Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିକଶିତ ଭାରତ ୨୦୪୭: ଶିକ୍ଷା କ୍ଷେତ୍ରରେ ଉତ୍କର୍ଷ ସମ୍ମାନରେ ସୋଆ ସମ୍ମାନିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟକୁ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ‘ଏକ୍ସିଲେନ୍ସ ଇନ୍ ଦ ଫିଲ୍ଡ ଅଫ୍ ଏଜୁକେସନ୍‌’ ସମ୍ମାନରେ ସମ୍ମାନିତ କରାଯାଇଛି। ନ୍ୟୁଜ ଚ୍ୟାନେଲ୍ ଭାରତ ଟ୍ୱେଂଟି ଫୋର ପକ୍ଷରୁ ନିକଟରେ ନୁଆଦିଲ୍ଲୀ ଠାରେ ଆୟୋଜିତ ବିକଶିତ ଭାରତ ୨୦୪୭, ଭିଜନ ଅଫ୍ ନ୍ୟୁ ଇଣ୍ଡିଆ କନ୍‌କ୍ଲେଭ୍‌ରେ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ବିଭାଗ ମନ୍ତ୍ରୀ ନୀତିନ୍ ଗଡ଼କରୀ ଏହି ସମ୍ମାନ ପ୍ରଦାନ କରିଛନ୍ତି।

ସୋଆ ପକ୍ଷରୁ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଓ ଲୋକସମ୍ପର୍କ ଅଧିକାରୀ ଶୁଭଦର୍ଶିନୀ ମିଶ୍ର ଶ୍ରୀ ଗଡ଼କରୀଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଥିଲେ। ଏହି ଅବସରରେ ଭାରତ ଟ୍ୱେଂଟି ଫୋରର ସିଇଓ ତଥା ଏଡିଟ୍‌ର ଇନ୍ ଚିଫ୍ ଜଗଦୀଶ ଚନ୍ଦ୍ର ଏବଂ ଚିଫ୍ ବିଜିନେସ୍ ଅଫିସର ମନୋଜ ଜିଜ୍ଞାସୀ ଉପସ୍ଥିତ ଥିଲେ। ସମ୍ମାନ ପ୍ରଦାନ ସମୟରେ ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଓଏସ୍‌ଡି ପ୍ରୀତମ ନାୟକ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ନନ୍ଦ ବିଶ୍ୱବିଦ୍ୟାଳୟ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିବା ସହ ବିକଶିତ ଭାରତ ୨୦୪୭ ପରିପ୍ରେକ୍ଷୀରେ ସୋଆର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ।

କାର୍ଯ୍ୟକ୍ରମରେ ଛତିଶଗଡ଼ର ଉପ ମୁଖ୍ୟମନ୍ତ୍ରୀ ଅରୁଣ ସାଓ, ଉତରପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ, କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ରକ୍ଷା ଫଡସେ ଏବଂ ଉତର ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ଅବନୀଶ ଅବସ୍ଥି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ରାଜ୍ୟ ଖବର

କଲମ୍ବୋରେ ଆୟୋଜିତ ଆଇଆଇଆଇଇ ସିଇଓ ସମ୍ମିଳନୀରେ ସୋଆ ସମ୍ମାନିତ

ଭୁବନେଶ୍ୱର: ଜାତୀୟ ସ୍ତରୀୟ ବୃତ୍ତିଗତ ଅନୁଷ୍ଠାନ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁସନ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଇଞ୍ଜିନିୟରିଂ (ଆଇଆଇଆଇଇ) ପକ୍ଷରୁ ଶ୍ରୀଲଙ୍କାର କଲମ୍ବୋରେ ନିକଟରେ ଆୟୋଜିତ ଏହାର ୨୩ତମ ସିଇଓ ସମ୍ମିଳନୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ସମ୍ମାନଜନକ “ପରଫର୍ମାନ୍ସ ଏକ୍ସିଲେନ୍ସ ଆୱାର୍ଡ”ରେ ସମ୍ମାନିତ କରାଯାଇଛି।

ସୋମବାର ଆଇଆଇଆଇଇ ଜାତୀୟ କାଉନ୍‌ସିଲ୍‌ର ଅଧ୍ୟକ୍ଷ ଡକ୍ଟର ଅମୀୟ ବେହେରା ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ଏଠାରେ ଭେଟି ଏହି ସମ୍ମାନ ପ୍ରଦାନ କରିଛନ୍ତି।

କାର୍ଯ୍ୟଧାରାରେ ଶ୍ରେଷ୍ଠତା ହାସଲ କରିବାର ଲକ୍ଷ୍ୟ ନେଇ ଅବିରତ ଉଦ୍ୟମ ଜାରି ରଖିଥିବାରୁ ସୋଆକୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ଡକ୍ଟର ବେହେରା କହିଛନ୍ତି। ବିଗତ ୬ ଦଶନ୍ଧି ହେବ ଆଇଆଇଆଇଇ ଇଣ୍ଡଷ୍ଟିଆଲ୍ ଇଞ୍ଜିନିୟରିଂ କ୍ଷେତ୍ରକୁ ପରିବ୍ୟାପ୍ତ, ବିକଶିତ ଓ ଉନ୍ନତ କରିବାର ଲକ୍ଷ୍ୟ ନେଇ କାର୍ଯ୍ୟ କରିଆସୁଛି।

ଏହି ସମ୍ମିଳନୀଟି ମେ’ ୫ ରୁ ୭ ତାରିଖ ପର୍ଯ୍ୟନ୍ତ କଲମ୍ବୋ ଠାରେ ଆୟୋଜିତ ହୋଇଥିବା ବେଳେ ଏହି ସମ୍ମିଳନୀରେ ପ୍ରସଙ୍ଗ ଥିଲା “ସର୍କୁଲାର ଇକୋନୋମି ଆଣ୍ଡ ଷ୍ଟ୍ରାଟେଜିକ୍ ସଷ୍ଟେନେବଲ ଡେଭଲପ୍‌ମେଂଟ”। ବିଶ୍ୱସ୍ତରୀୟ ବ୍ୟବସ୍ଥାକୁ ଆପଣାଇଥିବା ଅନୁଷ୍ଠାନମାନଙ୍କୁ ଚିହ୍ନଟ ଓ ସମ୍ମାନିତ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା।

ଏହି ସମ୍ମିଳନୀରେ ମ୍ୟାନେଜମେଂଟ ଗୁରୁ, ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ନେତୃତ୍ୱ, ରାଷ୍ଟ୍ରଦୂତ, ଶିକ୍ଷାବିତ୍‌, ଗଣମାଧ୍ୟମ ବ୍ୟକ୍ତିବିଶେଷ, କର୍ପୋରେଟ ନେତୃତ୍ୱ ଏବଂ ବିଶ୍ୱର ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ସାମିଲ ହୋଇ ସେମାନଙ୍କର ବିଚାରଧାରା ଓ ଗବେଷଣା ସମ୍ପର୍କିତ ମତ ଉପସ୍ଥାପନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଭିନ୍ନକ୍ଷମଙ୍କୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ସୋଆ ସମ୍ମାନିତ

ଭୁବନେଶ୍ୱର: ଭିନ୍ନକ୍ଷମଙ୍କୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ‘ତୃତୀୟ ବିଆର୍‌ଏମ୍ ଆଶା’ ସମ୍ମାନ ପ୍ରଦାନ କରାଯାଇଛି। ସୋଆ ଏବଂ ଏହା ଦ୍ୱାରା ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌କୁ ମିଳିତ ଭାବେ ଏହି ସମ୍ମାନ ପ୍ରଦାନ କରାଯାଇଛି। ସୋଆ ପକ୍ଷରୁ ଲୋକ ସମ୍ପର୍କ ଅଧିକାରୀ ଶୁଭଦର୍ଶିନୀ ମିଶ୍ର ଏହି ସମ୍ମାନ ଗ୍ରହଣ କରିଥିଲେ।

ଗତ ବର୍ଷ ଏପ୍ରିଲ୍ ମାସରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କ୍ୟାମ୍ପସ୍ ୪ରେ ସ୍ପେଶାଲ ଅଲିମ୍ପିକ୍‌ସ ଭାରତ ପକ୍ଷରୁ ଦେଶର ୧୨୬ଟି ଭିନ୍ନ ଭିନ୍ନ ସ୍ଥାନରେ ଏକସଙ୍ଗେ ଏକ ମିନିଟ ପାଇଁ ପ୍ରାୟ ୭୫୦୦ ଭିନ୍ନକ୍ଷମ ଶିଶୁ ଜଗିଙ୍ଗ୍ କରି ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସରେ ସ୍ଥାନ ପାଇଥିଲେ। ସୋଆରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ୫୦୦ ଶିଶୁ ଯୋଗ ଦେଇଥିଲେ। ସୋଆର ଏହି ସହଯୋଗ ନିମନ୍ତେ ସମ୍ମାନିତ କରିବା ସହ ଧନ୍ୟବାଦ ଜଣାଇଛନ୍ତି ଆୟୋଜକ କର୍ତୃପକ୍ଷ।

ସେହିପରି ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଫିଜିଓଥେରାପି ବିଭାଗର ମୁଖ୍ୟ ଡାକ୍ତର ସ୍ଥିତିପ୍ରଜ୍ଞା ଦଳବେହେରାଙ୍କୁ ମଧ୍ୟ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅବଦାନ ନିମନ୍ତେ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଛି।

ଏହି ଅବସରରେ ଭୁବନେଶ୍ୱର ଉତର ବିଧାୟକ ସୁଶାନ୍ତ କୁମାର ରାଉତ ଏବଂ ବିଏମ୍‌ସି ମେୟର ସୁଲୋଚନା ଦାସ ଉପସ୍ଥିତ ରହି ସମ୍ମାନିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଏଲ୍‌ଏସ୍‌ର ସିଇଓ ତଥା ବିଆରଏମ୍ ଆଶାର ସମ୍ପାଦକ ପ୍ରକାଶ ରଥ, ପ୍ରତିଷ୍ଠାତା ଡକ୍ଟର କସ୍ତୁରୀ ମହାପାତ୍ର, ସଭାପତି ଡକ୍ଟର ଅଜିତ ମହାନ୍ତି, ସମ୍ପାଦକ ଡକ୍ଟର ପ୍ରତାପ ରଥ ଏବଂ ଉପସଭାପତି ପ୍ରଦୀପ୍ତ ରଥ ପ୍ରମୁଖ ଉପସ୍ଥିତ ଥିଲେ।

ବିଆରଏମ୍ ଆଶା ସମ୍ମାନର ସହିତ ଓପନ୍ ଲର୍ଣ୍ଣିଂ ସିଷ୍ଟମ୍‌ସର ବାର୍ଷିକ ଉତ୍ସବ ଅବସରରେ ଭିନ୍ନକ୍ଷମ ଶିଶୁମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।