦ ବେପାରୀକୁ କାବୁ କରି ପୋଲିସକୁ ଜିମା ଦେଲେ ଗ୍ରାମବାସୀ

କନ୍ଦର୍ପ ବେହେରା
ରେଢ଼ାଖୋଲ: ନାକଟିଦେଉଳ ଥାନା ଅନ୍ତର୍ଗତ ଗୋଧିଢିପ ଛକରେ ଦେଶୀ ମଦ ପାଉଚ ନେଇ ଯାଉଥିବା ଜଣେ ବ୍ୟକ୍ତିକୁ ଗ୍ରାମବାସୀ ମାନେ ଅଟକ ରଖି ପୋଲିସ ପାଖରେ ଜିମା ଦେଇଥିବା ଜଣା ପଡିଛି। ସୂଚନାରୁ ପ୍ରକାଶ ଯେ, ମାରୱାଡି ମୁଣ୍ଡା ଗ୍ରାମର ଶଙ୍କର ନାଏକ ନିଜ ଟିଭିଏସ ମୋପେଡ ଗାଡ଼ିରେ ଗୋଟିଏ ବସ୍ତାରେ ମଦ ପାଉଚ ନେଇ ଯାଉଥିବା ବେଳେ ଗୋଧିଢିପ ଛକରେ ଗ୍ରାମବାସୀ ମାନେ ଅଟକାଇ ପୋଲିସକୁ ଖବର ଦେଇଥିଲେ।

ଖବର ପାଇ ପୋଲିସ ପହଂଚି ଭର୍ତ୍ତୀ ଥିବା ବସ୍ତାରେ ମଦ ପାଉଚ ସହ ଶଙ୍କରକୁ ଗିରଫ କରି ଥାନାକୁ ନେଇଯାଇଥିଲେ। ତେବେ ପୋଲିସ ଶଙ୍କର ନାମରେ ଆଗରୁ ଥାନାରେ ଥିବା ୱାରେଣ୍ଟ ସହ ବେଆଇନ ଭାବେ ନେଇଯାଉଥିବା ୨୦୦ପାଉଚ ଲିଟର ମଦ ଜବତ କରି ଆଜି ତାକୁ କୋର୍ଟ ଚାଲାଣ କରିଥିବା ପୋଲିସ ପ୍ରକାଶ କରିଛି।

ଅପରପକ୍ଷେ ସରାପାଲି ପଂଚାୟତକୁ ମଦମୁକ୍ତ ଅଞ୍ଚଳ କରିବାପାଇଁ ପ୍ରୟାସ ଜାରିରହିବ ବୋଲି ସ୍ଥାନୀୟ ସରପଞ୍ଚ ଶିବାନୀ ବାରିକ ପ୍ରକାଶ କରିଅଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଣପୁର ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଚଢାଉ: ୪ ହଜାର ଲିଟର ପୋଚ ଜବତ, ଜଣେ ଗିରଫ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଶାଳିଆ ଡ୍ୟାମ ଏବଂ ପୋଡାସାହି ଅଞ୍ଚଳରେ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଦେଶୀ ମଦ ଭାଟି ଏବଂ ଦେଶୀ ମଦ ବିକ୍ରି ଆଡ୍ଡା ଉପରେ ମିଳିତ ଚଢ଼ାଉ କରାଯାଇଥିଲା। ଆଜି ସକାଳ ୬ ଘଟିକାରୁ ମଧ୍ୟାହ୍ନ ୧୨ ଘଟିକା ଯାଏଁ ଉକ୍ତ ଚଢ଼ାଉ କାର୍ଯ୍ୟ ଜାରି ରହିଥିଲା।

ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ଏବଂ ଖୋର୍ଦ୍ଧା ଜିଲ୍ଲା ଅବକାରୀ ଉପ ଅଧିକ୍ଷିକା ସୁମିତ୍ରା ଓରାମଙ୍କ ନେତୃତ୍ବରେ ଉକ୍ତ ଚଢାଉ କାର୍ଯ୍ୟ ଆରମ୍ଭ ହୋଇଥିଲା। ଚଢାଉ ସମୟରେ ଶାଳିଆ ଡ୍ୟାମ ଆଖପାଖ ସମସ୍ତ ଅଞ୍ଚଳରୁ ୩୦ ରୁ ଊର୍ଦ୍ଧ୍ଵ ଭାଟିରୁ ପାଖାପାଖି ୪ ହଜାର ଲିଟର ଦେଶୀ ମଦ ପୋଚ ଜବତ କରି ନଷ୍ଟ କରାଯାଇଛି। କିନ୍ତୁ ଘଟଣାସ୍ଥଳରୁ ମଦ ବେପାରୀ ଫେରାର ହେବାରେ ସଫଳ ହୋଇଛନ୍ତି।

ଅନୁରୂପ ଭାବେ ପୋଡା ସାହିରୁ ୧୮୩ ଲିଟର ଦେଶୀ ମଦ ଜବତ କରାଯାଇଥିବା ବେଳେ ସଉରୀ ଘଡେଇ ନାମକ ମଦ ବେପାରୀକୁ ଗିରଫ କରାଯାଇଛି। ତେବେ ଅନ୍ୟ ଜଣେ ଅଭିଯୁକ୍ତ ଦୁନିଆ ନାୟକ ଘଟଣାସ୍ଥଳରୁ ଖସି ପଳାଇବାକୁ ସକ୍ଷମ ହୋଇଛନ୍ତି। ଅବକାରୀ ବିଭାଗ କେସ ନମ୍ବର ୮୧, ୮୨ ରେ ଦୁଇ ଗୋଟି ମାମଲା ରୁଜ୍ଜୁ କରି ଗିରଫ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରିବ ବୋଲି ସୂଚନା ମିଳିଛି।

ଉକ୍ତ ଚଢାଉରେ ଚିଲିକା ଅତିରିକ୍ତ ତହସିଲଦାର ଅପର୍ଣ୍ଣା ଡାଙ୍ଗୁଆ, ବାଣପୁର ଥାନା ଏସଆଇ ରାଜକିଶୋର ବେହେରା, ବାଲୁଗାଁ ଅବକାରୀ ଅଧିକାରୀ ମନୋଜ କୁମାର ବାରିକ, ଟାଙ୍ଗୀ ଅବକାରୀ ନିରୀକ୍ଷକ ଆଲୋକ କୁମାର ପ୍ରଧାନ, ଖୋର୍ଦ୍ଧା ଅବକାରୀ ଭ୍ରାମ୍ୟମାଣ ନିରୀକ୍ଷକ ଜୟଦେବ ପ୍ରଧାନ, ଖୋର୍ଦ୍ଧା ଅବକାରୀ ଭ୍ରାମ୍ୟମାଣ ଉପ ନିରୀକ୍ଷିକା ମାନସୀ ନାୟକ, ଭୁବନେଶ୍ୱର(୨) ଅବକାରୀ ଅଧିକାରୀ ଅଂଶୁମାନ ଜେନାଙ୍କ ସମେତ ଦୁଇ ପ୍ଲାଟୁନ ଫୋର୍ସ ସାମିଲ ଥିଲେ।