Categories
ଆଜିର ଖବର ରାଜ୍ୟ ଖବର

କୋଣାର୍କ ସୂର୍ଯ୍ୟ ମନ୍ଦିରଠାରେ ଡିଏମଏଫ ପ୍ରଦର୍ଶନୀ ପରିଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ ଜି. କିଶନ ରେଡ୍ଡୀ

କୋଣାର୍କ: କେନ୍ଦ୍ର ଖଣି ମନ୍ତ୍ରୀ ଜି. କିଶନ ରେଡ୍ଡୀ କୋଣାର୍କସ୍ଥିତ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିରଠାରେ ଆୟୋଜିତ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ପ୍ରଦର୍ଶନୀ ପରିଦର୍ଶନ କରିଛନ୍ତି। ଓଡ଼ିଶା ସରକାରଙ୍କ ସହଯୋଗରେ ଖଣି ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏହି ପ୍ରଦର୍ଶନୀ ଗତ ୧୮ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ମନ୍ତ୍ରୀଙ୍କ ଗସ୍ତ ସମୟରେ, ମାନ୍ୟବର ମନ୍ତ୍ରୀ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ର ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ ଏବଂ ପ୍ରଦର୍ଶନୀରେ ପ୍ରଦର୍ଶିତ ଅନେକ ଅଭିନବ ଉତ୍ପାଦ ଏବଂ ସମାଧାନର ନିରୀକ୍ଷଣ କରିଥିଲେ, ଯାହା ଖଣି ପ୍ରଭାବିତ ଜନସମୁଦାୟ ଉପରେ ଡିଏମଏଫ ପାଣ୍ଠିର ପରିବର୍ତ୍ତନଶୀଳ ପ୍ରଭାବକୁ ପ୍ରଦର୍ଶିତ କରିଥିଲା।

‘ଦୀର୍ଘସ୍ଥାୟୀ ବିକାଶ ଦ୍ୱାରା ଜନ ସମୁଦାୟର ସଶକ୍ତିକରଣ’ ବିଷୟବସ୍ତୁକୁ ନେଇ ଡିଏମ୍ଏଫ୍ ସମର୍ଥିତ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି), ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ (ଜିଏସଆଇ), ହିନ୍ଦୁସ୍ତାନ କପର୍ ଲିମିଟେଡ୍ (ଏଚସିଏଲ), ନାଲକୋ, ଏଚଜେଡଏଲ/ବେଦାନ୍ତ ଏବଂ ଓଡ଼ିଶା ସରକାରଙ୍କ କାର୍ଯ୍ୟକୁ ପ୍ରଦର୍ଶିତ କରୁଥିବା ୧୮ଟି ଆକର୍ଷଣୀୟ ଷ୍ଟଲ୍ ପ୍ରଦର୍ଶନୀକୁ ଜୀବନ୍ତ କରିଥିଲା। ଏହି ଉତ୍ପାଦଗୁଡ଼ିକ ପରିବେଶ ଅନୁକୂଳ ଏବଂ ସ୍ଥାୟୀ ସମାଧାନ ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲା, ଯେଉଁଥିରେ ଏସଏଚଜି ଦ୍ୱାରା ହସ୍ତନିର୍ମିତ ସାମଗ୍ରୀ, ହସ୍ତତନ୍ତ ପୋଷାକ, ଜୀବନ୍ତ ସୂତା ଏବଂ ଡିଏମଏଫ ଦ୍ୱାରା ପାଣ୍ଠି ଯୋଗାଣ ହେଉଥିବା ସ୍ଥାୟୀ ଭିତ୍ତିଭୂମି ପ୍ରକଳ୍ପର ମଡେଲ ସାମିଲ ଥିଲା। ଏହି ପ୍ରଦର୍ଶନୀଗୁଡ଼ିକ ଖଣି ପ୍ରଭାବିତ ଜନସମୁଦାୟଗୁଡ଼ିକର ସୃଜନଶୀଳତା ଏବଂ ଦୃଢ଼ତା ଉପରେ ଆଲୋକପାତ କରିଥିଲା। ପରିବେଶ ଅନୁକୂଳ ଏବଂ ସ୍ଥାନୀୟ ଭାବରେ ପ୍ରସ୍ତୁତ ଉତ୍ପାଦଗୁଡ଼ିକ ଏଥିରେ ଦେଖିବାକୁ ମିଳିଥିଲା।

ଜାନୁଆରୀ ୨୧ ସୁଦ୍ଧା, ଏହି ପ୍ରଦର୍ଶନୀ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଥିଲା, ଯେଉଁଥିରେ ସମସ୍ତ ଅଂଶଗ୍ରହଣକାରୀ ଏସଏଚଜି ଦ୍ୱାରା ସାମୂହିକ ଭାବରେ ୯ ଲକ୍ଷ ଟଙ୍କାରୁ ଅଧିକ ଆୟ କରାଯାଇଥିଲା। ଏହା ଆର୍ଥିକ ସଶକ୍ତିକରଣକୁ ପ୍ରୋତ୍ସାହିତ କରିବାରେ ଏହି ପଦକ୍ଷେପଗୁଡ଼ିକର ପ୍ରଭାବ ଉପରେ ଅଧିକ ଗୁରୁତ୍ୱ ଦେଇଥିଲା। ଏହି ପ୍ରଦର୍ଶନୀକୁ ଖଣି ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଶ୍ରୀ ଫରିଦା ଏମ୍. ନାୟକ ଗତ ୧୮ରେ ଉଦଘାଟନ କରିଥିଲେ, ଯେଉଁଥିରେ ଖଣି ମନ୍ତ୍ରଣାଳୟ, ନାଲକୋ ଏବଂ ଓଏମସିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ସ୍ଥାୟୀ ଅଭିବୃଦ୍ଧି ଏବଂ ଗୋଷ୍ଠୀ କଲ୍ୟାଣ ପାଇଁ ମନ୍ତ୍ରଣାଳୟର ପ୍ରତିବଦ୍ଧତାକୁ ରେଖାଙ୍କିତ କରିଛି।

ତୃତୀୟ ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀର ଦ୍ୱିତୀୟ ଦିବସ

ତୃତୀୟ ଜାତୀୟ ଖଣି ମନ୍ତ୍ରୀଙ୍କ ସମ୍ମିଳନୀର ଦ୍ୱିତୀୟ ଦିନ କୋଣାର୍କ ଇକୋ ରିଟ୍ରିଟଠାରେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ସହଯୋଗ ଓ ନବସୃଜନକୁ ପ୍ରୋତ୍ସାହନ ସହିତ ଜ୍ଞାନ ବିନିମୟ ଲାଗି ଅତ୍ୟନ୍ତ ଫଳପ୍ରଦ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ପ୍ରମୁଖ ବିଶେଷତ୍ୱ ମଧ୍ୟରେ ୧୧ଟି ରାଜ୍ୟ ଦ୍ୱାରା ବିସ୍ତୃତ ଉପସ୍ଥାପନା, ସେମାନଙ୍କ ନିଲାମ ପ୍ରକ୍ରିୟା, ଅଭିନବ ଅଭ୍ୟାସ ଏବଂ ସ୍ୱଚ୍ଛତା ଓ ଦକ୍ଷତା ସୁନିଶ୍ଚିତ କରିବା ସହିତ ସମ୍ବଳର ସର୍ବାଧିକ ଉପଯୋଗ ପାଇଁ ରଣନୀତି ପ୍ରଦର୍ଶିତ କରାଯାଇଥିଲା।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜି. କିଶନ ରେଡ୍ଡୀ ତାଙ୍କ ଅଭିଭାଷଣରେ ବିଶେଷ କରି ଗ୍ରାମାଞ୍ଚଳ ଏବଂ ଅର୍ଦ୍ଧ ସହରାଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଖଣି କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ବେଆଇନ ଖନନ ପ୍ରତି ସରକାରଙ୍କ ଶୂନ୍ୟ-ସହନଶୀଳତା ଆଭିମୁଖ୍ୟକୁ ସେ ଦୋହରାଇଥିଲେ ଏବଂ ତଦାରଖ ଓ ପ୍ରବର୍ତ୍ତନ ପ୍ରଣାଳୀକୁ ସୁଦୃଢ଼ କରିବା ପାଇଁ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଗ୍ରହଣ କରିବାକୁ ଅଂଶୀଦାରମାନଙ୍କୁ ଅନୁରୋଧ କରିଥିଲେ। ଶ୍ରୀ ରେଡ୍ଡୀ ପରିବେଶ ପୁନରୁଦ୍ଧାର ଏବଂ ଦୀର୍ଘସ୍ଥାୟିତ୍ୱ ସୁନିଶ୍ଚିତ କରିବା ପାଇଁ ଦାୟିତ୍ୱପୂର୍ଣ୍ଣ ଖଣି ବନ୍ଦ ଅଭ୍ୟାସର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। ଖଣି କାର୍ଯ୍ୟକଳାପର ପରିବେଶଗତ ପ୍ରଭାବକୁ ହ୍ରାସ କରିବା ପାଇଁ ବନୀକରଣ ପ୍ରୟାସ, ସୌର ଶକ୍ତି ଗ୍ରହଣ ଏବଂ ଦୀର୍ଘସ୍ଥାୟୀ ବର୍ଜ୍ୟ ପରିଚାଳନା ସମେତ ସବୁଜ ପଦକ୍ଷେପକୁ ଏକୀକୃତ କରିବା ସକାଶେ ସେ ସରକାରଙ୍କ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ।

ଏହି ସମ୍ମିଳନୀରେ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ (ଏମଓଇଏଫସିସି) ର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ମଧ୍ୟ ପ୍ରଦର୍ଶିତ ହୋଇଥିଲା, ଯାହା ଜଙ୍ଗଲ ସଂରକ୍ଷଣ ଏବଂ ପରିବେଶ ସୁରକ୍ଷା ବିଷୟରେ ମୂଲ୍ୟବାନ ଦୃଷ୍ଟିକୋଣ ପ୍ରଦାନ କରିଥିଲା। ପରିବେଶ ସଂରକ୍ଷଣ ସହିତ ଆର୍ଥିକ ଅଭିବୃଦ୍ଧିକୁ ସନ୍ତୁଳିତ କରୁଥିବା ନୀତିଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ରାଜ୍ୟ ଏବଂ ଅଂଶୀଦାରମାନଙ୍କୁ ମାର୍ଗଦର୍ଶନ କରିବା ଏହି ଇନପୁଟ୍‌ଗୁଡ଼ିକର ଉଦ୍ଦେଶ୍ୟ ଥିଲା। ଏହାବ୍ୟତୀତ, ଖଣି ସୁରକ୍ଷା ମହାନିର୍ଦ୍ଦେଶାଳୟ (ଡିଜିଏମଏସ) ଖଣି କାର୍ଯ୍ୟରେ ଶ୍ରମିକଙ୍କ ସୁରକ୍ଷାକୁ ବୃଦ୍ଧି କରିବା ପାଇଁ ସୁରକ୍ଷା ମାନକ, ବୈଷୟିକ ପ୍ରଗତି ଏବଂ ତାଲିମ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯାଇଥିଲା।

ଏହି ମଞ୍ଚ ରାଜ୍ୟ ଓ ଅନ୍ୟ ଅଂଶୀଦାରମାନଙ୍କ ପାଇଁ ବିଚାର ବିନିମୟ କରିବା, ଆହ୍ୱାନର ମୁକାବିଲା କରିବା ଏବଂ ଭାରତର ଖଣି କ୍ଷେତ୍ରର ନିରନ୍ତର ବିକାଶ ପାଇଁ ସହଭାଗିତା ସୃଷ୍ଟି କରିବା ନିମନ୍ତେ ଏକ ଅନନ୍ୟ ସୁଯୋଗ ଭାବେ କାର୍ଯ୍ୟ କରିଛି। ନବସୃଜନକୁ ଆଗେଇ ନେବା, ଦକ୍ଷତାରେ ଉନ୍ନତି ଆଣିବା ଏବଂ ଖଣି କାର୍ଯ୍ୟକଳାପର ଲାଭ ଶେଷ ମାଇଲ ପର୍ଯ୍ୟନ୍ତ ପହଞ୍ଚାଇବା ଲାଗି ମନ୍ତ୍ରଣାଳୟ ନିଜର ଲକ୍ଷ୍ୟରେ ନିରନ୍ତର ଭାବେ କାମ କରୁଛି।

Categories
ଆଜିର ଖବର ରାଜ୍ୟ ଖବର

ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲି ଦେଖିଲେ ମହାରାଷ୍ଟ୍ର ଛାତ୍ରଛାତ୍ରୀ

ଭୁବନେଶ୍ବର: ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ଓଡ଼ିଶା ଗସ୍ତରେ ଆସିଥିବା ନଭି ମୁମ୍ବାଇର କେସି ପାଟିଲ କଲେଜ ଅଫ ଇଞ୍ଜିନିୟରିଂର ୫୦ ଜଣ ଛାତ୍ରଛାତ୍ରୀ ମଙ୍ଗଳବାର, ଦ୍ବିତୀୟ ଦିନରେ ବିଶ୍ବପ୍ରସିଦ୍ଧ ତୀର୍ଥକ୍ଷେତ୍ର ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଏବଂ ଐତିହାସିକ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି।

ଗସ୍ତ ପୂର୍ବରୁ ସେମାନଙ୍କୁ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ବିଷୟରେ ସୂଚନା ଦିଆଯାଇଥିଲା। ମହାରାଷ୍ଟ୍ରର ଛାତ୍ରଛାତ୍ରୀଙ୍କୁ ଆତିଥେୟ ପ୍ରଦାନ କରିଥିବା ଭୁବନେଶ୍ବରର ଗାନ୍ଧୀ ଇନଷ୍ଟିଚ୍ୟୁଟ୍‌ ଅଫ ଟେକ୍ନୋଲୋଜି (ଜିଆଇଏଫଟି) ପକ୍ଷରୁ ଏକ ଉପସ୍ଥାପନା ମାଧ୍ୟମରେ ଶ୍ରୀଲିଙ୍ଗରାଜ ମନ୍ଦିର, ରାଜାରାଣୀ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା ସମେତ ବିଭିନ୍ନ ଐତିହାସିକ ସ୍ଥଳୀ ସମ୍ପର୍କରେ ସୂଚନା ଦିଆଯାଇଥିଲା।

ଆଜିର ଦିନରେ ଆୟୋଜିତ ଆଉ ଏକ କାର୍ଯ୍ୟକ୍ରମରେ ଏକ ଭାଷା ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମରାଠୀ ଏବଂ ଓଡ଼ିଆ ଭାଷାରେ ସାମଞ୍ଜସ୍ୟ ଥିବା କେତେକ ଶବ୍ଦ ବିଷୟରେ ଛାତ୍ରଛାତ୍ରୀ ଜାଣିବାକୁ ପାଇଥିଲେ। ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ମହାରାଷ୍ଟ୍ରର ୫୦ ଜଣ ଛାତ୍ରଛାତ୍ରୀ ଏବଂ ୪ ଜଣ ଶିକ୍ଷକଶିକ୍ଷୟିତ୍ରୀ ସମ୍ପ୍ରତି ଓଡ଼ିଶା ଗସ୍ତରେ ଆସିଛନ୍ତି। ରାଜ୍ୟମାନଙ୍କ ମଧ୍ୟରେ ଆପୋସ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ଅଖଣ୍ଡ ଭାରତର ସ୍ବପ୍ନକୁ ସାକାର କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିକଳ୍ପନା କ୍ରମେ ଦେଶବ୍ୟାପୀ ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ମନୋରମ କୋଣାର୍କ ମନ୍ଦିର ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ

ଭୁବନେଶ୍ବର: ରେଳ, ଯୋଗାଯୋଗ ଓ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୨୧ ଜୁନ୍, ୨୦୨୨ ରେ ଓଡିଶାର କୋଣାର୍କ ସ୍ଥିତ ମନୋରମ ସୂର୍ଯ୍ୟ ମନ୍ଦିର ଠାରେ ଅଷ୍ଟମ ଅନ୍ତର୍ଜାତୀୟ ଯୋଗ ଦିବସର ନେତୃତ୍ୱ ନେଇଥିଲେ।

ଆଜି ସକାଳେ ପବିତ୍ର କୋଣାର୍କ ସୂର୍ଯ୍ୟ ମନ୍ଦିର ଠାରେ ଆୟୋଜିତ ଏହି ବିଶାଳ କାର୍ଯ୍ୟକ୍ରମରେ ବିଭିନ୍ନ କେନ୍ଦ୍ର ସରକାରୀ ସଂଗଠନ, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଯୋଗ ବିଶେଷଜ୍ଞଙ୍କ ସମେତ ଦୁଇ ହଜାର ପାଞ୍ଚଶହରୁ ଅଧିକ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ।

ଏହି ବିଶାଳ ଯୋଗ ପ୍ରଦର୍ଶନରେ ସମ୍ବୋଧନ କରି ଶ୍ରୀ ବୈଷ୍ଣବ କହିଛନ୍ତି ଯେ ନିୟମିତ ଯୋଗ ଅଭ୍ୟାସ ଶରୀରକୁ ଶକ୍ତିଶାଳୀ କରିବା ସଂଗେସଂଗେ ଶରୀରର ଅନ୍ତର୍ନିହିତ ପ୍ରତିରକ୍ଷା ପ୍ରଣାଳୀକୁ ସୁଦୃଢ କରିଥାଏ। ଯୋଗ ହେଉଛି ଏକ ପ୍ରାଚୀନ ଉଚ୍ଚ ଆତ୍ମସଂଯମ ଅଭ୍ୟାସ ଯାହା ଭାରତରେ ଉତ୍ପନ୍ନ ହୋଇଥିଲା। ଏହା ଦ୍ୱାରା ଶରୀର ଏବଂ ମନର ସମନ୍ୱୟ ରକ୍ଷାକରିବା ପାଇଁ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ କାର୍ଯ୍ୟକୁ ଏକତ୍ର କରିଥାଏ। ଯୋଗ ଅଭ୍ୟାସ କରିବାର ଅନେକ ଲାଭ ଅଛି ଯାହା ମାନବିକତା କୁ ସୁଦୃଢ କରିଥାଏ।

ସମଗ୍ର ବିଶ୍ୱରେ ଦେଶର ସଂସ୍କୃତି, ପରମ୍ପରା ଏବଂ ଐତିହ୍ୟର ପରିଚୟ ଦେଇଥିବା ସ୍ୱାମୀ ବିବେକାନନ୍ଦଙ୍କୁ ସ୍ମରଣ କରି ଶ୍ରୀ ବୈଷ୍ଣବ କହିଲେ ଯେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗକୁ ସମଗ୍ର ବିଶ୍ୱରେ ପରିଚିତ କରାଇପାରିଛନ୍ତି। ମିଳିତ ଜାତିସଂଘର ସାଧାରଣ ଅଧିବେଶନ ଡିସେମ୍ବର ୨୦୧୪ ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବାକୁ ନିଷ୍ପତ୍ତି ହୋଇଥିଲା ଯାହା ୨୧ ଜୁନ୍, ୨୦୧୫ ଠାରୁ ବିଶ୍ୱବ୍ୟାପୀ କାର୍ଯ୍ୟକାରୀ ହୋଇଆସୁଅଛି।

ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହୀଶୂର ଠାରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଉତ୍ସବକୁ ଉଦ୍ଘାଟନ କରିବା ସହ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ।

ପୂର୍ବ ତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ; ଚିଫ୍ ପୋଷ୍ଟ ମାଷ୍ଟର ଜେନେରାଲ୍ ଶୁଭେନ୍ଦୁ କୁମାର ସ୍ୱାଇଁ; ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବି.ଆର.ଶର୍ମା, ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ରିଙ୍କେଶ ରାୟ ଏହି ବିଶାଳ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ, ଆୟୁଷ ମନ୍ତ୍ରଣାଳୟ, ସେଣ୍ଟ୍ରାଲ ରିଜର୍ଭ ପୋଲିସ୍ ଫୋର୍ସ, ପାରା ମିଲିଟାରୀ ଫୋର୍ସ ଏବଂ ଅନ୍ୟାନ୍ୟ କେନ୍ଦ୍ର ସରକାରୀ ଅନୁଷ୍ଠାନର ଅଧିକାରୀମାନେ ମଧ୍ୟ ଏହି ଅବସରରେ ଅଂଶଗ୍ରହଣ କରିଥିଲେ। ଏହି ବିଶାଳ ପ୍ରଦର୍ଶନରେ ପୂର୍ବ ତଟ ରେଳପଥର ମୁଖ୍ୟ କାର୍ମିକ ଅଧିକାରୀ (ପ୍ରଶାସନ) ଏଲ.ଭି.ଏସ.ପାତୃଡୁ ପରିଚାଳନା କରିଥିଲେ।

ପରେ, ଶ୍ରୀ ବୈଷ୍ଣବ ପୁରୀ ରେଳ ଷ୍ଟେସନକୁ ନୀରିକ୍ଷଣ କରି ପ୍ରସ୍ତାବିତ ବିଶ୍ୱ ସ୍ତରୀୟ ଷ୍ଟେସନ କାର୍ଯ୍ୟର ସମୀକ୍ଷା କରିଥିଲେ ଯାହା ଖୁବ ଶୀଘ୍ର ନିର୍ମାଣ କରାଯିବ। ଶ୍ରୀ ବୈଷ୍ଣବ ଏହା ମଧ୍ୟ କହିଛନ୍ତି ଯେ ପୁରୀ ରେଳ ଷ୍ଟେସନର ପୁନଃ ବିକାଶ କାର୍ଯ୍ୟ ଏକ ବିଶ୍ୱ ସ୍ତରୀୟ ଢାଞ୍ଚାରେ ନିର୍ମିତ ହେବ।

ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି ଯେ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ସମୟରେ ତୀର୍ଥଯାତ୍ରୀଙ୍କ ଆଶ୍ରୟ ପାଇଁ ରେଳବାଇ ବିଶାଳ ଆୟୋଜନ କରୁଅଛି। କୋଭିଡ ୧୯ ପ୍ରୋଟୋକଲ ଯୋଗୁଁ ଗତ ଦୁଇ ବର୍ଷ ହେବ ତୀର୍ଥଯାତ୍ରୀଙ୍କ ବିନା ରଥ ଯାତ୍ରା ଆୟୋଜିତ ହୋଇଥିବାରୁ ରେଲୱେ ଆଶା କରୁଛି ଯେ ଚଳିତ ବର୍ଷ ବହୁ ତୀର୍ଥଯାତ୍ରୀ ପୁରୀକୁ ଆସିବେ।  ତୀର୍ଥଯାତ୍ରୀମାନଙ୍କ ସୁବିଧା ଏବଂ ସୁରକ୍ଷିତ ଯାତ୍ରା ପାଇଁ ରଥ ଯାତ୍ରା ସମୟରେ ପୁରୀକୁ ବହୁ ସଂଖ୍ୟାରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ରେଳପଥ ଯୋଜନା କରୁଛି।