Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜ୍ୟକୁ ମିଳିବ ଚାଉଳ ବାବଦ ବକେୟା ଅଢେଇ ହଜାର କୋଟି ଟଙ୍କା,କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିଶ୍ରୁତି

ଭୁବନେଶ୍ୱର: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ବୈଷୟିକ ବିଭାଗ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ନିକଟରେ ଚାରି ଦିନିଆ ଦିଲ୍ଲୀ ଗସ୍ତର ଶେଷ ଦିନରେ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଯୋଗାଣ ଓ ସାଧାରଣ ବଣ୍ଟନ, ନୂଆ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ସାକ୍ଷାତ କରିଥିଲେ ।

ଶ୍ରୀ ପାତ୍ର କେନ୍ଦ୍ର ମନ୍ତ୍ରୀଙ୍କୁ ସାକ୍ଷାତ କରିବା ଅବସରରେ ସାଧାରଣ ବଣ୍ଟନ ନିମନ୍ତେ ଚାଉଳ ବାବଦକୁ ଥିବା ରାଜ୍ୟର ବକେୟା ଅର୍ଥକୁ ପ୍ରଦାନ କରିବାକୁ ଦାବି କରିଥିଲେ। ଶ୍ରୀ ଯୋଶୀ ଏହାକୁ ବିଚାରକୁ ନେଇ ଅଢେଇ ହଜାର କୋଟି ଟଙ୍କା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।

ଏଥିସହ ଚାଉଳର ୨୦ ପ୍ରତିଶତ ଗହମ ପ୍ରଦାନ ଓ ଚାଉଳ ସଂରକ୍ଷଣ ପାଇଁ ଗୋଦାମ ଗୃହ ପ୍ରତିଷ୍ଠାରେ ରାଜ୍ୟକୁ ସହଯୋଗ କରିବାକୁ ଶ୍ରୀ ପାତ୍ର କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ ।

ଏଥିସହ ମନ୍ତ୍ରୀ ଶ୍ରୀ ପାତ୍ର କେନ୍ଦ୍ର ମନ୍ତ୍ରୀଙ୍କ ସହ ରାଜ୍ୟ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ଯୋଶୀ ଏ ସମ୍ବନ୍ଧରେ ସମସ୍ତ ସହଯୋଗ ପ୍ରଦାନ କରାଯିବା ନେଇ ପ୍ରତିଶୃତି ଦେଇଥିଲେ ।

ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଏହି ଚାରି ଦିନିଆ ଦିଲ୍ଲୀ ଗସ୍ତ ଅବସରରେ ସେ ବିଭିନ୍ନ କେନ୍ଦ୍ର ମନ୍ତ୍ରୀଙ୍କୁ ସାକ୍ଷାତ କରିବା ସହ ଓଡ଼ିଶାର ବିଭିନ୍ନ ଦାବି ସମ୍ପର୍କରେ ଉପସ୍ଥାପନ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ନବରଙ୍ଗପୁରରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

ଭୁବନେଶ୍ବର: ନବରଙ୍ଗପୁର ଜିଲ୍ଲା ସ୍ତରୀୟ ୭୮ ତମ ସ୍ଵାଧୀନତା ଦିବସ ପ୍ୟାରେଡ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ବୈଷୟିକ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପାତ୍ର ଯୋଗଦେଇ ଆନୁଷ୍ଠାନିକ ଭାବେ ଷ୍ଟାଡିୟମ୍ ଠାରେ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କରି ଜିଲ୍ଲା ଉଦ୍ଦେଶ୍ୟରେ ସମବେତ ଜନତାଙ୍କୁ ଉଦବୋଧନ ଦେଇଥିଲେ।

ଉଭୟ କେନ୍ଦ୍ର ଓ ରାଜ୍ୟରେ ଡବଲ ଇଂଜିନ ସରକାର ନୂଆ ଓଡିଶା ଗଠନରେ ସହାୟକ ହେବ। ଏଥି ନିମନ୍ତେ ସମସ୍ତଙ୍କ ସହଯୋଗ ଲୋଡ଼ା ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ମତବ୍ୟକ୍ତ କରିଥିଲେ। ଏହି ଅବସରରର ମନ୍ତ୍ରୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଜିଲ୍ଲାରେ ବିଭିନ୍ନ କ୍ଷେତ୍ରରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀ,କର୍ମଚାରୀ ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମୋ ବସରେ ଟିକେଟ କାଟି ଯାତ୍ରା କଲେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର, ବୁଝିଲେ ଯାତ୍ରୀଙ୍କ ସମସ୍ୟା

ଭୁବନେଶ୍ୱର: ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗର ମାନ୍ୟବର ମନ୍ତ୍ରୀ ଡ଼ା କୃଷ୍ଣ ଚନ୍ଦ୍ର ମହାପାତ୍ର ମୋ ବସ୍‌ରେ ଯାତ୍ରା କରିଛନ୍ତି। ସେତିକି ନୁହେଁ ମୋ ବସ୍‌ରେ ଯାତ୍ରା ସମୟରେ ସାଧାରଣ ଯାତ୍ରୀଙ୍କ ପରି ନିଜ ପାଇଁ ମୋ ବସ୍‌ରେ ଟିକେଟ୍ କାଟିଛନ୍ତି ଓ ସାଧାରଣ ଜନତାଙ୍କଠୁ ମୋ ବସ୍ ବିଷୟରେ ପ୍ରତିକ୍ରିୟା ନେଇଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, “ମୋ ବସ୍ ସେବା ନାଗରିକଙ୍କୁ ସୁବିଧାଜନକ, ସ୍ଥାୟୀ ଓ ନିରାପଦ ଯାତାୟତ ବିକଳ୍ପ ଯୋଗାଉଛି। ବସ୍‌ରେ ନିୟମିତ ଯାତ୍ରୀମାନଙ୍କ ସହିତ ବିସ୍ତୃତ ଆଲୋଚନା ହେବ। ନାଗରିକଙ୍କ ଆବଶ୍ୟକତାକୁ ଆଧାର କରି ବସ୍ ସଂଖ୍ୟା ବୃଦ୍ଧି କରାଯିବ । ଆମେ ବିଭିନ୍ନ ସମୟରେ ପରିସ୍ଥିତିକୁ ଅନୁଧ୍ୟାନ କରୁଛୁ। ଆବଶ୍ୟକ ସ୍ଥଳେ ଅଧିକ ବସ୍ ସେବା ଯୋଗାଇ ଦିଆଯିବ।

ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଇ. ବସ୍ ସେବା ଅନ୍ତର୍ଗତ ଯୋଜନାରେ କ୍ରୁଟ୍‌କୁ ୪୦୦ ଇ. ବସ୍ ଅଣାଯିବ। ବିଗତ ୬ ବର୍ଷ ମଧ୍ୟରେ କ୍ରୁଟ୍ ମୋ ବସ୍ ସେବା ଯୋଗାଇବାରେ ଶ୍ରେଷ୍ଠ ପ୍ରଦର୍ଶନ କରିଆସୁଛି। ଚଳାଚଳ କରୁଥିବା ସମୁଦାୟ ବସ୍‌ରୁ ୬୩ଟି ଇ. ବସ୍ ଚଳାଚଳ କରୁଛି। ଆସନ୍ତା ଦିନରେ ଯୋଜନା ରହିଛି ଯେ କଟକ, ଭୁବନେଶ୍ୱର ଏବଂ ରାଉରକେଲା ସହର ପାଇଁ ୧୦୦ ଲେଖାଏଁ ଏବଂ ସମ୍ବଲପୁର, ବ୍ରହ୍ମପୁର ସହର ପାଇଁ ୫୦ଟି ଇ. ବସ୍ ଯୋଗ କରାଯିବ।

ମାଷ୍ଟରକ୍ୟାଣ୍ଟିନ୍‌ରୁ ମୋ ବସ୍‌ରେ ଯାତ୍ରା କରି ମାନ୍ୟବର ମନ୍ତ୍ରୀ ପହଞ୍ଚିଥିଲେ ଗାଡ଼କଣ ଡ଼ିପୋ।ଏହାପରେ କ୍ୟାପିଟାଲ ରିଜିୟନ ଅର୍ବାନ ଟ୍ରାନ୍ସପୋର୍ଟ ପରିଚାଳନା ନିର୍ଦ୍ଦେଶକ ତଥା ଭାରତୀୟ ପୁଲିସ୍ ସେବା ଅଧିକାରୀ ଶ୍ରୀ ଅରୁଣ ବୋଥ୍ରାଙ୍କ ପକ୍ଷରୁ ସ୍ୱାଗତ କରାଯାଇଥିଲା। ଗାଡ଼କଣ ଇ. ବସ୍ ଡ଼ିପୋ ପରିଦର୍ଶନ କରି ବିଭିନ୍ନ ସ୍ଥିତି ବିଷୟରେ ପଚାରି ବୁଝିବା ସହିତ କ୍ରୁଟ୍ ପରିଚାଳନା ଟିମ୍ ସହିତ ଏକ ସମୀକ୍ଷା ବୈଠକ ବସିଥିଲା। ଯେଉଁଥିରେ ବିଭିନ୍ନ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା ଏବଂ ବ୍ୟସ୍ତ ରହୁଥିବା ରୁଟ୍ ଗୁଡ଼ିକରେ ଅଧିକ ବସ୍ ଚଳାଚଳ ନେଇ ଗୁରୁତ୍ୱାରୋପ ଦେବାକୁ କହିଛନ୍ତି।

ବର୍ତ୍ତମାନ କ୍ରୁଟ୍ ପକ୍ଷରୁ କଟକ, ଭୁବନେଶ୍ୱର, ପୁରୀ, ବ୍ରହ୍ମପୁର, ସମ୍ବଲପୁର ଏବଂ ରାଉରକେଲା ଭଳି ପ୍ରମୁଖ ୬ଟି ସହରରେ ସମ୍ପୂର୍ଣ୍ଣ ୯୫ଟି ରୁଟ୍‌ରେ ମୋ ବସ୍ ଚଳାଚଳ କରୁଛି। ଦୈନିକ ସାଧାରଣ ଜନତାଙ୍କ ମଧ୍ୟରୁ ୨.୫ ଲକ୍ଷ ଯାତ୍ରୀ ଏହି ମୋ ବସ୍ ସେବା ଉପରେ ନିର୍ଭରଶୀଳ।