ବାଣପୁର: ଜ୍ୟେଷ୍ଠ ଶୁକ୍ଳ ଏକାଦଶୀରେ ପବିତ୍ର ରୁକ୍ମିଣି ବିବାହ ଉତ୍ସବ, ଲୀଳାକ୍ଷେତ୍ର ବାଣପୁରର ଆରାଧ୍ୟ ଠାକୁର ଶ୍ରୀରଙ୍କ ନାଥ ଦେବଙ୍କ ଚଳନ୍ତି ପ୍ରତିମା ଶ୍ରୀମଦନମୋହନ ଦେବଙ୍କ ସହିତ ରୁକ୍ମିଣିଦେବୀଙ୍କ ଶୁଭବିବାହ ମନ୍ଦିର ପ୍ରାଙ୍ଗଣରେ ଶୁଭଲଗ୍ନରେ ମହା ଆନନ୍ଦ ଉଲ୍ଲାସର ସହିତସମାହିତ ହୋଇଯାଇଛି। ଶୁକ୍ଳ ଦ୍ଵାଦଶୀରେ ନବବିବାହିତ ଦେବଦମ୍ପତିଙ୍କ ଶିବ ଦର୍ଶନ, ନଗର ପରିଭ୍ରମଣ,ଯାହାକୁ ଗୁଆଲିଯାତ୍ରା ବୋଲି କୁହାଯାଏ, ସଂଧ୍ୟାରେ ବିରାଟ ଥାଟ ପଟୁଆରରେ ଦେବଦମ୍ପତି ବାଣପୁରର ପ୍ରାଚୀନ ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀଦକ୍ଷେଶ୍ଵର ମହାଦେବଙ୍କ ମନ୍ଦିରକୁ ବିଜେ କରିଥିଲେ। ସେଠାରେ ଶ୍ରୀଚନ୍ଦ୍ରଶେଖରଦେବଙ୍କ ଦର୍ଶନ ପରେ ଏକତ୍ର ହରିହର ଭେଟ ହୋଇଏକ ଆସନରେ ଉପବେଶନ କରିବା ପରେ ପରିଛା ମହାପାତ୍ରେ ଦେବା ଦେବୀଙ୍କୁ ଶୀତଳ ମଣୋହୀ କରି ଆଳତି ବଢାଇଥିଲେ ।ଘଣ୍ଟା ଘଣ୍ଟ କାହାଳୀ ସଂକିର୍ତ୍ତନ ବାଦ୍ୟ, ହରିବୋଲ ହୁଳହୁଳି ଧ୍ଵନୀରେ ମନ୍ଦିର ପରିସର ଉଚ୍ଛୁଳି ପଡିଥିଲା।
ଦେବଦେବ ମହାଦେବ ଚନ୍ଦ୍ରଶେଖର ଦେବଦମ୍ପତ୍ତି ଶ୍ରୀମଦନମୋହନ ଦେବ ଓ ମାତାରୁକ୍ମିଣି ଦେବୀଙ୍କୁ ଏକତ୍ର ଦର୍ଶନକରି କୃପାଲାଭ କରିବାପାଇଁ ଅଗଣିତ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ପରେ ଦେବଦମ୍ପତ୍ତି ବାଣପୁର ନଗର ଭ୍ରମଣ କରି ସ୍ଵମନ୍ଦିରକୁ ବିଜେ କରିଥିଲେ ।ପରେ ମନ୍ଦିର ପ୍ରସାଶନ, ଏବଂ ଶ୍ରଦ୍ଧାଳୁଙ୍କ ମିଳିତ ସହଯୋଗରେ ଭକ୍ତମାନଙ୍କୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।