Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଇନ୍ଦୋରରେ ଦିବ୍ୟାଙ୍ଗ ସଶକ୍ତିକରଣ ନେଇ ଏକ ଭିନ୍ନ ତଥ୍ୟ ରଖିଲେ ମନ୍ତ୍ରୀ ଅଶୋକ ପଣ୍ଡା

ଭୁବନେଶ୍ବର: ଭିନ୍ନକ୍ଷମମାନଙ୍କ ପାଇଁ ନିଯୁକ୍ତି ଓ ଆୟକାରୀ ସୁଯୋଗଗୁଡ଼ିକର ବୃଦ୍ଧି ନିମନ୍ତେ ଘରୋଇ ଉଦ୍ୟୋଗର ସହଯୋଗ ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମତ ଦେଇଛନ୍ତି।

ଅନୁରୂପ ଭାବରେ, ଭିନ୍ନକ୍ଷମମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ରାଜ୍ୟଗୁଡ଼ିକରେ ସ୍ୱତନ୍ତ୍ର ଆଇଟିଆଇ ଖୋଲାଯିବା ସହିତ ଭିତ୍ତିଭୂମି ବିକାଶ ଓ ଆବାସିକ ସୁବିଧା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ମଧ୍ୟପ୍ରଦେଶର ଇନ୍ଦୋରଠାରେ ଆୟୋଜିତ ଏକ ଜାତୀୟ କର୍ମଶାଳାରେ ଅଂଶଗ୍ରହଣ କରି ମନ୍ତ୍ରୀ ଉପରୋକ୍ତ ମର୍ମରେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ସୂଚନା ଦେଇଛନ୍ତି।

କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ଆନୁକୂଲ୍ୟରେ ଦିବ୍ୟାଙ୍ଗ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ଏହି ଦୁଇଦିନିଆ ଜାତୀୟ କର୍ମଶାଳାରେ ଭିନ୍ନକ୍ଷମମାନଙ୍କ ସାମାଜିକ ଓ ଆଇନଗତ ସଶକ୍ତିକରଣ, ଭିନ୍ନକ୍ଷମ ଶିଶୁମାନଙ୍କ ନିମନ୍ତେ ଡାଟାବେସ୍‌ ପ୍ରସ୍ତୁତି ସାଙ୍ଗକୁ ଜିଲ୍ଲାସ୍ତରରେ ଭିନ୍ନକ୍ଷମ ସଶକ୍ତିକରଣ ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ଉପଲବ୍ଧିଗୁଡ଼ିକ ଉପରେ ଆଲୋଚନା ହୋଇଥିଲା।

ରାଜ୍ୟରେ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ବିଭିନ୍ନ ପଦକ୍ଷେପ ରୂପାୟନ ନେଇ ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ ବାର୍ଷିକ ୨୩ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ସ୍ଥାନରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଚାଲୁ ରହିଥିବାବେଳେ ୬ଟି ଜିଲ୍ଲାରେ ସମନ୍ୱିତ ଭିତ୍ତିଭୂମି ବିକାଶ ପୁଞ୍ଜ କାର୍ଯ୍ୟ କରୁଛି ଓ ୪ଟି ଜିଲ୍ଲାରେ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ପ୍ରତି କେନ୍ଦ୍ର ପାଇଁ ୪୫ କୋଟି ଟଙ୍କାର ବଜେଟ୍‌ ବ୍ୟବସ୍ଥା କରାଯାଇଛି।

ଶିକ୍ଷା କ୍ଷେତ୍ରରେ ବାଣୀଶ୍ରୀ ବୃତ୍ତି ୨୨ ହଜାରରୁ ଅଧିକ ବିଦ୍ୟାର୍ଥିଙ୍କୁ ଦିଆଯାଉଥିବାବେଳେ ଦୃଷ୍ଟିବାଧିତ ଛାତ୍ରଛାତ୍ରୀମାନଙ୍କୁ ମାଗଣା ଲାପ୍‌ଟପ୍‌ ଯୋଗାଇ ଦିଆଯାଉଛି। ବ୍ରହ୍ମପୁରସ୍ଥିତ ଅତ୍ୟାଧୁନିକ ବ୍ରେଲି ପ୍ରେସ୍‌ରେ ଭିନ୍ନକ୍ଷମ ବିଦ୍ୟାର୍ଥୀଙ୍କ ପାଇଁ ୨୦୨୧-୨୨ ବର୍ଷରେ ପ୍ରାୟ ୩୭ ହଜାର ବ୍ରେଲି ପାଠ୍ୟପୁସ୍ତକ, ଯୁକ୍ତ-୨ ଛାତ୍ରଛାତ୍ରୀଙ୍କ ପାଇଁ ବ୍ରେଲି ପୃଷ୍ଠା ଓ ଓଡ଼ିଆ କ୍ୟାଲେଣ୍ଡର ପ୍ରସ୍ତୁତ ହୋଇପାରିଛି।

ଦିବ୍ୟାଙ୍ଗମାନଙ୍କ କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ଅଢ଼େଇ ଲକ୍ଷ ଟଙ୍କାର ବିବାହ ସହାୟତା ପ୍ରଦାନ କରାଯାଉଛି। ଭୁବନେଶ୍ୱର ସମେତ ରାଜ୍ୟର ୫ଟି ସହରରେ ଭିନ୍ନକ୍ଷମ ସଶକ୍ତିକରଣ ପ୍ରତିଷ୍ଠାନ କାର୍ଯ୍ୟ କରୁଛି। ମଧୁବାବୁ ପେନ୍‌ସନ୍‌ ଯୋଜନାରେ ୯୦ ହଜାରରୁ ଊଦ୍ଧ୍ୱର୍ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିବା ଦର୍ଶାଇ ଭିନ୍ନକ୍ଷମ ସଶକ୍ତିକରଣକୁ ଓଡ଼ିଶା ବିଶେଷ ଗୁରୁତ୍ୱ ଦେଇଛି ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ଉଲ୍ଲେଖ କରିଥିଲେ । ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା ମଧ୍ୟ ଏହି ଜାତୀୟ କର୍ମଶାଳାରେ ଉପସ୍ଥିତ ଥିଲେ।

ଜାତୀୟ କର୍ମଶାଳାକୁ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଡ. ବୀରେନ୍ଦ୍ର କୁମାର ଉଦ୍‌ଘାଟନ କରିଥିବାବେଳେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତିମା ଭୌମିକ୍‌ଙ୍କ ସମେତ ବିଭିନ୍ନ ରାଜ୍ୟର ବିଭାଗୀୟ ମନ୍ତ୍ରୀ, କେନ୍ଦ୍ର ମନ୍ତ୍ରାଳୟର ଉଚ୍ଚପଦାଧିକାରୀ, ବିଭିନ୍ନ ରାଜ୍ୟର ବିଭାଗୀୟ ବରିଷ୍ଠ ଅଧିକାରୀ ଓ ସାମାଜିକ ସୁରକ୍ଷା ବିଶେଷଜ୍ଞମାନେ ଏହି ଜାତୀୟ କର୍ମଶାଳାରେ ସାମିଲ ହୋଇଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

‘୫-‘ଟି’ ସ୍କୁଲର ଗଣିତ ଶିକ୍ଷକମାନଙ୍କ ପାଇଁ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଘୋଷଣା

ଭୁବନେଶ୍ୱର : ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନ (ଇନ୍‌ଷ୍ଟିଚୁ୍ୟଟ୍‌ ଅଫ୍‌ ମ୍ୟାଥ୍‌ମେଟିକ୍ସ)କୁ ଏକ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ର ଭାବରେ ଗଢ଼ିତୋଳିବାକୁ ଉଦ୍ୟମ ହେବ ବୋଲି ସରକାରୀ ଉଦ୍ୟୋଗ, ବିଜ୍ଞାନ ଓ କାରିଗରୀ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି।

ପ୍ରତିଷ୍ଠାନର ତ୍ରୟୋବିଂଶତମ ପ୍ରତିଷ୍ଠା ତଥା ବାର୍ଷିକୋତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା ଏହି ମର୍ମରେ ଗଣିତ ଶିକ୍ଷାର ପ୍ରସାର, ଗବେଷଣା ଓ ଉଚ୍ଚତର ତାଲିମ ପାଇଁ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି।

ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ର ଭାବରେ ପ୍ରତିଷ୍ଠିତ ହୋଇପାରିଲେ ରାଜ୍ୟରେ ଗଣିତ, ପରିସଂଖ୍ୟାନ ଓ ଅର୍ଥନୀତି ବିଷୟରେ ଅଧିକ ଅଧ୍ୟୟନ ଓ ଗବେଷଣା ହୋଇପାରିବ। ରାଜ୍ୟରେ ୫-‘ଟି’ ରୂପାନ୍ତରଣରେ ସାମିଲ ସ୍କୁଲଗୁଡ଼ିକର ଗଣିତ ଶିକ୍ଷକମାନେ ଏହି ପ୍ରତିଷ୍ଠାନରେ ତାଲିମ ଗ୍ରହଣ କରିବେ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି।

ଏଥିସହିତ ‘ଇସ୍ରୋ’ର ‘ସ୍ପେସ୍‌ ଅନ୍‌ ହୁଇଲ୍‌’ କାର୍ଯ୍ୟକ୍ରମ ଏଠାରେ ଆୟୋଜନ କରାଯିବା କଥା ମଧ୍ୟ ଉଲ୍ଲେଖ କରିଛନ୍ତି । ସେ ମଧ୍ୟ ବିଜ୍ଞାନ ଓ କାରିଗରୀ ବିଭାଗ ପକ୍ଷରୁ ଗଣିତ ଓ ବିଜ୍ଞାନ ଶିକ୍ଷାର ପ୍ରସାର ପାଇଁ ନିଆଯାଇଥିବା ସରକାରୀ ପଦକ୍ଷେପଗୁଡ଼ିକ ସଂପର୍କରେ ସୂଚନା ଦେଇଛନ୍ତି।

ଏହି ଉତ୍ସବରେ ମନ୍ତ୍ରୀ ଶ୍ରୀ ପଣ୍ଡା କାର୍ଯ୍ୟକ୍ରମର ଅତିଥି ପ୍ରଫେସର ଗୋକୁଳାନନ୍ଦ ଦାସ, ପ୍ରଫେସର ବିଷ୍ଣୁପ୍ରସାଦ ଆଚାର୍ଯ୍ୟ, ପ୍ରଫେସର ସ୍ୱାଧୀନ ପଟ୍ଟନାୟକ ଏବଂ ପ୍ରଫେସର ସୁଦର୍ଶନ ବାରିକଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଅତିଥିମାନେ ଛାତ୍ରଛାତ୍ରୀମାନଙ୍କୁ ଗଣିତ ଶିକ୍ଷାର ତାତ୍ପର୍ଯ୍ୟ, ଭାରତୀୟ ବିଦ୍ୟାରେ ଗଣିତର ଭୂମିକା ଏବଂ ଆମ ଜୀବନଧାରାରେ ଗଣିତର ଉପଯୋଗ ସଂପର୍କରେ ବକ୍ତବ୍ୟ ରଖି ଛାତ୍ରଛାତ୍ରୀମାନଙ୍କୁ ଗଣିତ ଅଧ୍ୟୟନରେ ଅଧିକ ଦକ୍ଷ ହେବା ପାଇଁ ପରାମର୍ଶ ଦେଇଥିଲେ।

ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଯଶୋବନ୍ତ ଜେନା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ବିଜ୍ଞାନ ଓ କାରିଗରୀ ବିଭାଗ ଅଧୀନରେ ରହିଥିବା ଏହି ପ୍ରତିଷ୍ଠାନରେ ବର୍ତ୍ତମାନ ଛାତ୍ରଛାତ୍ରୀମାନେ ସ୍ନାତକ ଶିକ୍ଷା ଓ ସ୍ନାତକୋତ୍ତର ଶିକ୍ଷା ଗ୍ରହଣ ସମେତ ଗବେଷଣା କରୁଛନ୍ତି। ଏହାକୁ ସ୍ୱୟଂଶାସିତ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ଉପରେ ସେ ପ୍ରସ୍ତାବ ରଖିଥିଲେ। ସେ ମଧ୍ୟ ପ୍ରତିଷ୍ଠାନରେ କମ୍ପ୍ୟୁଟର ଓ ଅନ୍ୟାନ୍ୟ ବିଜ୍ଞାନଭିତ୍ତିକ ପାଠ୍ୟକ୍ରମ ପ୍ରଚଳନ ଉପରେ ମତ ଦେଇଥିଲେ। ପ୍ରାରମ୍ଭରେ ପ୍ରତିଷ୍ଠାନର ଛାତ୍ରୀମାନେ ଆବାହନୀ ସଂଗୀତ ପରିବେଷଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଅପେରା ପେଣ୍ଡାଲରେ ମନ୍ତ୍ରୀ ଅଶୋକ ପଣ୍ଡା, ହେଲେ କାହିଁକି ???

ଭୁବନେଶ୍ୱର : ମନ୍ତ୍ରୀ ଅଶୋକ ପାଣ୍ଡା ଅପେରା ମଞ୍ଚରେ। ଏହି କଥା ଯେ କେହି ଶୁଣିବ ସେ ଆଶ୍ଚର୍ଯ୍ୟ ହେବ। କାରଣ ହେଲା ସେ କୌଣସି ଅପେରାରେ ଅଭିନୟ କରିବା ପାଇଁ ନୁହେଁ। ତେବେ ଘଟଣାଟି ହେଲା, ବ୍ରହ୍ମେଶ୍ୱର ପାଟଣା ଛକ ନିକଟ ମେଳଣ ପଡ଼ିଆରେ ୯୦ତମ ବ୍ରହ୍ମେଶ୍ୱର ଭାଗବତ ପଂଚୁଦୋଳ ମେଳଣ ଉଦ୍‌ଯାପିତ ହୋଇଯାଇଛି।

ଉଦ୍‌ଯାପନ ଦିବସରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଡେପୁଟି ମେୟର ମଞ୍ଜୁଲତା କଁଅର, ପୂର୍ବତନ କର୍ପୋରେଟର ପୁଷ୍ପା ଦାସ ଯୋଗ ଦେଇଥିଲେ। ଏଥିରେ ବ୍ରହ୍ମେଶ୍ୱର ସମେତ ବଡ଼ଗଡ଼, ଲକ୍ଷ୍ମୀସାଗର, କେଶୁରା, ବାସୁଆଘାଇ ଓ ବାଙ୍କୁଆଳ ଗ୍ରାମର ଦୋଳ ଠାକୁର ସାମିଲ ହୋଇଥିଲେ। ତିନି ଦିନ ଧରି ଏହି ମେଳଣରେ ଯାତ୍ରା ମହାରଥି କଳିଙ୍ଗ ଗଣନାଟ୍ୟ ପକ୍ଷରୁ କଳାକାରମାନଙ୍କ ଦ୍ୱାରା ନାଟ୍ୟ ପରିବେଷଣ ହୋଇଥିଲା। ଏହା ପୂର୍ବରୁ ମନ୍ତ୍ରୀ ଅଶୋକ ପଣ୍ଡା ଅପେରା ମଞ୍ଚକୁ ଯାଇ ଲୋକଙ୍କୁ ନମସ୍କାର କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ୩୦ ଟି ସାଇନ୍ସ ପାର୍କ ହେବ: ମନ୍ତ୍ରୀ ଅଶୋକ ପଣ୍ଡା

ଭୁବନେଶ୍ବର: ରାଜ୍ୟରେ ୩୦ ଟି ସାଇନ୍ସ ପାର୍କ କରାଯିବ। ଏନେଇ ବିଧାନସଭାର ପ୍ରଶ୍ନକାଳରେ ମନ୍ତ୍ରୀ ଅଶୋକ ପଣ୍ଡା ଉତ୍ତର ରଖିଛନ୍ତି। କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନରେ ଉତ୍ତର ରଖି ମନ୍ତ୍ରୀ ଏହା କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧୦ ଟି ସାଇନ୍ସ ପାର୍କ ହେବାକୁ ଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ଆଉ ୧୦ ଟି ପାର୍କ ହେବ।

ତେବେ ୪ ଟି ସ୍ଥାନରେ ସାଇନ୍ସ ପାର୍କ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ବାରିପଦା, କେନ୍ଦୁଝର, ଗୋପାଳପୁର ଏବଂ ରାୟଗଡାରେ ସାଇନ୍ସ ପାର୍କ କରାଯିବ। ଏହା ସହ ରାଉରକେଲା, ବଲାଙ୍ଗୀରିରେ ସାଇନ୍ସ ପାର୍କ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ମନ୍ତ୍ରୀ ବିଧାନସଭାରେ ପ୍ରକାଶ କରିଛନ୍ତି।