Categories
ଆଜିର ଖବର ରାଜ୍ୟ ଖବର

ମିଶନ ଶକ୍ତି ବିଭାଗ ପକ୍ଷରୁ ଆଜି ଆୟୋଜିତ ହେବ ‘ଲକ୍ଷପତି ଦିଦି ସମ୍ମିଳନୀ ୨୦୨୫’

ଭୁବନେଶ୍ଵର: ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ସଫଳତାକୁ ସମର୍ଥନ ଏବଂ ଗ୍ରାମୀଣ ମହିଳା ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ମିଶନ ଶକ୍ତି ବିଭାଗ ପକ୍ଷରୁ ଆଜି ‘ଲକ୍ଷପତି ଦିଦି ସମ୍ମିଳନୀ ୨୦୨୫’ ଆୟୋଜିତ ହେଉଛି। ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାର୍ଷିକ ଏକ ଲକ୍ଷ ଟଙ୍କା ବା ତଦୁର୍ଦ୍ଧ୍ୱ ଆୟ କରିଥିବା ଲକ୍ଷପତି ଦିଦିମାନଙ୍କୁ ପ୍ରୋତ୍ସାହନ ଦେବା ସହ ସମ୍ମାନିତ କରିବେ।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ନେତୃତ୍ୱରେ ୩ କୋଟି ଲକ୍ଷପତି ଦିଦିଙ୍କୁ ସଶକ୍ତ କରିବା ଏବଂ ମହିଳା ନେତୃତ୍ୱାଧୀନ ବିକାଶକୁ ପ୍ରୋତ୍ସହନ ଦେବାରେ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଏହି ସମ୍ମିଳନୀ ସଶକ୍ତ କରିବ।

Categories
ଆଜିର ଖବର ରାଜ୍ୟ ଖବର

ଶିକ୍ଷକ କର୍ମଚାରୀମାନଙ୍କର ସମସ୍ୟାବଳୀ ସମ୍ପର୍କରେ ଆଲୋଚନା କଲେ ଆଇନ ମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ଵର: ଆଜି ଲୋକସେବା ଭବନ ସ୍ଥିତ ଆଇନ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ଠାରେ ଶିକ୍ଷକ କର୍ମଚାରୀମାନଙ୍କର ସମସ୍ୟାବଳୀ ସମ୍ପର୍କରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ପ୍ରତିନିଧି ମଣ୍ଡଳୀମାନଙ୍କ ସହ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଓ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସେମାନଙ୍କ ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ବିଭିନ୍ନ ଦିଗ ଉପରେ ବିଶେଷ ଆଲୋଚନା କରିଥିଲେ।

ଉକ୍ତ ବୈଠକରେ ୧୯୪ ଅଣ-ଅନୁଦାନ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକର ଶିକ୍ଷକ ଓ କର୍ମଚାରୀମାନଙ୍କ ଚାକିରି ସର୍ତ୍ତାବଳୀ ଓ ପେନସନ୍‌ ପ୍ରଦାନ, ୧୯୯୪ ଅନୁଦାନ ନିୟମ ଆଧାରରେ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ପୂର୍ଣ୍ଣ ଅନୁଦାନ ପ୍ରଦାନ, ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶନାମାକୁ ପାଳନ କରି ସମସ୍ତ ଅନୁଦାନପ୍ରାପ୍ତ ବିଦ୍ୟାଳୟର ସରକାରୀକରଣ, ୧୯୦୦, ୨୨୦୦ ଓ ୨୮୦୦ ଗ୍ରେଡ଼-ପେ ରେ ଥିବା ଅସଙ୍ଗତି ଦୂରୀକରଣ, ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଶିକ୍ଷକ କର୍ମଚାରୀ ନିଯୁକ୍ତି ଆଦି ବିଷୟ ଆଲୋଚନା ହୋଇଥିଲା।

ଆଗାମୀ ଦିନରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକରେ ସମସ୍ୟାଗୁଡ଼ିକର ସ୍ଥାୟୀ ସମାଧାନ ନେଇ ଆଲୋଚନା କରିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ।

ଏହି ଆଲୋଚନାରେ ଏକାମ୍ରର ବିଧାୟକ ବାବୁ ସିଂ, ପାଲଲହଡ଼ାର ବିଧାୟକ ଅଶୋକ କୁମାର ମହାନ୍ତି, ବିଦ୍ୟାଳୟ ଓ ଗଣଶିକ୍ଷାବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଗିରିଶ ଚନ୍ଦ୍ର ସିଂ ସମେତ ଓଷ୍ଟାର ସଭାପତି ଅକ୍ଷୟ କୁମାର ମିଶ୍ର, ସମନ୍ୱୟ ସମିତିର ସଭାପତି ସୁକାନ୍ତ କୁମାର ବେହେରା, ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଟ୍ୱିନ ସିଟିର ଟ୍ରାଫିକ୍ ଭିଡ ହ୍ରାସ ସହିତ ସୌନ୍ଦର୍ଯ୍ୟକରଣକୁ ପ୍ରାଧାନ୍ୟ: ବିସ୍ଥାପିତଙ୍କୁ ଥଇଥାନ ସହିତ ମିଳିବ ଆର୍ଥିକ ସହାୟତା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଭୁବନେଶ୍ୱର-କଟକ ଟ୍ୱିନ ସିଟିରେ କାର୍ଯ୍ୟକାରୀ ହେଉଥିବା ପୂର୍ତ୍ତ ବିଭାଗର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି।

ବୈଠକରେ ଭୁବନେଶ୍ୱରର ସମନ୍ୱିତ ବିକାଶ ଯୋଜନା ସହିତ ଟ୍ରାଫିକ୍ ଭିଡ ହ୍ରାସ (Decongestion Plan) ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା।

ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ଏକ ଏଲିଭେଟେଡ୍ କରିଡର, ପଟିଆ ଷ୍ଟେସନ ଛକରୁ ସୁଆଙ୍ଗ ମୌଜା ପର୍ଯ୍ୟନ୍ତ ଦୟା ୱେଷ୍ଟ କେନାଲ ରାସ୍ତା ନିର୍ମାଣ, ସୁନ୍ଦରପଦାରୁ ଜଟଣୀ ରାସ୍ତାର ପ୍ରଶସ୍ତୀକରଣ,  ଏବଂ କଳ୍ପନା ଛକ, ମ୍ୟୁଜିଅମ ଓ ଶିଶୁଭବନ ଛକରେ ୩ଟି ଫ୍ଲାଏ ଉଭର୍ ସହିତ ଏଜି ଛକରେ ଏକ ଅଣ୍ଡରପାସ୍ ନିର୍ମାଣ ପାଇଁ ଯୋଜନା ରଖାଯାଇଛି। ସେହିପରି ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାଥ୍‌ମେଟିକସ୍ ରୁ ପଥର ଗାଡିଆ- ଉତ୍କଳ ହସ୍ପିଟାଲ- ରେଲ୍ ବିହାର ଦେଇ ଏକାମ୍ର କାନନ ପର୍ଯ୍ୟନ୍ତ ଲେଫ୍ଟ ପାରାଲେଲ୍ ରୋଡ୍ କାମ ମଧ୍ୟ ଜାରି ରହିଛି।

ଏହା ସହିତ  ଡମଣାରୁ ପ୍ରେସ୍ ଛକ, କଳାରାହାଙ୍ଗରୁ ବାରିମୁଣ୍ଡ ଓ କେଳୁଚରଣ ପାର୍କରୁ ବାରିମୁଣ୍ଡ ପର୍ଯ୍ୟନ୍ତ ୩ଟି ରାଇଟ୍ ଆକ୍‌ସେସ୍ ରୋଡ୍ ନିର୍ମାଣର ଯୋଜନା ରଖାଯାଇଛି । ଏହା ସହିତ ଏକ ଇନର୍ ରିଙ୍ଗ୍ ରୋଡ୍ ମଧ୍ୟ ନିର୍ମାଣ କରାଯିବ। ଏହି ସମସ୍ତ ନିର୍ମାଣ ଦ୍ୱାରା ଭୁବନେଶ୍ୱରରେ ଦିନ ପ୍ରତିଦିନ ବଢୁଥିବା ଟ୍ରାଫିକ ସମସ୍ୟାର ସମାଧାନ ହୋଇପାରିବ ଏବଂ ଭୁବନେଶ୍ୱର ସହରର ସୌନ୍ଦର୍ଯ୍ୟକରଣରେ ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଥିଲେ।

ଏହି ନିର୍ମାଣ ଯୋଗୁଁ ବିସ୍ଥାପିତ ହେବାକୁ ଥିବା ପ୍ରାୟ   ୩୬୬ଟି ପରିବାରକୁ ଥଇଥାନ କରାଯିବା ସହିତ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀ, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶାସ୍ୱତ ମିଶ୍ର, ପୋଲିସ କମିଶନର ଏସ୍. ଦେବଦତ୍ତ ସିଂହ  ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପି.ଏମ୍. ଜନମନ୍ ଯୋଜନାର କାର୍ଯ୍ୟକାରୀ ଅନୁଧ୍ୟାନ କରିବାକୁ ସଚିବମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ପି.ଏମ୍. ଜନମନ୍ ଯୋଜନାର ଅଗ୍ରଗତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

୧,୦୫୫ଟି ପିଭିଟିଜି ଜନ ବସତି ପାଇଁ ‘ମୋବାଇଲ ମେଡିକାଲ ୟୁନିଟ’ ବ୍ୟବସ୍ଥା କରାଯାଇଛି, ଏହି ଲକ୍ଷ୍ୟ ପୂରଣରେ ଶତ ପ୍ରତିଶତ ସଫଳତା ହାସଲ

ଦୁର୍ଗମ ଅଂଚଳକୁ ପରିଦର୍ଶନରେ ଯାଇ ପରିସ୍ଥିତି ଅନୁଧ୍ୟାନ କରିବାକୁ ସଚିବ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଜିଲ୍ଲାପାଳମାନେ ସ୍ଥିତି ଓ ଯୋଜନାର ଅଗ୍ରଗତି ଉପରେ ରିପୋର୍ଟ ଦେବେ

ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମସ୍ତ କାର୍ଯ୍ୟ ଶେଷ କରନ୍ତୁ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ରାଜ୍ୟବ୍ୟାପୀ କାର୍ଯ୍ୟକାରୀ ହେଉଥିବା ପି. ଏମ୍. ଜନମନ୍ ଯୋଜନାର ପ୍ରଗତି ସମୀକ୍ଷା କରିଛନ୍ତି।

ଏହି ସମୀକ୍ଷା ବୈଠକରେ ଉପସ୍ଥିତ ସମସ୍ତ ସଚିବ ମାନଙ୍କୁ, ରାଜ୍ୟର ୧୪ଟି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନାର ପ୍ରତ୍ୟେକ ଦୁର୍ଗମ ଅଂଚଳକୁ ପରିଦର୍ଶନରେ ଯାଇ ସେଠାକାର ପରିସ୍ଥିତି ପରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳ ମାନେ ଓ ଜିଲ୍ଲା ସ୍ତରରେ କାର୍ଯ୍ୟକରୁଥିବା ବିଭାଗୀୟ ଅଧିକାରୀ ମାନେ ମଧ୍ୟ ଚିହ୍ନଟ ହୋଇଥିବା ପ୍ରତ୍ୟେକ ଗ୍ରାମ ଓ ଜନବସତିକୁ ଯାଇ ସେଠାକାର ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଏହି ବୈଠକରେ ନିର୍ଦ୍ଦେଶ ଦେଇ କହିଥିଲେ।

ସୂଚନାଯୋଗ୍ୟ ଯେ, ପି. ଏମ୍. ଜନମନ୍ ଯୋଜନାରେ ଓଡ଼ିଶାର ୧୪ଟି ଜିଲ୍ଲାର ୫୫ଟି ବ୍ଲକ, ୧୭୫୧ ଟି ଗ୍ରାମ/ ଜନ ବସତି, ୨୮୯ଟି ଗ୍ରାମ ପଂଚାୟତ ଏବଂ ୨ ଟି ପୌର ପ୍ରଶାସିତ ଅଂଚଳ ଅନ୍ତର୍ଭୁକ୍ତ ଥିବା ବେଳେ ସମୁଦାୟ ୬୮,୬୦୫ଟି ପରିବାରର ୩,୧୪,୫୧୪ ଲୋକ ଏହି ଯୋଜନାର ସୁଫଳ ପାଇବେ।

ବୈଠକରୁ ଜଣାଯାଇଛି ଯେ, ୨୦୨୬ ବର୍ଷ ଶେଷ ସୁଦ୍ଧା ୪୫,୪୦୮ଟି ଘର , ଗ୍ରାମ୍ୟ ଉନ୍ନୟନ ବିଭାଗ ପାଖରୁ ପ୍ରାୟ ୨୧୦ କିଲୋମିଟରର ପକ୍କା ସଡକ, ୧୬୪୬ ଟି ଗ୍ରାମକୁ ଟ୍ୟାପ୍ ଯୋଗେ ଜଳ ଯୋଗାଣ, ୩୫୧ଟି ଅଂଚଳରେ ମୋବାଇଲ ଟାୱାର ସଂଯୋଗୀକରଣ, ୪୦୫ଟି ଅଂଚଳର ଛାତ୍ର ଛାତ୍ରୀଙ୍କ ପାଇଁ ହଷ୍ଟେଲ ନିର୍ମାଣ, ୭୪ଟି ବହୁମୁଖୀ କେନ୍ଦ୍ର ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି।

ସମସ୍ତ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

୧୪ ଟି ଜିଲ୍ଲାର ଯେଉଁ ଜନ ବସତିର(Habitation) ୫ କିଲୋମିଟର ମଧ୍ୟରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନାହିଁ, ସେହିପରି ସମସ୍ତ ଅଂଚଳରେ ମୋବାଇଲ ମେଡିକାଲ ୟୁନିଟର ବ୍ୟବସ୍ଥା କରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା। ଏହିପରି ସମସ୍ତ ୧,୦୫୫ଟି ଜନ ବସତିକୁ ମୋବାଇଲ ମେଡିକାଲ ୟୁନିଟ ଯୋଗାଇ ଦିଆଯାଇଛି ଏବଂ ଏ କ୍ଷେତ୍ରରେ ଶତ ପ୍ରତିଶତ ସଫଳତା ହାସଲ ହୋଇଛି ବୋଲି ବୈଠକରୁ ଜଣା ଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ।

ବିଶେଷତଃ ପିଭିଟିଜି ଅଂଚଳରେ ବସବାସ କରୁଥିବା ଆଦିବାସୀଙ୍କ ନିମନ୍ତେ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ, ମୋବାଇଲ କନେକ୍ସନ, ଆଦି କାର୍ଯ୍ୟ ଗୁଡିକୁ ଯଥାଶୀଘ୍ର ସମାପନ କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ସଚିବ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଯୋଗାଯୋଗ ହୋଇପାରୁନଥିବା କିମ୍ବା ଦୁର୍ଗମ ଅଂଚଳ ଗୁଡିକୁ ମୁଖ୍ୟ ଶାସନ ସଚିବଙ୍କ ସମେତ ଅନ୍ୟ ସଚିବ ମାନେ ପରିଦର୍ଶନରେ ଯାଇ ସେଠାକାର କାମ କିଭଳି ନିର୍ଦ୍ଧାରିତ ସମୟ ମଧ୍ୟରେ ସମାପ୍ତ ହେବ ସେ ବିଷୟରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ଉକ୍ତ ବୈଠକରେ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହ ଏବଂ ବିଭିନ୍ନ ବିଭାଗର ଶାସନ ସଚିବମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଲେଖକ ବିଶ୍ୱମୋହନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କଲେ ଭ୍ରମଣ ପୁସ୍ତକ

ଭୁବନେଶ୍ୱର: ବରିଷ୍ଠ ଲେଖକ ତଥା ପର୍ଯ୍ୟଟକ ବିଶ୍ବମୋହନ ପଟ୍ଟନାୟକ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକସେବା ଭବନରେ ଭେଟି ତାଙ୍କ ଲିଖିତ ଦୁଇଟି ଭ୍ରମଣ ପୁସ୍ତକର ପ୍ରଥମ ଖଣ୍ଡ ପ୍ରଦାନ କରିଛନ୍ତି।

ଏହି ଦୁଇ ପୁସ୍ତକ ହେଲା ଓଡିଆରେ ଲିଖିତ ‘ପ୍ରାଚୁର୍ଯ୍ୟର ଇଲାକାରେ ଗୋଟିଏ ମାସ’ ଏବଂ ଏହାର ଇଂରାଜୀ ଅନୁବାଦ। ମୁଖ୍ୟମନ୍ତ୍ରୀଙ୍କୁ ଏହି ଦୁଇ ପୁସ୍ତକର ପ୍ରଥମ ଖଣ୍ଡ ଉପହାର ଦେବା ଅବସରରେ ଲେଖକ କହିଛନ୍ତି ଯେ “ଏକ ବିଶାଳ ଏବଂ ସୁନ୍ଦର ଦେଶ ଆମେରିକା ପରିଦର୍ଶନ କରିବାର ସୌଭାଗ୍ୟ ପାଇଥିଲି। ପୃଥିବୀର ଅନେକ ଦେଶ ବୁଲିଥିଲେ ବି ଆମେରିକାରୁ ଫେରିବା ପରେ, ସେଠାରେ ମୋର ରହଣିର ସ୍ମୃତିକୁ ଲେଖିବାର ଇଚ୍ଛାକୁ ନିୟନ୍ତ୍ରଣ କରିପାରି ନଥିଲି। ଏହାକୁ କଫି ଟେବୁଲ୍ ପୁସ୍ତକର ରୂପ ଦେଇଥିଲି। ଏହା ମୋ ମାତୃଭାଷାରେ ଲେଖିଥିଲି, ଯେପରି ଅଧିକରୁ ଅଧିକ ଲୋକ, ବିଶେଷକରି ରାଜ୍ୟର ଛାତ୍ରଛାତ୍ରୀମାନେ ଏହାକୁ ପାଠ କରିପାରିବେ। ଏହା ମୋତେ ଏକ ଇଂରାଜୀ ସଂସ୍କରଣ ପ୍ରକାଶ କରିବାକୁ ପ୍ରେରଣା ଦେଇଥିଲା।

ରାଜ୍ୟର ୧୦,୦୦୦ ହାଇସ୍କୁଲ ଏବଂ ୨,୦୦୦ କଲେଜ ଛାତ୍ରଛାତ୍ରୀଙ୍କ ବୃହତ ସ୍ୱାର୍ଥରେ ନିଜ ଖର୍ଚ୍ଚରେ ପୁସ୍ତକଟିକୁ ଉତ୍ସର୍ଗ କରିବାକୁ ଆମେ ନିଷ୍ପତ୍ତି ନେଇଥିଲୁ। ରାଜ୍ୟ ସରକାରଙ୍କ OSEPA ମାଧ୍ୟମରେ ଅନୁମତି ମିଳିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଲୋକ-ସରକାରଙ୍କୁ ଆନ୍ତରିକ ଧନ୍ୟବାଦ ପ୍ରଦାନ କରିଥିଲେ ଲେଖକ ବିଶ୍ୱମୋହନ ପଟ୍ଟନାୟକ।

ଭ୍ରମଣ ପୁସ୍ତକ ‘‘ପ୍ରାଚୁର୍ଯ୍ୟର ଇଲାକାରେ ଗୋଟିଏ ମାସ’’ର ପ୍ରଥମ ଖଣ୍ଡ ଗ୍ରହଣ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଲେଖକଙ୍କ ପ୍ରୟାସର ସଫଳତା ଏବଂ ଶୁଭକାମନା କରିଥିଲେ। ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ପୁସ୍ତକର ପ୍ରଥମ ସଂଖ୍ୟା ଗ୍ରହଣ କରି ପୁସ୍ତକର ପ୍ରକାଶିକା ଜୟଶ୍ରୀ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ।

୧୨ ହଜାର ପୁସ୍ତକ ସ୍କୁଲ ଓ କଲେଜଗୁଡ଼ିକୁ ନିଜ ଖର୍ଚ୍ଚରେ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିବାର ଉଦାହରଣ ଆଗାମୀ ଦିନରେ ଅନ୍ୟାନ୍ୟ ପ୍ରକାଶକଙ୍କୁ ନିଶ୍ଚୟ ପ୍ରଭାବିତ କରିବ। ଓଡିଆ ଭ୍ରମଣ ସାହିତ୍ୟ ଏବଂ ବିକଶିତ ରାଷ୍ଟ୍ରଗୁଡିକର ଉଦାହରଣ ଆମର ଉତ୍ତରପିଢ଼ିଙ୍କୁ ଉତ୍ସାହିତ କରିବ। ମୁଖ୍ୟମନ୍ତ୍ରୀ ଉଭୟ ଲେଖକ ଓ ପ୍ରକାଶିକାଙ୍କୁ ଧନ୍ୟବାଦ ଦେଇଥିଲେ। ଏଥିପାଇଁ ଅନୁଷ୍ଠିତ ସମାବେଶରେ ଶିକ୍ଷାବିତ ତଥା ସୁସାହିତ୍ୟିକ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ, ସ୍ତମ୍ଭକାର ଜାନକୀଶ ବଡ଼ପଣ୍ଡା ତଥା ଲେଖକଙ୍କ ସୁପୁତ୍ର ଅଭିଜିତ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

‘କୁଡୋ’ ଖେଳକୁ ରାଜ୍ୟସ୍ତରୀୟ ମାନ୍ୟତା ଦେବାପାଇଁ ଅନୁରୋଧ କଲା ଓଡ଼ିଶା କୁଡୋ ଆସୋସିଏସନ

ଭୁବନେଶ୍ୱର: ଆଜି ଲୋକସେବା ଭବନରେ ଓଡ଼ିଶା କୁଡୋ ଆସୋସିଏସନର ସଦସ୍ୟ, କୋଚ ଓ ଖେଳାଳୀଙ୍କ ସମେତ ୭୦ ଜଣ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।

ସୂଚନାଯୋଗ୍ୟ ଯେ, କୁଡୋ ଏକ ପ୍ରକାର ମିଶ୍ରିତ ସାମରିକ କଳା, ଯାହା ଜୁଡୋ, କରାଟେ, ଏବଂ ତାଇକୱାଣ୍ଡୋ ଖେଳର ସମାହାର। ଏହି ଖେଳ ଭାରତର ବିଭିନ୍ନ ରାଜ୍ୟ ସମେତ ବିଦେଶରେ ମଧ୍ୟ ଅନେକ ପ୍ରସିଦ୍ଧି ଲାଭ କରିଛି।

ଓଡ଼ିଶାର ମଧ୍ୟ ଅନେକ ଜିଲ୍ଲାରେ ଏହି ଖେଳ ପାଇଁ ତାଲିମ୍ ଦିଆଯାଉଛି। ଏଣୁ ରାଜ୍ୟରେ ଏହି କୁଡୋ ଖେଳର ପ୍ରସାର ଓ ଏହି ଖେଳକୁ ମାନ୍ୟତା ଦେବା ପାଇଁ ଏହି ଆସୋସିଏସନ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଜଣାଇଥିଲେ।

ମୁଖ୍ୟମନ୍ତ୍ରୀ ଖେଳାଳୀଙ୍କ ସହ କଥା ହୋଇ ସେମାନଙ୍କୁ ଅଭ୍ୟାସ ଜାରି ରଖିବାପାଇଁ କହିଥିଲେ ଏବଂ ଏହି କ୍ରୀଡ଼ାକୁ ରାଜ୍ୟସ୍ତରୀୟ ମାନ୍ୟତା ଦେବାପାଇଁ ବିଚାର କରାଯିବ ବୋଲି ସେ କହିଥିଲେ।

କୁଡୋ ଖେଳାଳୀଙ୍କ ସମେତ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ରାଜସ୍ବ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ସମେତ କୁଡୋ ଆସୋସିଏସନ ଅଫ ଓଡ଼ିଶାର ମୁଖ୍ୟ କୋଚ ଶ୍ରୀ ନିତାଇ ଶଙ୍କର ଗୁଇଁ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶାରେ ଜୈବ-ପ୍ରଯୁକ୍ତିବିଦ୍ୟା ଗବେଷଣା ଓ ପାରମ୍ପରିକ ଔଷଧ କ୍ଷେତ୍ରରେ ପ୍ରଚୁର ସମ୍ଭାବନା ସୃଷ୍ଟି କରାଯାଉଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ହିଁ ବିକାଶର ମୂଳମନ୍ତ୍ର। ବିଜ୍ଞାନର ଉପଯୋଗ ସାଧାରଣ ଜନତାଙ୍କ ସୁବିଧା ସୁଯୋଗକୁ ଆଖି ଆଗରେ ରଖି ସ୍ଥାୟୀ ପରିବର୍ତ୍ତନ ଆଣିବାରେ ନିୟୋଜିତ ହେବା ଉଚିତ। ଏଥିପାଇଁ ତୃଣମୂଳ ସ୍ତରରେ ଗବେଷଣା ହେବା ସହିତ ବିଜ୍ଞାନ ଓ କାରିଗରୀ କ୍ଷେତ୍ରରେ ବ୍ୟାପକ ଉନ୍ନତି ଆଣି ଅର୍ଥନୈତିକ ଓ ପ୍ରଗତିର ଶୀର୍ଷ ସ୍ଥାନରେ ଆମ ରାଜ୍ୟକୁ ପହଂଚାଇବା ମୂଳ ଉଦ୍ଦେଶ୍ୟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ କନଭେନସନ ସେଣ୍ଟର ଠାରେ ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ଆୟୋଜିତ ‘ବୈଜ୍ଞାନିକ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ ଉତ୍ସବ – ୨୦୨୩’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କହିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଆମକୁ ଅନ୍ତର୍ଜାତୀୟ ସ୍ତରରେ ଆଗକୁ ବଢିବାକୁ ହେଲେ ବୈଜ୍ଞାନିକ ଆବିଷ୍କାର ଓ ଉଦ୍ଭାବନକୁ ବ୍ୟବହାର କରି ମାନବ ସମାଜର ବିକାଶ ପାଇଁ ଦୀର୍ଘସ୍ଥାୟୀ ଯୋଜନା କରିବାକୁ ପଡ଼ିବ । ବିଜ୍ଞାନ ଏବଂ କାରିଗରୀର ଉନ୍ନତି ସହିତ ଆମକୁ କୃଷି, ସ୍ୱାସ୍ଥ୍ୟ, ଶକ୍ତି, ଶିକ୍ଷା ଓ ପରିବେଶ ବିଷୟରେ ଉନ୍ନତ ଜ୍ଞାନ କୌଶଳ ତଥା ଯନ୍ତ୍ରପାତି ଉଦ୍ଭାବନ ଉପରେ ମନୋନିବେଶ କରି ବିକାଶର ଗତିକୁ ଆହୁରି କ୍ରିୟାଶୀଳ କରିବାକୁ ପଡ଼ିବ। ଆଉ ଏଥିପାଇଁ ବୈଜ୍ଞାନିକଙ୍କ ପ୍ରଚେଷ୍ଟା ହିଁ ଆମକୁ ସଫଳ କରାଇବ ।

ସେ କହିଥିଲେଯେ, ଆଜି ଭାରତୀୟ ବିଜ୍ଞାନ ମଧ୍ୟ ଖୁବ ଉଚ୍ଚରେ ଅଛି। ମହାକାଶ ବିଜ୍ଞାନରେ ଚନ୍ଦ୍ରୟାନ, ଆଦିତ୍ୟ, ମଙ୍ଗଳୟାନ, ଗଗନୟାନ ଭଳି ଅନେକ ସଫଳ ପରୀକ୍ଷଣ ଆମକୁ ବିଶ୍ୱରେ ଏକ ବୈଜ୍ଞାନିକ ବିକାଶଶୀଳ ଦେଶ ଭାବରେ ପ୍ରତିଷ୍ଠିତ କରି ପାରିଛି। ଆମର ଜ୍ୟୋତିର୍ବିଦ୍ୟା, ଗଣିତ ଓ ଔଷଧ ଶାସ୍ତ୍ର ସାରା ପୃଥିବୀରେ ଅଗ୍ରଣୀ। ଆଜିର ଯୁଗର ସବୁଠାରୁ ଲୋକପ୍ରିୟ Science Sector ହେଉଛି IT Sector ଏବଂ ବିଶ୍ୱର ପ୍ରାୟ ସମସ୍ତ IT sector ରେ ଭାରତୀୟ ମାନେ ହିଁ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି।

ବର୍ତ୍ତମାନ ସମୟରେ ବୈଜ୍ଞାନିକ ଗବେଷଣା ଏକ ନୂତନ ଦିଗ୍‌ଦର୍ଶନ ଯେଗାଇପାରିଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଜିର ସମୟରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସ୍ତରକୁ ଆହୁରି ଉନ୍ନତ କରି ପାରିଛି। ଭାରତୀୟ ବିଜ୍ଞାନ ମଧ୍ୟ ଆଜି ବିଶ୍ୱ ସ୍ତରରେ ଖୁବ ନାଁ କରିଛି। ଆମ ରାଜ୍ୟରେ ମଧ୍ୟ ବିଜ୍ଞାନ ଏବଂ ବୈଷୟିକ ଜ୍ଞାନ କୌଶଳର ଅଭିବୃଦ୍ଧି ଏବଂ ଉନ୍ନତି ପାଇଁ ଆମ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଆମର ଡିପ୍ ଟେକ୍ ଏବଂ ଫ୍ରଣ୍ଟିୟର ଟେକ୍ନୋଲୋଜି ପ୍ରୟାସର ଏକ ଅଂଶ ଭାବରେ, ଆମେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ବ୍ଲକ ଚେନ୍, ରୋବୋଟିକ୍ସ ଏବଂ କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଭଳି ଅଭିନବ ପ୍ରୟାସ ଉପରେ ବିଶେଷ ଧ୍ୟାନ ଦେଉଛୁ ବୋଲି ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ।

ସେ ପୁଣି କହିଥିଲେଯେ, ଉଦ୍ଭିଦ ଓ ଜୀବଜନ୍ତୁ ସମୃଦ୍ଧ ବିବିଧତା ସହିତ ଓଡିଶାରେ ଜୈବ-ପ୍ରଯୁକ୍ତିବିଦ୍ୟା ଗବେଷଣା, ବିଶେଷ କରି ଜୈବ ସମ୍ବଳ ଓ ପାରମ୍ପରିକ ଔଷଧ କ୍ଷେତ୍ରରେ ପ୍ରଚୁର ସମ୍ଭାବନା ରହିଛି । ରାଜ୍ୟରେ ସାମୁଦ୍ରିକ ଜୈବ-ପ୍ରଯୁକ୍ତିବିଦ୍ୟା କ୍ଷେତ୍ରକୁ ସୁଦୃଢ କରିବା ପାଇଁ Odisha Marine Biotechnology Research & Innovation Corridor ନାମକ ଏକ ପ୍ଲାଟଫର୍ମ ପ୍ରତିଷ୍ଠା କରାଯିବ । ଏହି ପ୍ଲାଟଫର୍ମ ମାଧ୍ୟମରେ ଶିକ୍ଷାବିତ୍, ଗବେଷକ, ଭଦ୍ଭାବକ, ଉଦ୍ୟୋଗୀ ଏବଂ ନୀତି ନିର୍ଦ୍ଧାରକ ଭଳି ବିଭିନ୍ନ ଅଂଶୀଦାରଙ୍କୁ ଏକାଠି କରି ପୂର୍ବ ଉପକୂଳରେ ବଙ୍ଗୋପସାଗରର ଜୈବ ସମ୍ଭାବନାକୁ ଉପଯୋଗ କରିବା ପାଇଁ ଏକ ରୋଡମ୍ୟାପ ପ୍ରସ୍ତୁତ କରାଯିବ । ରାଜ୍ୟରେ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତ ଶିକ୍ଷାର ପ୍ରୋତ୍ସାହନ ନିମନ୍ତେ ପ୍ଲାନୋଟୋରିୟମ, ବିଜ୍ଞାନ କେନ୍ଦ୍ରଗୁଡିୁକ ମଧ୍ୟରେ ଏକ ନେଟୱାର୍କ ମଧ୍ୟ ପ୍ରତିଷ୍ଠା କରାଯିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କର ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଥିଲେ ଏବଂ କହିଥିଲେ ଯେ, ଆମର ଆଗାମୀ ପିଢ଼ି ବିଜ୍ଞାନରେ ବୈପ୍ଳବିକ ପରିବର୍ତ୍ତନ ଆଣି ବିଜ୍ଞାନକୁ ସାଧାରଣ ଜନତାଙ୍କ ସେବାରେ ଲଗାଇବେ ଓ ବିଜ୍ଞାନକୁ ଆହୁରି ଲୋକପ୍ରିୟ କରିବାରେ ସହାୟକ ହେବେ।

କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜ୍ଞାନ ଓ କାରିଗରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ, ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପାତ୍ର କହିଥିଲେଯେ, ଦିନକୁ ଦିନ ବିଜ୍ଞାନ ପ୍ରତି ଲୋକମାନଙ୍କର ଆଗ୍ରହ ବଢ଼ି ଚାଲିଛି କାରଣ ଆଜି ଆମମାନଙ୍କର ଜୀବନଶୈଳୀ, ବିଜ୍ଞାନ ଉପରେ ଅନେକ ମାତ୍ରାରେ ନିର୍ଭରଶୀଳ ହୋଇଅଛି। ଏଣୁ ଯିଏ ବିଜ୍ଞାନରେ ଶକ୍ତିଶାଳୀ ହେବ, ପ୍ରକୃତରେ ସେ ଶକ୍ତିଶାଳୀ ।

ଇତ୍ୟବସରରେ, ମୁଖ୍ୟମନ୍ତ୍ରୀ ପ୍ରଫେସର ରାଜ କିଶୋର ପରମଗୁରୁ, ଡ଼କ୍ଟର ଶୁଭ୍ରାଂଶୁ ଶେଖର ମହାପାତ୍ର, ପ୍ରଫେସର କୃଷ୍ଣ ଚନ୍ଦ୍ର ମହାନ୍ତି, ଡକ୍ଟର ରଘୁପତୃଣି ଭୀମା ରାଓ, ପ୍ରଫେସର ମଳୟ କୁମାର ମିଶ୍ର ପ୍ରମୁଖଙ୍କୁ ବରିଷ୍ଠ ବୈଜ୍ଞାନିକ ପୁରସ୍କାର ପ୍ରଦାନ କରିଥିବା ବେଳେ, ପ୍ରଫେସର କ୍ଷୀରୋଦ କୁମାର ଜେନାଙ୍କୁ ବିଜୁ ପଟ୍ଟନାୟକ ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ଭାବରେ, ଶ୍ରୀ ରବୀନ୍ଦ୍ରନାଥ ମାଝୀ ଓ ଶ୍ରୀମତୀ ତୁଳସୀ ସ୍ୱାଇଁଙ୍କୁ ପ୍ରାଣକୃଷ୍ଣ ପରିଜା ଲୋକପ୍ରିୟ ବିଜ୍ଞାନ ପୁସ୍ତକ ପୁରସ୍କାର ଦିଆଯାଇଥିବା ବେଳେ ଡକ୍ଟର ସଙ୍ଘମିତ୍ରା ସାମନ୍ତରାୟ, ଡକ୍ଟର ବେଦାଙ୍ଗଦାସ ମହାନ୍ତି, ପ୍ରଫେସର ସୁବ୍ରତ କୁମାର ପଣ୍ଡା, ପ୍ରଫେସର ପିନାକି ଦତ୍ତଙ୍କୁ ସାମନ୍ତ ଚନ୍ଦ୍ରଶେଖର ପୁରସ୍କାର ଓ ଯୁବ ବୈଜ୍ଞାନିକ ପୁରସ୍କାରରେ ଡକ୍ଟର ସରିତ ଶେଖର ପଟ୍ଟନାୟକ, ଡକ୍ଟର ଅପ୍ରମିତା ଚାନ୍ଦ, ଡକ୍ଟର ରାଜେଶ କୁମାର ପୃଷ୍ଟି ଓ ଡକ୍ଟର ସଞ୍ଜୟ କୁମାର ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ବିଜ୍ଞାନ ଓ କାରିଗରୀ, ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗର ପ୍ରମୁଖ ଶାସନ ସଚିବ, ଶ୍ରୀମତୀ ଚିତ୍ରା ଆରୁମୁଗମ ଯୋଗଦେଇ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ, ପ୍ରଫେସର ଆଶିଷ କୁମାର ମହାନ୍ତି ଧନ୍ୟବାଦ ଦେଇଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ସ୍କୁଲ ଗୁଡିକୁ ସକାଳୁଆ କରିବା ପାଇଁ ତୁରନ୍ତ ଏସଓପି ଜାରି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ 

ଭୁବନେଶ୍ବର: ମଙ୍ଗଳବାର ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନଠାରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ନିଆଯାଇଥିବା ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଛନ୍ତି।

ବୈଠକରେ ସମସ୍ତ ଜିଲ୍ଲାପାଳ ଓ ଉପସ୍ଥିତ ବିଭିନ୍ନ ବିଭାଗର ସଚିବ ସ୍ତରୀୟ ଅଧିକାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ କହିଲେ ଯେ ଚଳିତ ବର୍ଷ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଆଗୁଆ ଆସିଛି। ରାଜ୍ୟର ଅନେକ ଜିଲ୍ଲାରେ ତାପମାତ୍ରା ଅଧିକ ରହୁଛି। ଯଦିଓ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆଗାମୀ ଦିନରେ ତାପମାତ୍ରା କମିବ, ତେବେ ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡିବ। ସରକାରୀ ସ୍ତରରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଯାହା SOP ଜାରି କରାଯାଇଛି, ତାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ମାନେ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ଆବଶ୍ୟକସ୍ଥଳେ SOP ବାହାରେ ମଧ୍ୟ କାମ କରିବା ପାଇଁ  ଜିଲ୍ଲାପାଳ ମାନଙ୍କୁ ପରାମର୍ଶ ଦେଇଥିଲେ।

ଜିରୋ କାଜୁଆଲ୍‌ଟି ଲକ୍ଷ୍ୟ ରଖି ସମସ୍ତେ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଥିଲେ। ସେ କହିଥିଲେ ଯେ ଅଂଶୁଘାତର ମୁକାବିଲା ପାଇଁ ଛାଇ ଓ ପାଣି ହେଉଛି ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ସହରାଞ୍ଚଳରେ ଟ୍ରାଫିକ ଛକ ଏବଂ ଗ୍ରାମାଞ୍ଚଳରେ ବସ୍‌ଷ୍ଟାଣ୍ଡ ଗୁଡିକରେ ଛାଇ ପାଇଁ ଟେଣ୍ଟ ବ୍ୟବସ୍ଥା ଓ ଜଳଛତ୍ର ବ୍ୟବସ୍ଥା କରିବା ପାଇଁ ସମସ୍ତେ ଯତ୍ନବାନ ହେବା ପାଇଁ ସେ ପରାମର୍ଶ ଦେଇଥିଲେ। ବିଗତ ଦିନରେ ସଚେତନତାମୂଳକ ପ୍ରଚାର ପ୍ରସାର ଜରିଆରେ ଆମେ ସଫଳତା ପାଇଛୁ। ତେଣୁ ଅଂଶୁଘାତରୁ ରକ୍ଷା ପାଇବା ପାଇଁ  ଟିଭି, ରେଡିଓ, ଖବରକାଗଜ ଓ ସାମାଜିକ ଗଣମାଧ୍ୟମ ଜରିଆରେ ବ୍ୟାପକ ପ୍ରଚାର ପ୍ରସାର ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ।

ସେହିପରି ସ୍କୁଲ ଗୁଡିକୁ ଯଥାଶୀଘ୍ର ସକାଳୁଆ କରିବା ପାଇଁ ତୁରନ୍ତ sop ଜାରି କରିବା ପାଇଁ ମୁଖ୍ୟମନ୍ତ୍ରୀ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ଅଙ୍ଗନବାଡି କେନ୍ଦ୍ର ଗୁଡିକ ସମୟ ପରିବର୍ତ୍ତନ କରି ସକାଳ ୭ଟା ରୁ ୯ଟା ମଧ୍ୟରେ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ୧୭ ହଜାରରୁ ଅଧିକ ନଳକୂପ ମଞ୍ଜୁର କରାଯାଇଛି। କୌଣସି ଜାଗାରେ ଯେପରି ପାଣି ପାଇଁ ଅସୁବିଧା ନ ହୁଏ, ତାହାକୁ ଦୃଷ୍ଟିରେ ରଖି ସପ୍ତାହକ ମଧ୍ୟରେ ନଳକୂପ ସ୍ଥାପନ ଓ ମରାମତି କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ ପଦକ୍ଷେପ ନେବାକୁ କଡା ନିର୍ଦ୍ଦେଶ ଦେଇଥିଲେ। ଯେଉଁସବୁ  ଅଞ୍ଚଳରେ ପାନୀୟ ଜଳର ଅଭାବ ପରିଲକ୍ଷିତ ହେଉଛି, ସେ ସବୁ ଅଞ୍ଚଳକୁ ଚିହ୍ନଟ କରି ବୋର୍‌ୱେଲ ଓ ନଳକୂପର ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ମାନଙ୍କୁ ପରାମର୍ଶ ଦେଇଥିଲେ। ସେହିପରି ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ପାଇଁ ଦିନ ୧୧ଟା ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କାମ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶନାମା ଜାରି କରିବା ପାଇଁ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।

ଖରା ଦିନେ ବିଦ୍ୟୁତ କାଟ୍‌ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦିନ ୧୧ଟା ରୁ ୫ଟା  ଏବଂ ରାତି ୯ଟା ରୁ ସକାଳ ୬ଟା ପର୍ଯ୍ୟନ୍ତ ଯେପରି ବିଦ୍ୟୁତ କାଟ୍‌ ନ ହୁଏ, ସେଥିପ୍ରତି ଦୃଷ୍ଟି ଦେବାକୁ ସେ ଶକ୍ତି ବିଭାଗକୁ କଡା ନିର୍ଦ୍ଦେଶ ଦେଇଥିଲେ । ଅଘୋଷିତ ବିଦ୍ୟୁତ କାଟ୍‌ ଯେପରି ନ ହୁଏ,  ସେଥିପ୍ରତି ଧ୍ୟାନ ଦେବାକୁ ମଧ୍ୟ ସେ କହିଥିଲେ।   କାଳବୈଶାଖୀ ସମୟରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ନ ହେବା ପାଇଁ ଆଗୁଆ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।  ସଭା, ସମିତି ଗୁଡିକୁ ପିକ୍‌ ଟାଇମ୍‌ରେ ଅନୁମତି ନ ଦେଇ   ସକାଳେ ଓ ମଧ୍ୟାହ୍ନ ରେ କରିବା ପାଇଁ ସେ କହିଥିଲେ। ସାଂସଦ ଓ ବିଧାୟକ ମାନଙ୍କୁ ଏ ବିଷୟରେ ଅବଗତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏଥିସହିତ ଖରାଦିନେ ଗ୍ରାମାଞ୍ଚଳରେ ନିଆଁ ଲାଗିବାର ସମ୍ଭାବନା ଥିବାରୁ ଅଗ୍ନିଶମ ବିଭାଗ ସଜାଗ ରହିବାକୁ ସେ କହିଥିଲେ।

ଗ୍ରାମାଞ୍ଚଳରେ ଗ୍ରୀଷ୍ମଜନିତ ସମସ୍ୟାର ନିରାକରଣ ପାଇଁ ସରକାରୀ ଅଧିକାରୀ ମାନଙ୍କୁ କ୍ଷେତ୍ରକୁ ପଠାଇବା ସହିତ ଜିଲ୍ଲାପାଳ ମାନେ ନିଜେ ମଧ୍ୟ ଏ କ୍ଷେତ୍ରରେ ସଂଶ୍ଳିଷ୍ଟ ରୁହନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି, ଜିଲ୍ଲାସ୍ତରରେ ହେଉଥିବା ଅଭିଯୋଗ ପ୍ରକୋଷ୍ଠର ଶୁଣାଣୀ ସମୟ ପରିବର୍ତ୍ତନ କରି ସକାଳ ୭ଟା ରୁ ୧୦ଟା ମଧ୍ୟରେ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏସବୁ କାମ ପାଇଁ ଆମ ସରକାରରେ ଇଛା ଶକ୍ତି କିମ୍ବା ଅର୍ଥର ଅଭାବ ରହିବ ନାହିଁ । ନୂଆ ସରକାର ଆସିବା ପରେ ସମସ୍ତଙ୍କ ସହଯୋଗରେ ଆମେ ଅନେକ ବଡ ବଡ କାର୍ଯ୍ୟ ସଫଳତାର ସହ କରିଛୁ। ତେଣୁ ଆମେ ଏହି ଗ୍ରୀଷ୍ମ ପ୍ରବାହ ପ୍ରତି ସତର୍କ ରହିଲେ, ଆମର ଜିରୋ କାଜୁଆଲିଟି ଲକ୍ଷ୍ୟ ବଜାୟ ରହିବ।

ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ  ଜିରୋ କାଜୁଆଲିଟି ପ୍ରତି ସଜାଗ ରହି ସମସ୍ତେ କାମ କରିବା ପାଇଁ ପରାମର୍ଶ ଦେଇଥିଲେ।

ରାଜସ୍ବ ଓ  ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର ଶ୍ରୀ ଦେଓ ରଞ୍ଜନ କୁମାର ସିଂହ ଗ୍ରୀଷ୍ମ ପ୍ରବାହ ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ।

ଏହି ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ସାଧାରଣ ଅଭିଯୋଗ ଓ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ଏବଂ ବିଭିନ୍ନ ବିଭାଗର ସଚିବସ୍ତରୀୟ ଅଧିକାରୀ, ଭୁବନେଶ୍ବର ପାଣିପାଗ ବିଭାଗର ମୁଖ୍ୟ ମନୋରମା ମହାନ୍ତି ଓ ଆଭାସୀ ଜରିଆରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ମାନେ ଉପସ୍ଥିତ ଥିଲେ।

ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସମସ୍ତଙ୍କୁ ସ୍ବାଗତ କରିଥିଲେ ଏବଂ ସ୍ବତନ୍ତ୍ର ରିଲିଫ କମିଶନର ଦେଓ ରଞ୍ଜନ କୁମାର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

୧୦୦ କୋଟିରୁ ଅଧିକ ମୂଲ୍ୟ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

ଭୁବନେଶ୍ଵର: ଆଜି ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ପୂର୍ତ୍ତ ବିଭାଗ ଅଧୀନରେ ଥିବା ୧୦୦ କୋଟିରୁ ଅଧିକ ପ୍ରକଳ୍ପ ମୂଲ୍ୟର ରାସ୍ତାଘାଟ, ସେତୁ ତଥା କୋଠାବାଡ଼ି ଆଦି କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା ବୈଠକରେ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଅଧ୍ୟକ୍ଷତା କରିଥିଲେ।

ଓଡ଼ିଶାବାସୀଙ୍କୁ ଉନ୍ନତ ଭିତ୍ତିଭୂମି ଯୋଗାଇଦେବା‌ ପାଇଁ ଆମ ସରକାର ସଂକଳ୍ପବଦ୍ଧ। ଜଗତସିଂହପୁର, ଯାଜପୁର, ଜୟପୁର ବାଇପାସ୍ ରାସ୍ତା ସମେତ ବିଭିନ୍ନ ପ୍ରମୁଖ ରାସ୍ତା, କୋରାପୁଟ ହସ୍ପିଟାଲ, ଜୟପୁର ହସ୍ପିଟାଲ, ଯାଜପୁର ହସ୍ପିଟାଲ ଓ କ୍ୟାପିଟାଲ ହସ୍ପିଟାଲର ଭିତ୍ତିଭୂମି ଉନ୍ନତିକରଣ କାର୍ଯ୍ୟ ସମେତ ବିଭିନ୍ନ କୋଠାବାଡ଼ି ପ୍ରକଳ୍ପର ଅଗ୍ରଗତି ଏବଂ ବିଭିନ୍ନ ନଦୀ ଉପରେ ହାଇଲେବୁଲ ସେତୁର ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ମାନ୍ୟବର ମନ୍ତ୍ରୀ ବିଭାଗୀୟ ଅଧିକାରୀ, ଇଞ୍ଜିନିୟର ଓ ଠିକ୍ ସଂସ୍ଥାଙ୍କ ଠାରୁ ପଚ଼ାରି ବୁଝିଥିଲେ।

ଠିକା ସଂସ୍ଥାଙ୍କ ଆବଶ୍ୟକ ସମସ୍ୟାର ସମାଧାନ ସହ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ବିଭାଗୀୟ ଅଧିକାରୀ ଉଦ୍ୟମ ଜାରି ରଖିବା ସହ କାର୍ଯ୍ୟଭାର ନେଇଥିବା ଏଜେନ୍ସି ଅବା ଠିକା ସଂସ୍ଥା ନିଜର ମାନବସମ୍ବଳ ଓ ଜ୍ଞାନକୌଶଳକୁ ଉପଯୋଗ କରି ଧାର୍ଯ୍ୟ ସମୟସୀମା ମଧ୍ୟରେ କାର୍ଯ୍ୟ ଶେଷ କରିବା ପାଇଁ ଚେଷ୍ଟା କରିବେ।ପ୍ରକଳ୍ପ କାର୍ଯ୍ୟରେ ବିଳମ୍ବ କିମ୍ବା ଗୁଣବତ୍ତା ନେଇ କୌଣସି ସଂସ୍ଥା ବିରୋଧରେ ଅଭିଯୋଗ ଆସିଲେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେବେ ବି ପଛଘୁଞ୍ଚା ଦେବେ ନାହିଁ ଏବଂ ଆଗାମୀ ଦିନରେ ପ୍ରକଳ୍ପ କାର୍ଯ୍ୟାଦେଶ ପ୍ରଦାନ ସମୟରେ ପୂର୍ବ ପ୍ରଦର୍ଶନକୁ ଗୁରୁତ୍ୱ ଦିଆଯିବ ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ କହିଥିଲେ।

ପ୍ରକଳ୍ପ ଗୁଡ଼ିକର‌ ଅଗ୍ରଗତି ସମ୍ପର୍କରେ ବିଭାଗୀୟ ଅଧିକାରୀ,ମୁଖ୍ୟଯନ୍ତ୍ରୀ,ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ନିୟମିତ କାର୍ଯ୍ୟର ତଦାରଖ ସହ ପ୍ରତି ମାସରେ କାର୍ଯ୍ୟର ସମୀକ୍ଷା କରିବେ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ।

ଏହି ସମୀକ୍ଷା ବୈଠକରେ ପୂର୍ତ୍ତ ବିଭାଗ ଶାସନ ସଚିବ ବୀର ବିକ୍ରମ ଯାଦବ, ଇଆଇସି (ସିଭିଲ୍) ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ପୂର୍ଣ ବିଭାଗ ସ୍ଵତନ୍ତ୍ର ଶାସନ ସଚିବ ଏଲ୍.କେ. ପାଢ଼ୀ,ଓବିସିସିର ପରିଚାଳନା ନିର୍ଦ୍ଦେଶକ‌‌ ସମୀର ହୋତାଙ୍କ ସମେତ ବିଭିନ୍ନ ବିଭାଗୀୟ ବରିଷ୍ଠ ଅଧିକାରୀ ଓ ଠିକା ସଂସ୍ଥାର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଲୋକସେବା ଭବନ ବିଧି ବିଭାଗ ପରିସରରେ ଇ-ଗ୍ରନ୍ଥାଳୟକୁ ଉଦଘାଟନ କଲେ ଆଇନ ମନ୍ତ୍ରୀ

ଭୁବନେଶ୍ଵର: ଆଜି ଲୋକସେବା ଭବନର ବିଧି ବିଭାଗ ପରିସରରେ ଇ-ଗ୍ରନ୍ଥାଳୟକୁ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଉଦଘାଟନ କରିଥିଲେ।

ଏହି ଗ୍ରନ୍ଥାଳୟରେ ଆଇନଗତ ଗବେଷଣା ଓ ସରକାରୀ ସ୍ଥରରେ ବିଭିନ୍ନ କାର୍ଯ୍ୟ ପାଇଁ ସହାୟକ ସର୍ବୋଚ୍ଚ ନ୍ୟାୟଳୟ, ଓଡ଼ିଶା ଉଚ୍ଚ ନ୍ୟାୟାଳୟ ତଥା ଅନ୍ୟ ଅଧସ୍ଥନ ନ୍ୟାୟଳୟର ସମସ୍ତ ଆଦେଶ ଉପଲବ୍ଧ ହେବ। ତତସହିତ ଏହି ଗ୍ରନ୍ଥାଳୟରେ ସର୍ବଶେଷ ଅଦ୍ୟତନ ଆଇନ ମାମଲା, ଦିନପଞ୍ଜି, ଉଦ୍ଧୃତି, ବ୍ୟବସାୟ ନୀତି,ଅନ୍ତର୍ଜାତୀୟ ତଥ୍ୟ, ଇ-ପୁସ୍ତକ, କମିଟି ରିପୋର୍ଟ୍, ଇସ୍ତାହାର ଏବଂ ଅଧ୍ୟାଦେଶ ଆଦି ଅତ୍ୟନ୍ତ ସୁବୋଧ ଓ ସୁଗମ୍ୟ ଭାବେ ଉପଲବ୍ଧ ହେବ।

ଏହି ଅବସରରେ ସମସ୍ତ ସରକାରୀ ବିଭାଗ ମାନଙ୍କୁ ମନୁପାତ୍ର ଅନଲାଇନ ଡାଟାବେସ୍, Orissa Law Times, ଇ-ଗ୍ରନ୍ଥାଳୟ ଓ LMS ରେ ସୁଗମ ପ୍ରବେଶ ପାଇଁ ସୁବିଧା ଯୋଗାଇ ଦିଆଯିବ ଯାହା ସର୍ବସାଧାରଣଙ୍କୁ ତ୍ଵରିତ ନ୍ୟାୟ ଦେବା ପାଇଁ ସହାୟକ ହେବ। ଏହା ଆଇନ ବିଭଗ ଦ୍ଵାରା ଏକ ଅତ୍ୟନ୍ତ ଯୁଗାନ୍ତକାରୀ ଏବଂ ସ୍ଵାଗତଯୋଗ୍ୟ ପଦକ୍ଷେପ ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ମାନସ ରଞ୍ଜନ ବାରିକ, ବିଧି ଚେତକ ତଥା ସ୍ଵତନ୍ତ୍ର ଶାସନ ସଚିବ ପ୍ରଣବ କୁମାର ପାତ୍ର, ଦ୍ଵିତୀୟ ଅତିରିକ୍ତ ବିଧି ଚେତକ ତଥା ଅତିରିକ୍ତ ଶାସନ ସଚିବ ବିଭୁ ପ୍ରସାଦ ପଣ୍ଡା, ଆଇନ୍ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ମାର୍ଚ୍ଚ ୩୧ ସୁଦ୍ଧା ଖାଲି ପଦବୀ ପୂରଣ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ସରକାରଙ୍କ ଲୋକବଳ (man power) ବଢିଲେ, ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇ ଦେଇପାରିବା  ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ ଠାରେ ବିଭିନ୍ନ ନିଯୁକ୍ତି ଆୟୋଗର ଅଧ୍ୟକ୍ଷ ମାନଙ୍କ ସହିତ ଆଲୋଚନାରେ କହିଛନ୍ତି।

ବର୍ଷର ପ୍ରଥମ ଦିନରେ ରାଜ୍ୟରେ ସରକାରୀ ବିଭାଗ ଗୁଡିକରେ ଖାଲି ଥିବା ପଦବୀ ପୂରଣ ପାଇଁ ରାଜ୍ୟ ସରକାରଙ୍କର ବିଭିନ୍ନ ନିଯୁକ୍ତି ଆୟୋଗର ଅଧ୍ୟକ୍ଷ ମାନଙ୍କ ସହିତ ଏକ ବୈଠକ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା। ବୈଠକରେ ରାଜ୍ୟରେ ନିଯୁକ୍ତି ପ୍ରକ୍ରିୟାକୁ ତ୍ରୁଟିଶୂନ୍ୟ, ନିରପେକ୍ଷ ଓ ତ୍ୱରାନ୍ୱିତ ଭାବେ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ। ଅତ୍ୟାବଶ୍ୟକୀୟ ସେବା ଯୋଗାଉ ଥିବା ବିଭାଗ, ଯଥା- ସ୍ୱାସ୍ଥ୍ୟ, ଗୃହ, ଶିକ୍ଷା ଓ କୃଷି ବିଭାଗର ପଦବୀ ଗୁଡିକୁ ଖାଲି ନ ରଖି ଯଥାଶୀଘ୍ର ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଆଗାମୀ 5 ବର୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ସରକାରୀ ସ୍ତରରେ ଦେଢ ଲକ୍ଷ ନିଯୁକ୍ତି ପାଇଁ ଲକ୍ଷ୍ୟ ରଖାଯାଇଛି। 2 ବର୍ଷ ମଧ୍ୟରେ 65 ହଜାର ସରକାରୀ ପଦବୀରେ ନିଯୁକ୍ତି ପାଇଁ ସ୍ଥିରୀକୃତ ହୋଇଛି।

ବର୍ତ୍ତମାନ ରାଜ୍ୟରେ ବିଭିନ୍ନ ବିଭାଗରେ 1,10,557ଟି ପଦବୀ ଖାଲି ରହିଛି। ଏଗୁଡିକୁ ଯଥାଶୀଘ୍ର ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରି 2025 ମାର୍ଚ୍ଚ 31 ସୁଦ୍ଧା  ଖାଲି ପଦବୀ ପୂରଣ ପାଇଁ ନିଯୁକ୍ତି ଆୟୋଗ ଗୁଡିକୁ ପ୍ରସ୍ତାବ ଦେବାକୁ ସବୁ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ବିଭିନ୍ନ ବିଭାଗରେ ଅନୁସୂଚିତ ଜନଜାତି ଓ ଜାତି ବର୍ଗର ଖାଲି ଥିବା ପଦବୀ ପୂରଣ ପାଇଁ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସ୍ୱତନ୍ତ୍ର ରିକ୍ରୁଟମେଣ୍ଟ ଡ୍ରାଇଭ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ।

ଗ୍ରୁପ-ବି ବର୍ଗର ପଦବୀ ପୂରଣ ପାଇଁ Empowered Commiteeର ଅନୁମୋଦନ ଦରକାର ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇ କହିଥିଲେ। ଭିନ୍ନକ୍ଷମ ବର୍ଗଙ୍କ ନିଯୁକ୍ତି କ୍ଷେତ୍ରରେ ଯାଞ୍ଚ ଓ ସଂରକ୍ଷଣ ପାଇଁ ଅର୍ଥ ବିଭାଗରେ କାର୍ଯ୍ୟରତ ଥିବା Empowered Commitee କୁ ପୁନର୍ଗଠନ କରି ସେଥିରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରତିନିଧିଙ୍କୁ ସାମିଲ କରିବା ପାଇଁ ନିଷ୍ପତ୍ତି ହୋଇଛି । ଏଥିସହିତ ଅବିଭକ୍ତ କୋରାପୁଟ ଜିଲ୍ଲାର ପରୀକ୍ଷାର୍ଥୀଙ୍କ ସୁବିଧା ଦୃଷ୍ଟିରୁ ଜୟପୁର ଠାରେ ଲୋକସେବା ଆୟୋଗର ଏକ ପରୀକ୍ଷା କେନ୍ଦ୍ର କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ। ବର୍ତ୍ତମାନ ଲୋକସେବା ଆୟୋଗର 5ଟି ପରୀକ୍ଷା କେନ୍ଦ୍ର ରହିଛି।

ବୈଠକରେ Odisha Public Service Commissionର ଅଧ୍ୟକ୍ଷ ଅରୁଣ ଷଡଙ୍ଗୀ, Odisha Staff Selection Commissionର ଅଧ୍ୟକ୍ଷ ଅଭୟ, Odisha Sub-ordinate Staff Selection Commissionର ଅଧ୍ୟକ୍ଷ ଲଳିତ ଦାସ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ଏବଂ ଆୟୋଗ ଗୁଡିକର ସଦସ୍ୟବୃନ୍ଦ ଏବଂ ସଚିବ ମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଚୂଡାନ୍ତ ପର୍ଯ୍ୟାୟରେ ପ୍ରବାସୀ ଭାରତୀୟ ଦିବସ ପ୍ରସ୍ତୁତି: ଆସିବେ ପ୍ରାୟ ୭ ହଜାର ପ୍ରବାସୀ

ଭୁବନେଶ୍ୱର: ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ଭୁବନେଶ୍ୱରରେ ଆସନ୍ତା ଜାନୁଆରୀ ମାସ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଛି। ସ୍ଥାନୀୟ ଜନତା ମଇଦାନଠାରେ  ମହାସମାରୋହରେ ଏହା ପାଳନ ହେବାକୁ ଯାଉଛି। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଏହାର ସମ୍ପୂର୍ଣ୍ଣ ପ୍ରସ୍ତୁତିର ସମୀକ୍ଷା କରିଥିଲେ। ଭାରତୀୟ ସଂସ୍କୃତି ସାରା ବିଶ୍ୱରେ ନିଜର ସମୃଦ୍ଧ ଐତିହ୍ୟ ଓ ପରମ୍ପରା ପାଇଁ ପ୍ରସିଦ୍ଧ। ଓଡିଶାର ସମୃଦ୍ଧ କଳା, ସଂସ୍କୃତି ଓ ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ପ୍ରବାସୀ ଭାରତୀୟ ଦିବସ ଏକ ପ୍ରକୃଷ୍ଟ ଅବସର।

ଏହି ସମାରୋହରେ ଦେଶ ବିଦେଶରୁ ପ୍ରାୟ ୭ହଜାର ଅତିଥି ଯୋଗଦେବେ। ଅଦ୍ୟାବଧି ୨୭୪୮ ଜଣ ଅତିଥି ଅଂଶ ଗ୍ରହଣ ନିମନ୍ତେ ପଞ୍ଜିକରଣ କରି ସାରିଲେଣି।

ମୁଖ୍ୟ ଅତିଥି ଭାବେ ତ୍ରିନିଦାଦ ଓ ଟୋବାଗୋ ରାଷ୍ଟ୍ରପତି କ୍ରିଷ୍ଟାଇନ୍ କାର୍ଲ କାଙ୍ଗାଲୁ ( Ms Christine Carla Kangaloo) ଯୋଗଦେବେ। ଏହି ଅବସରରେ ସେ ଚନ୍ଦକା ସ୍ଥିତ ଗୋଡିବାରି ସରକାରୀ ବିଦ୍ୟାଳୟର  ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିବେ।

ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବୈଦେଶିକ ମନ୍ତ୍ରୀ ଏସ୍ ଜୟ ଶଙ୍କର, ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ପ୍ରଭୁତି ଏହି ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ପ୍ରବାସୀ ଭାରତୀୟ ଏକ୍ସପ୍ରେସ’ର ଉଦଘାଟନ କରିବେ।

ଏହାକୁ ଦୃଷ୍ଟିରେ ରଖି ଅଧିକ ସଂଖ୍ୟକ ହାଇ ସିକ୍ୟୁରିଟି ଫୋର୍ସ, ୨୫୦ ଟ୍ରାଫିକ ନିୟନ୍ତ୍ରଣକାରୀ ଏବଂ ୧୪୦ ଲିଆଜିନିଙ୍ଗ ଅଫିସରଙ୍କୁ ନିୟୋଜିତ କରାଯାଇଛି । ସେହିପରି ବିଦେଶରୁ ଆସୁଥିବା ଅତିଥି ମାନଙ୍କୁ ଏକ ସୁନ୍ଦର ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ଅଭିଜ୍ଞତା ପ୍ରଦାନ ପାଇଁ ଟ୍ୱିନସିଟି ଭୁବନେଶ୍ୱର ଓ କଟକକୁ ସମ୍ପୂର୍ଣ୍ଣ ରୂପେ ସ୍ୱଚ୍ଛ ଓ ନିର୍ମଳ କରାଯାଇଛି । ସହରର ରାସ୍ତା ଘାଟ, ଅଫିସ୍ ବିଲଡିଙ୍ଗ, ବିଡିଏ ପାର୍କ ଓ ବରପୁତ୍ରଙ୍କ ପ୍ରତିମୂର୍ତ୍ତୀ ଗୁଡିକୁ ପରିଷ୍କାର ପରିଛନ୍ନ କରାଯାଇ ସୁସଜ୍ଜିତ ଆଲୋକ ମାଳାରେ ସଜାଇ ଦିଆଯାଉଛି। ପ୍ରବାସୀ ଭାରତୀୟ ଦିବସ ମହାସମାରୋହରେ ଆୟୋଜନ ବେଳେ ସହରର ବିଭିନ୍ନ ସ୍ଥାନରେ ପଥ ଉତ୍ସବ, ଏକାମ୍ର ଉତ୍ସବ, ଆଦିବାସୀ ମେଳା ପ୍ରଭୁତି ଦ୍ୱାରା ରାଜଧାନୀକୁ ଉତ୍ସବ ମୁଖର କରାଯିବ।
ଭୁବନେଶ୍ୱର ସହିତ ଏହାର ଆଖପାଖ ଅଞ୍ଚଳର ପରିମଳ ବ୍ୟବସ୍ଥା ଓ ସୌନ୍ଦର୍ଯ୍ୟକରଣ ଉପରେ ସ୍ୱତନ୍ତ୍ର ଧ୍ୟାନଦେବା ପାଇଁ ମୁଖ୍ୟମନ୍ତ୍ରୀ ବି.ଏମ୍.ସି ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ସହରର ସ୍ୱଚ୍ଛତା, ଶୃଙ୍ଖଳା ଓ ସରକାରଙ୍କ ଦ୍ୱାରା ପ୍ରଦତ୍ତ ନିୟମାବଳୀର ଅନୁପାଳନ କରି ସମାରୋହର ସଫଳ ରୂପାୟନରେ ଭାଗିଦାରୀ ହେବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ସମାରୋହରେ ଓଡିଶାର ସମୃଦ୍ଧ କଳା ଓ ଐତିହ୍ୟର ପ୍ରଦର୍ଶନ ରାଜାରାଣୀ ସଙ୍ଗୀତ ଉତ୍ସବ, ଓଡିଶୀ ନୃତ୍ୟ, ମୁକ୍ତେଶ୍ୱର ଡ୍ୟାନ୍ସ ଫେଷ୍ଟିଭାଲ, ଦେଶଜ ନୃତ୍ୟ ଇତ୍ୟାଦି ମାଧ୍ୟମରେ ବିଭିନ୍ନ ସ୍ଥାନରେ ପ୍ରଦର୍ଶନ କରାଯିବ। ଏହାର ଦୂରଦର୍ଶନରେ ସିଧା ପ୍ରସାରଣ ମଧ୍ୟ କରାଯିବ। ଭୁବନେଶ୍ୱର, କଟକ, ପୁରୀ, କୋଣାର୍କ ଆଦି ବିଭିନ୍ନ ସହରର ପ୍ରାୟ ୩୧ଟି ପର୍ଯ୍ୟଟନ ସ୍ଥଳୀକୁ ଅତିଥି ମାନଙ୍କୁ ନେବା ପାଇଁ ବ୍ୟବସ୍ଥା କରାଯାଉଛି। ଓଡିଶାର ଏକ ପ୍ୟାଭିଲିୟନ ଜନତା ମଇଦାନରେ ରହିବ, ଯେଉଁଥିରେ ଶ୍ରୀ ଜଗନ୍ନାଥ ସଂସ୍କୃତି, କଳିଙ୍ଗ ଯୁଦ୍ଧ, ସମ୍ରାଟ ଅଶୋକଙ୍କ ଚଣ୍ଡାଶୋକରୁ ଧର୍ମାଶୋକରେ ରୂପାନ୍ତରଣ, ଐତିହ୍ୟ ବାଲିଯାତ୍ରା ଓ ଅନ୍ୟାନ୍ୟ କୀର୍ତ୍ତିରାଜୀ ଗୁଡିକର ପ୍ରଦର୍ଶନ କରାଯିବ। ଏହା ସହ ଏକ ଡିଜିଟାଲ୍ ପ୍ରଦର୍ଶନୀର ମଧ୍ୟ ଆୟୋଜନ କରାଯାଇଛି। ଅତିଥି ମାନଙ୍କ ଭ୍ରମଣ ତଥା ଯାତାୟାତ ନିମନ୍ତେ ୧୦ଟି ଉନ୍ନତ ମାନର ବସ ଏବଂ ୫ଟି ଡବଲ୍ ଡେକର ବସର ବ୍ୟବସ୍ଥା କରାଯାଇଛି। ୨୦୦ରୁ ଅଧିକ ପ୍ରବାସୀ ସାମ୍ବାଦିକ, ୭ଟି ଦେଶରୁ ୟଟ୍ୟୁବର ଓ ବ୍ଲଗର ଏଥିରେ ଅଂଶ ଗ୍ରହଣ କରୁଛନ୍ତି।

ଏହି ଉତ୍ସବର ପ୍ରଚାର ଓ ପ୍ରସାରଣ ନିମନ୍ତେ ସୋସିଆଲ ମିଡିଆ, ଟିଭି ଓ ବିଜ୍ଞାପନ ଇତ୍ୟାଦି ମାଧ୍ୟମରେ ଜନସାଧାରଣଙ୍କୁ ତିନିଗୋଟି ଭାଷା ଯଥା-ଓଡିଆ, ହିନ୍ଦୀ, ଇଂରାଜୀରେ ଅବଗତ କରାଯାଉଛି।

ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ଦୁଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡା, ଆଇନ, ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ କୃଷ୍ଣଚନ୍ଦ୍ର ମହାପାତ୍ର, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୋଲିସ୍ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ ଏବଂ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ ସଚିବ ମାନେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଜଣେ ବି କ୍ଷତିଗ୍ରସ୍ତ ଚାଷୀ ଯେପରି ସହାୟତାରୁ ବଞ୍ଚିତ ନ ହୁଅନ୍ତି: ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଗତ ୨୦ ତାରିଖରୁ ୨୮ ତାରିଖ ମଧ୍ୟରେ ରାଜ୍ୟରେ ହୋଇଥିବା ଅଦିନିଆ ବର୍ଷା ଜନିତ ଫସଲ କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା କରି ଯେପରି ଜଣେ ବି କ୍ଷତିଗ୍ରସ୍ତ ଚାଷୀ ସହାୟତାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ଧ୍ୟାନ ଦେବାକୁ ସମୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏଥି ସହିତ ୩୦ ତାରିଖ ମଧ୍ୟରେ ଫସଲ କ୍ଷୟକ୍ଷତିର ସଠିକ୍ ଆକଳନ ସହ ପ୍ରକୃତ କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ଚିହ୍ନଟ କରିବା ପାଇଁ ମୁଖ୍ୟମନ୍ତ୍ରୀ  ନିର୍ଦ୍ଦେଶ ଦେଇଥିଲେ।

ବୀମା କରିଥିବା ଓ ବୀମା ନକରିଥିବା କ୍ଷତିଗ୍ରସ୍ତ ସମସ୍ତ ଚାଷୀ ମାନଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ସହାୟତା ଯଥାଶୀଘ୍ର DBT ମାଧ୍ୟମରେ ଯୋଗାଇ ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

ବୀମା କରିଥିବା ସମସ୍ତ ଚାଷୀ ଭାଇ ଓ ଭଉଣୀ ମାନେ ଯେପରି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କ୍ଷୟ କ୍ଷତି ସଂପର୍କରେ ବୀମା କମ୍ପାନୀ ମାନଙ୍କୁ ସୂଚନା ଦେବେ, ସେଥିପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ  ନିର୍ଦ୍ଦେଶ ଦେଇଥିଲେ। ବୈଠକର ସୂଚନାରୁ ଜଣାଯାଇଥିଲା ଯେ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବର୍ତ୍ତମାନ ସୁଦ୍ଧା ୧ଲକ୍ଷ ୨୬ ହଜାର ଚାଷୀ କ୍ଷୟକ୍ଷତି ସମ୍ପର୍କରେ ସୂଚନା ଦେଇଛନ୍ତି। ଆସନ୍ତା କାଲି (ରବିବାର) ସୁଦ୍ଧା ସବୁ ବୀମାଭୁକ୍ତ ଚାଷୀମାନେ ନିଜର ଫସଲ କ୍ଷୟକ୍ଷତି ସମ୍ପର୍କରେ ସୂଚନା ଦେବାକୁ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମ ଜରିଆରେ ନିବେଦନ କରିଥିଲେ।

ଏହା ସହିତ ବିଭିନ୍ନ ଜିଲ୍ଲାର ପଞ୍ଜୀକୃତ ଚାଷୀ ଭାଇ ଓ ଭଉଣୀ ମାନେ ଅଦିନିଆ ବର୍ଷା  ଜନିତ  ସେମାନଙ୍କର ଫସଲ ଅମଳର ପରବର୍ତ୍ତୀ କ୍ଷୟକ୍ଷତିର ସୂଚନା ତୁରନ୍ତ “କୃଷି ରକ୍ଷକ”  ପୋର୍ଟାଲ ମାଧ୍ୟମରେ କିମ୍ବା  ୧୪୪୪୭ କୁ କଲ୍ କରି ଜଣାଇବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ।

ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ କମିଶନର ଦେଓ ରଞ୍ଜନ କୁମାର ସିଂହ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ ପାଢୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ, ସମବାୟ ବିଭାଗର କମିଶନର ତଥା ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମନମୋହନଙ୍କ ପରଲୋକରେ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ମନମୋହନ ସିଂହଙ୍କ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଗଣମାଧ୍ୟମକୁ ବିବୃତ୍ତି ଦେଇ କହିଥିଲେ ଯେ, ଦେଶର ମହାନ୍ ବରପୁତ୍ର ଡଃ ମନମୋହନ ସିଂହଙ୍କ ବିୟୋଗ ଅତ୍ୟନ୍ତ ଦୁଃଖଦାୟକ। ଅର୍ଥନୀତି କ୍ଷେତ୍ରରେ ତାଙ୍କ ଜ୍ଞାନ ଓ ଦକ୍ଷତା ପାଇଁ ସାରା ବିଶ୍ୱରେ ସେ ପ୍ରସିଦ୍ଧି ଅର୍ଜନ କରିଥିଲେ। ତାଙ୍କ ଉଦାର ଅର୍ଥନୈତିକ ନୀତି ଭାରତକୁ ବିଶ୍ୱର ଅର୍ଥନୀତି କ୍ଷେତ୍ରରେ ଏକ ପ୍ରମୁଖ ସ୍ଥାନରେ ପହଞ୍ଚାଇଥିଲା। ପ୍ରଧାନମନ୍ତ୍ରୀ ଭାବେ ଦେଶର ବିକାଶକୁ ସେ ତ୍ୱରାନ୍ୱିତ କରିଥିଲେ। ତାଙ୍କର ଜ୍ଞାନ, ଭଦ୍ରତା, ସାଧୁତା ଓ ଅମାୟିକ ସ୍ୱଭାବ ଯୋଗୁଁ ରାଜନୀତି କ୍ଷେତ୍ରରେ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇଥିଲା।

ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ତଥା ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ, ପୂର୍ବତନ ବିଧାୟକ ନାଉରୀ ନାୟକ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ମଧ୍ୟ ସ୍ୱର୍ଗତ ସିଂହଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ନିଜ ଅଧିକାର ସାବ୍ୟସ୍ତ କରିବା ପାଇଁ ଆମକୁ ପ୍ରଥମେ ସଚେତନ ହେବାକୁ ପଡିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଉପଭୋକ୍ତା ସୁରକ୍ଷା ଅଭିଯାନକୁ ଫଳପ୍ରଦ କରିବା ପାଇଁ ସରକାରୀ, ବେସରକାରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ନାଗରିକ ସମାଜ ଏବଂ ସର୍ବୋପରି ଗଣମାଧ୍ୟମର ସକ୍ରିୟ ସହଯୋଗର ଆବଶ୍ୟକତା ରହିଛି। ସବୁ ବର୍ଗର ଉପଭୋକ୍ତା ଯେପରି ସକ୍ରିୟ  ଭାବେ ଅଂଶଗ୍ରହଣ କରି ଉପଭୋକ୍ତା ସୁରକ୍ଷା ଆଇନ୍ 2019ର ସଫଳତାରେ ଭାଗିଦାରୀ ହୋଇପାରିବେ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସର୍ବଦା ସହଯୋଗ ରହିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ଆୟୋଜିତ ରାଜ୍ୟ ସ୍ତରୀୟ ଜାତୀୟ ଉପଭୋକ୍ତା ଦିବସ 2024 ପାଳନ ଅବସରରେ ଉଦ୍‌ବୋଧନ ଦେଇ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଉପଭୋକ୍ତାମାନଙ୍କୁ ସୁରକ୍ଷା ଦେବା ପାଇଁ 1986 ମସିହା ଡିସେମ୍ବର 24 ତାରିଖରେ ଉପଭୋକ୍ତା ସୁରକ୍ଷା ଆଇନ ପ୍ରଣୟନ ହୋଇଥିଲା। ଏହି ଆଇନରେ ବ୍ୟବସାୟୀ ସଂସ୍ଥାକୁ ଉତ୍ତରଦାୟୀ କରିବା ପାଇଁ ଯଥେଷ୍ଟ ପ୍ରାବଧାନ ନ ଥିଲା। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଗୁରୁତ୍ୱର ସହ ନେଇ ସଂସଦରେ ନୂଆ ଉପଭୋକ୍ତା ଆଇନ 2019 ପାରିତ କରିଥିଲେ  ଏବଂ 2020 ଜୁଲାଇ 20ରୁ ଏହା ସାରା ଦେଶରେ କାର୍ଯ୍ୟକାରୀ ହେଉଛି। ଏହି ଆଇନରେ ଠକ ସଂସ୍ଥାକୁ ଉତ୍ତରଦାୟୀ କରିବା ସହିତ ସମସ୍ତ ପ୍ରକାର ଗଳାବାଟକୁ ବନ୍ଦ କରିବାର ପ୍ରାବଧାନ କରାଯାଇଛି।

ସେ ଆହୁରି କହିଥିଲେ ଯେ, ଆଜିର Internet ଓ Social Media ଯୁଗରେ ଲୋକମାନେ ସହଜରେ ଠକାମିର ଶିକାର ହେଉଛନ୍ତି । ସେବା ଓ ସାମଗ୍ରୀ ଯୋଗାଇଦେଉଥିବା ସଂସ୍ଥା ଲୋକମାନଙ୍କୁ ଠକି ଦେଇ ରାତାରାତି ଗାଏବ ହୋଇଯାଉଛନ୍ତି। 2010 ମସିହାରେ ଓଡିଶାରେ ଟିଟଫଣ୍ଡ ସଂସ୍ଥା ମାଧ୍ୟମରେ ବହୁତ ଲୋକ ଠକାମିରେ ଶିକାର ହୋଇଥିଲେ। ଏ ସବୁକୁ ରୋକିବା ଓ ଉପଭୋକ୍ତାମାନଙ୍କୁ ସୁରକ୍ଷା ଦେବା ପାଇଁ ଏହି ନୂଆ ଆଇନରେ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ଉପଭୋକ୍ତାଙ୍କ ସୁରକ୍ଷା ପାଇଁ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ ଗଠନ କରାଯାଇଛି। ଉପଭୋକ୍ତା ଅଧିକାରର କୌଣସି ପ୍ରକାର ଉଲଂଘନ ହେଲେ ଏହି ପ୍ରାଧିକରଣ ତା’ର ଯାଞ୍ଚ ଓ ତଦନ୍ତ କରି ସୁରକ୍ଷା ଯୋଗାଇଦେବେ।

ଉପଭୋକ୍ତାମାନେ ମଧ୍ୟ ଘରେ ବସି E-Filing ମାଧ୍ୟମରେ ସେମାନଙ୍କ ଅଭିଯୋଗ ଦାଖଲ କରିପାରିବେ ଓ ନ୍ୟାୟ ପାଇପାରିବେ। ଚଳିତ ବର୍ଷ ଏହି ଦିବସ ପାଳନର Theme ରହିଛି ଉପଭୋକ୍ତା ନ୍ୟାୟ ପାଇଁ ଭର୍ଚୁଆଲ ଶୁଣାଣି ଏବଂ ଡିଜିଟାଲ ଅଭିଗମ୍ୟତା (Digital Hearing & Digital Access to Consumer Justice)। ଉପଭୋକ୍ତାମାନେ ବିନା ଅସୁବିଧାରେ ଡିଜିଟାଲ ମାଧ୍ୟମରେ ଅଭିଯୋଗ କରିପାରିବେ ଏବଂ ନ୍ୟାୟ ମଧ୍ୟ ପାଇପାରିବେ। ଠକାମିର ଶିକାର ହେଲେ ଡିଜିଟାଲ ମାଧ୍ୟମରେ ଅଭିଯୋଗ କରିବାକୁ ଉପଭୋକ୍ତାମାନେ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ।

ସେ ପୁଣି କହିଥିଲେ ଯେ, ନିଜ ଅଧିକାର ସାବ୍ୟସ୍ତ କରିବା ପାଇଁ ଆମକୁ ପ୍ରଥମେ ସଚେତନ ହେବାକୁ ପଡିବ। ତାହେଲେ ଯାଇ ବ୍ୟକ୍ତି ଅଧିକାର ସୁରକ୍ଷିତ ରହି ପାରିବ। ଏବେ ରାଜ୍ୟ ତଥା ଜିଲ୍ଲା ସ୍ତରରେ ସଚେତନତା ବୃଦ୍ଧି ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଖାଉଟି ସୁରକ୍ଷା ବିପ୍ଳବକୁ ଆହୁରି ତ୍ୱରାନ୍ୱିତ କରାଯାଉଛି। ଉପଭୋକ୍ତା ସୁରକ୍ଷା ସଚେତନତା ଏକ ସାମାଜିକ ଆନ୍ଦୋଳନ।

ସଚେତନ ଉପଭୋକ୍ତା ହିଁ ସୁରକ୍ଷିତ ଉପଭୋକ୍ତା ବାର୍ତ୍ତାକୁ ଜନସାଧାରଣରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ନିରନ୍ତର ଉଦ୍ୟମ ଯୋଗୁ ଖାଉଟି ଅଧିକାର ପାଇଁ ଯୁବ ସମାଜ ଆଜି ସଚେତନ ହୋଇଛନ୍ତି। ଖାଉଟି କଲ୍ୟାଣ ପାଇଁ ବଜେଟରେ ଅଧିକ ପ୍ରାବଧାନ କରାଯାଇଛି। ଅସାଧୁ ବ୍ୟବସାୟୀଙ୍କ ବିରୁଦ୍ଧରେ ଆଇନ ଆନୁଯାୟୀ କଠୋର ପଦକ୍ଷେପ ନିଆଯାଉଛି। ଆଗାମୀ ଦିନରେ ଏହି ପଦକ୍ଷେପ ଆହୁରି କଡାକଡି ହେବ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, 2036ରେ ଆମେ ଏକ ସମୃଦ୍ଧ ଓ ବିକଶିତ ଓଡିଶା ଗଠନର ଲକ୍ଷ୍ୟ ରଖିଛୁ। ବିକଶିତ ଓଡିଶାରେ ଉପଭୋକ୍ତାମାନେ ଠକେଇର ଶିକାର ହେବା ଉଚିତ୍ ନୁହେଁ। ତେଣୁ, ଏକ ଠକେଇମୁକ୍ତ ତଥା ଅସାଧୁ ବ୍ୟବସାୟୀମୁକ୍ତ ଓଡିଶା କିପରି ଗଠନ ହେବ ସେଥିପାଇଁ ଜନସାଧାରଣ ମତାମତ ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ।

କାର୍ଯ୍ୟକ୍ରମରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ ଯେ, ସଚେତନ ଖାଉଟି ହେଉଛି ଉତ୍ତମ ଖାଉଟି। ଖାଉଟି ସଚେତନ ହେଲେ ଠକେଇ ବିରୁଦ୍ଧରେ ସେ ନ୍ୟାୟ ପାଇବ । ଖାଉଟି ସୁରକ୍ଷା ପାଇଁ ଆଗାମୀ ଦିନରେ ବିଭାଗକୁ ଆହୁରି କ୍ରିୟାଶୀଳ କରାଯିବ। ରାଜ୍ୟରେ ଥିବା Consumer Court ଗୁଡିକୁ ଆହୁରି ସୁଦୃଢ କରାଯିବ। ଉପଭୋକ୍ତା ସ୍ୱାର୍ଥ ରକ୍ଷା ଆମର ଲକ୍ଷ୍ୟ ଏବଂ ଆମେ ସେଥିପାଇଁ ପ୍ରତିବଦ୍ଧତାର ସହ କାମ କରୁଛୁ  ବୋଲି ସେ କହିଥିଲେ।

ଖାଉଟି ବିବାଦ ସମାଧାନ ଆୟୋଗର ସଭାପତି ଦିଲ୍ଲୀପ ମହାପାତ୍ର କହିଥିଲେ ଯେ, 2019ରୁ ଉପଭୋକ୍ତାମାନଙ୍କ ସୁବିଧା ପାଇଁ ଘରେ ବସି ଅଭିଯୋଗ ଦାଖଲ କରିବାର ସୁବିଧା କରାଯାଇଛି। ଓଡିଶାରେ ଏବଂ ସମଗ୍ର ଦେଶରେ ଅନଲାଇନ କେସ୍ ଫାଇଲିଂ ବ୍ୟବସ୍ଥା ବାଧ୍ୟତାମୂଳକ ହୋଇଛି। ଅନଲାଇନରେ କେସ୍ ଫାଇଲିଂ ହେଉଛି ଏବଂ କେସ୍ ଶୁଣାଣି ବି ହେଉଛି। ଦେଶର ପ୍ରଥମ ଥର ପାଇଁ ଓଡିଶାରେ ଅନଲାଇନ ଶୁଣାଣି ବ୍ୟବସ୍ଥା ଆରମ୍ଭ ହୋଇଥିଲା  ବୋଲି ସେ କହିଥିଲେ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ, ଉପଭୋକ୍ତାମାନଙ୍କୁ  ଦୈନନ୍ଦିନ ଜୀବନରେ ହେଉଥିବା ଶୋଷଣରୁ ମୁକ୍ତ କରିବା ପାଇଁ ଆମ ବିଭାଗ ଜାଗ୍ରତ ରହିଛି। ଏକ ସଚେତନ ଓ ସ୍ୱାଧୀନଚେତା ସମାଜ ଗଠନ ପାଇଁ ସମସ୍ତେ ସବୁ ବିଷୟରେ ଜାଣିବା ଉଚିତ୍ ବୋଲି ସେ କହିଥିଲେ।

ଏହି ଅବସରରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଖାଉଟି ସୁରକ୍ଷା ସମ୍ବନ୍ଧୀୟ ବକ୍ତୃତା ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶିତ ଏକ ନ୍ୟୁଜ ଲେଟର ଅତିଥିମାନେ ଉନ୍ମୋଚନ କରିଥିଲେ।

ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଅଞ୍ଜନା ପଣ୍ଡା ଧନ୍ୟବାଦ ଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଧାନ ସଂଗ୍ରହ ବ୍ୟବସ୍ଥାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଲୋକସେବା ଭବନରେ ଧାନ ସଂଗ୍ରହ ବ୍ୟବସ୍ଥାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୀକ୍ଷା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାର ଏହି ଛଅ ମାସ ମଧ୍ୟରେ ଅନେକ ଯୋଜନା ସଫଳତାର ସହ କାର୍ଯ୍ୟକାରୀ କରିଛନ୍ତି। ମହିଳା ମାନଙ୍କ ପାଇଁ ସୁଭଦ୍ରା ଯୋଜନା ସହିତ ଆହୁରି ଅନେକ କାର୍ଯ୍ୟକ୍ରମ ସଫଳତାର ସହ କାର୍ଯ୍ୟକାରୀ ହେଉଛି। ପିଏମ୍‌ କିଷାନ ଓ ସିଏମ୍‌ କିଷାନ ସହିତ ୮୦୦ ଟଙ୍କା ଇନ୍‌ପୁଟ ସହାୟତାରେ ଧାନ କିଣା ବ୍ୟବସ୍ଥା ଚାଷୀଙ୍କ ସଶକ୍ତିକରଣ କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ଏହା ଦ୍ବାରା ୧୭ ଲକ୍ଷରୁ ଅଧିକ ଚାଷୀ ଲାଭବାନ ହୋଇପାରିବେ। ଏଣୁ, ଧାନ ସଂଗ୍ରହ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ଭାବେ ଦକ୍ଷତାର ସହିତ ତ୍ରୁଟିଶୂନ୍ୟ ଭାବେ କାର୍ଯ୍ୟକାରୀ କରାଯିବା ଆବଶ୍ୟକ। କୌଣସି ପରିସ୍ଥିତିରେ ଚାଷୀମାନେ କୌଣସି ଅସୁବିଧାର ସମ୍ମୁଖୀନ ହେବା ଉଚିତ୍‌ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ବୈଠକର ଆଲୋଚନାରୁ ଜଣାଯାଇଥିଲା ଯେ, ଡିସେମ୍ବର ୧୧ ତାରିଖ ସୁଦ୍ଧା ବରଗଡ, ନୂଆପଡା, ସମ୍ବଲପୁର, କଳାହାଣ୍ଡି, ବଲାଙ୍ଗିର, ଝାରସୁଗୁଡା, ନବରଙ୍ଗପୁର, ସୁବର୍ଣ୍ଣପୁର ଓ କୋରାପୁଟ ଆଦି ୯ଟି ଜିଲ୍ଲାରେ ଧାନ ସଂଗ୍ରହ ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ଏହି ୯ଟି ଜିଲ୍ଲାର ୩୭,୦୭୯ ଜଣ ଚାଷୀ ୧,୮୧,୧୯୬ ମେଟ୍ରିକଟନ୍‌ ଧାନ ବିକ୍ରି କରିଛନ୍ତି। ଏହି ଚାଷୀମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟଭାବେ ୩୨୩.୭୩ କୋଟି ଓ ଇନ୍‌ପୁଟ୍ ସହାୟତା ଭାବେ ୧୧୨.୬୧ କୋଟି ଟଙ୍କା ପ୍ରଦାନ କରାଯାଇଛି। ଆଉ ୪୮ ଘଣ୍ଟା ମଧ୍ୟରେ ୯୩ କୋଟି ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ଓ ୩୨.୩୫ କୋଟି ଟଙ୍କା ଇନ୍‌ପୁଟ ସହାୟତା ପ୍ରଦାନ କରାଯିବ। ସମୀକ୍ଷାରେ ଭର୍ଚୁଆଲ ମୋଡ୍‌ରେ ଯୋଗଦେଇଥିବା ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ମାନଙ୍କ ସହିତ ଧାନ ସଂଗ୍ରହ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା।

ବୈଠକରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ। ସୋସାଇଟି ସ୍ତରୀୟ ଧାନ କିଣା କମିଟି ଗୁଡିକୁ ଆହୁରି ସକ୍ରୀୟ କରିବା ପାଇଁ ସେ କହିଥିଲେ। ଚାଷୀମାନଙ୍କୁ ଅଧିକ ସଚେତନ କରିବା ଓ ସେମାନଙ୍କ ପାଇଁ ସବୁ ପ୍ରକାର ସୁବିଧାର ବ୍ୟବସ୍ଥା କରିବାକୁ ସେ ପରାମର୍ଶ ଦେଇଥିଲେ। କଳାହାଣ୍ଡି ଜିଲ୍ଲାରେ ଚାଷୀ ମାନଙ୍କ ପାଇଁ ମଣ୍ଡି ନିକଟରେ କ୍ୟାଣ୍ଟିନ୍‌, ପାନୀୟ ଜଳ ଓ ଟଏଲେଟ୍‌ର ବ୍ୟବସ୍ଥା କରିଛନ୍ତି। ଅନ୍ୟ ଜିଲ୍ଲାମାନେ ମଧ୍ୟ ସେହିପରି ବ୍ୟବସ୍ଥାକୁ ନିଜ ଜିଲ୍ଲାରେ କାର୍ଯ୍ୟକାରୀ କରିବାକୁ ସେ କହିଥିଲେ। ଆହୁରି ମଧ୍ୟ ବରଗଡରେ ମଣ୍ଡିରେ ଧାନ ସଂଗ୍ରହର ସୁନ୍ଦର ମନିଟରିଂ ବ୍ୟବସ୍ଥା କରାଯାଇଛି। କେନ୍ଦ୍ରୀୟ କଣ୍ଟ୍ରୋଲ ରୁମ୍‌କୁ ଧାନକିଣାର ଲାଇଭ ଫିଡ୍‌ ମଧ୍ୟ ଆସୁଛି। ଏପରି ବ୍ୟବସ୍ଥାକୁ ଅନ୍ୟ ସମସ୍ତ ଜିଲ୍ଲା ଭଲ ଭାବେ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ବୈଠକରେ ଚାଷୀ ମାନଙ୍କ ଅଭିଯୋଗକୁ ତୁରନ୍ତ ସମାଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ ଯେ ସବୁ ଜିଲ୍ଲାରେ ମଣ୍ଡିରେ ନୋଡାଲ୍‌ ଅଫିସର ଓ ମଣ୍ଡି ସୁପରଭାଇଜର ଅଛନ୍ତି। ସେମାନେ ଯେପରି ଚାଷୀଙ୍କର ଯଦି କିଛି ଅଭିଯୋଗ ଥାଏ, ତାକୁ ଶୁଣାଣି କରି ସମସ୍ୟାର ସମାଧାନ କରିବେ, ତେବେ ସେମାନଙ୍କର ବ୍ୟବସ୍ଥା ଉପରେ ଭରସା ବଢିବ। ଏହା ସହିତ ଦଲାଲ ମାନେ ଯେପରି କୌଣସି ପରିସ୍ଥିତିରେ ଚାଷୀଙ୍କ ଫାଇଦା ନଉଠାଇ ପାରିବେ, ସେଥିପାଇଁ ସେମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଟୋକେନ୍‌ ବ୍ୟବସ୍ଥା, ଟ୍ୟାଗିଙ୍ଗ ବ୍ୟବସ୍ଥା, ମିଲର ମାନଙ୍କ ସହଯୋଗ ଏବଂ ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା ହୋଇଥିଲା।

ବୈଠକରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ପଞ୍ଚାୟତି ରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାୟକ, ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।

ଉନ୍ନୟନ କମିଶନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡି.କେ ସିଂହ, ପୋଲିସ୍‌ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଡିସେମ୍ବର ୮ରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ହେବ ଚାଷୀ ସମାବେଶ, ଚାଷୀମାନେ ପାଇବେ ଅତିରିକ୍ତ ୮୦୦ ଟଙ୍କା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଲୋକସେବା ଭବନ ଠାରେ ଆଗାମୀ ଧାନ ସଂଗ୍ରହ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ ଆଭାସୀ ଜରିଆରେ ଜିଲ୍ଲାପାଳମାନଙ୍କ ସହିତ ଆଲୋଚନା କରିଛନ୍ତି। ଆଲୋଚନାରୁ ଜଣାଯାଇଛି ଯେ, ତ୍ରୁଟିଶୁନ୍ୟ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାରଙ୍କ ସମସ୍ତ ସମ୍ପୃକ୍ତ ବିଭାଗ ଓ ଜିଲ୍ଲାପାଳ ମାନେ ସମସ୍ତ ପ୍ରସ୍ତୁତି କରିଛନ୍ତି।

ବୈଠକରୁ ଜଣାଯାଇଛି ଯେ, ଆସନ୍ତା ୨୦ ତାରିଖରେ ବରଗଡ ଜିଲ୍ଲାରୁ ଏହି ଧାନ ସଂଗ୍ରହ କାର୍ଯ୍ୟ  ଆରମ୍ଭ ହେବ।  ୨୨ ତାରିଖରେ ସମ୍ବଲପୁର ଏବଂ  ପରେ ରାଜ୍ୟର ସବୁ ଜିଲ୍ଲାରେ ଏହି ଧାନ ସଂଗ୍ରହ ବ୍ୟବସ୍ଥା ଆରମ୍ଭ ହେବ।  ନଭେମ୍ବର ୨୦ ତାରିଖରୁ  ଡିସେମ୍ବର ୭ ତାରିଖ ମଧ୍ୟରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨୩୦୦ ଟଙ୍କା ପ୍ରଦାନ କରାଯିବ।

ଡିସେମ୍ବର ମାସ ୮ ତାରିଖରେ ବରଗଡ ଜିଲ୍ଲା ସୋହେଲା ଠାରେ ଏକ ରାଜ୍ୟ ସ୍ତରୀୟ କୃଷକ ସମାବେଶ ଆୟୋଜନ ମାଧ୍ୟମରେ ମୁଖ୍ୟମନ୍ତ୍ରୀ କୃଷକ ମାନଙ୍କୁ ଧାନର କୁଇଣ୍ଟାଲ ପିଛା ଅତିରିକ୍ତ ୮୦୦ ଟଙ୍କା ପ୍ରଦାନ କରିବେ। ଡିସେମ୍ବର ୮ ତାରିଖ ଠାରୁ ୨୩୦୦ ଟଙ୍କା ସହିତ ଅତିରିକ୍ତ ୮୦୦ ଟଙ୍କା ଚାଷୀଙ୍କ ବ୍ୟାଙ୍କ ଖାତାକୁ ୪୮ ଘଣ୍ଟା ମଧ୍ୟରେ DBT ଜରିଆରେ ପ୍ରଦାନ କରାଯିବ।

କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଚାଷୀମାନଙ୍କୁ ଧାନ ସଂଗ୍ରହ ବ୍ୟବସ୍ଥା ପାଇଁ ନିଆଯାଇଥିବା ସରକାରୀ ପଦକ୍ଷେପ ସମ୍ପର୍କରେ ବିଭିନ୍ନ ସୂଚନା, ଶିକ୍ଷା ଓ ସଂଚାର କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କରାଯାଉଛି।

ମୁଖ୍ୟମନ୍ତ୍ରୀ ଏଥିପାଇଁ ଜିଲ୍ଲାପାଳମାନେ ନେଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ ହୋଇ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବାକୁ ପରାମର୍ଶ ଦେଇଥିଲେ। ବିଭିନ୍ନ ଧାନ ମଣ୍ଡିରେ ଗ୍ରେନ ଆନାଲାଇଜର, Quality Analyst, ମଣ୍ଡି ସୁପରଭାଇଜର ଆଦି ମୁତୟନ ସମ୍ପର୍କରେ ସୂଚନା ଦିଆଯାଇଥିଲା। ଚାଷୀମାନଙ୍କୁ ଟୋକେନ ପ୍ରଦାନ ୧୫ ତାରିଖରୁ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଥିଲା। ଜିଲ୍ଲାପାଳମାନେ ଚାହିଁଲେ ଟୋକେନର ସମୟସୀମାକୁ ୭ ଦିନ ପର୍ଯ୍ୟନ୍ତ ବୃଦ୍ଧି କରିପାରିବେ।

ପଡୋଶୀ ରାଜ୍ୟ ସହିତ ଲାଗି ରହିଥିବା ଜିଲ୍ଲା ଗୁଡିକରେ ଯେପରି ବାହାର ରାଜ୍ୟର ଧାନ ନ ପଶିବ, ସେଥିପ୍ରତି ଜିଲ୍ଲାପାଳମାନେ ପ୍ରତ୍ୟକ୍ଷ ଭାବେ ନଜର ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସୀମାବର୍ତ୍ତୀ ଅଞ୍ଚଳରେ କ୍ୟାମେରା ସଂଯୁକ୍ତ ଥିବା ଯାନ ମାଧ୍ୟମରେ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିବା ପାଇଁ ଏବଂ  ମଣ୍ଡିମାନଙ୍କରେ ସିସିଟିଭି ଲଗାଇବା ଓ କଟନି-ଛଟନି କୁ ରୋକିବା ପାଇଁ ପଦକ୍ଷେପ ନେବାକୁ ମଧ୍ୟ ଗୁରୁତ୍ୱ ଦେଇଥିଲେ।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ଏବଂ ସମବାୟ ବିଭାଗର କମିଶନର ତଥା ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ ନିଜ ନିଜ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଜିଲ୍ଲାପାଳମାନେ ମଧ୍ୟ ଜିଲ୍ଲା ସ୍ତରରେ ପ୍ରସ୍ତୁତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।

ଆଲୋଚନାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢୀ, ପ୍ରମୁଖ ଯୋଗଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଅତ୍ୟାଧୁନିକ କ୍ୟାନ୍‌ସର ଚିକିତ୍ସା ସମ୍ପର୍କରେ ମିୟୋ କ୍ଲିନିକର ପ୍ରତିନିଧିଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଲୋକସେବା ଭବନ ଠାରେ ଆମେରିକାର ମିୟୋ କ୍ଲିନିକ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା ଗବେଷଣା ସଂସ୍ଥାର ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଓଡିଶାରେ କ୍ୟାନ୍‌ସର ଚିକିତ୍ସା କ୍ଷେତ୍ରରେ ସବୁଠାରୁ ଆଧୁନିକ ରୋଗ ନିରୂପଣ ଓ ଚିକିତ୍ସା ପଦ୍ଧତିର ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି।

ଆଲୋଚନାରୁ ଜଣା ଯାଇଛି ଯେ, କ୍ୟାନ୍‌ସର ଚିକିତ୍ସା ଅତ୍ୟଧିକ ବ୍ୟୟ ସାପେକ୍ଷ ଓ ଅନିଶ୍ଚିତ। ଡି.ଏନ୍.ଏ ଟେଷ୍ଟ ଜରିଆରେ ତୁରନ୍ତ ରୋଗ ନିରୂପଣ ସହିତ କୌଣସି ଏକ ନିର୍ଦ୍ଦିଷ୍ଟ ଚିକିତ୍ସା ପ୍ରଣାଳୀ ଫଳପ୍ରଦ ହେଉଛି ବା ନାହିଁ ତାହା ମଧ୍ୟ ଖୁବ୍ ଶୀଘ୍ର ଜଣାପଡି ପାରିବ। ତେଣୁ ଓଡିଶାରେ ଏହି ନୂତନ ପଦ୍ଧତିର ପ୍ରୟୋଗ ସପକ୍ଷରେ ପ୍ରତିନିଧିମାନେ ମତ ରଖିଥିଲେ। ଏହା ଦ୍ୱାରା ରୋଗ ନିରୂପଣ ଖୁବ୍‌ ଶୀଘ୍ର ସୂଚନା ମିଳିବା ସହିତ ଫଳପ୍ରଦ ଚିକିତ୍ସା ପ୍ରଦାନ କରାଯାଇ ପାରିବ।

ସ୍ୱାସ୍ଥ୍ୟସେବା, ବିଶେଷ କରି କ୍ୟାନ୍‌ସର ଚିକିତ୍ସାକୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ବୋଲି ମତ ଦେଇ ଏ ସମ୍ପର୍କରେ ବିଧିବଦ୍ଧ ପ୍ରସ୍ତାବ ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଅଶ୍ୱତୀ ଏସ୍. ଉପସ୍ଥିତ ଥିଲେ।

ମିୟୋ କ୍ଲିନିକ ପକ୍ଷରୁ ପ୍ରଫେସର ଦେବ ମୁଖାର୍ଜୀ, ଆମେରିକାସ୍ଥିତ ଏଲିଫାସ୍ ବାୟୋ ସାଇନ୍‌ସେସ୍  ପକ୍ଷରୁ ମିଷ୍ଟର ଚାର୍ଲସ୍ ମିଲର (Mr. Charles Miller from Elephes Bio-Sciences), ଇନ-ଡି.ଏନ୍.ଏ ଲାଇଫ୍ ସାଇନ୍‌ସର (inDNA Life Sciences) ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଡ. ବିରେନ୍ ବାନାର୍ଜୀ ଓ  ଏହାର ପ୍ରତିନିଧି ଦେବୀ ପ୍ରସାଦ ରଥ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଉପମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ଅକଲ୍ୟାଣ୍ଡରେ ଅବସ୍ଥାପିତ ହେବାକୁ ଥିବା କନସୁଲେଟ ଜେନେରାଲ

ଭୁବନେଶ୍ଵର: ଆଜି ପୂର୍ବାହ୍ନରେ ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ନ୍ୟୁଜିଲ୍ୟାଣ୍ଡସ୍ଥିତ ଅକଲ୍ୟାଣ୍ଡରେ କନସୁଲେଟ ଜେନେରାଲ ରୂପେ ଅବସ୍ଥାପିତ ହେବାକୁ ଥିବା ମଦନ ମୋହନ ସେଠୀ ସାକ୍ଷାତ କରିଥିଲେ। ସାକ୍ଷାତକାର ସମୟରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ଦିଲ୍ଲୀପ କୁମାର ପରିଡ଼ା ଉପସ୍ଥିତ ଥିଲେ। ବିଦେଶରେ ଆମ ଓଡ଼ିଆ ଲୋକମାନେ ଉଚ୍ଚପଦପଦବୀରେ କାର୍ଯ୍ୟ କରୁଥିବା ଦେଖି ଖୁବ୍ ଖୁସି ଲାଗୁଛି ବୋଲି ମନ୍ତ୍ରୀ ଶ୍ରୀ ସିଂହଦେଓ କହିଥିଲେ।

ସାକ୍ଷାତ ସମୟରେ ନ୍ୟୁଜିଲ୍ୟାଣ୍ଡରେ ଓଡ଼ିଆ ଲୋକଙ୍କ ସଂଖ୍ୟା ଏବଂ ଅନ୍ୟାନ୍ୟ ଜ୍ଞାନକୌଶଳ ଭିତ୍ତିକ ଏକ ଆଲୋଚନା ହୋଇଥିଲା। ଶ୍ରୀ ସେଠୀ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କୁ ନ୍ୟୁଜିଲ୍ୟାଣ୍ଡ ଆସିବାକୁ ନିମନ୍ତ୍ରଣ କରିଥିଲେ। ଓଡ଼ିଶା ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ କୃଷି କ୍ଷେତ୍ରରେ ସହଭାଗିତାର ସହ କାର୍ଯ୍ୟ କରିବାକୁ ଆଗ୍ରହୀ ବୋଲି ପ୍ରକାଶ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ସ୍ତରରେ ବ୍ୟାପକ ଭାବରେ ପାଳନ କରାଯିବ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ

ଭୁବନେଶ୍ୱର: ବିଶିଷ୍ଟ ଆଦିବାସୀ ସ୍ବାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀକୁ ରାଜ୍ୟ ସ୍ତରରେ ବ୍ୟାପକ ଭାବରେ ପାଳନ କରାଯିବ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଚଳିତ ବର୍ଷ ଏହାକୁ ଚତୁର୍ଥ ଜନ ଜାତୀୟ ଗୌରବ ଦିବସ ଭାବେ ପାଳନ କରାଯିବ। ସୂଚନାଯୋଗ୍ୟ ଯେ କେନ୍ଦ୍ରୀୟ ସ୍ତରରେ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ୨୦୨୧ରୁ ଜନ ଜାତୀୟ ଗୌରବ ଦିବସ ଭାବେ ପାଳିତ ହୋଇ ଆସୁଅଛି।

ଏହି ନିଷ୍ପତ୍ତି ଅନୁଯାୟୀ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଚଳିତ ବର୍ଷ ନଭେମ୍ବର ୧୫ ତାରିଖରୁ ୨୦୨୫ ନଭେମ୍ବର ୧୫ ପର୍ଯ୍ୟନ୍ତ ବର୍ଷ ବ୍ୟାପୀ ପାଳନ କରାଯିବ। ଆଦିବାସୀ କଳା, ସଂସ୍କୃତି, ଐତିହ୍ୟ, ଇତିହାସର ପ୍ରଚାର ପ୍ରସାର, ଶିକ୍ଷା ଓ ଦକ୍ଷତା ବିକାଶ, ସ୍ବାସ୍ଥ୍ୟ ସଚେତନତା ସଂପର୍କିତ କାର୍ଯ୍ୟକ୍ରମ ଗ୍ରହଣ କରାଯିବା ସହିତ ସେମାନଙ୍କ ଜୀବିକାର ସୁରକ୍ଷା ଓ ଆର୍ଥିକ ବିକାଶ ପାଇଁ ପଦକ୍ଷେପ ନିଆଯିବ।

ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ୨୦୨୪ ନଭେମ୍ବର ୧୫ରେ ବର୍ଷ ବ୍ୟାପୀ ଏହି ସମାରୋହର ଉଦ୍‌ଘାଟନୀ ଉତ୍ସବ ରାଉରକେଲାରେ ଅନୁଷ୍ଠିତ ହେବ।

ଉଦ୍‌ଘାଟନୀ ଉତ୍ସବରେ ସପ୍ତାହ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯିବ। ଏଥିରେ ଆଦିବାସୀ ସ୍ବାଧୀନତା ସଂଗ୍ରାମୀ ମାନଙ୍କ ଉପରେ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ ସହିତ ସଫଳ ଆଦିବାସୀ ବ୍ୟକ୍ତିତ୍ବ ମାନଙ୍କୁ ସମ୍ମାନିତ କରାଯିବ। ଏହାସହିତ ଜଙ୍ଗଲ ଅଧିକାର ଆଇନ ୱେବ୍‌ ପୋର୍ଟାଲର ଶୁଭାରମ୍ଭ କରାଯାଇ ପଟ୍ଟା ଆବଣ୍ଟନ କରାଯିବ। ଏହାସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ।

ବର୍ଷ ବ୍ୟାପୀ ଏହି କାର୍ଯ୍ୟକ୍ରମରେ ଆଦିବାସୀ ହସ୍ତତନ୍ତ ଓ ହସ୍ତଶିଳ୍ପର ସମ୍ବଳିତ ବିଭିନ୍ନ କାର୍ଯ୍ୟକ୍ରମ, ଆଦିବାସୀ ହସ୍ତଶିଳ୍ପୀ ମାନଙ୍କ ବିଭିନ୍ନ ଉତ୍ପାଦର ପ୍ରସାର ଓ ମାର୍କେଟିଂ ପାଇଁ କାର୍ଯ୍ୟକ୍ରମ, ସିକିଲ ସେଲ୍‌ ଆନାମିଆ ରୋଗ ସଂପର୍କରେ ସଚେତନତା, ଆଦିବାସୀ କବି ଓ ଲେଖକ ମାନଙ୍କ ସମ୍ମିଳନୀ, ଜଙ୍ଗଲ ଅଧିକାର ଆଇନ ଉପରେ ୱାର୍କସପ୍‌, ଆଦିବାସୀ ମାନଙ୍କ ପାରମ୍ପରିକ ସ୍ବାସ୍ଥ୍ୟସେବା ଜ୍ଞାନର ପ୍ରଚାର ପାଇଁ ସମ୍ମିଳନୀ ଇତ୍ୟାଦିର ଆୟୋଜନ କରାଯିବ। ଏହାସହିତ ବିଭିନ୍ନ ବିଭାଗ ପକ୍ଷରୁ ଅନ୍ୟାନ୍ୟ କାର୍ଯ୍ୟକ୍ରମମାନ ମଧ୍ୟ ପ୍ରସ୍ତୁତ କରାଯିବ। ରାଜଧାନୀ ଭୁବନେଶ୍ବର ସହିତ ଜିଲ୍ଲାସ୍ତରରେ ମଧ୍ୟ କାର୍ଯ୍ୟକ୍ରମ ଗ୍ରହଣ କରାଯିବ।

ଚଳିତ ବର୍ଷ ଭୁବନେଶ୍ବରର ଆଦିବାସୀ ମେଳାକୁ ବ୍ୟାପକ ଆକାରରେ ପାଳନ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି।

ବୈଠକରେ ଆଦିବାସୀ ମାନଙ୍କ କଳା, ସଂସ୍କୃତି ଓ ଶିକ୍ଷା ଉପରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସହିତ ସେମାନଙ୍କ ଆର୍ଥିକ ପ୍ରଗତି ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗୁରୁତ୍ବ ଆରୋପ କରିଥିଲେ। ବିଭିନ୍ନ ବିଭାଗର ସମନ୍ବୟରେ (Convergence) ସେମାନଙ୍କର ଜୀବିକାର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଗୃହ ତଥା ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଅନୁସୂଚିତ ଜନଜାତି, ଜାତି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ସୁଶିଲ କୁମାର ଲୋହାନୀ ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ୱାର୍ଲ୍ଡ ସ୍କିଲ କମ୍ପିଟେସନର ପ୍ରତିଯୋଗୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା: ଅମରେଶଙ୍କୁ ୨୫ ଲକ୍ଷ ଟଙ୍କା ପୁରସ୍କାର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ୱାର୍ଲ୍ଡ ସ୍କିଲ କମ୍ପିଟେସନ୍ ରେ ଭାଗ ନେଇଥିବା ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ପାଇଥିବା ଅମରେଶ ସାହୁଙ୍କୁ ମୁଖ୍ୟମନ୍ତ୍ରୀ ୨୫ ଲକ୍ଷ ଟଙ୍କା ପୁରସ୍କାର ଦେଇଥିଲେ ଏବଂ Medallion For Excellence ପାଇଥିବା ଗେଡେଲା ଅଖିଲଙ୍କୁ ୫ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡିଶାର ପିଲାମାନଙ୍କ ଦକ୍ଷତା ବର୍ତ୍ତମାନ ବିଶ୍ୱର ଦୃଷ୍ଟିକୁ ଆସିପାରିଛି। ଆଗାମୀ ଦିନରେ ଓଡିଶାରେ ଦକ୍ଷତା ବିକାଶକୁ ଏକ ଆନ୍ଦୋଳନରେ ପରିଣତ କରାଯିବ।

ସେ କହିଥିଲେ ଯେ, ୨୦୩୬ ଓ ୨୦୪୭ କୁ ଦୃଷ୍ଟିରେ ରଖି ଏକ ବିକଶିତ ଓଡ଼ିଶା ଗଠନ ପାଇଁ ଆମର କାର୍ଯ୍ୟକ୍ରମ ପ୍ରସ୍ତୁତ ହେଉଛି। ଆମର ଏହି ବିକଶିତ ଓଡ଼ିଶାର ପ୍ରକୃତ ସାରଥୀ ହେବେ ଆମର ଏହି ଦକ୍ଷ ଯୁବ ଶକ୍ତି। ଆମ ଯୁବ ଶକ୍ତି ହିଁ ଆମ ପରିଚୟ। ସେମାନେ ଆମ ପାଇଁ ନୂଆ କ୍ରାନ୍ତି। ସେମାନେ ହିଁ ଆମ ପାଇଁ ଅଖଣ୍ଡ ବିଶ୍ୱାସର ଆଧାର।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯୁବ ଶକ୍ତିର ଦକ୍ଷତା ଆମର ଶକ୍ତି ଓ ଗୌରବ। ଆମର ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଏକ ଆନ୍ଦୋଳନରେ ପରିଣତ କରିବାକୁ ପଡ଼ିବ। ପ୍ରତ୍ୟେକ କ୍ଷେତ୍ରରେ, ପ୍ରତ୍ୟେକ ସ୍ତରରେ ଦକ୍ଷତାର ବିକାଶ ପାଇଁ ଆମର ଉଦ୍ୟମ ଜାରି ରହିବ।

ସୂଚନାଯୋଗ୍ୟ ଯେ, ଫ୍ରାନ୍ସର ଲିଅନ୍‌ଠାରେ ସେପ୍ଟେମ୍ବର ୧୦ ରୁ ୧୫ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିବା ୱାର୍ଲ୍ଡ ସ୍କିଲ କମ୍ପିଟେସନ୍ ରେ ଦେଶର ୬୦ ଜଣ ଭାଗ ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ କେବଳ ଓଡ଼ିଶାରୁ ୧୫ ଜଣ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ଦେବଗଡ ଜିଲ୍ଲାର ଅମରେଶ ସାହୁ ଅକ୍ଷୟ ଶକ୍ତି କ୍ଷେତ୍ରରେ ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ଗଜପତି ଜିଲ୍ଲାର ଗେଡେଲା ଅଖିଲ ୱାଟର ଟେକ୍‌ନୋଲୋଜିରେ Medallion For Excellence ପାଇଛନ୍ତି।

ଏହି ଅବସରରେ ପିଲାମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ସାରା ଦେଶର ୬୦ ଜଣ ପ୍ରତିଯୋଗୀମାନଙ୍କ ମଧ୍ୟରୁ କେବଳ ଓଡିଶାରୁ ୧୫ଜଣ ଭାଗ ନେବା ଏକ ବହୁତ ବଡ ସଫଳତା। ଓଡିଶାର ପିଲାମାନଙ୍କର ଦକ୍ଷତା ଉପରେ ଥିବା ଭରସାର ଏହା ହେଉଛି ଜ୍ୱଳନ୍ତ ପ୍ରମାଣ। ଏହା ଆମ ଦକ୍ଷତାର ନୂଆ ମାନଦଣ୍ଡ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାର ପିଲାମାନଙ୍କ ଦକ୍ଷତା ବର୍ତ୍ତମାନ ସାରା ବିଶ୍ଵର ଦୃଷ୍ଟିକୁ ଆସି ଗଲାଣି। ଗ୍ଲୋବାଲ ଷ୍ଟେଜ ରେ ଓଡ଼ିଶା ପିଲା ମାନେ ଆୱାର୍ଡ଼ ପାଇବା ଏକ ରୁଟିନ୍ ହୋଇ ଗଲାଣି ବୋଲି ପ୍ରକାଶ କରି ସେ କହିଲେ ଯେ ଏହି ଛାତ୍ରଛାତ୍ରୀ ମାନେ ହେଉଛନ୍ତି ଆମର ଗର୍ବ। ଏହିଭଳି ଦକ୍ଷ ଯୁବକ ଯୁବତୀ ମାନେ ହିଁ ଓଡ଼ିଶା ପାଇଁ ଏକ ସୁନ୍ଦର ଭବିଷ୍ୟତ ନିର୍ମାଣ କରି ପାରିବେ। ଏହି ଭଳି ଦକ୍ଷ ଯୁବକ ଯୁବତୀମାନଙ୍କ କାନ୍ଧରେ ହିଁ ଅଛି ଏକ ନୂତନ ଓଡିଶା ଗଠନର ଗୁରୁ ଦାୟିତ୍ୱ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାରେ ଦକ୍ଷତା ବିକାଶ ପାଇଁ ଆମେ ରୋଡ ମ୍ୟାପ ପ୍ରସ୍ତୁତ କରିଛୁ। ଆମେ କେବଳ ସ୍ବପ୍ନ ଦେଖେଇବାରେ ବିଶ୍ୱାସ ରଖୁନା, ବରଂ ବାସ୍ତବତାର ରୂପାୟନ କରିଥାଉ। ଏ ବର୍ଷ ବଜେଟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା କ୍ଷେତ୍ରରେ କେବଳ ପ୍ରୋଗ୍ରାମ ଇମ୍ପ୍ଲିମେଣ୍ଟେସନ ପାଇଁ ୧୦୫୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।

ଦକ୍ଷତା କ୍ଷେତ୍ରରେ ସି.ଏମ ଆସ୍ପାୟାର (CM ASPIRE) ଯୋଜନା ସଂପର୍କରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ଏହାର ଲକ୍ଷ୍ୟ ହେଉଛି ଶିଳ୍ପ କ୍ଷେତ୍ରରେ ପିଲାଙ୍କୁ ନିଯୁକ୍ତି ଯୋଗ୍ୟ କରିବା। ଆଧୁନିକ ଶିଳ୍ପର ଚାହିଦା ଅନୁଯାୟୀ ପିଲାଙ୍କ ଦକ୍ଷତାର ବିକାଶ କରିବା। ଏବେ ନିକଟରେ ୪୫ ହଜାର କୋଟି ଟଙ୍କାର ୨୬ ଟି ଶିଳ୍ପ ସ୍ଥାପନ ପାଇଁ ମଞ୍ଜୁରି ଦେଇଛୁ. ସେଥିରେ ୩୬ ହଜାର ନିଯୁକ୍ତି ସୃଷ୍ଟି ହେବ। ତେଣୁ, ପିଲାଙ୍କୁ ଏହି ସବୁ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ପାଇଁ ଉପଯୁକ୍ତ ଦକ୍ଷତା ଦରକାର । ସେଥିପାଇଁ ପିଲା ମାନଙ୍କୁ ଇଣ୍ଡଷ୍ଟ୍ରି ରେଡ଼ି କରିବା ଉପରେ ସର୍ବାଧିକ ଗୁରୁତ୍ବ ଦିଆଯାଉଛି। ଏହା ସହିତ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ବିକେନ୍ଦ୍ରୀକରଣ କରାଯାଇ ଜିଲ୍ଲା ସ୍ତରରେ ‘ ନୂଆ ଓଡ଼ିଶା ଜିଲ୍ଲା ଦକ୍ଷତା କେନ୍ଦ୍ର ‘ ଖୋଲା ଯାଉଛି। ଏହା ଦ୍ବାରା ସ୍ଥାନୀୟ ଅଞ୍ଚଳର ଯୁବକ ମାନେ ଦକ୍ଷତା ଅର୍ଜନ କରିବା ସହିତ ସ୍ଥାନୀୟ ଶିଳ୍ପର ଚାହିଦା ମଧ୍ୟ ପୂରଣ କରି ପାରିବେ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ କହିଥିଲେ ଯେ ଦେଶର ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀଙ୍କ ମଧ୍ୟରୁ କେବଳ ୨୫ ପ୍ରତିଶତ ପ୍ରତିଯୋଗୀ ଓଡିଶାରୁ ହିଁ ଥିଲେ। ଓଡିଶାର ପିଲାମାନଙ୍କର ଦକ୍ଷତା ରହିଛି। ଏହାକୁ ତୃଣମୂଳ ସ୍ତରକୁ ପ୍ରସାରିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଉଦ୍ୟମ ଆରମ୍ଭ କରାଯାଇଛି।

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଥିଲେ ଯେ ଓଡିଶାର ଦକ୍ଷତା ବିକାଶ କାର୍ଯ୍ୟକ୍ରମର ଏକ ସ୍ୱତନ୍ତ୍ର ମାନଦଣ୍ଡ ରହିଛି। ବିଶ୍ୱ ସ୍ତରରେ ଓଡିଶା ପିଲାମାନଙ୍କର ଦକ୍ଷତାକୁ ପରିଚୟ ମିଳି ପାରିଛି। ତେଣୁ ଶିଳ୍ପର ଚାହିଦା ଅନୁଯାୟୀ ଆମ ପିଲାମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦିଆଗଲେ ସେମାନେ ବିଶ୍ୱସ୍ତରରେ ନିଯୁକ୍ତି ପାଇବା ପାଇଁ ଯୋଗ୍ୟ ହୋଇପାରିବେ ବୋଲି ସେ କହିଥିଲେ

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଏନ୍.ବି.ଏସ. ରାଜପୁତ ସ୍ୱାଗତ ଭାଷଣ ଦେଇଥିଲେ ଓ ବିଭାଗର ନିର୍ଦ୍ଦେଶିକା ରଶ୍ମିତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

ପୁରସ୍କାର ପାଇଥିବା ପ୍ରତିଯୋଗୀ ଅମରେଶ ଓ ଅଖିଲ ମୁଖ୍ୟମନ୍ତ୍ରୀଙ୍କୁ ସେମାନଙ୍କ ପ୍ରଶିକ୍ଷଣ ଅଭିଜ୍ଞତା ସଂପର୍କରେ ବର୍ଣ୍ଣନା କରିଥିଲେ।