Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ଓଙ୍ଗଙ୍କୁ ସାକ୍ଷାତ୍ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ସିଙ୍ଗାପୁର: ଗୁରୁତ୍ୱପୂର୍ଣ୍ଣ ବିଦେଶ ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗଙ୍କୁ ଭେଟି ଭାରତ ଓ ସିଙ୍ଗାପୁର ମଧ୍ୟରେ ବିଦ୍ୟାଳୟ ଶିକ୍ଷା, ଧନ୍ଦାମୂଳକ ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ବୃଦ୍ଧି ଏବଂ ବ୍ୟାପକ କରିବା ଉପରେ ଫଳପ୍ରଦ ଆଲୋଚନା କରିଛନ୍ତି। ପ୍ରତିଭା, ସମ୍ବଳ ଓ ମାର୍କେଟ୍ ଭଳି ତିନୋଟି ପ୍ରମୁଖ ସ୍ତମ୍ଭ ମାଧ୍ୟମରେ ଦୁଇ ଦେଶର ଭାଗିଦାରୀକୁ ସୁଦୃଢ଼ କରିବା ଉପରେ ଉଭୟ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଛି।

ବିଶେଷଭାବରେ ଅତ୍ୟାଧୁନିକ ଜ୍ଞାନକୌଶଳ ବା ଡିପଟେକ୍, ଷ୍ଟାର୍ଟଅପ୍ ଏବଂ ଇନୋଭେସନ ପରିସଂସ୍ଥାନକୁ ଆଗକୁ ବଢ଼ାଇବାରେ ଭାରତ ସିଙ୍ଗାପୁରକୁ ଏକ ବିଶ୍ୱସନୀୟ ଜ୍ଞାନ ସହଯୋଗୀ ରାଷ୍ଟ୍ର ଭାବରେ ଦେଖୁଛି ବୋଲି ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ ଏବଂ ଉଭା ହେଉଥିବା କ୍ଷେତ୍ରରେ ସହଯୋଗ ସମେତ ଭାରତ-ସିଙ୍ଗାପୁର ସମ୍ପର୍କକୁ ଏକ ବ୍ୟାପକ ଭାଗିଦାରୀରେ ପରିଣତ କରିବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଶ୍ରୀ ୱଙ୍ଗ ଏକ ସୁଦୃଢ଼ ଢାଞ୍ଚା ପ୍ରସ୍ତୁତ କରିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ସେହିପରି ସିଙ୍ଗାପୁରର ଉପପ୍ରଧାନମନ୍ତ୍ରୀ ତଥା ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ଜିଏଏନ୍ କିମ୍ ୟୋଙ୍ଗଙ୍କୁ ସାକ୍ଷାତ କରି ଶ୍ରୀ ପ୍ରଧାନ  ଭବିଷ୍ୟତ ପିଢ଼ିର ସହଭାଗିତା ସୃଷ୍ଟି କରିବା ପାଇଁ ଦକ୍ଷତାଭିତ୍ତିକ ଶିକ୍ଷା ଏବଂ ପ୍ରଶିକ୍ଷଣରେ ସହଯୋଗ ଉପରେ ଆଲୋଚନା କରିଥିଲେ।

ଏହା ପୂର୍ବରୁ ଶ୍ରୀ ପ୍ରଧାନ ସିଙ୍ଗାପୁରର ଶିକ୍ଷା ମନ୍ତ୍ରୀ ଚାନ୍ ଚୁନ୍ ସିଂଙ୍କୁ ଭେଟି ଶିକ୍ଷାର ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ନେଇ ଆଲୋଚନା କରିଥିଲେ। ଭାରତର ଶିକ୍ଷା ବ୍ୟବସ୍ଥାର ଅନ୍ତର୍ଜାତୀୟକରଣ ପାଇଁ ଜାତୀୟ ଶିକ୍ଷା ନୀତିର ଗୁରୁତ୍ୱ ଉପରେ ଚର୍ଚ୍ଚା କରିଥିଲେ। ଦୁଇ ମନ୍ତ୍ରୀ ଓଭରସିଜ୍ ଇଣ୍ଟର୍ନସିପ୍ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ, ଯାହା ଦ୍ୱାରା ଭାରତୀୟ ଛାତ୍ରଛାତ୍ରୀମାନେ ସିଙ୍ଗାପୁର କମ୍ପାନୀରେ ବ୍ୟବହାରିକ ଅଭିଜ୍ଞତା ହାସଲ କରିପାରିବେ। ଉଭୟ ଦେଶର ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାଂସ୍କୃତିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ଭାରତରେ ସିଙ୍ଗାପୁର ସ୍କୁଲ ଏବଂ ସିଙ୍ଗାପୁରରେ ଭାରତର ସ୍କୁଲ ଖୋଲିବାର ସମ୍ଭାବନା ଉପରେ ଆଲୋଚନା ହୋଇଥିଲା। ଡିପଟେକ୍, ମେଡିସିନ, ଅତ୍ୟାଧୁନିକ ସାମଗ୍ରୀ ଇତ୍ୟାଦି ପାରସ୍ପରିକ ସ୍ୱାର୍ଥ କ୍ଷେତ୍ରରେ ମିଳିତ ଗବେଷଣା ସହଯୋଗ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଉଭୟ ଦେଶର ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଏକାଡେମିକ ଏବଂ ଗବେଷଣା ସହଯୋଗକୁ ପ୍ରୋତ୍ସାହିତ କରିବା ଉପରେ ମଧ୍ୟ ସେମାନେ ଆଲୋଚନା କରିଛନ୍ତି। ଶ୍ରୀ ପ୍ରଧାନ ପାଠ୍ୟକ୍ରମ ବିକାଶ, ଶିକ୍ଷାଦାନ ଏବଂ ଶିକ୍ଷକ ଦକ୍ଷତା ବୃଦ୍ଧି ଭଳି କ୍ଷେତ୍ରରେ ସିଙ୍ଗାପୁରର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଏଜୁକେସନ ଏବଂ ଏନସିଇଆରଟି ମଧ୍ୟରେ ସହଯୋଗର ସୁଯୋଗ ଉପରେ ଆଲୋକପାତ କରିଥିଲେ। ସିଙ୍ଗାପୁର ଶିକ୍ଷା ମନ୍ତ୍ରୀ ଚାନଙ୍କୁ ଭାରତ ଗସ୍ତ ପାଇଁ ନିମନ୍ତ୍ରଣ କରିବା ସହ ଶ୍ରୀ ପ୍ରଧାନ ଦୁଇ ଦେଶ ମଧ୍ୟରେ ଥିବା ଉଭୟ ପକ୍ଷର ଲକ୍ଷ୍ୟକୁ ଆଗକୁ ବଢ଼ାଇବା ଏବଂ ଶିକ୍ଷାଗତ ସମ୍ପର୍କ ବୃଦ୍ଧି ପାଇଁ ପ୍ରତିବଦ୍ଧତା ପ୍ରକାଶ କରିଥିଲେ।

ଏହାବ୍ୟତିତ ଶ୍ରୀ ପ୍ରଧାନ ସିଙ୍ଗାପୁରର ବୈଦେଶିକ ବ୍ୟାପାର ମନ୍ତ୍ରୀ ଭିଭିଆନ୍ ବାଲକ୍ରିଷ୍ଣନଙ୍କୁ ଭେଟି ଭାରତ-ସିଙ୍ଗାପୁର ଜ୍ଞାନ ଭାଗିଦାରୀକୁ ସୁଦୃଢ଼ କରିବା ଉପରେ ଆଲୋଚନା କରିଥିଲେ। ଉଭୟ ନେତା ଶିକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ଏବଂ ମିଳିତ ଉଦ୍ଦେଶ୍ୟ ହାସଲ ପାଇଁ କାର୍ଯ୍ୟ କରିବା  ଉପରେ ଗୁରୁତ୍ୱାରୋପ କରିଥିଲେ।

ଶ୍ରୀ ପ୍ରଧାନ ସିଙ୍ଗାପୁର ନ୍ୟାସନାଲ ୟୁନିଭର୍ସିଟି ପରିଦର୍ଶନ କରିବା ସହ ବିଶ୍ୱବିଦ୍ୟାଳୟର ପ୍ରେସିଡେଣ୍ଟ୍ ପ୍ରଫେସର ଟାନ୍ ଇଙ୍ଗ୍ ଚି ଙ୍କୁ ଭେଟିଥିଲେ। ଜ୍ଞାନ, ଶୈକ୍ଷିକ ଏବଂ ଗବେଷଣା ସହଯୋଗକୁ ସୁଦୃଢ଼ କରିବା ଏବଂ ଏନୟୁଏସ ଏବଂ ସମସ୍ତ ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ଭାରତୀୟ ଉଚ୍ଚ ଶିକ୍ଷାନୁଷ୍ଠାନ ମଧ୍ୟରେ ଯୋଗାଯୋଗକୁ ବଢାଇବା ଉପରେ ଆଲୋଚନା କରିଥିଲେ। ଷ୍ଟାର୍ଟଅପ୍, ସ୍ୱାସ୍ଥ୍ୟସେବା, ଅତ୍ୟାଧୁନିକ ସାମଗ୍ରୀ, ଡିଜିଟାଲାଇଜେସନ୍ ଏବଂ ସ୍ଥାୟୀତା ଆଦି କ୍ଷେତ୍ରରେ ମୂଲ୍ୟ ସୃଷ୍ଟି କରିବା ପାଇଁ ଏନୟୁଏସ୍ ଏବଂ ଭାରତୀୟ ଉଚ୍ଚଶିକ୍ଷାନୁଷ୍ଠାନ ମିଳିତ ଉଦ୍ୟମରେ ସହଯୋଗ କରିପାରିବେ ବୋଲି ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଥିଲେ।

ଏହି ଗସ୍ତକାଳରେ ଶ୍ରୀ ପ୍ରଧାନ ‘ଭବିଷ୍ୟତର ବିଦ୍ୟାଳୟ’ ନିର୍ମାଣ ଦିଗରେ ଜାଣିବା ପାଇଁ ହ୍ୱା ଚୋଙ୍ଗ୍ ଇଣ୍ଟରନ୍ୟାସନାଲ ସ୍କୁଲ ପରିଦର୍ଶନ କରିଥିଲେ। ଛାତ୍ରଛାତ୍ରୀଙ୍କ ଅଭିଜ୍ଞତା ବୃଦ୍ଧି, ଶିକ୍ଷଣ ଫଳାଫଳକୁ ସୁଦୃଢ଼ କରିବା ତଥା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଶକ୍ତି, ପ୍ରତିଭା ଏବଂ ସୃଜନଶୀଳ କାର୍ଯ୍ୟକୁ ଆକୃଷ୍ଟ କରିବା ପାଇଁ ଏଆଇ ଭଳି ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ ଉପରେ ବିଦ୍ୟାଳୟଗୁଡ଼ିକ ଗୁଡିକ ଗୁରୁତ୍ୱ ଦେଉଥିବା ବେଳେ ଏହାକୁ ଶ୍ରୀ ପ୍ରଧାନ ପ୍ରଶଂସା କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ସିଙ୍ଗାପୁର ଏଇଏମ୍ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ ଲରେନ୍ସ ଓଙ୍ଗଙ୍କ ସହ ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ସିଙ୍ଗାପୁରର ଅଗ୍ରଣୀ କମ୍ପାନୀ ଏଇଏମ ପରିଦର୍ଶନ କରିଥିଲେ। ଗ୍ଲୋବାଲ ସେମିକଣ୍ଡକ୍ଟର ମୂଲ୍ୟ ଶୃଙ୍ଖଳାରେ ଏଇଏମର ଭୂମିକା, ଏହାର ପରିଚାଳନା ଏବଂ ଭାରତ ପାଇଁ ଯୋଜନା ବିଷୟରେ ସେମାନଙ୍କୁ ଅବଗତ କରାଯାଇଥିଲା। ସିଙ୍ଗାପୁର ସେମିକଣ୍ଡକ୍ଟର ଇଣ୍ଡଷ୍ଟ୍ରି ଆସୋସିଏସନ ସିଙ୍ଗାପୁରରେ ସେମିକଣ୍ଡକ୍ଟର ଇକୋସିଷ୍ଟମର ବିକାଶ ଏବଂ ଭାରତ ସହ ସହଯୋଗର ସୁଯୋଗ ବିଷୟରେ ସୂଚନା ଦେଇଛି। ଏହି କ୍ଷେତ୍ରର ଅନ୍ୟ କେତେକ ସିଙ୍ଗାପୁର କମ୍ପାନୀର ପ୍ରତିନିଧି ମଧ୍ୟ ଉପସ୍ଥିତ ଥିଲେ। ସେପ୍ଟେମ୍ବର ୧୧-୧୩, ୨୦୨୪ରେ ଗ୍ରେଟର ନୋଏଡାରେ ଆୟୋଜିତ ହେବାକୁ ଥିବା ସେମିକନ୍ ଇଣ୍ଡିଆ ପ୍ରଦର୍ଶନୀରେ ଅଂଶଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀ ସିଙ୍ଗାପୁରର ସେମିକଣ୍ଡକ୍ଟର କମ୍ପାନୀଗୁଡିକୁ ଆମନ୍ତ୍ରଣ କରିଥିଲେ।

ଭାରତରେ ସେମିକଣ୍ଡକ୍ଟର ଉତ୍ପାଦନ ଇକୋସିଷ୍ଟମ ର ବିକାଶ ପାଇଁ ଆମର ପ୍ରୟାସ ଏବଂ ଏହି କ୍ଷେତ୍ରରେ ସିଙ୍ଗାପୁରର ଶକ୍ତିକୁ ଦୃଷ୍ଟିରେ ରଖି ଉଭୟ ପକ୍ଷ ଦ୍ୱିପାକ୍ଷିକ ସହଯୋଗ ବିସ୍ତାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତ-ସିଙ୍ଗାପୁର ମନ୍ତ୍ରୀସ୍ତରୀୟ ରାଉଣ୍ଡ ଟେବୁଲର ଦ୍ୱିତୀୟ ବୈଠକରେ ଉଭୟ ପକ୍ଷ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ପାଇଁ ଏକ ସ୍ତମ୍ଭ ଭାବରେ ସେମିକଣ୍ଡକ୍ଟର ଉପରେ ଗୁରୁତ୍ୱ ଦେଇ ଆଗୁଆ ଉତ୍ପାଦନ ପାଇଁ ରାଜି ହୋଇଥିଲେ। ଉଭୟ ପକ୍ଷ ଭାରତ-ସିଙ୍ଗାପୁର ସେମିକଣ୍ଡକ୍ଟର ଇକୋସିଷ୍ଟମ ପାର୍ଟନରସିପ୍ ଉପରେ ବୁଝାମଣାପତ୍ର ମଧ୍ୟ ଶେଷ କରିଛନ୍ତି।

ଏହି ଅବସରରେ ଉଭୟ ପ୍ରଧାନମନ୍ତ୍ରୀ ସିଙ୍ଗାପୁରରେ ପ୍ରଶିକ୍ଷଣ ନେଉଥିବା ଓଡ଼ିଶାର ବିଶ୍ୱ ଦକ୍ଷତା କେନ୍ଦ୍ରର ଭାରତୀୟ ଇଣ୍ଟର୍ଣ୍ଣ ଏବଂ ସିଆଇଆଇ-ଏଣ୍ଟରପ୍ରାଇଜ୍ ସିଙ୍ଗାପୁର ଇଣ୍ଡିଆ ରେଡି ଟ୍ୟାଲେଣ୍ଟ ପ୍ରୋଗ୍ରାମ ଅଧୀନରେ ଭାରତ ଆସିଥିବା ସିଙ୍ଗାପୁରର ଇଣ୍ଟର୍ଣ୍ଣ ଏବଂ ଏଇଏମରେ କାର୍ଯ୍ୟରତ ଭାରତୀୟ ଇଞ୍ଜିନିୟରମାନଙ୍କ ସହ ଆଲୋଚନା କରିଥିଲେ।
ଉଭୟ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଏହି କ୍ଷେତ୍ରରେ ସହଯୋଗର ବିକାଶ ପାଇଁ ଉଭୟ ପକ୍ଷର ପ୍ରତିବଦ୍ଧତାକୁ ଦର୍ଶାଉଛି। ଏହି ଗସ୍ତରେ ତାଙ୍କ ସହ ଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ଓଙ୍ଗଙ୍କୁ ପ୍ରଶଂସା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସଂସ୍କୃତି

ଭାରତର ସଙ୍ଗୀତ ଇତିହାସ ବିବିଧତାର ଏକ ପ୍ରତୀକ ଯାହା କି ସହସ୍ର ବର୍ଷ ଧରି ବିକଶିତ ଗୀତ ମାଧ୍ୟମରେ ଗୁଞ୍ଜରିତ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଙ୍ଗାପୁର ଉପପ୍ରଧାନମନ୍ତ୍ରୀ ଲରେନ୍ସ ଓଙ୍ଗଙ୍କୁ ସିତାରବାଦନ ପ୍ରତି ଉତ୍ସାହ ପାଇଁ ଶୁଭକାମନା ଦେଇଛନ୍ତି।

ଶ୍ରୀ ଓଙ୍ଗଙ୍କ ଏକ ଏକ୍ସ ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦୀ କହିଛନ୍ତି ଯେ, ‘ସିତାର ପ୍ରତି ତୁମ ଆଗ୍ରହ ବଢ଼ାଇବା ଏବଂ ଅନ୍ୟମାନଙ୍କୁ ପ୍ରେରଣା ଦେବା ଜାରି ରଖ। ସଙ୍ଗୀତରେ ଏହି ପ୍ରୟାସ ପାଇଁ ଶୁଭେଚ୍ଛା। ଭାରତର ସଙ୍ଗୀତ ଇତିହାସ ହେଉଛି ବିବିଧତାର ପ୍ରତୀକ, ଯାହା କି ସହସ୍ର ବର୍ଷ ଧରି ବିକଶିତ ଗୀତ ମାଧ୍ୟମରେ ପ୍ରତିଧ୍ୱନିତ ହେଉଛି। ’