Categories
ବିଶେଷ ଖବର ରାଜ୍ୟ ଖବର

ଅଭିଯୋଗ ଶୁଣାଣି: ୧୫୪୦ ଅଭିଯୋଗ ପଞ୍ଜୀକୃତ,  ୫୦୦୦ ରୁ ଅଧିକ ଲୋକଙ୍କୁ ଶୁଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଯେଉଁଠି ସରକାର ଲୋକଙ୍କ ସହିତ ଥାଆନ୍ତି, ଲୋକଙ୍କ ସୁଖ ଦୁଃଖ ଶୁଣନ୍ତି, ସେଇଠି ହିଁ ପ୍ରକୃତ ଗଣତନ୍ତ୍ର ଦେଖିବାକୁ ମିଳିଥାଏ।

ଆଜି ଜୁଲାଇ ମାସର ପ୍ରଥମ ଦିନ, ପ୍ରଥମ ସୋମବାରରେ ଭୁବନେଶ୍ୱର ୟୁନିଟ ୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ, ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ପ୍ରମୁଖ ଲୋକଙ୍କ ଅଭିଯୋଗ ଶୁଣି ସମାଧାନର ରାସ୍ତା ଖୋଲିଛନ୍ତି। ଲୋକଙ୍କ ଅଭିଯୋଗ ମୁଖ୍ୟମନ୍ତ୍ରୀ ଶୁଣୁ ଥାଆନ୍ତି, ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଉଥାନ୍ତି ଓ ତୁରନ୍ତ ହେଉଥାଏ ସମାଧାନ।

ସମସ୍ତେ ଖୁସିରେ ଫେରୁଥାନ୍ତି। ସମସ୍ତଙ୍କ ଆଖିରେ ଥିଲା ସରକାରଙ୍କ ଉପରେ ବିଶ୍ୱାସ ଓ ଭରସାର ଝଲକ୍। ସେଇ ବିଶ୍ବାସ ଓ ଭରସାର ରୂପ ହେଉଛି ଗଣତନ୍ତ୍ର।

ପ୍ରାୟ ଏକ ହଜାରରୁ ଅଧିକ ଲୋକ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସି ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କୁ ସେମାନଙ୍କ ସମସ୍ୟା କହିଥିଲେ। ଗଭୀର ମନଯୋଗରେ ସମସ୍ତଙ୍କ ସମସ୍ୟା ଶୁଣି ମୁଖ୍ୟମନ୍ତ୍ରୀ, ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଉଥାନ୍ତି। ସେମାନଙ୍କ ମଧ୍ୟରେ ଥାଆନ୍ତି ଜଣେ ବୟୋବୃଦ୍ଧା ମହିଳା ସରସ୍ୱତୀ ତ୍ରିପାଠୀ। ତାଙ୍କର ପିଲାମାନେ ସମ୍ପତ୍ତି ହଡପ୍୍ କରି ମା’ଙ୍କୁ ଘରୁ ବାହାର କରିଦେଇଛନ୍ତି। ମୁଖ୍ୟମନ୍ତ୍ରୀ ତୁରନ୍ତ ପୋଲିସ୍୍ ବିଭାଗକୁ ନିର୍ଦ୍ଦେଶ ଦେଇ ଶୀଘ୍ର ନ୍ୟାୟ ପ୍ରଦାନ କରିବାକୁ ପରାମର୍ଶ ଦେଲେ। ସେହିପରି କେନ୍ଦୁଝରର ଗୋଟିଏ ସ୍କୁଲରେ କାମ କରୁଥିବା ଜଣେ ମହିଳା ଅନେକ ଦିନ ଧରି ଦରମା ପାଉନାହାନ୍ତି। ମୁଖ୍ୟମନ୍ତ୍ରୀ ତୁରନ୍ତ ତାଙ୍କର ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଥାଲାସେମିଆରେ ପୀଡିତ ଗୋଟିଏ ଛୋଟ ଝିଅର ବାପା ଯାଜପୁରର ସତ୍ୟଜିତ୍ ଆସିଥିଲେ ଚିକିତ୍ସା ସହାୟତା ପାଇଁ। ତାଙ୍କ ଝିଅର ହେବ ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାନ୍ଟେସନ୍। ସେଥିପାଇଁ ଯେତେ ଶୀଘ୍ର ସମ୍ଭବ ତାଙ୍କ ଚିକିତ୍ସାର ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ଦେଇଥିଲେ ନିର୍ଦ୍ଦେଶ। ଆବଶ୍ୟକସ୍ଥଳେ ତାଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ଏମିତି ଅନେକ ପୀଡିତ, ଦିବ୍ୟାଙ୍ଗ, ବୟୋବୃଦ୍ଧମାନେ ଆସି ମୁଖ୍ୟମନ୍ତ୍ରୀଙ୍କୁ ଦେଖାକରି, ତାଙ୍କ ସମସ୍ୟା ଶୁଣାଉଥାନ୍ତି ଓ ସମାଧାନର ଭରଷା ନେଇ ଯାଉଥାନ୍ତି। ରାଜ୍ୟର ମୁଖ୍ୟଙ୍କଠାରୁ ଭରଷାର ବାଣୀ ଶୁଣି ସେମାନେ ଅତ୍ୟନ୍ତ ଖୁସି ହୋଇ ଫେରୁଥାନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପୂର୍ବ ସରକାରଙ୍କ ସମୟରେ ଜନତା ଓ ସରକାରଙ୍କ ମଧ୍ୟରେ ଏକ ଲୌହ ପ୍ରାଚୀର ଥିଲା। ସେ ପ୍ରାଚୀର ଆଜି ଦୂର ହୋଇଛି। ଲୋକ ଓ ସରକାରଙ୍କ ମଧ୍ୟରେ ସିଧା ସଳଖ ସମ୍ପର୍କ ପ୍ରତିଷ୍ଠା ପାଇଛି।

ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ ଗଣତନ୍ତ୍ରରେ ଲୋକଙ୍କ କଥା ଶୁଣିବା ଓ ସମାଧାନ ପାଇଁ ଚେଷ୍ଟା କରିବା ଏକ ପ୍ରାଥମିକତା। ଏଇ କଥାକୁ ଗୁରୁତ୍ବ ଦେଇ ଆଜି ଠାରୁ ଜିଲ୍ଲା ସ୍ତରରେ ମଧ୍ୟ ଶୁଣାଣୀ ଆରମ୍ଭ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେ କହିଥିଲେ ଯେ ଏହି ପ୍ରକ୍ରିୟାକୁ ଆଗକୁ ଆହୁରି ସୁଦୃଢ଼ କରାଯିବ। ମୋ ସହିତ ଉପ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ମଣ୍ଡଳର ସଦସ୍ୟ ମାନେ ମଧ୍ୟ ଏଥିରେ ସହଯୋଗ କରିଛନ୍ତି। ଏହା ଜାରି ରହିଲେ ଜିଲ୍ଲା ସ୍ତରରେ ଅଧିକାରୀ ମାନେ ଗୁରୁତ୍ଵ ଦେଇ ଲୋକଙ୍କ ସମସ୍ୟାର ସମାଧାନ କରିବେ।

ଜିଲ୍ଲା ସ୍ତରରେ ଲୋକଙ୍କ ସମସ୍ୟାର ସମାଧାନ ହୋଇ ପାରିଲେ ରାଜ୍ୟ ସ୍ତରରେ ଅଭିଯୋଗ କମ ରହିବ ବୋଲି ସେ ଆଶା ପ୍ରକାଶ କରିଥିଲେ।

ଆଜିର ଶୁଣାଣିରେ ପ୍ରାୟ ୯୯ ପ୍ରତିଶତ ଅଭିଯୋଗର ସମାଧାନ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମ ଦିନରୁ ହିଁ ଲୋକଙ୍କ ସହିତ ଖୋଲା ମନରେ ମିଶୁଛନ୍ତି। ଲୋକଙ୍କ ସମସ୍ୟା ଜାଣିବାକୁ ଚେଷ୍ଟା କରୁଛନ୍ତି। ଭୁବନେଶ୍ୱରର ରାଜ୍ୟ ଅତିଥି ଭବନର କାର୍ଯ୍ୟାଳୟ ହେଉ ବା ବରଗଡ ଓ କେନ୍ଦୁଝର ଗସ୍ତ ପରି ବିଭିନ୍ନ ଜିଲ୍ଲା ଗସ୍ତ ହେଉ, ସବୁ ସମୟରେ ସେ ସାଧାରଣ ଲୋକଙ୍କ ସହିତ ହୃଦୟ ଖୋଲି ମିଶୁଛନ୍ତି ଓ ଆଲୋଚନା କରୁଛନ୍ତି ଓ ସମସ୍ୟାର ସମାଧାନ ପାଇଁ ବ୍ୟବସ୍ଥା କରୁଛନ୍ତି। ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ ପରିଚୟ ଦିନ କୁ ଦିନ ହେଉଛି ଉଜ୍ଜ୍ୱଳ।

ଆଜି ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଶୁଣାଣି ହୋଇଥିଲା। ଏଥିପାଇଁ ସାଧାରଣ ପ୍ରଶାସନ ବିଭାଗ ଏବଂ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ପ୍ରତି ସୋମବାର ଏହି ପରି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଜଣାଯାଇଛି।

ଆଜି ସମୁଦାୟ ୧୫୪୦ ଟି ଅଭିଯୋଗ ପଞ୍ଜୀକୃତ ହୋଇଥିବା ବେଳେ ପ୍ରାୟ ୫୦୦୦ ରୁ ଅଧିକ ଲୋକ ଆସିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଅନୁଗୁଳରେ କୁମ୍ଭୀର ଆକ୍ରମଣରେ ବାଳକର ମୃତ୍ୟୁ ଘଟଣା: ୬ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲାର ଟିକରପଡା ଠାରେ ମହାନଦୀରେ କୁମ୍ଭୀର ଆକ୍ରମଣରେ ଗୋଟିଏ ବାଳକର ମୃତ୍ୟୁ ଘଟଣା ରେ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି।

ଏହା ସହିତ ମୃତ ବାଳକର ପରିବାରର ନିକଟତମ ଆତ୍ମୀୟ ଙ୍କୁ ୬ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଯୋଗାଇ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଲଦାଖରେ ସେନା ଟ୍ୟାଙ୍କ ବୁଡି ଯୋଗୁଁ ୫ ଜଣ ଯବାନଙ୍କ ଶହୀଦ ହେବା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ଗତ ରାତିରେ ଲଦାଖରେ ଯୁଦ୍ଧ ଅଭ୍ୟାସ ଚାଲିଥିବା ବେଳେ ଏକ ନଦୀରେ ସେନା ଟ୍ୟାଙ୍କ ଭାସିଯିବା ରୁ ସେନାର ପାଞ୍ଚ ଜଣ ଯବାନଙ୍କ ସହିଦ ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦେଶର ସୁରକ୍ଷା ପାଇଁ ପ୍ରତିରକ୍ଷା ବାହିନୀ ସର୍ବଦା ପ୍ରସ୍ତୁତି ଅଭ୍ୟାସ କରିଥାଏ।

ସହିଦ ଯବାନ ମାନଙ୍କ ବଳିଦାନ ଦେଶର ପ୍ରତିରକ୍ଷା କ୍ଷେତ୍ରରେ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ। ଦେଶବାସୀ ସେମାନଙ୍କ ବଳିଦାନକୁ କେବେ ଭୁଲିବେ ନାହିଁ।

ମୁଖ୍ୟମନ୍ତ୍ରୀ ସହିଦ୍ ଯବାନଙ୍କ ଅମର ଆତ୍ମା ର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାରଙ୍କ ପ୍ରତି ସମବେଦନା ଜଣାଇଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ: ରଥ ଯାତ୍ରା ପାଇଁ କଲେ ନିମନ୍ତ୍ରଣ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଦୁଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା ଆଜି ନୂଆ ଦିଲ୍ଲୀ ଠାରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନକଡଙ୍କୁ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଛନ୍ତି।

ଏହି ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଉଭୟ ରାଷ୍ଟ୍ରପତି ଓ ଉପ ରାଷ୍ଟ୍ରପତିଙ୍କୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରସିଦ୍ଧ ରଥ ଯାତ୍ରା ଦେଖିବା ପାଇଁ ଓଡ଼ିଶା ଆସିବାକୁ ଅନୁରୋଧ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଓ ଦୁଇ ଉପ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ସାକ୍ଷାତ କରି ଆଲୋଚନା କରିଛନ୍ତି। ଶପଥ ଗ୍ରହଣ ଉତ୍ସବ କୁ ପ୍ରଧାନମନ୍ତ୍ରୀ ନିଜେ ଆସି ଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଧନ୍ୟବାଦ ଜଣାଇବା ସହ କୃତଜ୍ଞତା ପ୍ରକାଶ କରିଥିଲେ। ଆଗାମୀ ଦିନରେ ଓଡ଼ିଶା ଗସ୍ତ କରିବାକୁ ସେ ପ୍ରଧାନ ମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିଲେ।

ମୁଖ୍ୟମନ୍ତ୍ରୀ ଓ ଦୁଇ ଉପ ମୁଖ୍ୟମନ୍ତ୍ରୀ ଅର୍ଥ ମନ୍ତ୍ରୀ ନିର୍ମଳା ସିଥାରମଣ, ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏବଂ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ସାକ୍ଷାତ କରି ଆଲୋଚନା କରିଛନ୍ତି।

ଆଲୋଚନାରେ ଏକ ବିକଶିତ ଓଡିଶା ଗଠନ ପାଇଁ ରୋଡ ମ୍ୟାପ ପ୍ରସ୍ତୁତ କରିବା ଉପରେ ଗୁରୁତ୍ବ ଦିଆ ଯାଇଥିଲା। ୨୦୩୬ ରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରୁଥିବାରୁ ତାକୁ ଦୃଷ୍ଟିରେ ରଖି ରୋଡ ମ୍ୟାପ ପ୍ରସ୍ତୁତ କରିବା ସମ୍ପର୍କରେ ଆଲୋଚନା ହୋଇଥିଲା।

ମୁଖ୍ୟମନ୍ତ୍ରୀ ଏହି ସବୁ କେନ୍ଦ୍ର ମନ୍ତ୍ରୀ ମାନଙ୍କୁ ମଧ୍ୟ ରଥ ଯାତ୍ରା ପାଇଁ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବଜ୍ରପାତ ଯୋଗୁଁ ୩ ମୃତ: ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବରଗଡ ଜିଲ୍ଲା ପଦ୍ମପୁର ଖଲିଆପଲି ଗ୍ରାମପଞ୍ଚାୟତ ଦୁଆନଡିହି ଗାଁରେ ବଜ୍ରପାତ ଯୋଗୁ ୩ ଜଣ ବ୍ୟକ୍ତିଙ୍କ ପ୍ରାଣ ହରାଇବା ଖବର ପାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହିତ ମୃତ ବ୍ୟକ୍ତିମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।

ଏହା ସହିତ ଗୁରୁତର ଆହତ ହୋଇଥିବା ବ୍ୟକ୍ତିମାନଙ୍କ ପାଇଁ ସଂପୂର୍ଣ୍ଣ ମାଗଣାରେ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଓ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଅଭିଯୋଗ ଶୁଣାଇଲା ବେଳେ ଅସୁସ୍ଥ ଅନୁଭବ କଲେ ମହିଳା: ନିଜ ହାତରେ ପାଣି ପିଆଇ ଆଶ୍ଵାସନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ସବୁଦିନ ପରି ଆଜି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ ରାଜ୍ୟ ଅତିଥି ଭବନ ପରିସରରେ ପ୍ରାୟ ଏକ ହଜାର ଲୋକଙ୍କ ସମାବେଶ। ସମସ୍ତେ ଅପେକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ସେମାନଙ୍କ ସମସ୍ୟା ଶୁଣିବେ ଓ ଅଭିଯୋଗ ପତ୍ର ଗ୍ରହଣ କରିବେ।

ସକାଳର ବ୍ୟସ୍ତ ବହୁଳ କାର୍ଯ୍ୟକ୍ରମ ପରେ ମଧ୍ୟାହ୍ନ ଠାରୁ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଇଁ ସମୟ ରଖିଥିଲେ। ଲୋକମାନେ ମଧ୍ୟ ଧାଡି ବାନ୍ଧି ଶୃଙ୍ଖଳିତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଅପେକ୍ଷା କରି ରହିଥିଲେ।

ମୁଖ୍ୟମନ୍ତ୍ରୀ ନିଜେ ଆସି ଜଣ ଜଣ କରି ଲୋକଙ୍କର ସମସ୍ୟା ଶୁଣିଥିଲେ  ଓ ଲୋକଙ୍କଠାରୁ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ। ସମସ୍ତଙ୍କ ସମସ୍ୟାକୁ ଗୁରତ୍ଵ ଦେଇ ମୁଖ୍ୟମନ୍ତ୍ରୀ ଶୁଣୁଥିଲେ।

ଲୋକଙ୍କ ମଧ୍ୟରୁ ନୟାଗଡ଼ରୁ ଆସିଥିବା ଉର୍ମିଳା ସାହୁ। ସମସ୍ୟା ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ କହିଲା ବେଳେ ଭାବବିହ୍ଵଳ ହୋଇ ଅସୁସ୍ଥ ଅନୁଭବ କଲେ। ମୁଖ୍ୟମନ୍ତ୍ରୀ ସଙ୍ଗେ ସଙ୍ଗେ ନିଜ ହାତରେ ତାଙ୍କୁ ପାଣି ପିଆଇ ପ୍ରକୃସ୍ଥିତ କଲେ।

ଦୃଷ୍ଟିବାଧିତ ବିଦ୍ୟାଳୟର କାର୍ଯ୍ୟରତ ଓ ଅବସରପ୍ରାପ୍ତ ଶିକ୍ଷକମାନେ ମଧ୍ୟ ଆସିଥିଲେ ସେମାନକର ସମସ୍ୟା ନେଇ। ମୁଖ୍ୟମନ୍ତ୍ରୀ ସେମାନଙ୍କ ସହ କଥା ହୋଇ ଯଥାଶୀଘ୍ର ତାଙ୍କ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ।

ସାଧାରଣ ଲୋକଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଏଭଳି ଆତ୍ମୀୟତା ଭରା ବ୍ୟବହାର ଦେଖି ଉର୍ମିଳା ସାହୁ ଏବଂ ଦୃଷ୍ଟିବାଧିତ ବିଦ୍ୟାଳୟର ଶିକ୍ଷକମାନଙ୍କ ଆଖିରୁ ଆନନ୍ଦାଶୃ ବୋହି ଯାଇଥିଲା।

ସାଧାରଣ ଲୋକଙ୍କ ସହିତ ବିଭିନ୍ନ ଅନୁଷ୍ଠାନ, ସଂଗଠନ, ଦିବ୍ୟାଙ୍ଗ ଆଦି ସବୁ ବର୍ଗର ଲୋକ ମୁଖ୍ୟମନ୍ତ୍ରୀଙ୍କୁ ଆଜି ଭେଟି ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ସେମାନଙ୍କ ସମସ୍ୟା ଶୁଣାଇଥିଲେ ଏବଂ ଅଭିଯୋଗ ପତ୍ର ମଧ୍ୟ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇ ସମସ୍ତଙ୍କ ମୁହଁରେ ଆଶା, ଭରଷା ଓ ବିଶ୍ଵାସର ଝଲକ ଦେଖିବାକୁ ମିଳୁଥିଲା।

କଟକ ଖ୍ରୀଷ୍ଟ କଲେଜିଏଟ ସ୍କୁଲର ଶିକ୍ଷକମାନଙ୍କ ସମସ୍ୟାର ହେଲା ତୁରନ୍ତ ସମାଧାନ

କଟକ ଖ୍ରୀଷ୍ଟ କଲେଜିଏଟ ସ୍କୁଲର ଶିକ୍ଷୟତ୍ରୀମାନେ ତିନି ମାସ ହେଲା ଦରମା ପାଉ ନଥିଲେ। କାରଣ ତାଙ୍କ ସ୍କୁଲରେ ପ୍ରଧାନ ଶିକ୍ଷୟତ୍ରୀ କେହି ନଥିଲେ। ସେମାନଙ୍କ ସମସ୍ୟା ବିଷୟରେ ମୁଖ୍ୟମନ୍ତ୍ରୀ ଜାଣିବା ପରେ ସେମାନଙ୍କର ସମସ୍ୟାର ସମାଧାନ ପାଇଁ ସଙ୍ଗେ ସଙ୍ଗେ ଶିକ୍ଷା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସେମାନଙ୍କର ଅସୁବିଧା ଦୂର ହେଲା। ଖୁବ ଶୀଘ୍ର ବରିଷ୍ଠତା ଭିତ୍ତିରେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ମିଳିବ ପ୍ରଧାନ ଶିକ୍ଷୟତ୍ରୀ ଦାୟିତ୍ଵ ଓ ସେମାନଙ୍କର ଦରମା ମଧ୍ୟ ନିୟମିତ ହେବ।

ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରି ସେମାନେ ଖୁସି ମନରେ ଫେରିଲେ।

Categories
ଆଜିର ଖବର ରାଜ୍ୟ ଖବର

ଅଖିଳ ଭାରତୀୟ ଅଘ୍ରିଆ ସମାଜର ପ୍ରତିନିଧିଙ୍କୁ ଜାଗା ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅଖିଳ ଭାରତୀୟ ଅଘ୍ରିଆ ସମାଜର ପ୍ରତିନିଧି ମାନେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି।

ସେମାନେ କହିଥିଲେ ଯେ ତାଙ୍କ ସମାଜର ବିଭିନ୍ନ କର୍ମ କର୍ତ୍ତା ଓ ବ୍ୟକ୍ତି ବିଶେଷ ଅନେକ କାମରେ ରାଜଧାନୀକୁ ଆସିଥାନ୍ତି। ଏଥିପାଇଁ ସେମାନଙ୍କୁ ଭୁବନେଶ୍ବରରେ ଏକ ଜାଗା ଆବଶ୍ୟକ । ପୂର୍ବ ସରକାର ଏଥିପାଇଁ ବ୍ୟବସ୍ଥା କରିଥିବା ବିଷୟରେ କହିଥିଲେ ମଧ୍ୟ ସେମାନେ କୌଣସି ଜାଗା ପାଇ ନାହାନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ଏଥିପାଇଁ ବ୍ୟବସ୍ଥା କରିବାକୁ ସେମାନେ ଅନୁରୋଧ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେମାନଙ୍କ ସମସ୍ୟା ବିଷୟରେ ଅନୁଧ୍ୟାନ କରାଯାଇ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯିବ। ମୁଖ୍ୟମନ୍ତ୍ରୀଙ୍କ ଆଶ୍ଵାସନା ପାଇ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ୍ ଦେବା ସହିତ କୃତଜ୍ଞତା ପ୍ରକାଶ କରିଥିଲେ।

ଏହି ଆଲୋଚନାରେ ଅଘ୍ରିଆ ସମାଜ ପକ୍ଷରୁ ପ୍ରାୟ ୫୦ ରୁ ଅଧିକ କର୍ମକର୍ତ୍ତା ଯୋଗ ଦେଇଥିଲେ। ସୁନ୍ଦରଗଡ଼, ବଲାଙ୍ଗୀର, କଳାହାଣ୍ଡି, ସମ୍ବଲପୁର, ଦେବଗଡ଼ ଆଦି ବିଭିନ୍ନ ଜିଲ୍ଲାରୁ ପ୍ରତିନିଧି ମାନେ ଆସିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ସଂକଳ୍ପ ପତ୍ରର ମୁଖ୍ୟ ପ୍ରତିଶ୍ରୁତିକୁ ଅନୁଧ୍ୟାନ କରି ପଦକ୍ଷେପ ନେବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଯୋଜନା ଓ ସଂଯୋଜନ ବିଭାଗର କାର୍ଯ୍ୟ ସମୀକ୍ଷା କରି ଏକ ଲୋକାଭିମୁଖୀ ବଜେଟ୍ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି।

ନୂଆ ସରକାରଙ୍କ ଉପରେ ଜନ ସାଧାରଣଙ୍କ ବହୁତ୍ ଆଶା ଆକାଂକ୍ଷା ଅଛି ବୋଲି ସେ ମତ ଦେବା ସହିତ ରାଜ୍ୟ ଯୋଜନା ବଜେଟ୍ ରେ ଏହା ପ୍ରତିଫଳିତ ହେବା ଆବଶ୍ୟକ ବୋଲି ସେ କହିଥିଲେ।

ଯୋଜନା ଗୁଡିକ ଯେପରି ତୃଣମୂଳ ସ୍ତରରେ ଠିକ୍ ଭାବରେ ପହଞ୍ଚିବ ଓ ଲୋକ ଏହାର ସୁଫଳ ପାଇବେ ସେ ଉପରେ ଗୁରୁତ୍ଵ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ବୈଠକରେ ମୁଖ୍ୟମନ୍ତ୍ରୀ ଖଣିଜ ପାଣ୍ଠିର ସୁବିନିଯୋଗ ଉପରେ ଗୁରୁତ୍ବ ଦେଇ ଏହି ପାଣ୍ଠି ସହାୟତାରେ ଖଣି ଅଞ୍ଚଳର ଜିଲ୍ଲା ଗୁଡ଼ିକରେ ଟ୍ରମା କେୟାର ସେଣ୍ଟର ପ୍ରତିଷ୍ଠା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବିଶେଷ କରି ଜିଲ୍ଲା ସ୍ଥିତ ମେଡିକାଲ କଲେଜ ଗୁଡ଼ିକରେ ଟ୍ରମା କେୟାର ସେଣ୍ଟର ପ୍ରତିଷ୍ଠା ଉପରେ ସେ ଗୁରୁତ୍ଵ ଦେଇଥିଲେ।

ଦଳର ସଂକଳ୍ପ ଅନୁଯାୟୀ ଉତ୍ତର ଓଡ଼ିଶା ଉନ୍ନୟନ ପରିଷଦ ଓ ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦ ଗଠନ ପାଇଁ ଟାସ୍କ ଫୋର୍ସ ପ୍ରସ୍ତୁତ କରି ଅନୁଧ୍ୟାନ କରି ପ୍ରସ୍ତାବ ଦେବାକୁ ସେ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।

ସେହିପରି ସଂକଳ୍ପ ପତ୍ରର ସବୁ ପ୍ରମୁଖ ପ୍ରତିଶ୍ରୁତି ଗୁଡ଼ିକୁ ଅନୁଧ୍ୟାନ କରି ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲେ।

ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଯୋଜନା ଓ ସଂଯୋଜନ ବିଭାଗର ବରିଷ୍ଠ ଅଧିକାରୀ ମାନଙ୍କ  ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ବିଭାଗର କାର୍ଯ୍ୟାବଳୀ ସମ୍ବନ୍ଧରେ ବିଶଦ ଭାବରେ ଅବଗତ କରାଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଜନ୍ମ ମାଟି ରାଇକଳାରେ ମୁଖ୍ୟମନ୍ତ୍ରୀ: ପିଲାଦିନର ସ୍ମୃତି ମନେପକାଇଲେ ହେଲେ ଭାବବିହ୍ୱଳ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନରେ ନିଜ ଜନ୍ମ ମାଟି ରାଇକଳା ଓ ଝୁମ୍ପୁରାକୁ ଯାଇ ସାଙ୍ଗସାଥୀ ଓ ସ୍ଥାନୀୟ ଲୋକଙ୍କ ସହ ମିଶି ପିଲାଦିନର ସ୍ମୃତିକୁ ମନେ ପକାଇଥିଲେ। ଭାବବିହ୍ୱଳ ମଧ୍ୟ ହୋଇଥିଲେ।

ରାଇକଳାରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେ ଏଇ ଗାଁ ମାଟିର ପୁଅ। ଏଇ ଗାଁର ପିଲାମାନଙ୍କ ସହିତ ସେ ଖେଳିଛନ୍ତି, ବୁଲିଛନ୍ତି, ପର୍ବପର୍ବାଣୀ ପାଳନ କରିଛନ୍ତି। ଏଇ ଗାଁ ମାଟିର ପିଲାମାନଙ୍କ ସହଯୋଗରେ ସେ ଆଜି ସାରା ଓଡିଶାର ନେତୃତ୍ୱ ନେବାକୁ ସୁଯୋଗ ପାଇଛନ୍ତି। ତେଣୁ ଏବେ ସମୟ ଆସିଛି ସମସ୍ତେ ମିଶି ଗାଁର ବିକାଶ ପାଇଁ କାମ କରିବା। ଆପଣଙ୍କ ମୋହନ ଭାଇ ସବୁବେଳେ ଆପଣଙ୍କ ସାଥିରେ ଅଛି।

ଆଜି ସକାଳେ ମୁଖ୍ୟମନ୍ତ୍ରୀ ରାଇକଳାରୁ ଏକ ରୋଡ୍ ସୋ ରେ ଯାଇ ଝୁମ୍ପୁରାଠାରେ ପହଞ୍ଚିଥିଲେ। ଝୁମ୍ପୁରା ଏବଂ ଆଖପାଖର ହଜାର ହଜାର ଲୋକ ମୁଖ୍ୟମନ୍ତ୍ରୀଙ୍କୁ ବିଶାଳ ରୋଡ୍‌ ସୋ ଓ ଫୁଲ ପକାଇ ଜନ୍ମ ମାଟିକୁ ସ୍ୱାଗତ କରିଥିଲେ। ରାସ୍ତାର ଉଭୟ ପାର୍ଶ୍ୱରେ ପ୍ଲାକାର୍ଡ ଧରି ଠିଆ ହୋଇ ରହିଥିଲେ ହଜାର ହଜାର ଜନତା। ବୟସ୍କଙ୍କ ଠାରୁ ଆରମ୍ଭ କରି ଛୋଟ ପିଲା ପର୍ଯ୍ୟନ୍ତ ସମସ୍ତେ ଆସିଥିଲେ ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବାପାଇଁ। ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ପାଇଁ ସମସ୍ତଙ୍କ ମୁହଁରେ ଖୁସି ଅନୁଭୁତ ହେଉଥିଲା।

ହେଲିପ୍ୟାଡଠାରେ ଏବଂ ରୋଡ୍‌ ସୋ ରେ ସମସ୍ତଙ୍କୁ ହାତ ହଲାଇ ନମସ୍କାର କରି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଉଥିଲେ। ସ୍ଥାନେ ସ୍ଥାନେ ଲୋକଙ୍କଠୁ ଅଭିଯୋଗ ପତ୍ର ମଧ୍ୟ ଗ୍ରହଣ କରୁଥିଲେ।

ହେଲିପ୍ୟାଡଠାରେ ଅପେକ୍ଷା କରିଥିବା ଜଣେ ଦିବ୍ୟାଙ୍ଗଙ୍କ ପାଖକୁ ଯାଇ ତାଙ୍କଠାରୁ ଫୁଲ ତୋଡା ଗ୍ରହଣ କରି ହାତ ମିଶାଇଥିଲେ। ତାଙ୍କ ସମସ୍ୟା ଶୁଣିଥିଲେ।

ନିଜେ ପଢୁଥିବା ବିଦ୍ୟାଳୟକୁ ଯାଇଥିଲେ। ସହପାଠୀମାନଙ୍କ ସହିତ ମିଶିଥିଲେ ଓ ଫଟୋ ଉଠାଇଥିଲେ। ସବୁ ଜାଗାରେ ସାଧାରଣ ଲୋକ ମୁଖ୍ୟମନ୍ତ୍ରୀଙ୍କ ନିକଟତର ହେବାକୁ ସୁଯୋଗ ପାଉଥିଲେ। ବାସ୍ତବିକ୍ ଏଇଟା ତ ହେଉଛି ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ ପ୍ରକୃତ ପରିଚୟ। ଲୋକଙ୍କ ମୁଖ୍ୟମନ୍ତ୍ରୀ, ଲୋକଙ୍କ ସରକାର।

ଝୁମ୍ପୁରାଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ନିଜର ଅଭିଭାଷଣ ରଖି ସେ କହିଲେ ଯେ ୨୦୩୬ରେ ସ୍ୱତନ୍ତ୍ର ଓଡିଶା ଗଠନର ଶତବାର୍ଷିକୀ ପାଳନ ବେଳକୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଏକ ବିକଶିତ ରାଷ୍ଟ୍ର ହୋଇସାରିଥିବ, ଭାରତ ସହିତ ତାଳ ଦେଇ ଓଡିଶା ମଧ୍ୟ ବିକଶିତ ରାଜ୍ୟରେ ପରିଣତ ହେବ । ଏଥିପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆପଣମାନେ ଯେଉଁ ପରିବର୍ତ୍ତନ ଆଣିଛନ୍ତି ତା’ର ସୁଫଳ ଆପଣମାନେ ନିଶ୍ଚିତ ପାଇବେ। ଆମେ ଯେଉଁ ପ୍ରତିଶୃତି ଦେଇଥିଲୁ ତାହା ନିଶ୍ଚୟ ପାଳନ କରିବୁ। ଶପଥ ନେବାର ଦୁଇ ଘଣ୍ଟା ମଧ୍ୟରେ କ୍ୟାବିନେଟ ଡାକି ନିଷ୍ପତ୍ତି କଲୁ। ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲାଗଲା। ମନ୍ଦିରର ଉନ୍ନତି ପାଇଁ ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ କରାଗଲା। ମା’ମାନଙ୍କୁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କାର ଭାଉଚର, ଚାଷୀମାନଙ୍କୁ ଧାନ ପାଇଁ ୩୧୦୦ ଟଙ୍କାର ସହାୟକ ମୂଲ୍ୟ ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି। ୧୦୦ ଦିନ ଭିତରେ କାର୍ଯ୍ୟକାରୀ ହେବ।

କେନ୍ଦୁଝର ମାଟିର ଗୁଣଗାନ କରି ସେ କହିଲେ ଯେ ଏହା ହେଉଛି ବିପ୍ଳବୀ ଧରଣୀଧରଙ୍କ ମାଟି। ଏ ମାଟିର ପିଲା ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ଲଢେଇ କରିବା ଜାଣିଛି। ଲଢେଇ ନକଲେ ଆମେ ଜୀବନରେ ଆତ୍ମସମ୍ମାନର ସହ ଆଗକୁ ବଢି ପାରିବା ନାହିଁ ବୋଲି ସେ କହିଥିଲେ।

ସେ କହିଥିଲେ ଯେ କେନ୍ଦୁଝର ମାଟିରୁ ଖଣି ଲୁଟ୍ ଓ ଶୋଷଣ ବନ୍ଦ ହେବ। କେନ୍ଦୁଝରର ବିକାଶ ପାଇଁ ବହୁତ ଟଙ୍କା ଅଛି। ଇଚ୍ଛା ଶକ୍ତିର ଅଭାବ ଥିଲା। ତାହା ଆଜି ପୂରଣ ହୋଇଛି। ଖଣିଜ ସମ୍ପଦର ସୁବିନିଯୋଗ କରାଯାଇ ସୁନାର କେନ୍ଦୁଝର ପ୍ରତିଷ୍ଠା କରାଯିବ ବୋଲି ସେ କହିଥିଲେ।

ନିଜ ପିଲା ଦିନର ସ୍ମୃତିକୁ ଉଜ୍ଜୀବିତ କରି ସେ କହିଲେ ଯେ ଏହି ଝୁମ୍ପୁରା ହାଟକୁ ସେ ମା’ଙ୍କ ସହିତ ପ୍ରତି ହାଟ ପାଳିରେ ଆସୁଥିଲେ। ସେ ସ୍ମୃତି ଆଜି ତାଙ୍କର ପୁଣିଥରେ ତାଜା ହୋଇଥିଲା ଓ ତାଙ୍କୁ ଭାବପ୍ରବଣ କରିଥିଲା। ସେ କହିଥିଲେ ଯେ ଏ ମାଟିରେ ମୁଁ ପାଠ ପଢିଛି, ପାଠ ବି ପଢାଇଛି। ଏ ମାଟିର ସମସ୍ତଙ୍କ ସହିତ ମୋର ଭାବଗତ ସମ୍ପର୍କ ଅଛି। ଆପଣମାନେ ଯେତେବେଳେ ମୋତେ ଚାହିଁବେ, ମୋତେ ଭେଟି ପାରିବେ। କୌଣସି ଅସୁବିଧା ନାହିଁ। ଆପଣଙ୍କ ମୋହନ ଭାଇ ଆଜି ସାରା ଓଡିଶାର ନେତୃତ୍ୱ ନେଇଛି। ଗାଁର ହେଉ ବା ନିଜ ଜିଲ୍ଲାର ହେଉ ବା ସାରା ଓଡିଶାର- ଲୋକଙ୍କ ପାଇଁ ମୋ ପାଖରେ ସବୁବେଳେ ସମୟ ଅଛି। ମୋ ସରକାର ହେଉଛି ଲୋକଙ୍କ ସରକାର।

Categories
ବିଶେଷ ଖବର ରାଜ୍ୟ ଖବର

ନିଜ ଜିଲ୍ଲା ଗସ୍ତରେରେ ମୁଖ୍ୟମନ୍ତ୍ରୀ: କହିଲେ, କେନ୍ଦୁଝରକୁ ସୁନାର କେନ୍ଦୁଝର କରିବା ପାଇଁ ପାଇଁ ନିଆଯିବ ପଦକ୍ଷେପ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଆଜି ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇଦିନିଆ କେନ୍ଦୁଝର ଗସ୍ତ ରେ ଆସିଛନ୍ତି। ପ୍ରଥମେ ଘଟଗାଁ ଠାରେ ମା ତାରିଣୀ ଙ୍କ ଆଶିର୍ବାଦ କାର୍ଯ୍ୟକ୍ରମ ରହିଥିଲା। ଘଟଗାଁ ହାଇସ୍କୁଲ ପଡିଆ ରେ ବୁଲି ବୁଲି ଲୋକଙ୍କ ସହ ମିଶିଥିଲେ।

ସେଠାରୁ ଜନସାଧାରଣ ଏକ ବିଶାଳ ରୋଡ ସୋ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ମନ୍ଦିର ପର୍ଯ୍ୟନ୍ତ ପାଛୋଟି ନେଇଥିଲେ। ରାସ୍ତା ର ଉଭୟ ପାର୍ଶ୍ଵ ରେ ହଜାର ହଜାର ଜନତା ଫୁଲ ପକାଇ ମୁଖ୍ୟମନ୍ତ୍ରୀ ଙ୍କୁ ଜିଲ୍ଲା କୁ ସ୍ୱାଗତ କରିଥଲେ। ଗାଡି ଆଗରେ ଏବଂ ପଛରେ ଚାଲିଥିଲେ ହଜାର ହଜାର ଜନତା। ମୋହନ ମାଝୀ ଜିନ୍ଦାବାଦ ନାରା ରେ ପ୍ରକମ୍ପିତ ହେଉଥିଲା ମୁଖ୍ୟମନ୍ତ୍ରୀ ଙ୍କ ଶୋଭାଯାତ୍ରା।

ସାଧାରଣ ଲୋକ ଙ୍କ ଭାବାବେଗ ଓ ଉତ୍ସାହ ପ୍ରମାଣିତ କରୁଥିଲା ମୋହନ ମାଝୀ ହେଉଛନ୍ତି ଲୋକଙ୍କ ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ମା ତାରିଣୀ ଙ୍କ ମନ୍ଦିର ଯାଇ ପୂଜାର୍ଚ୍ଚନା କରି ମା ଙ୍କ ଆଶିର୍ବାଦ ନେଇଥିଲେ। ମନ୍ଦିର ପରିସର ରେ ସମାଜ ସେବୀ ଭୀମସେନ ରାଉତ ଓ ରାଜା ଗୋବିନ୍ଦ ଭଞ୍ଜ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ମନ୍ଦିର ବାହାରେ ଏକ ସାଧାରଣ ଲୋକ ପରି ନଡ଼ିଆ କୋରା, ମା ଙ୍କ ଫଟୋ ଓ ଭୋଗ ସାମଗ୍ରୀ ନିଜେ ପଇସା ଦେଇ କିଣିଥିଲେ। ଦୋକାନୀ ଅଧିର ଦାସ ଙ୍କ ଭଲ ମନ୍ଦ ପଚାରି ବୁଝି ଥିଲେ। ଅଧିର ଦାସ ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ପାଇ ଆଶ୍ଚର୍ଯ୍ୟ ହୋଇଯାଇ ଥିଲେ ଏବଂ କହିଥିଲେ ମୋ ଭଳି ଗୋଟେ ସାଧାରଣ ଲୋକ ଓ ଏକ ସାଧାରଣ ଦୋକାନ କୁ ମୁଖ୍ୟମନ୍ତ୍ରୀ ଆସିବେ ବୋଲି ମୁଁ କେବେ କଳ୍ପନା କରି ନଥିଲି।

ଲୋକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଏତେ ସାଧାରଣ ଭାବରେ ମିଶିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରୁଥାଏ। ରୋଡ ସୋ ରେ ଏବଂ ମନ୍ଦିର ପାଖରେ ଲୋକଙ୍କ ଅଭିଯୋଗ ପତ୍ର ମଧ୍ୟ
ଗ୍ରହଣ କରୁଥାନ୍ତି ମୁଖ୍ୟମନ୍ତ୍ରୀ।

ମାଙ୍କ ଦର୍ଶନ ସାରି ଫେରିବା ବେଳେ ଗଣମାଧ୍ୟମ କୁ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ କହିଲେ ଯେ, ପୂର୍ବ ସରକାର ର ମୁଖ୍ୟମନ୍ତ୍ରୀ ଲୋକଙ୍କ ସହ ମିଶୁନଥିଲେ, ମୁ ଗୋଟେ ସାଧାରଣ ଗରିବ ଘରୁ ଆସିଛି, ସରପଞ୍ଚ ଭାବେ ରାଜନୈତିକ ଯାତ୍ରା ଆରମ୍ଭ କରି ଆଜି ମୁଖ୍ୟମନ୍ତ୍ରୀ ହୋଇଛି ତେଣୁ ଗରିବଙ୍କୁ ଚିହ୍ନିବା ଓ ଗରିବର ସମସ୍ୟା ଜାଣିବାରେ ମୋର ଅସୁବିଧା ନାହିଁ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ଯ କହିଥିଲେ ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ଘଟଗାଁକୁ ସ୍ଵତନ୍ତ୍ର ପର୍ଯ୍ୟଟନ କ୍ଷେତ୍ର ମାନ୍ୟତା ଦିଆଯିବା ସହିତ ଜାତୀୟ ପର୍ଯ୍ୟଟନ କ୍ଷେତ୍ର ର ମାନ୍ୟତା ପାଇଁ କେନ୍ଦ୍ର ସରକାର ଙ୍କୁ ଅନୁରୋଧ କରାଯିବ। ଏବେ ମା ଙ୍କ ମନ୍ଦିର ବିକାଶ ପାଇଁ ୫୦ କୋଟି ଟଙ୍କା ର କାମ ଚାଲିଛି। ଏହା ପର୍ଯ୍ୟାପ୍ତ ନୁହେଁ, ମା ଙ୍କ ମନ୍ଦିର ପାଇଁ ମୁଖ୍ୟମନ୍ତ୍ରୀ ଆଉ ୫୦ କୋଟି ର ଅନୁଦାନ ଘୋଷଣା କରିଥଲେ। ଏବେ ୧୦୦ କୋଟି ଟଙ୍କା ରେ ମା ଙ୍କ ମନ୍ଦିର ବିକାଶ କାମ ଚାଲିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେ ଆହୁରି ମଧ୍ଯ କହିଲେ ଯେ, ଖଣି ଖାଦାନ, ବୈତରଣୀ ଓ ମା ତାରିଣୀ ଙ୍କ ଆଶିର୍ବାଦ କେନ୍ଦୁଝର କୁ ସମୃଦ୍ଧ କରିଛି। ଆଗାମୀ ଦିନରେ ରାଜ୍ୟ ସରକାର ଙ୍କ ପ୍ରଚେଷ୍ଟା ରେ କେନ୍ଦୁଝର ହେବ ସୁନାର କେନ୍ଦୁଝର ବୋଲି ସେ କହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି: ବିଭିନ୍ନ ନିଗମର ଅଧ୍ୟକ୍ଷମାନଙ୍କୁ ଦାୟିତ୍ଵରୁ ଦିଆଗଲା ଅବ୍ୟାହତି

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସରକାରୀ ନିଗମରେ ପୂର୍ବ ସରକାରଙ୍କ ସମୟରେ ଅଧ୍ୟକ୍ଷ ମାନଙ୍କୁ ନିଯୁକ୍ତି ଦିଆ ଯାଇଥିଲା।

ଏହି ଅଧ୍ୟକ୍ଷ ମାନଙ୍କ ଯୋଗୁ ନିଗମ ଗୁଡ଼ିକର ପରିଚାଳନାରେ କୌଣସି ଗୁଣାତ୍ମକ ଉନ୍ନତି ପରିଲକ୍ଷିତ ହେଉ ନ ଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେମାନଙ୍କୁ ଦାୟିତ୍ଵରୁ ଅବ୍ୟାହତି ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ପ୍ରାକ୍ ବଜେଟ ବୈଠକରେ ଯୋଗଦେବେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ 

ଭୁବନେଶ୍ୱର: କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ଅର୍ଥ ମନ୍ତ୍ରୀ ମାନଙ୍କର ପ୍ରାକ୍ ବଜେଟ୍ ବୈଠକ ଓ ଜି. ଏସ. ଟି କାଉନସିଲ ବୈଠକରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗ ଦେବେ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କାର୍ଯ୍ୟ ବ୍ୟସ୍ତତା ଯୋଗୁ ତାଙ୍କ ପରାମର୍ଶ କ୍ରମେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କୁ ଏହି ବୈଠକରେ ଯୋଗଦେବେ।

ଜୁନ ୨୨ ତାରିଖ ଦିନ ନୂଆ ଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଏହି ବୈଠକ ଅନୁଷ୍ଠିତ ହେବ।

Categories
ବିଶେଷ ଖବର ରାଜ୍ୟ ଖବର

ବୃତ୍ତିଗତ ଦକ୍ଷତା ବୃଦ୍ଧି କରିବା ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ରାଜ୍ୟ ଅତିଥି ଭବନ ଠାରେ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ, ନିର୍ଦ୍ଦେଶକ ସରୋଜ କୁମାର ସାମଲ ଏବଂ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଭେଟି ବିଭାଗୀୟ କାର୍ଯ୍ୟାବଳୀ ବିଷୟରେ ସୂଚନା ପ୍ରଦାନ କରିଥିଲେ।

ଆଲୋଚନାରେ ବିଭାଗରେ ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପୂରଣ ସମେତ ସାମ୍ବାଦିକଙ୍କ କଲ୍ୟାଣ ପାଇଁ ନିଆଯାଉଥିବା ପଦକ୍ଷେପ, ବଜେଟ ବ୍ୟବସ୍ଥା, ଜିଲ୍ଲା ସ୍ତରୀୟ କାର୍ଯ୍ୟଳୟ କୁ ଅଧିକ ସୁଦୃଢ କରିବା, ସାମାଜିକ ଗଣମାଧ୍ୟମ, ତଥା ଅନ୍ୟାନ୍ୟ ଗୁରୁତ୍ଵ ପୂର୍ଣ୍ଣ ବିଷୟ ଗୁଡ଼ିକ ଉପରେ ଆଲୋଚନା ହୋଇଥିଲା।

ଲୋକଙ୍କ ସରକାର ଓ ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ପ୍ରତିପାଦିତ ହୋଇଥିବା ନୂଆ ସରକାରରେ ସରକାରଙ୍କ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମ ଓ କଲ୍ୟାଣକାରୀ ଯୋଜନା ଗୁଡିକ ସଠିକ୍ ଭାବେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗୁରୁତ୍ଵ ଦେବାସହ ବୃତ୍ତିଗତ ଦକ୍ଷତା ବୃଦ୍ଧି କରିବା ପାଇଁ ସେ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ।

ଖାଲି ପଡ଼ିଥିବା ପଦବୀ ଗୁଡ଼ିକ ଶୀଘ୍ର ପୂରଣ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ଵ ଆରୋପ କରିଥିଲେ।

ବୈଠକରେ ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ର ନାଥ ପରିଡ଼ା, ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ଯୁଗ୍ମ ନିର୍ଦ୍ଦେଶକ ଗୁରବିର ସିଂ, ଅର୍ଥ ପରାମର୍ଶ ଦାତା ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

୧୪ଟି ଖରିଫ୍ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଧାନ ଓ କପା ସହିତ ୧୪ଟି ଖରିଫ୍ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ପ୍ରସ୍ତାବ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି।

ଦେଶର କୃଷକ ଭାଇ ଭଉଣୀ ଙ୍କ ସାମୁହିକ ସ୍ବାର୍ଥ କୁ ଦୃଷ୍ଟି ରେ ରଖି ପ୍ରଧାନମନ୍ତ୍ରୀଙ୍କ ଏହି ନିଷ୍ପତ୍ତି କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସ୍ବାଗତ କରିବା ସହ ଧନ୍ୟବାଦ ଦେଇଛନ୍ତି ।

ଏହାଦ୍ବାରା ଓଡ଼ିଶାର କୃଷକ ମାନେ ବିଶେଷ ଭାବେ ଉପକୃତ ହେବେ ବୋଲି ସେ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ପି.ଏମ.କିଷାନ ସମ୍ମାନ ନିଧି ଯୋଜନା ଅନ୍ତର୍ଗତ ଓଡ଼ିଶାର ୩୧.୬୨ ଲକ୍ଷ ଚାଷୀ ପାଇଲେ ୬୩୨.୪୮ କୋଟି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବରଗଡ ଗସ୍ତ କରି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ଉତ୍ସବରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଆଜି ଓଡିଶାର ୩୧.୬୨ ଲକ୍ଷ ଚାଷୀ ୬୩୨.୪୮ କୋଟି ଟଙ୍କା ପାଇଲେ। ପ୍ରତ୍ୟେକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ଲେଖାଏ ପ୍ରଦାନ କରାଯାଇଛି। ବାରଣାସୀରେ ଆୟୋଜିତ ରାଷ୍ଟ୍ରୀୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।

ବରଗଡରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ହଜାର ହଜାର ଲୋକଙ୍କ ଗହଣରେ ଏକ  ‘ରୋଡ ସୋ’ରେ ଯାଇକାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିଥିଲେ। ରାସ୍ତାରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସାରା ରାସ୍ତାରେ ଲୋକଙ୍କୁ ହାତ ହଲାଇ ଶୁଭେଚ୍ଛା ଜଣାଇଥିଲେ। ବିପୁଳ ଉତ୍ସାହରେ ଲୋକମାନେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ପ୍ଲାକାର୍ଡ ଧରି ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ । ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଲୋକଙ୍କ ଭିତରେ ବିପୁଳ ଉତ୍ସାହ ଦେଖିବାକୁ ମିଳିଥିଲା। ଲୋକଙ୍କ ଏହି ଅଭୁତପୂର୍ବ ଉତ୍ସାହ ଓ ସମ୍ବର୍ଦ୍ଧନା ଯୋଗୁ ମୁଖ୍ୟମନ୍ତ୍ରୀ ବରଗଡବାସୀଙ୍କୁ ଧନ୍ୟବାଦ ଦେଇଥିଲେ ଏବଂ ଖୁବଶୀଘ୍ର ପୁଣି ଥରେ ଆସିବେ ବୋଲି ପ୍ରତିଶୃତି ଦେଇଥିଲେ।

କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚ ପ୍ରଶଂସା କରି କହିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ହେଉଛନ୍ତି କୃଷକ ମାନଙ୍କର ପ୍ରକୃତ ବନ୍ଧୁ। ଚାଷୀମାନଙ୍କୁ ସବୁ ସହାୟତା DBT ମାଧ୍ୟମରେ ସିଧାସଳଖ ବ୍ୟାଙ୍କ ଖାତାରେ ପହଞ୍ଚୁଛି। ପ୍ରଧାନମନ୍ତ୍ରୀଙ୍କ ଏହି ଯୋଜନା କୃଷକ ମାନଙ୍କ ପାଇଁ ବିକାଶର ରାସ୍ତା ଖୋଲିଛି।

ସେ କହିଲେ ଯେ ଆଜି ପି.ଏମ.କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତିରେ ଆଜି କୃଷକ ମାନେ ପ୍ରତ୍ୟେକ ୨୦୦୦ ଟଙ୍କା ଲେଖାଏଁ ପାଇଲେ । ଓଡ଼ିଶାର ୩୧ ଲକ୍ଷ ୬୨ ହଜାର ଚାଷୀ ସମୁଦାୟ ୬୩୨ କୋଟି ୪୮ ଲକ୍ଷ ଟଙ୍କା ପାଇଲେ । ଏଥିପାଇଁ ସେ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀ ମାନଙ୍କୁ ହୃଦୟରୁ ଶୁଭେଚ୍ଛା ଜଣାଇଥିଲେ ।

ସେ ପୁଣି କହିଲେ  ଯେ ପ୍ରଧାନ ମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ଏକ କୃଷକ କଲ୍ୟାଣକାରୀ ପ୍ରଗତିଶୀଳ ତଥା କୃଷକଙ୍କୁ ମୁଖ୍ୟ ସ୍ରୋତରେ ସମ୍ମିଳିତ କରିବା ଭଳି ଯୋଜନା । କୃଷକର ବିକାଶ ଏବଂ ଦାରିଦ୍ର୍ୟତା ହ୍ରାସ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ ମୋଦୀ ସରକାର ଫେବୃଆରୀ ୨୦୧୯ ରେ ଏହି ଯୋଜନାକୁ କାର୍ଯ୍ୟକାରୀ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଲେ ଓଡ଼ିଶାରେ ଆମ ସରକାର ଆସିବାର ପ୍ରଥମ ଦିନରେ ହିଁ ମୋ କ୍ୟାବିନେଟ ଚାଷୀମାନଙ୍କଠାରୁ ଧାନ ସଂଗ୍ରହ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟକୁ ୩୧୦୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛି । ପୂର୍ବ ସରକାର ଦେଇଥିବା ପ୍ରତିଶୃତି ଅନୁଯାୟୀ, ୧୦୦ ଟଙ୍କା ବୋନସ୍‌ ଦେଲେନାହିଁ। ବରଂ କଟନି ଛଟନି ଆରମ୍ଭ କଲେ । ମୋ ସରକାର ଜନତାଙ୍କ ସରକାର।  ସାଧାରଣ ଲୋକଙ୍କ ପାଇଁ ଆମର ସବୁ ପ୍ରତିଶୃତି ପୂରଣ ହେବ।

ଆମ ରାଜ୍ୟରେ କୃଷକଙ୍କ ସଶକ୍ତିକରଣ ଏବଂ କଲ୍ୟାଣ ହେଉଛି ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ । ଆମ ରାଜ୍ୟ ସରକାର ଆଗାମୀ ଦିନରେ ଆହୁରି ଅନେକ କୃଷକଙ୍କ ପାଇଁ କେନ୍ଦ୍ର ସରକାର କରିଥିବା ବିକାଶମୂଳକ ଯୋଜନା ଏବଂ କାର୍ଯ୍ୟକ୍ରମ ରାଜ୍ୟରେ ଲାଗୁ କରିବାକୁ ଯୋଜନା ରଖିଛନ୍ତି । ସେ କହିଥିଲେ ଯେ ମୁଁ ଚାହୁଁଛି ଯେ କୌଣସି ଯୋଗ୍ୟ କୃଷକ ଏହି ଯୋଜନା ଅଧୀନରେ ଲାଭ ପାଇବାରୁ ବଞ୍ଚିତ ହେବେ ନାହିଁ । ଆଗାମୀ ୧୫ ଦିନ ମଧ୍ୟରେ ସବୁ ବଞ୍ଚିତ ଯୋଗ୍ୟ ଚାଷୀଙ୍କୁ ଏହି ଯୋଜନାରେ ସାମିଲ କରାଯିବ। ଆଗାମୀ କିସ୍ତିରେ ଆପଣମାନେ ଏହାର ସୁଫଳ ପାଇବେ।

ସେ କହିଥିଲେ ଯେ କୃଷକ ମାନେ ଆମର ଅନ୍ନ ଦାତା, ଆମର ବନ୍ଧୁ । ମୋ ରାଜ୍ୟ ଓଡିଶାର ଜନସଂଖ୍ୟାର ୭୦ ଭାଗ ହେଉଛନ୍ତି କୃଷକ ପରିବାରର ଲୋକ । ମୁଁ ମଧ୍ୟ ଏକ ସାଧାରଣ ପରିବାରରୁ ଆସିଛି । ସାଧାରଣ ଲୋକଙ୍କ ସମସ୍ୟା ମୁଁ ଜାଣିଛି ବୋଲି ସେ କହିଥିଲେ । ଆଗାମୀ ବଜେଟରେ ଆମେ ସାଧାରଣ ଲୋକଙ୍କ ମତାମତକୁ ସ୍ଥାନ ଦେବୁ। ଏଥିପାଇଁ ଖୁବଶୀଘ୍ର ଏକ ୱେବସାଇଟ ଖୋଲାଯିବ। ଆପଣଙ୍କ ମତ ଅନୁଯାୟୀ ବଜେଟ ପ୍ରସ୍ତୁତ କରାଯିବ।

ସେ ପୁଣି କହିଥିଲେ ଯେ ମୋ ସରକାର ଜନତାଙ୍କ  ସରକାର, ଯେତେବେଳେ ଆପଣ ଆପଣଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବେ, ନିଶ୍ଚୟ ପାଇବେ । ଗତ ୨୪ ବର୍ଷ ଧରି ଆପଣ ଆପଣଙ୍କ ସରକାରଙ୍କୁ ପାଖରେ ପାଉ ନ ଥିଲେ ବୋଲି ସେ କହିଥିଲେ ।

ସେ ପୁଣି କହିଥିଲେ ଯେ ମୋ ସରକାର ହେଉଛି ଗରିବ ଓ କୃଷକର ସରକାର । ତେଣୁ ରାଜ୍ୟରେ କୃଷି ଓ କୃଷକର ଭବିଷ୍ୟତ ପାଇଁ ମୋ ସରକାର ପ୍ରତିଶୃତିବଦ୍ଧ ।

ସମସ୍ତ କୃଷକ ଭାଇ ଓ ଭଉଣୀ ମାନେ ପିଏମ କିଷାନର ଏହି ସହାୟତା ରାଶିକୁ ଖରିଫ ଚାଷ କାମରେ ଉପଯୋଗ କରି ଲାଭବାନ ହୋଇପାରିବେ ବୋଲି ସେ ଆଶାପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସାଂସଦ ପ୍ରଦୀପ ପୁରୋହିତ, ବିଜେପୁର ବିଧାୟକ ସନତ ଗଡତିଆ, ବରଗଡ ବିଧାୟକ ଅଶ୍ବନୀ ଷଡଙ୍ଗୀ, ଅତାବିରା ବିଧାୟକ ଶ୍ରୀନିହାର ମହାନନ୍ଦ ଓ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ଏବଂ ଅନ୍ୟ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସାମାଜିକ ଗଣମାଧ୍ୟମରୁ ଖବର ପାଇ ପଦକ୍ଷେପ ନେଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କଣ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭଦ୍ରକ ଜିଲ୍ଲାର ବାବୁଲି ବାରିକଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇଦେବା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ଭଦ୍ରକ ଜିଲ୍ଲା ଚାନ୍ଦବାଲି ମାଧପୁର ଗ୍ରାମର ୧୪ ବର୍ଷର ବାଳକ ବାବୁଲି ବାରିକ ସ୍ନାୟୁଗତ ଜଟିଳରୋଗରେ ପୀଡ଼ିତ ଅଛନ୍ତି । ଗରିବ ପରିବାରର ବାବୁଲି ଅର୍ଥାଭାବରୁ ଚିକିତ୍ସିତ ହୋଇପାରୁ ନଥିଲେ । ଏ ବିଷୟରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ସାମାଜିକ ଗଣମାଧ୍ୟମ ଏବଂ ଅନ୍ୟ ଗଣମାଧ୍ୟମରୁ ଅବଗତ ହେବା ପରେ ଜିଲ୍ଲା ପ୍ରଶାସନକୁ ବାବୁଲିଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏଥି ସହିତ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ତାଙ୍କ ପରିବାରକୁ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏକ ଡାକ୍ତରୀ ଦଳ ବାବୁଲିଙ୍କ ଗ୍ରାମରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି । ସ୍ୱାସ୍ଥ୍ୟ ପରୀକ୍ଷା ପରେ ପରବର୍ତ୍ତୀ ଚିକିତ୍ସା ପାଇଁ ତାଙ୍କ କଟକ ଏସ୍‌ସିବି ମେଡିକାଲକୁ ନେବା ପାଇଁ ବ୍ୟବସ୍ଥା କରାଯାଇଛି।

ଜିଲ୍ଲା ପ୍ରଶାସନ ବାବୁଲିଙ୍କ ପରିବାରକୁ ସମସ୍ତ ଆନୁଷଙ୍ଗିକ ସହାୟତା ପ୍ରଦାନ କରିବାକୁ ଯୋଗାଯୋଗରେ ଅଛନ୍ତି।