Categories
ଆଜିର ଖବର ରାଜ୍ୟ ଖବର

ଅବହେଳିତ ଶିଶୁଙ୍କ ସାମଗ୍ରିକ ବିକାଶ ହିଁ ଜାଗୋର ମୁଖ୍ୟ ଉଦ୍ଦେଶ୍ୟ: ସୋଆ ଉପସଭାପତି

ଭୁବନେଶ୍ୱର: ଜାଗୋ ଏକ ଆହ୍ୱାନ। ଏହା ଆରମ୍ଭ ହେବା ସମୟ ରୁ ହିଁ ସମାଜର ଅବହେଳିତ ଶିଶୁମାନଙ୍କର ଉନ୍ନତି କ୍ଷେତ୍ରରେ କାର୍ଯ୍ୟ କରିଆସୁଛି। ଏହି ଶିଶୁମାନଙ୍କର ସାମଗ୍ରିକ ବିକାଶ ହିଁ ଜାଗୋର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶାଶ୍ୱତୀ ଦାସ।

ସୋଆରେ ନାମ ଲେଖାଇଥିବା ନୂତନ ଛାତ୍ରଛାତ୍ରୀମାନଙ୍କୁ ଜାଗୋକୁ ନେଇ ଦିଗ୍‌ଦର୍ଶନ ଦେବାରକାର୍ଯ୍ୟକ୍ରମ ଅବସରରେ ସୋମବାର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ବାଂଶୁରୀଗୁରୁ ପ୍ରେକ୍ଷାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଶ୍ରୀମତି ଦାସ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ବର୍ତମାନ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ଏବଂ ପୂର୍ବତନ ଛାତ୍ରଛାତ୍ରୀମାନଙ୍କୁ ଜାଗୋରେ ସାମିଲ ହୋଇ ଅନେକ ଜନହିତକର କାର୍ଯ୍ୟ ହାତକୁ ନେଇଥିବାରୁ ସାଧୁବାଦ ଜଣାଇଥିଲେ।

ସୋଆ ନିଜର ଉତ୍କର୍ଷତାର ୩୦ ବର୍ଷର ଯାତ୍ରାରେ ଏକ ଉଜ୍ଜ୍ୱଳ ଭବିଷ୍ୟତ ଦିଗରେ ଅଗ୍ରସର ହେଉଥିବା ବେଳେ ଏଥି ନିମନ୍ତେ ବିଶ୍ୱବିଦ୍ୟାଳୟର ଫ୍ୟାକଲ୍ଟି, କର୍ମଚାରୀ ଓ ଛାତ୍ରଛାତ୍ରୀ ମାନଙ୍କର ଅବଦାନ ବିଷୟରେ ଶ୍ରୀମତି ଦାସ ଉଲ୍ଲେଖ କରିଥିଲେ।

ଅନେକ ସମୟରେ ଦାରିଦ୍ର‌୍ୟତା ଯୋଗୁଁ ଅନେକ ପ୍ରତିଭା ଲୁକ୍କାୟିତ ହୋଇ ରହିଯାଇଥାଆନ୍ତି
ଏବଂ ଏହା ଦ୍ୱାରା ସମାଜର ହିତସାଧନ ହୋଇପାରି ନଥାଏ। ଏଭଳି ଲୁକ୍କାୟିତ ପ୍ରତିଭାଙ୍କୁ ବାହାରକୁ ଆଣିବା ପଙ୍କରେ ପଦ୍ମ ଫୁଟାଇବା ସହ ସମାନ। ଏହା ହିଁ ଟିମ୍ ଜାଗୋର ଲକ୍ଷ୍ୟ। ଉପଯୁକ୍ତ ଶିକ୍ଷା, ସାମଗ୍ରିକ ବିକାଶ ଜରିଆରେ ସେମାନଙ୍କର ବ୍ୟକ୍ତିତ୍ୱ ନିର୍ମାଣ ପାଇଁ ଟିମ୍ ଜାଗୋ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ଯୋଗ ଦେଇ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଥିଲେ ଯେ ସୋଆକୁ ଡିମ୍‌ଡ ବିଶ୍ୱବିଦ୍ୟାଳୟର ମାନ୍ୟତା ୨୦୦୭ ଜୁଲାଇ ୧୭ ତାରିଖରେ ମିଳିଥିବା ବେଳେ ଏହାର କିଛି ମାସ ମଧ୍ୟରେ ଜାଗୋ ଟିମ୍ ପ୍ରତିଷ୍ଠା ହୋଇଥିଲା। ତେଣୁ ଟିମ୍ ଜାଗୋର ୧୭ ବର୍ଷର ଯାତ୍ରା ବେଶ ସଫଳ ବୋଲି କୁଳପତି କହିଥିଲେ। ଏଭଳି କାର୍ଯ୍ୟ ଦ୍ୱାରା ଛାତ୍ରଛାତ୍ରୀମାନେ ନିଜର ଭବିଷ୍ୟତକୁ ଉଜ୍ୱଳ କରିବା ସହ ନିଜକୁ ଉତମ ମଣିଷ ଭାବେ ଗଢ଼ିପାରିବେ ବୋଲି ପ୍ର୍ରଫେସର ନନ୍ଦ କହିଥିଲେ।

କାର୍ଯ୍ୟକ୍ରମରେ ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ), ଆଇଟିଇଆର, ପ୍ରଫେସର
ରେଣୁ ଶର୍ମା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍‌ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଏବଂ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ଡେଂଟାଲ୍ ସାଇନ୍‌ସେସ୍ (ଆଇଡିଏସ୍‌)ର ଡିନ୍ ପ୍ରଫେସର (ଡାକ୍ତର) ନୀତା ମହାନ୍ତି ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।

ଏହି ଅବସରରେ ଜାଗୋ ମେଂଟର ପ୍ରଫେସର ଅନିତା ପଣ୍ଡା କହିଥିଲେ ଜାଗୋର ପ୍ରତ୍ୟେକ ପିଲାଙ୍କମଧ୍ୟରେ ପ୍ରତିଭା ରହିଛି। ସେମାନଙ୍କୁ ପାଠପଢ଼ା ସହ କଳା, ସଂସ୍କୃତି ବିଷୟରେ ଶିକ୍ଷା ଦିଆଯାଇ ଦକ୍ଷ କରାଯାଉଛି ଏବଂ ସମାଜ ପ୍ରତି ଦାୟିତ୍ୱବୋଧ ସଂପର୍କରେ ସେମାନଙ୍କୁ ଅବଗତ କରାଯାଉଛି ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ଶିଶୁମାନଙ୍କ ଦ୍ୱାରା ଏବଂ ଟିମ୍ ଜାଗୋର ସଦସ୍ୟ ମାନଙ୍କ ଦ୍ୱାରା ସାଂସ୍କୃତିକ
କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଆଇଟିଇଆର୍ ଡିନ୍ ପ୍ରଫେସର ପି.କେ.ସାହୁ , ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ଏବଂ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ପ୍ରଫେସର ଡାକ୍ତର ବସନ୍ତ କୁମାର ପତି ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ଦେଶର ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକର ସାମଗ୍ରିକ ବିକାଶ ପାଇଁ ଖର୍ଚ୍ଚ ହେବ ୫୮, ୭୦୦ କୋଟି

ନୂଆଦିଲ୍ଳୀ: କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ କହିଛନ୍ତି ଯେ, ସାଗରମାଳା ପ୍ରକଳ୍ପର ସଫଳତା ଆଧାରରେ ତାଙ୍କ ମନ୍ତ୍ରଣାଳୟ ଦେଶର ସମୁଦ୍ର ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକର ସାମଗ୍ରିକ ବିକାଶ ପାଇଁ ଏକ ଯୋଜନା ପ୍ରସ୍ତୁତ କରିଛି। ଏହି କାର୍ଯ୍ୟକ୍ରମ ସାଗରମାଳା ଯୋଜନା ଅଧୀନରେ କାର୍ଯ୍ୟକାରୀ ହେବ।

ଜାତୀୟ ସାଗରମାଳା ଶୀର୍ଷ କମିଟି (ଏନ୍‌ଏସ୍‌ଏସି)ର ଏକ ବୈଠକ ପରେ ମନ୍ତ୍ରୀ ଶ୍ରୀ ସୋନୋୱାଲ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ବିଭିନ୍ନ ସମ୍ପୃକ୍ତ ପକ୍ଷଙ୍କ ସହ ଏକାଧିବାର ଆଲୋଚନା ଓ ବିଚାର ବିମର୍ଶ ପରେ ଦେଶର ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ୫୬୭ଟି ବିକାଶମୂଳକ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି। ଚିହ୍ନଟ ହୋଇଥିବା ଏହି ପ୍ରକଳ୍ପଗୁଡିକ କନ୍‌ଭରଜେନ୍ସ ମୋଡ୍ (କେନ୍ଦ୍ରାଭିମୁଖୀ ବ୍ୟବସ୍ଥା)ରେ କାର୍ଯ୍ୟକାରୀ ହେବ ଏବଂ ଏଥିପାଇଁ ୫୮,୭୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି।

ସେ କହିଛନ୍ତି ଯେ ସାଗରମାଳା ଯୋଜନାରେ ବନ୍ଦର ଓ ବନ୍ଦର ସଂଯୋଗକୁ ଗୁରୁତ୍ୱ ପ୍ରଦାନ କରାଯାଇ ପରିବହନ ଓ ରପ୍ତାନୀ ଆମଦାନୀ ଖର୍ଚ୍ଚ ଯଥେଷ୍ଟ କମାଇବାକୁ ଗୁରୁତ୍ୱ ଦିଆଯାଉଛି। ତେବେ ଉପକୂଳ ଜିଲ୍ଲାଗୁଡିକର ସାମଗ୍ରିକ ବିକାଶ ଯୋଜନାର ଲକ୍ଷ୍ୟ ହେଲା ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ମୌଳିକ ଭିତ୍ତିଭୂମିର ଯେଉଁ ଅଭାବ ରହିଛି  ତାହାକୁ ଦୂର କରିବା ଏବଂ ଏହା ମାଧ୍ୟମରେ ଅର୍ଥନୀତିକ ସୁବିଧା ସୁଯୋଗ ସୃଷ୍ଟି କରିବା। ଏଥିପାଇଁ ଚିହ୍ନଟ ହୋଇଥିବା ପ୍ରକଳ୍ପ ଏବଂ ସାଗରମାଳା କାର୍ଯ୍ୟକ୍ରମରେ ଆସୁଥିବା ପ୍ରକଳ୍ପର ମୋଟ ସଂଖ୍ୟା ୧୫୩୭ରେ ପହଞ୍ôଚିଛି। ଏ ସମସ୍ତ ପ୍ରକଳ୍ପର ବ୍ୟୟ ଅଟକଳ ୬. ୫ ଲକ୍ଷ  କୋଟି ଟଙ୍କା  ବୋଲି ମନ୍ତ୍ରୀ ଶ୍ରୀ ସୋନୋୱାଲ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ କମିଟି ଦେଶରେ ଚାଲିଥିବା ସାଗରମାଳା କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିବା ସହ ତତ୍‌ସଂକ୍ରାନ୍ତ ଅନ୍ୟାନ୍ୟ ବିଭିନ୍ନ ପ୍ରସଙ୍ଗରେ ବିଚାର ଆଲୋଚନା କରିଛି।

ସେ କହିଛନ୍ତି ଯେ ସାଗରମାଳା ଯୋଜନା ଅଧୀନରେ ୫.୫ ଲକ୍ଷ କୋଟି ଟଙ୍କାର ୫୦୨ ଟି ପ୍ରକଳ୍ପକୁ ୨୦୩୫ ସୁଦ୍ଧା ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ରଖାଯାଇଛି। ସେଥିମଧ୍ୟରୁ ୯୯.୨୮୧ କୋଟି ଟଙ୍କାର ୨୦୨ଟି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଆହୁରି ମଧ୍ୟ ଏହି ଯୋଜନାରେ ସରକାରୀ-ଘରୋଇ (ପିପିପି) ସହଭାଗିତାରେ ୪୫ହଜାର କୋଟି ଟଙ୍କାର ୨୯ଟି ପ୍ରକଳ୍ପକୁ ସଫଳତାର ସହିତ କାର୍ଯ୍ୟକାରୀ କରାଯାଇପାରିଛି। ଏହା ଫଳରେ ସରକାରୀ ତହବିଲ ଉପରୁ ଚାପ ହ୍ରାସ ପାଇଛି। ଅତିରିକ୍ତ ୩୨ଟି ପ୍ରକଳ୍ପ ପିପିପି ଢାଞ୍ଚାରେ ଏବେ କାର୍ଯ୍ୟକାରୀ ହେଉଛି ଏବଂ ଏହାର ମୋଟ ବ୍ୟୟ ପରିମାଣ ୫୧ହଜାର କୋଟି ଟଙ୍କା। ଏହା ବ୍ୟତୀତ ୨. ୧୨ଲକ୍ଷ କୋଟି ଟଙ୍କାରେ ଏବେ କାର୍ଯ୍ୟକାରୀ ହେଉଥିବା ୨୦୦ରୁ ଅଧିକ ପ୍ରକଳ୍ପ ଦୁଇବର୍ଷ ମଧ୍ୟରେ  ସମ୍ପୂର୍ଣ୍ଣ ହେବ ବୋଲି ଶ୍ରୀ ସୋନୋୱାଲ କହିଛନ୍ତି।

ଜାତୀୟ ସାଗରମାଳା ଶୀଷ କମିଟିର ବୈଠକ ଆଜି ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ, ବାଣିଜ୍ୟ, ଶିଳ୍ପ, ଖାଉଟି ବ୍ୟାପାର, ଖାଦ୍ୟ ଓ ଯୋଗାଣ ତଥା ବୟନ ମନ୍ତ୍ରୀ ପୀୟୂଷ ଗୋୟଲ, କେନ୍ଦ୍ରଶିକ୍ଷା ତଥା ଉଦ୍ୟମିତା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଦିଆ, ରେଳବାଇ, ଯୋଗାଯୋଗ, ଇଲେକଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଜଙ୍ଗଲ, ପରିବେଶ, ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ସଂସ୍କୃତି ପର୍ଯ୍ୟଟନ ତଥା ଉତ୍ତର ପୂର୍ବାଞ୍ଚଳ ବିକାଶମନ୍ତ୍ରୀ ଜି. କିଷନ ରେଡ୍ଡୀ, ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଏବଂ ଦେଶର ଅନ୍ୟାନ୍ୟ ସମୁଦ୍ର ତଟବର୍ତ୍ତୀର ରାଜ୍ୟର ମନ୍ତ୍ରୀମାନେ ଯୋଗଦେଇଥିଲେ।

କେନ୍ଦ୍ର ବନ୍ଦର, ଜଳପଥ ଓ ଜାହାଜ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ   ଏପର୍ଯ୍ୟନ୍ତ ୧୪୦ଟି ପ୍ରକଳ୍ପକୁ ୮୭୪୮ କୋଟି ଟଙ୍କା ଯୋଗାଇ ଦିଆଯାଇଛି। ବିଭିିନ୍ନ ରାଜ୍ୟ ସରକାର ପ୍ରକଳ୍ପ ନିର୍ମାଣ ବାବଦରେ ଆଉ ଯେଉଁ ସବୁ ଅତିରିକ୍ତ ପ୍ରସ୍ତାବ ପଠାଇଛନ୍ତି ମନ୍ତ୍ରଣାଳୟ ସେସବୁର ସମୀକ୍ଷା କରୁଛି। ଭାସମାନ ଜେଟି ନିର୍ମାଣ ପାଇଁ ଦେଶର ୨୦୦ରୁ ଅଧିକ ସ୍ଥାନକୁ ଚିହ୍ନଟ କରାଯାଇଛି। ସେଥିରୁ ୫୦ଟି ସ୍ଥାନରେ ପ୍ରଥମ ପର୍ଯ୍ୟାୟରେ ଜେଟି ନିର୍ମାଣ ଓ ବିକାଶ କାମ ହାତକୁ ନିଆଯିବ। ବୈଠକରୁ ଆହୁରି ଜଣାପଡିଥିଲା ଯେ ଦେଶର ବିିଭିନ୍ନ ରାଜ୍ୟରେ ୩୩ଟି ମାଛଧରା ବନ୍ଦର ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ସେଥିରୁ ୨୨ଟି ପ୍ରକଳ୍ପ ପାଇଁ ୨୪୦୦କୋଟି ଟଙ୍କା ଅଂଶଭିତ୍ତିକ ସହାୟତା ଆକାରରେ ଯୋଗାଇ ଦେବାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି।

ଦେଶରେ ଚାଲିଥିବା ଜାତୀୟ ଧ୍ୱଜାଧାରୀ କାର୍ଯ୍ୟକ୍ରମ ସାଗରମାଳା ପ୍ରକଳ୍ପ ସଫତଳାର ସହିତ ସାତବର୍ଷ ପୂରଣ କରିଛି। ଏହା ଫଳରେ ଦେଶର ସାମୁଦ୍ରିକ ବାଣିଜ୍ୟ କାରବାରରେ ଉଲ୍ଲେଖନୀୟ ଅଗ୍ରଗତି ଘଟିବା ସହିତ ଦେଶରେ ଅର୍ଥନୀତିକ କାର୍ଯ୍ୟକଳାପ ବଢିଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବୃହତ୍ ପ୍ରକଳ୍ପମାନ ନିର୍ମିତ ହେଉଛି। ଏଥିରେ ବନ୍ଦରର ଆଧୁନିକୀକରଣ, ରେଳ, ସଡକ ଓ ଜଳସଂଯୋଗ ପଥର ଉନ୍ନତି, ନୂଆ ଶିଳ୍ପାଂଚଳ ପ୍ରତିଷ୍ଠା ସହ ବନ୍ଦରଭିତିକ ଶିଳ୍ପାଂଚଳର ବିକାଶ, ଗୋଷ୍ଠୀ ଉନ୍ନୟନ, ଉପକୂଳ ଜାହାଜ ଚଳାଚଳ ଓ ଅନ୍ତର୍ଦେଶୀୟ ଜଳପଥର ଉନ୍ନତି ଆଦି କାମ କରାଯାଇଛି। ସାମର୍ଥ୍ୟ ବିକାଶ ଘଟିଛି, କର୍ମନିଯୁକ୍ତି ସୃଷ୍ଟି ହେଉଛି, ଘରୋଇ ସହଯୋଗ ବଢୁଛି, ପରିବହନ ଓ ଗମନାଗମନ ସମୟ କମୁଛି। ସାମଗ୍ରୀ ବା ରସଦ ଯୋଗାଣ ବାବଦ ଖର୍ଚ୍ଚ ହ୍ରାସ ପାଉଛି, ବେପାର ବଣିଜ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେଉଛି ତଥା ସର୍ବୋପରି ଭାରତକୁ ଏହି ଯୋଜନା ବିଶ୍ୱ ସାମୁଦ୍ରିକ ରାଷ୍ଟ୍ରମାନଙ୍କ ମଧ୍ୟରେ ଅଗ୍ରଣୀ ସ୍ଥାନରେ ପହଂଚାଇବାରେ ସଫଳ ହୋଇଛି।

ବନ୍ଦରଗୁଡିକର କାରବାରକୁ ସୁଗମ ଓ ଦକ୍ଷ କରିବାକୁ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି। ସେଥିରେ ଆଧୁନିକୀକରଣ, ମେକାନାଇଜେସନ ଓ ଡିଜିଟାଇଜେସନଙ୍କୁ ଅଗ୍ରାଧିକାର ଭିତିରେ କାର୍ଯ୍ୟକାରୀ କରାଯାଉଛି। ଏହା ଫଳରେ  ଆନ୍ତର୍ଜାତିକ ବାଣିଜ୍ୟରେ ଖର୍ଚ୍ଚ ଓ ସମୟ ଯଥେଷ୍ଟ କମିଛି। ବନ୍ଦରଗୁଡିକରେ ଡାଇରେକ୍ଟ ପୋର୍ଟ ଡେଲିଭେରି, ଡାଇରେକ୍ଟ ପୋର୍ଟ ଏଣ୍ଟ୍ରି ବ୍ୟବସ୍ଥା ସହିତ କଣ୍ଟେନର ସ୍କାନର ଓ ରେଡିଓ ଫ୍ରିକ୍ୟୁଏନି୍ସ  ଆଇଡେଣ୍ଟିଫିକେସନ ସୁବିଧା କରାଯାଇଛି। ଏହାଛଡା ପୋର୍ଟ କମ୍ୟୁନିଟି ସିଷ୍ଟମ ମାଧ୍ୟମରେ ସିଧାସଳଖ ବାଣିଜ୍ୟ ସୁବିଧା ବିଭିନ୍ନ ରାଷ୍ଟ୍ରକୁ ଯୋଗାଇ ଦିଆଯାଉଛି।

ଦେଶର ରପ୍ତାନୀ ଆମଦାନୀରେ ବନ୍ଦରଗୁଡିକରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାରୁ ସରକାର ବନ୍ଦର ସମୂହର ବିକାଶ, ଆଧୁନିକୀକରଣ ଓ କ୍ଷମତା ବୃଦ୍ଧି ପାଇଁ ବିଭିନ୍ନ ଯୋଜନା ଅଗ୍ରାଧିକପାର ଭିତିରେ କାର୍ଯ୍ୟକାରୀ କରୁଛନ୍ତି। ଏହା ଫଳରେ ଦେଶର କ୍ରମବର୍ଦ୍ଧିଷ୍ଣୁ ବାଣିଜ୍ୟ ଚାହିଦା ପୂରଣ କରିବାକୁ ବନ୍ଦରଗୁଡିକ ସମର୍ଥ ହେଉଛନ୍ତି। ୨୦୧୪-୧୫ରେ ଦେଶର ବନ୍ଦର ସମୂହର ମୋଟ କାରବାର କ୍ଷମତା ଥିଲା ବାର୍ଷିକ ୧୫୩୧ମେଟ୍ରିକ ଟନ। ୨୦୨୦-୨୧ରେ ଏହି କ୍ଷମତା ୨୫୫୪.୬୧ ମେଟ୍ରିକ ଟନକୁ ବୃଦ୍ଧି ପାଇଥିଲା।

ସେହିଭଳି ୨୦୨୧-୨୨ରେ ଦେଶର ପ୍ରମୁଖ ବନ୍ଦରଗୁଡିକରେ ଟ୍ରାଫିକ କାରବାର ପୂର୍ବ ବର୍ଷ ତୁଳନାରେ ୬.୯୪ ଶତାଂଶ ବଢିଥିଲା। କାମରାଜର, ଜେଏନପିଟି, ଦୀନଦୟାଲ, ମୁମ୍ବାଇ ଓ କୋଚିନ – ଏହି ପାଂଚଟି ପ୍ରମୁଖ ବନ୍ଦରର କାରବାର ଏହି ସମୟରେ ବେଶ ଉଲ୍ଲେଖନୀୟ ରହିଥିଲା।

ବନ୍ଦରର  ଭିତ୍ତିଭୂମି ବୃଦ୍ଧି ପାଇଁ ସାଗରମାଳା ଯୋଜନାରେ ବିଭିନ୍ନ କାର୍ଯ୍ୟ କରାଯାଉଛି। ସେଥିରେ ବନ୍ଦରର ଗଭୀରତା ବୃଦ୍ଧି, ନୂଆ ବର୍ଥ ଓ ଟର୍ମିନାଲ ନିର୍ମାଣ, ଡ୍ରୋଜିଂ, ବୃହତ ଜାହାଜର ପ୍ରବେଶ ପାଇଁ ଚାନେଲର ଗଭୀରତା ଓ ପ୍ରଶସ୍ତତା ବୃଦ୍ଧି, ମାଲ୍‌ବୋଝେଇ ଓ ଖଲାସ ପାଇଁ ଆଧୁନିକ ଯାନ୍ତ୍ରିକ ବ୍ୟବସ୍ଥାର ପ୍ରୟୋଗ ଆଦି ଅନ୍ତର୍ଭୁକ୍ତ। ଏସବୁ ଫଳରେ ବନ୍ଦରରେ ଜାହାଜରେ ହାରାହାରି ବୋଝେଇ ଓ ଖଲାସ ସମୟ ୨୦୨୧-୨୨ ରେ ୫୨.୮୦ ଘଣ୍ଟା ଥିଲା। ୨୦୧୪-୧୫ରେ ଏହି ସମୟ ଥିଲା ୯୬ ଘଣ୍ଟା। ସେହଭଳି କଣ୍ଟେନର ବୋଝେଇ ଓ ଖଲାସର ହାରାହାରି ସମୟ ୨୦୧୪-୧୬ରେ ୩୫.୨୧ ଘଣ୍ଟା ଥିବାବେଳେ ୨୦୨୧-୨୨ରେ ୨୭.୨୨ ଘଣ୍ଟାକୁ ହ୍ରାସ ପାଇଛି।

ମନ୍ତ୍ରଣାଳୟରେ ମଧ୍ୟ ସାଗରମାଳା କାର୍ଯ୍ୟକ୍ରମରେ ମୁମ୍ବାଇ ଓ ମର୍ମୁଗାଁଓ   ବନ୍ଦରରେ ଦୁଇଟି ବୃହତ କ୍ରୁଜ ଟର୍ମିନାଲ ନିର୍ମାଣ କରୁଛି। ମୁମ୍ବାଇରେ ଏହା ୩୦୩ କୋଟି ଟଙ୍କା ବ୍ୟୟରେ ତିଆରି ହେଉଥିବାବେଳେ ଏହାର ନିର୍ମାଣ କାର୍ଯ୍ୟ ୭୦ ଶତାଂଶରେ ପହଞ୍ଚିଲାଣି। ମନ୍ତ୍ରଣାଳୟ ମଧ୍ୟ ଆର୍‌ଓଆରଓ ଏବଂ ରୋପାକ୍ସ ସୁବିଧା ଉପେରେ ଗୁରୁତ୍ୱ ଦେଉଛି ଏବଂ ଏହା ଫଳରେ ଯାତ୍ରା ସମୟ ଯଥେଷ୍ଟ ହାସ ପାଉଛି। ଉଭୟଯାତ୍ରୀ ଓ ମାଲପରିବହନରେ ଘରୋଇ ଉଦ୍ୟୋଗକୁ ସରକାର ମଧ୍ୟ ପ୍ରୋତ୍ସାହନ ଯୋଗାଉଛନ୍ତି। ଏବେ ମନ୍ତ୍ରଣାଳୟ ଜାଣିବାକୁ ପାଉଛିି ଯେ ବନ୍ଦରଗୁଡିକରେ ଡ୍ରେଜିଂ ବାବଦ ଖର୍ଚ୍ଚ ଅଧିକ ହେଉଛି  ଏବଂ ମିଳୁଥିବା ରାଜସ୍ୱ ତୁଳନାରେ ଏହା ଅତି ଅଧିକ। ତେଣୁ ଏ ସମ୍ପର୍କରେ ସବିଶେଷ ଅନୁଧ୍ୟାନ କରି ଏକ ପୂର୍ଣ୍ଣାଙ୍ଗ ରିପୋର୍ଟ ଦେବାକୁ ରାଜ୍ୟମାନଙ୍କୁ କୁହାଯାଇଛି।

ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନା ଆଧାରରେ ସାଗରମାଳା ଯୋଜନାରେ ଦେଶର ବନ୍ଦରଗୁଡିକର ସର୍ବାଙ୍ଗୀନ ଉନ୍ନତି ଉପରେ ଗୁରୁତ୍ୱ ଦିଆଯାଇ କାମ ହେଉଛି। ଏଥିରେ ମୌଳିକ ଭିତ୍ତିଭୂମି କ୍ଷେତ୍ରରେ ଥିବା ସବୁ ଅଭାବ ଦୂର କରାଯାଉଛି। ସେହିଭଳି ପ୍ରମୁଖ ବନ୍ଦରଗୁଡିକକୁ ଉତ୍ତମ ସଂଯୋଗ ଯୋଗାଇ ଦେବାକୁ ଅବଶିଷ୍ଟ ବାକି କାମ  ଶୀଘ୍ର  ଶେଷ କରିବାକୁ ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ସହ ପରାମର୍ଶ ଜାରି ରହିଛି।

ଏହି ବୈଠକରେ ବିଭିନ୍ନ ରାଜ୍ୟର ମନ୍ତ୍ରୀମାନେ ସେମାନଙ୍କ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ସାଗରମାଳା କାର୍ଯ୍ୟକ୍ରମର ପ୍ରଗତି ସମ୍ପର୍କରେ ତଥ୍ୟ ପ୍ରକାଶ କରିଥିଲେ। କେବକ ରାଜ୍ୟ  ମଧ୍ୟ ଏଥିପାଇଁ ଅତିରିକ୍ତ ପ୍ରକଳ୍ପ ପ୍ରସ୍ତାବ ଦେଇ କେନ୍ଦ୍ରଠାରୁ ଆର୍ଥିକ ସହାୟତା ଲୋଡିଥିଲେ। ଜାତୀୟ ସାଗରମାଳା ଶୀର୍ଷ କମିଟି ୨୦୧୫ ମେ ୧୩ରେ ଗଠିତ ହୋଇଥିଲା। ସାଗରମାଳା ପ୍ରକଳ୍ପର ନିର୍ମାଣ, କାର୍ଯ୍ୟକାରିତା ଓ ନୀତି ନିର୍ଦ୍ଧାରଣ କରିବାରେ ଏହା ଶୀର୍ଷ ସଂସ୍ଥା । କେନ୍ଦ୍ର ଜାହାଜ ଚଳାଚଳ, ବନ୍ଦର ଓ ଜଳପଥ ମନ୍ତ୍ରୀ ଏହାର ଅଧ୍ୟକ୍ଷ। ଏଥିରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟର ମନ୍ତ୍ରୀ ସଦସ୍ୟ ଅଛନ୍ତି । (ପିଆଇବି)

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: କେବଳ କୋମଳ ନୁହେଁ, ଶିଶୁମାନେ ସମାଜର ସବୁଠାରୁ ସମ୍ବେଦନଶୀଳ ବର୍ଗ ହୋଇଥିବା ହେତୁ ରାଜ୍ୟ ସରକାର ଶିଶୁମାନଙ୍କ ଶିକ୍ଷା, ସୁରକ୍ଷା ଏବଂ ସାମଗ୍ରିକ ବିକାଶ ପାଇଁ ସର୍ବାଧିକ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି। ଶିଶୁମାନଙ୍କ ପ୍ରତି କୌଣସି ପ୍ରକାର ଅନ୍ୟାୟ ପ୍ରତି ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ପ୍ରଦର୍ଶନ କରିଛନ୍ତି। ସେମାନଙ୍କୁ ସବୁପ୍ରକାର ସହାୟତା ଯୋଗାଇଦେବା ନିମନ୍ତେ ବିଜୁ ଶିଶୁ ସୁରକ୍ଷା ଯୋଜନା, ଆଶୀର୍ବାଦ, ବିଜୁ କନ୍ୟା ରନି ଯୋଜନା, ଆଦ୍ୱିକା ଭଳି ଶିଶୁ ଅନୁକୂଳ ରାଜ୍ୟ ଯୋଜନା ପ୍ରଣୟନ କରାଯାଇଛି।

ନିକଟରେ ରାଜ୍ୟର ୩୪ଟି ପୋଲିସ ଜିଲ୍ଲାରେ ୩୪ଟି ଶିଶୁ ଅନୁକୂଳ ଥାନା ସ୍ଥାପନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଶିଶୁମାନଙ୍କୁ କୋଭିଡ୍‌ର ପ୍ରତିକୂଳ ପ୍ରଭାବରୁ ସୁରକ୍ଷିତ ରଖିବା ନିମନ୍ତେ ବହୁବିଧ ପଦକ୍ଷେପ ନିଆଯାଉଛି। ଶିଶୁମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ପୁଷ୍ଟିସାଧନ ସହ ମାନସିକ ଓ ସାମାଜିକ ସ୍ତରରେ ସେମାନଙ୍କୁ ସଶକ୍ତ କରି ପରବର୍ତ୍ତୀ ପିଢ଼ିକୁ ଉତ୍ତମ ନାଗରିକ କରି ଗଢ଼ିତୋଳିବା ଆମର ଲକ୍ଷ୍ୟ ବୋଲି ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଏକାଦଶତମ ପ୍ରତିଷ୍ଠା ଦିବସ ଅବସରରେ ତାଙ୍କ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି।

ଆଜି କିଟ୍‌ ପ୍ରେକ୍ଷାଳୟରେ ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ଏବଂ ମହିଳା ଓ ଶିଶୁ ବିକାଶ ଏବଂ ଜଳସଂପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ବିଶିଷ୍ଟ ଅତିଥିମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଶ୍ରୀମତୀ ଗର୍ଗ କୋଭିଡ୍‌ ମହାମାରୀ ସମୟରେ ବିଭାଗ ଦ୍ୱାରା ଶିଶୁ ଓ ପିଲାମାନଙ୍କୁ ମାନସିକ ଓ ଶାରୀରିକ ସ୍ତରରେ ସକ୍ରିୟ ରଖିବା ନିମନ୍ତେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ।

କୋଭିଡ୍‌ର ପ୍ରଥମ ଲହରରେ ୟୁନିସେଫ ସହାୟତାରେ ଅନ୍‌ଲାଇନ୍‌ରେ ‘ମୋ ପ୍ରତିଭା’, ଅଙ୍ଗନବାଡ଼ି ଶିଶୁମାନଙ୍କ ପାଇଁ ‘କୁନି କ୍ୟାଲେଣ୍ଡର’, ‘ଘରେ ଘରେ ଅରୁଣିମା’ ଆଦି ଅଭିନବ କାର୍ଯ୍ୟକ୍ରମ କରାଯାଇଛି। ଅଙ୍ଗନବାଡ଼ି ବନ୍ଦ ଥିବା ସମୟରେ ପ୍ରାକ୍‌ବିଦ୍ୟାଳୟ ଶିଶୁମାନଙ୍କ ପାଇଁ ଶୁଖିଲା ରାସନ୍‌ ଘରେ ବଣ୍ଟନ କରାଯିବା, କୋଭିଡ୍‌ରେ ଅନାଥ ଶିଶୁମାନଙ୍କ ଶିକ୍ଷା ପାଇଁ ଆଶୀର୍ବାଦ ଯୋଜନା କାର୍ଯ୍ୟକାରୀ ହେବା ସହ ପ୍ରତ୍ୟେକ ବର୍ଷ ଅନାଥ ଶିଶୁମାନଙ୍କ ସର୍ଭେ କରିବା ପାଇଁ ବିଭାଗ ତରଫରୁ ନିଷ୍ପତ୍ତି ନିଆଯାଇଛି ବୋଲି ପ୍ରମୁଖ ସଚିବ ଶ୍ରୀମତୀ ଗର୍ଗ କହିଥିଲେ।

ଆଭାସୀ ମାଧ୍ୟମରେ ଯୋଗଦେଇ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ କହିଥିଲେ, ଶିଶୁ ସୁରକ୍ଷା ଆଇନକୁ କାର୍ଯ୍ୟକାରୀ କରିବା ଦିଗରେ ପ୍ରତ୍ୟେକ ରାଜ୍ୟରେ ଶିଶୁ ସୁରକ୍ଷା କମିଶନ ଗଠନ କରାଯାଇଛି। କୋଭିଡ୍‌ ପରେ କମିଶନର ଦାୟିତ୍ୱ ଯଥେଷ୍ଟ ବୃଦ୍ଧି ପାଇଛି। ଅନ୍ୟମାନଙ୍କ ମଧ୍ୟରେ ୟୁନିସେଫ୍‌ର ଓଡ଼ିଶା ମୁଖ୍ୟ ମୋନିକା ନିଲେସନ୍‌, ରାଜ୍ୟ ଭିନ୍ନକ୍ଷମ କମିଶନର ଅଧ୍ୟକ୍ଷା ସୁଲୋଚନା ଦାସ, ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପୂର୍ବତନ ସାଂସଦ ଡ. ପ୍ରସନ୍ନ ପାଟ୍ଟଶାଣୀ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇ ଶିଶୁ ଅଧିକାର ସୁରକ୍ଷା ଦିଗରେ ଆୟୋଗର ଆଭିମୁଖ୍ୟକୁ ପ୍ରଶଂସା କରିବା ସହ ଶିଶୁମାନଙ୍କ ସହ ସଂପୃକ୍ତ ସମସ୍ତ ଅଂଶୀଦାରଙ୍କୁ ଶିଶୁ ଅଧିକାର ଆଇନ ସଂପର୍କରେ ସଚେତନ କରିବାକୁ ପରାମର୍ଶ ଦେଇଥିଲେ।

ପ୍ରାରମ୍ଭରେ ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଆୟୋଗର ଲକ୍ଷ୍ୟ, ଉଦ୍ଦେଶ୍ୟ, ସଂକଳ୍ପ ଏବଂ ଶିଶୁ ସୁରକ୍ଷା ପାଇଁ ଆୟୋଗ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। କୋଭିଡ୍‌-୧୯ କୋମଳମତି ଛାତ୍ରଛାତ୍ରୀମାନଙ୍କ ମାନସିକତାକୁ କିଭଳି ପ୍ରଭାବିତ କରିଛି ସେ ସଂପର୍କରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ର ଦଶମ ଶ୍ରେଣୀର ଛାତ୍ର ଶୁଭେନ୍ଦୁ ଦାସ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ।

ଏହି ଅବସରରେ ଶିଶୁ ଅଧିକାର ସୁରକ୍ଷା ଆୟୋଗର ନୂତନୱେବ୍‌ସାଇଟ୍‌ ଏବଂ ଅନ୍‌ଲାଇନ୍‌ରେ କେଶ୍‌ ପରିଚାଳନା ବ୍ୟବସ୍ଥାର ଲୋକାର୍ପଣ ହୋଇଥିଲା। ୟୁନିସେଫ୍‌ ସହଯୋଗରେ ପ୍ରସ୍ତୁତ ବିଭିନ୍ନ ପ୍ରଚାରପତ୍ର, ପୁସ୍ତିକା, ରିପୋର୍ଟ ଏବଂ ସଂକଳନ ଉନ୍ମୋଚିତ ହେବା ସହ ନଭେମ୍ବର ୧ ତାରିଖରୁ ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଆୟୋଗର ‘୪୦ ଦିନିଆ ଶିଶୁ ଅଧିକାର ଅଭିଯାନ’ର ଶୁଭାରମ୍ଭ ହୋଇଥିଲା।

ଆୟୋଗ ତରଫରୁ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଓ ଲୋକସଂପର୍କ ଉପଦେଷ୍ଟା ମାନସ ରଞ୍ଜନ ମଙ୍ଗରାଜ, ଶିଶୁ ଅଧିକାର ପାଇଁ ବ୍ରାଣ୍ଡ ଆମ୍ବାସାଡ଼ର ଭାବେ ଘୋଷିତ ଅନ୍ତର୍ଜାତୀୟ କ୍ରୀଡ଼ାବିତ୍‌ କେ. ରବିକୁମାରଙ୍କ ସମେତ ଶିଶୁ ଅଧିକାର କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବୌଦ୍ଧ ଜିଲ୍ଲାର ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଦେବଗଡ଼ର ଶିଶୁ ସୁରକ୍ଷା ଅଧିକାରୀ, ଖୋର୍ଦ୍ଧାର ଜିଲ୍ଲା ଶିକ୍ଷା ଅଧିକାରୀ, କୋରାପୁଟର ଡିଏସ୍‌ଡବ୍ଲୁଓ, ଗଜପତିର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ସମ୍ବଲପୁର ଅଇଁଠାପାଲିର ଥାନା ଅଧିକାରୀ, ସାମ୍ବାଦିକ ଡାଏନା ସାହୁ, ସୁପ୍ରିୟା ଦାସ ତଥା ବହୁ ସେ୍ୱଚ୍ଛାସେବୀ ଅନୁଷ୍ଠାନ ଏବଂ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଶିକ୍ଷକଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଦ୍ୱିତୀୟ ଅଧିବେଶନରେ ପିଲାମାନଙ୍କ ‘ମାନସିକ ସ୍ୱାସ୍ଥ୍ୟ-ସୁରକ୍ଷା ଓ ଯନି’, ‘ଉତ୍ତମ ମାନସିକ ସ୍ୱାସ୍ଥ୍ୟ ଅଭ୍ୟାସ’ ସଂପର୍କିତ ଦୁଇଟି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ପିଲାମାନଙ୍କ ମାନସିକ ସନ୍ତୁଳନର ରକ୍ଷା ଦିଗରେ ପରିବାର, ସମାଜ ଓ ସରକାରଙ୍କ ଦାୟିତ୍ୱ ସଂପର୍କରେ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା, ଏଡୁକୋର କଣ୍ଟି୍ର ଡାଇରେକଫର ଗୁରୁପ୍ରସାଦ ରାଓଙ୍କ ସମେତ ବିଶେଷଜ୍ଞମାନେ ପରାମର୍ଶ ଦେଇଥିଲେ।

ଆଜିର ଏହି ପ୍ରତିଷ୍ଠା ଦିବସରେ ବହୁ ସରକାରୀ ଅଧିକାରୀ, ସ୍ଵେଚ୍ଛାସେବୀ ଅନୁଷ୍ଠାନ, ଡିଏସ୍‌ଡବ୍ଲୁଓ, ଡିସିପିଓ, ସିଡବ୍ଲୁସିର କାର୍ଯ୍ୟକର୍ତ୍ତା ଓ ଶିଶୁ ଯନି ଅନୁଷ୍ଠାନଗୁଡ଼ିକର ଅନ୍ତେବାସୀମାନେ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ।