Categories
ଆଜିର ଖବର ରାଜ୍ୟ ଖବର

ଆଧାର-ମୋବାଇଲ୍‌ ଲିଙ୍କ ହୋଇନଥିଲେ ମଧ୍ୟ ଅନ୍‌ଲାଇନ ପଂଜୀକରଣ କରିହେବ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗୁରୁବାର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା ପୁରୀ ଶ୍ରୀକ୍ଷେତ୍ର କଲୋନିସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ରରେ ଖୋଲାଯାଇଥିବା ‘ସୁଭଦ୍ରା’ ସହାୟତା କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସୁଭଦ୍ରା ଯୋଜନାରେ ପଂଜୀକରଣ ନିମନ୍ତେ ଫର୍ମ ସଂଗ୍ରହ ପାଇଁ ଆସିଥିବା ମହିଳାମାନଙ୍କ ସହ ଆଲୋଚନା କରିଥିଲେ। ଏଥି ସହ ଅଙ୍ଗନବାଡ଼ି କର୍ମୀମାନଙ୍କ ଦ୍ୱାରା ଫର୍ମ ବିତରଣ ସଂପର୍କିତ ରେଜିଷ୍ଟର ଯାଞ୍ଚ କରିଥିଲେ। ଏହି କେନ୍ଦ୍ରରୁ ଫର୍ମ ନେଇଥିବା ମହିଳାଙ୍କ ମଧ୍ୟରୁ ୮୦ ପ୍ରତିଶତ ଫର୍ମ ପୂରଣ କରିଥିବା ଜାଣି ଉପମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ।

ଆଲୋଚନା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସମଗ୍ର ରାଜ୍ୟରେ ବ୍ୟାପକ ଜନସଚେତନତା ସୃଷ୍ଟି ସହ କୌଣସି ହିତାଧିକାରୀ ଯେପରି ଏହି ଯୋଜନାରୁ ବାଦ୍‌ ନପଡ଼ନ୍ତି ସେଥି ପ୍ରତି ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ସୁଭଦ୍ରା ଯୋଜନା ନେଇ ଜନସାଧାରଣଙ୍କ ସନ୍ଦେହମୋଚନ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ସୁଭଦ୍ରା ହେଲ¬ଲାଇନ ନମ୍ବର-୧୪୬୭୮ ଜାରି କରାଯାଇଛି। ଏହା ସତ୍ତେ୍ୱ ଆଧାର-ମୋବାଇଲ୍‌ ସଂଯୋଗୀକରଣ ଏବଂ ଫର୍ମ ଦାଖଲର ଶେଷ ତାରିଖ ନେଇ ଜନସାଧାରଣଙ୍କ ମନରେ ସନ୍ଦେହ ରହିଥିବାର ଲକ୍ଷ୍ୟ କରାଯାଇଛି। ରାଜ୍ୟର ସମସ୍ତ ମୋ ସେବା କେନ୍ଦ୍ର ଓ ଜନ ସେବା କେନ୍ଦ୍ରରେ ‘ସୁଭଦ୍ରା’ ଯୋଜନାର ଫର୍ମ ଉପଲବ୍ଧ କରାଯାଉଛି। ‘ସୁଭଦ୍ରା’ ଫର୍ମ ଦାଖଲ କରିବା ପାଇଁ ଆଧାର ସହିତ ମୋବାଇଲ୍‌ ନମ୍ବର ଲିଙ୍କ୍‌ ହୋଇନଥିଲେ ମଧ୍ୟ ବାୟୋମେଟି୍ରକ୍‌ ପଦ୍ଧତିରେ ଆଧାର ପ୍ରାମାଣୀକରଣ କରାଯାଇପାରିବ। ଏଣୁ ବିନା ମୋବାଇଲ୍‌ ନମ୍ବର ଲିଙ୍କରେ ମଧ୍ୟ ଆବେଦନ ପତ୍ର ପୂରଣ ଓ ପଂଜୀକରଣ କରାଯାଇପାରିବ। ପଂଜୀକରଣର କୌଣସି ଶେଷ ତାରିଖ ନିର୍ଦ୍ଧାରିତ ହୋଇନଥିବାରୁ ଆବେଦନକାରୀମାନେ ବ୍ୟସ୍ତବିବ୍ରତ ନହେବାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଚଳିତ ମାସ ୧୭ ତାରିଖ ଦିନ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି। ସେପେଫମ୍ବର ୪ (ବୁଧବାର)ଠାରୁ ଅନ୍‌ଲାଇନ୍‌ରେ ଫର୍ମ ପଂଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ପ୍ରଥମ ଦୁଇଘଣ୍ଟାରେ ୮୦ ହଜାରରୁ ଊଦ୍ଧ୍ୱର୍ ଫର୍ମ ପଂଜୀକୃତ ହୋଇଛି ଏବଂ ଏହି ଫର୍ମ ପଂଜୀକରଣ ପ୍ରକ୍ରିୟା ଜାରି ରହିଛି। ରାଜ୍ୟ ସରକାରଙ୍କ ଏହି ମହତ୍ତ୍ୱାକାଂକ୍ଷୀ ଯୋଜନାର ସଫଳ ରୂପାୟନ ନିମନ୍ତେ ବ୍ୟାପକ ଜନସଚେତନତା ସୃଷ୍ଟି ସହ ଯୋଗ୍ୟ ହିତାଧିକାରୀମାନଙ୍କୁ ଯୋଜନାରେ ସାମିଲ କରିବା ନିମନ୍ତେ କ୍ଷେତ୍ର ସ୍ତରରେ ବ୍ୟାପକ ପ୍ରୟାସ ଜାରି ରଖିବାକୁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସାବଧାନ.., ଆପଣଙ୍କ ପାଖରେ ଯଦି ଏହା ଥିବ ତେବେ ପାଇପାରିବେନି ସୁଭଦ୍ରା ଟଙ୍କା

ଭୁବନେଶ୍ବର: ରାଜ୍ୟ ସରକାର ଲାଗୁ କରିଥିବା ସୁଭଦ୍ରା ଯୋଜନା ନେଇ ସାରା ରାଜ୍ୟରେ ଚର୍ଚ୍ଚା। ହେଲେ ଏହି ଯୋଜନାରେ କେଉଁମାନେ ଆସିବେ କେଉଁମାନେ ଆଯୋଗ୍ୟ ସେ ନେଇ ମଧ୍ୟ ଘଣ୍ଟାଚକଟା ଆରମ୍ଭ ହୋଇଛି। ତେବେ ରାଜ୍ୟ ସରକାର ଜାରୀ କରିଥିବା ନିୟମ ଅନୁସାରେ ନିମ୍ନଲିଖିତ ମହିଳାମାନେ ଯୋଗ୍ୟତା ମାନଦଣ୍ଡ ପୂରଣ କରୁଥିଲେ ମଧ୍ୟ, ଏହି ଯୋଜନାର ଲାଭ ପାଇବା ପାଇଁ ଅଯୋଗ୍ୟ ହେବେ:

କ. ଯେଉଁ ମହିଳା ମାସକୁ ମୋଟ ୧୫00 ଟଙ୍କା କିମ୍ବା ତାଠାରୁ ଅଧିକ କିମ୍ବା ବାର୍ଷିକ ମୋଟ ୧୮,000 ଟଙ୍କା ବା ତାଠାରୁ ଅଧିକ କୌଣସି ରାଜ୍ୟ କିମ୍ବା କେନ୍ଦ୍ର ସରକାରୀ ସହାୟତା ଯଥା- ପେନସନ, ଛାତ୍ରବୃତ୍ତି ଇତ୍ୟାଦି ଗ୍ରହଣ କରୁଛନ୍ତି ।

ଖ. ଜଣେ ମହିଳା ନିଜେ କିମ୍ବା ତାଙ୍କ ନିଜର ପରିବାର ସଦସ୍ୟ ଯଦି :

୧. ବର୍ତ୍ତମାନର କିମ୍ବା ପୂର୍ବତନ ସାଂସଦ କିମ୍ବା ବିଧାନସଭା ସଦସ୍ୟ ହୋଇଥିବେ ।

୨. ଆୟକର ଦେଉଥିବେ ।

୩. ଯେ କୌଣସି ସହରାଞ୍ଚଳ ଶ୍ଵାୟତ୍ତ ଶାସନ ସଂସ୍ଥା (Urban Local body) କିମ୍ବା ପଞ୍ଚାୟତି ରାଜ ଅନୁଷ୍ଠାନରେ ନିର୍ବାଚିତ ଜନ ପ୍ରତିନିଧୀ ହୋଇଥିବେ (କେବଳ ୱାର୍ଡ ମେମ୍ବର, ସ୍ଥାନୀୟ ପରିଷଦ (Councillor) ସଦସ୍ୟ ବ୍ୟତୀତ)

୪. ଭାରତ ସରକାର କିମ୍ବା ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଯେକୌଣସି ଅଣ୍ଡରଟେକିଂ (undertaking) / ବୋର୍ଡ / ସ୍ଥାନୀୟ ସଂସ୍ଥା (local body) / ସଂଗଠନ / ନିୟମିତ / ସ୍ଥାୟୀ / ଚୁକ୍ତିଭିତ୍ତିକ କର୍ମଚାରୀ ଭାବରେ ନିଯୁକ୍ତ କିମ୍ବା ଅବସର ପରେ ପେନସନ ଗ୍ରହଣ କରୁଥିବେ । ଯଦି ଏହି ଯୋଜନାର ଅନ୍ୟ ସମସ୍ତ ମାନଦଣ୍ଡ ପୂରଣ କରୁଥିଲେ, ତେବେ, ପାରିଶ୍ରମିକ ଗ୍ରହଣ କରୁଥିବା ସମସ୍ତ କର୍ମଚାରୀ ଏବଂ ଆଉଟସୋର୍ସିଂ ଏଜେନ୍ସି ମାଧ୍ୟମରେ ନିୟୋଜିତ ସମସ୍ତ କର୍ମଚାରୀ ଏହି ଯୋଜନା ଅଧୀନରେ ଯୋଗ୍ୟ ବିବେଚିତ ହେବେ ।

୫. ଯେ କୌଣସି ସରକାରୀ ବିଭାଗ / ଅଣ୍ଡରଟେକିଂ / ବୋର୍ଡ / ଭାରତ ସରକାର କିମ୍ବା ରାଜ୍ୟ ସରକାରଙ୍କର ମନୋନୀତ ପ୍ରତିନିଧୀ ହୋଇଥିବେ ।

୬. ଟ୍ରାକ୍ଟର, ମିନି-ଟ୍ରକ୍, ଛୋଟ ବାଣିଜ୍ୟିକ ଯାନ ଏବଂ ଅନ୍ୟ ସମାନ ହାଲୁକା ସାମଗ୍ରୀ ଯାନ ବ୍ୟତୀତ ୪ ଚକିଆ ମୋଟର ଯାନର ମାଲିକ ।

ଗ. ଆବେଦନକାରୀଙ୍କ ପରିବାରର ଜଳସେଚିତ ଜମିର ପରିମାଣ ୫ ଏକରରୁ ଅଧିକ ଓ ଅଣ ଜଳସେଚିତ ଜମିର ପରିମାଣ ୧୦ ଏକରରୁ ଅଧିକ ହୋଇଥିବ । (ବି:ଦ୍ର: ଏହି ଯୋଜନା ପାଇଁ, ପରିବାରର ସଂଜ୍ଞା କହିଲେ ଜାତୀୟ ଖାଦ୍ଯ ସୁରକ୍ଷା ଆଇନ / ରାଜ୍ୟ ଖାଦ୍ଯ ସୁରକ୍ଷା ଯୋଜନା (NFSA / SFSS) ରେ ପରିଭାଷିତ ଥିବା ପରିବାର କୁ ବୁଝାଏ )

Categories
ଆଞ୍ଚଳିକ

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ

ବାଣପୁର: ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ଗୁଡିକ ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ବାଣପୁର କୋର୍ଟ ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ବିଚାରପତି ଶ୍ରୀ ମହାପାତ୍ର ନିକଟରେ ବାଣପୁର ଉପ କାରାଗାର ପରିଦର୍ଶନ କରି ବନ୍ଦୀ ମାନଙ୍କ ଅଧିକାର ବିଷୟରେ ସେମାନଙ୍କୁ ସଚେତନ କରାଇଥିଲେ। ତତସହିତ ସେମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ପ୍ରବଧାନ ଥିବା ସୁବିଧା ଗୁଡିକ ବିଷୟରେ ସେମାନଙ୍କୁ ଅବଗତ କରାଇଥିଲେ।

ଅନୁରୂପ ଭାବେ ଗତକାଲି ବାଣପୁର କୋର୍ଟ ପରିସରରେ ତାଲୁକ ଆଇନ ସେବା ସମିତି ପକ୍ଷରୁ ଓଡିଶା ହାଇକୋର୍ଟ ଭିଡିଓ କନଫରେନସିଂ ଦ୍ୱାରା କିପରି ରାଜ୍ୟର ଅନ୍ୟ କୋର୍ଟମାନେ ଲାଭବାନ ହେଉଛନ୍ତି,ସୁପ୍ରିମକୋର୍ଟ ର ଇଂରାଜୀ ଭାଷାକୁ ଅତ୍ୟାଧୁନିକ ଏଆଇ ଟେକ୍ନୋଲୋଜି ଦ୍ୱାରା କିପରି ଆଞ୍ଚଳିକ ଭାଷାରେ ପରିବର୍ତ୍ତନ କରାଯାଇପାରୁଛି, କୋର୍ଟଗୁଡିକୁ ପ୍ରଦାନ କରାଯାଇଥିବା ସୂଚନା ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା ସୁବିଧା ଏବଂ ଦେୱାନୀ ମାମଲାଗୁଡିକର ଶୀଘ୍ର ସମାଧାନ ପାଇଁ ହାଇକୋର୍ଟ ମଧ୍ୟସ୍ଥତା ଅଧିନିୟମ, ୨୦୦୭  ବିଷୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ସେହିପରି ଭାବେ ଆଜି ବାଣପୁର ବ୍ଲକ ସଭାଗୃହରେ ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ବିଚାରପତି ଶ୍ରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ବାଣପୁର ବିଡ଼ିଓ ଶୀତଲ ଅଗ୍ରୱାଲ, ତହସିଲଦାର ଟି. ପଦ୍ମନାଭ ଦୋରା, ବାଣପୁର ଓକିଲ ସଂଘ ସମ୍ପାଦକ ରଞ୍ଜନ କୁମାର ବେଦମତ୍ତା, ଫ୍ରଣ୍ଟ ଅଫିସ ରିଟେନର ପଦ୍ମଜା ପଟ୍ଟନାୟକ,ଆଇନଜୀବୀ ବିଭୁତି ନାୟକ, ସନ୍ତୋଷ ମହାପାତ୍ର, ସୀତାରାମ ଅଗ୍ରୱାଲ ଯୋଗଦେଇଥିଲେ।

ଉକ୍ତ ସଚେତନତା ଶିବିରରେ ବାଣପୁର ବ୍ଲକର ସମସ୍ତ ପଞ୍ଚାୟତର ନିର୍ବାଚିତ ଜନପ୍ରତିନିଧି ମାନେ ଯୋଗ ଦେଇଥିଲେ। ସେମାନଙ୍କୁ ବିଚାରପତି ଶ୍ରୀ ମହାପାତ୍ର ତାଲୁକ ଆଇନ ସେବା ବିଷୟରେ ଅବଗତ କରାଇଥିଲେ ଏବଂ ଯେକୌଣସି ଅସହାୟ ନାଗରିକ ଉକ୍ତ ଆଇନର ଆଶ୍ରୟ ନେଇ ନିଃଶୁଳ୍କ ଭାବେ କୋର୍ଟରେ ନିଜର ଅଧିକାର ପାଇଁ ଲଢେଇ କରିପାରିବ ବୋଲି କହିଥିଲେ।

ସେହିପରି ବିଡିଓ ଏବଂ ତହସିଲଦାର ବିଭିନ୍ନ ସରକାରୀ ଯୋଜନା ଏବଂ ସରକାରୀ ସୁବିଧା ବିଷୟରେ ଜନପ୍ରତିନିଧିଙ୍କୁ ଅବଗତ କରାଇଥିଲେ। ପରିଶେଷରେ ରାଜ୍ୟ ସରକାରଙ୍କ ନୂତନ ଯୋଜନା ‘ସୁଭଦ୍ରା’ ର ଗାଇଡଲାଇନ ବିଷୟରେ ବିସ୍ତୃତ ଭାବେ ଜନପ୍ରତିନିଧିଙ୍କୁ ଅବଗତ କରାଇଥଲେ ବିଡିଓ ଶ୍ରୀମତୀ ଅଗ୍ରୱାଲ।

Categories
ବିଶେଷ ଖବର ରାଜ୍ୟ ଖବର

‘ସୁଭଦ୍ରା’ ଯୋଜନାର ମାର୍ଗଦର୍ଶିକା ଜାରି: ଜାଣନ୍ତୁ ଏଥିରେ କ’ଣ ରହିଛି ସୁବିଧା?

ଭୁବନେଶ୍ୱର: ମହିଳାମାନଙ୍କୁ ଆର୍ଥିକ ସ୍ଵାବଲମ୍ବୀ କରିବା ଲକ୍ଷ୍ୟରେ ଆରମ୍ଭ କରାଯାଇଛି ସୁଭଦ୍ରା ଯୋଜନା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅନୁମୋଦନ କ୍ରମେ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ରାଜ୍ୟସରକାରଙ୍କ ଯୁଗାନ୍ତକାରୀ ଯୋଜନା ‘ସୁଭଦ୍ରା’ର ମାର୍ଗଦର୍ଶିକା ଜାରି କରାଯାଇଛି।

ହିତାଧିକାରୀମାନେ ଯେପରି ଠିକ୍ ସୂଚନା ପାଇବେ ଏବଂ ଆବେଦନ କରିପାରିବେ, ସେଥିପାଇଁ ଏହି ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି। ଏହି ମାର୍ଗଦର୍ଶିକା ଅନୁଯାୟୀ ହିତାଧିକାରୀଙ୍କ ବୟସ ୨୧ ବର୍ଷ କିମ୍ବା ତଦୁର୍ଦ୍ଧ ଓ ୬୦ ବର୍ଷରୁ କମ୍ ହେଇଥିବା ଆବଶ୍ୟକ। ଯୋଗ୍ୟ ମହିଳାଙ୍କ କେବଳ ନିଜ ନାମରେ ଆଧାର କାର୍ଡ/ଆଧାର ନମ୍ବର ରହିବା ସହ ସେମାନଙ୍କ ମୋବାଇଲ ନମ୍ବର ଆଧାର କାର୍ଡ ସହ ଲିଙ୍କ ହୋଇଥିବା ଆବଶ୍ୟକ। ଏକକ- ଧାରକ ବ୍ୟାଙ୍କ ଆକାଉଣ୍ଟ (କେବଳ ନିଜ ନାମରେ ବ୍ୟାଙ୍କ ଆକାଉଣ୍ଟ) ଥିବା ସହ ବ୍ୟାଙ୍କ ଆକାଉଣ୍ଟଟି ଚାଲୁ ରହିଥିବା ଓ ସିଧାସଳଖ ଟଙ୍କା ସହାୟତା ପାଇଁ ସକ୍ଷମ ଥିବା ନିହାତି ଆବଶ୍ୟକ। ସହଜ କାରବାର କରିବା ପାଇଁ ସମସ୍ତ ହିତାଧିକାରୀଙ୍କୁ ଏକ ସୁଭଦ୍ରା କାର୍ଡ ପ୍ରଦାନ କରାଯିବ। ସମସ୍ତ ଯୋଗ୍ୟ ମହିଳାଙ୍କୁ ୫ ବର୍ଷ ପାଇଁ ଦୁଇଟି କିସ୍ତିରେ ବାର୍ଷିକ ୧୦,୦୦୦ ହାରରେ ୫୦,୦୦୦ଟଙ୍କା ପ୍ରଦାନ କରାଯିବ। ପ୍ରତିବର୍ଷ ପ୍ରଥମ କିସ୍ତି ରକ୍ଷା ବନ୍ଧନ ଦିବସରେ ଓ ଦ୍ବିତୀୟ କିସ୍ତି ଆନ୍ତର୍ଜାତୀୟ ମହିଳା ଦିବସରେ ପ୍ରଦାନ କରାଯିବ।

ମହିଳାମାନଙ୍କ ମଧ୍ୟରେ ଡିଜିଟାଲ ଆର୍ଥିକ ସାକ୍ଷରତାକୁ ବ୍ୟାପକ କରିବା ପାଇଁ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଓ ପୌରାଞ୍ଚଳ ସଂସ୍ଥାରୁ ସର୍ବାଧିକ ଡିଜିଟାଲ କାରବାର କରୁଥିବା ୧୦୦ ଜଣ ମହିଳାଙ୍କୁ ଅତିରିକ୍ତ ୫୦୦ ଟଙ୍କା ପୁରସ୍କାର ଆକାରରରେ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ।

ମହିଳାମାନଙ୍କ ସର୍ବାଙ୍ଗୀନ ଉନ୍ନତିକୁ ସୁଦୃଢ କରିବା ପାଇଁ ସୁଭଦ୍ରା ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ। ଏହି ଯୋଜନାର ସଫଳ ରୂପାୟନ ନିମନ୍ତେ ଏହି ମାର୍ଗଦର୍ଶିକା ଜାରି କରାଯାଇଛି। ଏହି ଯୋଜନା ସମ୍ବନ୍ଧୀୟ କୌଣସି ଭୁଲ ଖବର ଦ୍ଵାରା ଭ୍ରମିତ ନ ହେବା ପାଇଁ ବିଭାଗ ତରଫରୁ ସମସ୍ତ ହିତାଧିକାରୀଙ୍କୁ ଅନୁରୋଧ କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଲାଗୁ ହେବ ସୁଭଦ୍ରା ଯୋଜନା, ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ବର୍ଷକୁ ମିଳିବ ଦଶ ହଜାର

ଭୁବନେଶ୍ବର: ଚଳିତ ଆର୍ଥିକ ବର୍ଷରେ ଲାଗୁ ହେବ ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନା। ଏହି ଯୋଜନା ଚଳିତ ବର୍ଷଠାରୁ ପ୍ରଦାନ କରାଯିବ। ଏ ନେଇ ଆଜି ବିଧାନସଭାରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ କହିଛନ୍ତି ଯେ, ଗତକାଲି ଏହି ଯୋଜନାକୁ ରାଜ୍ୟ କ୍ୟାବିନେଟ ମଂଜୁରୀ ପ୍ରଦାନ କରିଛନ୍ତି। ଚଳିତ ବର୍ଷରୁ ଏହା ଲାଗୁ କରିବା ପାଇଁ ନିଷ୍ପତି କରାଯାଇଛି।

ମୁଖ୍ୟମନ୍ତ୍ରୀ ଏହି ଯୋଜନା ବାବଦରେ କହିଛନ୍ତି ଯେ, ଯୋଗ୍ୟ ମହିଳାମାନଙ୍କୁ ପାଞ୍ଚ ବର୍ଷ ପାଇଁ ମୋଟ ପଚାଷ ହଜାର ଟଙ୍କା ମିଳିବ। ପ୍ରତି ବର୍ଷ ଦଶ ହଜାର ଟଙ୍କା ଦୁଇଟି କିସ୍ତିରେ ପ୍ରଦାନ କରାଯିବ। ଗୋଟିଏ କିସ୍ତି ରାକ୍ଷୀ ପୂର୍ଣିମାରେ ଏବଂ ଅନ୍ୟଟି ମହିଳା ଦିବସରେ ପାଞ୍ଚହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଏହି ଯୋଜନା 2029 ମସିହା ପର୍ଯ୍ୟନ୍ତ ଲାଗୁ ହେବ। ଏଥିରେ ଯେଉଁ ମହିଳାଙ୍କ ବୟସ 21 ବର୍ଷ ରୁ ଅଧିକ ଏବଂ 60 ବର୍ଷରୁ କମ ହୋଇଥିବ ସେମାନଙ୍କୁ ପ୍ରଦାନ କରାଯିବ।

ଏହି ଯୋଜନା ଦ୍ବାରା ଓଡିଶାର ପ୍ରାୟ 1 କୋଟିରୁ ଉର୍ଦ୍ଧ ମହିଳାମାନେ ଉପକୃତ ହେବେ। ସେଥିପାଇଁ ମୋଟ 55,825 କୋଟି ଟଙ୍କା ବ୍ୟୟ ହେବ ବୋଲି ଧର୍ଯ୍ୟ କରାଯାଇଛି। ତେବେ ପ୍ରତି ପଞ୍ଚାୟତ କିମ୍ବା ଏନଏସିରୁ ମାତ୍ର 100 ଜଣ ମହିଳାଙ୍କୁ ଚିହ୍ନଟ କରାଯାଇ ଏହି ଟଙ୍କା ସିଧା ତାଙ୍କ ଆକାଉଣ୍ଟକୁ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଗୃହକୁ ଅବଗତ କରାଇଛନ୍ତି। ଯେଉଁ ମହିଳାମାନେ ଆୟକର, ଚାକିରୀ କିମ୍ବା ସ୍ବଚ୍ଛଳ ବର୍ଗର ହୋଇଥିବେ ସେମାନେ ଏହି ଯୋଜନାରୁ ବାଦ ପଡିବେ।

ତେବେ ଏ ନେଇ ଖୁବ ଶିଘ୍ର ଅନଲାଇନ ଆବେଦନ ସୁଭଦ୍ରା ନାମରେ ଖୋଲାଯିବ। ଯେଉଁ ମହିଳାମାନେ ନିଜକୁ ଯୋଗ୍ୟ ବୋଲି ଭାବୁ ଥାନ୍ତି ସେମାନେ ଅଙ୍ଗନବାଡି କେନ୍ଦ୍ର, ଜନସେବା କେନ୍ଦ୍ର, ମୋ ସେବା କେନ୍ଦ୍ର କିମ୍ବା ବ୍ଲକରେ ଆବେଦନ କରିପାରିବେ। ଏଥିପାଇଁ ଖୁବଶିଘ୍ର ଏକ କଲ ସେଣ୍ଟର ମଧ୍ୟ ସ୍ଥାପନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।