Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସୁନ୍ଦରଗଡ଼ ଜିଲ୍ଲାରେ ୧୦ ହଜାର ରୋଗୀଙ୍କ ପାଇଁ ୬୫ ହଜାରରୁ ଅଧିକ ଥେରାପି ସେସନ

ସୁନ୍ଦରଗଡ଼: ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ପରିସର ଏବଂ ଜିଲ୍ଲାର ୧୦ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ଚାଲିଥିବା “ସମନ୍ୱିତ ଭୌତିକ ଚିକିତ୍ସା” ବା ଆଧୁନିକ ଫିଜିଓଥେରାପି ସେବା ବେଶ୍ ଲୋକପ୍ରିୟ ହୋଇପାରିଛି। ଏହା ମାଧ୍ୟମରେ ଗତ ୮ ମାସ ମଧ୍ୟରେ ଜିଲ୍ଲାରେ ବିଭିନ୍ନ ବର୍ଗ ଓ ବୟସର ରୋଗୀଙ୍କୁ ୬୫ ହଜାରରୁ ଅଧିକ ସେସନ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି।

ବିଭିନ୍ନ ଜନ୍ମଗତ ସମସ୍ୟା ତଥା କୌଣସି ରୋଗଜନିତ, ଦୁର୍ଘଟଣାଜନିତ, ସ୍ନାୟୁଗତ ଏବଂ ଜୀବନଶୈଳୀ ଆଦି ସମସ୍ୟା ଭୋଗୁଥିବା ବ୍ୟକ୍ତି ତଥା ଭିନ୍ନକ୍ଷମଙ୍କ ଚିକିତ୍ସା ଓ ପୁନର୍ବାସ କ୍ଷେତ୍ରରେ ଡାକ୍ତରୀ ବିଜ୍ଞାନରେ ଆଜି ଅତ୍ୟାଧୁନିକ ଫିଜିଓଥେରାପି ସେବା ଗୁରୁତ୍ୱପୂର୍ଣ୍ଣ ହୋଇଛି। ଏ ବାବଦରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ୮ ତାରିଖକୁ ବିଶ୍ୱ ଫିଜିଓଥେରାପି ଦିବସ ଭାବେ ପାଳନ କରାଯାଉଛି।

ଭିନ୍ନକ୍ଷମଙ୍କୁ ଆବଶ୍ୟକ ଚିକିତ୍ସା ଓ ପୁନର୍ବାସ ସେବା ଯୋଗାଇ ଦେଇ ସେମାନଙ୍କ ଭିତରେ ସକ୍ଷମତା ଭରିଦେବା ଏକ ବଡ଼ ଆହ୍ୱାନ। ତେଣୁ ସେମାନଙ୍କୁ ପୁଣିଥରେ ଜୀବନ ଓ ଜୀବିକାର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଶେଷ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

ଏଥିପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୦୨୦ ମସିହାରୁ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର କାମ କରୁଛି। ସେହିପରି ଜିଲ୍ଲାରେ ୨୦୨୨ ଜାନୁଆରିରୁ ସମନ୍ୱିତ ଭୌତିକ ଚିକିତ୍ସା ସେବା ଆରମ୍ଭ କରାଯାଇଛି। ଏହା ଫଳରେ ସୁନ୍ଦରଗଡ଼ ଜିଲ୍ଲାର ମୁଖ୍ୟତଃ ଗ୍ରାମାଞ୍ଚଳର ରୋଗୀମାନେ ବିଶେଷ ଉପକୃତ ହେଉଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଆର୍ଥିକ ସହାୟତାକ୍ରମେ ଚାଲିଥିବା ଏହି ବିଶେଷ କାର୍ଯ୍ୟକ୍ରମ ଜରିଆରେ ସମସ୍ତଙ୍କୁ ମାଗଣାରେ ଫିଜିଓଥେରାପି ସେବା ଯୋଗାଇ ଦିଆଯାଉଛି।

ସୁନ୍ଦରଗଡ଼ ମେଡିକାଲ କଲେଜ ଏବଂ ହସ୍ପିଟାଲ ପରିସରରେ ରହିଛି ଅତ୍ୟାଧୁନିକ “ଥେରାପ୍ୟୁଟିକ୍ ସେଣ୍ଟର” ବା ଭୌତିକ ଚିକିତ୍ସା ସେବା କେନ୍ଦ୍ର। ସେଠାରେ ଫିଜିଓଥେରାପି ସହ ଆଶୁ ନିରାକରଣ ଚିକିତ୍ସା, ବାକ୍ ଥେରାପି, ବ୍ୟାବହାରିକ ଚିକିତ୍ସା ଓ ତାଲିମ ଏବଂ ଶିକ୍ଷା ଥେରାପି ଭଳି ବିଭିନ୍ନ ଆଧୁନିକ ଚିକିତ୍ସା ଓ ପୁନର୍ବାସ ସେବା ଦିଆଯାଉଛି। ଏଥିରୁ ଭିନ୍ନକ୍ଷମ, ବରିଷ୍ଠ ନାଗରିକ, କର୍ମଜୀବୀ, ମହିଳା, ଶିଶୁ ତଥା ବିଭିନ୍ନ ବର୍ଗର ଲୋକେ ଉପକୃତ ହେଉଛନ୍ତି। ଏହି କେନ୍ଦ୍ରରେ ବିଭିନ୍ନ ଥେରାପି ପାଇଁ ଆଧୁନିକ ଚିକିତ୍ସା ଉପକରଣ ରହିଛି। ସେଠାରେ ତାଲିମପ୍ରାପ୍ତ ଥେରାପିଷ୍ଟମାନେ ରୋଗୀଙ୍କୁ ଦେଖି ସେମାନଙ୍କର ଆବଶ୍ୟକତା ଅନୁଯାୟୀ ଥେରାପି ଓ ପରାମର୍ଶ ଦେଉଛନ୍ତି।

ସେହିପରି ଜିଲ୍ଲାର ୧୦ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସମନ୍ୱିତ ଭୌତିକ ଚିକିତ୍ସା ସେବା ଓ ଆରୋଗ୍ୟ କେନ୍ଦ୍ର ଖୋଲାଯାଇଛି। ସେଠାରେ ତାଲିମପ୍ରାପ୍ତ ଫିଜିଓଥେରାପିଷ୍ଟମାନଙ୍କୁ ନିଯୁକ୍ତ କରି ରୋଗୀମାନଙ୍କୁ ବିଭିନ୍ନ ପ୍ରକାରର ଥେରାପି ଦିଆଯାଉଛି। ସମସ୍ତ କେନ୍ଦ୍ରରେ ଶିଶୁଙ୍କ ସୁବିଧା ପାଇଁ ଅଲଗା ଚିକିତ୍ସା କକ୍ଷର ବ୍ୟବସ୍ଥା କରାଯାଇଛି।

ଏହାସହିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ସାପ୍ତାହିକ ଓପିଡି ଜରିଆରେ ସ୍ଥାନୀୟ ରୋଗୀମାନଙ୍କୁ ଫିଜିଓଥେରାପି ସେବା ଓ ପରାମର୍ଶ ଦିଆଯାଉଛି। ଯେଉଁ ରୋଗୀମାନଙ୍କର ଅତିରିକ୍ତ କିମ୍ବା ସ୍ୱତନ୍ତ୍ର ଚିକିତ୍ସା ସେବାର ଆବଶ୍ୟକ ରହିଛି ସେମାନଙ୍କୁ ସୁନ୍ଦରଗଡ଼ରେ ଥିବା ଉଚ୍ଚ ଭୌତିକ ଚିକିତ୍ସା କେନ୍ଦ୍ରକୁ ପଠାଯାଉଛି।

“ଆଜିର ପରିବର୍ତ୍ତିତ ଜୀବନଶୈଳୀ କାରଣରୁ ଆମ ସମାଜରେ ଲୋକଙ୍କ ମଧ୍ୟରେ ଉଚ୍ଚ ରାକ୍ତଚାପ, ମଧୁମେହ, ହୃଦରୋଗ ଏବଂ ମେରୁଦଣ୍ଡଜନିତ ବିଭିନ୍ନ ପ୍ରକାର ରୋଗ ବି ଚାଲିଛି। ଏହା ସହିତ ଆଧୁନିକ ଓ କର୍ମମୟ ଜୀବନ ଭିତରେ ବହୁ ଲୋକ ସଡ଼କ ଏବଂ ବିଭିନ୍ନ ଶିଳ୍ପ ଦୁର୍ଘଟଣାର ଶିକାର ହେଉଛନ୍ତି। ଏହି ସବୁ ସମସ୍ୟାରେ ପ୍ରଭାବିତ ରୋଗୀଙ୍କ ଚିକିତ୍ସା ଓ ପୁନର୍ବାସ କ୍ଷେତ୍ରରେ ଫିଜିଓଥେରାପି ସହ ବିଭିନ୍ନ ଆଧୁନିକ ଥେରାପି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଥିବା ସମନ୍ୱିତ ଭୌତିକ ଚିକିତ୍ସା ସେବା ଏ ଦିଗରେ ରୋଗୀମାନଙ୍କ ପାଇଁ ବିଶେଷ ଫଳପ୍ରଦ ହୋଇପାରିଛି”, ବିଶ୍ୱ ଫିଜିଓଥେରାପି ଦିବସ ଅବସରରେ କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର।

ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ମେଡିକାଲ କଲେଜ ଏବଂ ହସ୍ପିଟାଲ ପରିସରରେ ଥିବା କେନ୍ଦ୍ରରେ ଗତ ୮ ମାସ ମଧ୍ୟରେ ୧୭୩୯ ଜଣ ରୋଗୀ ବିଭିନ୍ନ ଫିଜିଓଥେରାପି ସେବା ପାଇଛନ୍ତି। ସେମାନଙ୍କୁ ୧୩ ହଜାର ୧୨୨ଟି ସେସନ ମାଧ୍ୟମରେ ସେବା ଯୋଗାଇ ଦିଆଯାଇଛି। ସେହିପରି ଜିଲ୍ଲାର ୧୦ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ଥିବା ସମନ୍ୱିତ ଭୌତିକ ଚିକିତ୍ସା ସେବା ଓ ଆରୋଗ୍ୟ କେନ୍ଦ୍ରରେ ଏହି ସମୟ ମଧ୍ୟରେ ୬ ହଜାର ୩୩୯ ଜଣ ରୋଗୀ ବିଭିନ୍ନ ଥେରାପି ନେଇଛନ୍ତି। ସେମାନଙ୍କ ପାଇଁ ୬୫ ହଜାର ୯୫୦ ଥେରାପି ସେସନ କରାଯାଇଛି। ଏହାଛଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଫିଜିଓଥେରାପି କେନ୍ଦ୍ରରେ ମଧ୍ୟ ରୋଗୀମାନେ ନିୟମିତ ଚିକିତ୍ସା ପାଉଛନ୍ତି। ଏହିଭଳି ଜିଲ୍ଲାର ବିଭିନ୍ନ କେନ୍ଦ୍ରରେ ପ୍ରାୟ ୧୦ ହଜାର ରୋଗୀ ବିଭିନ୍ନ ପ୍ରକାର ଥେରାପି ପାଇପାରିଛନ୍ତି।

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ଚାଲିଥିବା ଏହି ଚିକିତ୍ସା ପାଇଁ ଭିନ୍ନକ୍ଷମ ବ୍ୟକ୍ତି ଓ ଜରାଗ୍ରସ୍ତ ବରିଷ୍ଠ ନାଗରିକଙ୍କ ସୁବିଧା ଲାଗି ବିଶେଷ ଧ୍ୟାନ ଦିଆଯାଉଛି। ସେମାନଙ୍କୁ ସମନ୍ୱିତ ଭୌତିକ ଚିକିତ୍ସା କେନ୍ଦ୍ରକୁ ମାଗଣାରେ ନେବା ଆଣିବା ଲାଗି ପରିବେଶ ଅନୁକୂଳ ‘ଇ-ଆମ୍ବୁଲାନ୍ସ’ ବ୍ୟବସ୍ଥା କରାଯାଇଛି। ସେହିପରି ଯେଉଁ ଶଯ୍ୟାଶାୟୀ ରୋଗୀମାନେ ଚିକିତ୍ସା କେନ୍ଦ୍ରକୁ ଆସିପାରୁ ନାହାନ୍ତି ଫୋନ୍ କଲ ପାଇ ଥେରାପିଷ୍ଟମାନେ ସେମାନଙ୍କ ଘରେ ପହଞ୍ଚି ସେମାନଙ୍କୁ ମାଗଣାରେ ସେବା ଯୋଗାଇ ଦେଉଛନ୍ତି।

ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ୨୦୨୦ରୁ କାମ କରୁଛି ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର। ଏଠାରେ ସମସ୍ତଙ୍କ ପାଇଁ ମାଗଣାରେ ରୋବୋଟିକ୍ସ ଫିଜିଓଥେରାପି ସେବା ଦିଆଯାଉଛି। ସେହିପରି ଭିନ୍ନକ୍ଷମ ପ୍ରମାଣପତ୍ର ପାଇଥିବା ବ୍ୟକ୍ତିଙ୍କୁ ଏଠାରେ ମାଗଣାରେ କୃତ୍ରିମ ଅଙ୍ଗ ଓ ସହାୟକ ଉପକରଣ ମଧ୍ୟ ଦିଆଯାଉଛି। ଅଗଷ୍ଟ  ୨୦୨୨ ସୁଦ୍ଧା ଏଠାରେ ୪ ହଜାର ୩୪୮ଟି ରୋବୋଟିକ୍ସ ଫିଜିଓଥେରାପି ସେସନ କରାଯାଇଥିବା ବେଳେ ୪୦୪ଜଣ ହିତାଧିକାରୀଙ୍କୁ ବିଭିନ୍ନ କୃତ୍ରିମ ଅଙ୍ଗ ଯୋଗାଇ ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଆଇଆଇଟି କାନପୁର ଠାରେ ମେଡିକାଲ କଲେଜ ଓ ହସ୍ପିଟାଲର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

କାନପୁର/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଆଇଆଇଟି କାନପୁର ଠାରେ ‘ଦ ଗଙ୍ଗୱାଲ ସ୍କୁଲ ଅଫ୍ ମେଡ଼ିକାଲ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜି’ ଏବଂ ‘ୟେଦୁପତି ସିଂଘାନିଆ ସୁପର ସ୍ପେଶାଲିଟି’ ହସ୍ପିଟାଲର ଶିଳାନ୍ୟାସ କରିଛନ୍ତି।

ଏହି ଦୁଇଟି ଅନୁଷ୍ଠାନର ଭିତିପ୍ରସ୍ତର ପାଇଁ ଆଇଆଇଟି କାନପୁରକୁ କେନ୍ଦ୍ରମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଏହି ଦୁଇଟି ଅନୁଷ୍ଠାନ ପ୍ରତିଷ୍ଠା ହେଲେ ଦେଶର ସ୍ୱାସ୍ଥ୍ୟ ସେବା ପରିସଂସ୍ଥାନ ମଜବୁତ୍ ହେବା ସହ ଉଭା ହେଉଥିବା ଅର୍ଥନୀତିରେ କାନପୁର ସୁଲଭ ତଥା ଭବିଷ୍ୟତ ସମାଧାନର ପେଣ୍ଠସ୍ଥଳି ଭାବରେ ପ୍ରତିଷ୍ଠିତ ହୋଇପାରିବ। ଆଇଆଇଟି କାନପୁର ଭଳି ମହତ ଉଦ୍ୟମ ଗୁଡିକ ସ୍ୱାସ୍ଥ୍ୟସେବା ଏବଂ ଇଞ୍ଜିନିୟରିଂ ମଧ୍ୟରେ ବ୍ୟବଧାନକୁ ଦୂର କରିବ। ସ୍ୱଳ୍ପ ବ୍ୟୟସାପେକ୍ଷ ବୈଷୟିକ ସମାଧାନ ପ୍ରଦାନ କରିବ ଏବଂ ସମାଜର କଲ୍ୟାଣ ପାଇଁ ଅନ୍ୟ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ମଧ୍ୟ ପ୍ରେରଣା ଦେବ।

ବିଗତ ଛଅ ଦଶନ୍ଧି ଧରି ଆଇଆଇଟି କାନପୁର ଇଞ୍ଜିନିୟରିଂ ଶିକ୍ଷାରେ ଏକ ଅଗ୍ରଣୀ ଅନୁଷ୍ଠାନ ଭାବରେ କାମ କରୁଛି। ଏହି ଅନୁଷ୍ଠାନ ସମୟନୁସାରେ ପରିବର୍ତନ ହେଉଥିବା ସମାଜର ଆବଶ୍ୟକତା ପ୍ରତି ସମ୍ବେଦନଶୀଳ ଏବଂ ଜାତୀୟ ମିଶନକୁ ସମର୍ଥନ କରିବା ସହ ଆତ୍ମନିର୍ଭର ଭାରତ ନିର୍ମାଣରେ ସକ୍ରିୟ ସହଯୋଗ କରିଆସୁଛି। ସେହିପରି ଜଳବାୟୁ ପରିବର୍ତନ, ୱେଷ୍ଟ ଟୁ ୱେଲଥ, ବିକଳ୍ପ ସବୁଜ ଇନ୍ଧନ ଏବଂ ଅର୍ଥନୀତି ପାଇଁ ନୂଆ ବିଜନେସ ମଡ଼େଲ ବିକଶିତ କରିବା ପାଇଁ କୁଶଳ ଏବଂ ସ୍ୱଳ୍ପ ବ୍ୟୟସାପେକ୍ଷ ସମାଧାନ ଅନ୍ୱେଷଣ କରିବାକୁ ଆଇଆଇଟି କାନପୁରକୁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ଶିଳ୍ପ ବିପ୍ଳବ ୪.୦ ଭାରତକୁ ଅନେକ ସୁଯୋଗ ପ୍ରଦାନ କରିବ। ଡ୍ରୋନ ସହ ଜଡ଼ିତ ଅର୍ଥନୀତି ଏବଂ ଚିପ୍ ଇକୋସିଷ୍ଟମରେ ଦକ୍ଷତା ବୃଦ୍ଧି ବିକାଶ କରିବା ଦିଗରେ ଏହି ଅଗ୍ରଣୀ ଶିକ୍ଷାନୁଷ୍ଠାନ ଲକ୍ଷ୍ୟ ରଖିବା ଦରକାର। ଅମୃତ କାଳରେ ଆମକୁ ଏମିତି ଏକ ପିଢି ଗଢ଼ିବାକୁ ହେବ, ଯେଉଁମାନେ ସମାଜ ଓ ରାଷ୍ଟ୍ର କଲ୍ୟାଣକୁ ସର୍ବୋଚ୍ଚ ପ୍ରାଥମିକତା ଦେଉଥିବେ। ଏହି ମର୍ମରେ ଗବେଷଣା, ନବସୃଜନ ଏବଂ ଉଦ୍ୟମିତାକୁ ମୁଳଦୁଆ କରି ଆଇଆଇଟି କାନପୁର ଲୋକଙ୍କ ଜୀବନକୁ ସୁଗମ କରିବା ସହ ମାନବ କଲ୍ୟାଣ ପାଇଁ ବିଭିନ୍ନ ସମସ୍ୟାର ସମାଧାନର ରାସ୍ତା ବାହାର କରିବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି।

ଆଇଆଇଟି କାନପୁର ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନ୍ୟାସନାଲ ସେଂଟର ଫର୍ ଫ୍ଲେକ୍ସିବଲ୍ ଇଲେକ୍ଟ୍ରୋନିକ୍ସ ପରିଦର୍ଶନ କରିବା ସହ ଆଇଆଇଟି କାନପୁର ସହଯୋଗରେ ଆରମ୍ଭ ହୋଇଥିବା ଷ୍ଟ୍ରାଟଅପ ବୁଲି ଦେଖିଥିଲେ।

Categories
ବିଶେଷ ଖବର

କନ୍ଧମାଳରେ ୫୦୦ କୋଟିର ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ କାମ ଠିକ୍‌ ସମୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କନ୍ଧମାଳ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ୬ ଲକ୍ଷ ୫୦ ହଜାର ଲୋକ ଏହି ସୁବିଧା ପାଇବେ। ଏହାସହିତ କନ୍ଧମାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ପର୍ଯ୍ୟଟନ ଓ ଜୈବିକ ଫସଲ ପାଇଁ କନ୍ଧମାଳ ଜିଲ୍ଲାର ଖୁବ୍‌ ପ୍ରଶଂସା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ କନ୍ଧମାଳ ହେଉଛି ସୁନାର ଭୂମି। ଜୈବିକ ଫସଲ ବିଶେଷ କରି କନ୍ଧମାଳ ହଳଦୀ ଆଜି ସାରା ଦେଶରେ ଏକ ଲୋକପ୍ରିୟ ବ୍ରାଣ୍ଡ ଭାବରେ ପ୍ରତିଷ୍ଠା ଲାଭ କରିଛି। ଜୈବିକ ଫସଲ ପାଇଁ ଏବେ ଆଗ୍ରହ ବଢୁ ଥିବାରି ଏ କ୍ଷେତ୍ରରେ କନ୍ଧମାଳର ବହୁତ ସୁଯୋଗ ରହିଛି ବୋଲି ସେ କହିଥିଲେ। ସେହିପରି ଇକୋ-ଟୁରିଜିମ୍ ପାଇଁ ମଧ୍ୟ କନ୍ଧମାଳ ସାରା ଦେଶର ପର୍ଯ୍ୟଟକ ମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏ ଦୁଇ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ଗୁରୁତ୍ବ ଦେଇ କାମ କରୁଛନ୍ତି ବୋଲି କହିଥିଲେ।

ଆଜି କନ୍ଧମାଳ ପାଇଁ ମୁଖ୍ୟମନ୍ତ୍ରୀ ୨୭୬ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରି ଏଥିରେ ଭିତ୍ତିଭୂମି ଉପରେ ସ୍ବତନ୍ତ୍ର ଗୁରୁତ୍ବ ଦିଆଯାଇଛି ବୋଲି କହିଥିଲେ। ଏହି ଅବସରରେ ୫୦୪ କୋଟି ଟଙ୍କା ବିନିଯୋଗରେ କନ୍ଧମାଳରେ ୫୦୦ ଶଯ୍ୟା ବିଶିଷ୍ଟ ଏକ ମେଡିକାଲ ଏବଂ ହସ୍ପିଟାଲ ପ୍ରତିଷ୍ଠା ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରି କହିଥିଲେ ଯେ, ଏଥିରେ ବର୍ଷକୁ ୧୦୦ ଜଣ ପିଲା ଡାକ୍ତରୀ ପାଠ ପଢିପାରିବେ। ମେଡିକାଲ କଲେଜ ନିର୍ମାଣ କାମ ଠିକ୍‌ ସମୟରେ ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ବୋଲି ପ୍ରକାଶ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ କନ୍ଧମାଳ ଜିଲ୍ଲାରେ ବିଜୁ ସେତୁ ଯୋଜନାରେ ୧୨୦ କୋଟି ଟଙ୍କା ବିନିଯୋଗରେ ୬୯ ଗ୍ରାମ ପଞ୍ଚାୟତରେ ଯୋଗାଯୋଗର ଉନ୍ନତି କରାଯାଇଛି। ଏଥିପାଇଁ ଖୁସି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାଦ୍ବାରା ଜିଲ୍ଲାର ୨ ଲକ୍ଷ ଲୋକ ଉପକୃତ ହେଉଛନ୍ତି।

ବାଲିଗୁଡାରେ ନିର୍ମାଣାଧୀନ ୨୨୦/୩୩ KV ଗ୍ରୀଡ ଷ୍ଟେସନ ଖୁବ୍‌ ଶିଘ୍ର ଶେଷ ହେବ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାଦ୍ବାରା କେ. ନୂଆଗାଁ, ତୁମୁଡିବନ୍ଧ, କୋଟଗଡ, ଦାରିଙ୍ଗିବାଡି ଓ ବାଲିଗୁଡା ବ୍ଲକର ୭୦ ହଜାର ପରିବାର ଉପକାର ପାଇବେ।  ଏହାଦାରା ପାଇପ ପାଣି ଯୋଗାଣରେ ଉନ୍ନତି ଆସିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।