Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀ ମୋଦୀଙ୍କ ହସ୍ତକ୍ଷେପ ରୁଷ ଓ ୟୁକ୍ରେନ ମଧ୍ୟରେ ପରମାଣୁ ଯୁଦ୍ଧ ଏଡ଼ାଇଥିଲା: ପୋଲାଣ୍ଡ ଉପବିଦେଶ ମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ରୁଷ ଏବଂ ୟୁକ୍ରେନ ମଧ୍ୟରେ ପରମାଣୁ ଯୁଦ୍ଧ ଏଡ଼ାଇଥିଲା ବୋଲି ପୋଲାଣ୍ଡ ଉପବିଦେଶ ମନ୍ତ୍ରୀ ତଥା ପରରାଷ୍ଟ୍ର ସଚିବ ୱାଡିଶ୍ୱ ଟେଓଫି ବାର୍ଟୋଶେଫସ୍କି କହିଛନ୍ତି। ବିଶ୍ୱ ଶାନ୍ତି ପ୍ରୟାସରେ ଏକ ପ୍ରମୁଖ ମଧ୍ୟସ୍ଥ ଭାବେ ଏହା ଭାରତର ଭୂମିକା ଉପରେ ଆଲୋକପାତ କରୁଛି ବୋଲି ସେ କହିଛନ୍ତି। ପୋଲାଣ୍ଡ ଉପବିଦେଶ ମନ୍ତ୍ରୀ ଆହୁରି କହିଛନ୍ତି, ‘‘ପ୍ରଧାନମନ୍ତ୍ରୀ ମୋଦୀଙ୍କ ୱାର୍‌ଶ ଗସ୍ତ ବେଶ ଫଳପ୍ରଦ ରହିଥିଲା। ଶ୍ରୀ ମୋଦୀ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ୟୁକ୍ରେନ ଉପରେ ପରମାଣୁ ଯୁଦ୍ଧାସ୍ତ୍ର ପ୍ରୟୋଗ ନକରିବା ପାଇଁ ରାଜି କରାଇଥିଲେ। ଆମେ ସମସ୍ତେ ୟୁକ୍ରେନରେ ସ୍ଥିର ଏବଂ ଦୀର୍ଘସ୍ଥାୟୀ ଶାନ୍ତି ଚାହୁଁଛୁ ବୋଲି ସେ କହିଛନ୍ତି।’’

ରାଷ୍ଟ୍ରପତି ପୁତିନ ଭାରତର କୂଟନୈତିକ ପ୍ରୟାସକୁ ସ୍ୱୀକାର କରିଥିଲେ। ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ବିଶ୍ୱସ୍ତରୀୟ ନେତାମାନେ ଅନ୍ତର୍ଜାତୀୟ ବିବାଦ ସମାଧାନ ଏବଂ ଯୁଦ୍ଧ ବନ୍ଦ କରିବା ଉପରେ ଜୋର ଦେଇଥିଲେ। ଏହା ଅନ୍ତର୍ଜାତୀୟ ବିବାଦ ସମାଧାନରେ ଭାରତର ପ୍ରମୁଖ ପ୍ରଭାବକୁ ଦର୍ଶାଇଥାଏ। ପୋଲାଣ୍ଡ ଉପବିଦେଶ ମନ୍ତ୍ରୀ କହିଛନ୍ତି, ‘‘ଆମେ ଆମର ଘରୋଇ ବ୍ୟାପାରକୁ ନେଇ ବ୍ୟସ୍ତ ରହିଥିଲୁ। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭଳି ଅନ୍ୟ ରାଷ୍ଟ୍ର ନେତାମାନେ ଏହି ବିବାଦ ସମାଧାନ ପାଇଁ ପ୍ରୟାସ କରିଥିଲେ ଏବଂ ଏଥିପାଇଁ ସମୟ ଦେଉଥିଲେ। ଏଥିପାଇଁ ଆମେ ସେମାନଙ୍କ ନିକଟରେ କୃତଜ୍ଞ।’’

ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତର ଅନ୍ତର୍ଜାତୀୟ ସମ୍ପର୍କ ବେଶ ସୁଦୃଢ଼ ହୋଇଛି। ବିଶେଷ କରି ରୁଷ ସହିତ ଭାରତର ସମ୍ପର୍କ ଅଧିକ ନିବିଡ଼ ହୋଇଛି ଏବଂ ରାଷ୍ଟ୍ରପତି ପୁତିନ ଏହାକୁ ‘‘ସ୍ୱତନ୍ତ୍ର ସୁବିଧାପ୍ରାପ୍ତ’’ ସମ୍ପର୍କ ଭାବେ ଅଭିହିତ କରିଛନ୍ତି। ଯୁଦ୍ଧ ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୟୁକ୍ରେନ ଗସ୍ତ ଭାରତର ନିରପେକ୍ଷତା ଏବଂ ଶାନ୍ତି ପ୍ରୟାସକୁ ଅଧିକ ସୁଦୃଢ଼ କରିଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେଁସ୍କି ମଧ୍ୟ ଯୁଦ୍ଧ ବନ୍ଦ ପାଇଁ ମାର୍ଗ ସନ୍ଧାନ କରିବା ଲାଗି ଭାରତ ଦ୍ୱାରା ଶାନ୍ତି ପ୍ରୟାସ ଆରମ୍ଭ କରାଯିବା ପାଇଁ ପରାମର୍ଶ ଦେଇଛନ୍ତି। ଏହା ବିଶ୍ୱ କୂଟନୀତିରେ ଭାରତର ବର୍ଦ୍ଧିତ ପ୍ରଭାବ ଉପରେ ଆଲୋକପାତ କରିଥାଏ।

ରୁଷ-ୟୁକ୍ରେନ ପରମାଣୁ ଯୁଦ୍ଧକୁ ଏଡ଼ାଇବାକୁ ବାଦ୍‌ ଦେଲେ ଅନ୍ୟ କେତେକ କ୍ଷେତ୍ରରେ ମଧ୍ୟ ଭାରତକୁ କୂଟନୀତିକ ସଫଳତା ମିଳିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ପରେ ଆମେରିକା ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତ ତାହାଉର୍‌ ରାଣାକୁ ଭାରତ ପ୍ରତ୍ୟର୍ପଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ସେହିପରି କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପାଇଁ ଭାରତର ନିଷ୍ପତ୍ତିକୁ ସାଉଦି ଆରବ, ୟୁଏଇ, ରୁଷ, ଇସ୍ରାଏଲ, ବାହାରିନ ଏବଂ ଇରାନ ସମର୍ଥନ କରିଛନ୍ତି। ତେଣୁ ଏହି ପ୍ରସଙ୍ଗରେ ଅନ୍ତର୍ଜାତୀୟ ସମର୍ଥନ ଲୋଡ଼ିବାକୁ ପାକିସ୍ତାନର ପ୍ରୟାସ ନିଷ୍ଫଳ ହୋଇଛି। ଭାରତର ସର୍ଜିକାଲ ଷ୍ଟ୍ରାଇକକୁ ମଧ୍ୟ ଜାପାନ, ଜର୍ମାନୀ, ୟୁଏଇ, ରୁଷ ଆଦି ଦେଶ ସମର୍ଥନ କରିଛନ୍ତି।

ରୁଷ-ୟୁକ୍ରେନ ସଂଘର୍ଷ ସତ୍ତ୍ୱେ ଭାରତ ଅଧ୍ୟକ୍ଷତାରେ ଆୟୋଜିତ ଜି-୨୦ ସମ୍ମିଳନୀରେ ୧୫ଟି ପ୍ରସଙ୍ଗ ଉପରେ ଅନ୍ତର୍ଜାତୀୟ ସହମତି ସହିତ ନୂଆଦିଲ୍ଲୀ ଘୋଷଣାନାମାକୁ ମଞ୍ଜୁରି ମିଳିଥିଲା। କିଛିଦିନ ପୂର୍ବେ ଭାରତର ଆଠ ଜଣ ପୂର୍ବତନ ନୌସେନା ଅଧିକାରୀଙ୍କୁ କତରରେ ଫାଶୀ ଦଣ୍ଡ ଦିଆଯାଇଥିଲା। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତ ସରକାରଙ୍କ ହସ୍ତକ୍ଷେପ ପରେ ସେମାନେ ସୁରକ୍ଷିତ ଭାବେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଯୁଦ୍ଧଗ୍ରସ୍ତ ୟୁକ୍ରେନ, ଆଫଗାନିସ୍ତାନ ଓ ସୁଦାନରୁ ଭାରତୀୟମାନଙ୍କୁ ଉଦ୍ଧାର କରିବା ହେଉ ଅଥବା କୋଭିଡ ୧୯ ମହାମାରୀ ଏବଂ ଇସ୍ରାଏଲ-ହମାସ ଯୁଦ୍ଧ, ଭାରତ ସବୁବେଳେ ବିଦେଶରେ ଥିବା ନିଜ ନାଗରିକଙ୍କ ସୁରକ୍ଷା ଉପରେ ପ୍ରାଥମିକତା ଦେଇଛି। ସେହିପରି ଭେକ୍ସିନ ମୈତ୍ରୀ ଜରିଆରେ କୋଭିଡ ଟିକା ସହାୟତା ଯୋଗାଇ ଦେବା ସହିତ ପ୍ରାକୃତିକ ବିପର୍ଯ୍ୟୟ ପ୍ରଭାବିତ ବିଶ୍ୱର ଅନେକ ଦେଶକୁ ମାନବୀୟ ସହାୟତା ଯୋଗାଇ ଦେଇ ଭାରତ ନିଜର ବିଶ୍ୱ ବନ୍ଧୁ ଭାବନା ଏବଂ କୂଟନୀତିକ ପ୍ରଭାବକୁ ବିସ୍ତାରିତ କରିପାରିଛି।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

୨୦୩୦ ପର୍ଯ୍ୟନ୍ତ ରୁଷ-ଭାରତ ଆର୍ଥିକ ସହଯୋଗର ରଣନୀତିକ କ୍ଷେତ୍ର ବିକାଶ ଉପରେ ନେତାମାନଙ୍କ ମିଳିତ ବିବୃତ୍ତି

ନୂଆଦିଲ୍ଲୀ: ୮-୯ ଜୁଲାଇ ୨୦୨୪ରେ ରୁଷ ଓ ଭାରତ ମଧ୍ୟରେ ମସ୍କୋରେ ଅନୁଷ୍ଠିତ ୨୨ତମ ବାର୍ଷିକ ଦ୍ୱିପାକ୍ଷିକ ଶିଖର ସମ୍ମିଳନୀ ପରେ ରୁଷ ରାଷ୍ଟ୍ରପତି ମହାମହିମ ଭ୍ଲାଦିମିର ପୁତିନ୍ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଳିତ ବିବୃତି ଜାରି କରିଛନ୍ତି।

ଦ୍ୱିପାକ୍ଷିକ ବ୍ୟବହାରିକ ସହଯୋଗର ସାମ୍ପ୍ରତିକ ପ୍ରସଙ୍ଗ ଏବଂ ରୁଷ-ଭାରତ ସ୍ୱତନ୍ତ୍ର ଓ ବିଶେଷାଧିକାର ରଣନୀତିକ ଭାଗିଦାରୀର ବିକାଶ ଉପରେ ବ୍ୟାପକ ଭାବରେ ମତ ବିନିମୟ କରିବା ପରେ ଉଭୟ ପକ୍ଷ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆପୋସ ସହମତି ପ୍ରକାଶ କରିଛନ୍ତି।

ପାରସ୍ପରିକ ସମ୍ମାନ ଓ ସମାନତାର ନୀତିକୁ ଦୃଢ଼ ଭାବରେ ପାଳନ କରିବା ତଥା ପରସ୍ପର ପାଇଁ ଲାଭଦାୟକ ଓ ଦୀର୍ଘମିଆଦୀ ଭିତ୍ତିରେ ଦୁଇ ଦେଶର ସାର୍ବଭୌମ ବିକାଶ ପାଇଁ ସେମାନେ ସହମତ ହୋଇଛନ୍ତି।

ରୁଷ୍-ଭାରତ ବାଣିଜ୍ୟ ଏବଂ ଆର୍ଥିକ ସହଯୋଗକୁ ପ୍ରୋତ୍ସାହିତ କରି ଦ୍ୱିପାକ୍ଷିକ ସମ୍ପର୍କକୁ ଗଭୀର କରିବା ପାଇଁ ଅତିରିକ୍ତ ପ୍ରୋତ୍ସାହନ ଦେବାକୁ ସେମାନେ ଆଗ୍ରହ ପ୍ରକାଶ କରିଛନ୍ତି।

ଦୁଇ ରାଷ୍ଟ୍ର ମଧ୍ୟରେ ଦ୍ରବ୍ୟ ଓ ସେବା ବାଣିଜ୍ୟର ଗତିଶୀଳ ଅଭିବୃଦ୍ଧିର ଧାରା ବଜାୟ ରଖିବାର ଉଦ୍ଦେଶ୍ୟ ଏବଂ ୨୦୩୦ ସୁଦ୍ଧା ଏହାର ପରିମାଣରେ ଉଲ୍ଲେଖନୀୟ ବୃଦ୍ଧି ସୁନିଶ୍ଚିତ କରିବାର ଇଚ୍ଛା ପ୍ରକଟ କରି ଉଭୟ ନେତା

ନିମ୍ନଲିଖିତ ଘୋଷଣା କରିଛନ୍ତି:

 ରୁଷ ଏବଂ ଭାରତ (ଯାହା ଆଗକୁ ‘ପକ୍ଷଗୁଡ଼ିକ’ ଭାବେ ଉଲ୍ଲେଖ କରାଯିବ’’) ମଧ୍ୟରେ ଦ୍ୱିପାକ୍ଷିକ ଆର୍ଥିକ ସହଯୋଗରେ ନିମ୍ନଲିଖିତ ନଅଟି ପ୍ରମୁଖ କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରି ବିକଶିତ କରିବାକୁ ଯୋଜନା କରାଯାଇଛି:

୧- ଭାରତ ଓ ରୁଷ୍ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ସମ୍ବନ୍ଧୀୟ ଅଣ-ଶୁଳ୍କ ବାଣିଜ୍ୟ ପ୍ରତିବନ୍ଧକକୁ ଦୂର କରିବା ପାଇଁ ଆକାଂକ୍ଷା ପ୍ରକଟ କରାଯାଇଛି।। ଇଏଇୟୁ-ଭାରତ ମୁକ୍ତ ବାଣିଜ୍ୟ କ୍ଷେତ୍ର ପ୍ରତିଷ୍ଠାର ସମ୍ଭାବନା ସମେତ ଦ୍ୱିପାକ୍ଷିକ ବାଣିଜ୍ୟର ଉଦାରୀକରଣ କ୍ଷେତ୍ରରେ ଆଲୋଚନା ଜାରି ରଖିବାକୁ ସହମତି ହୋଇଛି। ସନ୍ତୁଳିତ ଦ୍ୱିପାକ୍ଷିକ ବାଣିଜ୍ୟ ହାସଲ କରିବା ପାଇଁ ଭାରତରୁ ସାମଗ୍ରୀ ଯୋଗାଣ ବୃଦ୍ଧି ସହିତ ୨୦୩୦ ସୁଦ୍ଧା ୧୦୦ ବିଲିୟନ ଡଲାରରୁ ଅଧିକ ପାରସ୍ପରିକ ବାଣିଜ୍ୟ ପରିମାଣ ହାସଲ କରିବା (ଆପୋସ ସହମତି ଅନୁଯାୟୀ)। ପକ୍ଷମାନଙ୍କର ନିବେଶ କାର୍ଯ୍ୟକଳାପକୁ ସ୍ୱତନ୍ତ୍ର ନିବେଶ ବ୍ୟବସ୍ଥାର ଢାଞ୍ଚା ମଧ୍ୟରେ ପୁନଃସକ୍ରିୟ କରିବାକୁ ନିଷ୍ପତ୍ତି ହୋଇଛି।

୨- ଜାତୀୟ ମୁଦ୍ରା ବ୍ୟବହାର କରି ଦ୍ୱିପାକ୍ଷିକ ସମାଧାନ ବ୍ୟବସ୍ଥାର ବିକାଶ କରାଯିବ। ପାରସ୍ପରିକ ବ୍ୟବସ୍ଥା ମାଧ୍ୟମରେ ଡିଜିଟାଲ ଆର୍ଥିକ ଉପକରଣର ନିରନ୍ତର ପ୍ରଚଳନ ହେବ।

୩- ଉତ୍ତର-ଦକ୍ଷିଣ ଅନ୍ତର୍ଜାତୀୟ ପରିବହନ କରିଡର, ଉତ୍ତର ସାଗର ମାର୍ଗ ଏବଂ ଚେନ୍ନାଇ-ଭ୍ଲାଦିଭୋସ୍ତୋକ ସି’ ଲାଇନର ନୂତନ ସାମୁଦ୍ରିକ ମାର୍ଗ ଆରମ୍ଭ ମାଧ୍ୟମରେ ଭାରତ ସହିତ ମାଲ ପରିବହନ ବୃଦ୍ଧି କରାଯିବ। ବାଧାମୁକ୍ତ ପଣ୍ୟ ପରିବହନ ପାଇଁ ଇଣ୍ଟେଲିଜେଣ୍ଟ ଡିଜିଟାଲ ସିଷ୍ଟମର ପ୍ରୟୋଗ ମାଧ୍ୟମରେ ସୀମା ଶୁଳ୍କ ପ୍ରଣାଳୀର ସର୍ବୋତ୍ତମ ଉପଯୋଗ କରାଯିବ।

୪- କୃଷି ଜାତ ଦ୍ରବ୍ୟ, ଖାଦ୍ୟ ଓ ସାର କ୍ଷେତ୍ରରେ ଦ୍ୱିପାକ୍ଷିକ ବାଣିଜ୍ୟ ପରିମାଣ ବୃଦ୍ଧି, ପ୍ରାଣୀ ଚିକିତ୍ସା, ସାନିଟାରୀ ଓ ଫାଇଟୋସାନିଟାରୀ କଟକଣା ଏବଂ ନିଷେଧାଦେଶ ହଟାଇବା ଉଦ୍ଦେଶ୍ୟରେ ଏକ ଗଭୀର ଆଲୋଚନା ଜାରି ରଖାଯିବ।

୫- ଆଣବିକ ଶକ୍ତି, ତୈଳ ବିଶୋଧନ ଓ ପେଟ୍ରୋକେମିକାଲ ସମେତ ପ୍ରମୁଖ ଶକ୍ତି କ୍ଷେତ୍ରରେ ସହଯୋଗର ବିକାଶ ଏବଂ ଶକ୍ତି ଭିତ୍ତିଭୂମି, ପ୍ରଯୁକ୍ତି ବିଦ୍ୟା ଓ ଉପକରଣ କ୍ଷେତ୍ରରେ ସହଯୋଗ ତଥା ଭାଗିଦାରୀର ବିସ୍ତାରିତ ରୂପ ପ୍ରସ୍ତୁତ ହେବ । ବିଶ୍ୱ ଶକ୍ତି ପରିବର୍ତ୍ତନର ସମ୍ଭାବନାକୁ ଦୃଷ୍ଟିରେ ରଖି ପାରସ୍ପରିକ ଏବଂ ଅନ୍ତର୍ଜାତୀୟ ଶକ୍ତି ନିରାପତ୍ତାର ସୁବିଧା କରାଯିବ।

୬- ଭିତ୍ତିଭୂମି ବିକାଶ, ପରିବହନ ଇଞ୍ଜିନିୟରିଂ, ଅଟୋମୋବାଇଲ ଉତ୍ପାଦନ ଓ ଜାହାଜ ନିର୍ମାଣ, ମହାକାଶ ଏବଂ ଅନ୍ୟାନ୍ୟ ଶିଳ୍ପ କ୍ଷେତ୍ରରେ ଆଦାନପ୍ରଦାନକୁ ସୁଦୃଢ଼ କରାଯିବ। ଆନୁସଙ୍ଗିକ ଏବଂ ଶିଳ୍ପ କ୍ଲଷ୍ଟର ସୃଷ୍ଟି କରି ପରସ୍ପରର ବଜାରରେ ଭାରତୀୟ ଏବଂ ରୁଷୀୟ କମ୍ପାନୀର ପ୍ରବେଶକୁ ସୁଗମ କରାଯିବ। ମାନକୀକରଣ, ବୈଧ ମାପ ଓ ଓଜନ ତଥା ଅନୁରୂପତା ମୂଲ୍ୟାଙ୍କନ କ୍ଷେତ୍ରରେ ପକ୍ଷଗୁଡ଼ିକର ଆଭିମୁଖ୍ୟରେ ସମନ୍ୱୟ ଅଣାଯିବ।

୭- ଡିଜିଟାଲ ଅର୍ଥବ୍ୟବସ୍ଥା, ବିଜ୍ଞାନ ଓ ଗବେଷଣା, ଶିକ୍ଷାଗତ ବିନିମୟ ଏବଂ ହାଇଟେକ୍ କମ୍ପାନିର କର୍ମଚାରୀଙ୍କ ପାଇଁ ଇଣ୍ଟର୍ଣ୍ଣସିପ୍ ଆଦି ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ ଓ ଯୁଗ୍ମ ପ୍ରକଳ୍ପକୁ ପ୍ରୋତ୍ସାହନ ଦିଆଯିବ। ଅନୁକୂଳ ଆର୍ଥିକ ବ୍ୟବସ୍ଥା ପ୍ରଦାନ କରି ନୂତନ ଯୁଗ୍ମ (ସହାୟକ) କମ୍ପାନି ସୃଷ୍ଟି କରିବାରେ ସହାୟକ ହେବ।

୮- ଔଷଧ ଓ ଅତ୍ୟାଧୁନିକ ଚିକିତ୍ସା ଉପକରଣର ବିକାଶ ଓ ଯୋଗାଣ କ୍ଷେତ୍ରରେ ଶୃଙ୍ଖଳିତ ସହଯୋଗକୁ ପ୍ରୋତ୍ସାହିତ କରିବା। ରୁଷରେ ଭାରତୀୟ ଚିକିତ୍ସା ଅନୁଷ୍ଠାନର ଶାଖା ଖୋଲିବା ଏବଂ ଯୋଗ୍ୟ ଡାକ୍ତରୀ କର୍ମଚାରୀ ନିଯୁକ୍ତି କରିବା ସହିତ ଚିକିତ୍ସା ଓ ଜୈବିକ ନିରାପତ୍ତା କ୍ଷେତ୍ରରେ ସମନ୍ୱୟକୁ ସୁଦୃଢ଼ କରିବାର ସମ୍ଭାବନା ଉପରେ ଅଧ୍ୟୟନ କରିବାକୁ ପଦକ୍ଷେପ ନିଆଯିବ।

୯- ମାନବିକ ସହଯୋଗର ବିକାଶ, ଶିକ୍ଷା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ସଂସ୍କୃତି, ପର୍ଯ୍ୟଟନ, କ୍ରୀଡ଼ା, ସ୍ୱାସ୍ଥ୍ୟ ସେବା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଯୋଗାଯୋଗର ନିରନ୍ତର ବିସ୍ତାର ହେବ।

ବାଣିଜ୍ୟ, ଆର୍ଥିକ, ବୈଜ୍ଞାନିକ, ବୈଷୟିକ ଓ ସାଂସ୍କୃତିକ ସହଯୋଗ ଉପରେ ଚିହ୍ନଟ ପ୍ରାଥମିକତା କ୍ଷେତ୍ରଗୁଡ଼ିକର ଅଧ୍ୟୟନ କରିବା ଏବଂ ଏହାର ପରବର୍ତ୍ତୀ ବୈଠକରେ ଅଗ୍ରଗତି ଆକଳନ କରିବାକୁ ରୁଷ-ଭାରତ ଆନ୍ତଃସରକାରୀ ଆୟୋଗକୁ ରୁଷ ରାଷ୍ଟ୍ରପତି ଏବଂ ଭାରତର ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ରୁଷରେ ଭାରତୀୟ ସମୁଦାୟକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମସ୍କୋରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରୁଷରେ ରହୁଥିବା ଭାରତୀୟ ସମୁଦାୟ ସହ ମତ ବିନିମୟ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ପ୍ରବାସୀ ଭାରତୀୟମାନେ ସହୃଦୟତା ଓ ସ୍ନେହର ସହିତ ସ୍ୱାଗତ କରିଥିଲେ।

ପ୍ରବାସୀ ଭାରତୀୟଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଏଭଳି ଭବ୍ୟ ସ୍ୱାଗତ ପାଇଁ ଧନ୍ୟବାଦ ଜଣାଇବା ସହ ଭାରତ-ରୁଷ ସମ୍ପର୍କକୁ ବଢ଼ାଇବାରେ ଭାରତୀୟ ସମୁଦାୟର ଅବଦାନକୁ ପ୍ରଶଂସା କରିଥିଲେ। ୧୪୦ କୋଟି ଭାରତୀୟଙ୍କ ତରଫରୁ ସେମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେ ଉଲ୍ଲେଖ କରିଥିଲେ ଯେ ଏହି ସମୁଦାୟ ସହିତ ତାଙ୍କର ମତ ବିନିମୟ ସ୍ୱତନ୍ତ୍ର, କାରଣ ଏହା ତାଙ୍କ ଐତିହାସିକ ତୃତୀୟ ପାଳିରେ ଭାରତୀୟ ପ୍ରବାସୀଙ୍କ ଉଦ୍ଦେଶ୍ୟରେ ତାଙ୍କର ପ୍ରଥମ ଅଭିଭାଷଣ।

ବିଗତ ଦଶ ବର୍ଷ ମଧ୍ୟରେ ଭାରତରେ ଘଟିଥିବା ଉଲ୍ଲେଖନୀୟ ପରିବର୍ତ୍ତନ ବିଷୟରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ଏହା ସମସ୍ତ ଭାରତୀୟଙ୍କ ପାଇଁ ଗର୍ବର ବିଷୟ ବୋଲି ସେ କହିଥିଲେ। ତାଙ୍କ ତୃତୀୟ କାର୍ଯ୍ୟକାଳରେ ଦେଶକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥାରେ ପରିଣତ କରିବା ସରକାରଙ୍କ ଲକ୍ଷ୍ୟ ବୋଲି ସେ କହିଥିଲେ। ସେ ଭାରତର ଆର୍ଥିକ ଅଭିବୃଦ୍ଧି ବିଷୟରେ ଆଲୋଚନା କରିଥିଲେ ଯାହା ବିଶ୍ୱ ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ପ୍ରତିଶତ ହାସଲ କରିଛି। ଦେଶର ଡିଜିଟାଲ ଏବଂ ଫିନଟେକ୍ ସଫଳତା; ସବୁଜ ବିକାଶ କ୍ଷେତ୍ରରେ ସଫଳତା; ଏବଂ ଏହାର ପ୍ରଭାବଶାଳୀ ସାମାଜିକ-ଆର୍ଥିକ କାର୍ଯ୍ୟକ୍ରମ ସାଧାରଣ ଲୋକଙ୍କୁ ସଶକ୍ତ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ୧୪୦ କୋଟି ଭାରତୀୟଙ୍କ ସମର୍ପଣ, ପ୍ରତିବଦ୍ଧତା ଏବଂ ଯୋଗଦାନ ଯୋଗୁଁ ଭାରତରେ ପରିବର୍ତ୍ତନକାରୀ ସଫଳତା ମିଳିଛି ବୋଲି ସେ ଗୁରୁତ୍ୱାରୋପ କରି କହିଥିଲେ। ସମସ୍ତ ଦେଶବାସୀ ଆଜି ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ସ୍ୱପ୍ନ ଦେଖୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଜଳବାୟୁ ପରିବର୍ତ୍ତନର ମୁକାବିଲା ଠାରୁ ଆରମ୍ଭ କରି ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ପ୍ରତିଶ୍ରୁତିବଦ୍ଧ ପ୍ରୟାସ ମାଧ୍ୟମରେ ଭାରତ ଜଣେ ବିଶ୍ୱବନ୍ଧୁ ଭାବରେ ଦୁନିଆର ସମୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଛି ବୋଲି ସେ ଉଲ୍ଲେଖ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ବିଶ୍ୱସ୍ତରୀୟ ସମସ୍ୟାର ସମାଧାନ ପାଇଁ ଶାନ୍ତି, ଆଲୋଚନା ଏବଂ କୂଟନୀତି ପାଇଁ ଭାରତର ଆହ୍ୱାନକୁ ଅଧିକ ସମର୍ଥନ ମିଳିଛି।

ରୁଷ ସହ ଏକ ସୁଦୃଢ଼ ଓ ଗଭୀର ଭାଗିଦାରୀ ସ୍ଥାପନ କରିବା ଦିଗରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ପ୍ରୟାସ ଜାରି ରଖିବା ଲାଗି ପ୍ରଧାନମନ୍ତ୍ରୀ ଭାରତୀୟ ସମୁଦାୟକୁ ଉତ୍ସାହିତ କରି କହିଥିଲେ। ସେ ଉଲ୍ଲେଖ କରିଥିଲେ ଯେ କାଜାନ ଏବଂ ଏକାଟେରିନବର୍ଗରେ ଦୁଇଟି ନୂଆ ଭାରତୀୟ ଦୂତାବାସ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ଯାହା ଲୋକଙ୍କ ମଧ୍ୟରେ ସମ୍ପର୍କକୁ ଆହୁରି ପ୍ରୋତ୍ସାହିତ କରିବ। ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣାକୁ କରତାଳି ସହିତ ଗ୍ରହଣ କରାଯାଇଥିଲା। ଭାରତୀୟ ସାଂସ୍କୃତିକ ପରମ୍ପରାକୁ ଦେଶରେ ପୋଷଣ ଓ ପ୍ରୋତ୍ସାହିତ କରିବା ତଥା ରୁଷୀୟ ଲୋକଙ୍କ ସହିତ ଏହାର ସକ୍ରିୟତାକୁ ବାଣ୍ଟିବା ପାଇଁ ଭାରତୀୟ ସମୁଦାୟର ପ୍ରୟାସକୁ ସେ ପ୍ରଶଂସା କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ୟୁକ୍ରେନରେ ଅବସ୍ଥା ଆହୁରି ଖରାପ, ମା’ ପାଇଁ ଔଷଧ ନେବାକୁ ଯାଇଥିବା ଝିଅକୁ ଉଡାଇଦେଲା ଋଷର ଟ୍ୟାଙ୍କ

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ୧୮ ଦିନ ଧରି ଚାଲିଛି। ଋଷର ସୈନ୍ୟମାନେ କ୍ରମାଗତ ଭାବରେ ୟୁକ୍ରେନର ବିଭିନ୍ନ ସହରକୁ ଟାର୍ଗେଟ କରୁଛନ୍ତି। ବୋମା ବିସ୍ଫୋରଣ କରାଯାଉଛି। କ୍ଷେପଣାସ୍ତ୍ରଗୁଡିକୁ ନିକ୍ଷେପ କରାଯାଉଛି। ଗତ କିଛି ଦିନ ଧରି ଚାଲିଥିବା ଯୁଦ୍ଧ ହେତୁ ପରିସ୍ଥିତି ଧୀରେ ଧୀରେ ଖରାପ ହେବାକୁ ଲାଗିଛି। ଦେଶର ରାଜଧାନୀ କିବ୍ ନିକଟରେ ଋଷର ସୈନିକମାନେ ଜମି ରହିଛନ୍ତି। ସେଠାରେ ମଧ୍ୟ ଗୁଳି ଚାଳନା କରାଯାଉଛି। ଏହି ସମୟରେ ୟୁକ୍ରେନରେ ଜଣେ ମହିଳା ଋଷର ଟ୍ୟାଙ୍କର ବିସ୍ଫୋରଣ ଦ୍ଵାରା ନିହତ ହୋଇଛନ୍ତି। ଜଣେ ୟୁକ୍ରେନ ମହିଳା ତାଙ୍କ ଅସୁସ୍ଥ ମା’ ପାଇଁ ଔଷଧ ଆଣିବାକୁ ବାହାରକୁ ଯାଇଥିଲେ। ଏହି ସମୟରେ ଋଷର ସୈନିକମାନେ ବୋମା ସାହାଯ୍ୟରେ ଆକ୍ରମଣ କରିଥିଲେ ଏବଂ ବେଲେରିଆ ନାମକ ଜଣେ ମହିଳା ଏବଂ ତାଙ୍କ ମା ପ୍ରାଣ ହରାଇଛନ୍ତି।