Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱରସ୍ଥିତ ଆଇସିଏଆର-ସିଫାଠାରେ “ଅମୃତ ଭାକୁର” ମାଛକୁ ଲୋକାର୍ପିତ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ଵର: କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଓରଫ ଲଲନ ସିଂହ ଆଜି ଆଇସିଏଆର-କେନ୍ଦ୍ରୀୟ ମଧୁର ଜଳ ମତ୍ସ୍ୟ ଗବେଷଣା କେନ୍ଦ୍ର (ଆଇସିଏଆର-ସିଫା), ଭୁବନେଶ୍ୱରରେ ଭାକୁର (ଲାବିଓ କାଟଲା)ର ଆନୁବଂଶିକ ଉନ୍ନତ ପ୍ରଜାତି “ଅମୃତ ଭାକୁର”ର ଶୁଭାରମ୍ଭ କରିଛନ୍ତି। ଜାତୀୟ ମତ୍ସ୍ୟ ଉନ୍ନୟନ ବୋର୍ଡ (ଏନ୍ ଏଫ୍ ଡିବି)ର ଜାତୀୟ ମଧୁର ଜଳ ମାଛ ଯାଆଁଳ ବ୍ୟାଙ୍କ୍‍ (ଏନ୍ ଏଫ୍ ଏଫ୍ ବିବି) ଅମୃତ ଭାକୁର ଗ୍ରହଣ କରିଛି, ଯାହା ସମଗ୍ର ଦେଶର କୃଷକମାନଙ୍କ ପାଇଁ ଏହାର ବ୍ୟାପକ ବଣ୍ଟନ ଏବଂ ଉପଲବ୍ଧତା ସୁନିଶ୍ଚିତ କରିଛି। ଏହା ମଧୁର ଜଳ ମତ୍ସ୍ୟଚାଷ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଭାରତର ମାଛ ଚାଷ ସହ ଜଡ଼ିତ ସମୁଦାୟ ପାଇଁ ମାଛ ଯାଆଁଳ ଗୁଣବତ୍ତା ବୃଦ୍ଧି କରିବାରେ ଅନୁଷ୍ଠାନର ଏହି ପ୍ରୟାସ ସହାୟକ ହେବ।

ଅମଳ ସମୟରେ ଭାକୁର ଶରୀରର ଓଜନରେ ଉନ୍ନତି ଆଣିବା ପାଇଁ ଆଇସିଏଆର-ସିଫା ୨୦୧୦ ରେ ଏକ ଚୟନମୂଳକ ପ୍ରଜନନ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା, ଯାହା ଉଚ୍ଚ ଗୁଣବତ୍ତାର ମାଛ ବିହନର ଆବଶ୍ୟକତାକୁ ପୂରଣ କରିଥିଲା। ଏହି କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗ, ବିହାର, ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ଉତ୍ତରପ୍ରଦେଶରୁ ଆସିଥିବା ଭାକୁରର ୯ଟି ପ୍ରଜାତି ସଂଗ୍ରହ କରାଯାଇଥିଲା। ଏହି ପ୍ରଜାତିଗୁଡ଼ିକୁ ଚୟନମୂଳକ ପ୍ରଜନନ କାର୍ଯ୍ୟକ୍ରମ ପାଇଁ ମୂଳ ସଂଖ୍ୟା ଭାବରେ ବ୍ୟବହାର କରାଯାଇଥିଲା। ମିଳିତ ପରିବାର ଚୟନ ପଦ୍ଧତି ମାଧ୍ୟମରେ, ପ୍ରଜନନ ପ୍ରକ୍ରିୟା ଫେନୋଟାଇପିକ୍ ସୂଚନା ଏବଂ ମାଇକ୍ରୋସେଟେଲାଇଟ୍ ମାର୍କର୍ ଦ୍ୱାରା ପରିଚାଳିତ ହୋଇଥିଲା। ପ୍ରଜନନ ମୂଲ୍ୟ ଆଧାରରେ ଉନ୍ନତ ମାଛମାନଙ୍କୁ ଚୟନ କରାଯାଇଥିଲା ଏବଂ ଚାରି ପିଢ଼ିର ପ୍ରଜନନ ପରେ ପ୍ରତି ପିଢ଼ିରେ ୧୫% ଜେନେଟିକ୍ ଲାଭ ହାସଲ କରାଯାଇଥିଲା, ଯାହା ଫଳରେ ତୃତୀୟ ପିଢ଼ି ଦ୍ୱାରା ସମୁଦାୟ ୩୫% ବୃଦ୍ଧି ଘଟିଥିଲା।

ଓଡ଼ିଶା, ପଶ୍ଚିମବଙ୍ଗ, ଆସାମ ଏବଂ ମହାରାଷ୍ଟ୍ରରେ କରାଯାଇଥିବା କ୍ଷେତ୍ର ପରୀକ୍ଷଣରୁ ଜଣାପଡିଛି ଯେ ପଲିକଲଚର ପ୍ରଣାଳୀରେ ଭାକୁଡର ହାରାହାରି ଓଜନ ୧.୮ କିଲୋଗ୍ରାମରେ ପହଞ୍ଚିବାର କ୍ଷମତା ବୃଦ୍ଧି ପାଇଛି, ଯାହା ଏକ ବର୍ଷମଧ୍ୟରେ ସ୍ଥାନୀୟ ପ୍ରଜାତି ପାଇଁ ୧.୨ କିଲୋଗ୍ରାମ ଥିଲା। ନିକଟରେ ଜୁଲାଇ ୧୬, ୨୦୨୪ରେ ୯୬ତମ ଆଇସିଏଆର ଫାଉଣ୍ଡେସନ ଏବଂ ଟେକ୍ନୋଲୋଜି ଦିବସରେ “ଅମୃତ ଭାକୁର” ପ୍ରକଳ୍ପ ଶ୍ରେଷ୍ଠ ପ୍ରଯୁକ୍ତି ବିଦ୍ୟା ପୁରସ୍କାର ସହିତ ଜାତୀୟ ସ୍ତରରେ ସ୍ୱୀକୃତି ଲାଭ କରିଥିଲା ଏବଂ ଅଗଷ୍ଟ ୧, ୨୦୨୪ରେ ଆନୁଷ୍ଠାନିକ ଭାବରେ “ସିଫା-ଅମୃତ ଭାକୁର” ଭାବରେ ଟ୍ରେଡମାର୍କ କରାଯାଇଥିଲା।

ରାଜୀବ ରଞ୍ଜନ ସିଂହ ତାଙ୍କ ଅଭିଭାଷଣରେ ଗବେଷଣା ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ ମନ୍ତ୍ରଣାଳୟର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ। ନିରନ୍ତର ଅଭିବୃଦ୍ଧି ଏବଂ ଉତ୍ପାଦକତା ବୃଦ୍ଧି ପାଇଁ ମତ୍ସ୍ୟ ଚାଷ କ୍ଷେତ୍ରରେ ଗବେଷଣା ପ୍ରୟାସ ପାଇଁ ମନ୍ତ୍ରଣାଳୟ ଯଥେଷ୍ଟ ସହାୟତା ପ୍ରଦାନ କରିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ମନ୍ତ୍ରଣାଳୟ ନିକଟରେ ଆଇସିଏଆର୍-ସିଫାକୁ ମଧୁର ଜଳ ମାଛମାନଙ୍କ ପାଇଁ ନ୍ୟୁକ୍ଲିୟସ୍ ବ୍ରିଡିଂ ସେଣ୍ଟର ଭାବେ ଘୋଷଣା କରିଛି, ଯାହା ଭାରତରେ ଉଚ୍ଚମାନର ମାଛ ବିହନର ବିକାଶରେ ଏହାର ଭୂମିକାକୁ ଆହୁରି ସୁଦୃଢ଼ କରିଛି।

ଏହି କାର୍ଯ୍ୟକ୍ରମରେ ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଆନ୍ ଙ୍କ ସମେତ ମତ୍ସ୍ୟ ଚାଷ କ୍ଷେତ୍ରର ବରିଷ୍ଠ ଅଧିକାରୀ ଓ ଅଂଶୀଦାରମାନେ ଉପସ୍ଥିତ ଥିଲେ। ‘ଅମୃତ ଭାକୁର’ର ଉନ୍ମୋଚନ ଜଳଚାଷ ପ୍ରଣାଳୀକୁ ଆଗକୁ ବଢ଼ାଇବା, ଗୁଣାତ୍ମକ ମତ୍ସ୍ୟ ବିହନ ଯୋଗାଣ ସୁନିଶ୍ଚିତ କରିବା ଏବଂ ଦେଶର ମତ୍ସ୍ୟ ଚାଷ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ଦିଗରେ ସରକାରଙ୍କ ସମର୍ପଣକୁ ଦର୍ଶାଉଛି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱରରେ ପ୍ରାଣୀସମ୍ପଦ ଏବଂ ଦୁଗ୍ଧ କ୍ଷେତ୍ର ପାଇଁ ମୌସୁମୀ ବୈଠକରେ ଅଧ୍ୟକ୍ଷତା କରିବେ କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ଵର: କେନ୍ଦ୍ର ମତ୍ସ୍ୟଚାଷ, ପ୍ରାଣୀସମ୍ପଦ, ଦୁଗ୍ଧ ଉତ୍ପାଦନ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଓରଫ ଲଲନ ସିଂହ 13 ସେପ୍ଟେମ୍ବର 2024ରେ ଭୁବନେଶ୍ୱରସ୍ଥିତ ଲୋକ ସେବା ଭବନ ସମ୍ମିଳନୀ କକ୍ଷରେ ପ୍ରାଣୀସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନ କ୍ଷେତ୍ର ପାଇଁ ମୌସୁମୀ ବୈଠକରେ ଅଧ୍ୟକ୍ଷତା କରିବେ। ଉଦଘାଟନୀ ଅଧିବେଶନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଏବଂ ବିଶେଷ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସାମିଲ ହେବେ। ମତ୍ସ୍ୟଚାଷ, ପ୍ରାଣୀସମ୍ପଦ, ଦୁଗ୍ଧ ଉତ୍ପାଦନ ଓ ପଞ୍ଚାୟତିରାଜ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ. ପି. ସିଂହ ବାଘେଲ ଏବଂ ମତ୍ସ୍ୟଚାଷ, ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ ତଥା ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଏନ ଏବଂ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି ବୈଠକରେ ଯୋଗଦେବେ ବୋଲି ଆଶା କରାଯାଉଛି। ମତ୍ସ୍ୟଚାଷ, ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ ଅଧୀନରେ ଥିବା ପ୍ରାଣୀସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନ ବିଭାଗ ମୌସୁମୀ ବୈଠକ ଆୟୋଜନ କରୁଛି।

ଏହି ବୈଠକର ଉଦ୍ଦେଶ୍ୟ ହେଉଛି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଆଶା ପ୍ରତ୍ୟାଶାକୁ ଆଗକୁ ଆଣିବା, ଯାହାଦ୍ୱାରା ତୃଣମୂଳ ସ୍ତରରେ କାର୍ଯ୍ୟକ୍ରମର ଫଳପ୍ରଦ କାର୍ଯ୍ୟାନ୍ୱୟନ ପାଇଁ ଏକ ସମନ୍ୱୟ ଢାଞ୍ଚା ପ୍ରସ୍ତୁତ କରାଯାଇପାରିବ। ଯୋଜନାର ଅଗ୍ରଗତିର ସମୀକ୍ଷା କରାଯାଇପାରିବ ଏବଂ ପରିଣାମ ତଥା ଉନ୍ନତି ବିଷୟରେ ଆଲୋଚନା କରାଯାଇପାରିବ। ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପ୍ରାଣୀସମ୍ପଦ ମନ୍ତ୍ରୀ ଏବଂ ସମ୍ପୃକ୍ତ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ।

2014-15ରୁ 2022-23 ମଧ୍ୟରେ ପ୍ରାଣୀସମ୍ପଦ କ୍ଷେତ୍ର 9 ପ୍ରତିଶତ ଉଲ୍ଲେଖନୀୟ ଚକ୍ରବୃଦ୍ଧି ବାର୍ଷିକ ବିକାଶ ହାରରେ ବୃଦ୍ଧି ପାଇଛି। କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରର ମୋଟ ମୂଲ୍ୟବୃଦ୍ଧିରେ ଏହାର ଯୋଗଦାନ ଯଥେଷ୍ଟ ବଢ଼ିଛି, ଯାହାକି 24.36 ପ୍ରତିଶତରୁ 30.22 ପ୍ରତିଶତକୁ ବୃଦ୍ଧି ପାଇଛି। 2022-23 ରେ ଏହି କ୍ଷେତ୍ର ମୋଟ୍‌ ସକଳ ମୂଲ୍ୟବୃଦ୍ଧିରେ ସାଢ଼େ ପାଞ୍ଚ ପ୍ରତିଶତ ଯୋଗଦାନ ଦେଇଛି ଯାହାକି ଅର୍ଥବ୍ୟବସ୍ଥାରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ପଷ୍ଟ କରିଥାଏ।
ଗତ ନଅ ବର୍ଷ ମଧ୍ୟରେ ଦେଶର ଦୁଗ୍ଧ ଉତ୍ପାଦନ 57.62 ପ୍ରତିଶତ ବୃଦ୍ଧି ପାଇଛି, 2014-15 ରେ 146.3 ନିୟୁତ ଟନ୍‌ ରୁ 2022-23 ରେ 230.60 ନିୟୁତ ମେଟ୍ରିକ ଟନ୍‌ କୁ ବୃଦ୍ଧି ପାଇଛି। ଏହି ଅଭିବୃଦ୍ଧି ହାର ବାର୍ଷିକ ହାରାହାରି 5 ଦଶମିକ 9 ପ୍ରତିଶତ ରହିଛି, ଯାହା ବିଶ୍ୱର ହାରାହାରୀ ଦର 2 ପ୍ରତିଶତ ତୁଳନାରେ ବହୁତ ଅଧିକ। ଅଧିକନ୍ତୁ, ମୁଣ୍ଡ ପିଛା ଦୁଗ୍ଧ ଉପଲବ୍ଧତା 2013-14 ରେ ଦୈନିକ 307 ଗ୍ରାମରୁ 2022-23 ରେ ଦୈନିକ 459 ଗ୍ରାମକୁ ବୃଦ୍ଧି ପାଇଛି, ଯାହା ବିଶ୍ୱସ୍ତରରେ ହାରାହାରୀ ପରିଣାମ 325 ଗ୍ରାମକୁ ବହୁ ପଛରେ ପକାଇ ଦେଇଛି। ଏହି ସମସ୍ତ ସଫଳତା ପ୍ରାଣୀସମ୍ପଦ କ୍ଷେତ୍ରକୁ ‘ସନ୍‌ରାଇଜ୍‌ ସେକ୍ଟର୍‌’ ବା ଉଦୀୟମାନ କ୍ଷେତ୍ର ଭାବେ ପ୍ରତିଷ୍ଠିତ କରିଛି।

ମୌସୁମୀ ବୈଠକ ଅନେକ କାର୍ଯ୍ୟକାରିତା ଆହ୍ୱାନର ସମାଧାନ କରିବ ଏବଂ ରାଜ୍ୟଗୁଡ଼ିକ ମଧ୍ୟରେ ଅର୍ଥପୂର୍ଣ୍ଣ ଆଲୋଚନା ତଥା ମତବିନିମୟକୁ ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଛି। କେନ୍ଦ୍ର ମତ୍ସ୍ୟଚାଷ, ପ୍ରାଣୀସମ୍ପଦ, ଦୁଗ୍ଧ ଉତ୍ପାଦନ ମନ୍ତ୍ରୀଙ୍କ ସହ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପ୍ରାଣୀସମ୍ପଦ ମନ୍ତ୍ରୀଙ୍କ ସହ ଆଲୋଚନା ଅଧିବେଶନ ସମ୍ପୃକ୍ତ ରାଜ୍ୟର ସଫଳତା କାହାଣୀ ଓ ସର୍ବୋତ୍ତମ ଅଭ୍ୟାସ ପ୍ରଦର୍ଶନ କରିବାର ସୁଯୋଗ ପ୍ରଦାନ କରିବ ତଥା ସମସ୍ତଙ୍କ ପାଇଁ ଏକ ଶିକ୍ଷଣୀୟ ଅନୁଭୂତି ହେବ।

ପ୍ରାଣୀ ସମ୍ପଦ ଓ ଦୁଗ୍ଧ ଉତ୍ପାଦନ ବିଭାଗର ‘‘100 ଦିନିଆ କାର୍ଯ୍ୟ ଯୋଜନା’’ର ଅଂଶବିଶେଶ ରୂପେ ଅନେକ ପ୍ରମୁଖ ଘୋଷଣା ଓ ବିଭିନ୍ନ କାର୍ଯ୍ୟକ୍ରମ ମୌସୁମୀ ବୈଠକରେ ଆରମ୍ଭ କରାଯିବ ବୋଲି ଆଶା କରାଯାଉଛି।

Categories
ବିଶେଷ ଖବର

ନୂଆ ରାଜନୈତିକ ସ୍କ୍ରିପ୍ଟ ଲେଖିଲେ ନୀତୀଶ: ଧୀରେ ଧୀରେ ଅସ୍ତ ହେଉଛି ଉଦୀୟମାନ ସୂର୍ଯ୍ୟ, ଦ୍ୱନ୍ଦ୍ୱରେ ତେଜସ୍ୱୀ ଓ ଲାଲୁ

ନୂଆଦିଲ୍ଲୀ: ରାଜୀବ ରଞ୍ଜନ ଓରଫ ଲଲନ ସିଂହଙ୍କ ସହ ଆଜି ଯାହା ଘଟିଛି ତାହା ଅପ୍ରତ୍ୟାଶିତ ନୁହେଁ। ସେହିପରି ସମତାରୁ ଜନତା ଦଳର ଆଧାର ପାଲଟିଥିବା ଆରସିପି ସିଂହ, ଶରଦ ଯାଦବ କିମ୍ବା ଜର୍ଜ ଫର୍ଣ୍ଣାଣ୍ଡିଜଙ୍କୁ ମଧ୍ୟ ସଭାପତି ପଦରୁ ବିଦାୟ ଦିଆଯାଇଥିଲା। ନୀତୀଶ କୁମାର ଯେଉଁ ପୁରୁଣା ମାର୍ଗ ଆପଣାଇ ଆସୁଛନ୍ତି ସେହି ପୁରୁଣା ମାର୍ଗରୁ ଆଜି ଲଲନ ସିଂହଙ୍କ ବିଦାୟ ମଧ୍ୟ ଘଟିଛି। ରାଜନୈତିକ ବିଶେଷଜ୍ଞଙ୍କ ମତରେ ଯଦି ନୀତୀଶ କୁମାରଙ୍କ ପୂର୍ବ ନିଷ୍ପତ୍ତି ଉପରେ ବିସ୍ତୃତଭାବେ ନଜର ପକାଯାଏ, ତେବେ ତାଙ୍କ ନିଷ୍ପତ୍ତି ମଧ୍ୟ ସମାନ ବୋଲି ଜଣାପଡ଼ିଛି। ଯେତେବେଳେ ନୀତୀଶ କୁମାର କିଛି ଜିନିଷ ବିଷୟରେ ଜାଣିଥାନ୍ତି କିମ୍ବା ସେ ଅନୁଭବ କରନ୍ତି ଯେ କ୍ଷମତା ନିଜ ହାତରୁ ଖସିଯିବ, ସେତେବେଳେ ଏପରି କିଛି ନିଷ୍ପତ୍ତି ନେଇଥାନ୍ତି। ତାଙ୍କର ଏହି ନିଷ୍ପତ୍ତି ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ କରିପାରେ। ତାଙ୍କ ପୂର୍ବ ଟ୍ରାକ୍ ରେକର୍ଡ ମଧ୍ୟ ସମାନ କାହାଣୀ କହୁଛି।

ଜର୍ଜ ଫର୍ଣ୍ଣାଣ୍ଡିଜ୍ ଓ ନୀତିଶ କୁମାର

ତାହା ଥିଲା ୧୯୯୪ ମସିହାର କଥା। ଯେତେବେଳେ ନୀତୀଶ କୁମାର ଜନତା ଦଳରୁ ଅଲଗା ହୋଇଥିଲେ। ଏହାପରେ ତାଙ୍କୁ ଜର୍ଜ ଫର୍ଣ୍ଣାଣ୍ଡିଜଙ୍କଠାରୁ ବହୁତ ସମର୍ଥନ ମିଳିଥିଲା। ପ୍ରଥମ ଜନତା ଦଳ ଜର୍ଜ ହୋଇଥିଲା ଏବଂ କିଛିମାସ ପରେ ସମତା ପାର୍ଟି ଗଠନ ହୋଇଥିଲା। ୧୯୯୮ରେ ସମତା ଅଟଳ ବିହାରୀ ସରକାରରେ ଯୋଗ ଦେଇଥିଲେ ଏବଂ ନୀତୀଶ କୁମାର କେନ୍ଦ୍ରମନ୍ତ୍ରୀ ହୋଇଥିଲେ। ୨୦୦୩ରେ ନୀତୀଶ, ଜର୍ଜ ଫର୍ଣ୍ଣାଣ୍ଡିଜ୍ ଓ ଶରଦ ଯାଦବ ହାତ ମିଳାଇ ଜନତା ଦଳ (ୟୁ) ଗଠନ କରିଥିଲେ। ଅରୁଣ ଜେଟଲୀଙ୍କ ଅନୁରୋଧକ୍ରମେ ନୀତୀଶ କୁମାରଙ୍କୁ ବିଜେପି ମୁଖ୍ୟମନ୍ତ୍ରୀଭାବେ ପ୍ରୋଜେକ୍ଟ କରିବା ପରେ ଜର୍ଜଙ୍କ ପ୍ରତି ନୀତିଶ କୁମାରଙ୍କ ଅସନ୍ତୋଷ ବଢ଼ିଯାଇଥିଲା। ଏହାପରେ ଜର୍ଜ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି କହିଥିଲେ ଯେ ଆମେ ଦଳର ନେତା ସ୍ଥିର କରିନାହୁଁ। କିନ୍ତୁ ପରବର୍ତ୍ତୀ ସମୟରେ ବୁଝାସୁଝା କରି ଜର୍ଜ ରାଜି ହୋଇଥିଲେ। କୁହାଯାଉଛି ଯେ ନୀତୀଶ କୁମାର ଏହାକୁ ଏକ ଭଲ ବାର୍ତ୍ତାଭାବେ ନେଇନଥିଲେ। ଦୁଇ ନେତାଙ୍କ ମଧ୍ୟରେ ବ୍ୟବଧାନ ବଢ଼ିବାରେ ଲାଗିଛି। ତା’ପରେ ସେହିଦିନ ଆସିଲା ଯେତେବେଳେ ୨୦୦୯ରେ ନୀତିଶ କୁମାର ଖରାପ ସ୍ୱାସ୍ଥ୍ୟ କାରଣ ଦର୍ଶାଇ ଜର୍ଜଙ୍କୁ ୨୦୦୯ ଲୋକସଭା ନିର୍ବାଚନରେ ଟିକେଟ ଦେଇନଥିଲେ। ଜର୍ଜ ମୁଜାଫରପୁରରୁ ସ୍ୱାଧୀନ ପ୍ରାର୍ଥୀଭାବେ ନିର୍ବାଚନ ଲଢ଼ିଥିଲେ, କିନ୍ତୁ ପରାଜିତ ହୋଇଥିଲେ। କିନ୍ତୁ ନୀତୀଶ ଏତିକିରେ ଅଟକି ନ ଥିଲେ। ଜର୍ଜଙ୍କୁ ନାଳନ୍ଦାରୁ ଟିକେଟ ଦିଆଯାଇନଥିଲା, କିନ୍ତୁ ତାଙ୍କୁ ଅପମାନିତ କରିବା ପାଇଁ ଏକଦା ଜର୍ଜ ଫର୍ଣ୍ଣାଣ୍ଡିଜଙ୍କ ବ୍ୟାଗ୍ ନେଇ ଯାଉଥିବା କୌଶଳେନ୍ଦ୍ର ପ୍ରସାଦଙ୍କୁ ଟିକେଟ ଦିଆଯାଇଥିଲା।

ଶରଦ ଯାଦବ ଓ ନୀତୀଶ

ଜର୍ଜ ଫର୍ଣ୍ଣାଣ୍ଡିଜଙ୍କ ପରେ ଶରଦ ଯାଦବ ହେଉଛନ୍ତି ଦ୍ୱିତୀୟ ପ୍ରସିଦ୍ଧ ନେତା, ତାଙ୍କୁ ଜେଡିୟୁ ରାଜନୀତିରୁ ବହିଷ୍କାର କରାଯାଇଥିଲା । ୨୦୦୩ମସିହାରେ ଶରଦ ଯାଦବ ଜେଡିୟୁରେ ନିଜ ଦଳକୁ ମିଶ୍ରଣ କରିଥିଲେ । ସେବେଠାରୁ ଶରଦ ଯାଦବ ୨୦୧୬ ପର୍ଯ୍ୟନ୍ତ ଦଳର ସଭାପତି ଥିଲେ । କିନ୍ତୁ ୨୦୧୩ରୁ ହିଁ ଦୁଇନେତାଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ଏହାର କାରଣ ଥିଲା ନରେନ୍ଦ୍ର ମୋଦିଙ୍କୁ ଏନଡିଏ ପ୍ଲାଟଫର୍ମରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବା । କ୍ରୋଧିତ ନୀତୀଶ ଏନଡିଏ ସହ ସମ୍ପର୍କ ଛିନ୍ନ କରିଥିଲେ । ଶରଦ ଯାଦବ ଏନଡିଏ ଆବାହକ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ । ବାସ୍ତବରେ ଶରଦ ଯାଦବ ଏନଡିଏ ଛାଡ଼ିବାକୁ ପସନ୍ଦ କରିନଥିଲେ । କିନ୍ତୁ ୨୦୧୭ରେ ଯେତେବେଳେ ନୀତୀଶ କୁମାର ବିଜେପିରୁ ଫେରିଥିଲେ, ସେତେବେଳେ ଶରଦ ଯାଦବଙ୍କୁ ଏହା ଆଦୌ ପସନ୍ଦ ଆସିନଥିଲା ଏବଂ ସେ ନୀତୀଶ କୁମାରଙ୍କ ବିରୋଧରେ ଏକ ମୋର୍ଚ୍ଚା ଖୋଲିଥିଲେ । ଶରଦ ଯାଦବଙ୍କ ସହ ନୀତୀଶ ଅଲ୍ଲୀ ଅନୱରଙ୍କୁ ମଧ୍ୟ ଦଳରୁ ବହିଷ୍କାର କରିଛନ୍ତି ।

ନୀତୀଶ ଓ ଆରସିପି

୨୦୨୦ରେ ଆରସିପି ସିଂହଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ କରାଯାଇଥିଲା । ନରେନ୍ଦ୍ର ମୋଦୀ ସରକାରରେ ଆରସିପି ମନ୍ତ୍ରୀ ହେବା ପରେ ନୀତୀଶ କୁମାର ଏବଂ ଆରସିପି ମଧ୍ୟରେ ଦୂରତା ବଢ଼ିଥିଲା । କୁହାଯାଉଛି ଯେ ୨୦୨୦ରେ ଯେତେବେଳେ ମୋଦି ତାଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରୁଥିଲେ, ନୀତୀଶ ଆରସିପିଙ୍କୁ ବୁଝାମଣା ପାଇଁ ନିୟୋଜିତ କରିଥିଲେ । ନୀତୀଶ କୁମାର ଦୁଇଟି ମନ୍ତ୍ରୀ ପଦ ଚାହୁଁଥିବାରୁ ମନ୍ତ୍ରିମଣ୍ଡଳରେ ଯୋଗ ଦେଇନଥିଲେ। ଏହି ସମ୍ପ୍ରସାରଣ ସମୟରେ ଆରସିପିକୁ ନରେନ୍ଦ୍ର ମୋଦୀଙ୍କ ସହିତ ବୁଝାମଣା କରିବାକୁ ପଠାଯାଇଥିଲା । କିନ୍ତୁ ସେ ନିଜେ ମନ୍ତ୍ରୀ ହୋଇଥିଲେ । ସେବେଠାରୁ ନୀତୀଶ ଓ ଆରସିପିଙ୍କ ମଧ୍ୟରେ ସମ୍ପର୍କ ଖରାପ ହୋଇଯାଇଥିଲା । ଫଳରେ ୨୦୨୧ରେ ଆରସିପିର କାର୍ଯ୍ୟକାଳ ଶେଷ ହେବା ପରେ ତାଙ୍କ ରାଜନୀତି ଶେଷ କରିବା ପାଇଁ ରାଜ୍ୟସଭା ଟିକେଟ ଦେଇନଥିଲେ । ଆରସିପିଙ୍କୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା । ପରେ ସେ ବିଜେପିରେ ଯୋଗ ଦେଇ ଜେଡିୟୁର ପ୍ରାଥମିକ ସଦସ୍ୟପଦରୁ ଇସ୍ତଫା ଦେଇଥିଲେ ।

ନୀତୀଶ କୁମାର ଓ ଲଲନ ସିଂହ

ନୀତୀଶ କୁମାର ଏବଂ ଲଲନ ସିଂହଙ୍କ ରାଜନୈତିକ ସମ୍ପର୍କ ଚାରି ଦଶନ୍ଧିରୁ ଅଧିକ ପୁରୁଣା । କିନ୍ତୁ ଯେତେବେଳେ ଲଲନ ସିଂହ ନୀତୀଶ କୁମାରଙ୍କୁ ବାଦ୍ ଦେଇ ଲାଲୁ ପ୍ରସାଦଙ୍କ ନିକଟତର ହେଲେ, ସେହିଦିନ ତାଙ୍କ ବିଦାୟ ଉପରେ ମୋହର ଲାଗିଥିଲା । ତେବେ ଗଣତାନ୍ତ୍ରିକ ପ୍ରକ୍ରିୟା ପରେ ଜେଡିୟୁ ସଭାପତି ଲଲନ ସିଂହ ନୀତୀଶ କୁମାରଙ୍କୁ ନା କହିଥିଲେ । ରାଜନୈତିକ ବିଶେଷଜ୍ଞଙ୍କ ମତରେ ନୀତୀଶ କୁମାରଙ୍କ ପାଖରେ ଗୃହ ବିଭାଗ ରହିଛି । ନୀତୀଶ କୁମାରଙ୍କୁ ଚାରିଆଡ଼ୁ ସୂଚନା ମିଳୁଛି । ନୀତୀଶ କୁମାରଙ୍କୁ ଲଲନ ସିଂହଙ୍କ ଆରଜେଡିର ନିକଟତର ହେବା ଭଲ ଲାଗୁ ନ ଥିଲେ । ଲାଲୁନ ସିଂହ କ୍ରମାଗତଭାବେ ଲାଲୁ ଯାଦବଙ୍କ ନିକଟତର ହେଉଥିଲେ । ବିହାରରେ ରାଜନୈତିକ ଚର୍ଚ୍ଚା ଥିଲା ଯେ ଲଲନ ସିଂହ ଏକ ବହୁତ ବଡ଼ ଗେମ୍ ପ୍ଲାନ୍ ଅଧୀନରେ କାମ କରୁଥିଲେ । ଆରଜେଡି ସହ ଲଲନ ସିଂହଙ୍କ ଗୁପ୍ତ ବୁଝାମଣା ଥିବା ଜେଡିୟୁରେ ଚର୍ଚ୍ଚା ହୋଇଥିଲା । ନୀତୀଶ କୁମାର ସେହି ଚୁକ୍ତି ବିଷୟରେ ଜାଣିଥିଲେ । ଅତ୍ୟନ୍ତ ସତର୍କତାର ସହ ଚିନ୍ତା କରିବା ପରେ ବିହାର ରାଜନୀତିରେ ଏକ ନୂଆ ସ୍କ୍ରିପ୍ଟ ଲେଖିଛନ୍ତି ନୀତୀଶ କୁମାର ।