Categories
ଆଞ୍ଚଳିକ

ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ କଲ୍ୟାଣ ସମିତି ବୈଠକ

ବାଲୁଗାଁ: ଆଜି ପୂର୍ବାହ୍ନରେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଭା ଗୃହରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସଂଗ୍ରାମ କେଶରୀ ସାହୁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଅନ୍ୟ ପ୍ରମୁଖ ଅତିଥି ଭାବେ ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ବେହେରା, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ, ବିଡ଼ିଓ ହଳଧର ଶବର, ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ, ପିଏଚଡି କନିଷ୍ଠ ଯନ୍ତ୍ରୀ ପ୍ରଦ୍ୟୁମ୍ନ କୁମାର ମଲ୍ଲିକ, ପିଡବ୍ଲୁଡି ଏସଡିଓ ସନ୍ତୋଷ କୁମାର ସାହୁ, ଏଏମଓ ଡ଼.ବିଦ୍ୟା ପଟ୍ଟନାୟକ, ବିଡ଼ିଏମ ସୁଜାତା ଦାସ, ବିପିଏମ ଆରତୀ ଦାସ, ଏନଏଚଏମ ଜେଇ ବିଶ୍ୱନାଥ ବେହେରା, ଏଇ ସମରେନ୍ଦ୍ର କୁମାର ସାମନ୍ତରାୟ, ବିଏଏନ ସନ୍ତୋଷ କୁମାର ରାମ, ରୋଗୀ କଲ୍ୟାଣ ସମିତି ସଦସ୍ୟଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।

ଅନୁଷ୍ଠିତ ବୈଠକରେ ସ୍ୱାସ୍ଥ୍ୟ କେନ୍ଦ୍ରର ଭିତ୍ତିଭୂମି ବିକାଶ, ରୋଗୀଙ୍କୁ ଉତ୍ତମ ସେବା, ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ, ପାନୀୟଜଳ, ଆଲୋକୀକରଣ, ରୋଗୀ କଲ୍ୟାଣ ସମିତିକୁ ପ୍ରତିବର୍ଷ ଆସୁଥିବା ଅନୁଦାନକୁ ସଠିକ ଭାବେ ବିନିଯୋଗ କରିବା ନେଇ ଆଲୋଚନା କରାଯାଇଥିଲା। ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ୧୬ ଶଯ୍ୟା ବିଶିଷ୍ଟ ରହିଥିବାବେଳେ ପୁରୁଷ ଓ ମହିଳାଙ୍କ ନିମିତ୍ତ ଗୋଟିଏ ୱାର୍ଡ ରହିଛି। ମାତ୍ର ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଚିଲିକା ବ୍ଲକର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସାଙ୍ଗକୁ ଦୈନନ୍ଦିନ ଆଖପାଖ ଅଞ୍ଚଳର ଶହ ଶହ ରୋଗୀ ଚିକିତ୍ସା ପାଇଁ ଆସୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଆବଶ୍ୟକ ଅନୁଯାୟୀ ଏହାର ବିକାଶ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବା ନେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି।

Categories
ଆଜିର ଖବର

ବାଲୁଗାଁ ମେଡିକାଲ ବୈଠକକୁ ନେଇ ବିବାଦ: ଚିଲିକା ବିଧାୟକଙ୍କୁ ବିରୋଧ କଲେ ବ୍ଲକ ଅଧ୍ୟକ୍ଷା

ସୀତାରାମ ଅଗ୍ରୱାଲ

ଚିଲିକା: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ନିଷ୍ପତ୍ତିକୁ ଚିଲିକା ବ୍ଲକ ଅଧ୍ୟକ୍ଷା ବିରୋଧ କରିଛନ୍ତି। ବାଲୁଗାଁ ମେଡିକାଲ ରୋଗୀ କଲ୍ୟାଣ ସମିତି ବୈଠକକୁ ନେଇ ବିରୋଧ କରାଯାଇଛି। ସୂଚନା ମୁତାବକ ଆସନ୍ତାକାଲି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ରୋଗୀ କଲ୍ୟାଣ ସମିତି ବୈଠକ ବିଧାୟକଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ହେବାକୁ ସ୍ଥିର ହୋଇଥିବା ବେଳେ ଏହାକୁ ବିରୋଧ କରିଛନ୍ତି ଚିଲିକା ବ୍ଲକ ଅଧ୍ୟକ୍ଷା।

ଅଧ୍ୟକ୍ଷାଙ୍କ କହିବା ମୁତାବକ ବାଲୁଗାଁ ମେଡିକାଲ ପକ୍ଷରୁ ଆଜି ତାଙ୍କ ନିକଟକୁ ଏକ ନିମନ୍ତ୍ରଣ ପତ୍ର ଆସିଥିଲା, ଯେଉଁଥିରେ ଲେଖାଯାଇଥିଲା ରୋଗୀ କଲ୍ୟାଣ ସମିତି ବୈଠକ ଆସନ୍ତାକାଲି ଚିଲିକା ବିଧାୟକଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ହେବ। ତେବେ ସେ ଏହା ଜାଣିଲା ପରେ ଚିଠିକୁ ଫେରାଇଦେଇଥିବା ବେଳେ ଏହାକୁ ବିରୋଧ କରିଛନ୍ତି।

ରୋଗୀ କଲ୍ୟାଣ ସମିତି ବୈଠକ ନିୟମ ଅନୁଯାୟୀ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟରେ ହେବା କଥା, କିନ୍ତୁ କେଉଁ ଆଇନ ଅନୁଯାୟୀ ବାଲୁଗାଁ ମେଡିକାଲ ଅଧିକାରୀ ଏହାକୁ ବିଧାୟକଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ କରିବେ ବୋଲି ଗଣମାଧ୍ୟମ ଜରିଆରେ ସେ ପ୍ରଶ୍ନ କରିଛନ୍ତି।

ତେବେ ଏ ନେଇ ବାଲୁଗାଁ ମେଡିକାଲ ଅଧିକାରୀ ଡ଼ା ସୌମ୍ୟକାନ୍ତ ଦାସ ପଟ୍ଟନାୟକଙ୍କୁ ଯୋଗାଯୋଗ କରାଯାଇଥିଲା। ବିଧାୟକ ରୋଗୀ କଲ୍ୟାଣ ସମିତି ଅଧ୍ୟକ୍ଷ ହୋଇଥିବାରୁ ତାଙ୍କ ନିର୍ଦ୍ଦେଶକ୍ରମେ ବୈଠକ ଉକ୍ତ ସ୍ଥାନରେ ସ୍ଥିର ହୋଇଥିବାର ସେ କହିଛନ୍ତି।

ତେବେ ଏ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ। ସେ ମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟ ବିଭାଗକୁ ଟ୍ୱିଟ କରି ପ୍ରଶ୍ନ କରିଛନ୍ତି ଯେ, କିପରି ବିଧାୟକଙ୍କ ବାସଭବନରେ ଆରକେଏସ ବୈଠକ କରାଯାଉଛି ଏବଂ କିଏ ଏହାପାଇଁ ଅନୁମତି ଦେଇଛନ୍ତି। ଓଡ଼ିଶାର ସମସ୍ତ ବିଧାୟକଙ୍କୁ ଏ ପ୍ରକାର ସୁବିଧା ଦିଆଯାଇଛି ନା କେବଳ ଚିଲିକା ବିଧାୟକଙ୍କୁ ଦିଆଯାଇଛି?

ତେବେ ଏ ନେଇ ଖୋର୍ଦ୍ଧା ସିଡ଼ିଏମଓଙ୍କୁ ଯୋଗାଯୋଗ କରିବାରୁ ସେ ଉକ୍ତ ବୈଠକ ବିଷୟରେ ଅବଗତ ନଥିବା କହିଛନ୍ତି। ସେହିଭଳି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆମ ପ୍ରତିନିଧି ଏ ବିଷୟ ନେଇ ଯୋଗାଯୋଗ କରିବା ପରେ ତାଙ୍କ ପ୍ରତିକ୍ରିୟା ମିଳିପାରିଛି।

ବିଧାୟକ କହିଛନ୍ତି ଯେ, ଯେହେତୁ ନିର୍ବାଚନମଣ୍ଡଳୀ ଯିବା ପାଇଁ ତାଙ୍କୁ ସୁପ୍ରିମକୋର୍ଟ ମନା କରିଛନ୍ତି, ତେଣୁ ସେ ତାଙ୍କ ସରକାରୀ ବାସଭବନରେ ବୈଠକ ଡକାଇଛନ୍ତି। ଆରକେଏସ ଅଧ୍ୟକ୍ଷ ହିସାବରେ ସେ ଯେଉଁଠାରେ ଚାହିଁବେ ସେଠାରେ ବୈଠକ କରିପାରିବେ। ପୂର୍ବରୁ ମଧ୍ୟ ଏକାଧିକ ଥର ସରକାରୀ ବୈଠକ ସରକାରୀ ଡାକବଙ୍ଗଳାରେ ହୋଇଥିବାର ବିଧାୟକ କହିଛନ୍ତି। ତଥାପି ଯଦି ଉକ୍ତ ସ୍ଥାନକୁ ନେଇ ବିବାଦ ଉପୁଜୁଛି, ତେବେ ଅନ୍ୟ ସ୍ଥାନରେ ବୈଠକ କରାଯାଇପାରେ ବୋଲି ବିଧାୟକ କହିଛନ୍ତି।