ନୂଆଦିଲ୍ଲୀ, ଗତକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରୋନା ମୁକାବିଲା ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ସେଥିରେ ବ୍ୟବସାୟିକ କ୍ଷେତ୍ରକୁ ୧.୧ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ଋଣ ପ୍ରଦାନ ହେବ । ସେଥି ମଧ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ୫୦,୦୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରାଯାଇଛି।
ସ୍ୱାସ୍ଥ୍ୟ କ୍ଷେତ୍ରରେ ଯେଉଁସବୁ ବିଭାଗକୁ ଏହି ଅର୍ଥର ପ୍ରବାହ ଘଟିବ ସେଥିରେ ପଛୁଆ କ୍ଷେତ୍ରର ମେଡ଼ିକାଲ ସଂସାଧନକୁ ବିଶେଷ ଭାବେ ଲକ୍ଷ୍ୟ ରଖାଯାଇଛି । ୮ଟି ମେଟ୍ରୋପୋଲିଟାନ୍ ନଗରୀକୁ ଛାଡ଼ି ଅନ୍ୟାନ୍ୟ ସହରର ସ୍ୱାସ୍ଥ୍ୟ ଏବଂ ମେଡ଼ିକାଲ ସଂସାଧନ ସଂପ୍ରସାରଣ ନିମନ୍ତେ ଏହି ଅର୍ଥ ପ୍ରଦାନ ଦ୍ୱାରା ଗ୍ୟାରେଣ୍ଟି ପ୍ରଦାନ କରାଯିବ । ତେବେ ଏହି ଗ୍ୟାରେଣ୍ଟି କଭର ସଂପ୍ରସାରଣର ୫୦% ପୂରଣ କରିବ ଏବଂ ନୂତନ ପ୍ରକଳ୍ପ କ୍ଷେତ୍ରରେ ତାହା ୭୫% ପର୍ଯ୍ୟନ୍ତ ଯୋଗାଇ ଦିଆଯିବ ।
ଆକାଂକ୍ଷା ଜିଲ୍ଲାମାନଙ୍କ କ୍ଷେତ୍ରରେ ଏହି ଗ୍ୟାରେଣ୍ଟି କଭର୍ ୭୫% ପର୍ଯ୍ୟନ୍ତ ଉପଲବ୍ଧ ହେବ। ଯାହାକି ଉଭୟ ନୂତନ ତଥା ସମ୍ପ୍ରସାରଣ ପ୍ରକଳ୍ପ ପାଇଁ ପ୍ରଯୁଜ୍ୟ ହେବ । ଏହି ଯୋଜନାରେ ସର୍ବାଧିକ ଋଣ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଗ୍ରହଣୀୟ ହେବ ଏବଂ ଏଥିପାଇଁ ୩ ବର୍ଷର ଗ୍ୟାରେଣ୍ଟି ଅବଧି ରହିବ ।
ବ୍ୟାଙ୍କମାନେ ଏଥି ସକାଶେ ସର୍ବାଧିକ ୭.୯୫% ସୁଧ ଦାବି କରିପାରିବେ । ଅନ୍ୟାନ୍ୟ କ୍ଷେତ୍ରମାନଙ୍କ ସକାଶେ ଏହି ଋଣ ବାର୍ଷିକ ୮.୨୫ ହାରରେ ଉପଲବ୍ଧ ହେବ । ତେଣୁ ଏହି ଯୋଜନା ମାଧ୍ୟମରେ ଉପଲବ୍ଧ ଋଣ ସାଧାରଣ ସୁଧ ତୁଳନାରେ ଅଧିକ ଶସ୍ତା ହେବ ଏବଂ ଏହାର ୧୦-୧୧% ଉପରେ କୌଣସି ଗ୍ୟାରେଣ୍ଟି ରହିବନାହିଁ ।