Categories
ଆଞ୍ଚଳିକ

ଆଇଏନଏସ ଚିଲିକାରେ ସାମ୍ବାଦିକ ବନ୍ଧୁମିଳନ ଅନୁଷ୍ଠିତ

ବାଲୁଗାଁ: ଆଜି ପୂର୍ବାହ୍ନରେ ଭାରତୀୟ ନୌସେନା ପକ୍ଷରୁ ଆଇଏନଏସ ଚିଲିକା ଠାରେ ବାର୍ଷିକ ସାମ୍ବାଦିକ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି। ନାଭାଲ ଇନଚାର୍ଜ (ଓଡ଼ିଶା) ଏବଂ ଆଇଏନଏସ ଚିଲିକା କମାଣ୍ଡିଂ ଅଫିସର କୋମଡ଼ର ବି. ଦୀପକ ଅନୀଲଙ୍କ ପୌରହିତ୍ୟରେ ଖୋର୍ଦ୍ଧା, ବାଲୁଗାଁ, ବାଣପୁର, ଟାଙ୍ଗୀ, ଚିଲିକା ଓ ଗଞ୍ଜାମ ଆଦି ଅଞ୍ଚଳରୁ ୩୭ ଜଣ ସାମ୍ବାଦିକ ଏହି ବନ୍ଧୁମିଳନରେ ଯୋଗ ଦେଇଥିଲେ।

ଆଇଏନଏସ ଚିଲିକା ପକ୍ଷରୁ ସମସ୍ତ ସାମ୍ବାଦିକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯିବା ପରେ ଭାରତୀୟ ନୌସେନା ସମ୍ବନ୍ଧରେ ସମ୍ୟକ ବିବରଣୀ ଉପସ୍ଥାପନ କରାଯାଇଥିଲା। ଏଥିସହିତ ବିଗତ ଏକ ବର୍ଷ ମଧ୍ୟରେ ଆଇଏନଏସ ଚିଲିକା ପକ୍ଷରୁ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଭିଡିଓ ମାଧ୍ୟମରେ ଉପସ୍ଥାପନ କରାଯାଇଥିଲା। ପ୍ରଚାର ଓ ପ୍ରସାରର ମୁଖ୍ୟ ସ୍ରୋତ ସାଜିଥିବା ଗଣମାଧ୍ୟମ ପ୍ରତିନିଧିମାନେ ଆଇଏନଏସ ଚିଲିକାର ପ୍ରତିଟି ଖବର ରାଜ୍ୟ ତଥା ଦେଶର ଜନସାଧାରଣଙ୍କ ନିକଟରେ ପହଞ୍ଚାଇ ଥିବାରୁ ସମସ୍ତ ଛାପା ଗଣମାଧ୍ୟମ ଓ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କମାଣ୍ଡିଂ ଅଫିସର କୋମଡ଼ର ବି ଦୀପକ ଅନୀଲ ଭୂୟାଁସି ପ୍ରଶଂସା କରିଥିଲେ।

ଏଥିସହିତ ଗଣମାଧ୍ୟମ ଓ ଆଇଏନଏସ ଚିଲିକା ମଧ୍ୟରେ ସଦାସର୍ବଦା ସୁସମ୍ପର୍କ ବଜାୟ ରହିବ ବୋଲି ସାର୍ବଜନୀନ ମତପ୍ରକାଶ ପାଇଥିଲା। ପରିଶେଷରେ ସମସ୍ତ ସାମ୍ବାଦିକ ମାନଙ୍କ ସହ କୋମଡ଼ର ବି ଦୀପକ ଅନୀଲଙ୍କ ସମେତ କମାଣ୍ଡିଂ ଅଫିସର ଓ ଲେଫ୍ଟନାଣ୍ଟ ଅଫିସର ମାନେ ମଧ୍ୟାହ୍ନ ଭୋଜନ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମକୁ ଲେଫ୍ଟନାଣ୍ଟ ନର୍ମଦା ପନ୍ତ ପରିଚାଳନା କରିଥିବାବେଳେ କମାଣ୍ଡର ସତ୍ୟେନ୍ଦ୍ର ଧଲ, କମାଣ୍ଡର ରୋମେସ୍କ ଦାସ, ଲେଫ୍ଟନାଣ୍ଟ କମାଣ୍ଡର ଭାଗ୍ୟଶ୍ରୀ ପାଣ୍ଡେ, ଲେଫ୍ଟନାଣ୍ଟ ନିବିତା, ଲେଫ୍ଟନାଣ୍ଟ ଜୁହି, ଲେଫ୍ଟନାଣ୍ଟ ତୃପ୍ତି, ଲେଫ୍ଟନାଣ୍ଟ ମନୀଷ ମିଶ୍ର, ଚିଲିକା ଲୋକସମ୍ପର୍କ ପରାମର୍ଶଦାତା ବିନୋଦ ଚନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଇଏନଏସ ଚିଲିକା ପକ୍ଷରୁ ବାର୍ଷିକ ସାମ୍ବାଦିକ ବନ୍ଧୁମିଳନ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ଆଇଏନଏସ ଚିଲିକା ପକ୍ଷରୁ ଏକ ବାର୍ଷିକ ସାମ୍ବାଦିକ ବନ୍ଧୁମିଳନ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ନାଭାଲ ଅଫିସର ଇନଚାର୍ଜ (ଓଡିଶା) ଓ ଆଇଏନଏସ ଚିଲିକା କମାଣ୍ଡିଂ ଅଫିସର କୋମୋଡର ଏନ.ପି ପ୍ରଦୀପଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା, ଟାଙ୍ଗୀ, ବାଣପୁର, ବାଲୁଗାଁ ଏବଂ ବ୍ରହ୍ମପୁର ଅଞ୍ଚଳର ବହୁ ସାମ୍ବାଦିକ ଯୋଗ ଦେଇଥିଲେ। ଆଇଏନଏସ ଚିଲିକା ପକ୍ଷରୁ ସମସ୍ତ ସାମ୍ବାଦିକ ମାନଙ୍କୁ ଷ୍ଟେସନ ପରିସରରେ ଭବ୍ୟ ସ୍ୱାଗତ କରାଯିବା ସହ ପରବର୍ତ୍ତୀ ସମୟରେ ନାଭାଲ ଅଧିକାରୀଙ୍କ ସଙ୍ଗେ ସାମ୍ବାଦିକ ମାନେ ମା’ କାଳିଜାଇ ମନ୍ଦିର ଦର୍ଶନକୁ ଯାଇଥିଲେ। ଏହା ପରେ ଆଇଏନଏସ ଚିଲିକାର ଅଫିସର୍ସ ମେସରେ ସାମ୍ବାଦିକମାନଙ୍କ ସହ ବାର୍ତ୍ତାଳାପ କରିଥିଲେ କମାଣ୍ଡିଂ ଅଫିସର କୋମୋଡର ଏନ.ପି ପ୍ରଦୀପ।

ଏହି ଅବସରରେ ଦୀର୍ଘ ଏକ ବର୍ଷ ମଧ୍ୟରେ ଆଇଏନଏସ ଚିଲିକା ପକ୍ଷରୁ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମର ବିବରଣୀ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା। ତେବେ ଆଇଏନଏସ ଚିଲିକାର ଉକ୍ତ ସମସ୍ତ କାର୍ଯ୍ୟକ୍ରମକୁ ରାଜ୍ୟ ତଥା ଦେଶର ଜନସାଧାରଣଙ୍କ ନିକଟରେ ପହଞ୍ଚାଇଥିବାରୁ ବନ୍ଧୁ ମିଳନରେ ଯୋଗଦେଇଥିବା ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଆଇଏନଏସ ଚିଲିକା ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା।

ଏହା ସହିତ ସ୍ଥାନୀୟ ଗଣମାଧ୍ୟମର ଭୂୟାଁସୀ ପ୍ରଶଂସା କରିଥିଲେ କମାଣ୍ଡିଂ ଅଫିସର କୋମୋଡର ଏନ.ପି ପ୍ରଦୀପ। ଆଗକୁ ମଧ୍ୟ ଗଣମାଧ୍ୟମ ଓ ଆଇଏନଏସ ଚିଲିକାର ସମ୍ପର୍କ ଏହିପରି ଅତୁଟ ରହିବ ବୋଲି କହିଥିଲେ ଶ୍ରୀ ପ୍ରଦୀପ।

ପରିଶେଷରେ ସମସ୍ତ ସାମ୍ବାଦିକମାନେ କମାଣ୍ଡିଂ ଅଫିସରଙ୍କ ସହିତ ମଧ୍ୟାହ୍ନ ଭୋଜନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ କମାଣ୍ଡର ପରିଚୟ କାଲରା ପରିଚାଳନା କରିଥିବା ବେଳେ କ୍ୟାପଟେନ ବାସୁଦେବନ, କ୍ୟାପଟେନ ସଞ୍ଜୟ ତ୍ରିପାଠୀ, ଡେପୁଟି ପି.ଆର.ଓ ବିନୋଦ ଚନ୍ଦ୍ର ମିଶ୍ର, ଲିଉଟନାଣ୍ଟ କମାଣ୍ଡର ଅକ୍ଷୟ ସାହୁ, ସବ ଲିଉଟନାଣ୍ଟ ଜୁହି ଆଦି ଉପସ୍ଥିତ ଥିଲେ।