Categories
ଆଜିର ଖବର ରାଜ୍ୟ ଖବର

ରେଳ ସଂଯୋଗରେ ଉପେକ୍ଷିତ କଳାହାଣ୍ଡି ଜିଲ୍ଲା ସାମାଜିକ ଓ ଅର୍ଥନୈତିକ ବିକାଶରେ ବାଧକ: ସୁନିତି ମୁଣ୍ଡ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ସ୍ଥାନୀୟ ମିଡ଼୍‌ଟାଉନ୍‌ଠାରେ କଳାହାଣ୍ଡି ବିକାଶ ପରିଷଦ ଅଧ୍ୟକ୍ଷା ଡକ୍ଟର ସୁନୀତି ମୁଣ୍ଡ ଏକ ସାମ୍ବାଦିକ ସମ୍ମିଳନୀରେ କଳାହାଣ୍ଡି ଜିଲ୍ଲା ରେଳ ସଂଯୋଗ ଓ ଶିଳ୍ପ କ୍ଷେତ୍ରରେ ଅବହେଳିତ ଯୋଗୁଁ କଳାହାଣ୍ଡିର ସାମାଜିକ ଏବଂ ଅର୍ଥନୈତିକ ବିକାଶରେ ବାଧକ ହେଉଥିବା କହିଛନ୍ତି। ଏଥିପାଇଁ ସ୍ଥାନୀୟ ଜନପ୍ରତିନିଧିଙ୍କୁ ଦାୟୀ କରି ସେ କହିଛନ୍ତି ଯେ, ଏହି ଜିଲ୍ଲାରୁ ପୂର୍ବରୁ ନିର୍ବାଚିତ ସାଂସଦ ରେଳମନ୍ତ୍ରୀ ରହିଥିଲେ ମଧ୍ୟ ଜିଲ୍ଲାରେ ରେଳପଥର ବିକାଶ ଦିଗରେ ସେ ଯଥାଯଥ ଦୃଷ୍ଟି ଦେଇନାହାନ୍ତି। ଏକଦା ଦେଶର ଅନ୍ୟତମ ପଛୁଆ ଜିଲ୍ଲା ଭାବରେ ପରିଗଣିତ କଳାହାଣ୍ଡିର ସର୍ବାଙ୍ଗୀନ ବିକାଶ ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାର ଏକାଧିକ ପଦକ୍ଷେପ ନେଉଥିବା କେବଳ ଭାଷଣ କାଗଜପତ୍ରରେ ସୀମିତ ରହିଛି। ଏବେ ମଧ୍ୟ ଜିଲ୍ଲାବାସୀ ଉପଯୁକ୍ତ ରେଳସେବା ପାଇବାରୁ ବଂଚିତ ରହିଛନ୍ତି। ରେଳପଥ, ସଡ଼କ ସଂଯୋଗୀକରଣ, ଉପଯୁକ୍ତ ଶିକ୍ଷାର ଅଭାବ ଆଦି କାରଣରୁ ଜିଲ୍ଲାର ଅନେକ ବାସିନ୍ଦା ଏବେ ମଧ୍ୟ ଦାଦନ ଖଟିବାକୁ ରାଜ୍ୟର ଅନ୍ୟାନ୍ୟ ଅଂଚଳ, ଏପରିକି ବିଭିନ୍ନ ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି। ଜିଲ୍ଲାର ଅନେକ ଆଭ୍ୟନ୍ତରୀଣ ଅଂଚଳକୁ ଗମନାଗମନ ନିମନ୍ତେ ସୁବିଧାନାହିଁ। ରେଳ ପରିବହନ ସାଧାରଣ ଜନତାଙ୍କୁ ସୁଲଭ ଓ ସହଜ ହେଉଥିବାବେଳେ କଳାହାଣ୍ଡି ଅଧିବାସୀ ସେହି ସୁବିଧା ପାଉନାହାନ୍ତି।

ସୂଚନାଯୋଗ୍ୟ ଯେ ଆଧାର ତଥ୍ୟ ଅନୁଯାୟୀ ୨୦୨୩ ମସିହାରେ କଳାହାଣ୍ଡି ଜିଲ୍ଲାର ଜନସଂଖ୍ୟା ପ୍ରାୟ ୨,୧୯୧,୮୪୮ ରହିଛି। ୨୦୨୦ ତଥ୍ୟ ଅନୁଯାୟୀ ଜିଲ୍ଲାରେ ମୋଟ ଜନସଂଖ୍ୟା ମଧ୍ୟରୁ ଅନୁସୂଚିତ ଜାତି ଜନସଂଖ୍ୟା ୧୮.୨ ପ୍ରତିଶତ ଏବଂ ଅନୁସୂଚିତ ଜନଜାତି ଜନସଂଖ୍ୟା ୨୮.୫ ପ୍ରତିଶତ ରହିଥିଲା। ସେହି ତଥ୍ୟ ଅନୁଯାୟୀ ଜିଲ୍ଲାର ଗ୍ରାମାଂଚଳରେ ସାକ୍ଷରତା ହାର ୫୭.୩ ପ୍ରତିଶତ ଓ ସହରାଞ୍ଚଳରେ ୮୧.୬ ପ୍ରତିଶତ ରହିଥିଲା। କିନ୍ତୁ ଶିକ୍ଷିତ ଓ ଯୋଗ୍ୟ ଯୁବବର୍ଗଙ୍କ ନିଯୁକ୍ତି ବା ଆତ୍ମନିଯୁକ୍ତି ପାଇଁ ଏପର୍ଯ୍ୟନ୍ତ ସରକାରୀ ସ୍ତରରେ ସୁବିଧା ସୁଯୋଗ ସୃଷ୍ଟି କରାଯାଇନାହିଁ। ଜିଲ୍ଲାରେ ଏକମାତ୍ର ବୃହତ୍ ଶିଳ୍ପ ଭାବରେ ବେଦାନ୍ତ ରହିଥିବାବେଳେ ସେଠାରେ ଜିଲ୍ଲାରୁ ହାତଗଣତି ଲୋକ ନିଯୁକ୍ତି ପାଇଛନ୍ତି। ଜିଲ୍ଲାର ସମସ୍ତ ଅଂଚଳକୁ ସବୁଦିନିଆ ଉନ୍ନତ ସଡ଼କ ସଂଯୋଗ ବ୍ୟବସ୍ଥା ନାହିଁ। ଶିକ୍ଷିତ ବେକାର ଯୁବବର୍ଗ କାମଧନ୍ଦା ଅନ୍ୱେଷଣରେ ବାହାରକୁ ଯିବାପାଇଁ ରେଳସେବା ସୁଲଭ ପରିବହନ ହୋଇଥିଲେ ମଧ୍ୟ ତାହା ଜିଲ୍ଲାର ସମସ୍ତ ଅଂଚଳବାସୀଙ୍କ ପାଇଁ ଉପଲବ୍ଧ ହେଉନାହିଁ, କିମ୍ବା ଏଠାରୁ ଦେଶ କିମ୍ବା ରାଜ୍ୟର ସମସ୍ତ ପ୍ରମୁଖ ସ୍ଥାନକୁ ରେଳ ଯୋଗାଯୋଗ ବ୍ୟବସ୍ଥା ନାହିଁ। ୭୯୨୦ ବର୍ଗକିଲୋମିଟର ପରିମିତ ଅଂଚଳରେ ଏହି ଜିଲ୍ଲା ପରିବ୍ୟାପ୍ତ ହୋଇଥିବାବେଳେ ଏଠାରେ ଥିବା ୧୯ଟି ପ୍ରମୁଖ ଧର୍ମୀୟ ସ୍ଥଳ, ବାଣିଜ୍ୟ କେନ୍ଦ୍ର, ଐତିହାସିକ ସ୍ଥାନ, ପର୍ଯ୍ୟଟନ ସ୍ଥଳ, ଅଭୟାରଣ୍ୟ ମଧ୍ୟରୁ କେବଳ ଜୁନାଗଡ, ଭବାନିପାଟଣାକୁ ରେଳ ସଂଯୋଗ ରହିଛି। ଅନ୍ୟ ପ୍ରମୁଖ ସ୍ଥାନଗୁଡିକ ଏଥିରୁ ବଂଚିତ ରହିଛି।

ଜିଲ୍ଲାବାସୀଙ୍କ ପକ୍ଷରୁ ସେଠାରେ ବୃହତ୍ ଶିଳ୍ପ ସ୍ଥାପନ ଏବଂ ତତ୍‌ସହିତ ଏକ ରେଳ କାରଖାନା ସ୍ଥାପନ କରିବାକୁ ୨୦୦୮ରୁ ଦାବି କରିଆସୁଛନ୍ତି। ୨୦୧୦-୧୧ କେନ୍ଦ୍ର ବଜେଟ୍‌ରେ କଳାହାଣ୍ଡି ଅଥବା ଭୁବନେଶ୍ୱରରେ ଏକ ରେଳ ସାମୟିକ ବଗି ମରାମତି କାରଖାନା ସ୍ଥାପନ ପ୍ରସ୍ତାବ ରହିଥିଲା। କିନ୍ତୁ ଓଡ଼ିଶା ସରକାର ତାହାକୁ ଗଞ୍ଜାମ ଜିଲ୍ଲାରେ କରିବାକୁ ପ୍ରସ୍ତାବ ଦେଲେ। ତାହାକୁ କଳାହାଣ୍ଡି ଜିଲ୍ଲାବାସୀ ତୀବ୍ର ସମାଲୋଚନା କରିଥିଲେ ଏବଂ ଏହାକୁ ନେଇ ଦୁଇବର୍ଷ ପର୍ଯ୍ୟନ୍ତ ପ୍ରତିବାଦ ଜାରି ରହିଲା। ବିଭିନ୍ନ ମହଲରୁ ଦାବି ପରେ ୨୦୧୩-୧୪ ବଜେଟ୍‌ରେ କଳାହାଣ୍ଡିରେ ଏକ ସାମୟିକ ବଗି ମରାମତି କାରଖାନା ସ୍ଥାପନ ଘୋଷଣା କରାଗଲା। ପରେ ତାହାକୁ ବିଶାଖାପାଟଣାକୁ ସ୍ଥାନାନ୍ତର କରିଦିଆଗଲା। ୨୦୧୭-୧୮ରେ ପୁନଶ୍ଚ କଳାହାଣ୍ଡିରେ ବିଦ୍ୟୁତ୍‌ଚାଳିତ ରେଳ ଇଞ୍ଜିନର ସାମୟିକ ବଗି ମରାମତି କାରଖାନା ସ୍ଥାପନ ଘୋଷଣା କରାଯାଇଥିଲା, କିନ୍ତୁ ସେହି ପ୍ରକଳ୍ପ କାର୍ଯ୍ୟ ଆଗେଇପାରୁନାହିଁ। ଜିଲ୍ଲାରେ ଜୁନାଗଡ ରୋଡ-ନବରଙ୍ଗପୁର ରେଳପଥ ପ୍ରକଳ୍ପ ପାଇଁ ସର୍ଭେ ଦୀର୍ଘବର୍ଷ ହେଲା ପଡିରହିଛି।

ରାୟପୁର-ରାଜିମ-ଗରିଆବନ୍ଧ-ଦେଭୋଗ-ଧର୍ମଗଡ-ଜୁନାଗଡ ରେଳପଥ ପାଇଁ ସର୍ଭେ ସକାଶେ ଅନୁମୋଦନ ମିଳିଥିଲେ ମଧ୍ୟ ତାହାର ସ୍ଥିତି ସମ୍ପର୍କରେ ଜଣାନାହିଁ। ଲାଞ୍ଜିଗଡ ରୋଡ-ଫୁଲବାଣୀ-ଅନୁଗୋଳ (ତାଳଚେର) ଏବଂ ଭବାନିପାଟଣା-କେସିଙ୍ଗା ରେଳପଥ ପ୍ରକଳ୍ପ ଆଗେଇ ପାରୁନାହିଁ । ଏଠାକୁ ସୀମିତ ସଂଖ୍ୟକ ଯାତ୍ରୀବାହୀ ଟ୍ରେନ ଚଳାଚଳ କରୁଛି।

ସେଥିରେ ଜିଲ୍ଲାବାସୀଙ୍କ ପାଇଁ ଉପଯୁକ୍ତ ସୁବିଧା ସୁଯୋଗ ଯୋଗାଇଦେବାକୁ ମଧ୍ୟ ଦାବି ହେଉଛି। ଭୁବନେଶ୍ୱର-ଜୁନାଗଡ ଏକ୍ସପ୍ରେସ୍‌ରେ ପ୍ରଥମ ଶ୍ରେଣୀ ବାତାନୁକୂଳିତ ବଗି ଖଞ୍ଜିବା, ଭୁବନେଶ୍ୱରରୁ ଜୁନାଗଡ ଏବଂ ଜୁନାଗଡରୁ ଭୁବନେଶ୍ୱରକୁ ସକାଳୁ ଏକ ଟ୍ରେନ ଚଳାଚଳ କରିବା, ୧୨୮୭୧/୧୨୮୭୨ ହାଓଡା-ଟିଟିଲାଗଡ-ହାଓଡା ଇସ୍ପାତ ଏକ୍ସପ୍ରେସକୁ ଜୁନାଗଡ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା, ରାୟଗଡାରେ ସମତା ଏକ୍ସପ୍ରେସରେ ଯାତ୍ରା କରିବାକୁ ରାୟଗଡା ଏବଂ ଜୁନାଗଡ ମଧ୍ୟରେ ଏକ ପାସେଞ୍ଜର ଟ୍ରେନ ଚଳାଚଳ, ୫୮୫୦୩/୫୮୫୦୪ ଏକ୍ସପ୍ରେସକୁ ଜୁନାଗଡ ପର୍ଯ୍ୟନ୍ତ ସମ୍ପ୍ରସାରଣ, ଭୁବନେଶ୍ୱରରୁ କେସିଙ୍ଗା ଭାୟା ଉତ୍‌କେଲା ଏକ ନୂଆ ରେଳପଥ ନିର୍ମାଣ, ଜୟପୁର ଓ ଜୁନାଗଡ ରୋଡ ମଧ୍ୟରେ ନୂଆ ରେଳପଥ ନିର୍ମାଣ, ଜୁନାଗଡ ଓ ଆମ୍ବାଗୁଡା ମଧ୍ୟରେ ଭାୟା ନବରଙ୍ଗପୁର ଓ କୋକସରା ଏକ ନୂଆ ରେଳପଥ ନିର୍ମାଣ ପାଇଁ ଦୀର୍ଘଦିନରୁ ଦାବି ହେଉଛି।

ବିଶାଖାପାଟଣାରୁ ଜୁନାଗଡ଼କୁ ରେଳ ସଂଯୋଗୀକରଣ ଦ୍ୱାରା ମଧ୍ୟ ଅଧିକ ଜନସାଧାରଣ ଉପକୃତ ହୋଇପାରନ୍ତେ, ଭୁବନେଶ୍ୱର ଇଂଟରସିଟି ବଲାଙ୍ଗିର ପର୍ଯ୍ୟନ୍ତ ଚାଲୁରହିଛି ଏହାକୁ ଜୁନାଗଡ଼ ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଉ, କଳାହାଣ୍ଡି ଜିଲାରେ ବିଦ୍ୟୁତ୍ ଚାଳିତ ରେଳଇଞ୍ଜିନ ମରାମତି କାରଖାନା ସ୍ଥାପନ, ଭବାନିପାଟଣା ଓ ଜୁନାଗଡ ଷ୍ଟେସନରେ ଭିଆଇପି ଲାଉଞ୍ଜ ସ୍ଥାପନ ଆଦି ନିମନ୍ତେ ମଧ୍ୟ ଦାବି ହେଉଛି। ଅନେକ ଥର କେନ୍ଦ୍ର ପ୍ରସ୍ତାବିତ ସତ୍ୱେ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରୁନାହିଁ, କେଉଁଠି ଏହା ଆଗେଇପାରୁନାହିିଁ ତଥା ଯୋଜନା ହୋଇପାରୁନାହିଁ ସେଥିପ୍ରତି ଜନପ୍ରତିନିଧି ତଥା ଉଭୟ ସରକାର ଧ୍ୟାନ ଦିଅନ୍ତୁ।

ବର୍ତ୍ତମାନର ପରିସ୍ଥିତିରେ ଯାହା ବି ରେଳ ଚଳାଚଳ ହେଉଛି ସେତିକିରେ ମଧ୍ୟ କିଛି ସୁଧାରର ଆବଶ୍ୟକତା ରହିଛି ଯେପରି, ଭବାନୀପାଟଣା ଲାଉଞ୍ଜକୁ ପରିବର୍ଦ୍ଧିତ କରାଯାଉ। ଜୁନାଗଡ଼ ଫାଷ୍ଟକ୍ଲାସ୍ ୱେଟିଙ୍ଗ୍ ରୁମ୍‌ରେ ଏସି ଲଗାଯାଉ, ସେକେଣ୍ଡ କ୍ଲାସ୍ ୱେଟିଙ୍ଗ୍ ରୁମ୍ ଖୋଲାଯାଉ। ଜୁନାଗଡ଼ ଷ୍ଟେସନ୍‌ରେ ଚାହା ଓ ଜଳଖିଆ ଷ୍ଟଲ୍ ନଥିବାରୁ ଯାତ୍ରୀ ହଟହଟା ହେଉଛନ୍ତି ଏଣୁ ଏଠାରେ ଚା’ପାନୀୟ ଓ ଜଳଖିଆ ଷ୍ଟଲ୍ ଖୋଲାଯାଉ। ନର୍ଲା ଷ୍ଟେସନ୍‌ରେ କୌଣସି ଟ୍ରେନ୍ ଷ୍ଟପେଜ୍ ନଥିବାରୁ ଯାତ୍ରୀ ହଇରାଣ ହେଉଛନ୍ତି, ଏଣୁ ଏହି ରାସ୍ତା ଦେଇ ଯାଉଥିବା ସମସ୍ତ ଟ୍ରେନ୍‌ର ଷ୍ଟପେଜ୍ ଦିଆଯାଉ। କଳାହାଣ୍ଡିର ରେଳ ସୁବିଧାକୁ ସ୍ୱତନ୍ତ୍ର ଧ୍ୟାନ ଦେବା ପାଇଁ ମାନ୍ୟବର ରେଳମନ୍ତ୍ରୀଙ୍କୁ ଅନୁରୋଧ କରାଯାଉଛି।

ଏହି ସଂକ୍ରାନ୍ତରେ ରେଳମନ୍ତ୍ରୀଙ୍କ ଧ୍ୟାନ ଆକର୍ଷଣ ପାଇଁ କଳାହାଣ୍ଡି ବିକାଶ ପରିଷଦର ଟିମ୍ ରେଳମନ୍ତ୍ରୀଙ୍କୁ ଖୁବ୍ ଶୀଘ୍ର ସାକ୍ଷାତ କରି ଅବଗତ କରାଇବାର ନିଷ୍ପତି ନିଆଯାଇଥିବାର ପ୍ରକାଶ।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡିରେ ବଂଚିଛି ପରିବେଶ ଅନୁକୂଳ ଚାଷ, ଆଲୋଚନା ଚକ୍ରରେ ଅତିଥିମାନଙ୍କ ମତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ପ୍ରକୃତି କଳାହାଣ୍ଡିକୁ ଆମପ ସମ୍ପଦ ଅଜାଡି ଦେଇଛି, କଳାହାଣ୍ଡି ଜିଲ୍ଲା ରତ୍ନଗର୍ଭା।  କଳାହାଣ୍ଡିର ଚାଷୀ ପରିବେଶ ଅନୁକୂଳ ଚାଷ ବଞ୍ଚାଇ ପାରିଛି ବୋଲି “କଳାହାଣ୍ଡି କୃଷି ର ବିକାଶ ରେ କୃଷକ ର ଭୂମିକା” ଆଲୋଚନାରେ ଭାଗନେଇ ବିଶିଷ୍ଟ ଅତିଥିମାନେ ମତ ପ୍ରକାଶ କରିଛନ୍ତି।

କଳାହାଣ୍ଡି ମାଟିର ସୁଯୋଗ୍ୟ ସନ୍ତାନ ସ୍ଵନାମମଧାନ୍ୟ ଲେଖିକା, ସମ୍ପାଦିକା, ସଙ୍ଗଠିକା ତଥା ସମାଜସେବୀ ସୁନିତି ମୁଣ୍ଡଙ୍କ ଅଧ୍ୟକ୍ଷତାରେ କଳାହାଣ୍ଡି ବିକାଶ ପରିଷଦ ଆନୁକୂଲ୍ୟରେ ଜୁନାଗଡସ୍ଥିତ ଟାଉନହଳ ଠାରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ଭାଗନେଇ ବିଶିଷ୍ଟ ସ୍ତମ୍ଭକାର ତଥା କୃଷି ବିଶେଷଜ୍ଞ ନଟବର ଖୁଣ୍ଟିଆ କଳାହାଣ୍ଡି ବାସ୍ତବରେ ରତ୍ନଗର୍ଭା ଓ ଏହାର ମୃତ୍ତିକାରେ ଧାନ ଚାଷ ଯେପରି ସଫଳ ହୋଇପାରିଛି ସେହିପରି ଚିନାବାଦାମ, କପା, ଆଖୁ, ମକା, ମାଣ୍ଡିଆ ଭଳି ଅର୍ଥକାରୀ ଫସଲ ଉତ୍ପାଦିତ ହୋଇ ପାରିବ ବୋଲି ପ୍ରକାଶ କରିଥିଲେ। କଳାହାଣ୍ଡିର ବାସନା ଚାଉଳ ର ଚାହିଦା ଓଡ଼ିଶା ତଥା ଦେଶ ବିଦେଶରେ ମଧ୍ୟ ରହିଛି। ଚାଷୀ ତାର ଉତ୍ପାଦିତ ସାମଗ୍ରୀର ପ୍ରକ୍ରିୟା କରିପାରିଲେ ନିର୍ଦ୍ଧାରିତ ମୂଲ୍ୟ ଠାରୁ ଅଧିକ ମୂଲ୍ୟ ପାଇପାରିବ। ସେହିପରି କପାକୁ ନେଇ ଜିନିଙ୍ଗ ମିଲ ଆଦି ସ୍ଥାପନ କରାଗଲେ ଚାଷୀ ଉଚିତ ମୂଲ୍ୟ ପାଇ ପାରିବା ସହିତ ବେକାରୀ ସମସ୍ୟାର ସମାଧାନ ମଧ୍ୟ ହୋଇ ପାରିବ। ସ୍ଵତନ୍ତ୍ର କୃଷି ବିଦ୍ୟାଳୟ ସ୍ଥାପନ କରାଗଲେ ସ୍ଥାନୀୟ ଚାଷୀ ଅଧିକ ଉପକୃତ ହୋଇପାରିବେ ବୋଲି ଶ୍ରୀ ଖୁଣ୍ଟିଆ ମତବ୍ୟକ୍ତ କରିଥିଲେ।

ଏହି ଆଲୋଚନାରେ ଭାଗନେଇ କଳାହାଣ୍ଡିର ଅନ୍ୟତମ ସୁଯୋଗ୍ୟ ସନ୍ତାନ ସମାଜସେବୀ ତଥା ଗବେଷକ ଜଗଦୀଶ ପ୍ରଧାନ ନିଜ ବକ୍ତବ୍ୟରେ କଳାହାଣ୍ଡିର ସଭ୍ୟତା ଓ କୃଷି ପରମ୍ପରା ଅତି ପ୍ରାଚୀନ ଏବଂ ଚତୁର୍ଥ –ପଞ୍ଚମ ଶତାବ୍ଦୀ ରେ ନିର୍ମିତ ବିଭିନ୍ନ ଜଳ ଭଣ୍ଡାର ତଥା ସାଗର ଏବଂ ପରବର୍ତ୍ତୀ ସମୟରେ ନିର୍ମିତ ଶିବ ମନ୍ଦିର ଓ ସେସବୁର ଚାରିପଟେ ବିକଶିତ କୃଷି ବ୍ୟବସ୍ଥା କଳାହାଣ୍ଡିର କୃଷି ଐତିହ୍ୟ ର ପ୍ରମାଣ ଦେଉଛି ବୋଲି ପ୍ରକାଶ କରିଥିଲେ। କଳାହାଣ୍ଡି ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅବିଭକ୍ତ କୋରାପୁଟ ଜିଲ୍ଲା ହିଁ ଧାନର ଉତ୍ପତି ସ୍ଥଳ ବୋଲି ବୈଜ୍ଞାନିକ ମାନେ ପ୍ରମାଣିତ କରିସାରିଥିବା ବେଳେ କଳାହାଣ୍ଡିର ଚାଷୀ ଜୈବ ବିବିଧତା ଏବଂ ପରିବେଶ ଅନୁକୂଳ ଚାଷ ବଞ୍ଚାଇ ରଖିଆସିଛନ୍ତି ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଥିଲେ। କଳାହାଣ୍ଡିର ଚାଷୀ ଙ୍କ ପାରମ୍ପରିକ ତଥା ଉନ୍ନତମାନର ଚାଷ କୌଶଳ ଯୋଗୁଁ ବିଭିନ୍ନ କିସମର ବାସନା ଧାନ ଏବଂ ବିଭିନ୍ନ ଗୁଣ ମାନର ଧାନ , ଡାଲି ଜାତୀୟ ଓ ତୈଳବୀଜ ଫସଲ ଆଦି ବିକଶିତ ହୋଇ ପାରିଛି ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ। ସରକାରୀ ତଥ୍ୟ ଅନୁସାରେ ୧୯୩୮ ରୁ ୧୯୪୮ ମଧ୍ୟରେ ଚାରି ଥର ଅନାବୃଷ୍ଟି ଜନିତ ମରୁଡି ହୋଇଥିଲେ ହେଁ ବର୍ଷକର ଖାଦ୍ୟ ଶସ୍ୟ ସାଇତି ରଖିବା ପରମ୍ପରା ଯୋଗୁଁ ମରୁଡି ସମୟରେ ମଧ୍ୟ ଖାଦ୍ୟଭାବ ଦେଖା ଦେଇନଥିଲା। ବର୍ତ୍ତମାନ ଇନ୍ଦ୍ରାବତୀ ଓ ଅନ୍ୟାନ୍ୟ ଜଳସେଚନ ବ୍ୟବସ୍ଥା ହେବାପରେ ଅତୀତରେ ଉଦେଶ୍ୟ ପ୍ରଣୋଦିତ କିମ୍ବା ଅଜ୍ଞତା ରେ ପ୍ରଚାରିତ ହୋଇଥିବା ଭୋକର ଭୂଗୋଳ ବୋଲି କଳାହାଣ୍ଡିକୁ ଚିତ୍ରଣ କରାଯାଉଥିବା ବିଷୟକୁ ଭୁଲ ପ୍ରମାଣିତ କରିଥିବା ସ୍ପଷ୍ଟ ଜଣାପଡ଼ିଛି।

ଅଶି ଦଶକରେ ଦୁର୍ଭିକ୍ଷ ସମୟରେ ଏସିଆରେ ସଂଗୃହୀତ ଧାନ ମଧ୍ୟରୁ ଏକ ତୃତୀୟାଂଶ ଧାନ କଳାହାଣ୍ଡିରୁ ସଂଗୃହୀତ ହୋଇଥିବା ପ୍ରକାଶ।

ସ୍ଥାନୀୟ ଉଦ୍ୟୋଗପତି ତଥା ଚାଷୀ ଜନାର୍ଦନ ପଣ୍ଡା ଚାଷ ଉପରେ ଅନେକ ଉପାଦେୟ ଏବଂ ଅନୁଭୂତି ତଥ୍ୟ ଉପସ୍ଥାପନା କରିଥିଲେ। ବର୍ତ୍ତମାନର ବ୍ୟବସ୍ଥା ଯୋଗୁଁ ହିଁ ଚାଷୀ ଅନେକ ହଇରାଣ ହରକତ ହେଉଥିବା ପ୍ରକାଶ କରିଥିଲେ। ଆଲୋଚନାରେ ସ୍ଥାନୀୟ ଚାଷୀ ତଥା ସଂଗଠକ ବିରଞ୍ଚି ପଣ୍ଡା ବର୍ତମାନର ବ୍ୟବସ୍ଥା ଯୋଗୁଁ ଚାଷୀ ର ଉନ୍ନତି ହୋଇପାରୁନ ଥିବା ଏବଂ ପ୍ରତିନିଧି ମାନେ ଅଣଦେଖା କରୁଥିବା ବିଷୟ ପ୍ରକାଶ କରିଥିଲେ। ବରିଷ୍ଠ ଚାଷୀ ଗଙ୍ଗାଧର ବେଶରା ଓ ରଞ୍ଜିତ ପଣ୍ଡା ଗୋପାଳନ ମାଧ୍ୟମରେ କୃଷକ ମାନଙ୍କ ଦ୍ବାରା ଜୈବ ବିବିଧତା ପାଳନ ହେବ ଉପରେ ଆଲୋଚନା କରିଥିଲେ। ବର୍ତ୍ତମାନ କୃଷକ ମାନଙ୍କ ବିକାଶ ପାଇଁ କୌଣସି ବ୍ୟବସ୍ଥା ନଥିବା ଶ୍ରୀ ପଣ୍ଡା ପ୍ରକାଶ କରିଥିଲେ। ସ୍ଥାନୀଯ ଚାଷୀ ରଶ୍ମୀ ରଞ୍ଜନ ନାୟକ, ଅଖିଳ ମେହେର ଆଲୋଚନାରେ ଅଂଶ ଗ୍ରହଣ କରି ଚାଷୀ ମାନମକ ବିଭିନ୍ନ ସମସ୍ଯା ଉପରେ ଆଲୋକପାତ କରିଥିଲେ। ଚାଷୀ ଶସ୍ୟ ଉତ୍ପାଦନ ପାଇଁ ପରିଶ୍ରମ କରିଥାଏ ସେତିକି ଲାଭ ପାଇ ପାରୁ ନ ଥିବା ଚାଷୀର ଉତ୍ପାଦିତ ସାମଗ୍ରୀର ମୂଲ୍ୟ ସରକାର ନିର୍ଦ୍ଧାରଣ କରୁଥିବା ହେତୁ ଚାଷୀ ସର୍ବଦା କ୍ଷତି ଶୁଥିବା ବିଷୟ ସ୍ଥାନୀୟ ଚାଷୀ ତଥା ସଂଗଠକ ଦୁଷ୍ମନ୍ତ କୁମାର ପଣ୍ଡା ପ୍ରକାଶ କରିଥିଲେ।

ଆଲୋଚନାରେ ଅଂଶ ଗ୍ରହଣ କରି ଶ୍ରୀ ପଣ୍ଡା ଚାଷୀ ମାନ ଙ୍କ ପ୍ରମୁଖ୍ୟ ସମସ୍ୟା ସବୁର ଉପସ୍ଥାପନ କରିଥିବା ବେଳେ ଚାଷୀ ସଂଗଠିତ ହୋଇପାରୁ ନ ଥିବା ହେତୁ ସେଭଳି ଅସୁବିଧା ଓ ସରକାରୀ ଅନଦେଖା ର ଶିକାର ହେଉଥିବା ପ୍ରକାଶ କରିଥିଲେ। ଅନ୍ୟ ପକ୍ଷରେ ଚାଷୀ ର ଆୟ କମୁଥିବା ବେଳେ ସ୍ବାଭିମାନି ଚାଷୀ ସମ୍ମାନର ସହ ବଞ୍ଚିବାକୁ ସଂଘର୍ଷ କରିବାକୁ ପଡିଥାଏ ଏବଂ କୃଷିକୁ ଆଗାମୀ ଦିନରେ କୃଷି ଉଦ୍ୟୋଗ ରେ ପରିଣତ କଲେ ଯାଇ ଚାଷୀର ଆୟ ବୃଦ୍ଧି ହୋଇପାରିବ ଏବଂ ଚାଷୀ ହୀନ ମାନ୍ୟତା ରୁ ରକ୍ଷା ପାଇ ପାରିବ ବୋଲି ଶ୍ରୀ ପଣ୍ଡା ମତ ବ୍ୟକ୍ତ କରିଥିଲେ। ଅନ୍ୟ ପକ୍ଷରେ ଅଙ୍ଗୁର ପେନ୍ଥା ରେ ଥିବା ଅଙ୍ଗୁର ହୀନ ମୁଲ୍ୟବାନ ହୋଇଥିବା ବେଳେ ଝଡ଼ିଥିବା ଅଙ୍ଗୁରର ମୂଲ୍ୟ ହୀନ ହୟଯାଉଥିବା ବିଷୟ ପ୍ରକାଶ କରି ଚାଷୀ ନିଜ ସମସ୍ଯା ର ସମାଧାନ ପାଇ ଏବଂ ଉପଯୁକ୍ତ ବ୍ୟବସ୍ଥା ପାଇଁ ମତାମତ ଦେବାର ଯୋଜନା କରିବା ପାଇଁ ଏକଜୁଟ ହେବାକୁ ଶ୍ରୀ ପଣ୍ଡା ଆହ୍ବାନ ଜଣାଇଥିଲେ।

ପ୍ରାରମ୍ଭରେ ଆଲୋଚନା ଚକ୍ରର ସୂଚନା ପ୍ରଦାନ କରି କଳାହାଣ୍ଡିର ସର୍ବାଙ୍ଗୀନ ଉନ୍ନତି କରିବାର ସଂକଳ୍ପ ନେଇ କଳାହାଣ୍ଡି ବିକାଶ ପରିଷଦ ଗଠିତ ହୋଇଥିବା ବିଷୟ ଅଧ୍ୟକ୍ଷା ଡଃ ସୁନିତି ମୁଣ୍ଡ ପ୍ରକାଶ କରିଥିଲେ। କଳାହାଣ୍ଡି ଏକ କୃଷିପ୍ରଧାନ ଅଞ୍ଚଳ ହୋଇଥିବାରୁ ଏବଂ ଏଠାକାର ଅଧିବାସୀ କୃଷି ଉପରେ ଅଧିକ ପ୍ରାଧାନ୍ୟ ଦେଇଥିବା ବେଳେ ଏହାର ଶୁଷ୍କ ବତାବରଣରେ ଚାଷୀ କିପରି ଅଧିକ ଉତ୍ପାଦନ କରିପାରିବେ ଏବଂ ନିଜ ଜୀବନ୍ଧରର ମନକୁ ସମୃଦ୍ଧ କରିପାରିବେ ସେ ନେଇ କଳାହାଣ୍ଡି ବିକାଶ ପରିଷଦ ଏଭଳି ଏକ ଆଲୋଚନାର ଆୟୋଜନ କରିଛି ବୋଲି ଡଃ ମୁଣ୍ଡ ପ୍ରକାଶ କରିଥିଲେ। ସ୍ଥାନୀୟ ବରିଷ୍ଠ ଚାଷୀ ତଥା ସମାଜ ସେବି ଦେବଦତ୍ତ ପଣ୍ଡା ଏବଂ ଶିବରମ ରାଉତ ସହଯୋଗ କରିଥିବା ବେଳେ ଶତାଧିକ ଚାଷୀ ଏହି କାର୍ଯକ୍ରମରେ ଉପସ୍ଥିତ ଥିଲେ।