ପୁରୀ: ଆଜି ତିନି ରଥ ଗୁଣ୍ଡିଚା ମନ୍ଦିରରେ ଲାଗିପାରିଲେ ନାହିଁ। ଏପରିକି ପ୍ରଭୃ ଜଗନ୍ନାଥ ସଂଧ୍ୟା ପର୍ଯ୍ୟନ୍ତ ସିଂହଦ୍ବାରରୁ ହଟିଲେ ନାହିଁ। ଫଳରେ କଣ ହେବ କେମିତି ରଥଟଣା ହେବ ସେ ନେଇ ସୃଷ୍ଟି ହେଲା ଦ୍ବନ୍ଦ। ରଥ ଟଣା ନ ହେଲେ ପରଂପରା ନଷ୍ଟ ହେବ ବୋଲି ଆଶଙ୍କା କରି ସଂଧ୍ୟା ସାତଟା ପରେ ନନ୍ଦିଘୋଷ ରଥକୁ ସାମାନ୍ୟ ସିଂହଦ୍ବାରରୁ ଆଗକୁ ନେଲେ। ତେବେ ରଥ ଟଣାରେ ଏପରି କାହିଁକି ବିଳମ୍ବ ହେଲା ବୋଲି ବିଭିନ୍ନ ମହଲରେ ବିବାଦ ସୃଷ୍ଟି ହୋଇଛି।
ଆଜି ସକାଳେ ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇଥିଲା ରଥଯାତ୍ରାର ନୀତି କାନ୍ତି। କେବଳ ପହଣ୍ଡି ବେଳେ ସାମାନ୍ୟ ବିଲମ୍ବ ହୋଇଥିଲେ ମଧ୍ୟ ପରବର୍ତ୍ତି ସମୟରେ ତାହା ଠିକ୍ ହୋଇଥିଲା। ଆଜି ଅପରାହ୍ନ ୪ଟା ୫ ରେ ପ୍ରଥମେ ବଳଭଦ୍ରଙ୍କ ରଥ ଟଣାଯାଇଥିଲା। ହେଲେ ପ୍ରତି ମୂହୁର୍ତ୍ତରେ ବଳଭଦ୍ରଙ୍କ ରଥ ମୋଡ ନେଉଥିଲା। ତାହାକୁ ଠିକ କରି ପୁଣି ରଥ ଟଣା ହେବା ଦ୍ବାରା ସେଥିରେ ବହୁ ବିଳମ୍ବ ଘଟିଥିଲା।
ଏହାପରେ ସୁଭଦ୍ରାଙ୍କ ରଥ ଟଣା ହୋଇଥିଲା। ହେଲେ ବଳଭଦ୍ରଙ୍କ ରଥ ଆଗରେ ଅଟକି ରହିବାରୁ ସୁଭଦ୍ରା ରଥ କିଛିବାଟ ଯିବା ପରେ ଆଉ ଆଗକୁ ଯାଇପାରି ନ ଥିଲା। ହେଲେ ପ୍ରଭୃ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଆଦୌ ଟଣାଯାଇ ପାରିଲା ନାହିଁ। ସେତେବେଳକୁ ପ୍ରାୟ ସଂଧ୍ୟା ହୋଇଯାଇଥିବାରୁ ରଥ ଟଣା ହେବାକୁ ନେଇ ଦ୍ବନ୍ଦ ସୃଷ୍ଟି ହୋଇଥିଲା। କାରଣ ସଂଧ୍ୟାରେ ରଥ ଟଣା ହୋଇପାରିବ ନାହିଁ ଅନ୍ୟପଟେ ରଥ ଆଦୌ ଟଣା ନ ହେଲେ ପରଂପରା ଭଙ୍ଗ ହେବ ବୋଲି କୁହାଗଲା।
ଏହିପରି ଦ୍ବନ୍ଦ ମଧ୍ୟରେ ପ୍ରାୟ ସଂଧ୍ୟା ସାତ ଟା ତିରିଶ ବେଳକୁ ପରଂପରା ଭଂଗ ହେବା ଭୟରେ ନନ୍ଦିଘୋଷ ରଥକୁ ସିଂହଦ୍ବାରର ଅଳ୍ପ ବାଟକୁ ଟଣାଯାଇଥିଲା। ହେଲେ ଏହାକୁ ନେଇ ବିଭିନ୍ନ ମହଲରେ ବିବାଦ ସୃଷ୍ଟି ହୋଇଛି। ପ୍ରଶ୍ନ ଉଠିଛି ଯେ ରଥ ଟଣାରେ କାହିଁକି ବିଳମ୍ବ ହେଲା। ସଂଧ୍ୟା ପୂର୍ବରୁ କାହିଁକି ନନ୍ଦିଘୋଷ ରଥକୁ ଆଗକୁ ଟିକିଏ ନିଆଗଲା ନାହିଁ। ଏହିପରି ବିଭିନ୍ନ ପ୍ରଶ୍ନ ମଧ୍ୟରେ ଭକ୍ତମାନେ ଅସନ୍ତୋଷ ଥିବାର ପରିଲକ୍ଷିତ ହୋଇଛି।
ସବିଶେଷ ଖବର ଅନୁସାରେ ବର୍ତ୍ତମାନ ବଳଗଣ୍ଡି ଛକରେ ଅଟକିଛି ବଳଭଦ୍ରଙ୍କ ରଥ ଏବଂ ମରିଚିକୋଟ ଛକରେ ଅଟକିଛି ମା ସୁଭଦ୍ରାଙ୍କ ରଥ। ସିଂହଦ୍ଵାର ସାମ୍ନାରେ କିଛି ବାଟ ଯାଇ ଅଟକିଛି ନନ୍ଦିଘୋଷ ରଥ। ତେବେ ଏହାକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ଯେ, ଆସନ୍ତାକାଲି ସକାଳ ନଅ ଟାରେ ପୁଣି ଥରେ ରଥ ଟଣା ଯିବ।