Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୁରୀ ବେଳାଭୂମିରେ ନୌସେନା ପକ୍ଷରୁ ସମରାଭ୍ୟାସ

ଭୁବନେଶ୍ଵର: ପୁରୀର ବ୍ଲୁ ଫ୍ଲାଗ ବିଚରେ ଆଗାମୀ ଡିସେମ୍ବର ୪ତାରିଖ ନୌସେନା ଦିବସ ପାଳନ ହେବ। ପ୍ରଥମ ଥର ପାଇଁ ଓଡ଼ିଶାରେ ନୌସେନାର ପରାକ୍ରମ ଓ ଯୁଦ୍ଧ କୌଶଳ ଦେଖିବାକୁ ମିଳିବ।  ଏଥିପାଇଁ ନୌସେନାର ସମରସଜ୍ଜା ଚାଲିଛି। ନୌସେନାର ଯୁଦ୍ଧଜାହାଜ ପୁରୀ ସମୁଦ୍ର ଉପକୂଳରେ ପହଞ୍ଚିବା ଆରମ୍ଭ କରିଛି। ବୀରତ୍ୱ, ପରାକ୍ରମ, ଯୁଦ୍ଧକୌଶଳର ପ୍ରଦର୍ଶନ ପାଇଁ ପୁରୀ ବେଳାଭୂମିରେ ନୌସେନା ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ବ୍ଲୁ ଫ୍ଲାଗ ବେଳାଭୂମିରେ ଯୁଦ୍ଧ ଟ୍ୟାଙ୍କ, ମାର୍କୋସ କମାଣ୍ଡୋ ବାହିନୀ ବିଭିନ୍ନ ସାମରିକ ଉପକରଣ ନେଇ ସମରାଭ୍ୟାସ କରିଛି।

ନୌସେନା ଦିବସରେ ଏୟାର ଶୋ’ ମଧ୍ୟ ଆକର୍ଷଣ ସାଜିବ। ରାଷ୍ଟ୍ରପତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ନୌସେନାର ସାମରିକ କଳାକୌଶଳ ଓ ବୀରତ୍ୱର ପ୍ରଦର୍ଶନ ଦେଖିବେ।  ଭାରତୀୟ ନୌସେନାର ସୈନିକଙ୍କ ଦ୍ୱାରା ଚିତାକର୍ଷକ ରାଇଫଲ ଶୋ, ପରେଡ଼ ମଧ୍ୟ ପ୍ରଦର୍ଶିତ ହେବ। ଏଥିପାଇଁ ମଧ୍ୟ ପ୍ରସ୍ତୁତି ଅଭ୍ୟାସ ଅନୁଷ୍ଠିତ ହୋଇଛି। ନୌସେନା ଦିବସ ଆୟୋଜନକୁ ନେଇ ସ୍ଥାନୀୟ ଲୋକେ ଓ ପର୍ଯ୍ୟଟକ ବେଶ୍ ଆନନ୍ଦ ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ ରାଷ୍ଟ୍ରପତିଙ୍କ ଆଗମନକୁ ନେଇ ସମସ୍ତ ବ୍ୟବସ୍ଥା କରାଯାଇଛି। ନୌସେନା ଦିବସ ନିମନ୍ତେ ଗୁରୁବାରଠାରୁ ପୁରୀ ସମୁଦ୍ରରେ ମାଛ ମାରିବା ଉପରେ କଟକଣା ଜାରି କରାଯାଇଛି। ପର୍ଯ୍ୟଟକମାନଙ୍କ ନିମନ୍ତେ ମଧ୍ୟ ବେଳାଭୂମିକୁ ଯିବା ଉପରେ କଟକଣା ଜାରି କରାଯାଇଛି।

ଅନ୍ୟପକ୍ଷରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଛି। ଡିସେମ୍ବର ୪ ତାରିଖରେ ଶ୍ରୀମନ୍ଦିର ନୀତି ଶୃଙ୍ଖଳା ନେଇ ଆଲୋଚନା କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପ୍ରସ୍ତୁତି ସମୀକ୍ଷା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପୁରୀ ବେଳାଭୂମିରେ ଡିସେମ୍ବର ୪ରେ ଅନୁଷ୍ଠିତ ହେବ ଭାରତୀୟ ନୌସେନାର ସମରାଭ୍ୟାସ

ଭୁବନେଶ୍ଵର: ଚଳିତ ବର୍ଷ ନୌସେନା ଦିବସ ଉପଲକ୍ଷେ ଆସନ୍ତା ଡିସେମ୍ବର ୪ ତାରିଖରେ ପୁରୀର ବ୍ଲୁ ଫ୍ଲାଗ୍‌ ବେଳାଭୂମିରେ ଭାରତୀୟ ନୌସେନାର ସମରାଭ୍ୟାସ ଅନୁଷ୍ଠିତ ହେବ । ଏହି ‘ଅପରେସନ ଡେମୋନଷ୍ଟ୍ରେସନ୍‌’ ବା ପରିଚାଳନାଗତ ପ୍ରଦର୍ଶନରେ ନୌସେନା ନିଜର ଅଜେୟ ସାମୁଦ୍ରିକ କ୍ଷମତା ଓ ଶକ୍ତି ପ୍ରଦର୍ଶନ କରିବା ଲାଗି ପ୍ରସ୍ତୁତି କରିଛି। ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମ ନୌସେନାର ବହୁମୁଖୀ କ୍ଷମତାକୁ ପ୍ରଦର୍ଶିତ କରିବ, ନାଗରିକଙ୍କ ମଧ୍ୟରେ ସମୁଦ୍ରକୁ ନେଇ ସଚେତନତା ବୃଦ୍ଧି କରିବ ଏବଂ ଭାରତର ସମୃଦ୍ଧ ସାମୁଦ୍ରିକ ଐତିହ୍ୟକୁ ସମ୍ମାନ ପ୍ରଦର୍ଶନ କରିବାରେ ସହାୟକ ହେବ।

ପ୍ରାଚୀନ ବ୍ଲୁ ଫ୍ଲାଗ୍‌ ବେଳାଭୂମିର ପରିଦୃଶ୍ୟରେ ଆୟୋଜିତ ହେବାକୁ ଥିବା ପରିଚାଳନାଗତ ପ୍ରଦର୍ଶନ ଭାରତୀୟ ନୌସେନା ଏବଂ ଓଡ଼ିଶା ରାଜ୍ୟର ସାମୁଦ୍ରିକ ଐତିହ୍ୟ ମଧ୍ୟରେ ସମ୍ପର୍କର ପ୍ରତୀକ।

ଭାରତୀୟ ନୌସେନା ଏହି ଆୟୋଜନକୁ ସୁଚାରୁ ରୂପେ ପରିଚାଳନା କରିବା ଲାଗି ଓଡ଼ିଶା ରାଜ୍ୟ ସରକାର ଏବଂ ସ୍ଥାନୀୟ ଅଧିକାରୀଙ୍କ ସହ ମିଶି କାମ କରୁଛି। ଏହି ଆୟୋଜନରେ ସ୍ଥାନୀୟ ଦର୍ଶକ ଓ ପର୍ଯ୍ୟଟକଙ୍କ ପାଇଁ ବସିବାର ବ୍ୟବସ୍ଥା କରାଯିବ, ଯାହାଦ୍ୱାରା ସମସ୍ତଙ୍କୁ ସମୁଦ୍ର ଉପକୂଳରୁ ପ୍ରତ୍ୟକ୍ଷ ଭାବେ ନୌସେନାର ସାମର୍ଥ୍ୟ ପ୍ରଦର୍ଶନ ଦେଖିବାର ସୁଯୋଗ ମିଳିବ। ଏହି କାର୍ଯ୍ୟକ୍ରମକୁ ଜାତୀୟ ଟେଲିଭିଜନ ଚାନେଲରେ ସିଧା ପ୍ରସାରଣ ମଧ୍ୟ କରାଯିବ ଏବଂ ଅଧିକରୁ ଅଧିକ ଦର୍ଶକଙ୍କ ନିକଟରେ ଏହାକୁ ପହଞ୍ଚାଇବା ଲାଗି ଏହାକୁ ଭାରତୀୟ ନୌସେନାର ୟୁଟ୍ୟୁବ୍‌ ଚାନେଲରେ ମଧ୍ୟ ସିଧା ପ୍ରସାରଣ କରାଯିବ।