Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଅନ୍ତର୍ଜାତୀୟ ବାଲୁକା କଳା ଚାମ୍ପିଅନସିପରେ ସୁଦର୍ଶନ ପଟ୍ଟନାୟକଙ୍କ ସ୍ଵର୍ଣ୍ଣ ପଦକ: ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରୁଷିଆର ସେଣ୍ଟ ପିଟର୍ସବର୍ଗ ଠାରେ ଆୟୋଜିତ ଆୟୋଜିତ ଅନ୍ତର୍ଜାତୀୟ ବାଲୁକା କଳା ଚାମ୍ପିଅନସିପରେ ବିଶିଷ୍ଟ ବାଲୁକା ଶିଳ୍ପୀ ବିଜୟୀ ହୋଇ ସ୍ଵର୍ଣ୍ଣ ପଦକ ହାସଲ କରିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ପ୍ରତିଭା ତାଙ୍କୁ ବ୍ୟକ୍ତିଗତ ଭାବେ ପ୍ରତିଷ୍ଠା ଦେଇଥିବା ବେଳେ ସାରା ଓଡ଼ିଶାକୁ ଗର୍ବିତ କରିଛି। ସେ ଓଡ଼ିଶାର ଓ ସାରା ଦେଶର ଗର୍ବ ଓ ଗୌରବ।

ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ବିଜୟୀ ହୋଇ ସେ ବାଲୁକା କଳାରେ ନିଜର ପରାକାଷ୍ଠା ଦେଖାଇ ଚାଲିଛନ୍ତି। ଆଗାମୀ ଦିନରେ ସେ ଆହୁରି ପ୍ରତିଷ୍ଠା ହାସଲ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ପାଇଁ ଗୌରବ ଆଣିଥିବା ବୈଶାଳୀ ମହାନ୍ତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ବର, ମିଳିତ ଜାତିସଂଘରେ ନୀତି ଅଧିକାରୀ ଭାବେ ଯୋଗଦେଇ ରାଜ୍ୟ ପାଇଁ ଗୌରବ ଆଣିଥିବା ଓଡ଼ିଆ ଝିଅ ବୈଶାଳୀ ମହାନ୍ତିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି। ବୈଶାଳୀ ଇଂଲଣ୍ଡର ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରେ ଇଣ୍ଟରନ୍ୟାସନାଲ ଷ୍ଟଡିଜ୍‌ରେ ଶ୍ରେଷ୍ଠ ଗ୍ରାଜୁଏଟ ବିବେଚିତ ହୋଇ ରାଜ୍ୟ ପାଇଁ ଗୌରବ ଆଣିବା ପରେ ଏବେ ଜୁଲାଇ ୧ରୁ ଜାତିସଂଘର ନୀତି ଅଧିକାରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହି ପଦରେ ନିଯୁକ୍ତି ପାଇବାରେ ସେ ପ୍ରଥମ ଓଡ଼ିଆ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବୈଶାଳୀ ୨୦୧୮ରେ ୟୁଏନ୍‌ ମିସନ୍‌ରେ ଓଆଇଏମ୍‌ ଅଧିକାରୀ ଭାବେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ପାଇଁ କାମ କରୁଥିଲେ।

ପୂର୍ବତନ ମୁଖ୍ୟଯନ୍ତ୍ରୀ ରାଧାବିନୋଦ ମହାନ୍ତି ଓ ମହିଳା ସାମାଜିକ କର୍ମୀ ତଥା ଲେଖିକା ମାନସୀ ପ୍ରଧାନଙ୍କ ଝିଅ ବୈଶାଳୀଙ୍କ ଜନ୍ମ ପୁରୀରେ। ପୁରୀର ବ୍ଲେସ୍‌ଡ ସେ‌କ୍ରାମେଣ୍ଟ ହାଇସ୍କୁଲ୍‌ ଓ ଭୁବନେଶ୍ବରର କିଟ୍‌ ଇଣ୍ଟରନାସନାଲ ସ୍କୁଲ୍‌ରୁ ସ୍କୁଲ୍‌ଶିକ୍ଷା ଶେଷ କରି ସେ ଦିଲ୍ଲୀର ଲେଡି ଶ୍ରୀରାମ କଲେଜ୍‌ରେ ସ୍ନାତକ ଶିକ୍ଷା ଶେଷ କରିଥିଲେ। ‘ନ୍ୟୁକ୍ଲିୟର ଡିପ୍ଲୋମାସି’ ଉପରେ ନିବନ୍ଧ ପ୍ରସ୍ତୁତ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ।

ଏଥିସହ ବୈଶାଳୀ‌ କେତେକ ଅନ୍ତର୍ଜାତୀୟ ପ୍ରକାଶନରେ ବୈଦେଶିକ ନୀତି ଓ ନିରାପତ୍ତା ସମ୍ବନ୍ଧରେ ଲେଖି ଆସୁଥିଲେ। ଓଡ଼ିଶୀ ନୃତ୍ୟଶିଳ୍ପୀ ଭାବେ ମଧ୍ୟ ତାଙ୍କର ଖ୍ୟାତି ରହିଛି। ସେ ଅକ୍ସଫୋର୍ଡ ଓଡ଼ିଶୀ କେନ୍ଦ୍ର ପ୍ରତିଷ୍ଠା କରି ଓଡ଼ିଶୀ ପ୍ରଶିକ୍ଷଣ ଦେଉଛନ୍ତି। ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ସମେତ ଇଂଲଣ୍ଡର କେତେକ ବିଶ୍ବବିଦ୍ୟାଳୟରେ ମଧ୍ୟ ସେ ଓଡ଼ିଶୀ ନୃତ୍ୟ ତାଲିମ ଦେଉଛନ୍ତି।