ନୂଆଦିଲ୍ଲୀ: ନୀତି ଆୟୋଗଙ୍କ ରିପୋର୍ଟ ‘ଜାତୀୟ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ: ଏକ ପ୍ରଗତି ସମୀକ୍ଷା ୨୦୨୩’ ଅନୁଯାୟୀ ୨୦୧୫-୧୬ ରୁ ୨୦୧୯-୨୧ ମଧ୍ୟରେ ରେକର୍ଡ ପରିମାଣରେ ୧୩.୫ କୋଟି ଲୋକ ବହୁମୁଖୀ ଦାରିଦ୍ର୍ୟରୁ ବାହାର ପାରିିଛନ୍ତି। ସୋମବାର ଦିନ ନୀତି ଆୟୋଗର ଉପାଧ୍ୟକ୍ଷ ସୁମନ ବେରୀ, ନୀତି ଆୟୋଗ ସଦସ୍ୟ ଡକ୍ଟର ଭି କେ ପଲ୍ ଏବଂ ଡକ୍ଟର ଅରବିନ୍ଦ ବୀରମଣି ଏବଂ ନୀତି ଆୟୋଗ ସିଇଓ ବି ଭି ଆର ସୁବ୍ରମଣ୍ୟମଙ୍କ ଉପସ୍ଥିତିରେ ଏହି ରିପୋର୍ଟ ପ୍ରକାଶ କରିଛନ୍ତି।
ସର୍ବଶେଷ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ଏନ୍ଏଫ୍ଏଚ୍ଏସ୍ -୫ (୨୦୧୯-୨୧), ଉପରେ ଆଧାର କରି, ଜାତୀୟ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ (ଏମ୍ପିଆଇ) ର ଏହି ଦ୍ୱିତୀୟ ସଂସ୍କରଣ, ଏନ୍ଏଫ୍ଏଚ୍ଏସ୍ -୪ (୨୦୧୫-୧୬) ଏବଂ ଏନ୍ଏଫ୍ଏଚ୍ଏସ୍ -୫ (୨୦୧୯-୨୧) ମଧ୍ୟରେ ବହୁମୁଖୀ ଦାରିଦ୍ର୍ୟ ହ୍ରାସ କରିବାରେ ଭାରତର ଅଗ୍ରଗତିକୁ ଉପସ୍ଥାପିତ କରେ। ନଭେମ୍ବର ୨୦୨୧ ରେ ଆରମ୍ଭ ହୋଇଥିବା ଭାରତର ଜାତୀୟ ଏମ୍ପିଆଇର ବେସଲାଇନ୍ ରିପୋର୍ଟ ଉପରେ ଏହା ଆଧାରିତ। ଗ୍ରହଣ କରାଯାଇଥିବା ବ୍ୟାପକ କାର୍ଯ୍ୟପ୍ରଣାଳୀ ବୈଶ୍ୱିକ ପଦ୍ଧତି ଅନୁସାରେ ରହିଛି।
ଜାତୀୟ ଏମ୍ପିଆଇ ସ୍ୱାସ୍ଥ୍ୟ, ଶିକ୍ଷା, ଏବଂ ଜୀବନଧାରଣର ତିନୋଟି ସମାନ ରୂପ ବିଶିଷ୍ଟ ଏକା ସହିତ ଅଭାବକୁ ମାପ କରିଛି ଯାହାକି ୧୨ ଏସ୍ଡିଜି- ସଂରେଖିତ ସୂଚକ ଗୁଡିକ ଦ୍ୱାରା ଦର୍ଶା ଯାଇଛି। ଏଥି ମଧ୍ୟରେ ପୁଷ୍ଟିକର ଖାଦ୍ୟ, ଶିଶୁ ଏବଂ କିଶୋର ମୃତ୍ୟୁ, ମାତୃ ସ୍ୱାସ୍ଥ୍ୟ, ବିଦ୍ୟାଳୟର ବର୍ଷ, ବିଦ୍ୟାଳୟରେ ଉପସ୍ଥାନ, ରନ୍ଧନ ନିମନ୍ତେ ଆବଶ୍ୟକ ଇନ୍ଧନ, ସ୍ୱଚ୍ଛତା, ପାନୀୟ ଜଳ, ବିଦ୍ୟୁତ୍ ଶକ୍ତି, ଗୃହ, ସମ୍ପତ୍ତି ଏବଂ ବ୍ୟାଙ୍କ ଆକାଉଣ୍ଟ ଗୁଡ଼ିକ ଅନ୍ତର୍ଭୁକ୍ତ । ସମସ୍ତ ୧୨ ସୂଚକାଙ୍କରେ ଉଲ୍ଲେଖନୀୟ ଉନ୍ନତି ଦେଖାଯାଇଛି।
ରିପୋର୍ଟ ଅନୁଯାୟୀ, ଭାରତର ବହୁମୁଖୀ ଗରିବଙ୍କ ସଂଖ୍ୟାରେ ୯.୮୯ ପ୍ରତିଶତ ଉଲ୍ଲେଖନୀୟ ହ୍ରାସ ପଞ୍ଜିକୃତ ହୋଇଛି, ଯାହା ୨୦୧୫-୧୬ରେ ୨୪.୮୫% ଥିବାବେଳେ ୨୦୧୯-୨୦୨୧ ରେ ୧୪.୯୬% ହୋଇଛି। ଗ୍ରାମାଞ୍ଚଳରେ ଦାରିଦ୍ର୍ୟ କ୍ଷେତ୍ରରେ ଦ୍ରୁତତମ ହ୍ରାସ ୩୨.୫୯% ରୁ ୧୯.୨୮% ହୋଇଛି। ସମାନ ଅବଧିରେ, ସହରାଞ୍ଚଳରେ ଦାରିଦ୍ର୍ୟ ପରିମାଣ ୮.୬୫% ରୁ ୫.୨୭% କୁ ହ୍ରାସ ପାଇଥିଲା। ଉତ୍ତରପ୍ରଦେଶରେ ଗରିବଙ୍କ ସଂଖ୍ୟାରେ ସର୍ବାଧିକ ହ୍ରାସ ଘଟିଛି ଏବଂ ୩.୪୩ କୋଟି ଲୋକ ବହୁମୁଖୀ ଦାରିଦ୍ର୍ୟରୁ ରକ୍ଷା ପାଇ ପାରିଛନ୍ତି। ୩୬ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ତଥା ୭୦୭ ଟି ପ୍ରଶାସନିକ ଜିଲ୍ଲା ପାଇଁ ବହୁମୁଖୀ ଦାରିଦ୍ର୍ୟ ଆକଳନ ପ୍ରଦାନ କରି, ରିପୋର୍ଟରେ ଦର୍ଶାଯାଇଛି ଯେ ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ଓଡିଶା ଏବଂ ରାଜସ୍ଥାନରେ ବହୁମୁଖୀ ଗରିବଙ୍କ ଅନୁପାତରେ ଦ୍ରୁତତମ ହ୍ରାସ ଘଟିଛି ।
୨୦୧୫-୧୬ ରୁ ୨୦୧୯-୨୧ ମଧ୍ୟରେ, ଏମ୍ପିଆଇ ମୂଲ୍ୟ ୦.୧୧୭ ରୁ ପ୍ରାୟ ଅଧା ୦.୦୬୬ କୁ ହ୍ରାସ ପାଇଛି ଏବଂ ଦାରିଦ୍ର୍ୟର ତୀବ୍ରତା ୪୭% ରୁ ୪୪% କୁ ହ୍ରାସ ପାଇଛି, ଯାହା ଦ୍ୱାରା ୨୦୩୦ ର ନିର୍ଦ୍ଧାରିତ ସମୟ ସୀମା ଠାରୁ ବହୁ ଆଗରୁ ଭାରତକୁ ଏସ୍ଡିଜି ଲକ୍ଷ୍ୟ ୧.୨ (ବହୁମୁଖୀ ଦାରିଦ୍ର୍ୟ ଅତି କମରେ ଅଧା ହ୍ରାସ କରିବା) ପଥରେ ସ୍ଥିର କର ଯାଇଛି । ଏହା ସ୍ଥାୟୀ ତଥା ସମାନ ବିକାଶକୁ ସୁନିଶ୍ଚିତ କରିଥାଏ ଏବଂ ୨୦୩୦ ସୁଦ୍ଧା ଦାରିଦ୍ର୍ୟ ଦୂରୀକରଣ ଉପରେ ସରକାରଙ୍କ ରଣନୀତିକ ଧ୍ୟାନକୁ ପ୍ରଦର୍ଶିତ କରିଥାଏ, ଯାହା ଦ୍ୱାରା ଏସ୍ଡିଜି ଗୁଡ଼ିକ ଉଦ୍ଦେଶ୍ୟରେ ପ୍ରତିବଦ୍ଧତା ପାଳନ କରାଯାଇଛି ।
ସ୍ୱଚ୍ଛତା, ପୁଷ୍ଟିକର ଖାଦ୍ୟ, ରନ୍ଧନ ପାଇଁ ଆବଶ୍ୟକ ଇନ୍ଧନ, ଆର୍ôଥକ ଅନ୍ତର୍ଭୁକ୍ତୀକରଣ, ପାନୀୟ ଜଳ ଏବଂ ବିଦ୍ୟୁତ୍ ସୁବିଧା ଉପରେ ସରକାରଙ୍କ ଉତ୍ସର୍ଗୀକୃତ ଧ୍ୟାନ ଏହି କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରାଇ ପାରିଛି । ଏମ୍ପିଆଇର ସମସ୍ତ ୧୨ଟି ଯାକ ମାନଦଣ୍ଡ ଉଲ୍ଲେଖନୀୟ ଉନ୍ନତି ପ୍ରଦର୍ଶନ କରିଛି । ପୋଷଣ ଅଭିଯାନ ଏବଂ ରକ୍ତହୀନତା ମୁକ୍ତ ଭାରତ ଭଳି ପ୍ରମୁଖ କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଭାବ ହ୍ରାସ କରିବାରେ ଅବଦାନ ରଖିଛି । ସ୍ୱଚ୍ଛ ଭାରତ ମିଶନ (ଏସବିଏମ) ଏବଂ ଜଳ ଜୀବନ ମିଶନ (ଜେଜେଏମ) ଭଳି ପଦକ୍ଷେପ ସମଗ୍ର ଦେଶରେ ପରିମଳ ବ୍ୟବସ୍ଥାରେ ଉନ୍ନତି ଆଣିଛି । ପରିମଳ ବ୍ୟବସ୍ଥାର ଅଭାବ କ୍ଷେତ୍ରରେ ୨୧.୮ ପ୍ରତିଶତ ପଏଣ୍ଟର ଉନ୍ନତିରେ ଏହି ପ୍ରୟାସର ପ୍ରଭାବ ସ୍ପଷ୍ଟ ହୋଇଛି ।
ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମ୍ୟୁୱାଇ) ମାଧ୍ୟମରେ ରିହାତିିଯୁକ୍ତ ରନ୍ଧନ ପାଇଁ ଆବଶ୍ୟକ ଇନ୍ଧନର ଯୋଗାଣ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିଛି ଏବଂ ରନ୍ଧନ ଇନ୍ଧନର ଅଭାବକୁ ହ୍ରାସ କରିବା କ୍ଷେତ୍ରରେ ୧୪.୬ ପ୍ରତିଶତ ପଏଣ୍ଟ ଉନ୍ନତି ହୋଇଛି । ଦେଶରେ ବହୁମୁଖୀ ଦାରିଦ୍ର୍ୟକୁ ହ୍ରାସ କରିବାରେ ସୌଭାଗ୍ୟ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍ଏୱାଇ), ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା (ପିଏମ୍ଜେଡିୱାଇ) ଏବଂ ସମଗ୍ର ଶିକ୍ଷା ଭଳି ପଦକ୍ଷେପ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଛି । ବିଶେଷ କରି ବିଦ୍ୟୁତ୍, ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଏବଂ ପାନୀୟ ଜଳ ପାଇଁ ଅତ୍ୟଧିକ ନିମ୍ନ ଅଭାବ ହାରରେ ହାସଲ ହୋଇଥିବା ଉଲ୍ଲେଖନୀୟ ଅଗ୍ରଗତି, ନାଗରିକ ମାନଙ୍କର ଜୀବନରେ ଉନ୍ନତି ଆଣିବା ଏବଂ ସମସ୍ତଙ୍କ ପାଇଁ ଉଜ୍ଜ୍ୱଳ ଭବିଷ୍ୟତ ସୃଷ୍ଟି କରିବା ପାଇଁ ସରକାରଙ୍କ ଅଦମ୍ୟ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଛି । ବିଭିନ୍ନ ପ୍ରକାରର କ।।ର୍ଯ୍ୟକ୍ରମ ଏବଂ ପଦକ୍ଷେପ ଗୁଡ଼ିକର କ୍ରମାଗତ କାର୍ଯ୍ୟକାରିତା, ଯେଉଁ ଗୁଡ଼ିକର ବଳିଷ୍ଠ ଆଭ୍ୟନ୍ତରୀଣ ସଂଯୋଗ ରହିଛି, ତାହା ଏକାଧିକ ସୂଚକାଙ୍କରେ ବଞ୍ଚିତତାକୁ ହ୍ରାସ କରିବା ଦିଗରେ ପଥ କଢ଼ାଇ ନେଇଛି ।