Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆସନ୍ତା ଜାନୁଆରୀ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବ ପ୍ରବାସୀ ଭାରତୀୟ ଦିବସ

ନୂଆଦିଲ୍ଲୀ/ଭୁବନେଶ୍ଵର: ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଏସ୍ ଜୟଶଙ୍କର ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀରେ ମିଳିତ ଭାବେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ୱେବସାଇଟ୍ (pbdindia.gov.in)କୁ ଉନ୍ମୋଚନ କରିଛନ୍ତି। ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ ମଧ୍ୟ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ପ୍ରବାସୀ ଭାରତୀୟ ଦିବସ (ପିବିଡି) ସମ୍ମିଳନୀ ଭାରତ ସରକାରଙ୍କ ଏକ ପ୍ରମୁଖ କାର୍ଯ୍ୟକ୍ରମ। ବିଦେଶରେ ରହୁଥିବା ଭାରତୀୟ ପ୍ରବାସୀଙ୍କ ସହ ଯୋଗାଯୋଗ ଏବଂ ସମ୍ପର୍କ ସ୍ଥାପନ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିଥାଏ। ଓଡ଼ିଶା ସରକାରଙ୍କ ସହଯୋଗରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଆସନ୍ତା ୨୦୨୫ ଜାନୁଆରୀ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବ।

୨୦୨୫ ପାଇଁ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ବିଷୟବସ୍ତୁ ହେଉଛି ‘‘ଏକ ବିକଶିତ ଭାରତରେ ପ୍ରବାସୀଙ୍କ ଅବଦାନ’’। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଉଦଘାଟନ କରିବେ। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟର ମିଳିତ ସହଯୋଗରେ ପ୍ରବାସୀ ଭାରତୀୟ ଦିବସର ଏକ ଯୁବ ସଂସ୍କରଣ ଅନୁଷ୍ଠିତ ହେବ। ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଉଦଯାପନୀ ଅଧିବେଶନରେ ଅଧ୍ୟକ୍ଷତା କରିବା ସହ ପ୍ରବାସୀ ଭାରତୀୟ ସମ୍ମାନ ପ୍ରଦାନ କରିବେ।

ୱେବସାଇଟର ଉନ୍ମୋଚନ ସହ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଅଂଶଗ୍ରହଣ ପାଇଁ ଅନଲାଇନ ପଞ୍ଜୀକରଣ ଆରମ୍ଭ ହୋଇଛି। ଏହି ୱେବସାଇଟ ଓଡ଼ିଶାରେ ରହିବା ପାଇଁ ରିଜର୍ଭେସନ ସୁବିଧା ପ୍ରଦାନ କରିବ ଏବଂ ପ୍ରବାସୀ ଭାରତୀୟ ଦିବସ ୨୦୨୫ ବିଷୟରେ ବିସ୍ତୃତ ସୂଚନା ପ୍ରଦାନ କରିବ।

ୱେବସାଇଟକୁ ଉନ୍ମୋଚନ କରିବା ଅବସରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରେରଣାଦାୟୀ ନେତୃତ୍ୱରେ ଭାରତ ସରକାର ୩୫ ନିୟୁତରୁ ଅଧିକ ପ୍ରଭାବଶାଳୀ ଭାରତୀୟ ପ୍ରବାସୀଙ୍କ କଲ୍ୟାଣକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଛନ୍ତି। ବିଦେଶ ଗସ୍ତ ସମୟରେ ପ୍ରବାସୀ ଭାରତୀୟଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ନିୟମିତ ବାର୍ତ୍ତାଳାପ କରିଛନ୍ତି। ଭାରତର ବିକାଶ ଧାରା ପ୍ରତି ପ୍ରବାସୀଙ୍କ ଅତୁଟ ସମର୍ଥନ ଭାରତ ଏବଂ ଏହାର ବିଶ୍ୱ ସମୁଦାୟ ମଧ୍ୟରେ ଥିବା ଦୃଢ଼ ସମ୍ପର୍କର ପ୍ରମାଣ। ଭାରତୀୟ ପ୍ରବାସୀ ମାନେ ଏକ ବିକଶିତ ଭାରତ ଅଭିମୁଖେ ଭାରତର ଅଗ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଥିଲେ।

ଓଡ଼ିଶା ଗସ୍ତରେ ଆସୁଥିବା ପ୍ରବାସୀ ଭାରତୀୟଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଗତ କରିଛନ୍ତି। ପ୍ରବାସୀମାନେ ଓଡ଼ିଶାର ସମୃଦ୍ଧ ଐତିହାସିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଐତିହ୍ୟର ପ୍ରତ୍ୟକ୍ଷ ଅନୁଭୂତି ହାସଲ କରିପାରିବେ ବୋଲି ସେ ଆଶା ବ୍ୟକ୍ତ କରିଥିଲେ। ପ୍ରବାସୀ ଭାରତୀୟ ଦିବସ ୨୦୨୫ରେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଉତ୍ସାହିତ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ମାଣବସା ଗୁରୁବାରରେ ମାଣ୍ଡିଆକୁ ଭୋଗ କରିବା ପାଇଁ ମା’ମାନଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ କନ୍‌ଭେନ୍‌ସନ ସେଣ୍ଟର ଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଆୟୋଜିତ ଦୁଇ ଦିନିଆ ‘ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀ’କୁ ଉଦ୍‌ଘାଟନ କରି ରାଜ୍ୟରେ ମିଲେଟ ଜାତୀୟ ଫସଲର ଉତ୍ପାଦନ ଏବଂ ବ୍ୟବହାରକୁ ବୃଦ୍ଧି କରିବା ସହ ଓଡ଼ିଶାକୁ ଭାରତର ମିଲେଟ ହବ୍ ରେ ପରିଣତ କରାଯିବ । ଏଥିପାଇଁ ଚଳିତ ବର୍ଷ ବଜେଟରେ ୬୪୯ କୋଟି ଟଙ୍କାର ପ୍ରାବଧାନ କରାଯାଇଛି ବୋଲି ସେ କହିଥିଲେ।

ଏହା ସହିତ ମାଣବସା ଗୁରୁବାରରେ ମାଣ୍ଡିଆକୁ ଭୋଗ ଲାଗି କରିବା ପାଇଁ ମୁଖ୍ୟମନ୍ତ୍ରୀ ମା’ମାନଙ୍କୁ ଅନୁରୋଧ କରିଥିଲେ। ସୂଚନାଯୋଗ୍ୟ ଯେ, ବିସ୍ମୃତ ଖାଦ୍ୟଶସ୍ୟର ପୁନରୁଦ୍ଧାର ପାଇଁ ଆୟୋଜିତ ଏହି ସମ୍ମିଳନୀରେ ମିଳିତ ଜାତିସଂଘର ପ୍ରତିନିଧି, କୃଷି ବିଜ୍ଞାନୀ, ଗବେଷକ, ବିଶେଷଜ୍ଞ, ବୁଦ୍ଧିଜୀବୀ, ବିଭିନ୍ନ ଜିଲ୍ଲାର କୃଷକ ଓ ଅଗ୍ରଣୀ ମହିଳା ଚାଷୀମାନେ ଯୋଗ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ କହିଛନ୍ତି ଯେ, ପୁଷ୍ଟିଶସ୍ୟ ଓ ଚାଷ ପ୍ରଣାଳୀ ଆମ ଆଦିବାସୀ ଜନଜାତି ସମ୍ପ୍ରଦାୟଙ୍କ ଐତିହ୍ୟର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଛି। ପୁଷ୍ଟିଶସ୍ୟର ପ୍ରାଚୀନତା ଏବଂ ଆମ ସଂସ୍କୃତି ଓ ଐତିହ୍ୟ ସହିତ ଏହାର ନିବିଡତାକୁ ଦୃଷ୍ଟିରେ ରଖି ଆମ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହାକୁ ‘ଶ୍ରୀଅନ୍ନ’ ଭାବେ ନାମିତ କରିଛନ୍ତି।

ପୁଷ୍ଟିଶସ୍ୟ ବା ଶ୍ରୀ ଅନ୍ନ ଜାତୀୟ ଫସଲ ଆମ ରାଜ୍ୟ କୃଷିର ଏକ ଅଭିନ୍ନ ଅଂଶବିଶେଷ। ଜଳବାୟୁ ସହିଷ୍ଣୁତା ଗୁଣ ସହ ମାଣ୍ଡିଆ ଏବଂ ଅନ୍ୟାନ୍ୟ ପୁଷ୍ଟିଶସ୍ୟ ଗୁଡିକ ପୁଷ୍ଟି ଏବଂ ଖାଦ୍ୟ ସୁରକ୍ଷା ଦୃଷ୍ଟିକୋଣରୁ ଗରୁତ୍ୱପୂର୍ଣ୍ଣ ଅଟେ। ଅବିଭକ୍ତ କୋରାପୁଟ ଜିଲ୍ଲାରୁ ଆରମ୍ଭ ହୋଇଥିବା ଏହି ଶ୍ରୀଅନ୍ନ ଚାଷ ଆଜି ସାରା ଦେଶରେ ଏକ ବିପ୍ଳବର ରୂପ ନେଇଛି, ଏବଂ ଆଜି ସାରା ଓଡିଶାରେ ଶ୍ରୀଅନ୍ନ ଚାଷ ହେଉଛି। ପ୍ରାୟ ୧୭୭ ବ୍ଲକରେ ଏହି ଚାଷକୁ ସମ୍ପ୍ରସାରଣ କରାଯାଇଛି।

ପୁଷ୍ଟିଶସ୍ୟ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଭାରତରେ ପ୍ରାୟ ୧୪ ପ୍ରକାର ପୁଷ୍ଟିଶସ୍ୟ ଶ୍ରୀଅନ୍ନ ଭାବେ ମାନ୍ୟତା ପାଇଛି। ସେଥି ମଧ୍ୟରୁ ବାଜରା, ଜୱାର, ମାଣ୍ଡିଆ ସବୁଠାରୁ ଅଧିକ ଆଦୃତ। ଓଡିଶାରେ ମାଣ୍ଡିଆ ସବୁଠାରୁ ଅଧିକ ଉତ୍ପାଦନ ହେଉଥିବା ବେଳେ ସୁଆଁ, କାଙ୍ଗୁ, କୋଦ, ଜହ୍ନା ପରି ଅନ୍ୟାନ୍ୟ ପୁଷ୍ଟିଶସ୍ୟ ଫସଲ ମଧ୍ୟ ବହୁଳ ଭାବେ ଚାଷ କରାଯାଉଛି।

ଏହିସବୁ ପୁଷ୍ଟିଶସ୍ୟ ଗ୍ଲୁଟେନମୁକ୍ତ, ଅଧିକ ସ୍ନେହସାର, ଆଣ୍ଟି-ଅକ୍ସିଡାଣ୍ଟ ଏବଂ ବହୁତ କମ୍ ଗ୍ଲାଇସେମିକ୍ ସୂଚକାଙ୍କ ଧାରକ ହୋଇଥିବା ଯୋଗୁ ଏହା ମଧୁମେହ ରୋଗ ପ୍ରତିରୋଧ କରିବା ସହିତ ରକ୍ତ ଶର୍କରା ପରିଚାଳନାରେ ମଧ୍ୟ ସାହଯ୍ୟ କରିଥାଏ। ଶ୍ରୀଅନ୍ନ ଗୁଡିକ କର୍କଟ ରୋଗ, ରକ୍ତହୀନତା, ଭିଟାମିନ ‘ବି’ର ଅଭାବ ଦୂର କରିବା ଦିଗରେ ପ୍ରତିଷେଧକ ଭାବେ କାମ କରିଥାଏ। ଏହିସବୁ ଉତ୍କୃଷ୍ଟ ଗୁଣ ଯୋଗୁ ଶ୍ରୀଅନ୍ନ ଏକ ସୁପରଫୁଡର ମାନ୍ୟତା ପାଇଛି।

ବର୍ତ୍ତମାନ ଆମ ସରକାର ଶ୍ରୀଅନ୍ନ ର ଅଧିକ ଉତ୍ପାଦନ ପାଇଁ ଚାଷୀମାନଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇ ଦେଉଛନ୍ତି। ଆମକୁ ଏହାକୁ ଲୋକଙ୍କ ଦୈନନ୍ଦିନ ଖାଦ୍ୟ ଶୃଙ୍ଖଳା ମଧ୍ୟରେ ଅନ୍ତର୍ଭୁକ୍ତ କରିବାକୁ ପଡିବ। ମାଣ୍ଡିଆକୁ ସ୍ୱାଦିଷ୍ଟ କରିବା ପାଇଁ ନୂଆ ନୂଆ ପ୍ରକାର ବ୍ୟଞ୍ଜନ ଓ ନୂଆ ପ୍ରକାର ବ୍ୟଞ୍ଜନ ଶୈଳୀକୁ ଘରେ ଘରେ ପହଞ୍ଚାଇବା ପାଇଁ ଫୁଡ୍ ବ୍ଲଗରମାନଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ଓଡିଶାରେ ମାଣ୍ଡିଆ ଚାଷକୁ ଆମ ମହିଳା ଚାଷୀମାନେ ଏକ ଆନ୍ଦୋଳନରେ ପରିଣତ କରିଛନ୍ତି। ଓଡିଶା ମାଣ୍ଡିଆ ଆନ୍ଦୋଳନର ଦୁଇ ପ୍ରମୁଖ ମହିଳା ଚାଷୀ ହେଉଛନ୍ତି, କୋରାପୁଟ ଜିଲ୍ଲାର ରାଇମତୀ ଘୁରିଆ ଏବଂ ମୟୁରଭଞ୍ଜ ଜିଲ୍ଲାର ସୁବାଷା ମହନ୍ତ। ସେମାନେ ନିଜ ନିଜ ପ୍ରଚେଷ୍ଟାରେ ଏହାର ଅଭିବୃଦ୍ଧି କରିବା ସହିତ ମାଣ୍ଡିଆ କିପରି ଏକ ଚାଷୀର ଆର୍ଥିକ ଅବସ୍ଥାକୁ ବଦଳେଇ ଦେଇପାରେ ତାକୁ ପ୍ରମାଣ କରିଛନ୍ତି।

ପ୍ରଧାନମନ୍ତ୍ରୀ ଏହି ଦୁଇ ମହିଳାଙ୍କୁ ଜି-୨୦ ସମ୍ମିଳନୀରେ ଶ୍ରୀଅନ୍ନ ଚାଷର ବ୍ରାଣ୍ଡ ଆମ୍ବାସଡର କରିଥିଲେ। ପୋଷକତତ୍ତ୍ୱରେ ଭରପୁର ଏହି ବିଲୁପ୍ତପ୍ରାୟ ଖାଦ୍ୟର ପୁନରୁଦ୍ଧାର କରିବା ଦିଗରେ ଆମ ରାଜ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ବିସ୍ମୃତ ଖାଦ୍ୟର ପୁନରୁଦ୍ଧାର ସମ୍ପର୍କିତ ପୁସ୍ତକ ଉନ୍ମୋଚିତ ହେବା ସହିତ ମିଲେଟ ଉତ୍ପାଦନ କ୍ଷେତ୍ରରେ ଶ୍ରେଷ୍ଠତ୍ୱ ଅର୍ଜନ କରିଥିବା କୋରାପୁଟ, ସୁନ୍ଦରଗଡ ଏବଂ ରାୟଗଡା ଜିଲ୍ଲାପାଳଙ୍କୁ ପୁରସ୍କୃତ କରାଯାଇଥିଲା।

ଏଥି ସହିତ Best Millet Farmer ଭାବେ କଳାହାଣ୍ଡିର ସିତାରାମ କରକର୍ଲା, ଗଜପତିର ସାରଙ୍ଗ ସବର, ବଲାଙ୍ଗୀରର ଗୋଲାପ ବିଶି, Best Custodian Farmer ଭାବେ ନୂଆପଡାର ଲିଳାମ୍ବର ମାଝୀ, ସୁନ୍ଦରଗଡର ଜାକ୍ରିଆସ କଣ୍ଡୁଲନା ଓ ସମ୍ବଲପୁରର ଦେବବ୍ରତ ପ୍ରଧାନ, Best Forgotten Food Champion ଭାବେ କଳାହାଣ୍ଡିର କୌଶଲ୍ୟା ଗୌଡ, ବରଗଡର ରେଣୁକା ଦଂଶନ, ମୟୁରଭଞ୍ଜର ମଞ୍ଜୁଲତା ମହନ୍ତ ଏବଂ Special Awardee ଭାବେ କୋରାପୁଟର ହର୍ଷିତା ପ୍ରିୟଦର୍ଶିନୀ ମହାନ୍ତିଙ୍କୁ ପୁରସ୍କୃତ କରାଯାଇଥିଲା।ମୁଖ୍ୟମନ୍ତ୍ରୀ ଏହି ଅବସର ରେ ବିଲୁପ୍ତ ପ୍ରାୟ ଖାଦ୍ୟ ଶସ୍ୟ ଓ ବିଭିନ୍ନ ପ୍ରକାର ପୁଷ୍ଟି ଶସ୍ୟ ଉପରେ ଆୟୋଜିତ ଏକ ପ୍ରଦର୍ଶନୀ ଉଦ୍ଘାଟନ କରିଥିଲେ।

କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ କହିଥିଲେ ଯେ, ଆମ ଆଦିବାସୀ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ବିସ୍ମୃତ ଶସ୍ୟର ଉତ୍ପାଦନ କରି ଏହାକୁ ଖାଦ୍ୟ ରୂପେ ବ୍ୟବହାର କରୁଛନ୍ତି। ଆମେ ଖାଉଥିବା ଖାଦ୍ୟ ଠାରୁ ଏହା ଅଧିକ ପୋଷକ ଓ ଭିଟାମିନଯୁକ୍ତ। ପ୍ରଧାନମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ ମିଲେଟ ଜାତୀୟ ଶସ୍ୟର ପୁନରୁଦ୍ଧାର ହୋଇଛି। ଆମ ସମସ୍ତଙ୍କୁ ଏହି ପୋଷକଯୁକ୍ତ ଖାଦ୍ୟକୁ ଆମ ଖାଦ୍ୟ ଶୃଙ୍ଖଳରେ ସାମିଲ କରିବାକୁ ପଡିବ।

ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା କହିଥିଲେ ଯେ, ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ କୃଷି ବିବିଧକରଣର ଆବଶ୍ୟକତା ବଢିଛି। ଶ୍ରୀଅନ୍ନକୁ ଭବିଷ୍ୟତର ଖାଦ୍ୟ ରୂପେ ଉଲ୍ଲେଖ କରି ଆଗାମୀ ଦିନରେ ଏହାର ବହୁଳ ବ୍ୟବହାର ଦୃଷ୍ଟିରୁ ପାରମ୍ପରିକ ପଦ୍ଧତି ସହ ବୈଜ୍ଞାନିକ ଜ୍ଞାନକୈଶଳ ଉପଯୋଗ କରିବା ଆବଶ୍ୟକ ବୋଲି ସେ କହିଥିଲେ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପୂର୍ବତନ ମୁଖ୍ୟ ବୈଜ୍ଞାନିକ ତଥା ଏମ୍‌ଏସ୍ ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନର ଅଧ୍ୟକ୍ଷ ଡ. ସୌମ୍ୟା ସ୍ୱାମୀନାଥନ କହିଥିଲେ ଯେ, ବିସ୍ମୃତ ଏବଂ କ୍ଷୁଦ୍ର ଶସ୍ୟ ପୁନରୁଦ୍ଧାର ପାଇଁ ଏହି ସମ୍ମିଳନୀ ଏକ ସମୟପଯୋଗୀ ପଦକ୍ଷେପ। ଓଡିଶାରେ ବିବିଧ ଖାଦ୍ୟ ରୁଚି ରହିଛି। ଯାହାର ଉଦାହରଣ ହେଉଛି ଶ୍ରୀଜଗନ୍ନାଥ ମନ୍ଦିରର ଛପନଭୋଗ।

ବିଶ୍ୱ ଖାଦ୍ୟ ଏବଂ କୃଷି ସଂଗଠନ ଦ୍ୱାରା ସ୍ୱୀକୃତିପ୍ରାପ୍ତ ହୋଇଥିବା ଦେଶର ଦୁଇଟି କୃଷି ଐତିହ୍ୟସ୍ଥଳ ମଧ୍ୟରେ ଓଡିଶାର କୋରାପୁଟ ସ୍ଥାନିତ ହୋଇଛି। ଅନ୍ୟଟି କେରଳ। ଓଡିଶାରେ ଶ୍ରୀଅନ୍ନର ଚାଷ ଓ ସଂରକ୍ଷଣ ପାଇଁ ମହିଳା ଚାଷୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବହୁ ଖାଦ୍ୟଗୁଣ, ଭିଟାମିନଯୁକ୍ତ ଏହି କ୍ଷୁଦ୍ର ଶସ୍ୟ ଗୁଡିକର ପ୍ରଚାର ପ୍ରସାର ଏବଂ ବହୁଳ ବ୍ୟବହାର ପାଇଁ ସମସ୍ତେ ଶ୍ରୀଅନ୍ନ ଅଭିଯାନରେ ଏକାଠି ହେବାକୁ ସେ ଆହ୍ୱାନ ଦେଇଥିଲେ।

ନୀତି ଆୟୋଗର ସଦସ୍ୟ ପ୍ରଫେସର ରମେଶ ଚାନ୍ଦ କହିଥିଲେ ଯେ, ଗ୍ରିନ ରିଭୋଲ୍ୟୁସନ ଆସିବା ଦ୍ୱାରା ସାରା ବିଶ୍ୱରେ ଖାଦ୍ୟ ପଦାର୍ଥ ଉପରେ ବ୍ୟାପକ ପରିବର୍ତ୍ତନ ଘଟିଛି। ଜୈବିକ କୃଷିକୁ ପ୍ରାଧାନ୍ୟ ଦିଆଯାଉଛି। ସମଗ୍ର ବିଶ୍ୱ ଆଜି ପୋଷଣକୁ ନେଇ ଚିନ୍ତିତ ଅଛି। ମିଲେଟ ଜାତୀୟ ଫସଲ ପ୍ରତି ଲୋକଙ୍କ ଆଗ୍ରହ ବଢିଛି। ମିଲେଟ ଉଭୟ ଭାରତ ଓ ଆଫ୍ରିକାରେ ଚାଷ ହୋଇଥାଏ। ଓଡିଶାରେ ମାଇନର ମିଲେଟର ଅଭିବୃଦ୍ଧି ପାଇଁ ଯାହାସବୁ ଆବଶ୍ୟକ ତାହା ରହିଛି। ଆମକୁ ଏହି ଚାଷକୁ ଆଗେଇ ନେବାକୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପଡିବ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢୀ ସ୍ୱାଗତ ଭାଷଣ ଦେଇଥିଲେ ଓ କୃଷି ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ ଧନ୍ୟବାଦ ଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ଉଚ୍ଚ ଶିକ୍ଷା କ୍ଷେତ୍ରରେ ଚଳିତ ଶିକ୍ଷା ବର୍ଷରୁ ପ୍ରଚଳନ ହେବ ଜାତୀୟ ଶିକ୍ଷା ନୀତି ୨୦୨୦

ଭୁବନେଶ୍ୱର: ଉଚ୍ଚ ଶିକ୍ଷା କ୍ଷେତ୍ରରେ ୨୦୨୪-୨୫ ଶିକ୍ଷା ବର୍ଷରେ ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟକାରୀ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ଓଡ଼ିଶା ସରକାର ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ଅନୁବନ୍ଧିତ ମହାବିଦ୍ୟାଳୟ ଗୁଡିକରେ ଏହି ନୂତନ ଶିକ୍ଷାନୀତି ପ୍ରବର୍ତ୍ତନ ପାଇଁ ଅନୁମୋଦନ ଦେଇଛନ୍ତି। ଏହି ପଦକ୍ଷେପ ରାଜ୍ୟର ଶିକ୍ଷା ପ୍ରଣାଳୀରେ ଅନେକ ପରିବର୍ତ୍ତନ ଆଣିବାକୁ ଉଦ୍ଦିଷ୍ଟ।

ନୂତନ ଶିକ୍ଷା ନୀତି-୨୦୨୦ ଅନୁସାରେ ଓଡିଶାରେ ଚାରି ବର୍ଷର ସ୍ନାତକ କୋର୍ସ ଆରମ୍ଭ ହେବାକୁ ଯାଉଛି, ଯେଉଁଥିରେ ପ୍ରତ୍ୟେକ ବର୍ଷ ପରେ ଯୋଗ୍ୟ ଛାତ୍ରମାନଙ୍କୁ  ସାର୍ଟିଫିକେଟ୍ , ଡିପ୍ଲୋମା , ଡିଗ୍ରି , ଏବଂ ଡିଗ୍ରି ଅନର୍ସ୍  ପ୍ରଦାନ କରା ଯିବ। ୟୂ.ଜି.ସି. ଦ୍ୱାରା ପ୍ରଦତ୍ତ କ୍ରେଡିଟ୍ ଫ୍ରେମ୍‌ୱର୍କ୍ ଆଧାରରେ  ରାଜ୍ୟସ୍ତରୀୟ କ୍ରେଡିଟ୍ ଫ୍ରେମ୍‌ୱର୍କ୍ ପ୍ରସ୍ତୁତ ହୋଇଅଛି ଏବଂ ଏଥିରେ ଦକ୍ଷତା ବିକାଶ ଏବଂ ଇଣ୍ଟର୍ଣ୍ଣସିପ ପାଇଁ ସୁଯୋଗ ପ୍ରଦାନ ସହିତ ଉପଯୁକ୍ତ କ୍ରେଡିଟ ପ୍ରଦାନ କରାଯାଇଅଛି। କମ୍ୟୁନିଟି ସର୍ଭିସ୍ ଓ extra curricular activities, ଏନ.ସି.ସି. ଏନ.ଏସ.ଏସ. ଇତ୍ୟାଦି  ପାଇଁ ମଧ୍ୟ କ୍ରେଡିଟ ପ୍ରଦାନ କରାଯିବ। ଏତଦ୍ୱାରା ଛାତ୍ର ଛାତ୍ରୀ ମାନେ ନିଜ ସ୍ୱେଛା ରେ ତାଙ୍କର ବିଷୟ ଗୁଡିକ ଚୟନ କରି ଏକାଧିକ ଥର ପାଇଁ ଉଚ୍ଚ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ପ୍ରବେଶ ଓ ପ୍ରସ୍ଥାନ ସହିତ ୭ ବର୍ଷ ଭିତରେ ତାଙ୍କର ଡିଗ୍ରୀ କୋର୍ସ କୁ ପୂର୍ଣ୍ଣ କରିପାରିବେ।

ନୂତନ ଶିକ୍ଷା ନୀତି 2020 ଅନୁସାରେ ଓଡିଶାର ଉଚ୍ଚ ଶିକ୍ଷା ବ୍ୟବସ୍ଥାକୁ ଅଧିକ ଗୁଣାତ୍ମକ, ସ୍ୱାୟତ୍ତ ଏବଂ ସମାବେଶୀ କରିବାକୁ ପଦକ୍ଷେପ ନିଆଯାଉଛି। ଏଥିରେ ଭିନ୍ନ ଯୋଜନାମାନଙ୍କ ମାଧ୍ୟମରେ ଅନୁସନ୍ଧାନ ଓ ନୂତନତାକୁ ବଢ଼ାଇବା, ପ୍ରାକ୍ଟିକାଲ୍ ଆଧାରିତ ଶିକ୍ଷାକୁ ଓ ଶିଳ୍ପ ସହିତ ଇଣ୍ଟର୍ନସିପ୍ ଆଦି ଦ୍ୱାରା ନିପୁଣତା ବଢ଼ାଇବା ଲକ୍ଷ୍ୟ କରାଯାଉଛି। ପାଠ୍ୟକ୍ରମକୁ ଅଧିକ ରୋଜଗାର ଭିତ୍ତିକ ଏବଂ ଶିଳ୍ପ ଆବଶ୍ୟକତା ଅନୁଯାୟୀ କରାଯିବ।

ଏଥିପାଇଁ ବର୍ତମାନ ରେ  ୪୦ଟି ସ୍ନାତକ  ମୂଳ ବିଷୟ ପାଇଁ ବିସ୍ତୃତ ମଡେଲ୍ ସିଲାବସ୍ ସହିତ ୨ଟି ଦକ୍ଷତା ବୃଦ୍ଧି ପାଠ୍ୟକ୍ରମ, ୧୧୨ଟି multi disciplinary ପାଠ୍ୟକ୍ରମ, ୧୪ଟି ଧନ୍ଦା ମୂଳକ ପାଠ୍ୟକ୍ରମ, ୫୬ଟି ମୂଲ୍ୟ ଯୁକ୍ତ ପାଠ୍ୟକ୍ରମ ଏବଂ ୮୪ଟି ଦକ୍ଷତା ବୃଦ୍ଧି ପାଠ୍ୟକ୍ରମ ଅନୁମୋଦନ କରାଯାଇଛି।

ଏହା ଦ୍ୱାରା  ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱ ବିଦ୍ୟାଳୟ ଗୁଡିକ ନୂତନ ସିଲାବସ୍ ଓ କ୍ରେଡିଟ୍ ଫ୍ରେମ୍‌ୱର୍କ୍  ଅନୁଯାୟୀ ଜାତୀୟ ଶିକ୍ଷାନୀତି ଲାଗୁ କରିପାରିବେ।

Categories
ଆଜିର ଖବର ରାଜ୍ୟ ଖବର

ହୋମ ଗାର୍ଡଙ୍କ ନିଯୁକ୍ତି ରହିତାଦେଶ ପ୍ରତ୍ୟାହୃତ, ଖୁବ୍ ଶୀଘ୍ର ଖାଲି ପଦବୀ ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ହୋମ ଗାର୍ଡଙ୍କ ନିଯୁକ୍ତି ଉପରେ ଥିବା ରହିତାଦେଶକୁ ପ୍ରତ୍ୟାହୃତ କରିଛନ୍ତି ରାଜ୍ୟ ସରକାର।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଏହି ରହିତାଦେଶ ପ୍ରତ୍ୟାହୃତ ହୋଇଛି।

ଏହାଦ୍ବାରା ରାଜ୍ୟରେ ଖାଲିଥିବା ହୋମ ଗାର୍ଡ ପଦବୀ ଖୁବ୍ ଶୀଘ୍ର ପୂରଣ ହୋଇ ପାରିବ।

ସୂଚନା ଯୋଗ୍ୟ ଯେ ରାଜ୍ୟରେ ସମୁଦାୟ ହୋମ ଗାର୍ଡ ପଦବୀ ସଂଖ୍ୟା ୧୭,୬୭୫ ଥିବା ବେଳେ ୧୫,୩୦୬ ଜଣ ହୋମ ଗାର୍ଡ କାର୍ଯ୍ୟରତ ଅଛନ୍ତି। ୨୩୬୯ ପଦବୀ ଖାଲି ଅଛି। ଏହି ନିଷ୍ପତ୍ତି ଦ୍ବାରା ଖାଲି ଥିବା ପଦବୀ ଗୁଡ଼ିକ ଆବଶ୍ୟକତା ଅନୁଯାୟୀ ପୂରଣ କରାଯାଇ ପାରିବ।

Categories
ଆଜିର ଖବର ରାଜ୍ୟ ଖବର

ପଦ୍ମ ବିଜେତାଙ୍କ ପାଇଁ ସମ୍ମାନ ସୂଚକ ସହାୟକ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ମିଳିବ ମାସିକ ୩୦ ହଜାର

ଭୁବନେଶ୍ୱର: ରାଜ୍ୟର ସମସ୍ତ ପଦ୍ମ ବିଜେତାଙ୍କୁ ମାସକୁ ମିଳିବ ୩୦ ହଜାର ଟଙ୍କାର ସହାୟତା ପ୍ରଦାନ ପାଇଁ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟର ସମସ୍ତ ୫୫ ଜଣ ଜୀବିତ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତି ମାସକୁ ୩୦ ହଜାର ଟଙ୍କା ଲେଖାଏଁ ସମ୍ମାନ ସୂଚକ ସହାୟକ ରାଶି ପାଇ ପାରିବେ।

ଏଥିପାଇଁ ବର୍ଷକୁ ୨ କୋଟି ଟଙ୍କା ଖର୍ଚ୍ଚ ହେବ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଖୁବ୍ ଶୀଘ୍ର ଆରମ୍ଭ ହେବ ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’

ଭୁବନେଶ୍ୱର: ଆମର ଅଧିକାଂଶ ଚାଷୀ କ୍ଷୁଦ୍ର, ମଧ୍ୟମ ଅଥବା ଭୂମିହୀନ ବର୍ଗର ଅଟନ୍ତି। କୃଷକମାନଙ୍କ ରୋଜଗାର ବୃଦ୍ଧି ପାଇଁ ସେମାନଙ୍କ ଆର୍ଥିକ ସ୍ବଚ୍ଛଳତା ସକାଶେ ପଶୁ ପାଳନ ସବୁଠାରୁ ପ୍ରକୃଷ୍ଟ ମାଧ୍ୟମ। କୃଷି କାର୍ଯ୍ୟ ସହିତ ଗାଇ, ଛେଳି, ମେଣ୍ଢା ଓ ମାଛ ଚାଷ ଆଦି କାର୍ଯ୍ୟରେ ସମ୍ପୃକ୍ତ ରହିଲେ ସେମାନେ ସ୍ବାବଲମ୍ବୀ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଓଡିଶା ରାଜ୍ୟ ଅଣଗେଜେଟେଡ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘର ୨୩ତମ ସାଧାରଣ ଅଧିବେଶନ ଅବସରରେ କହିଛନ୍ତି।

ଭୁବନେଶ୍ବର ଜୟଦେବ ଭବନ ଠାରେ ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟର ପ୍ରାଣୀ ସମ୍ପଦର ବିକାଶ କ୍ଷେତ୍ରରେ ପ୍ରାଣୀ ଚିକିତ୍ସା ବିଭାଗର କର୍ମଚାରୀ ମାନଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି। ଗ୍ରାମାଞ୍ଚଳଠୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ବିଶେଷ କରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରାଣୀଧନ ନିରୀକ୍ଷକ ଓ ବିଭାଗୀୟ ଅନ୍ୟ କର୍ମଚାରୀ ମାନେ ନିରନ୍ତର ଭାବେ ପ୍ରାଣୀ ସେବା ଯୋଗାଇଥାନ୍ତି। ଆମ ଏହି ବିଭାଗର କର୍ମଚାରୀ ମାନଙ୍କ ବୈଷୟିକ ଜ୍ଞାନ ଚାଷୀ ଭାଇ ମାନଙ୍କ ରୋଜଗାର ବୃଦ୍ଧି ପାଇଁ ଖୁବ୍ ସହାୟକ ହୋଇଥାଏ। ପ୍ରାଣୀ ପାଳନ ମନୁଷ୍ୟ ସମାଜର ସବୁଠାରୁ ପୁରାତନ ଜୀବିକା। ଆଜି ସମୟ ବଦଳି ଯାଇଛି, ମଣିଷ ସମାଜ ବର୍ତ୍ତମାନ ବିଭିନ୍ନ ପ୍ରକାର ବୃତ୍ତିଗତ ବ୍ୟବସାୟରେ ଜଡିତ ହୋଇ ଆଗକୁ ବଢୁଛି। କୃଷି ଓ ପଶୁ ପାଳନ କ୍ଷେତ୍ରରେ ଯୁବବର୍ଗଙ୍କ ମଧ୍ୟରେ ଫାର୍ମ ହାଉସ କରିବାର ଆଗ୍ରହ ବୃଦ୍ଧି ପାଉଛି। ଯଦି ଯୁବ ସମାଜ କୃଷି ଓ ପଶୁ ପାଳନ କ୍ଷେତ୍ରକୁ ବ୍ୟାପକ ଭାବେ ଆସିବେ ଏବଂ ଏହାକୁ ନିଜର ମୁଖ୍ୟ ବୃତ୍ତି ଭାବେ ଗ୍ରହଣ କରିବେ ତେବେ କୃଷି ଓ କୃଷକଙ୍କ ଆର୍ଥିକ ସ୍ଥିତିରେ ଏକ ବୈପ୍ଲବିକ ପରିବର୍ତ୍ତନ ଆସିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ ଉପସ୍ଥିତ କର୍ମଚାରୀ ମାନଙ୍କୁ ଉତ୍ସାହିତ କରି କହିଥିଲେ ଯେ ଆପଣ ମାନେ ଆପଣଙ୍କ ବୃତ୍ତିକୁ ଏକ ସାଧାରଣ ଚାକିରୀ ବୋଲି ଭାବନ୍ତୁ ନାହିଁ। ଆପଣ ମାନଙ୍କ ଜ୍ଞାନ ଯେପରି ଲୋକଙ୍କ ଉପକାରରେ ଆସିବ, ସେମାନେ ଯେପରି ପଶୁ ପାଳନ ବୃତ୍ତିକୁ ଏକ ଲାଭ ଜନକ ତଥା ସମ୍ମାନଜନକ ବୃତ୍ତି ଭାବେ ଗ୍ରହଣ କରିବେ ସେଥିପାଇଁ ଉଦ୍ୟମ କରନ୍ତୁ। ଆପଣ ମାନେ ସରକାରଙ୍କ ଯୋଜନାକୁ ଲୋକଙ୍କ ପାଖେ ପହଞ୍ଚାନ୍ତୁ ଏବଂ ସେମାନଙ୍କୁ ଏ ଦିଗରେ ପ୍ରୋତ୍ସାହିତ କରନ୍ତୁ। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଣୀ ପାଳନ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଅନେକ ସହାୟତା ଓ ରିହାତିର ବ୍ୟବସ୍ଥା କରାଯାଇଛି। ଆମ ଯୋଜନା ସଠିକ୍ ଭାବେ କାର୍ଯ୍ୟକାରୀ ହେଲେ ସାଧାରଣ ଲୋକ ଓ ଯୁବବର୍ଗ ଏ କ୍ଷେତ୍ର ପ୍ରତି ଅଧିକ ଆକର୍ଷିତ ହେବେ।

ପ୍ରାଣୀ ସମ୍ପଦର ବିକାଶ ପାଇଁ ଚଳିତ ବର୍ଷ ବଜେଟ୍‌ରେ ୬୯୭ କୋଟି ଟଙ୍କା ରଖାଯାଇଛି। ଆମ ନୂଆ ସରକାରଙ୍କ ଦ୍ବାରା ନୂତନ ଯୋଜନା ମଧ୍ୟ ଆରମ୍ଭ ହେବାକୁ ଯାଉଛି। ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଏବଂ ପ୍ରାଣୀ ମଙ୍ଗଳ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନା ଆରମ୍ଭ କରାଯିବ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆପଣ ମାନେ ଡବଲ ଇଞ୍ଜିନ ସରକାର ଦେଇଛନ୍ତି। ଆମକୁ ମଧ୍ୟ ବିକାଶକୁ ଡବଲ ସ୍ପିଡ୍‌ରେ କରିବାକୁ ପଡିବ। ଏ ବିଭାଗକୁ ଆହୁରି ସଶକ୍ତ କରିବାକୁ ପଡିବ। ଚାଷୀ ମାନଙ୍କୁ ଆଗକୁ ନେବାକୁ ପଡିବ। ଏଥିପାଇଁ ଆପଣ ମାନଙ୍କ ସହଯୋଗ ଆବଶ୍ୟକ।

କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ମନ୍ତ୍ରୀ ଶ୍ରୀ ଗୋକୁଳା ନନ୍ଦ ମଲ୍ଲିକ ଉଦ୍‌ବୋଧନ ଦେଇ କହିଥିଲେ ଯେ ଆପଣ ମାନେ ଜଣେ ଜଣେ ପ୍ରାଣୀ ସେବକ ଭାବେ ସମାଜରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। କୃଷି ପରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ରାଜ୍ୟର ଅର୍ଥନୈତିକ ବିକାଶରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଉଛି। ଗ୍ରାମାଞ୍ଚଳର ଗରିବ କୃଷକଙ୍କ ଅର୍ଥନୈତିକ ଅଭିବୃଦ୍ଧି ସହିତ ସମାଜର ଶେଷ ଧାଡିରେ ରହିଥିବା ଲୋକଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବାରେ ଆପଣମାନଙ୍କର ବଳିଷ୍ଠ ଯୋଗଦାନ ରହିଛି। ୨୦୩୬ ବିକଶିତ ଓଡିଶା ଗଠନର ମୁଖ୍ୟ ବିନ୍ଧାଣୀ ହେବେ ଆପଣ ମାନେ। ଆମର ଏହି ବିକଶିତ ଓଡିଶା ଗଠନ ଲକ୍ଷ୍ୟ ପୂରଣ ପାଇଁ ଆସନ୍ତୁ ଆମେ ସମସ୍ତେ ମିଳି ମିଶି କାମ କରିବା ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ୪ଜଣ ସଫଳ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ସମ୍ମାନିତ କରିଥିଲେ।

ବିଧାୟକ ତଥା ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଶ୍ରୀ ଶାରଦା ପ୍ରସାଦ ପ୍ରଧାନ କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ଦେଇଥିଲେ। ସଂଘର ସାଧାରଣ ସମ୍ପାଦକ ଶ୍ରୀ ବସନ୍ତ କୁମାର ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ଏବଂ ସଭାପତି ଶ୍ରୀ ଉପେନ୍ଦ୍ର ନାଥ ରଣା ଧନ୍ୟବାଦ ଅର୍ପଣ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ ହିନ୍ଦୀ ଭାଷାର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ

ଭୁବନେଶ୍ୱର: ଆଜି ନୂଆଦିଲ୍ଲୀରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ ହିନ୍ଦୀ ସମିତିର ୩୨ତମ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡିଶାରେ ହିନ୍ଦୀ ଭାଷାର ପ୍ରଚାର ପ୍ରସାର ପାଇଁ କେତେକ ପ୍ରସ୍ତାବ ରଖିଥିଲେ। ସେଗୁଡିକ ହେଲା- ଓଡିଶାରେ ସ୍ୱତନ୍ତ୍ର ହିନ୍ଦୀ ଶିକ୍ଷା ପ୍ରତିଷ୍ଠାନ ସ୍ଥାପନ- ରାଜ୍ୟରେ  ଅଧିକ ସଂଖ୍ୟକ ହିନ୍ଦି ଶିକ୍ଷକ ସୃଷ୍ଟି କରିବା ଏବଂ ହିନ୍ଦୀ ସାହିତ୍ୟକୁ ପ୍ରୋତ୍ସାହନ ଦେବା ପାଇଁ ସ୍ୱତନ୍ତ୍ର ହିନ୍ଦୀ ଶିକ୍ଷା ପ୍ରତିଷ୍ଠାନର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଓଡିଆ-ହିନ୍ଦି ଅନୁବାଦ କେନ୍ଦ୍ର ପ୍ରତିଷ୍ଠା-  ଓଡିଆ ଓ ହିନ୍ଦି ଭାଷାର ପ୍ରଚାର ପ୍ରସାର ପାଇଁ ଉଭୟ ଭାଷାର ଅନବଦ୍ୟ ସାହିତ୍ୟିକ କୃତି ଏବଂ ଅନ୍ୟାନ୍ୟ ରଚନା ଗୁଡିକର ଅନୁବାଦ ଆବଶ୍ୟକ। ଏଥି ପାଇଁ କେନ୍ଦ୍ର ସରକାରଙ୍କ ରାଜଭାଷା ବିଭାଗର ଆର୍ଥିକ ସହାୟତାରେ ଏକ ସ୍ୱତନ୍ତ୍ର ଅନୁବାଦ କେନ୍ଦ୍ର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ।

ଅଧିକ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମର ଆୟୋଜନ- ହିନ୍ଦୀ ଏବଂ ଓଡିଆ ଭାଷା ଓ ସାହିତ୍ୟ ମଧ୍ୟରେ ଅଧିକ ସାଂସ୍କୃତିକ ବିନିମୟ ପାଇଁ ଜାତୀୟ ଓ ରାଜ୍ୟ ସ୍ତରରେ ଅଧିକ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ଆବଶ୍ୟକ। ଏହି ସବୁ କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର କବି, ସାହିତ୍ୟିକ, ଲେଖକ ଓ  ବୁଦ୍ଧିଜୀବୀମାନେ ଅଂଶଗ୍ରହଣ କରିବା ଆବଶ୍ୟକ। ଏହା ଦ୍ୱାରା ହିନ୍ଦୀ ଓ ଓଡିଆ ମଧ୍ୟରେ ସାହିତ୍ୟିକ ଓ ସାଂସ୍କୃତିକ ସମ୍ବନ୍ଧ ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରସ୍ତାବରେ କହିଥିଲେ।

ଉଭୟ ଭାଷାରେ ଅନୁସନ୍ଧାନ ଓ ଗବେଷଣା ପାଇଁ  ଓଡିଶାରେ ଏକ ଇଣ୍ଟର-ଲାଙ୍ଗୁଏଜ୍ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍ ର ସ୍ଥାପନା କରାଯିବା ଆବଶ୍ୟକ। ଏହା ଦ୍ୱାରା ଉଭୟ ଭାଷାର ପାରସ୍ପରିକ ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରାଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଶିକ୍ଷା ବ୍ୟବସ୍ଥାରେ ହିନ୍ଦୀ ଶିକ୍ଷାଦାନ ପାଇଁ ଆବଶ୍ୟକୀୟ ସମ୍ବଳ ପାଇଁ ରାଜ୍ୟକୁ କେନ୍ଦ୍ରୀୟ ଅନୁଦାନ ଏବଂ ସ୍ୱତନ୍ତ୍ର ସହାୟତା ପ୍ରଦାନ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ରଖିଥିଲେ।

ଏହା ସହିତ ହିନ୍ଦୀ ସାହିତ୍ୟର ବିକାଶ ପାଇଁ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ ଶିକ୍ଷା ପ୍ରତିଷ୍ଠାନ ଗୁଡିକୁ ସ୍ୱତନ୍ତ୍ର ଅନୁଦାନ ଏବଂ ସହଯୋଗ ପ୍ରଦାନ କରାଯିବା  ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ।

ଏହି ବୈଠକରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ. ପି. ନଡ୍ଡା, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂକେନ୍ଦ୍ର ମନ୍ତ୍ରୀ ମଣ୍ତଳ ର ଅନେକ ସଦସ୍ୟ , କଟକ ସାଂସଦ ଭର୍ତ୍ତୃହରି ମହତାବ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସମନ୍ବିତ ଯୋଜନାରେ ଧଉଳି ସମେତ ସବୁ ଐତିହ୍ୟ ସ୍ଥଳର ବିକାଶ କରାଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏକ ସାଧାରଣ ପାହାଡ ନୁହେଁ, ଧଉଳି ପାହାଡ ଓଡିଶା ଇତିହାସର ଏକ ଗୌରବମୟ ଅତୀତକୁ ଛାତିରେ ଧରି ରଖିଛି। କଳିଙ୍ଗର ବୀର ସନ୍ତାନଙ୍କ ସୌର୍ଯ୍ୟ, ସାହାସ ଓ ସାମର୍ଥ୍ୟର ପ୍ରତୀକ ଏହି ଧଉଳି। ଓଡିଆ ବୀର ସନ୍ତାନଙ୍କ ଲୁହ ଆଉ ରକ୍ତରେ ଏକାକାର ହୋଇଥିବା ତ୍ୟାଗର ତୀର୍ଥସ୍ଥଳୀ ଏହି ଧଉଳି ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଧଉଳି ଶାନ୍ତି ସ୍ତୁପର ୫୨ତମ ପ୍ରତିଷ୍ଠା ଦିବସ ଅବସରରେ କହିଛନ୍ତି।

ଏହି ଅବସରରେ ଧଉଳି ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଖ୍ରୀଷ୍ଟପୂର୍ବ ୨୬୧ରେ ଲୋମହର୍ଷଣକାରୀ କଳିଙ୍ଗ ଯୁଦ୍ଧ ପରେ ଏହିଠାରୁ ଶାନ୍ତିକୁ ଜୀବନର ବ୍ରତ କରି ବୌଦ୍ଧ ଧର୍ମକୁ ଗ୍ରହଣ କରିଥିଲେ ସମ୍ରାଟ ଅଶୋକ। ଆଜିକୁ ୫୨ ବର୍ଷ ତଳେ ଜାପାନ ସରକାରଙ୍କ ଉଦ୍ୟମରେ ପ୍ରତିଷ୍ଠା ହୋଇଥିଲା ଏହି ଶାନ୍ତିର ସ୍ତୁପ। ସେବେଠାରୁ ଆଜି ପର୍ଯ୍ୟନ୍ତ ଶାନ୍ତି ଆଉ ମୈତ୍ରୀର ପ୍ରତୀକ ସାଜିଛି ଏହି ଧଉଳି।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ବୌଦ୍ଧ ଧର୍ମ ସମ୍ପର୍କରେ ଯେବେ ଆଲୋଚନା କରାଯାଏ ସେତେବେଳେ ଓଡିଶାର ନା ସବୁଠାରୁ ଆଗରେ ଆସିଥାଏ। ଓଡିଶାରେ ବୌଦ୍ଧ ଧର୍ମର ଯେତେ ପ୍ରଚାର ପ୍ରସାର ହୋଇଥିଲା ଏବଂ ଯେତେ ବୌଦ୍ଧ ବିହାର ଓଡିଶାରେ ଦେଖିବାକୁ ମିଳେ ତାହା ଭାରତବର୍ଷର ଅନ୍ୟ କୌଣସି ପ୍ରଦେଶରେ ଦେଖିବାକୁ ମିଳେ ନାହିଁ। ଖ୍ରୀଷ୍ଟପୂର୍ବ ୬ଷ୍ଠ ଶତାବ୍ଦୀଠାରୁ ଓଡିଶାରେ ବୌଦ୍ଧ ଧର୍ମର ପ୍ରସାର ଘଟିଥିଲା। ଧଉଳି ପାଦ ଦେଶରେ ଦୟାନଦୀ କୂଳରେ ଭାରତ ଇତିହାସରେ ଏକ ନିର୍ଣ୍ଣାୟକ ମୋଡ ଆସିଥିଲା। ମଗଧର ସମ୍ରାଟ ଅଶୋକଙ୍କୁ କଳିଙ୍ଗ ଯୁଦ୍ଧର ବିଭୀଷିକା ଧର୍ମାଶୋକରେ ପରିଣତ କରିଥିଲା। ସମ୍ରାଟ ଅଶୋକ ଦେଶ ବିଦେଶରେ ବୌଦ୍ଧ ଧର୍ମର ପ୍ରଚାର ପ୍ରସାର ପାଇଁ ନିଜ ପୁତ୍ର ମହେନ୍ଦ୍ର ଏବଂ କନ୍ୟା ସଙ୍ଘମିତ୍ରାଙ୍କୁ ସିଂହଳ ଦେଶକୁ ଏହି ଓଡିଶାରୁ ପଠାଇଥିବା ବିଶ୍ବାସ କରାଯାଏ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଅତୀତର ସମୃଦ୍ଧ ନୌବାଣିଜ୍ୟ ପରମ୍ପରା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେତେବେଳେ ନୌବାଣିଜ୍ୟ ପରମ୍ପରାରେ ଓଡିଶା ସାଧବ ପୁଅ ମାନେ ସିଦ୍ଧହସ୍ତ ଥିଲେ। ବୋଇତରେ ସେମାନେ ସାତ ସମୁଦ୍ର ପାର ହୋଇ ବାଣିଜ୍ୟ କାରବାର କରିବାକୁ ଯାଉଥିଲେ। ଭାରତର ଅନ୍ୟ କୌଣସି ରାଜ୍ୟର ଲୋକମାନେ ସେତେବେଳେ ବୋଇତରେ ସମୁଦ୍ରଯାତ୍ରା ବିଷୟରେ ଜାଣି ନଥିଲେ। ତେଣୁ ବୌଦ୍ଧ ଧର୍ମର ପ୍ରଚାର ପାଇଁ ଯାଉଥିବା ବୌଦ୍ଧ ସନ୍ୟାସୀ ମାନେ ଓଡିଶାରୁ ବିଦେଶକୁ ଯାଉଥିଲେ। ସେଥିପାଇଁ ଓଡିଶାରେ ବୌଦ୍ଧ ଧର୍ମର ବହୁଳ ପ୍ରସାର ଘଟିଥିଲା। ଯାହାର ଐତିହାସିକ ମୁକସାକ୍ଷୀ ଭାବେ ରତ୍ନଗିରି, ଲଳିତଗିରି, ଉଦୟଗିରି ଓ ଖଣ୍ଡଗିରି ଆଦିରେ ବୌଦ୍ଧ ବିହାର, ଗୁମ୍ଫା ଓ ଭଗ୍ନାବଶେଷ ଆଜି ମଧ୍ୟ ଦେଖିବାକୁ ମିଳୁଛି।

ସେ ପୁଣି କହିଥିଲେ ଧଉଳି ଗିରିରେ ଆଜି ଯେଉଁ ଶାନ୍ତିସ୍ତୁପ ନିର୍ମାଣ କରାଯାଇଛି ତାହା ସାରା ପୃଥିବୀକୁ ଶାନ୍ତି ଓ ଅହିଂସାର ବାର୍ତ୍ତା ପ୍ରଚାର କରୁଛି। ଲୋକମାନଙ୍କ ମଧ୍ୟରେ ଶାନ୍ତିର ବାର୍ତ୍ତା ପ୍ରସାର ପାଇଁ ସମ୍ରାଟ ଅଶୋକ ଏଠାରେ ଅନେକ ଗୁଡିଏ ସ୍ତୁପ ଏବଂ ଶିଳାସ୍ତମ୍ବ ନିର୍ମାଣ କରିଥିଲେ। ଆଜିର ଏହି ଆଧୁନିକ ଶାନ୍ତିସ୍ତୁପ ଜାପାନ ବୁଦ୍ଧ ସଂଘ ଏବଂ କଳିଙ୍ଗ ନିପନ ବୁଦ୍ଧ ସଂଘ ଦ୍ବାରା ୭୦ଦଶକରେ ନିର୍ମାଣ କରାଯାଇଥିଲା। ଦେଶ ବିଦେଶରୁ ଏଠାକୁ ଯେଉଁ ପର୍ଯ୍ୟଟକମାନେ ଆସନ୍ତି ସେମାନେ ନିଶ୍ଚୟ ଧଉଳିର ଏହି ଶାନ୍ତି ସ୍ତୁପରୁ ଅହିଂସା, ଶାନ୍ତି ଓ ଦିବ୍ୟତ୍ବର ଅନୁଭବ ନେଇ ଫେରନ୍ତି। ଓଡିଶା ଏକ ଶାନ୍ତିପ୍ରିୟ ରାଜ୍ୟ ଭାବେ ପ୍ରସିଦ୍ଧି ଅର୍ଜନ କରିଛି। ଧଉଳି ସ୍ତୁପ ଏହି ଶାନ୍ତିପ୍ରିୟ ମନୋଭାବର ପ୍ରତୀକ। ଧଉଳି ହୁଏତ ବୌଦ୍ଧ ଧର୍ମର ଏକ କୀର୍ତ୍ତିରାଜି ହୋଇପାରେ କିନ୍ତୁ ଏହା ଓଡିଆ ଭାଷା, ସଂସ୍କୃତି ଓ ପରମ୍ପରା ସହିତ ଏପରି ଭାବେ ସମ୍ମିଳିତ ହୋଇଯାଇଛି ଯେ ରାଜ୍ୟବାସୀ ଏହାକୁ ନିଜ ସଂସ୍କୃତିର ଏକ ଅଙ୍ଗଭାବେ ମାନି ନେଇଛନ୍ତି। ଧଉଳି ଶାନ୍ତି ସ୍ତୁପର ଆହୁରି ବିକାଶ କରାଯିବ ଏବଂ ଆଖପାଖ ଅଞ୍ଚଳର ବ୍ୟାପକ ଉନ୍ନତିକରଣ କରାଯିବ। ଧଉଳି ସମେତ ଆମର ସବୁ ଐତିହ୍ୟ ସ୍ଥଳୀ ଗୁଡିକର ବିକାଶ ପାଇଁ ସମନ୍ବିତ ଯୋଜନା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଆମ ସନାତନ ଧର୍ମ ଭଳି ବୌଦ୍ଧ ଧର୍ମର ଆଧାର ହେଉଛି ଅହିଂସା ପରୋମ ଧର୍ମ। ଯେତେବଡ ସମସ୍ୟା ଆସିଲେ ମଧ୍ୟ ତା’ର ସମାଧାନ ହିଂସା ନୁହେଁ ବରଂ ତାର ସମାଧାନ ଆପୋଷ କଥାବାର୍ତ୍ତା ମାଧ୍ୟମରେ ମଧ୍ୟ ହୋଇପାରିବ। ଏହାକୁ ଆଧାର କରି ଆମ ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ୠଷିଆ-ୟୁକ୍ରେନ ତଥା ଇସ୍ରାଏଲ- ଆରବ ଯୁଦ୍ଧର ଶାନ୍ତି ପୂର୍ଣ୍ଣ ସମାଧାନ ପାଇଁ ନିରନ୍ତର ଚେଷ୍ଟା କରୁଛନ୍ତି। କଥାବାର୍ତ୍ତା ମାଧ୍ୟମରେ ଭାରତ ଓ ଚୀନ ମଧ୍ୟରେ ଥିବା ସୀମା ବିବାଦର ମଧ୍ୟ ସମାଧାନ ହୋଇପାରିଛି। ଆଜି ମୋଦୀଜୀଙ୍କ ନେତୃତ୍ବରେ ଭାରତ ବିଶ୍ବ ବନ୍ଧୁଭାବେ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଅବସରରେ ବିଶିଷ୍ଟ ବୌଦ୍ଧ ସନ୍ୟାସୀ ଶ୍ରୀ ଟି ଓକଙ୍ଗୀ ମୁଖ୍ୟମନ୍ତ୍ରୀଙ୍କୁ ଧଉଳି ଶାନ୍ତି ସ୍ତୁପର ଏକ ସ୍ମାରକୀ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।

କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ରାଜ୍ୟ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଯୋଗଦେଇ କହିଥିଲେ ଯେ ଧଉଳି ଏକ ଐତିହ୍ୟ ସମ୍ପନ୍ନ ମାଟି। ଭଗବାନ ବୁଦ୍ଧଙ୍କ ବାଣୀକୁ ପ୍ରଚାର କରିବା ସହିତ ଓଡିଆ ଜାତିର ବୀରତ୍ବର ପ୍ରତୀକ ହେଉଛି ଏହି ଧଉଳି ମାଟି। ସମ୍ରାଟ ଅଶୋକଙ୍କ ଦ୍ବାରା ବୁଦ୍ଧଙ୍କର ଅହିଂସା ଓ ସତ୍ୟର ବାର୍ତ୍ତା ଏହି ଧଉଳି ମାଟିରୁ ପରିବ୍ୟାପ୍ତ ହୋଇଛି। ବୌଦ୍ଧଧର୍ମର ପ୍ରଚାର ପ୍ରସାରରେ ଓଡିଶାର ଯୋଗଦାନ ବିଷୟରେ ଇତିହାସରେ ଲିପିବଦ୍ଧ ହୋଇରହିଛି ବୋଲି ସେ କହିଥିଲେ।

ଏକାମ୍ର ଭୁବନେଶ୍ବର ବିଧାୟକ ବାବୁ ସିଂହ କହିଥିଲେ ଯେ କେବଳ ଓଡିଶାକୁ ନୁହେଁ ଭାରତବର୍ଷ ତଥା ସାରା ପୃଥିବୀକୁ ଶାନ୍ତିର ବାର୍ତ୍ତା ଦେଉଛି ଏହି ଧଉଳି। ଏ ମାଟି କେବଳ ଯୁଦ୍ଧ ଶିଖାଇ ନାହିଁ ଶାନ୍ତିର ବାର୍ତ୍ତା ମଧ୍ୟ ଦେଇଛି।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବରିଷ୍ଠ ବିଜେପି ନେତା ସମୀର ମହାନ୍ତି ଓ ଜଗନ୍ନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ କଳିଙ୍ଗ ନିପନ ବୁଦ୍ଧ ସଂଘର କୋର୍ଡିନେଟର ଶ୍ରୀ ରବି ମହାରଣା ସମସ୍ତଙ୍କୁ ସ୍ବାଗତ କରିଥିଲେ ଏବଂ ଉପସଭାପତି ଶ୍ରୀ ହରି ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବଲାଙ୍ଗିର ଦିନ୍ ରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଲେ ଏଠାରେ ଟ୍ରିପଲ ଇଞ୍ଜିନ ସରକାର ଚାଲିଛି

ଭୁବନେଶ୍ବର: ବଲାଙ୍ଗିର ଦିନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ବଲାଙ୍ଗିର ଦିନ୍‌ କମିଟି ପକ୍ଷରୁ କୋଶଳ କଳା ମଣ୍ଡଳ ପଡିଆରେ ଆୟୋଜିତ ମହୋତ୍ସବରେ ଯୋଗଦେଇ କହିଛନ୍ତି ଯେ ବଲାଙ୍ଗିରକୁ ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର କହିଲେ ଅତ୍ୟୁକ୍ତି ହେବ ନାହିଁ। ଭାଷା, ସାହିତ୍ୟ, ରାଜନୀତି, ସଂସ୍କୃତି ଆଦି ପ୍ରତି କ୍ଷେତ୍ରରେ ବଲାଙ୍ଗିର ଜିଲ୍ଲାର ଅବଦାନ ଅତୁଳନୀୟ। ଦଳମତ ନିର୍ବିଶେଷରେ ଏହି ମାଟି ଅନେକ ଆଗଧାଡିର ନେତୃତ୍ଵକୁ ଜନ୍ମ ଦେଇଛି। ଏହି ନେତୃବୃନ୍ଦ ଗଣ ଏ ଅଞ୍ଚଳ ତଥା ରାଜ୍ୟର ବିକାଶରେ ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଏବଂ ବର୍ତ୍ତମାନ ମଧ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନା ଯୋଗ୍ୟ ଯେ ବଲାଙ୍ଗିର ଜିଲ୍ଲା ୧୯୪୯ ମସିହା ନଭେମ୍ବର ପହିଲାରେ ଗଠିତ ହୋଇଥିଲା। ସେଥିପାଇଁ ପ୍ରତିବର୍ଷ ନଭେମ୍ବର ପହିଲାରେ ବଲାଙ୍ଗିର ଦିନ୍‌ ଉତ୍ସବ ପାଳନ କରାଯାଏ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବଲାଙ୍ଗିରର କଳା ଓ ସଂସ୍କୃତି ମହାନ୍। କିନ୍ତୁ, ଏକ ସମୃଦ୍ଧ ସଂସ୍କୃତିର ପ୍ରଥମ ସର୍ତ୍ତ ହେଉଛି ଏକ ସମୃଦ୍ଧ ସମାଜ। ଗତ ଚାରିମାସ ତଳେ ଆପଣମାନେ ଯେଉଁ ଆଶା ଓ ଭରଷାରେ ଏକ ନୂତନ ସରକାରଙ୍କୁ ନିର୍ବାଚିତ କରିଛନ୍ତି, “ମୁଁ କଥା ଦେଉଛି ଆପଣମାନଙ୍କର ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରିବି। ଏହି ଦିଗରେ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଗଲାଣି।”

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ଆମ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଚାଲୁଅଛି। ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଙ୍କ ନେତୃତ୍ବରେ ଓଡିଶା ବିକାଶର ନୂତନ ଶିଖରକୁ ଛୁଇଁବା ଆରମ୍ଭ କରିଛି। ବଲାଙ୍ଗିରରେ ଟ୍ରିପଲ ଇଞ୍ଜିନ ସରକାର ଚାଲିଛି। କେନ୍ଦ୍ର, ରାଜ୍ୟ ସହିତ ଜନପ୍ରତିନିଧି ମଧ୍ୟ ସମାନ ସରକାରର ଅଂଶ ବିଶେଷ । ତେଣୁ ବିକାଶର ରାଜରାସ୍ତାରେ ଟ୍ରିପଲ ସ୍ପିଡରେ ବିକାଶର ଧାରା ଜାରି ରହିବ।

ଆଜି ଗୋଟିଏ ଦିନରେ ବଲାଙ୍ଗିର ଜିଲ୍ଲାରେ ୮୯୦ କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ ହୋଇଛି ବୋଲି ପ୍ରକାଶ କରି ଆଜି ଆରମ୍ଭ ହୋଇଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇଥିଲେ।

ସେ କହିଥିଲେ ଯେ “ମୁଖ୍ୟମନ୍ତ୍ରୀ ଭାବେ ଏହା ମୋର ପ୍ରଥମ ଗସ୍ତ ହୋଇପାରେ, କିନ୍ତୁ ମୁଁ ବଲାଙ୍ଗୀରବାସୀଙ୍କୁ କଥା ଦେଉଛି ଯେ ଏହା ମୋର ଶେଷ ଗସ୍ତ ନୁହେଁ, ଏହା ତ ଆୟମାରମ୍ଭ ମାତ୍ର। ଭବିଷ୍ୟତରେ ବଲାଙ୍ଗିରର ବିକାଶ ଯାତ୍ରାରେ ସାମିଲ ହେବାକୁ ମୁଁ ବାରମ୍ବାର ଆପଣଙ୍କ ସହିତ ସାମିଲ ହେବି।”

ସ୍ବର୍ଗତ ରାଜେନ୍ଦ୍ର ନାରାୟଣ ସିଂହ ଦେଓଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ନୃତ୍ୟ, ସଙ୍ଗୀତ ଓ କ୍ରୀଡ଼ାର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ୧୯୪୦ ମସିହାରେ ପାଟନା ରାଜ୍ୟର ଶାସକ ଶ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ଦ୍ୱାରା ଐତିହାସିକ ଏହି କୋଶଳ କଳାମଣ୍ଡଳ ପ୍ରତିଷ୍ଠା କରାଯାଇଥିଲା। ଆଜି ଏହି କୋଶଳ କଲା ମଣ୍ଡଲ ପଡିଆ ବଲାଙ୍ଗୀର ଜିଲ୍ଲାର ଐତିହ, ସଂସ୍କୃତି ଓ ପରମ୍ପରାର ପ୍ରାଣକେନ୍ଦ୍ର ପାଲଟି ଯାଇଛି ବୋଲି ସେ କହିଥିଲେ।

ବଲାଙ୍ଗିର ଜିଲ୍ଲାର ପ୍ରାକୃତିକ ଶୋଭା, ପର୍ଯ୍ୟଟନ ସ୍ଥାନ, ପ୍ରସିଦ୍ଧ ମନ୍ଦିର ଇତ୍ୟାଦି ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଣୀପୁର-ଝରିଆଲରେ ଥିବା ଇନ୍ଦ୍ରଲାଠ ମନ୍ଦିର ବୋଧହୁଏ ଦେଶର ଏକମାତ୍ର ଇଟାରେ ନିର୍ମିତ ମନ୍ଦିର ଯାହା ପୂର୍ଣାଙ୍ଗ ଭାବେ ଆଜି ଗର୍ବର ସହିତ ଛିଡା ହୋଇଛି। ଗୋଟିଏ ସ୍ଥାନରେ ଶୈବ, ଶାକ୍ୟ, ବୈଷ୍ଣବ ଏବଂ ଶକ୍ତି ଉପାସନାର ଏକ ବିରଳ ଓ ଅଦ୍ଭୁତ ସମ୍ମିଶ୍ରଣ ଦେଖିବାକୁ ମିଳେ ଏଠି। କିନ୍ତୁ, ଏହାର ପର୍ଯ୍ୟଟନ ସ୍ଥଳୀ ଭାବେ ଯେତେ ସୁଯୋଗ ଅଛି, ତାହାକୁ ସଂପୂର୍ଣ୍ଣ ଭାବେ ଉପଯୋଗ କରିବାରେ ପୂର୍ବବର୍ତ୍ତୀ ସରକାରମାନେ ବିଫଳ ହୋଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ଆମ ସରକାର ଓଡିଶାର ସମସ୍ତ ମହତ୍ବପୂର୍ଣ୍ଣ ଓ ଐତିହାସିକ ଧର୍ମୀୟ ଓ ପର୍ଯ୍ୟଟନସ୍ଥଳୀ ଗୁଡିକର ବିକାଶ କରି ଦେଶ ବିଦେଶରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଅଣ୍ଟା ଭିଡିଛନ୍ତି। ବଲାଙ୍ଗୀର ଜିଲ୍ଲାର ଶ୍ରୀ ହରିଶଙ୍କର ଓ ରାଣିପୁର-ଝରିଆଲକୁ ପ୍ରାଥମିକତା ଦେଇ ଉନ୍ନତି କରଣ କରାଯିବ ବୋଲି ସେ କହିଥିଲେ।

ନୂଆ ସରକାର ଆସିବା ପରେ ଓଡିଶା ବିକାଶର ରାଜରାସ୍ତାରେ ଦୌଡିବା ଆରମ୍ଭ କରିଦେଇଛି ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ ସୁଭଦ୍ରା ଯୋଜନା, ଧାନ କ୍ୟୁଣ୍ଟାଲ ପିଛା ୩୧୦୦ଟଙ୍କା, ଡ୍ରପ ଆଉଟ ରୋକିବା ପାଇଁ ମାଧୋ ସିଂ ଛାତ୍ରବୃତ୍ତି, ଶ୍ରୀମନ୍ଦିରର ଚାରି ଦ୍ଵାରା ଖୋଲାଯିବା, ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଖୋଲି ଗଣତି ମଣତି କରିବା ପରି କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।

ସେ କହିଲେ ଯେ ଆମ ସରକାର ଲୋକଙ୍କ ସରକାର। ପୂର୍ବ ସରକାରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଯାହା ୧୩ ବର୍ଷ ଧରି ବନ୍ଦ ପଡି ରହିଥିଲା, ଆଜି ସର୍ବ ସାଧାରଣଙ୍କ ପାଇଁ ଉନ୍ମୁକ୍ତ । ସେ କହିଲେ, “ମୋ ସହ ମୋର ସହଯୋଗୀ ମନ୍ତ୍ରୀଗଣ ଲୋକଙ୍କ ଦୁଃଖ ସୁଖ ବୁଝି ସେ ସବୁର ନିରାକରଣ କରିବା ପାଇଁ ଚେଷ୍ଟା କରୁଛନ୍ତି। ଆଗରୁ ଆପଣମାନେ କେବେ ଦେଖିଥିଲେ ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ମାନେ ବାତ୍ୟା ସମୟରେ ନିଜେ ବାତ୍ୟା ଆଶ୍ରୟ ସ୍ଥଳୀ ବୁଲି, ଲୋକଙ୍କ ଦୁଃଖ ସୁଖ ପଚାରି ବୁଝି ସେ ସବୁର ସମାଧାନ କରିବା ? ମୁଁ ମୁକ୍ତ କଣ୍ଠରେ ଆଜି କହିପାରିବି ମୁଁ ଏବଂ ମୋ ମନ୍ତ୍ରୀଗଣ ଲୋକଙ୍କ ସୁଖ ଦୁଃଖରେ ସବୁବେଳେ, ସବୁ ସମୟରେ ଛିଡା ହୋଇଛନ୍ତି, ଏବ ଭବିଷ୍ୟତରେ ମଧ୍ୟ ଛିଡା ହୋଇଥିବେ।”

ବଲାଙ୍ଗୀର ଜିଲ୍ଲାର ବଳିଷ୍ଠ ଏବଂ ସୁନ୍ଦର ସଂସ୍କୃତି ଓ ପରମ୍ପରାକୁ ନିକଟରୁ ଦେଖିବାକୁ ମୋତେ ସୁଯୋଗ ମିଳିଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ । ଆଜି ଏହି ମହାନ ମାଟି କୁ ଆସି ମୁଁ ନିଜକୁ ଧନ୍ୟ ମଣୁଛି ଏବଂ ଏହାର ସେବା ରେ ନିଜକୁ ସାମିଲ କରାଇପାରିଥିବାରୁ ଖୁସି ଅନୁଭୂତ କରୁଛି ।

ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଯୋଗଦେଇ ଜିଲ୍ଲାର କଳା ଓ ସଂସ୍କୃତି ଉପରେ ଆଲୋକପାତ କରିବା ସହିତ ନୂଆ ସରକାରଙ୍କ ଦ୍ବାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବର୍ଣ୍ଣନା କରିଥିଲେ।

କାର୍ଯ୍ୟକ୍ରମରେ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ଡକ୍ଟର ଶ୍ରୀ ମୁକେଶ ମହାଲିଙ୍ଗ, ଲୋକସଭା ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓ, ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି, ବଲାଙ୍ଗିର ବିଧାୟକ ଶ୍ରୀ କଳିକେଶ ନାରାୟଣ ସିଂହ ଦେଓ, କଣ୍ଟାବାଞ୍ଜି ବିଧାୟକ ଶ୍ରୀ ଲକ୍ଷ୍ମଣ ବାଗ, ଟିଟିଲାଗ଼ଡ ବିଧାୟକ ଶ୍ରୀ ନବୀନ ଜୈନ ମହୋଦୟ; ଜିଲ୍ଲାପରିଷଦ ସଭାପତି ଶ୍ରୀମତୀ ଦେବକି ସାହୁ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିଗଣ ଯୋଗ ଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ, ଜିଲ୍ଲାରେ ୮୯୦ କୋଟି ଟଙ୍କାର ୮୩ଟି ପ୍ରକଳ୍ପର କଲେ ଶୁଭାରମ୍ଭ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଦୁଇ ଦିନିଆ ବଲାଙ୍ଗିର ଜିଲ୍ଲା ଗସ୍ତରେ ଯାଇ ବେଲପଡା ଓ ପାଟଣାଗଡ ଠାରେ ବଲାଙ୍ଗିର ଜିଲ୍ଲା ପାଇଁ ୮୯୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଉଦ୍‌ଘାଟନ କରିଛନ୍ତି। ଜଳ ସେଚନ, ସ୍ବାସ୍ଥ୍ୟ ଭିତ୍ତିଭୂମି, ପାଇପ ଜଳ ଯୋଗାଣ ପ୍ରକଳ୍ପ, ସେତୁ ନିର୍ମାଣ ପ୍ରକଳ୍ପ, ସଡକ ନିର୍ମାଣ ପ୍ରକଳ୍ପ ଭଳି ସମୁଦାୟ ୮୩ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି। ବେଲପଡା ଓ ପାଟଣାଗଡରେ ଏଥି ପାଇଁ ଆୟୋଜିତ ଦୁଇଟି ଜନସଭାରେ ଉଦ୍‌ବୋଧନ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ପ୍ରଥମେ ତୁଷୁରା ଏୟାରଷ୍ଟ୍ରିପ ଠାରେ ୬୫ କୋଟି ଟଙ୍କା ବ୍ୟୟରେ ୧୩୩୦ ମିଟର ଏୟାରଷ୍ଟ୍ରିପ ରନୱେର ଉନ୍ନତି କରଣ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଉନ୍ନତି କରଣ ପରେ ଏହି ଏୟାରଷ୍ଟ୍ରିପ 2-B ବର୍ଗରେ ଅନ୍ତର୍ଭୁକ୍ତ ହେବ ଏବଂ ଏହା ଦ୍ବାରା ବଲାଙ୍ଗିର ଓ ଭୁବନେଶ୍ବର ମଧ୍ୟରେ ସିଧାସଳଖ ବିମାନ ଯାତ୍ରା ସମ୍ଭବ ହୋଇ ପାରିବ ଏବଂ ଏହା ଜିଲ୍ଲାର ବିକାଶକୁ ଆହୁରି ଗତିଶୀଳ କରିବ।

ଏହା ପରେ ମୁଖ୍ୟମନ୍ତ୍ରୀ ୩୦୦ କୋଟିରୁ ଅଧିକ ଟଙ୍କା ପ୍ରକଳ୍ପ ମୂଲ୍ୟରେ ବେଲପଡା ବ୍ଲକର ଅପର ଲାନ୍ଥ ଜଳସେଚନ ପ୍ରକଳ୍ପର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ସରକାର ଓଡିଶାର ଯେଉଁ ବ୍ଲକରେ ଜଳସେଚନ ହାର କମ୍ ଅଛି ସେ ସବୁ ବ୍ଲକରେ ଅଧିକରୁ ଅଧିକ ଜଳସେଚନ ସୁବିଧା ସୃଷ୍ଟି କରିବା ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି। ଅପର ଲାନ୍ଥ ପ୍ରକଳ୍ପ ଏହି ପଦକ୍ଷେପର ଅଂଶ ବିଶେଷ। ଆଜିଠାରୁ ଆରମ୍ଭ ହେଲା ବଲାଙ୍ଗିର ବିକାଶର ଧାରା।

ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲା ପରେ ଉଭୟ ଖରିଫ ଏବଂ ରବି ୠତୁରେ ୧୫ ହଜାର ଏକରରୁ ଅଧିକ ଜମି ଜଳସେଚିତ ହେବ ଏବଂ ଏହା ଦ୍ବାରା ବେଲପଡା ବ୍ଲକର ୨୫ ଟି ଗାଁର ୩୮ ହଜାରରୁ ଅଧିକ ଚାଷୀ ଉପକୃତ ହେବେ। କ୍ୟାବିନେଟ୍ ନିଷ୍ପତ୍ତି ଅନୁଯାୟୀ ଏଣିକି ଚାଷୀମାନେ ଧାନର ସର୍ବନିମ୍ନ ମୂଲ୍ୟ ୩୧୦୦ଟଙ୍କା ପାଇବେ। ଧାନ ବିକ୍ରିରେ କଟନୀ ଛଟନି ରହିବ ନାହିଁ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବେଲପଡା ବ୍ଲକ ତଥା ବଲାଙ୍ଗିର ଜିଲ୍ଲାର ପାଣି ସମସ୍ୟାର ସମାଧନ ଲାଗି ଏହି ପ୍ରକଳ୍ପ ଗୋଟିଏ ବଳିଷ୍ଠ ପଦକ୍ଷେପ ଏବଂ ଏହାକୁ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ସମାପ୍ତ କରାଯିବ।

ଲୋୟର ସୁକତେଲ ପ୍ରକଳ୍ପର ଟଙ୍କା ବାଟମାରଣା ଭଳି ଭୁଲ ଆମ ସରକାରରେ ହେବ ନାହିଁ। ଅପର ଲାନ୍ଥ ଜଳସେଚନ ପ୍ରକଳ୍ପ ବେଲପଡା ତଥା ବଲାଙ୍ଗିର ଜିଲ୍ଲାରେ ସେଚ ବିପ୍ଳବ ଆଣିବ। ଲାନ୍ଥ ନଦୀ ଉପରେ ୨୪୯୫ ମିଟର ଲମ୍ବା ଡ୍ୟାମରେ ଜଳ ବିଦ୍ୟୁତ ଶକ୍ତି ୟୁନିଟ୍ ଦ୍ବାରା ୨୧୦ କିଲୋ ୱାଟ୍ ବିଜୁଳୀ ଉତ୍ପାଦନ ପାଇଁ ବ୍ୟବସ୍ଥା ମଧ୍ୟ ହେବ। ଏହି ପ୍ରକଳ୍ପ ପାଇଁ ଅର୍ଥର କୌଣସି ଅଭାବ ରହିବ ନାହିଁ।

ମୁଖ୍ୟମନ୍ତ୍ରୀ ଜିଲ୍ଲା ବାସୀଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ ବଲାଙ୍ଗିର ଜିଲ୍ଲା ହେଉଛି ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର। ଗତ ୭୫ ବର୍ଷରେ ହୋଇଥିବା ଅନ୍ୟାୟ ଓ ବିକାଶର ଅସମାନତାକୁ ଦୂର କରିବା ପାଇଁ ଆମ ସରକାର ବଦ୍ଧପରିକର।

ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ସ୍ବାସ୍ଥ୍ୟ ସେବା ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ପାଟଣାଗଡ ଉପଖଣ୍ଡ ମେଡିକାଲ ଓ ଡାଏଲିସିସ୍ କେନ୍ଦ୍ର ଏବଂ ଟିଟଲାଗଡରେ ଏକ ଡାଏଲିସିସ କେନ୍ଦ୍ରର ଉଦ୍‌ଘାଟନ କରିଥିଲେ। ଏଥି ସହିତ ପାଟଣାଗଡର ବହୁ ପ୍ରତିକ୍ଷିତ ବାଇପାସ୍ ରାସ୍ତା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୧୧୮ କୋଟି ଟଙ୍କା ପ୍ରକଳ୍ପ ମୂଲ୍ୟରେ ନିର୍ମାଣ ହେବାକୁ ଥିବା ଏହି ବାଇପାସ୍ ରୋଡରେ ୪ଲେନ୍ ବଶିଷ୍ଟ ରାସ୍ତା, ସୁବର୍ଣ୍ଣରେଖା ଓ ମାୟାବତୀ ନାଳ ଉପରେ ଦୁଇଟା ସେତୁ, ୨୮ଟି ନ୍ୟୁ ବକ୍ସ ସେଲ୍ କଲଭର୍ଟ ନିର୍ମାଣ ହେବ। ଏହି ବାଇପାସ ରୋଡ ଦ୍ବାରା ପାଟଣାଗଡର ଟ୍ରାଫିକ୍ ସମସ୍ୟା ଦୂର ହେବ।

ଖୋର୍ଦ୍ଧା–ବଲାଙ୍ଗିର ରେଳ ପ୍ରକଳ୍ପ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଦାୟିତ୍ବ ନେବା ପରେ ଏହି ରେଳ ପ୍ରକଳ୍ପ କାର୍ଯ୍ୟ ଦୃତ ବେଗରେ ଆଗେଇ ଚାଲିଛି। ଉଭୟ ପଟୁ ୧୫୨ କିଲୋମିଟରରୁ ଅଧିକ କାମ ସରିଯାଇଛି। ଖୁବ୍ ଶୀଘ୍ର ସୋନପୁରରୁ ପୁରୁଣା କଟକ ପର୍ଯ୍ୟନ୍ତ ୭୩ କିଲୋମିଟର ରେଳ ଲାଇନ୍ କାମ ସମ୍ପୂର୍ଣ୍ଣ ହେବ ଏବଂ ବହୁ ପ୍ରତିକ୍ଷିତ ଖୋର୍ଦ୍ଧା – ବଲାଙ୍ଗିର ମଧ୍ୟରେ ରେଳ ଚାଲିବ। ଓଡିଶା ପ୍ରତି ଏହା ମୋଦୀଜୀଙ୍କ ଭଲପାଇବାର ନିଦର୍ଶନ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏବେ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଥିବାରୁ ବଲାଙ୍ଗିର ଜିଲ୍ଲାରେ ବିକାଶର ଗତି ଏକ୍ସେପ୍ରେସ୍ ସ୍ପିଡ୍‌ରେ ଚାଲିଛି। ରାଜ୍ୟରେ ଡବଲ ଇଞ୍ଜିନ ଓ ବଲାଙ୍ଗିରରେ ଟ୍ରିପଲ ଇଞ୍ଜିନ ସରକାର ଚାଲିଛି। କାରଣ ଏହି ଜିଲ୍ଲାର ଦୁଇଜଣ ଜନପ୍ରତିନିଧି ଓଡିଶା ସରକାରରେ ପ୍ରତିନିଧିତ୍ବ କରୁଛନ୍ତି। ଏଥି ସହିତ ଅନେକ ସାଂସଦ ଓ ବିଧାୟକ ମଧ୍ୟ ଜିଲ୍ଲାରୁ ସରକାରୀ ଦଳକୁ ପ୍ରତିନିଧିତ୍ବ କରୁଛନ୍ତି। ଡବଲ ଇଞ୍ଜିନ ସରକାର ଓଡିଶାରେ ବିକାଶର ନୂଆ ଇତିହାସ ଲେଖିବା ପାଇଁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ବିକଶିତ ଓଡିଶା ଓ ବିକଶିତ ଭାରତ ଗଠନ ପାଇଁ ପ୍ରସ୍ତୁତ ହେବାକୁ ଥିବା ଭିଜନ ଡକୁମେଣ୍ଟ ପାଇଁ ନିଜର ସୁଚିନ୍ତିତ ମତାମତ ଦେବା ପାଇଁ ଅନୁରୋଧ କରି କହିଥିଲେ ଆପଣ ମାନଙ୍କ ମତ ଓ ଆପଣ ମାନଙ୍କ ଭାଗିଦାରୀରେ ଆମେ ଗଢିବୁ ଆମ ସ୍ବପ୍ନର ଓଡିଶା- ସମୃଦ୍ଧ ଓଡିଶା, ବିକଶିତ ଓଡିଶା।

ବଲାଙ୍ଗିରରେ ୮ କୋଟି ୭୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ନୂତନ ସର୍କିଟ ହାଉସକୁ ମଧ୍ୟ ଆଜି ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଛନ୍ତି।

କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ କହିଥିଲେ ଯେ ଏହି ଅପର ଲାନ୍ଥ ପ୍ରକଳ୍ପରେ ଉଭୟ ମୁଖ୍ୟମନ୍ତ୍ରୀ ଏବଂ ମୋ ବିଭାଗର ସମ୍ପୃକ୍ତି ରହିଛି ତେଣୁ ଏହି ପ୍ରକଳ୍ପ କାମ ଖୁବ୍ ଶୀଘ୍ର ସମ୍ପନ୍ନ ହେବ। ଆମ ସରକାର କ୍ଷମତାକୁ ଆସିବା ପରେ ଏହି ସବୁ ପ୍ରକଳ୍ପର ଶୁଭାରମ୍ଭ ହୋଇଛି ଏବଂ ଏଗୁଡିକର ଉଦ୍‌ଘାଟନ ମଧ୍ୟ ଆମ ସରକାର କରିବ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଇଲୋକ୍ଟ୍ରୋନିକସ ଓ ଆଇଟି ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ଲୋକସଭା ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହ ଦେଓ, ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି, କଣ୍ଟାବାଞ୍ଜି ବିଧାୟକ ଶ୍ରୀ ଲକ୍ଷ୍ମଣ ବାଗ ଏବଂ ବଲାଙ୍ଗିର ଜିଲ୍ଲାପାଳ ଶ୍ରୀ ଗୌରବ ଶିବାଜୀ ଇସଲବାର ପ୍ରମୁଖ ଉପସ୍ଥିତ ରହି ଅଭିଭାଷଣ ରଖିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ନିଜ ଗାଁରେ ଦୀପାବଳୀ ପାଳିଲେ ମୁଖ୍ୟମନ୍ତ୍ରୀ: ସୋହରାଇ ପୂଜାରେ ବଜାଇଲେ ପାରମ୍ପରିକ ବାଦ୍ୟ ମାଦଳ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜିଠାରୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯାଇଛନ୍ତି। ଆଜି ଗାଁରେ ପରିବାର ସହ ଏବଂ ଗାଁ ଲୋକଙ୍କ ଗହଣରେ ଦିପାବଳି ପାଳନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମଥର ନିଜ ଜନ୍ମମାଟିରେ ଦୀପାବଳୀ ପାଳନ କରୁଛନ୍ତି ମୁଖ୍ୟମନ୍ତ୍ରୀ। ମା’ କାଳୀଙ୍କ ଆରାଧନା ନିମନ୍ତେ ନିଜ ଜନ୍ମମାଟି ରାଇକଳାଠାରେ ସୋହରାଇ ପୂଜାରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଅନ୍ୟମାନଙ୍କ ସହ ମିଶି ପାରମ୍ପରିକ ବାଦ୍ୟ ମାଦଳ ବଜାଉଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଗାଁରେ ଦୀପାବଳି ପାଳିବେ ମୁଖ୍ୟମନ୍ତ୍ରୀ, ସୋହରାଇ ପୂଜାରେ ହେବେ ସାମିଲ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜିଠାରୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯାଇଛନ୍ତି। ଗାଁରେ ପରିବାର ସହ ଏବଂ ଗାଁ ଲୋକଙ୍କ ଗହଣରେ ଦିପାବଳି ପାଳନ କରିବେ।

ଆଦିବାସୀ ମନଙ୍କ ସ୍ଵତନ୍ତ୍ର ସଂସ୍କୃତି ଓ ପରମ୍ପରା ଅନୁଯାୟୀ ଦୀପାବଳି ପାଳନ କରିବେ। ଦୀପାବଳିରେ ସୋହରାଇ ପୂଜା କରିଥାନ୍ତି ଆଦିବାସୀ ମାନେ । ମୁଖ୍ୟମନ୍ତ୍ରୀ ନିଜେ ଗାଁରେ ଏହି ପୂଜାରେ ସାମିଲ ହେବେ।

Categories
ଆଜିର ଖବର ରାଜ୍ୟ ଖବର

ସ୍ଥାନୀୟ ଉତ୍ପାଦ କିଣିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ: ଏକ ନମ୍ବର ହାଟ ଫୁଟପାଥରୁ କିଣିଲେ ପୂଜା ସାମଗ୍ରୀ

ଭୁବନେଶ୍ୱର: ଭୁବନେଶ୍ବରର ଏକ ନମ୍ବର ହାଟ ପାଖରେ ଥିବା ରାଜ ରାସ୍ତାର ଫୁଟ ପାଥରେ ଅନେକ ଦୋକାନୀ ସେମାନଙ୍କ ଜିନିଷ ବିକନ୍ତି। ପୂଜା ପାର୍ବଣରେ ବହୁ ପରିମାଣରେ ପୂଜା ସାମଗ୍ରୀ ମଧ୍ୟ ବିକ୍ରି ହୁଏ।

କିନ୍ତୁ, ଆଜି ସେହି ଦୋକାନୀ ମାନଙ୍କ ପାଇଁ ଥିଲା ଏକ ଅଭୂତପୂର୍ବ ଆନନ୍ଦର ଦିନ। ଆଜି ଥିଲା ଦିପାବଳି। ଲୋକଙ୍କ ଗହଣରେ ଜିନିଷ ବିକୁଥିବା ବେଳେ ହଠାତ୍ ଆସି ପହଞ୍ଚି ଗଲେ ମୁଖ୍ୟମନ୍ତ୍ରୀ ନିଜେ। ଦୀପାବଳି ସାମଗ୍ରୀ ବିକ୍ରି କରୁଥିବା ମାଉସୀ ତ୍ରିବେଣୀ ସାହୁ ହୋଇ ଯାଇଥିଲେ ଆଶ୍ଚର୍ଯ୍ୟ ଚକିତ।

ମୁଖ୍ୟମନ୍ତ୍ରୀ ସପତ୍ନିକ ଯାଇଥିଲେ। ଦିପ, ସଲିତା, ତେଲ, ନଡ଼ିଆ, ମାଟିର ଦୀପ ଦାନି ଆଦି ଅନେକ ଜିନିଷ ଦେଖିଲେ। ପଚାରିଲେ ଦୀପ ସବୁ ଆମ ଓଡ଼ିଶାରେ ତିଆରି ହୋଇଛି ନା ନାହିଁ। ସେମାନେ କହିଲେ, ହଁ, ସବୁ ଆମ ଓଡ଼ିଶାର କାରିଗର ତିଆରି କରିଛନ୍ତି। ତା ପରେ, ମୁଖ୍ୟମନ୍ତ୍ରୀ ସବୁ ଜିନିଷ କିଣିଲେ। ଆଉ କିଛି ଦୋକାନୀ ରଘୁନାଥ ବାରିକ, ମନୋରଞ୍ଜନ ରାଉତଙ୍କ ଠାରୁ ମଧ୍ୟ ମୁଖ୍ୟମନ୍ତ୍ରୀ ପୂଜା ସାମଗ୍ରୀ କିଣିଥିଲେ।

ମୁଖ୍ୟମନ୍ତ୍ରୀ ଏହା ପରେ ସେଠାରେ ପହଞ୍ଚିଥିବା ଗଣ ମାଧ୍ୟମକୁ ବକ୍ତବ୍ୟ ଦେଇ କହିଲେ ଯେ ଆଗରୁ ବିଧାୟକ ଥିବା ବେଳେ ମୁଁ ଏହି ପାଖରେ ରହୁଥିଲି। ଏହି ବ୍ୟବସାୟୀ ମାଉସୀ ଓ ମଉସା ମାନଙ୍କ ଠାରୁ ଜିନିଷ କିଣୁ ଥିଲି। ଆଜି ମଧ୍ୟ କିଛି ପରିବର୍ତ୍ତନ ହୋଇ ନାହିଁ।

ଆମର ଏହି ଓଡ଼ିଆ ମା ମାଉସୀ ମାନେ ଛୋଟ ଦୋକାନୀ। ସ୍ଥାନୀୟ ଉତ୍ପାଦ ବିକ୍ରି କରୁଛନ୍ତି। ତେଣୁ, ସେମାନଙ୍କ ଠାରୁ ଜିନିଷ କିଣିଲେ ସ୍ଥାନୀୟ କାରିଗର ଓ ବ୍ୟବସାୟୀ ମାନଙ୍କର ବ୍ୟବସାୟ ଚାଲିବ ଓ ସେମାନଙ୍କୁ ପ୍ରୋତ୍ସାହନ ମିଳିବ। ଏହା ଆମ ଓଡ଼ିଆ ଅସ୍ମିତାକୁ ଆଗକୁ ନେବ। ଓଡ଼ିଆ ଭାବରେ ଏହା ଆମ ସମସ୍ତଙ୍କ ଦାୟିତ୍ଵ ବୋଲି ସେ କହିଥିଲେ।

ସମସ୍ତଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ ସେଠାରୁ କେନ୍ଦୁଝର ଗସ୍ତରେ ବାହାରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ଫାର୍ମାସୀ କର୍ମଚାରୀ ଓ ଛାତ୍ର ଛାତ୍ରୀଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ମଙ୍ଗଳବାର ସାରା ଦେଶରେ ସ୍ବାସ୍ଥ୍ୟ ସେବା କ୍ଷେତ୍ର ନିମନ୍ତେ ୧୨ ହଜାର ୮୫୦ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ବର ଉପକଣ୍ଠ ଗୋଠପାଟଣା ଠାରେ ଥିବା ଡ୍ରଗ୍ସ ଟେଷ୍ଟିଂ ଲବ୍ରୋଟେରୀ ସେଣ୍ଟରର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଡାଃ ମୁକେଶ ମହାଲିଙ୍ଗ।

ଏହି ଅବସରରେ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲର ଫର୍ମାସୀ ବିଭାଗର କର୍ମଚାରୀ ଏବଂ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଶେଷ ହେବା ପରେ ଆଇଏମ୍ ଏସ ଆଣ୍ଡ ସମ୍ ହସ୍ପିଟାଲ ଫାର୍ମାସୀ କର୍ମଚାରୀ ଓ ଛାତ୍ରାଛାତ୍ରୀଙ୍କ ସହ କିଛି ସମୟ ବିତାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେମାନଙ୍କ ସହ ସ୍ୱାସ୍ଥ୍ୟସେବା ସମ୍ପର୍କିତ ଆଲୋଚନା କରିବାବେଳେ ଫାର୍ମାସୀ ଟେଷ୍ଟିଙ୍ଗ ବିଷୟରେ ପଚାରି ବୁଝିଥିଲେ ମୁଖ୍ୟମନ୍ତ୍ରୀ।

ଏହି ଡ୍ରଗ୍ସ ଟେଷ୍ଟିଂ ଲବ୍ରୋଟାରୀ ସେଣ୍ଟର ସେମାନଙ୍କୁ ଅନେକ ସାହାଯ୍ୟ କରିବ ବୋଲି ମଧ୍ୟ କହିବା ସହ ସମ୍ ଫାର୍ମାସୀ କର୍ମଚାରୀ ଓ ଛାତ୍ରାଛାତ୍ରୀଙ୍କ ସହ ବେଶ୍ ଆନନ୍ଦିତ ଭାବେ ଫଟୋ ଉଠାଇଥିଲେ ମୁଖ୍ଯମନ୍ତ୍ରୀ ଶ୍ରୀ ମାଝୀ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମୋତେ କେହି ହେୟ ଜ୍ଞାନ କରନ୍ତୁ ନାହିଁ, ଏମିତି କାହିଁକି କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର: ମୋତେ କେହି ହେୟ ଜ୍ଞାନ କରନ୍ତୁ ନାହିଁ, ଏବେ ଟ୍ରେଲର ଚାଲିଛି.. ଆଗକୁ ପୁରା ସିନେମା ବାକି ଅଛି ବୋଲି ଆଜି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ଦୁର୍ନିତି ନିବାରଣ ସପ୍ତାହ ପାଳନ ଅବସରରେ ବରିଷ୍ଠ ଅଧିକାରୀଙ୍କୁ ଏହା ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ଥିଲା। ଯେଉଁମାନେ ଦୁର୍ନିତି କରୁଛନ୍ତି ସେମାନଙ୍କୁ ଖୁବ ଶିଘ୍ର ବନ୍ଧାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ତେବେ ତାଙ୍କୁ କେହି ହେୟ ଜ୍ଞାନ କରନ୍ତୁ ନାହିଁ ବୋଲି କହିବାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ସୃଷ୍ଟି ହୋଇଛି। ତାହା ହେଲା ଯେ, ପ୍ରକୃତରେ ମୁଖ୍ୟମନ୍ତ୍ରୀଙ୍କୁ କିଏ ହେୟଜ୍ଞାନ କରୁଛି କି ? ତେବେ ସେମାନେ ଅଧିକାରୀ ନା ମନ୍ତ୍ରୀ ନା ବିଜେପି ନେତା। କାରଣ ଓଡିଶା ପରି ରାଜ୍ୟର ଜଣେ ମୁଖ୍ୟମନ୍ତ୍ରୀଙ୍କୁ କାହିଁକି କିଏ ହେୟଜ୍ଞାନ କରିବ ସେ ନେଇ ସନ୍ଦେହ ରହିଛି। ତେବେ କଣ ମୁଖ୍ୟମନ୍ତ୍ରୀଙ୍କ ଏହା ନିଜ ଅନୁଭବ କି ବୋଲି ସାଧାରଣ ଆଲୋଚନା ହେବାରେ ଲାଗିଛି।

ତେବେ ଏହି ସଭାରେ କେଉଁମାନେ ହେୟଜ୍ଞାନ କରୁଛନ୍ତି ସେ ନେଇ ମୁଖ୍ୟମନ୍ତ୍ରୀ କାହା ନାମ ବା କେଉଁ ବର୍ଗ ବୋଲି ତାହା ସ୍ପଷ୍ଟ କରି ନାହାଁନ୍ତି। କେବଳ ଏତିକି କହିଲେ ଯେ, ମୋ କଥାକୁ କେହି ହେୟଜ୍ଞାନ ନ କରି ପୁରା ଫିଲ୍ମକୁ ଅପେକ୍ଷା କରନ୍ତୁ। ପ୍ରକୃତରେ ମୁଖ୍ୟମନ୍ତ୍ରୀଙ୍କ ଏହି ଭାଷଣ ସେଠାରେ ଉପସ୍ଥିତ ଥିବା ସରକାରୀ ଅଧିକାରୀଙ୍କୁ ପରୋକ୍ଷରେ ଦୁର୍ନିତି ନ କରିବା ପାଇଁ ଏକ ଧମକ ସଦୃଶ୍ୟ ଥିଲା। ହେଲେ ରାଜ୍ୟରେ ଜଣେ ମୁଖ୍ୟମନ୍ତ୍ରୀ ଅନ୍ୟମାନେ ତାଙ୍କୁ ହେୟଜ୍ଞାନ କରୁଛନ୍ତି ବୋଲି କହିବା ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି।

ମୁଖ୍ୟମନ୍ତ୍ରୀ ଏହି ସଭାରେ କହିଛନ୍ତି ଯେ, ନୂଆ ସରକାର ଆସିବା ପରେ ୬ ମୁଖ୍ୟଯନ୍ତ୍ରୀଙ୍କୁ ଭିଜିଲାନ୍ସ ଗିରଫ କରିଛି। ସେମାନଙ୍କଠାରୁ ୨୩୩ ଟି ପ୍ଲଟ, ୩୨ କୋଠା, ପ୍ରାୟ ୬ କେଜି ସୁନା ଜବତ ହୋଇଛି। ୧୦ କୋଟି ବ୍ୟାଙ୍କ ଡିପୋଜିଟ୍ ଓ ୨୧ ଲକ୍ଷ ନଗଦ ଟଙ୍କା ଜବତ ହୋଇଛି। ଅନେକ ବଡ଼ବଡ଼ ଅଧିକାରୀ ଗିରଫ ହୋଇ ଜେଲ୍‌ରେ ଅଛନ୍ତି। ଏସବୁ ସାଧାରଣ ଲୋକଙ୍କ ଟଙ୍କା, ଯାହା ଏମାନଙ୍କ ପାଖରେ ଥିଲା। ଖାଲି ଏମାନେ ନୁହଁନ୍ତି ଯିଏ ଯିଏ ଦୁର୍ନୀତିରେ ସଂପୃକ୍ତ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ।

ସେ ଆହୁରି କହିଥିଲେ ଯେ, ଅନେକ ଦୁର୍ନୀତିଖୋର ଭିଜିଲାନ୍ସ ଜାଲରେ ପଡ଼ନ୍ତିନି। ତେଣୁ ସେଭଳି ଅଧିକାରୀଙ୍କ ନିଦ ହଜାଇ ଦେବାକୁ ହେବ। ପ୍ରତି ମୁହୂର୍ତ୍ତରେ ସେମାନଙ୍କ ମନରେ ଗିରଫଦାରୀ ଭୟ ବସା ବାନ୍ଧି ରହିବା ଉଚିତ। ଏପରିକି, ସେମାନେ ବାଥରୁମରେ ଥିବା ବେଳେ, ଘରେ ରହୁଥିବା ବେଳେ ଗିରଫଦାରୀର ଭୟ ଯେମିତି ଘାରିବ ସେଭଳି କାର୍ଯ୍ୟ ଭିଜିଲାନ୍ସ କରୁ ବୋଲି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାତ୍ୟା ପରବର୍ତ୍ତୀ ପରିସ୍ଥିତି ଓ ପୁନରୁଦ୍ଧାର କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସକାଳେ ଓ ସନ୍ଧ୍ୟାରେ ସ୍ଵତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ଦୁଇ ଥର ସମୀକ୍ଷା କରି ବାତ୍ୟା ପରବର୍ତ୍ତୀ ପରିସ୍ଥିତି ଓ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅବଗତ ହୋଇଛନ୍ତି। ପୁନରୁଦ୍ଧାର କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସମୀକ୍ଷା ପରେ ସନ୍ଧ୍ୟାରେ ଗଣ ମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ରାଜ୍ୟରେ ବାତ୍ୟା ଆଶ୍ରୟସ୍ଥଳକୁ ସମୁଦାୟ ୮ ଲକ୍ଷ ୯ ହଜାର ୫୧୩ ଲୋକମାନଙ୍କୁ ଅଣାଯାଇଥିଲା। ସ୍ଥିତି ସ୍ୱାଭାବିକ ହେବାପରେ ଲୋକମାନେ ନିଜ ଘରକୁ ଫେରିଛନ୍ତି। ବର୍ତ୍ତମାନ ମାତ୍ର ୧ ଲକ୍ଷ ୧୦ ହଜାର ୭୭୦ ଜଣ ଆଶ୍ରୟସ୍ଥଳୀରେ ଅଛନ୍ତି। ଯେଉଁ ଅଞ୍ଚଳରେ ପାଣି ଜମି ରହିଛି, ସେଠାରେ ଲୋକମାନେ ଏ ପର୍ଯ୍ୟନ୍ତ ଅଛନ୍ତି। ପରିସ୍ଥିତି ସ୍ବାଭାବିକ ହେବା ପର୍ଯ୍ୟନ୍ତ ସେମାନେ ରହି ପାରିବେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ବାତ୍ୟା ଯୋଗୁ ସମୁଦାୟ ୨୨.୮୪ ଲକ୍ଷ ପରିବାରକୁ ବିଦ୍ୟୁତ୍ ଯୋଗାଣ ପ୍ରଭାବିତ ହୋଇଥିଲା। ତନ୍ମଧ୍ୟରୁ ଆଜି ସନ୍ଧ୍ୟା ୭ ଟା ୩୦ ସୁଦ୍ଧା ୯୨ ପ୍ରତିଶତରୁ ଅଧିକ ପରିବାରକୁ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରାଯାଇଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବାତ୍ୟା “ଦାନା” ଦ୍ୱାରା କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ଅଧିକ ପ୍ରଭାବିତ ହୋଇଥିଲା।

ଏହିସବୁ ଜିଲ୍ଲା ଗୁଡିକରେ ଗଛ ପଡି ରାସ୍ତା ଅବରୋଧ ହେବା ସହ ବିଦ୍ୟୁତ୍ ସରବରାହରେ ବ୍ୟାଘାତ ଘଟିଥିଲା।

କେନ୍ଦ୍ରାପଡାରେ ବର୍ତ୍ତମାନ ସ୍ଥିତି ପ୍ରାୟତ ସ୍ବାଭାବିକ ଅଛି। ବର୍ତ୍ତମାନ ସୁଦ୍ଧା ବାତ୍ୟା ଦ୍ୱାରା ପ୍ରଭାବିତ ୯୫ ପ୍ରତିଶତ ଉପଭୋକ୍ତା ମାନଙ୍କୁ ବିଦ୍ୟୁତ୍ ସଂଯୋଗ ଯୋଗାଇ ଦିଆଯାଇଅଛି। ପ୍ରାୟ ୧୫ ହଜାର ଉପଭୋକ୍ତା ବିଦ୍ୟୁତ୍ ସଂଯୋଗ ଅପେକ୍ଷାରେ ଅଛନ୍ତି। ସେମାନଙ୍କୁ ବିଦ୍ୟୁତ୍ ଯୋଗାଇ ଦେବା ପାଇଁ ବର୍ତ୍ତମାନ ମଧ୍ୟ କାମ ଜାରି ରହିଛି।

ଭଦ୍ରକରେ Water logging ସମସ୍ୟା ଯୋଗୁଁ Power Restoration କାମ ବିଳମ୍ବ ହେଉଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୭୭ ପ୍ରତିଶତ Restoration ହୋଇଛି। ପ୍ରାୟ ୭୦ ହଜାର ଉପଭୋକ୍ତା ବିଦ୍ୟୁତ୍ ସଂଯୋଗ ଅପେକ୍ଷାରେ ଅଛନ୍ତି। ଅଧିକ ଟିମ୍ ନିୟୋଜିତ କରି ବର୍ତ୍ତମାନ ମଧ୍ୟ କାମ ଜାରି ରହିଛି। ଖୁବ୍ ଶୀଘ୍ର ପରିସ୍ଥିତି ସ୍ବଭାବିକ ହୋଇଯିବ ବୋଲି ସେ କହିଛନ୍ତି।

ବାଲେଶ୍ୱରର ସ୍ଥିତି ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ବାଲେଶ୍ୱର ଜିଲ୍ଲାରେ ଆଜି ସନ୍ଧ୍ୟା ସୁଦ୍ଧା ବାକିଥିବା ସବୁ ରାସ୍ତା ଅବରୋଧ ହଟାଯାଇଛି। ପ୍ରାୟ ୮୧ ପ୍ରତିଶତ ଉପଭୋକ୍ତାଙ୍କୁ ବିଦ୍ୟୁତ୍ ସଂଯୋଗ ଯୋଗାଇ ଦିଆଯାଇଅଛି। Power Restoration କାମ ଜାରି ରହିଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଶିମିଳିପାଳରେ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲାରେ ବୁଢାବଳଙ୍ଗ ନଦୀରେ ଜଳସ୍ତରରେ ବୃଦ୍ଧି ଘଟୁଛି। ତେବେ ବର୍ତ୍ତମାନ ଶେଷ ରିପୋର୍ଟ ଅନୁଯାୟୀ ଜଳ ସ୍ତର ସ୍ଥିର ଅଛି। ବର୍ଷା ବନ୍ଦ ହୋଇଥିବାରୁ ଆହୁରି କମିବାର ସଂଭାବନା ଅଛି।

ବାଲେଶ୍ୱର ଜିଲ୍ଲାରେ ୬ ଟି ଗ୍ରାମ ପଞ୍ଚାୟତର ୨୦ ଟି ଗ୍ରାମ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଅଛି। ରେମୁଣା ବ୍ଲକର ୨୫୦୦ ଓ ବାଲେଶ୍ୱର ସଦର ବ୍ଲକର ୮ ହଜାର ଲୋକଙ୍କୁ ପ୍ରଶାସନ ଏପର୍ଯ୍ୟନ୍ତ ସୁରକ୍ଷିତ ସ୍ଥାନକୁ ଆଣିଛି। ସେଠାରେ ପ୍ରଶାସନ, ODRAF ଓ Fire Services ସମ୍ପୂର୍ଣ୍ଣ ରୂପେ ସଜାଗ ରହିଛି।

ମୟୂରଭଞ୍ଜର ସ୍ଥିତି ଉପରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ମୟୂରଭଞ୍ଜ ଜିଲ୍ଲାରେ ବିଦ୍ୟୁତ୍ ସଂଯୋଗ ଓ ଯୋଗା ଯୋଗ ବ୍ୟବସ୍ଥା ସ୍ୱାଭାବିକ ହୋଇଛି। ବୁଢାବଳଙ୍ଗ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ସେଠାରେ ମଧ୍ୟ ପ୍ରଶାସନ, ODRAF ଓ Fire Services ସମ୍ପୂର୍ଣ୍ଣ ରୂପେ ସଜାଗ ରହିଛି।

ବନ୍ୟା ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ମୟୂରଭଞ୍ଜ ଜିଲ୍ଲାକୁ ଅତିରିକ୍ତ ୧୧ ଗୋଟି power boat ଏବଂ ବାଲେଶ୍ୱର ଜିଲ୍ଲାକୁ ଅତିରିକ୍ତ ୧୦ ଗୋଟି power boat ପଠେଇବାକୁ ମୁଁ ନିର୍ଦ୍ଦେଶ ଦେଇଛି।

ବାଲେଶ୍ୱରର ଗୋବିନ୍ଦପୁର ସେତୁ ଠାରେ ବର୍ତ୍ତମାନ ଜଳସ୍ତର ୭.୮୪ ମିଟର ରେ ପ୍ରବାହିତ ହେଉଅଛି, ଯାହାକି ବିପଦ ସଂକେତଠାରୁ ତଳେ ଅଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ।

ଏପର୍ଯ୍ୟନ୍ତ ସର୍ପାଘାତରେ ୨୮ ଜଣ ବ୍ୟକ୍ତି ଆହାତ ହୋଇ ଚିକିତ୍ସିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୫ ଜଣ ପୁରୁଷ ଓ ୧୩ ଜଣ ମହିଳା ଅଟନ୍ତି।

ଫସଲହାନୀ ଉପରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ପ୍ରାରମ୍ଭିକ ଆକଳନରୁ ଜଣାଯାଇଛି ଯେ, ପ୍ରାୟ ୨ ଲକ୍ଷ ଏକର ଜମିରେ ଫସଲ ନଷ୍ଟ ହୋଇଛି। ପାଣି ଛାଡିଲା ପରେ ଏହାର ସଠିକ୍ ଆକଳନ କରାଯାଇ ଚାଷୀମାନଙ୍କୁ ତୁରନ୍ତ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସରକାର ଆପଣମାନଙ୍କ ସହିତ ସବୁବେଳେ, ସବୁସମୟରେ, ଦୃଢ ଭାବେ ଛିଡା ହୋଇଛନ୍ତି, ହୋଇଥିବେ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ବାତ୍ୟା ‘ଦାନା’ ଏବଂ ଏହାର ପ୍ରଭାବ ସମ୍ବନ୍ଧରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ବାର୍ତ୍ତା ପ୍ରଦାନ କରିଛନ୍ତି। ଏହି ପ୍ରରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ବାତ୍ୟା ମୁକାବିଲାରେ ନିୟୋଜିତ ସମସ୍ତ କର୍ମାଚାରୀ, ବିଧାୟକ, ସାଂସଦ, ସମାଜସେବୀମାନଙ୍କୁ ଉଚ୍ଚ ପ୍ରଶଂସା କରିବା ସହ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ”ପ୍ରଭୁ ଜଗନ୍ନାଥଙ୍କ, ଅପାର କରୁଣାରୁ, ଆମ ରାଜ୍ୟ ଉପରୁ, ଏତେ ବଡ ବିପତ୍ତି ହଟିଗଲା।

ବାତ୍ୟା ‘ଦାନା’ ଏବଂ ଏହାର ପ୍ରଭାବରୁ, କୌଣସି ମୃତାହତ ହୋଇନାହିଁ। ସରକାରଙ୍କ ‘ଜିରୋ କାଜୁଆଲଟି’ ନୀତିକୁ , ସଫଳତାର ସହିତ, କାର୍ଯ୍ୟକାରୀ କରିଥିବାରୁ, ମନ୍ତ୍ରୀ ପରିଷଦର ସମସ୍ତ ସଦସ୍ୟ, ସଦସ୍ୟା, ସାଂସଦ, ବିଧାୟକ, ବିଧାୟିକା ତଥା ପ୍ରଶାସନିକ ଅଧିକାରୀ, ସରକାରୀ କର୍ମଚାରୀ ଓ ସ୍ଵେଚ୍ଛାସେବୀ ଅନୁଷ୍ଠାନ ମାନଙ୍କୁ, ମୁଁ ଆନ୍ତରିକତାର ସହିତ ଧନ୍ୟବାଦ ଜ୍ଞାପନ କରୁଅଛି।

ଲୋକଙ୍କୁ ସୁରକ୍ଷିତ କରି, ସେମାନଙ୍କୁ ଆବଶ୍ୟକୀୟ, ସେବା ପ୍ରଦାନ କରିବା ପାଇଁ, ସମସ୍ତେ ଦିନ ରାତି ଏକ କରିଦେଇଥିଲେ।

ବାତ୍ୟା ପରବର୍ତ୍ତୀ ଥଇଥାନ, ଏବଂ କ୍ଷୟକ୍ଷତିର ଆକଳନ କରି, ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ, ସମ୍ପୃକ୍ତ ବିଭାଗ ଗୁଡିକୁ ନିର୍ଦ୍ଦେଶ ଦିଆ ଯାଇଅଛି।

ଏ ସରକାର ଆପଣ ମାନଙ୍କର ( ଜନସାଧାରଣଙ୍କର), ଆପଣଙ୍କ ସେବା ଓ ସ‌ହଯୋଗ କରିବା, ଆମର ନୈତିକ କର୍ତ୍ତବ୍ୟ ଓ ଦାୟିତ୍ଵ।

ଶାନ୍ତି ଶୃଙ୍ଖଳା, ଏବଂ ଧୈର୍ଯ୍ୟର ସହିତ, ବାତ୍ୟାକୁ ସଫଳତାର ସହିତ ମୁକାବିଲା କରି, ସରକାରଙ୍କ ନିୟମାବଳୀକୁ ମାନି, ନିଜ ଏବଂ ନିଜ ପରିବାରର, ସୁରକ୍ଷା କରିଥିବାରୁ ଆପଣମାନେ ସମସ୍ତେ ପ୍ରଶଂସାର ପାତ୍ର।

ସମଗ୍ର ଓଡିଶାବାସୀଙ୍କୁ, ମୁଁ ଆନ୍ତରିକତାର ସହିତ ଧନ୍ୟବାଦ ଜଣାଉଛି।

ସରକାର ଆପଣମାନଙ୍କ ସହିତ ସବୁବେଳେ, ସବୁସମୟରେ, ଦୃଢ ଭାବେ ଛିଡା ହୋଇଛନ୍ତି, ହୋଇଥିବେ।”

Categories
ବିଶେଷ ଖବର ରାଜ୍ୟ ଖବର

ବାତ୍ୟା ସଂପୂର୍ଣ୍ଣ ଦୁର୍ବଳ ହୋଇ ସାରିଛି, ଓଡ଼ିଶା ଏବେ ସୁରକ୍ଷିତ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସନ୍ଧ୍ୟାରେ ସ୍ଵତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ବାତ୍ୟା ପରିସ୍ଥିତି ଓ ପୁନରୁଦ୍ଧାର କାମର ସମୀକ୍ଷା କରିଛନ୍ତି।

ସମୀକ୍ଷା ପରେ ଗଣ ମାଧ୍ୟମ ଆଗରେ ନିଜର ବକ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀ କହିଲେ ଯେ, ମହାପ୍ରଭୁଙ୍କ ଆଶୀର୍ବାଦ ଓ ଜନସାଧାରଣଙ୍କ ସହଯୋଗ ପାଇଁ ଆମେ ବାତ୍ୟା ମୁକାବିଲାରେ ସଫଳ ହୋଇଛୁ। ଆମେ ଆମର ଜିରୋ କାଜୁଆଲିଟି ଲକ୍ଷ୍ୟ ହାସଲ କରି ପାରିଛୁ। ସେଥିପାଇଁ ମୁଖ୍ୟମନ୍ତ୍ରୀ କର୍ମଚାରୀଙ୍କୁ ଧନ୍ୟବାଦ ଦେଇଥିଲେ। ଗଣମାଧ୍ୟମ ମଧ୍ୟ ପ୍ରତି ମୁହୂର୍ତ୍ତରେ ଖବର ଦେଇ ଜନ ସାଧାରଣଙ୍କୁ ସତର୍କ ଓ ସରକାରଙ୍କୁ ପଦକ୍ଷେପ ନେବାକୁ ସହାୟତା କରିଥିବାରୁ ମୁଖ୍ୟମନ୍ତ୍ରୀ ଗଣ ମାଧ୍ୟମକୁ ମଧ୍ୟ ଧନ୍ୟବାଦ୍ ଦେଇଥିଲେ।

କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ସେମାନେ କଠିନ ପରିଶ୍ରମ କରି ମୁକାବିଲା କାର୍ଯ୍ୟକୁ ସଫଳ କରିଛନ୍ତି। ଆଉ ୨୪ ରୁ ୪୮ ଘଣ୍ଟା ପରିଶ୍ରମ କଲେ ଆମର ପୁନରୁଦ୍ଧାର କାର୍ଯ୍ୟ ମଧ୍ୟ ସଂପୂର୍ଣ୍ଣ ସଫଳ ହେବ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଲେ ଯେ, ଗତ କାଲି ସନ୍ଧ୍ୟା ସୁଦ୍ଧା ଆମର ଆଶ୍ରୟ ସ୍ଥଳୀଗୁଡିକୁ ପ୍ରାୟ ୮ ଲକ୍ଷ ଲୋକ ଆସି ସୁରକ୍ଷିତ ଭାବରେ ରହିଥିଲେ।

ପୁନରୁଦ୍ଧାର କାର୍ଯ୍ୟ ଉପରେ ସୂଚନା ଦେଇ ସେ କହିଲେ ଯେ, ତଥ୍ୟ ଅନୁଯାୟୀ ସବୁ ପ୍ରମୁଖ ରାସ୍ତା ଗୁଡିକ ଅବରୋଧ ହଟାଯାଇ ଗମନାଗମନ ଉପଯୋଗୀ କରାଯାଇଅଛି।

ବିଦ୍ୟୁତ୍ ସରବରାହ ବ୍ୟବସ୍ଥାକୁ ସ୍ବାଭାବିକ କରିବା ପ୍ରକ୍ରିୟା ଜାରି ରହିଛି। ସମୁଦାୟ ୨୨.୪୩ ଲକ୍ଷ ଘରେ ବିଜୁଳି ବାଧାପ୍ରାପାପ୍ତ ହୋଇଥିଲା। ତନ୍ମଧ୍ୟରୁ ୧୪.୮୦ ଲକ୍ଷ ଘରକୁ ଆଜି ସନ୍ଧ୍ୟା ୬ ଟା ସୁଦ୍ଧା ବିଜୁଳି ଯୋଗାଣ କରାଯାଇସାରିଛି।

ଏବେ ମଧ୍ୟ ବିଦ୍ୟୁତ୍ ବ୍ୟବସ୍ଥା ପୁନକ୍ଷମ କାର୍ଯ୍ୟ ଚାଲୁରହିଛି। ଯେଉଁ ଅଞ୍ଚଳରେ ବର୍ଷା ଲାଗି ରହିଛି ସେଠାରେ restoration କରିବା ପାଇଁ ଆଉ କିଛି ସମୟ ଲାଗିବ । ଶକ୍ତି ବିଭାଗ ପ୍ରମୁଖ ସଚିବ କେନ୍ଦ୍ରାପଡ଼ା ଓ ଭଦ୍ରକରେ ଉପସ୍ଥିତ ରହି restoration କାମ ତଦାରଖ କରି କାମ ତ୍ୱରାନ୍ୱିତ କରୁଛନ୍ତି ବୋଲି ସେ କହିଥିଲେ। ଆସନ୍ତା କାଲି ଅପରାହ୍ନ ସୁଦ୍ଧା ପରିସ୍ଥିତି ସ୍ବାଭାବିକ ହେଇଯିବ ବୋଲି ସେ କହିଥିଲେ।

କୃଷି କ୍ଷେତ୍ରରେ ପ୍ରାରମ୍ଭିକ ଆକଳନରୁ (Eye estimate) ଜଣାଯାଇଛି ଯେ, ୧.୭୫ ଲକ୍ଷ ଏକର ଚାଷ ଜମିରେ ଫସଲ କ୍ଷୟକ୍ଷତି ହୋଇଛି। ସଂପୂର୍ଣ୍ଣ ତଥ୍ୟ ମିଳିବା ପରେ କ୍ଷତିପୂରଣ ମଧ୍ୟ ଦିଆଯିବ। ଘରଭଙ୍ଗା ରିପୋର୍ଟ ମଧ୍ୟ ଖୁବ୍ ଶୀଘ୍ର ଆସିଯିବ। ଫସଲ କ୍ଷତି ଏବଂ ଘରଭଙ୍ଗା ପାଇଁ ଶୀଘ୍ର ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଥିଲେ।

ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ ଗୁଡିକ ଠିକ୍ ଚାଲିଛି ସବୁ ଆଶ୍ରୟସ୍ଥଳରେ ମେଡିକାଲ୍ ଟିମ୍ ଯାଇ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି। ଡାକ୍ତରଖାନା ଓ ମା ଗୃହ ଗୁଡିକରେ ପ୍ରାୟ ୨୨୦୦ ନବଜାତ ଶିଶୁ ଜନ୍ମ ଗ୍ରହଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮ ଟି ହେଉଛନ୍ତି ଜାଆଁଳା ଶିଶୁ। ସବୁ ସ୍ଥାନରେ ମା ଓ ଶିଶୁମାନେ ସୁସ୍ଥ ଓ ସୁରକ୍ଷିତ ଅଛନ୍ତି।

ଯେଉଁ ଜାଗାରେ ପାଣି ଜମି ରହିଛି, ଲୋକଙ୍କ ଘର ଭାଙ୍ଗିଛି, ସେଠାରେ ଲୋକମାନେ ପରିସ୍ଥିତି ସ୍ବାଭାବିକ ହେବା ପର୍ଯ୍ୟନ୍ତ ଆଶ୍ରୟ ସ୍ଥଳରେ ରହିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆବଶ୍ୟକତା ଅନୁଯାୟୀ ଆଶ୍ରୟସ୍ଥଳୀ ଗୁଡିକରେ ସାତ ଦିନ ପର୍ଯ୍ୟନ୍ତ ରନ୍ଧାଖାଦ୍ୟ ଯୋଗାଇ ଦେବାକୁ ଜିଲ୍ଲାପାଳମାନଙ୍କୁ ଅଧିକୃତ କରାଯାଇଛି ବୋଲି ସେ କହିଥିଲେ।

ପୋଲିସ୍ ଫୋର୍ସ ମଧ୍ୟ ସବୁ ଜାଗାରେ ମୁତୟନ ଅଛନ୍ତି। ସମୁଦାୟ ୧୫୮ ପ୍ଲାଟୁନ୍ ଫୋର୍ସ ନିୟୋଜିତ ଅଛନ୍ତି। ଲୋକଙ୍କୁ ନେବା ଆଣିବାରେ ପୋଲିସ୍ ସହାୟତା ଯୋଗାଇଦେଉଛି। ଆଶ୍ରୟସ୍ଥଳୀ ଗୁଡିକୁ ସୁରକ୍ଷା ଯୋଗାଇଦେଉଛନ୍ତି। ପୋଲିସ ବାହିନୀର ଉଚ୍ଚ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସେମାନେ ଭଲ କାମ କରିଛନ୍ତି। ସହାନୁଭୂତିଶିଳ ହୋଇ କାମ କରୁଛନ୍ତି। ଲୋକ ମାନେ ପୋଲିସର ମାନବୀୟ ରୂପ ଦେଖିବାକୁ ପାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବାତ୍ୟା ଦାନା ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟାରେ ଟେଲିଫୋନ ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଓଡ଼ିଶାରେ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ସଂପର୍କରେ ଆଲୋଚନା କରିଛନ୍ତି।

ଆଲୋଚନା ସମୟରେ, ମୁଖ୍ୟମନ୍ତ୍ରୀ ରାଜ୍ୟରେ ଚାଲିଥିବା ଲୋକଙ୍କ ସ୍ଥାନାନ୍ତର ପ୍ରକ୍ରିୟା ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ଏହା ସହିତ ଲୋକଙ୍କ ସୁରକ୍ଷା ପାଇଁ ନିଆ ଯାଇଥିବା ସୁରକ୍ଷା ବଳ, NDRF, ODRAF  ଆଦି ମୁତୟନ ସଂପର୍କରେ ମଧ୍ୟ ସୂଚନା ଦେଇଥିଲେ।

ଆଲୋଚନା ପରେ ବାତ୍ୟା ମୁକାବିଲା ପ୍ରସ୍ତୁତି ସଂପର୍କରେ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ। ସୂଚନା ଯୋଗ୍ୟ ଯେ ଆଜି ଅପରାହ୍ନରେ ମଧ୍ୟ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ।

କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ୍ ଶାହା ମଧ୍ୟ ଏ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଆଦୌ ଆତଙ୍କିତ ହୁଅନ୍ତୁ ନାହିଁ, ସୁରକ୍ଷିତ ରୁହନ୍ତୁ, ସତର୍କ ରୁହନ୍ତୁ: ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପରିଦର୍ଶନ କରି ସେଠାରେ ବାତ୍ୟା ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି।

ସମୀକ୍ଷା ପରେ ଗଣମାଧ୍ୟମ ନିକଟରେ ନିଜର ବିବୃତ୍ତି ରଖି, ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କୌଣସି ପରିସ୍ଥିତିରେ ଭୟଭୀତ ବା ଆତଙ୍କିତ ନ ହେବାକୁ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ସମସ୍ତ ସମ୍ପୃକ୍ତ ବିଭାଗ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି। ‘You are in Safe Hands’ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ବିପଦ ଟଳିବା ପର୍ଯ୍ୟନ୍ତ ସମସ୍ତେ ସୁରକ୍ଷିତ ଓ ସତର୍କ ରୁହନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ।

ପରିସ୍ଥିତିକୁ ତଦାରଖ କରିବା ପାଇଁ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି। ସେମାନେ ସମସ୍ତେ କ୍ୟାବିନେଟ ବୈଠକ ପରେ ଜିଲ୍ଲାଗସ୍ତରେ ଯାଇଛନ୍ତି। ଏହା ସହିତ ଅଭିଜ୍ଞତା ସମ୍ପନ୍ନ ଅଧିକାରୀମାନଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଯେଉଁ ସବୁ ଜିଲ୍ଲାରେ ବାତ୍ୟାର ସମ୍ଭାବନା ଅଛି, ସେ ସବୁ ଜିଲ୍ଲାରେ ବିପଦଶଙ୍କୁଳ ଅଞ୍ଚଳରୁ ଯୁଦ୍ଧକାଳୀନ ଭିତ୍ତିରେ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଉଛି। ବର୍ତ୍ତମାନ ସୁଦ୍ଧା ବିପଦଶଙ୍କୁଳ ଅଞ୍ଚଳରୁ ୩୦ ପ୍ରତିଶତ ଲୋକଙ୍କୁ ସ୍ଥାନାନ୍ତର କରାଯାଇସାରିଛି। ରାତି ସାରା ସ୍ଥାନାନ୍ତର କାର୍ଯ୍ୟ ଚାଲିବ ଏବଂ ଆସନ୍ତା କାଲି ସକାଳ ୧୧ଟା ସୁଦ୍ଧା ୯୦ ପ୍ରତିଶତ ସ୍ଥାନାନ୍ତର ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବାତ୍ୟା ଆଶ୍ରୟସ୍ଥଳୀରେ ଲୋକଙ୍କ ପାଇଁ ଶୁଖିଲା ଖାଦ୍ୟ ସହ ରନ୍ଧା ଖାଦ୍ୟ ଓ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର, କଟକ ଓ ପୁରୀ ଜିଲ୍ଲା ଅଧିକ ପ୍ରଭାବିତ ହେବାର ସମ୍ଭାବନା ଥିବାବେଳେ, ଯଦି ଗତିପଥ ବଦଳେ, ତେବେ ଅନ୍ୟାନ୍ୟ ଜିଲ୍ଲା ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଛି। ସେଥିପାଇଁ ସରକାର ମଧ୍ୟ ପ୍ରସ୍ତୁତ ରହିଛନ୍ତି।

ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ ଉପସ୍ଥିତ ଥିଲେ। ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ସ୍ୱତନ୍ତ୍ର ରିଲିଫ କମିଶନର, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ ଏବଂ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବମାନେ ଉପସ୍ଥିତ ଥିଲେ। ବାତ୍ୟା ସମ୍ଭାବନା ଥିବା ଜିଲ୍ଲାର ଜିଲ୍ଲାପାଳମାନେ ଆଭାସୀ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ।

ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ (Emergency Control Room) ପରିଦର୍ଶନ କରି ସେଠାରେ ବିଭିନ୍ନ ସାଟେଲାଇଟ ସୂଚନା ସମ୍ପର୍କରେ ଅବଗତ ହୋଇଥିଲେ ଏବଂ ଜରୁରୀକାଳୀନ ଯୋଗାଯୋଗ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ମହିଳା କର୍ମଚାରୀଙ୍କୁ ମିଳିବ ବର୍ଷକୁ ୧୨ ଦିନ ଅତିରିକ୍ତ ସାମୟିକ ଛୁଟି

ଭୁବନେଶ୍ଵର: ରାଜ୍ୟ ସରକାରଙ୍କ ମହିଳା କର୍ମଚାରୀଙ୍କ ପାଇଁ ଅତିରିକ୍ତ ସାମୟିକ ଛୁଟି ୧୨ ଦିନକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି।

ସେମାନେ ଏହି ଅତିରିକ୍ତ ଛୁଟି ପ୍ରଚଳିତ ୧୦ ଦିନ ସାମୟିକ ଛୁଟି (CL) ଓ ୫ ଦିନ ସ୍ଵତନ୍ତ୍ର ସାମୟିକ ଛୁଟି ( Special CL) ସହିତ ପାଇ ପାରିବେ।

ଏହି ୧୨ ଦିନ ଅତିରିକ୍ତ ସାମୟିକ ଛୁଟି ସେମାନେ ମାସକୁ ଗୋଟିଏ ଦିନ ଲାଭ କରି ପାରିବେ। ମହିଳା ମାନଙ୍କ ମାସିକ ଧର୍ମ ଜନିତ କାରଣରୁ ଏହି ଅତିରିକ୍ତ ଛୁଟି ପ୍ରଦାନ କରାଯାଇଛି।

ସୂଚନା ଯୋଗ୍ୟ ଯେ ଏହି ଅତିରିକ୍ତ ସାମୟିକ ଛୁଟି ପୂର୍ବରୁ ୧୦ ଦିନ ପାଇଁ ମିଳୁଥିଲା।