ନୂଆଦିଲ୍ଲୀ: ଏକ ସୁସ୍ଥ ରାଷ୍ଟ୍ର ଗଠନ ଦିଗରେ ଭାରତର ଯାତ୍ରା ସ୍ୱାସ୍ଥ୍ୟସେବା ଉପଲବ୍ଧତା, ସମାନତା ଏବଂ ଫଳାଫଳରେ ଯଥେଷ୍ଟ ଅଗ୍ରଗତି ଦ୍ୱାରା ପ୍ରତିଫଳିତ ହୋଇଛି। ଗତ ଦଶନ୍ଧି ମଧ୍ୟରେ, ଭାରତ ପରିବର୍ତ୍ତନକାରୀ ନୀତି ଏବଂ ପଦକ୍ଷେପଗୁଡିକ କାର୍ଯ୍ୟକାରୀ କରିଛି ଯାହା ସାର୍ବଜନୀନ ସ୍ୱାସ୍ଥ୍ୟ ପ୍ରସାର ହାସଲ କରିବା ପାଇଁ ଏକ ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥାଏ। ଏହି ଯାତ୍ରାର ଏକ ପ୍ରମୁଖ ମାଇଲଖୁଣ୍ଟ ଥିଲା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି ପିଏମ-ଜେଏୱାଇ)ର ଶୁଭାରମ୍ଭ।
ଏବି-ପିଏମଜେଏୱାଇ ୨୭ଟି ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ବିଶେଷଜ୍ଞତା କ୍ଷେତ୍ରରେ ୧,୯୬୧ଟି ଚିକିତ୍ସା ପଦ୍ଧତି ଅନୁଯାୟୀ ଦ୍ବିତୀୟ ଏବଂ ତୃତୀୟ ସ୍ତରୀୟ ଚିକିତ୍ସା ପାଇଁ ପ୍ରତି ଯୋଗ୍ୟ ହିତାଧିକାରୀ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ପ୍ରଦାନ କରିଥାଏ। ୧୭ ଡିସେମ୍ବର ୨୦୨୪ ସୁଦ୍ଧା, ଏବି ପିଏମ-ଜେଏୱାଇ ୩୬.୨୮ କୋଟିରୁ ଅଧିକ ଆୟୁଷ୍ମାନ କାର୍ଡଜାରି କରି ଉଲ୍ଲେଖନୀୟ ଅଗ୍ରଗତି କରିଛି, ଯାହା ଲକ୍ଷ ଲକ୍ଷ ଲୋକଙ୍କୁ ସ୍ୱାସ୍ଥ୍ୟ ପ୍ରସାର ପ୍ରଦାନ କରି ସେମାନଙ୍କୁ ସଶକ୍ତ କରିଛି। ଲିଙ୍ଗଭିତ୍ତିକ ଉପଯୋଗରୁ ଜଣାପଡିଛି ଯେ ଜାରି କରାଯାଇଥିବା ଆୟୁଷ୍ମାନ କାର୍ଡର ୪୯% ଏବଂ ସମୁଦାୟ ଡାକ୍ତରଖାନାରେ ଭର୍ତ୍ତି ହେବାର ପ୍ରାୟ ୫୦% ମହିଳା ଅଟନ୍ତି। ଏହା ସ୍ୱାସ୍ଥ୍ୟସେବାରେ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ କରିବାରେ ଏହି ଯୋଜନାର ଭୂମିକାକୁ ଦର୍ଶାଇଥାଏ।ଏହାବ୍ୟତୀତ ଏବି ପିଏମ୍-ଜେଏୱାଇ ଦେଶର ୩୦,୯୩୨ଟି ହସ୍ପିଟାଲରେ ସଫଳତାର ସହ କାର୍ଯ୍ୟକ୍ଷମ ହୋଇପାରିଛି।
ସମାନ୍ତରାଳ ଭାବରେ, ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଆକାଉଣ୍ଟ (ଆଭା) ପଦକ୍ଷେପ ମାଧ୍ୟମରେ ଭାରତର ଡିଜିଟାଲ ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଉଲ୍ଲେଖନୀୟ ଅଗ୍ରଗତି ଘଟିଛି। ଆଭା ନମ୍ବର ହେଉଛି ନାଗରିକଙ୍କ ସ୍ୱାସ୍ଥ୍ୟ ରେକର୍ଡକୁ ଡିଜିଟାଲ ଭାବରେ ଆକସେସ୍ ଏବଂ ଶେୟାର କରିବାର ଏକ ବାଧାମୁକ୍ତ ପଦ୍ଧତି। ଏହା ଡିଜିଟାଲ ହାଇୱେ ମାଧ୍ୟମରେ ସ୍ୱାସ୍ଥ୍ୟସେବା ଇକୋସିଷ୍ଟମର ବିଭିନ୍ନ ଅଂଶୀଦାରଙ୍କ ମଧ୍ୟରେ ଥିବା ବ୍ୟବଧାନକୁ ପୂରଣ କରିବ। ସ୍ୱାସ୍ଥ୍ୟସେବାକୁ ସମର୍ଥନ କରୁଥିବା ଡିଜିଟାଲ ଭିତ୍ତିଭୂମିରେ ମଧ୍ୟ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି । ୨୨ ଡିସେମ୍ବର ୨୦୨୪ ସୁଦ୍ଧା, ୭୧.୮୧ କୋଟିରୁ ଅଧିକ ଆଭା ନମ୍ବର ସୃଷ୍ଟି ହୋଇଛି ଏବଂ ୪୬.୫୩ କୋଟି ସ୍ୱାସ୍ଥ୍ୟ ରେକର୍ଡ ଆଭା ସହିତ ସଂଯୋଗ କରାଯାଇଛି। ଏହା ବ୍ୟତୀତ ଏଚଏଫଆର ରେ ୩.୫୫ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟ କେନ୍ଦ୍ର ପଞ୍ଜୀକୃତ ହୋଇଥିବା ବେଳେ ଏଚପିଆର୍ ରେ ୫.୩୮ ଲକ୍ଷରୁ ଅଧିକ ସ୍ୱସ୍ଥ୍ୟକର୍ମୀ ପଞ୍ଜୀକୃତ ହୋଇଛନ୍ତି।
ଭାରତର ସ୍ୱାସ୍ଥ୍ୟ ସେବା ସଫଳତାର ଆଉ ଏକ ଆଧାର ହେଉଛି ମିଶନ ଇନ୍ଦ୍ରଧନୁଷ, ଯାହା ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ ଅଧୀନରେ ଟିକାକରଣ ପରିସରକୁ ବିସ୍ତାର କରିଛି । ଏହି ଅଭିଯାନରେ କମ୍ ଟିକାକରଣ ହାର ଥିବା ଅଞ୍ଚଳକୁ ଲକ୍ଷ୍ୟ ରଖି କାର୍ଯ୍ୟ କରାଯାଇଛି, ଯେଉଁଥିରେ ବାଦ୍ ପଡ଼ିଥିବା ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଟିକା ଦିଆଯାଉଛି । ମିଶନ ଇନ୍ଦ୍ରଧନୁଷରେ୧୧ ପ୍ରକାର ଟିକାର ବ୍ୟବସ୍ଥା ରହିଛି ଯାହା ପ୍ରତିରୋଧଯୋଗ୍ୟ ରୋଗରୁ ସୁରକ୍ଷା ପ୍ରଦାନ କରିଥାଏ। ଦେଶରେ ଏପର୍ଯ୍ୟନ୍ତ ହୋଇଥିବା ମିଶନ ଇନ୍ଦ୍ରଧନୁଷର ସମସ୍ତ ପର୍ଯ୍ୟାୟରେ ସମୁଦାୟ ୫.୪୬ କୋଟି ଶିଶୁ ଓ ୧.୩୨ କୋଟି ଗର୍ଭବତୀ ମହିଳାଙ୍କୁ ଟିକା ଦିଆଯାଇଛି।
ଏହି ପ୍ରୟାସଗୁଡିକ ପ୍ରମୁଖ ସ୍ୱାସ୍ଥ୍ୟ ସୂଚକାଙ୍କରେ ଉଲ୍ଲେଖନୀୟ ଉନ୍ନତି ଦ୍ୱାରା ସୂଚିତ ହୋଇଛି, ଯାହା ଲକ୍ଷ୍ୟ ଆଧାରିତ ସ୍ୱାସ୍ଥ୍ୟସେବା ରଣନୀତି ଏବଂ ହସ୍ତକ୍ଷେପଗୁଡିକର ଫଳପ୍ରଦତା ଉପରେ ଆଲୋକପାତ କରେ । ମାତୃ ମୃତ୍ୟୁ ହାର ୨୦୧୭-୨୦୧୯ରେ ପ୍ରତି ୧୦୦,୦୦୦ ଶିଶୁ ଜନ୍ମରେ ୧୦୩ ଥିବା ବେଳେ ୨୦୧୮-୨୦ରେ ଏହା ୯୭କୁ ହ୍ରାସ ପାଇଛି। ଶିଶୁ ମୃତ୍ୟୁ ହାର ୨୦୧୮ରେ ପ୍ରତି ୧୦୦୦ ଶିଶୁ ଜନ୍ମରେ ୩୨ଥିବା ବେଳେ ୨୦୨୦ରେ ପ୍ରତି ୧୦୦୦ ଶିଶୁ ଜନ୍ମରେ ୨୮କୁ ହ୍ରାସ ପାଇଛି ଏବଂ ମୋଟ ପ୍ରଜନନ ହାର ୨୦୧୫-୧୬ରେ ୨.୨ରୁ ୨୦୧୯-୨୧ରେ ୨.୦କୁ ହ୍ରାସ ପାଇଛି। ଏହି ଅଗ୍ରଗତି ଦକ୍ଷତା ଏବଂ ପ୍ରଭାବ ସୁନିଶ୍ଚିତ କରିବା ପାଇଁ ନିୟମିତ ତଦାରଖ ଦ୍ୱାରା ସମର୍ଥିତ ଉପଭୋକ୍ତା-କେନ୍ଦ୍ରୀତ ନୀତି ଏବଂ ପଦକ୍ଷେପର ଏକ ପ୍ରମାଣ।
ଦୂରଦର୍ଶୀ ନୀତି ଏବଂ ଆୟୁଷ୍ମାନ ଭାରତ ଏବଂ ମିଶନ ଇନ୍ଦ୍ରଧନୁଷ ଭଳି ପଦକ୍ଷେପର ଦୃଢ଼ କାର୍ଯ୍ୟକାରିତା ଦ୍ୱାରା ଭାରତର ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ପରିବର୍ତ୍ତନ ଆସିଛି। ଏହି ମାଇଲଖୁଣ୍ଟଗୁଡିକ ସାର୍ବଜନୀନ ସ୍ୱାସ୍ଥ୍ୟ କଭରେଜ୍ ହାସଲ କରିବା ଏବଂ ସମସ୍ତ ନାଗରିକଙ୍କ ପାଇଁ ଏକ ସୁସ୍ଥ ଭବିଷ୍ୟତ ନିର୍ମାଣ ଲାଗି ଭାରତର ଅତୁଟ ପ୍ରତିବଦ୍ଧତାର ପ୍ରମାଣ ଦେଇଥାଏ। ଦେଶ ନିଜର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ଜାରି ରଖିଥିବା ବେଳେ ଏକ ସୁଦୃଢ଼, ସମାବେଶୀ ଏବଂ ସ୍ଥାୟୀ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଉଛି ଯାହା ପ୍ରତ୍ୟେକ ବ୍ୟକ୍ତିଙ୍କ କଲ୍ୟାଣକୁ ପ୍ରାଥମିକତା ଦିଏ।