Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପ୍ରଖ୍ୟାତ କବି ରମାକାନ୍ତ ରଥଙ୍କ ଶେଷକୃତ୍ୟ ଆସନ୍ତାକାଲି ସ୍ବର୍ଗଦ୍ବାରରେ ହେବ

ଭୁବନେଶ୍ବର: ପ୍ରଖ୍ୟାତ କବି ରମାକାନ୍ତ ରଥଙ୍କ ଶେଷକୃତ୍ୟ ଆସନ୍ତାକାଲି ପୁରୀ ସ୍ବର୍ଗଦ୍ବାରରେ ହେବ। ଏ ନେଇ ପରିବାର ତରଫରୁ ସୂଚନା ପ୍ରଦାନ କରାଯାଇଛି। ତାଙ୍କର ପୁଅ ସିଙ୍ଗାପୁରରେ ଥିବାରୁ ସେ ଆସନ୍ତାକାଲି ଆସି ପହଞ୍ଚିବେ। ସେ ଆସିବା ପରେ ତାଙ୍କର ମରଶରୀର ସତ୍କାର ପାଇଁ ନିଆଯିବ ବୋଲି ଜଣାପଡିଛି।

ତାଙ୍କର ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟଦାର ସହ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି। ସେହି ଅନୁସାରେ ପ୍ରଶାସନ ତରଫରୁ ପ୍ରସ୍ତୁତି କରାଯାଇଛି। ସୂଚନା ଯୋଗ୍ୟ ଯେ, କବି ରମାକାନ୍ତ ରଥଙ୍କ ଦେହାନ୍ତ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ 91 ବର୍ଷ ବୟସ ହୋଇଥିଲା। ସେ ଶ୍ରୀରାଧା ପରି ବହୁ ପୁସ୍ତକ ରଚନା କରି ଭାରତୀୟ ସାହିତ୍ୟରେ ବେଶ ପ୍ରସିଦ୍ଧି ଲାଭ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କବି ରମାକାନ୍ତ ରଥଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୋକ

ଭୁବନେଶ୍ଵର: ପ୍ରଖ୍ୟାତ ସାହିତ୍ୟିକ ତଥା ପଦ୍ମଭୂଷଣ ରମକାନ୍ତ ରଥଙ୍କ ପରଲୋକ ଘଟିଛି। ୯୧ ବର୍ଷ ବୟସରେ କବି ରମାକାନ୍ତ ରଥଙ୍କ ପରଲୋକ ହୋଇଯାଇଛି। ଭୁବନେଶ୍ୱରର ଖାରବେଳନଗର ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି। ତାଙ୍କ ବିୟୋଗରେ ଓଡିଆ ସାହିତ୍ୟ ଜଗତରେ ବଡ କ୍ଷତି ଘଟିଯାଇଛି। ତାଙ୍କ ପରଲୋକ ନେଇ ଓଡିଶା ସାହିତ୍ୟକମାନଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଶୋକବ୍ୟକ୍ତ କରିଛନ୍ତି। ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ କବି ରମାକାନ୍ତ ରଥଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ”ଜଣେ ଦକ୍ଷ ପ୍ରଶାସକ ଏବଂ ବିଦ୍ୱାନ ଭାବେ ଶ୍ରୀ ରମାକାନ୍ତ ରଥ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ବିଶେଷ କରି ତାଙ୍କର କାବ୍ୟ କୃତିଗୁଡ଼ିକ ସମାଜର ସବୁ ବର୍ଗଙ୍କ ମଧ୍ୟରେ ଲୋକପ୍ରିୟ ହୋଇଥିଲା। ତାଙ୍କର ବିୟୋଗରେ ମର୍ମାହତ। ଏହି ଦୁଃଖଦ ସମୟରେ ମୁଁ ତାଙ୍କ ପରିବାର ଓ ପ୍ରଶଂସକଙ୍କ ପ୍ରତି ସମବେଦନା ଜ୍ଞାପନ କରୁଛି। ଓଁ ଶାନ୍ତି!!!

Categories
ଆଜିର ଖବର ରାଜ୍ୟ ଖବର

ପ୍ରଖ୍ୟାତ କବି ରମାକାନ୍ତ ରଥଙ୍କ ବିୟୋଗରେ ନବୀନ ପଟ୍ଟନାୟକଙ୍କ ଶୋକ, କହିଲେ ଏପରି କଥା

ଭୁବନେଶ୍ବର: ଆଜି ପ୍ରଖ୍ୟାତ କବି ତଥା ସାହିତ୍ୟିକ ରମାକାନ୍ତ ରଥଙ୍କର ବିୟୋଗ ହୋଇଯାଇଛି। ସେ ୯୧ ବର୍ଷ ବୟସରେ ଶେଷ ନିଃସ୍ବାଶ ତ୍ୟାଗ କରିଛନ୍ତି। ଭୁବନେଶ୍ୱରର ଖାରବେଳନଗର ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି। ତାଙ୍କ ବିୟୋଗରେ ସାରା ଓଡିଶାର ସାହିତ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି।

ଏହି ପରିପ୍ରେକ୍ଷୀରେ ଶୋକ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ,

ପ୍ରସିଦ୍ଧ କବି ତଥା ସାହିତ୍ୟିକ ରମାକାନ୍ତ ରଥଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଆଧୁନିକ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବାରେ ତାଙ୍କର ରହିଛି ବହୁମୂଲ୍ୟ ଯୋଗଦାନ। ନିଜ ସ୍ୱତନ୍ତ୍ର ରଚନା ଶୈଳୀ ପାଇଁ ପାଠକଙ୍କ ହୃଦୟରେ ସେ ଚିର ଅମର ହୋଇ ରହିବେ। ଏପରି ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି।’

Categories
ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ରମାକାନ୍ତ ରଥଙ୍କ ପରଲୋକରେ ଓଡିଆ ସାହିତ୍ୟ ଜଗତରେ ଶୋକର ଛାୟା, ଜାଣନ୍ତୁ କିଏ କଣ କହିଲେ

ଭୁବନେଶ୍ବର: ପ୍ରଖ୍ୟାତ ସାହିତ୍ୟିକ ତଥା ପଦ୍ମଭୂଷଣ ରମାକାନ୍ତ ରଥଙ୍କର ପରଲୋକ ଘଟିଛି। ତାଙ୍କ ବିୟୋଗରେ ଓଡିଆ ସାହିତ୍ୟ ଜଗତରେ ବଡ କ୍ଷତି ଘଟିଯାଇଛି। ତାଙ୍କ ପରଲୋକ ନେଇ ଓଡିଶା ସାହିତ୍ୟକମାନେ ସେମାନଙ୍କ ସାମାଜିକ ଗଣମାଧ୍ୟମରେ ଶୋକ ପ୍ରକାଶ କରିଛନ୍ତି। ଜାଣନ୍ତୁ କେଉଁ ସାହିତ୍ୟିକ ତଥା ବିଶିଷ୍ଠ ବ୍ୟକ୍ତି କଣ କହିଛନ୍ତି।

ଦାସ ବେନହୁର– ଲୁଚିଗଲା ଗୋଟାଏ ଚଳମାନ ଦୀର୍ଘ କବିତା। ଶ୍ରୀରାଧାରୁ ଶ୍ରୀପଳାତକ।
ଯେତେ କୋଠରି ତିଆରିଲେ ବି ସପ୍ତମ ଋତୁ ଶେଷକଥା। ଖୁବ୍ କମ୍ ଜାଣିଥିବେ ମାଟିରେ ଚଳାଏ ପାଣି ଭିତରେ ଜହ୍ନକୁ ବି ଧରିନେଇ ସେ ଗପ ଲେଖିପାରନ୍ତି। ଶବ୍ଦର ମହୁଫେଣା ଗଢ଼ି ଅନାୟାସରେ ଝୁଲେଇ ଦିଅନ୍ତି ଭାବବୃକ୍ଷର ଶାଖା ପ୍ରଶାଖାରେ। ମୁଖ୍ୟ ଶାସନ ସଚିବ, ସାହିତ୍ୟ ଅକାଦେମି ସଭାପତି, ପଦ୍ମଭୂଷଣ ଫଳକ କବିବୋଧ ଉପରକୁ ଡେଇଁ ନଥିଲା କେବେ।
ନିରୋଳାରେ କବିତାର ଲୋଡ଼ାପଣ ରହିଥିଲା ଶେଷ ଶଯ୍ୟା ଯାଏ।
ସମସ୍ତେ ଯିବେ।
ଦେହ ଯିବ। କବି ରମାକାନ୍ତ ଯିବେ କୁଆଡ଼େ?
ଲଣ୍ଠନ ଲିଭିବ ନାହିଁ।
ପ୍ରଣାମ ସାର୍।
ଓଁ ଶାଂତିଃ ଶାଂତିଃ ଶାଂତିଃ।

ପ୍ରଦ୍ୟୁମ୍ନ ଶତପଥୀ- ସାମ୍ପ୍ରତିକ ସମୟର ଜନାଦୃତ ସାରସ୍ଵତ ସାଧକ ତଥା ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ପଦ୍ମଭୂଷଣ ରମାକାନ୍ତ ରଥ ଆଜି ୮୭ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ଇଂରାଜୀ ଭାଷା ସାହିତ୍ୟ ର ଛାତ୍ର , ଅଥଚ ଓଡ଼ିଆ ଭାଷା ସାହିତ୍ୟ କୁ ତାଙ୍କର ଅନେକ ଅବଦାନ । ୧୯୫୭ରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ ଓ ମୁଖ୍ୟ ଶାସନ ସଚିବ ଭାବେ ସେବା ନିବୃତ ଶ୍ରୀଯୁକ୍ତ ରଥ କେନ୍ଦ୍ର ସାହିତ୍ୟ ଏକାଡେମୀ ର ସଭାପତି ହୋଇଥିଲେ । ତାଙ୍କର ସୃଷ୍ଟି “କେତେ ଦିନ ର”,”ସପ୍ତମ ଋତୁ”,”ସଚିତ୍ର ଅନ୍ଧାର”,”ଶ୍ରୀରାଧା” ଓଡ଼ିଆ ସାରସ୍ଵତ ଭଣ୍ଡାର ର ଅମୂଲ୍ୟ ସମ୍ପଦ । ଶୁଭ ଜନ୍ମ ଦିନ ର ଶୁଭାଵସରରେ ଶୁଭାଭିନନ୍ଦନ ସହ ଶୁଭକାମନା ଜଣାଉଛି,ବନ୍ଦେ ଉତ୍କଳ ଜନନୀ, ଶୁଭ ସକାଳ ବନ୍ଧୁ ବର୍ଗ ।

ସଂଜୟ ଭଟ୍ଟ- ପଦ୍ମ ଭୂଷଣ ରମାକାନ୍ତ ରଥଙ୍କ ଦେହାନ୍ତ (!) ପଦ୍ମ ଭୂଷଣ ରମାକାନ୍ତ ରଥ ଓଡ଼ିଆ ସାହିତ୍ୟର ଜଣେ ଶ୍ରେଷ୍ଠ କବି ଓ ଆଧୁନିକତାର ପ୍ରତୀକ ଥିଲେ। ସେ ୧୩ ଡିସେମ୍ବର ୧୯୩୪ରେ କଟକରେ ଜନ୍ମ ନେଇଥିଲେ ଓ ଭାରତୀୟ ପ୍ରଶାସନିକ ସେବାରେ ମୁଖ୍ୟ ସଚିବ ପଦବୀ ପର‌୍ୟ୍ୟନ୍ତ କାର‌୍ୟ୍ୟ କରିଥିଲେ। ସେ ଇଂରାଜୀରେ ରେଭେନ୍ସା କଲେଜରୁ ସ୍ନାତକୋତ୍ତର ଶିକ୍ଷା ଗ୍ରହଣ କରିଥିଲେ।

ତାଙ୍କର କବିତା ସଂକଳନ ‘ଶ୍ରୀରାଧା’ ଭାରତୀୟ ସାହିତ୍ୟରେ ଏକ କ୍ଲାସିକ ସୃଷ୍ଟି ଭାବେ ବହୁ ପରିଚିତ ଓ ଏହା ପାଇଁ ସେ ୧୯୯୨ରେ ସରସ୍ୱତୀ ସମ୍ମାନରେ ସମ୍ମାନିତ ହୋଇଥିଲେ। ଏହି କାବ୍ୟଗ୍ରନ୍ଥ ଇଂରାଜୀ ସହିତ ଆଠଟି ଭାରତୀୟ ଭାଷାରେ ଅନୁଦିତ ହୋଇଛି।

କବିତା ସଂଗ୍ରହ ‘ସପ୍ତମ ଋତୁ’ ପାଇଁ ସେ ୧୯୭୮ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଓ ‘ସଚିତ୍ର ଅନ୍ଧାର’ ପାଇଁ ୧୯୮୪ରେ ଶାରଳା ପୁରସ୍କାର ଲାଭ କରିଥିଲେ। ସେ ଓଡ଼ିଆ ସାହିତ୍ୟରେ ଆଧୁନିକତାର ପ୍ରବର୍ତ୍ତକ ଭାବେ ପରିଚିତ ଓ ତାଙ୍କର କାର‌୍ୟ୍ୟ ଶାସ୍ତ୍ରୀୟ ଓଡ଼ିଆ ଭାଷାର ସମୃଦ୍ଧିକୁ ବୃଦ୍ଧି କରିଛି।

ତାଙ୍କର କବିତାରେ ଭାବନାର ଗଭୀରତା ଓ ଭାଷାର ସୂକ୍ଷ୍ମତା ବିଶେଷ ରୂପେ ପ୍ରକାଶିତ ହୋଇଛି, ଯାହା ପାଠକମାନଙ୍କୁ ଆକର୍ଷିତ କରିଥାଏ। ତାଙ୍କର ସୃଜନଶୀଳତା ଓଡ଼ିଆ ସାହିତ୍ୟରେ ଏକ ନୂତନ ପଥର ନିର୍ମାଣ କରିଛି, ଯାହା ଆଗାମୀ ପିଢ଼ୀ ପାଇଁ ପ୍ରେରଣାଦାୟକ।

ଇତିରାଣୀ ସାମନ୍ତ- ସକାଳ… କେଉଁଦିନ, କେଉଁ ଖବର ନେଇକି ଆସିବ ଆମ ପାଖକୁ; ତା’ କେବଳ ସେଇ ସକାଳକୁ ଜଣା। ଆଜିର ସକାଳ ଭାରି ଦୁଃଖ ଦାୟକ ମୋ ପାଇଁ, ସାହିତ୍ୟ ଜଗତ ପାଇଁ, ଓଡିଶା ପାଇଁ। ଓଡ଼ିଆ ବାଣୀ ଭଣ୍ଡାର, ଭାରତୀୟ ସାହିତ୍ୟର ଯୁଗପୁରୁଷ ସ୍ରଷ୍ଟା ପଦ୍ମଭୂଷଣ କବି ରମାକାନ୍ତ ରଥ ଇହଲୀଳା ସମ୍ବରଣ କରିଛନ୍ତି। ଯଦିଓ ମର୍ତ୍ତ୍ୟକୁ ଆସି ମର ଶରୀର ତ୍ୟାଗ କରିଛନ୍ତି; ସ୍ରଷ୍ଟା କିନ୍ତୁ ଯୁଗଯୁଗପାଇଁ ଅମର ରହିବେ।

ସ୍ରଷ୍ଟା ରମାକାନ୍ତ ରଥଙ୍କୁ ମୋର ତଥା କାଦମ୍ବିନୀର ଗଭୀର ଶ୍ରଦ୍ଧାଞ୍ଜଳି

ଅମୀୟ ପାଣ୍ଡବ– ପ୍ରଥିତଯଶା ସାହିତ୍ୟିକ, ସର୍ବୋଚ୍ଚ ଶିଖରକୁ ଯାଇ ବି ଆଜୀବନ ନିରହଙ୍କାର ହୋଇ ବଞ୍ଚିଥିବା ମୋର ଅନ୍ୟତମ ପ୍ରିୟ ମଣିଷ ରମାକାନ୍ତ ରଥ ଆଜି ବାହୁଡିଗଲେ। ଆପଣଙ୍କ ସହ ବିତାଇଥିବା ସେଇ ସବୁ ସମୟ, ଚିରକାଳ ସତେଜ ରହିବ ସାର୍। ଅକ୍ଷର ବାର୍ଷିକ ଉତ୍ସବର ନିମନ୍ତ୍ରଣ କାର୍ଡ ପାଇ, ଶେଷ ଯାଏ ମଞ୍ଚ ତଳେ ଜଣେ ଶ୍ରୋତା ଭାବେ ବସି ରହିବା ମୋର ଆଜି ଯାଏ ମନେ ଅଛି ସାର୍।

ଗୁଜୁରାଟ ଗଣହତ୍ୟାକୁ ନେଇ ଆପଣଂକ କବିତା ଏବେ ବି ମୋତେ ପ୍ରେରିତ କରେ, ସାହିତ୍ୟର ସ୍ୱରକୁ ପ୍ରଖର କରିବାକୁ …. ଗଭୀର ଶ୍ରଦ୍ଧାଂଜଳି

ଶତ୍ରୁଜିତ- ୨୦୨୩ ମସିହା ଡିସେମ୍ବର ୧୦ ତାରିଖ। ଓଡ଼ିଶା ସରକାରଙ୍କ ଦ୍ବାରା ଆୟୋଜିତ “ଅକ୍ଷର ପୁସ୍ତକ ମେଳା”ର ଶେଷଦିନ। କିଛି ବହି କିଣି, ବନ୍ଧୁମାନଙ୍କୁ ଭେଟି କବି ବନ୍ଧୁ ଦିଗମ୍ବର ବିଶ୍ବାଳଙ୍କ ସହିତ ମେଳା ପରିସର ବାହାରକୁ ଆସିବା ବେଳେ ଠିକ୍ ସଭା ସ୍ଥଳ ପାଖରେ ଦେଖିଲି ବରେଣ୍ୟ ରମାକାନ୍ତ ରଥ ବସିଛନ୍ତି। ପାଖରେ କିଛି ବହି ଅଛି। ମେଳା ବାହାରେ ଏମିତି ନିରବରେ ରମାକାନ୍ତ ସାର୍ ବସିଥିବା ଦେଖି ପାଖକୁ ଯାଇ ନମସ୍କାର ହେଲି।

ସେତିକି ବେଳେ ନଜର ପଡିଗଲା ବହିଗୁଡ଼ିକ ରମାକାନ୍ତ ରଥଙ୍କ ଇଂରାଜୀ ଅନୁଦିତ କବିତା ପୁସ୍ତକ । ମତେ ଟିକିଏ ଆଶ୍ଚର‌୍ୟ୍ୟ ଲାଗିଲା। ପଚାରିଲାରୁ ପାଖରେ ଛିଡା ହୋଇଥିବା ଭଦ୍ର ବ୍ୟକ୍ତି ( ବହିଟି କିଣି ଘରକୁ ଆଣିବା ପରେ ଜାଣିଲି ସେ ହିଁ ଏହି ବହିର ସମ୍ପାଦକ ଜିତେନ୍ଦ୍ର ନାଥ ମିଶ୍ର, ଭାରତୀୟ ବିଦେଶ ସେବାର ଅବସରପ୍ରାପ୍ତ ଅଧିକାରୀ ତଥା ପର୍ତ୍ତୁଗାଲ ଓ ଲାଓସରେ ଭାରତର ପୂର୍ବତନ ରାଷ୍ଟ୍ରଦୂତ) ଶୁଦ୍ଧ ଇଂରାଜୀରେ ପଚାରିଲେ – Do you want to purchase? ବହିଟି କିଣିବା ପରେ ଏଇ ଫଟୋଟି ଉଠେଇଛି। ବହିରେ ଅଛି ରମାକାନ୍ତ ରଥଙ୍କ ଶ୍ରୀରାଧା, ଶ୍ରୀ ପଳାତକ ଏବଂ ଅନ୍ୟ କେତେକ ସଂକଳନର କିଛି ବଛାବଛା କବିତାର ଅନୁବାଦ। ନୂଆଦିଲ୍ଲୀର ଅଥର୍ସ ପ୍ରେସ ଏହାର ପ୍ରକାଶକ।

ମେଳା ପରିସର ବାହାରେ ରମାକାନ୍ତ ରଥଙ୍କ ଭଳି ବିଶିଷ୍ଟ କବି ଏଭଳି ବସିଥିବା ଏବଂ ତାଙ୍କ ଇଂରାଜୀ ସଂକଳନର ଅନୁବାଦକ ତଥା ସମ୍ପାଦକ ( ସେ ବି ଆମଭଳି ସାଧାରଣ ଲୋକ ନୁହଁନ୍ତି) ନିଜେ ଛିଡ଼ା ହୋଇ ବହି ବିକ୍ରୀ କରିବା ଦୃଶ୍ୟ ମତେ ଏବେବି ସରଳ ଲାଗୁନି।
୨୦୦୭ ମସିହାରେ ତାଙ୍କର ସାକ୍ଷାତକାର ନେଇଥିଲି ପ୍ରଗତିବାଦୀ ପାଇଁ। ଦୁଇଟି ପ୍ରଶ୍ନର ଉତ୍ତର ଦେବାକୁ ଚାହିଁ ନଥିଲେ – ପ୍ରଥମଟି ଜରୁରୀକାଳୀନ ପରିସ୍ଥିତି ସମ୍ପର୍କିତ ଓ ଦ୍ବିତୀୟଟି ଆତ୍ମଜୀବନୀ ଲେଖିବା ସମ୍ପର୍କିତ। ପ୍ରଥମ ପ୍ରଶ୍ନରେ ନିରବ ରହିଥିଲେ। ଦ୍ବିତୀୟ ପ୍ରଶ୍ନରେ କହିଥିଲେ, ଜୀବନର ଏଭଳି କିଛି ଘଟଣା ଅଛି, ଯାହା ଲେଖି ହେବନି। ଯଦି ସବୁକଥା ଲେଖି ପାରିବିନି, ଖଣ୍ଡିତ ଆତ୍ମଜୀବନୀ କାହିଁକି ଲେଖିବି।

ବିଦାୟ ଜଣାଇବି ନାହିଁ ପ୍ରିୟ କବି। ବିଶ୍ଵରେ ସାହିତ୍ୟ ଥିବା ପର‌୍ୟ୍ୟନ୍ତ ଆପଣ ଥିବେ।
ଗଭୀର ଶ୍ରଦ୍ଧାଞ୍ଜଳି।

ଶରତ ନାୟକ- ରମାକାନ୍ତ ରଥ (୧୩ ଡିସେମ୍ବର ୧୯୩୪ – ୧୬ ମାର୍ଚ୍ଚ ୨୦୨୫) ଓଡ଼ିଆ ସାହିତ୍ୟର ପ୍ରଖ୍ୟାତ ଆଧୁନିକ କବି । ସେ କଟକଠାରେ ୧୯୩୪ ମସିହାରେ ଜନ୍ମଗ୍ରହଣ କରିଥିଲେ। ରେଭେନ୍ସା କଲେଜରୁ ଇଂରାଜୀରେ ଏମ.ଏ. କରିବା ପରେ ୧୯୫୭ରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେଇଥିଲେ। ୧୯୯୨ରେ ଅବସର ଗ୍ରହଣ କରିବା ପୂର୍ବରୁ ସେ ଥିଲେ ଓଡ଼ିଶାର ମୁଖ୍ୟ ଶାସନ ସଚିବ। ତାଙ୍କର ଅନେକ ଗୁଡିଏ କବିତା ସଂକଳନ ମଧ୍ୟରେ- କେତେ ଦିନର (୧୯୬୨), ସନ୍ଦିଗ୍ଧ ମୃଗୟା (୧୯୭୧), ସପ୍ତମ ରତୁ (୧୯୭୭), ସଚିତ୍ର ଅନ୍ଧାର (୧୯୮୨), ଶ୍ରୀରାଧା (୧୯୮୫) ଏବଂ ଶ୍ରେଷ୍ଠ କବିତା (୧୯୯୨), ଇତ୍ୟାଦି ବେଶ୍ ପାଠକୀୟ ଶ୍ରଦ୍ଧା ସାଉଁଟି ପାରିଛି । କେନ୍ଦ୍ର ସାହିତ୍ୟ ଏକାଡେମୀଦ୍ବାରା ୧୯୭୮ ମସିହାରେ ସେ ତାଙ୍କର କବିତା ସଂକଳନ “ସପ୍ତମ ଋତୁ” ପାଇଁ ପୁରସ୍କୃତ ହୋଇଥିଲେ ।

୧୯୮୪ରେ “ସଚିତ୍ର ଅନ୍ଧାର” ପାଇଁ ତାଙ୍କୁ ଶାରଳା ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ୧୯୯୨ ମସିହାରେ ସେ ସରସ୍ୱତୀ ସମ୍ମାନରେ ସମ୍ମାନିତ ହୋଇଥିଲେ । ଏହି କାବ୍ୟଗ୍ରନ୍ଥ ଇଂରାଜୀ ଓ ଆଠଟି ଭାରତୀୟ ଭାଷାରେ ଅନୁଦିତ ହୋଇଛି । ତାଙ୍କର ବିୟୋଗ ଓଡ଼ିଆ ସାହିତ୍ୟରେ ଅପୂରଣୀୟ କ୍ଷତି ସାଧନ କରିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କବି ରମାକାନ୍ତ ରଥଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ପାଇଁ ନିଷ୍ପତି

ଭୁବନେଶ୍ବର: ଆଧୁନିକ ଓଡିଆ ସାହିତ୍ୟ ର ପ୍ରଥିତଯଶା କବି ରମାକାନ୍ତ ରଥଙ୍କ ବିୟୋଗ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

ଏକ ଶୋକ ବାର୍ତ୍ତା ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପଦ୍ମଭୂଷଣ ସ୍ଵର୍ଗତ ରଥ ଭାରତୀୟ ସାହିତ୍ୟ ଜଗତ ର ଅଳ୍ପ କେତେଜଣ ଶ୍ରେଷ୍ଠ କବି ଙ୍କ ମଧ୍ୟ ରେ ସେ ଥିଲେ ଅନ୍ୟତମ। ସପ୍ତମ ଋତୁ,ଶ୍ରୀରାଧା, ସଚିତ୍ର ଅନ୍ଧାର, କେତେ ଦିନର, ଦୁଆର ଏପଟୁ, ନଯା ନଯା କହୁକହୁ ପରି ଅନେକ କାଳଜୟୀ ରଚନା ତାଙ୍କୁ ସାହିତ୍ୟ ଜଗତ ରେ ଚିର ଦିନ ପାଇଁ ଅମରକରି ରଖିବ ।

ବିଭିନ୍ନ ବିଭାଗ ର ସଚିବ ଓ ମୁଖ୍ୟ ଶାସନ ସଚିବ ଭାବେ ମଧ୍ୟ ରାଜ୍ୟର ବିକାଶରେ ସେ ଗୁରୁତ୍ଵପୂର୍ଣ୍ଣ ଭୂମିକା ରଖିଛନ୍ତି ।

ଓଡ଼ିଆ ସାହିତ୍ୟକୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚେଇବାରେ ତାଙ୍କ ଭୂମିକାକୁ ଅସ୍ବୀକାର କରିହେବନି। କାଳଜୟୀ କାବ୍ୟଗ୍ରନ୍ଥ ଶ୍ରୀରାଧା ପାଇଁ ସରସ୍ୱତୀ ସମ୍ମାନ, ସପ୍ତମ ଋତୁ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଓ ସଚିତ୍ର ଅନ୍ଧାର ପାଇଁ ସାରଳା ପୁରସ୍କାର ହାସଲ କରିବା ସହ ସେ ପ୍ରଥିତଯଶା ଲେଖକ ରୂପେ କେନ୍ଦ୍ର ସାହିତ୍ୟ ଏକାଡେମୀର ଫେଲୋସିପ ମଧ୍ୟ ପାଇଥିଲେ।

ତାଙ୍କ ବିୟୋଗ ସାହିତ୍ୟ ଜଗତ ପାଇଁ ଅପୂରଣୀୟ କ୍ଷତି । ମୁଖ୍ୟମନ୍ତ୍ରୀ ସ୍ବର୍ଗତ ରଥ ଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ସୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣେଇଛନ୍ତି।

ତାଙ୍କ ପରି ମହାନ ସାହିତ୍ୟିକ ଓ ଯୁଗସ୍ରଷ୍ଟାଙ୍କୁ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ କରାହେବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପ୍ରଖ୍ୟାତ ସାହିତ୍ୟିକ ରାମାକାନ୍ତ ରଥଙ୍କ ପରଲୋକ, ଓଡିଆ ସାହିତ୍ୟ ଜଗତରେ ଶୋକର ଛାୟା

ଭୁବନେଶ୍ବର: ପ୍ରଖ୍ୟାତ ସାହିତ୍ୟିକ ତଥା ପଦ୍ମଭୂଷଣ ରମକାନ୍ତ ରଥଙ୍କ ପରଲୋକ ଘଟିଛି। ୯୧ ବର୍ଷ ବୟସରେ କବି ରମାକାନ୍ତ ରଥଙ୍କ ପରଲୋକ ହୋଇଯାଇଛି। ତାଙ୍କର ଭୁବନେଶ୍ୱରର ଖାରବେଳନଗର ସ୍ଥିତ ବାସଭବନରେ ପରଲୋକ ହୋଇଛି।

୧୯୩୪ ମସିହା ଡିସେମ୍ବର ୧୩ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ ରମାକାନ୍ତ ରଥ । ରେଭେନ୍ସା କଲେଜରୁ ଇଂରାଜୀରେ ସ୍ନାତକ ହାସଲ କରିବା ପରେ ୧୯୫୭ ମସିହାରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ। ଏହାପରେ ୩୫ ବର୍ଷ ଧରି ପ୍ରଶାସନିକ ସେବାରେ କାର୍ଯ୍ୟ କରିବା ପରେ ୧୯୯୨ ମସିହାରେ ଅବସର ନେଇଥିଲେ।

ରମକାନ୍ତ ରଥଙ୍କ ଦ୍ବାରା ଲିଖିତ କବିତା ସଂଙ୍କଳନ ‘ଶ୍ରୀରାଧା’ ବେଶ ଲୋପ୍ରୟତା ହାସଲ କରିଛି। ୧୯୮୪ରେ ରଚିତ ଏହି କବିତା ସଙ୍କଳନ କବି ରମାକାନ୍ତ ରଥଙ୍କୁ ୧୯୯୨ରେ ସରସ୍ୱତୀ ସମ୍ମାନରେ ସମ୍ମାନିତ ହୋଇଥିଲା। ଭରତବର୍ଷର କାବ୍ୟ ସାହିତ୍ୟରେ ‘ଶ୍ରୀରାଧା’ ଏକ କ୍ଲାସିକ ସୃଷ୍ଟିର ମାନ୍ୟତା ପାଇଛି।

ଏହି ପୁସ୍ତକ ଇଂରାଜୀ ଓ ଆଠଟି ଭାରତୀୟ ଭାଷାରେ ଅନୁଦିତ ହୋଇ ବିପୁଳ ପାଠକୀୟ ଶ୍ରଦ୍ଧା ଲାଭ କରିଛି । ଇଂରାଜୀ ଭାଷାକୁ ଅନୁବାଦ ନିଜେ ଲେଖକ ରମାକାନ୍ତ ରଥ କରିଛନ୍ତି। ଶ୍ରୀରାଧାରେ, ରାଧାଙ୍କୁ କବି କେବଳ କୃଷ୍ଣଙ୍କ ପ୍ରେମିକା ଭିନ୍ନ ଏକ ସ୍ୱତନ୍ତ୍ର ନାରୀର ପରିଚୟ ପ୍ରଦାନ କରିବାକୁ ଚେଷ୍ଟା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଓଡିଆ ବୁଦ୍ଧିଜୀବୀ ଫୋରମ ତରଫରୁ ନୂଆଦିଲ୍ଲୀରେ ଆନ୍ତର୍ଜାତୀୟ ମାତୃଭାଷା ସମ୍ମିଳନୀ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ସ୍ଥିତ ଓଡିଆ ବୁଦ୍ଧିଜୀବୀ ଫୋରମ ଦି ଇଣ୍ଟେଲେକ୍ଟସ ଦ୍ଵାରା ଆୟୋଜିତ ଅଷ୍ଟମ ଆନ୍ତର୍ଜାତୀୟ ମାତୃଭାଷା ସମ୍ମିଳନୀ ଗତକାଲି ଉଭୟ ବାସ୍ତବ ଓ ଆଭାସୀ ମାଧ୍ୟମରେ ଉଦଘାଟିତ ହୋଇଯାଇଛି। ସମ୍ମିଳନୀର ଆବାହକ ତଥା ସଂଗଠନର ଅଧ୍ୟକ୍ଷ ଦେବେନ୍ଦ୍ର ନାଥ ରାଉତଙ୍କ ଆବାହକତ୍ୱରେ ବିଶିଷ୍ଟ ସାହତ୍ୟିକ ପଦ୍ମ ଭୂଷଣ ଡ଼ଃ ରମାକାନ୍ତ ରଥଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରାଯାଇ ଓଡ଼ିଆ ଭରଚୁଆଲ ଏକାଡେମୀର ପ୍ରେକ୍ଷାଳୟରେ ଶୁଭାରମ୍ଭ କରାଯାଇଛି।

ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଚିନ୍ତକ ଡ଼ଃ ଭଗବାନ ପ୍ରକାଶ, ଭାଷାବିତ୍ ପଦ୍ମଶ୍ରୀ ଡ଼ଃ ଦେବୀ ପ୍ରସନ୍ନ ପଟ୍ଟନାୟକ, ବରିଷ୍ଟ ସାହିତ୍ୟିକ ରାଜନେତା ଡ଼ଃ ପ୍ରସନ୍ନ ପାଟସାହାଣୀ, କେନ୍ଦ୍ର ସାହିତ୍ୟ ଏକାଡେମରେ ଓଡ଼ିଆ ଭାଷାର ଆବାହକ ଡ଼ଃ ବିଜୟାନନ୍ଦ ସିଂ, ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର ର ପ୍ରଭାରୀ ମଧୁମିତା ରାଉତ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ର ସଚିବ ପ୍ରବୋଧ କୁମାର ରାଉତ ଏହି ଉଦଘାଟନୀ ସମାରୋହରେ ଯୋଗଦେଇ ଥିଲେ। ଇତ୍ୟ ଅବସରରେ ଓଡ଼ିଆ ସାହିତ୍ୟକୁ ଜୀବନବ୍ୟାପୀ ଅବଦାନ ପାଇଁ ଆମ ଗୌରବ ସମ୍ମାନ-୨୦୨୨ ପ୍ରଦାନ କରାଯାଇଥିଲା। ଭାଷା ଓ ସାହିତ୍ୟ ସହଜ, ସରଳ ଓ ବୋଧଗମ୍ୟ ହୋଇ ପାରିଲେ ସାଧାରଣ ପାଠକ ଗ୍ରହଣ କରିବା ସହିତ ମାତୃଭାଷା ସମୃଦ୍ଧ ହେବ ବୋଲି ଡ଼ଃ ରଥ ମତ ରଖିଥିଲେ।

ଏହି ମାତୃଭାଷା ମହାକୁଂଭ ଦୁଇ ଦିନ ଧରି ପାଳନ କରାଯିବ। ଓଡ଼ିଆ ଭାଷା ସହିତ ସମସ୍ତ ଭାରତୀୟ ଶାସ୍ତ୍ରୀୟ ଭାଷା ଓ ଲୋକପ୍ରିୟ ଭାଷାର ବିଶେଷଜ୍ଞ ମାନେ ଯୋଗଦେଇ ମାତୃଭାଷାର ବିଭିନ୍ନ ଦିଗ ବିଷୟରେ ଆଲୋଚନା କରିବେ। ଏଥି ସହିତ ଓଡ଼ିଆ ଭାଷାକୁ ସମୃଦ୍ଧ କରିବା ପାଇଁ ବିଭିନ୍ନ କ୍ଷେତ୍ରରେ ବିଶେଷ ଅବଦାନ ରଖିଥିବା ବିଶିଷ୍ଟ ବ୍ୟକ୍ତିତ୍ଵଙ୍କୁ ସମ୍ମାନିତ କରାଯିବ ବୋଲି ଆବାହକ ଶ୍ରୀ ରାଉତ ପ୍ରକାଶ କରିଛନ୍ତି। ଓଡିଆ ଭର୍ଚୁଆଲ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ସହଯୋଗରେ ଆୟୋଜିତ ଏହି କାରଯ୍ୟକ୍ରମରେ ୩୦ଟି ଦେଶରୁ ବିଶିଷ୍ଟ ଓଡିଆ ବ୍ୟକ୍ତିତ୍ବ ମାନେ ଯୋଗ ଦେଇଥିଲେ।