Categories
ଆଜିର ଖବର ରାଜ୍ୟ ଖବର

ତେଜିଲା ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବି: ପୋଷ୍ଟକାର୍ଡ଼ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇଲେ ବାଣପୁରବାସୀ

ବାଣପୁର: ଦେଶରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ବାଣପୁର ସଂଗ୍ରାମ ପରିଷଦର ଡ଼ାକରାରେ ଆଦିବାସୀ ବହୁଳ ଦାମିଆ ବରବରା ପଞ୍ଚାୟତର ବିରିଜାଈ ମନ୍ଦିର ଠାରୁ ବାଣପୁର ରାଜସ୍ଵ ଉପଖଣ୍ଡ ମାନ୍ୟତା ଦାବି ଆରମ୍ଭ ହୋଇଛି। ସଂଗ୍ରାମ ପରିଷଦର ଅଭିନବ ପ୍ରକ୍ରିୟା ପୋଷ୍ଟକାର୍ଡ଼ ଅଭିଯାନ କାର୍ଯ୍ୟକ୍ରମରେ ନିଳାଦ୍ରୀ ପ୍ରସାଦ ଓ ଦାମିଆ ବରବରା ପଞ୍ଚାୟତ ତଥା ବାଣପୁର ଅଞ୍ଚଳର ବହୁସମାଜସେବୀ, ବୁଦ୍ଧିଜୀବି, ଯୁବ ସଂଗଠକ, ଓକିଲ, ଅବସରପ୍ରାପ୍ତ ଶିକ୍ଷକ, ଅଧ୍ୟାପକ, ପତ୍ରକାର, ବ୍ୟବସାୟୀ, ଏବଂ ବହୁ ଆଦିବାସୀ ଭାଇଭଉଣୀ ମାନେ ପ୍ରଥମେ ଏକାଠି ହୋଇ ମା’ ବିରିଜାଇଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ ସବ ଡିଭିଜନ ମାନ୍ୟତା ଦାବିର ସଫଳତା ପାଇଁ ମା’ ଙ୍କ ପାଖରେ ପ୍ରାର୍ଥନା କରି ପୋଷ୍ଟକାର୍ଡ଼ରେ ଅନୁରୋଧ ଲେଖି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜସ୍ଵମନ୍ତ୍ରୀ ସୁରେଶ ପୂଜାରୀ ଏବଂ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅବଗତି ଓ ବିହିତ ପଦକ୍ଷେପ ନିମନ୍ତେ ଲେଖା ଅଭିଯାନ ଆରମ୍ଭ କରିଥିଲେ।

ବର୍ତ୍ତମାନର ସରକାର ଲୋକଙ୍କ ସରକାର ହୋଇଥିବାରୁ ବିଶେଷକରି ବନବାସୀ ଆଦିବାସୀ ଭାଇ ଭଉଣୀଙ୍କ ଉନ୍ନତି ନିମନ୍ତେ ବହୁ ଜନହିତକର ପଦକ୍ଷେପ ଗ୍ରହଣ କରୁଥିବା ବେଳେ, ଖୋର୍ଦ୍ଧା ସଦର ମହକୁମାଠାରୁ ପ୍ରାୟ ୧୦୦ କି.ମି ଦୁରରେ ବସବାସ କରି ଅକଥନୀୟ ଦୁର୍ଦ୍ଦଶା ଭୋଗୁଥିବା ଜିଲ୍ଲାର ଦୁଇ ଆଦିବାସୀ ବହୁଳ ପଞ୍ଚାୟତର ଉନ୍ନତିସାଧନ ସହିତ ସରକାରଙ୍କ ସମସ୍ତ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ଶିକ୍ଷା, ସ୍ୱାସ୍ଥ୍ୟ,ଗମନାଗମନ, ବିଦ୍ୟୁତିକରଣ, ପରିମଳ, ସ୍ୱରୋଜଗାର, ନାରୀ ଶିକ୍ଷା ପରି ଅନେକ ଜନକଲ୍ୟାଣକାରୀ ପଦକ୍ଷେପର ସଫଳରୂପାୟନ ନିମନ୍ତେ ବାଣପୁର ରାଜସ୍ବ ଉପଖଣ୍ଡ ମାନ୍ୟତାର ଜରୁରୀଆବଶ୍ୟକତା ଥିବା କଥା ଅନୁଭବ କରି ସରକାରଙ୍କୁ ପୁଣି ମନେ ପକାଇଦେବା ପାଇଁ ଏହି ଅଭିନବ ପ୍ରୟାସ ଆରମ୍ଭ କରିଥିଲେ।

ଦୁଇ ପଞ୍ଚାୟତର ବୁଦ୍ଧିଜୀବି ପାଣ୍ଡବ ଶବର, ଶତୃଘ୍ନ ସାହୁ, ରମେଶ ଶବର,ଲିଙ୍ଗରାଜଶବର, ନିରଞ୍ଜନଶବର, ଦୀନବନ୍ଧୁଶବର ଓ ଦିଲ୍ଲୀପ ମହାନ୍ତି ଙ୍କ ସହଯୋଗରେ ଆୟୋଜିତ ଏହି ଅଭିଯାନରେ ଦୁଇପଞ୍ଚାୟତର ବହୁ ଜନସାଧାରଣ ଯୋଗ ଦେଇଥିଲେ। ୧୯୭୭ ମସିହାରୁ ଦାବି କରିଆସୁଥିବା ବାଣପୁର ଜନସାଧାରଣଙ୍କ ଏହି ନାର୍ଯ୍ୟ ଦାବି ମୋହନ ସରକାର ନିଶ୍ଚିତ ପୁରଣ କରିବେ ବୋଲି ଆଶା ପ୍ରକାଶ କରାଯାଇଥିଲା।

ସର୍ବଶେଷରେ ମା’ ଙ୍କୁ ପୋଷ୍ଟ କାର୍ଡ ମାଧ୍ୟମରେ ବାଣପୁର ରାଜସ୍ୱ ଉପଖଣ୍ଡ ପାଇଁ ନିବେଦନ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ସ୍ଵାଧୀନତା ଦିବସରୁ ଅଭିନବ ଉପାୟ: ବାଣପୁରକୁ ରାଜସ୍ୱ ଉପଖଣ୍ଡ ପାଇଁ ଆରମ୍ଭ ହେଲା ଦସ୍ତଖତ ଅଭିଯାନ

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ଦେଶବ୍ୟାପୀ ସ୍ଵାଧୀନତା ଦିବସ ମହାଧୂମଧାମରେ ପାଳିତ ହୋଇଯାଇଛି। ସମଗ୍ର ଦେଶ ଉତ୍ସବମୁଖର ଥିବା ବେଳେ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ସ୍ଵାଧୀନତା ଦିବସ ପାଳନ ସହିତ ବାଣପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବିରେ ଏକ ଅଭିନବ ପ୍ରୟାସ କରାଯାଇଛି। ‘ଜୟ ବାଣପୁର ସଂଗ୍ରାମୀ ପରିଷଦ’ ପକ୍ଷରୁ ଉକ୍ତ ଅଭିଯାନକୁ ଆହୁରୀ ତୀବ୍ର କରାଯିବା ବୋଲି ସୂଚନା ରହିଛି। ଆଗାମୀ ଦିନରେ ଏହି ଦସ୍ତଖତ ଅଭିଯାନକୁ ୪ ଟି ପର୍ଯ୍ୟାୟ ଏବଂ ୪ ଟି ସ୍ଥାନରେ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ଏହିପ୍ରରିପ୍ରେକ୍ଷୀରେ ଆଜି ବାଣପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବିରେ ଦସ୍ତଖତ ଅଭିଯାନ ଆରମ୍ଭ କରାଯାଇଛି। ବାଣପୁରର ଐତିହାସିକ ସ୍ଥଳ ପଲଟଣ ପଡିଆରେ ଉକ୍ତ ଅଭିଯାନ ଆରମ୍ଭ କରାଯାଇଛି। ଯେଉଁ ସ୍ଥାନରେ ଇଂରେଜମାନଙ୍କ ସହ ବାଣପୁରର ପାଇକମାନେ ଯୁଦ୍ଧ କରି ଗୋରାମାନଙ୍କୁ ଧରାଶାୟୀ କରିଥିଲେ। ସେହି ଐତିହାସିକ ସ୍ଥାନରେ ଆଜି ବାଣପୁରବାସୀ ଏକାଠି ହୋଇ ସେମାନଙ୍କର ନାର୍ଯ୍ୟ ଦାବି ପାଇଁ ଆହ୍ଵାନ ଦେଇଛନ୍ତି।

ଏହି ଅବସରରେ ବାଣପୁରର ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ବୁଦ୍ଧିଜୀବୀ, ଯୁବକ ସଂଘ, ଡ୍ରାଇଭର ମହାସଂଘ, ସାମ୍ବାଦିକ ସଂଘ ପରି ଅନେକ ସଂଗଠନ ସାମିଲ ହୋଇଛନ୍ତି। ଆଜିଠାରୁ ଆରମ୍ଭ ହୋଇଥିବା ଦସ୍ତଖତ ଅଭିଯାନକୁ ବ୍ୟାପକ କରାଯିବା ସହ ଆଗକୁ ବିଭିନ୍ନ ସ୍ଥାନରେ ଚାଲୁକରାଯିବ ବୋଲି ଜଣାପଡିଛି।

ଉଲ୍ଲେଖଯୋଗ୍ୟ ଯେ, ବାଣପୁର ହେଉଛି ଅଭିବକ୍ତ ପୁରୀ ଜିଲ୍ଲାର ପୁରାତନ ସହର। ଏଠାରେ ଅଦାଲତ, ତହସିଲ, ସର୍ବପୁରାତନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରହିବା ସହ ଏହି ମାଟି ବହୁ ବରପୁତ୍ରମାନଙ୍କୁ ଜନ୍ମଦେଇଛି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ଠାରୁ ଆରମ୍ଭ କରି ସିବିଆଇ ନିର୍ଦ୍ଦେଶକ ଭଳି ବରପୁତ୍ରମାନଙ୍କୁ ଏହି ମାଟି ଜନ୍ମଦେଇଛି। ଏଠାରେ ଗୋଦାବରୀଶ ମିଶ୍ର, ନିଆଁଖୁଣ୍ଟା ଗୋଦାବରୀଶ ମହାପାତ୍ର, କୃତ୍ତିବାସ ପାଟ୍ଟଶାଣୀଙ୍କ ଭଳି ଅନେକ ସ୍ଵାଧୀନତା ସଂଗ୍ରାମୀ ଜନ୍ମ ହୋଇଛନ୍ତି। ତଥାପି ଏହି ମାଟି ପ୍ରତି ଅବହେଳା କରାଯାଉଥିବା ଅଭିଯୋଗ ହେଉଛି।

କିଛି ଦିନ ତଳେ ଯୁବ ସମାଜ ସେବୀ ଶେଷଦେବ ବରାଳଙ୍କ ନେତୃତ୍ଵରେ ଅନେକ ଯୁବକ ପଦଯାତ୍ରା କରି ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଦାବି ପତ୍ର ଦେଇଥିଲେ। ସେତେବେଳେ ଏହା ଏକ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିବା ସହିତ ବାଣପୁରିଆଙ୍କ ମନରେ ଆଗ୍ରହ ଦେଖାଦେଇଥିଲା। ଏହାପରେ ନିର୍ବାଚନ ଆସିବାରୁ ଏହି ଅଭିଯାନ ମନ୍ଥର ପଡିଥିଲା। କିନ୍ତୁ ନିର୍ବାଚନ ସମୟରେ ଅନେକ ନେତା ବାଣପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ପାଇଁ ପ୍ରତିଶୃତି ଦେଇଥିବା ଦେଖାଯାଇଥିଲା।

ଅପରପକ୍ଷେ ଦୁଇଟି ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତକୁ ନେଇ ବାଣପୁର ତହସିଲ ଗଠିତ। ଗଞ୍ଜାମ ଜିଲ୍ଲା ସୀମାରେ ଅବସ୍ଥିତ ଏହି ଅଞ୍ଚଳବାସୀଙ୍କୁ କୌଣସି କାର୍ଯ୍ୟ ପାଇଁ ଖୋର୍ଦ୍ଧା ଯିବା କଷ୍ଟକର ହୋଇପଡୁଛି। ତେଣୁ ବାଣପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ପାଇଁ ବହୁ ବର୍ଷ ଧରି ଦାବି ହୋଇଆସୁଥିଲେ ମଧ୍ୟ ପୂର୍ବ ସରକାରମାନେ ଏହାକୁ କର୍ଣ୍ଣପାତ କରିନାହାନ୍ତି। କିନ୍ତୁ ଏଥର ବାଣପୁର ମାଟିର ପୁଅ ପୃଥ୍ବୀରାଜ ହରିଚନ୍ଦନ ବିଜେପି ସରକାରରେ ଆଇନ ମନ୍ତ୍ରୀ ହୋଇଥିବାରୁ ଅଞ୍ଚଳବାସୀଙ୍କ ପାଇଁ ଅଶାର କିରଣ ଆଣିଦେଇଛି।

ତେବେ ପୂର୍ବତନ ନେତା ମନ୍ତ୍ରୀଙ୍କ ପରି ଏଥର ବି ବାଣପୁରବାସୀ ଧୋକ୍କା ଖାଉଛନ୍ତି ନା ଚିଲିକା ବିଧାୟକ ତଥା ଓଡିଶା ସରକାରର ମନ୍ତ୍ରୀଙ୍କ ଦ୍ଵାରା ଅଞ୍ଚଳବାସୀଙ୍କ ଆଶା ପୂରଣ ହେଉଛି, ତାହା ଦେଖିବା ବାକି ରହିଲା।

Categories
ଆଞ୍ଚଳିକ

ବାଣପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ନମିଳିଲେ କରାଯିବ ଆଇନ ଅମାନ୍ୟ ଆନ୍ଦୋଳନ: କ୍ରିୟାନୁଷ୍ଠାନ କମିଟି

ବାଣପୁର (ସୀତାରାମ ଅଗ୍ରୱାଲ): ନିକଟରେ ରାଜ୍ୟ ସରକାର ଏକାଧିକ ଅଞ୍ଚଳକୁ ନୂତନ ଏନଏସି ମାନ୍ୟତା ପ୍ରଦାନ କରିଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳ ରାଜସ୍ୱ ଉପଖଣ୍ଡ ମାନ୍ୟତା ପାଇବା ପାଇଁ ସଂଘର୍ଷ ଜାରି ରଖିଛି। ବିଗତ ଚାରି ଦଶନ୍ଧି ହେଲା ବାରମ୍ବାର ପ୍ରତିବାଦ ଏବଂ ଆନ୍ଦୋଳନ ସତ୍ବେ ସରକାର ଉକ୍ତ ଦାବିକୁ କର୍ଣ୍ଣପାତ କରୁନଥିବାରୁ ଆଜି ବାଣପୁର-ବାଲୁଗାଁ-ଚିଲିକା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ଛାୟା ମଣ୍ଡପ ପରିସରରେ କମିଟି ସଭାପତି ପ୍ରଫେସର ନଳିନୀକାନ୍ତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ସାମ୍ବାଦିକ ସମ୍ମିଳନୀ ଜରିଆରେ ପ୍ରଫେସର ପଟ୍ଟନାୟକ ବାଣପୁରକୁ ଯଥାଶୀଘ୍ର ରାଜସ୍ୱ ଉପଖଣ୍ଡ ମାନ୍ୟତା ରାଜ୍ୟ ସରକାର ପ୍ରଦାନ କରନ୍ତୁ ବୋଲି ଦାବି କରିଥିଲେ। ତେବେ ଯଦି ଆଗାମୀ ସାତ ଦିନ ମଧ୍ୟରେ ସରକାର ଏହି ଦାବି ପୂରଣ ନକରନ୍ତି ତେବେ ବାଧ୍ୟ ହୋଇ ବାଣପୁର ବାସି ଆଇନ ଅମାନ୍ୟ ଆନ୍ଦୋଳନ ହାତକୁ ନେବେ ବୋଲି ପ୍ରଫେସର ପଟ୍ଟନାୟକ ଚେତାବନୀ ଦେଇଛନ୍ତି।

Categories
ଆଞ୍ଚଳିକ

ଜୋର ଧରିଲା ବାଣପୁରକୁ ରାଜସ୍ୱ ଉପଖଣ୍ଡ ଦାବି: ସଚିବାଳୟ ପର୍ଯ୍ୟନ୍ତ ପଦଯାତ୍ରା କରିବେ ଯୁବ ସମାଜସେବୀ ଶେଷଦେବ

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳକୁ ରାଜସ୍ୱ ଉପଖଣ୍ଡ ଦାବି ଜୋର ଧରିଛି। ଦୀର୍ଘ ଦିନ ଧରି ଚାଲିଥିବା ଏହି ଦାବିକୁ ଆଗକୁ ବଢେଇବା ପାଇଁ ଯୁବ ସମାଜସେବୀ ଶେଷଦେବ ବରାଳ ପ୍ରସ୍ତୁତ ହୋଇଛନ୍ତି।  ଅଭିନବ ଉପାୟରେ ଏହି ଦାବିକୁ ସରକାରଙ୍କ ନିକଟରେ ପହଞ୍ଚାଇବା ପାଇଁ ଶେଷଦେବ ଆସନ୍ତାକାଲି ଠାରୁ ମା’ ଭଗବତୀ ମନ୍ଦିରରୁ ରାଜ୍ୟ ସଚିବାଳୟ ପର୍ଯ୍ୟନ୍ତ ପଦଯାତ୍ରା ଆରମ୍ଭ କରିବେ।

ସେ ପ୍ରଥମେ ମା’ ଭଗବତୀଙ୍କ ଦର୍ଶନ କରି ମନ୍ଦିର ନିକଟରୁ ପଦଯାତ୍ରା ଆରମ୍ଭ କରି ବାଣପୁର ବ୍ଲକ ଓ ତହସିଲରେ ଦାବି ପତ୍ର ପ୍ରଦାନ କରିବେ। ଏବଂ ସେଠାରୁ ଗମ୍ଭାରିମୁଣ୍ଡା ଦେଇ ନାଚୁଣୀରେ ପହଞ୍ଚିବେ। ନାଚୁଣୀରୁ ତାଙ୍କ ପଦଯାତ୍ରା ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ପହଞ୍ଚିବ। ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରି ଶେଷଦେବ ସଚିବାଳୟ ଅଭିମୁଖେ ପଦଯାତ୍ରା ଆରମ୍ଭ କରିବେ।

ତେବେ ‘ବାଣପୁର ୟୁଥ ଭଏସ’ ର ସଂପୂର୍ଣ୍ଣ ସହଯୋଗରେ ପ୍ରାୟ ଶତାଧିକ ଯୁବକ ଏହି ପଦଯାତ୍ରାରେ ସାମିଲ ହେବ ବୋଲି ଜଣାପଡିଛି। ଅନ୍ୟପକ୍ଷରେ ଏହା ଏକ ପ୍ରଶଂସନୀୟ ପ୍ରୟାସ ଏବଂ ଏହି ପଦଯାତ୍ରାରେ ବାଣପୁର ଜନସାଧାରଣ ବହୁଳ ପରିମାଣରେ ସାମିଲ ହେବା ଲାଗି ବୁଦ୍ଧିଜୀବୀମାନେ ନିବେଦନ କରିଛନ୍ତି।