ଭୁବନେଶ୍ୱର: ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଓଡ଼ିଶାର ବାତ୍ୟା ଗତିପଥରେ ଆସୁଥିବା ୧୬ଟି ଜିଲାର ହଜାର ହଜାର ସଂଖ୍ୟକ କୃଷକ, ଗୋସମ୍ପଦ ପାଳନକାରୀ ଏବଂ ସ୍ଥଳଭାଗର ମତ୍ସ୍ୟଚାଷୀଙ୍କ ପାଇଁ ବାତ୍ୟା ପୂର୍ବ ଓ ପରବର୍ତ୍ତୀ ସମୟରେ ଶସ୍ୟର ସୁରକ୍ଷାମୂଳକ ପଦକ୍ଷେପ, ଗୋସମ୍ପଦ ଓ ମତ୍ସ୍ୟଚାଷୀଙ୍କ ପାଇଁ ସତର୍କତାମୂଳକ ପଦକ୍ଷେପ ସମ୍ପର୍କରେ ଅନେକ ଅଡିଓ ସମ୍ମିଳନୀ ଏବଂ ୟୁଟ୍ୟୁବ ସିଧା ପ୍ରସାରଣ ଅଧିବେଶନ କେଭିକେ ନୟାଗଡ, କେଭିକେ ଢେଙ୍କାନାଳ, କେଭିକେ କଟକ, କୃଷି ବିଭାଗ, ପ୍ରାଣୀ ସମ୍ପଦ ବିକାଶ ବିଭାଗ ଏବଂ ମତ୍ସ୍ୟଚାଷ ବିଭାଗର ବୈଷୟିକ ସହଯୋଗରେ ଏକ ସମୟରେ ଅନେକ ସ୍ଥାନରେ ଆୟୋଜନ କରାଯାଇଛି।
ରିଲାଏନ୍ସ ଫାଉଣ୍ଡେସନ ଦ୍ୱାରା ତାଲିମପ୍ରାପ୍ତ ସ୍ୱେଚ୍ଛାସେବୀଗଣ, ବାଲେଶ୍ୱର, ଭଦ୍ରକ ଏବଂ ପୁରୀ ଜିଲାର ୧୬ଟି ବାତ୍ୟା ଆଶ୍ରୟ ପରିଚାଳନା ଓ ରକ୍ଷଣାବେକ୍ଷଣ କମିଟିର ସମ୍ପାଦକ ଓ ସଦସ୍ୟବୃନ୍ଦଙ୍କ ସମେତ ବାହାନଗାସ୍ଥିତ ଗ୍ରାମ୍ୟ କୃଷି ବିକାଷ କେନ୍ଦ୍ରର ଅଧିକାରୀଗଣ; ତ୍ରିବେଣୀ ଟ୍ରଷ୍ଟ ଭଦ୍ରକ, ପ୍ରଗତି ଯୁବକ ସଂଘ ଭଦ୍ରକର କାର୍ଯ୍ୟକର୍ତ୍ତାଙ୍କୁ ନେଇ ଜିଲାରେ ବାତ୍ୟାର ପ୍ରକାର, ରାଜ୍ୟ / ଜିଲା ପ୍ରଶାସନ ପକ୍ଷରୁ ବାତ୍ୟାର ମୁକାବିଲା ନିମନ୍ତେ ଅମଲମ୍ବନ କରାଯାଉଥିବା କୌଶଳ, ନିୟନ୍ତ୍ରଣ କକ୍ଷ ସମ୍ପର୍କିତ ବିସ୍ତୃତ ତଥ୍ୟ, ବାତ୍ୟା ମୁକାବିଲା ପ୍ରସ୍ତୁତି ଏବଂ ବାତ୍ୟା ପୂର୍ବରୁ ଶସ୍ୟର ସୁରକ୍ଷା ଦିଗରେ ପଦକ୍ଷେପ ସମ୍ପର୍କରେ ଭୁବନେଶ୍ୱରସ୍ଥିତ ବେସାମରିକ ପ୍ରତିରକ୍ଷା ସଂଗଠନର ସହଯୋଗରେ କୃଷକ ଏବଂ ସାଧାରଣ ଲୋକଙ୍କୁ ସଚେତନ କରିଥିଲେ। ଏହି ଅବସରରେ ବାତ୍ୟା ସମ୍ପର୍କିତ ପ୍ରାୟ ୬୦୦ ପ୍ରଶ୍ନର ଉତ୍ତର ଦିଆଯାଇଥିଲା।
ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ସମୁଦ୍ର ଉପରେ ନିର୍ଭରଶୀଳ ମତ୍ସ୍ୟଜୀବିଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ସତର୍କ କରାଇ ଦିଆଯାଇଥିଲା ଏବଂ କୃଷକମାନେ ଶସ୍ୟ ଅମଳ କରିବା ସହିତ ଅମଳ ସରିଥିବା ଫସଲକୁ ସୁରକ୍ଷିତ ରଖିବା ସକାଶେ ସଜାଗ କରିଦିଆଯାଇଥିଲା। ଏଥିସହିତ କୃଷକମାନେ ମଧ୍ୟବର୍ତ୍ତୀକାଳୀନ କୃଷିକାର୍ଯ୍ୟ ସ୍ଥଗିତ ରଖିବା ସହିତ ଗୋସମ୍ପଦଙ୍କୁ ଘର ଭିତରେ ସୁରକ୍ଷିତ ରଖିବାକୁ ପରାମର୍ଶ ଦିଆଯାଇଥିଲା।
ମୋବାଇଲ ଅଡିଓ ପରାମର୍ଶ ଏବଂ ସତର୍କ ସୂଚନା ଓଡ଼ିଶାର ୨୦ଟି ଜିଲାର ୬,୩୭,୦୦୦ କୃଷକଙ୍କ ନିକଟରେ ପହଞ୍ଚାଯାଇଥିଲା। ସେଥିମଧ୍ୟରେ ପାକଳ ହୋଇଯାଇଥିବା ଧାନ ଫସଲକୁ ଅମଳ କରିବା, କଟାସରିଥିବା ଧାନ ଫସଲକୁ ଜମିରେ ନଶୁଖାଇବା, ଅମଳ ହୋଇଥିବା ଫସଲକୁ ନିରାପଦ ସ୍ଥାନରେ ରଖିବା ଏବଂ ଧାନ ଫସଲ ଥିବା ଜମିରୁ ବଳକା ପାଣି ବାହାର କରିଦେବାକୁ ସିଆର କାଟିବା ଆଦି ପରାମର୍ଶ ସାମିଲ ଥିଲା। ଏଥିସହିତ କୃଷକଙ୍କୁ ରବି ଫସଲ ନବୁଣିବା, ମଧ୍ୟବର୍ତ୍ତୀକାଳୀନ କୃଷିକାର୍ଯ୍ୟ ସ୍ଥଗିତ ରଖିବା, ରବି ଫସଲରେ ସିଞ୍ଚନ, ସାର ପ୍ରୟୋଗ ଏବଂ ଜଳସେଚନ ଆଦି ବନ୍ଦ ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା। ପନିପରିବା ଚାଷୀଙ୍କୁ ପନିପରିବା ନର୍ସରୀ ଉପରେ ଧଳା ପଲିଥିନ ଘୋଡାଇବା ଏବଂ କଦଳୀ, ଅମୃତଭଣ୍ଡା ତଥା ଅଧିକ ପବନ ସମ୍ବେଦୀ ପନିପରିବା ଗଛକୁ ଉପଯୁକ୍ତ ଢିରା ଦେବାକୁ ସଚେତନ କରାଯାଇଥିଲା।
ଅନୁରୂପ ମୋବାଇଲ ଅଡିଓ ପରାମର୍ଶ ଓ ସତର୍କ ସୂଚନା ରାଜ୍ୟର ୨୦ଟି ଜିଲାରେ ପ୍ରାୟ ୨,୦୦,୦୦୦ ଗୋସମ୍ପଦ ପାଳନକାରୀଙ୍କୁ ପ୍ରସାରିତ କରାଯିବା ସହିତ ସେମାନଙ୍କ ଗୋସମ୍ପଦକକୁ ଘର ଭିତରେ ନିରାପଦ ସ୍ଥାନରେ ରଖିବା ଏବଂ ଜରୁରୀକାଳୀନ ପରିସ୍ଥିତିରେ ସେମାନଙ୍କ ପାଇଁ ୩ରୁ ୫ ଦିନ ପର୍ଯ୍ୟନ୍ତ ଖାଦ୍ୟ ମହଜୁଦ ରଖିବାକୁ ପରାମର୍ଶ ଦିଆଯାଇଥିଲା। ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ମଧ୍ୟ ମୋବାଇଲ ଅଡିଓ ପରାମର୍ଶ ଓ ସତର୍କ ସୂଚନା ୧୩ଟି ଜିଲାର ୬୦,୦୦୦ରୁ ଅଧିକ ଭୂଭାଗ ମତ୍ସ୍ୟଚାଷୀଙ୍କ ନିକଟରେ ପହଞ୍ଚାଯାଇଥିଲା। ସେମାନଙ୍କୁ ପୋଖରୀରେ ଜଳସ୍ତର କମ ରଖିବାକୁ ପରାମର୍ଶ ଦିଆଯାଇଥିଲା, ଯଦ୍ଦ୍ୱାରା ପୋଖରୀ ଭର୍ତ୍ତି ହୋଇ ପାଣି ବାହାରକୁ ବହିନଯିବ। ତାହାସହିତ ପୋଖରୀ ନିକଟରେ ପାଣି ଖଲାସ ନିମନ୍ତେ ରହିଥିବା ସମସ୍ତ ନାଳୀ ପରିଷ୍କାର କରିବାକୁ ପରାମର୍ଶ ଦିଆଯାଇଥିଲା। ଖାଲୁଆ ଅଞ୍ଚଳର ଚାଷୀଙ୍କୁ ପୋଖରୀ ଚାରିପଟେ ଜାଲ ବାନ୍ଧିବାକୁ କୁହାଯାଇଥିଲା, ଯଦ୍ଦ୍ୱାରା ପୋଖରୀ ଭର୍ତ୍ତି ହେଲେ ମଧ୍ୟ ମାଛଗୁଡିକ ପୋଖରୀ ବାହାରକୁ ଚାଲିଯାଇପାରିବେ ନାହିଁ। ପ୍ରବଳ ବର୍ଷା ସମୟରେ ମାଛଗୁଡିକୁ କମ୍ ଖାଦ୍ୟ ଦେବା ଅଥବା ଆଦୌ ନଦେବାକୁ ଏବଂ ବାତ୍ୟା ପ୍ରଭାବ ସମ୍ପୂର୍ଣ୍ଣ ଭାବରେ ହ୍ରାସ ନପାଇବା ପର୍ଯ୍ୟନ୍ତ ଚିଙ୍ଗୁଡି ଯାଆଁଳ ଛାଡିବା କାର୍ଯ୍ୟ ସ୍ଥଗିତ ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା। ୬ଟି ଜିଲାର ୩୦,୦୦୦ରୁ ଅଧିକ ସମୁଦ୍ର ଉପରେ ନିର୍ଭରଶୀଳ ମତ୍ସ୍ୟଜୀବିଙ୍କ ନିକଟରେ ମୋବାଇଲ ଅଡିଓ ଓ ସତର୍କ ସୂଚନା ପହଞ୍ଚାଯାଇ ସେମାନେ ସମୁଦ୍ର ମଧ୍ୟକୁ ନଯିବା, ନିଜର ଜାଲ, ଡଙ୍ଗା ଏବଂ ମାଛଧରା ସାମଗ୍ରୀ ସୁରକ୍ଷିତ ରଖିବାକୁ ପରାମର୍ଶ ଦିଆଯାଇଥିଲା।
ଭାରତୀୟ ପାଣିପାଗ ବିଭାଗ, ଇନକଏସ (ଇଣ୍ଡିଆନ ନ୍ୟାସନାଲ ସେଣ୍ଟର ଫର ଓସନ ଇନଫର୍ମେସନ ସର୍ଭିସେସ), ଆଗ୍ରୋ ମେଟ ଫିଲ୍ଡ ୟୁନିଟ (ଏଏମଏଫୟୁ), ଡିଷ୍ଟ୍ରିକ୍ଟ ଆଗ୍ରୋମେଟ ୟୁନିଟ (ଡିଏଏମୟୁ), ୱାର୍ଲଡଫିଶ କଟକ, ମତ୍ସ୍ୟ ନିର୍ଦ୍ଦେଶାଳୟ କଟକ, ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ, ଓୟୁଏଟି, କଟକ, ଗଞ୍ଜାମ, ନୟାଗଡ, ଢେଙ୍କାନାଳ ଓ ଅନୁଗୁଳ ଜିଲାରେ ଥିବା କେଭିକେ ସମୂହ, ପ୍ରାଣୀସମ୍ପଦ ବିକାଶ ବିଭାଗ ଏବଂ ମତ୍ସ୍ୟଚାଷ ବିଭାଗ ଆଦି ବିବିଧ ସହଭାଗୀଙ୍କ ସହିତ ମିଶି କୃଷକ ଓ ମତ୍ସ୍ୟଜୀବିଙ୍କୁ ପରାମର୍ଶ ଦିଆଯାଇଥିଲା।