Categories
ଆଞ୍ଚଳିକ ରାଜ୍ୟ ଖବର

ସରକାରୀ ଯୋଜନା କାହା ପାଇଁ: ଆଜି ବି ପଲିଥିନ୍‌ ତଳେ ବିତୁଛି ଜୀବନ

କନ୍ଦର୍ପ ବେହେରା

ରେଢାଖୋଲ: ବାସହୀନଙ୍କ ପାଇଁ ରାଜ୍ୟସରକାରଙ୍କଠାରୁ ଆରମ୍ଭ କରି କେନ୍ଦ୍ର ସରକାର ବହୁ ପ୍ରକାର ଯୋଜନା କରିଛନ୍ତି। ଗରିବଙ୍କୁ ଘରଟିଏ ଦେବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାଠାରୁ ଆରମ୍ଭ କରି ବିଜୁ ପକ୍କାଘର ଯୋଜନା ଆଦି ରହିଛି। ଗରିବଙ୍କ ପାଇଁ ସରକାର ବିଭିନ୍ନ ପ୍ରକାରର ଜନହିତକର କାର୍ଯ୍ୟ ତଥା ସହାୟତାମୂଳକ ପଦକ୍ଷେପ ନେଉଥିବାବେଳେ ଏହାର ଲାଭ କିଏ ପାଉଛି ? ସତରେ କ’ଣ ଜଣେ ହିତାଧିକାରୀ ଏହି ସମସ୍ତ ସୁବିଧା ପାଇପାରୁଛି। ଏହାର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲାରେ।

ସମ୍ବଲପୁର ଜିଲ୍ଲାର ନାକ୍‌ଟିଦେଉଳ ବ୍ଲକ୍‌ ଅନ୍ତର୍ଗତ ଡଇଁଚା ଗ୍ରାମର ନିବାସୀ ହେଉଛନ୍ତି ଶେଷଦେବ ପଧାନ। ଆଜି ବି ସେ ପଲିଥିନ୍‌ ତଳେ ଜୀବନ ବିତାଉଛନ୍ତି। ୬ ପ୍ରାଣୀ କୁଟୁମ୍ବକୁ ନେଇ ତାଙ୍କ ସଂସାର। ଗରିବ ଖଟିଖିଆଙ୍କ ପାଇଁ ସରକାରଙ୍କ ତରଫରୁ ପୁଞ୍ଜା ପୁଞ୍ଜା ଯୋଜନା ରହିଥିବାବେଳେ ଶେଷଦେବଙ୍କ ପାଇଁ ଏସବୁ ସ୍ବପ୍ନ ପାଲଟିଛି। ପକ୍କା ଘରଟିଏ ପାଇବା ପାଇଁ ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଡିଓ ଓ ଜିଲ୍ଲାପାଳଙ୍କୁ ବହୁବାର ଅନୁରୋଧ କରି ଚିଠି ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କୁ ସୁଫଳ ମିଳିପାରିନାହିଁ। ତାଙ୍କ କହିବାନୁସାରେ ୪ରୁ ୫ ବର୍ଷ ହେବ ତାଙ୍କ ନାମ ଘର ହେବା ପାଇଁ ଅର୍ଡର ଆସୁଥିବାବେଳେ ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କ ପାଖରେ ଏହା ପହଞ୍ଚିପାରୁନାହିଁ। ଅସହାୟ ଭାବରେ ଜୀବନ ବିତାଉଥିବା ଶେଷଦେବ ଦିନରେ ଖରା, ରାତ୍ରିରେ ଜହ୍ନ ଏପରିକି ବର୍ଷାରେ ଜଳ ଭିତରେ ବୁଡି ରହୁଥିବାବେଳେ ସରକାରୀ ଯୋଜନାର ବଞ୍ଚିତ ଶେଷଦେବଙ୍କୁ ନ୍ୟାୟ ମିଳିବ କେବେ? ଜିଲ୍ଲା ପ୍ରଶାସନ ତଥା ରାଜନୈତିକ ନେତାମାନଙ୍କର ଏନେଇ କୌଣସି ନିଘା ନାହିଁ। ଘର ପାଇବାରୁ ବଞ୍ଚିତ ହୋଇ କ୍ଷୋଭ ପ୍ରକାଶ କରି ଶେଷଦେବ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଏନେଇ ଚିଠି ଲେଖିବି।  ଯଦି ମୁଖ୍ୟମନ୍ତ୍ରୀ ତାଙ୍କର ଏହି ଦୁଃଖ ନ ଶୁଣନ୍ତି ତେବେ ସେ ଜିଲ୍ଲାପାଳଙ୍କ ଘର ସମ୍ମୁଖରେ ଅନଶନ କରିବେ।

ସରକାର ଯୋଜନାଗୁଡ଼ିକ ପ୍ରଣୟନ କରିଦେଉଛନ୍ତି ସତ, କିନ୍ତୁ ଏହା ସତରେ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚୁଛି କି ନାହିଁ, ତା’ର ତଦାରଖ କରିବା ମଧ୍ୟ ସରକାରଙ୍କର। ଏଦିଗରେ ସରକାର ଟିକେ ଦୃଷ୍ଟି ଦେଲେ ଶେଷଦେବଙ୍କ ପରି ବହୁ ଖଟିଖିଆ ଗରିବ ଲୋକମାନେ ସରକାରୀ ଯୋଜନାର ସୁଫଳ ପାଇପାରନ୍ତେ।

Categories
ଆଞ୍ଚଳିକ ରାଜ୍ୟ ଖବର

କିଏ ଶୁଣିବ ବସୁଦେବଙ୍କ ଦୁଃଖ, ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି ଅସଲ ହିତାଧିକାରୀ

ସମୀକ୍ଷା ବ୍ୟୁରୋ

କର୍ଲାମୁଣ୍ଡା, ୨୮/୧୨: ଭିନ୍ନକ୍ଷମ ତଥା ଅସହାୟ ଲୋକଙ୍କ ପାଇଁ ସରକାର ବିଭିନ୍ନ ପ୍ରକାରର ସରକାରୀ ସୁବିଧାର ବ୍ୟବସ୍ଥା କରିଥିବାବେଳେ ପ୍ରକୃତ ହିତାଧିକାରୀମାନେ ଏଥିରୁ ବଂଚିତ ହେଉଛନ୍ତି। ଏପରି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରେଗଡା ଗ୍ରାମପଞ୍ଚାୟତର ରେଗଡା ଗ୍ରାମରେ। ଏହି ଗ୍ରାମର ଜଣେ ବାସିନ୍ଦା ହେଉଛନ୍ତି ବସୁଦେବ ସାହୁ। ବୟସ ତାଙ୍କୁ ୩୨ ବର୍ଷ। ପିତାଙ୍କ ନାମ ହେଉଛି କାର୍ତ୍ତିକ ସାହୁ। ଜନ୍ମରୁ ପୋଲିଓ ଆକ୍ରାନ୍ତ ହୋଇ ଗୋଟିଏ ଗୋଡ ସମ୍ପୂର୍ଣ୍ଣ ଭାବରେ ଅଚଳ ବସୁଦେବଙ୍କର। ଘରେ ତାଙ୍କୁ ମିଶାଇ ୭ଜଣ ଲୋକ। ଦୁଇ ପୁଅ, ସ୍ତ୍ରୀ, ବାପ ମାଆ ଓ ଆଉଜଣେ ଅନ୍ଧ ଭାଇ। ବଡ଼ପୁଅ ହେଉଥିବାରୁ ଘରର ସବୁ ବୋଝ ତାଙ୍କ ମୁଣ୍ଡ ଉପରେ। ରୋଜଗାରର ମାଧ୍ୟମ ହେଉଛି ଏକ ଛୋଟିଆ କେବିନ ଦୋକାନ। ଠିକ୍‌ରେ ଆୟ ହେଉନଥିବାରୁ ଦି ଓଳି ଦି’ ମୁଠା ଆହାର ଯୋଗାଡ କରିବା ବି କଷ୍ଟକର ହୋଇପଡୁଛି। ବୃଦ୍ଧ ବାପାମାଆଙ୍କ ଔଷଧ ଖର୍ଚ୍ଚ ସାଙ୍ଗକୁ ଦୁଇ ପିଲାଙ୍କ ପାଠପଢା ଓ ଅନ୍ଧ ଭାଇଙ୍କ ସେବା କରିବା ତାଙ୍କର ପାଖରେ ଅସମ୍ଭବ ହୋଇପଡୁଛି।

ସରକାରୀ ସହାୟତା ପାଇଁ ପଞ୍ଚାୟତଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ, କେହି ତାଙ୍କ ଗୁହାରିକୁ କର୍ଣ୍ଣପାତ କରିନାହାନ୍ତି। ସରକାରଙ୍କ ‘ମୋ ଦକ୍ଷତା’ ଯୋଜନରେ ସେଲସ୍‌ ମ୍ୟାନେଜମେଣ୍ଟରେ ଆବେଦନ କରିଥିଲେ ମଧ୍ୟ ତାଙ୍କୁ ସିକ୍ୟୁରିଟି ଗାର୍ଡର ଚାକିରି ମିଳିଥିଲା। ସେଠାରୁ ସେ ନିରୂପାୟ ହୋଇ ଫେରିଛନ୍ତି। ସରକାର ଦୁଃଖୀ ରଙ୍କୀ ପାଇଁ ଭିନ୍ନ ଭିନ୍ନ ଯୋଜନା ପ୍ରସ୍ତୁତ କରୁଥିଲେ ମଧ୍ୟ ଅସଲ ହିତାଧିକାରୀମାନେ ଏହି ଯୋଜନାରୁ ଲାଭ ପାଇପାରୁନାହାନ୍ତି। ଯୋଜନାର ଲାଭ ସଠିକ୍‌ ଲୋକ ପାଖରେ ପହଞ୍ଚିବା ନିମେନ୍ତ ସରକାର କଡ଼ା ପଦକ୍ଷେପ ନେଲେ, ଅନେକ ବସୁଦେବ ଦୁଃଖରୁ ଉଦ୍ଧାର ହୋଇପାରନ୍ତେ।