Categories
ଆଜିର ଖବର ରାଜ୍ୟ ଖବର

ଏସସି/ଏସଟି ପ୍ରାର୍ଥୀଙ୍କ ପାଇଁ ମାସିକ ୧ହଜାର ଟଙ୍କାର ଷ୍ଟାଇପେଣ୍ଡ ସହ ନିଯୁକ୍ତି ଭିତ୍ତିକ ତାଲିମର ସୁଯୋଗ

ଭୁବନେଶ୍ୱର: ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଚାକିରି ଆଶାୟୀଙ୍କ ପାଇଁ ଭୁବନେଶ୍ୱରସ୍ଥିତ ଭାରତ ସରକାରଙ୍କ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଅଧୀନ ଏସସି/ଏସଟି ଜାତୀୟ କ୍ୟାରିଅର ସେବା କେନ୍ଦ୍ର ଏକ ଅଭିନବ ସୁଯୋଗ ଆଣିଛି। ଏସସି/ଏସଟି ବର୍ଗର ଚାକିରି ଆଶାୟୀ ପ୍ରାର୍ଥୀମାନେ ଏଠାରେ ସ୍ୱତନ୍ତ୍ର ତାଲିମ, ଓ’ଲେଭଲ୍‌ ସଫ୍ଟୱେର ତାଲିମ, ଓ’ ଲେଭଲ ବର୍ଷିକିଆ କମ୍ପ୍ୟୁଟର ହାର୍ଡୱେର ତାଲିମ (ସିଏଚଏମ), ଅଫିସ ଅଟୋମେସନ, ଆକାଉଣ୍ଟିଂ ଓ ପବ୍ଲିଶିଂ ଆସିଷ୍ଟାଣ୍ଟ, କମ୍ପ୍ୟୁଟର ଆପ୍ଲିକେସନ ଓ ବିଜନେସ ଆକାଉଣ୍ଟିଂ ଆସୋସିଏଟ୍‌, ସାଇବର ସିକ୍ୟୁର୍‌ଡ୍‌ ୱେବ୍‌ ଡେଭଲପେମେଣ୍ଟ ଆସୋସିଏଟ୍‌ ପ୍ରୋଗ୍ରାମରେ ପ୍ରଶିକ୍ଷଣ ହାସଲ କରିପାରିବେ।

ସେମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ତାଲିମ ଦିଆଯିବା ସହିତ ମାସିକ ୧୦୦୦ ଟଙ୍କାର ଷ୍ଟାଇପେଣ୍ଡ ମିଳିବ। ୧୮ରୁ ୩୦ ବର୍ଷ ବୟସର ପ୍ରାର୍ଥୀ ଯେଉଁମାନଙ୍କର ପରିବାରର ବାର୍ଷିକ ଆୟ ୩ ଲକ୍ଷ ଟଙ୍କାରୁ କମ ସେମାନେ ଏହାର ଲାଭ ପାଇପାରିବେ। ଏଥିପାଇଁ ଆଶାୟୀମାନେ www.ncs.gov.in ଏବଂ www.dge.gov.in ପରିଦର୍ଶନ କରିବା ସହିତ ଏସସି/ଏସଟିଙ୍କ ପାଇଁ ଜାତୀୟ କ୍ୟାରିଅର ସେବା କେନ୍ଦ୍ର ଭୁବନେଶ୍ୱରରେ ସେମାନଙ୍କର ଆବେଦନ ଦାଖଲ କରିପାରିବେ।

ଏହି ତାଲିମ ପାଠ୍ୟକ୍ରମ ପାଇଁ ଆବେଦନର ଶେଷ ତାରିଖ ଆସନ୍ତା ଜୁନ୍‌ ୧୬ ତାରିଖ ହୋଇଥିବା ବେଳେ ତାଲିମ ଜୁଲାଇ ପହିଲାରୁ ଆରମ୍ଭ ହେବ। ଆଶାୟୀ ପ୍ରାର୍ଥୀମାନେ ଭୁବନେଶ୍ୱର ଗଣ୍ଡମୁଣ୍ଡା ପୋଖରୀପୁଟ ସ୍ଥିତ ମଧୁସୂଦନ ପାର୍କ ସାମ୍ନା ଏସସି/ଏସଟିଙ୍କ ପାଇଁ ଜାତୀୟ କ୍ୟାରିଅର ସେବା କେନ୍ଦ୍ର କାର୍ଯ୍ୟାଳୟରେ ଯୋଗାଯୋଗ କରିପାରିବେ।

Categories
ଆଜିର ଖବର ରାଜ୍ୟ ଖବର

ସ୍ୱତନ୍ତ୍ର ନିଯୁକ୍ତି ମେଳା: ବିଭିନ୍ନ ସଂସ୍ଥାର ୧୪୫ ଜଣ ଦିବ୍ୟାଙ୍ଗଙ୍କୁ ମିଳିଲା ନିଯୁକ୍ତି

ଭୁବନେଶ୍ୱର: ଦିବ୍ୟାଙ୍ଗମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ନିଯୁକ୍ତି ମେଳା ଭୁବନେଶ୍ୱର ଠାରେ ଆୟୋଜିତ ହୋଇଯାଇଛି। ଦିବ୍ୟାଙ୍ଗଙ୍କ ପାଇଁ ଜାତୀୟ କ୍ୟାରିଅର ସେବା କେନ୍ଦ୍ର (ଏନସିଏସସିଡିଏ), ଭୁବନେଶ୍ୱର, ଭାରତ ସରକାରଙ୍କ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଏବଂ ଭୁବନେଶ୍ୱରସ୍ଥିତ ଡକ୍ଟର ରେଡ୍ଡିଜ୍ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଏହି ନିଯୁକ୍ତି ମେଳା ଆୟୋଜନ କରାଯାଇଥିଲା।

ଖଣ୍ଡଗିରି ଗଣ୍ଡମୁଣ୍ଡାସ୍ଥିତ ଏନସିଏସସିଡିଏର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ନିଯୁକ୍ତି ମେଳାରେ ରିଲାଏନ୍ସ ସିକ୍ୟୁରିଟିଜ୍ ଲିମିଟେଡ, ଲେମନ୍ ଟ୍ରି ହୋଟେଲ୍ସ, ବିପିଓ କନଭର୍ଜେନ୍ସ, ପାରାମିଟର ସଫ୍ଟୱେର ପ୍ରାଇଭେଟ୍ ଲିମିଟେଡ୍, ତତ୍ତ୍ବ ଟେକ୍ନୋଲୋଜି ଲିମିଟେଡ୍ ଆଦି ୧୩ଟି କମ୍ପାନୀ ଅଂଶଗ୍ରହଣ କରିଥିଲେ। ନିଯୁକ୍ତି ମେଳାରେ ବାକ୍ଶକ୍ତି ଓ ଶ୍ରବଣଶକ୍ତି ବାଧିତ, ଚାଲିବାକୁ ଅକ୍ଷମ ଦିବ୍ୟାଙ୍ଗମାନେ ସାକ୍ଷାତକାର ଦେଇଥିଲେ। ଶିବିରରେ ୧୮ରୁ ୩୫ ବର୍ଷ ବୟସ୍କ ମୋଟ୍୧୬୮ ଜଣ ଦିବ୍ୟାଙ୍ଗ ପ୍ରାର୍ଥୀ ଅଂଶଗ୍ରହଣ କରିଥିବା ବେଳେ ୧୪୫ ଜଣ ପ୍ରାର୍ଥୀଙ୍କୁ ବିଭିନ୍ନ କମ୍ପାନୀରେ ନିଯୁକ୍ତି ପାଇଁ ଚୟନ କରାଯାଇଥିଲା।

ଏହି ନିଯୁକ୍ତି ମେଳାରେ ରାଜ୍ୟ ଦିବ୍ୟାଙ୍ଗ ଆୟୁକ୍ତ ସୁଲୋଚନା ଦାସ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଏପରି ନିଯୁକ୍ତି ମେଳା ବର୍ତ୍ତମାନ ସମୟର ଆବଶ୍ୟକତା ଏବଂ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଏଭଳି ଶିବିର ଆୟୋଜନ କରାଯିବା ଉଚିତ୍।

ଭୁବନେଶ୍ୱର ଏନସିଏସସିଡିଏର ଅତିରିକ୍ତ ନିର୍ଦ୍ଦେଶକ (ନିଯୁକ୍ତି) ସୁଜିତ କୁମାର ସାହୁ, ମନସ୍ତତ୍ତ୍ବବିତ୍ ଶ୍ରୀମତୀ ସୋନାଲିକା ସୁମନଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଭୁବନେଶ୍ୱରସ୍ଥିତ ଡକ୍ଟର ରେଡିଜ୍ ଫାଉଣ୍ଡେସନର ଅମିତ କୁମାର ଦାଶ, ଖୋର୍ଦ୍ଧା ଜିଲ୍ଲା ନେହରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ବିପିନ କୁମାରଙ୍କ ସମେତ ସ୍ଵେଚ୍ଛାସେବୀମାନେ ଆବଶ୍ୟକ ସହାୟତା ଯୋଗାଇ ଦେଇଥିଲେ।

ଶେଷରେ ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସାହୁ ଶିବିରରେ ଯୋଗ ଦେଇଥିବା ସମସ୍ତ ନିଯୁକ୍ତିଦାତାମାନଙ୍କୁ ପ୍ରମାଣପତ୍ର ବାଣ୍ଟିଥିଲେ ଏବଂ ଶିବିରରେ ଅଂଶଗ୍ରହଣ କରିବା ଲାଗି ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ୧୮ ତାରିଖରେ ଭିନ୍ନକ୍ଷମଙ୍କ ପାଇଁ ଜାତୀୟ କ୍ୟାରିଅର ସେବା କେନ୍ଦ୍ର ପକ୍ଷରୁ କ୍ଷୁଦ୍ର ନିଯୁକ୍ତି ମେଳା

ଭୁବନେଶ୍ୱର: ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଅଧୀନ ଭିନ୍ନକ୍ଷମଙ୍କ ପାଇଁ ଜାତୀୟ କ୍ୟାରିଅର ସେବା କେନ୍ଦ୍ର, ଭୁବନେଶ୍ୱର ପକ୍ଷରୁ ଏକ କ୍ଷୁଦ୍ର ନିଯୁକ୍ତି ମେଳା ଆୟୋଜନ କରାଯାଉଛି। ସନସିଡ୍ ଆଗ୍ରୋ ଲିମିଟେଡର ମିଳିତ ସହଯୋଗରେ ଆସନ୍ତା ୧୮ ତାରିଖରେ ଏହି ନିଯୁକ୍ତି ମେଳା ଆୟୋଜିତ ହେବ। ଦିବ୍ୟାଙ୍ଗ ଏବଂ ସାଧାରଣ ବର୍ଗର ନିଯୁକ୍ତି ଆଶାୟୀମାନେ ଏଥିରେ ଅଂଶଗ୍ରହଣ କରିପାରିବେ। ପ୍ରଡକ୍ଟ ମାର୍କେଟିଂ, ସେଲ୍ସ ଓ ସୁପରିଭିଜନ କ୍ଷେତ୍ରରେ ଖାଲିଥିବା ୧୫୫ଟି ପଦବୀ ପାଇଁ ଏହି ନିଯୁକ୍ତି ମେଳା ଆୟୋଜନ କରାଯିବ। ୨୧ରୁ ୩୩ ବର୍ଷ ବୟସ ମଧ୍ୟରେ ପ୍ରାର୍ଥୀ ଏଥିରେ ଅଂଶଗ୍ରହଣ କରିପାରିବେ।

ଆଶାୟୀ ପ୍ରାର୍ଥୀମାନଙ୍କୁ ସମସ୍ତ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର, ଆଧାର କାର୍ଡ, ପାସପୋର୍ଟ ସାଇଜର ଫଟୋ, ଦିବ୍ୟାଙ୍ଗ ପ୍ରମାଣପତ୍ର (ଦିବ୍ୟାଙ୍ଗ ହୋଇଥିଲେ) ଏବଂ ବାୟୋଡାଟା ସହିତ ଏହି ମେଳାରେ ଭାଗ ନେବା ଲାଗି ଅନୁରୋଧ କରାଯାଉଛି। ଆସନ୍ତା ୧୮ ତାରିଖ ପୂର୍ବାହ୍ନ ୯ଟାରୁ ଅପରାହ୍ଣ ୨ଟା ମଧ୍ୟରେ ଜାତୀୟ କ୍ୟାରିଅର ସେବା କେନ୍ଦ୍ର, ପ୍ଲଟ ନମ୍ବର-୧,୨,୫ ଏବଂ ୬, ଗଣ୍ଡମୁଣ୍ଡା, ପୋଖରୀପୁଟ, ଭୁବନେଶ୍ୱର (ମଧୁସୂଦନ ଦାସ ପାର୍କ ସମ୍ମୁଖ) ଠିକଣାରେ ପହଞ୍ଚି ପ୍ରାର୍ଥୀମାନେ ଏହି ମେଳାରେ ଭାଗ ନେଇପାରିବେ।