ନୂଆଦିଲ୍ଲୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’ଙ୍କ ମଞ୍ଜୁରି କ୍ରମେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ଲାଗି ଫରଫରମାନ୍ସ ଗ୍ରେଡିଂ ଇଣ୍ଡେକ୍ସ ବା ପିଜିଆଇ ୨୦୧୯-୨୦ ପ୍ରକାଶ କରାଯାଇଛି। କେନ୍ଦ୍ର ସରକାର ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଆମୂଳଚୁଳ ପରିବର୍ତ୍ତନ ଆଣିବାର ଲକ୍ଷ୍ୟ ନେଇ ୭୦ଟି ମାନଦଣ୍ଡର ଏକ ସେଟ୍ ସହିତ ପ୍ରଦର୍ଶନ ମାନ୍ୟତା ସୂଚକାଙ୍କ ବା ପିଜିଆଇର ପ୍ରାରମ୍ଭ କରିଛନ୍ତି।
ପିଜିଆଇର ଭିତ୍ତିଭୂମି ଓ ସୁବିଧା ଡୋମେନରେ ୧୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ୧୦ ପ୍ରତିଶତ (୧୫ ପଏଣ୍ଟ) କିମ୍ବା ତତୋଧିକ ସୁଧାର ପ୍ରଦର୍ଶନ କରିପାରିଛନ୍ତି। ଆଣ୍ଡାମାନ ଓ ନିକୋବାର ଦ୍ବୀପସମୂହ ଏବଂ ଓଡ଼ିଶା ୨୦ ପ୍ରତିଶତ କିମ୍ବା ତା’ଠାରୁ ଅଧିକ ପ୍ରଦର୍ଶନରେ ସୁଧାର ଆଣିପାରିଛନ୍ତି। ସେହିପରି ପିଜିଆଇର ଇକ୍ୟୁଟି ଡୋମେନରେ ଅରୁଣାଚଳ ପ୍ରଦେଶ, ମଣିପୁର ଓ ଓଡ଼ିଶା ୧୦ ପ୍ରତିଶତ ପ୍ରଦର୍ଶନ ସୁଧାର କରିପାରିଛନ୍ତି।
ଏହି ରିପୋର୍ଟ ଅନୁସାରେ ପଞ୍ଜାବ, ଚଣ୍ଡିଗଡ଼, ତାମିଲନାଡ଼ୁ, ଆଣ୍ଡାମାନ ଓ ନିକୋବାର ଦ୍ବୀପସମୂହ ତଥା କେରଳକୁ ୨୦୧୯-୨୦ ଲାଗି ସର୍ବୋଚ୍ଚ ଗ୍ରେଡ (ଇ++) ମିଳିଛି। ପୂର୍ବ ବର୍ଷ ତୁଳନାରେ ଅଧିକାଂଶ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶ ନିଜର ଗ୍ରେଡିଂରେ ସୁଧାର ଆଣିପାରିଛନ୍ତି।
ଆଣ୍ଡାମାନ ଓ ନିକୋବାର ଦ୍ବୀପସମୂହ, ଅରୁଣାଚଳ ପ୍ରଦେଶ, ମଣିପୁର, ପୁଡ୍ଡୁଚେରୀ, ପଞ୍ଜାବ ଏବଂ ତାମିଲନାଡ଼ୁ ସାମଗ୍ରୀକ ପିଜିଆଇ ସ୍କୋରରେ ୧୦ ପ୍ରତିଶତ ସୁଧାର କରିପାରିଛନ୍ତି, ଅର୍ଥାତ ୧୦୦ କିମ୍ବା ତତୋଧିକ ପଏଣ୍ଟ ହାସଲ କରିଛନ୍ତି। ପିଜିଆଇର କାଯ୍ୟକ୍ଷେତ୍ର (ଡୋମେନ) ଆକ୍ସେସ କ୍ଷେତ୍ରରେ ଆଣ୍ଡାମାନ ଓ ନିକୋବାର ଦ୍ବୀପ ସମୂହ, ଲାକ୍ଷାଦ୍ବୀପ ଓ ପଞ୍ଜାବ ୧୦ ପ୍ରତିଶତ (୮ପଏଣ୍ଟ) କିମ୍ବା ତତୋଧିକ ସୁଧାର ଆଣିପାରିଛନ୍ତି।
ପିଜିଆଇର ଡୋମେନ ଗର୍ଭନାନ୍ସ ପ୍ରୋସେସରେ ୧୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ୧୦ ପ୍ରତିଶତ (୩୬ ପଏଣ୍ଟ) କିମ୍ବା ଏହାଠାରୁ ଅଧିକ ପ୍ରଦର୍ଶନ ସୁଧାର କରିପାରିଛନ୍ତି। ଆଣ୍ଡାମାନ ଓ ନିକୋବାର ଦ୍ବୀପ ସମୂହ, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ମଣିପୁର, ପଞ୍ଜାବ, ରାଜସ୍ଥାନ ଏବଂ ପଶ୍ଚିମବଙ୍ଗ ଅତିକମରେ ୨୦ ପ୍ରତିଶତ (୭୨ ପଏଣ୍ଟ କିମ୍ବା ଅଧିକ) ସୁଧାର ପ୍ରଦର୍ଶନ କରିଛନ୍ତି।
ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକ ଲାଗି ପିଜିଆଇ ପ୍ରଥମ ଥର ୨୦୧୯ରେ ୨୦୧୭-୧୮ ବର୍ଷର ପ୍ରଦର୍ଶନକୁ ଆଧାର କରି ପ୍ରକାଶିତ ହୋଇଥିଲା। ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ଲାଗି ପିଜିଆଇ ୨୦୧୯-୨୦ ହେଉଛି ଏହି ସିରିଜର ତୃତୀୟ ପ୍ରକାଶନ। ପିଜିଆଇ ମାଧ୍ୟମରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କୁ ବହୁମୁଖୀ କାଯ୍ୟକ୍ରମ କାଯ୍ୟକାରୀ କରିବା ଲାଗି ଅନୁପ୍ରାଣିତ କରିବା ଲାଗି ଲକ୍ଷ୍ୟ ରଖାଯାଇଛି।
ଏହା ଫଳରେ ବହୁ ବାଞ୍ଝିତ ସର୍ବୋତ୍କୃଷ୍ଟ ଶିକ୍ଷା ପରିଣାମ ହାସଲ କରାଯାଇପାରିବ। ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକରେ ଶିକ୍ଷା କ୍ଷେତ୍ରରେ ରହିଥିବା ଅଭାବ ଅସୁବିଧାକୁ ଦର୍ଶାଇବାରେ ପିଜିଆଇ ସହାୟକ ହେବ ଏବଂ ତଦନୁଯାୟୀ କାଯ୍ୟକ୍ରମର ବିଭିନ୍ନ କ୍ଷେତ୍ରକୁ ପ୍ରାଥମିକତା ଦିଆଯିବ। ଯାହାର ଫଳସ୍ବରୂପ ବିଦ୍ୟାଳୟ ଶିକ୍ଷା ପ୍ରଣାଳୀର ସମସ୍ତ ସ୍ତରକୁ ମଜବୁତ କରାଯିବା ସୁନିଶ୍ଚିତ ହୋଇପାରିବ।