ନୂଆଦିଲ୍ଲୀ: ମୋବାଇଲ୍ ଏବଂ ଇଣ୍ଟରନେଟ୍ ସଂଯୋଗ ବିଶେଷକରି ଗ୍ରାମାଞ୍ଚଳରେ ସୁଯୋଗ ଖୋଲିବା, ବ୍ୟବଧାନକୁ ଦୂର କରିବା ଏବଂ ଜୀବନରେ ପରିବର୍ତ୍ତନ ଆଣି ସ୍ୱାଧୀନତା (ଆତ୍ମନିର୍ଭରତା) ଏବଂ ମହିଳାଙ୍କ ସଶକ୍ତୀକରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଉଦାହରଣ ଭାବେ ରୀନା କିରାରଙ୍କ କାହାଣୀକୁ ନିଆଯାଉ।
ମଧ୍ୟପ୍ରଦେଶରେ ରୀନା କିରାର ମହିଳାମାନଙ୍କର ଏକ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଗିର୍ଜା ଦେବୀ ଜନ କଲ୍ୟାଣ ସମିତିର ନେତୃତ୍ୱ ନେଉଛନ୍ତି, ଯାହାକି ପୋଷାକ, ସଳିତା, ପାମ୍ପଡ଼, ମସଲା ଏବଂ ଧୂପକାଠି ସମେତ ବିଭିନ୍ନ ଉତ୍ପାଦର ଡିଜାଇନ୍ ଏବଂ ଉତ୍ପାଦନ କରନ୍ତି। ବର୍ଷ ବର୍ଷ ଧରି, ସେମାନଙ୍କର ବଜାର ସ୍ଥାନୀୟ ସମୁଦାୟ ମଧ୍ୟରେ ସୀମିତ ଥିଲା, ଯାହା ସେମାନଙ୍କ ଅଭିବୃଦ୍ଧି ସମ୍ଭାବନାକୁ ସୀମିତ କରିଥିଲା। ତେବେ ସରକାରୀ ଇ-ମାର୍କେଟପ୍ଲେସ୍ (ଜିଇଏମ୍) ପୋର୍ଟାଲ୍ ବ୍ୟବହାର କରିବା ଆରମ୍ଭ କରିବା ପରେ ସେମାନଙ୍କ ବ୍ୟବସାୟ ଏକ ପରିବର୍ତ୍ତନକାରୀ ମୋଡ଼ ନେଇଥିଲା। ଜିଇଏମ୍ ମାଧ୍ୟମରେ, ସେମାନେ ସେମାନଙ୍କ ଉପାନ୍ତ ଅବସ୍ଥାନର ପ୍ରତିବନ୍ଧକକୁ ଅତିକ୍ରମ କରି ଅଧିକ ବଡ଼ ଗ୍ରାହକଙ୍କ ନିକଟରେ ସେମାନଙ୍କ ଉତ୍ପାଦଗୁଡିକର ମାର୍କେଟିଂ କରିପାରୁଛନ୍ତି।
ଏହି ଡିଜିଟାଲ ସଶକ୍ତୀକରଣ କେବଳ ଗୋଷ୍ଠୀର ଆୟ ବୃଦ୍ଧି କରିନାହିଁ ବରଂ ବୃହତ ବଜାରରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ସେମାନଙ୍କ ଆତ୍ମବିଶ୍ୱାସକୁ ମଧ୍ୟ ବୃଦ୍ଧି କରିଛି, ଯାହା ପ୍ରମାଣିତ କରିଛି ଯେ ଡିଜିଟାଲ ପ୍ଲାଟଫର୍ମର ଉପଲବ୍ଧତା ଗ୍ରାମୀଣ ଉଦ୍ୟୋଗୀମାନଙ୍କ ପାଇଁ ଏକ ଯୁଗାନ୍ତକାରୀ ସାବ୍ୟସ୍ତ ହୋଇପାରେ। ଆମ ଦେଶର ଗ୍ରାମୀଣ ଏବଂ ଦୁର୍ଗମ ଅଞ୍ଚଳରେ ମୋବାଇଲ ନେଟୱର୍କ ଏବଂ ଇଣ୍ଟରନେଟ୍ କଭରେଜ୍ ବିସ୍ତାର କରିବା ପାଇଁ ସରକାରଙ୍କ ପ୍ରୟାସ ଦ୍ୱାରା ଡିଜିଟାଲ ପ୍ଲାଟଫର୍ମର ଉପଲବ୍ଧତା ସମ୍ଭବ ହୋଇପାରିଛି।
ଡିଜିଟାଲ ଯୁଗରେ, ଯୋଗାଯୋଗ ସାମାଜିକ-ଆର୍ଥିକ ବିକାଶ ପାଇଁ ଏକ ଉତପ୍ରେରକ ଭାବରେ କାର୍ଯ୍ୟ କରେ ତଥା ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ଅର୍ଥନୈତିକ ସୁଯୋଗ ଉପଲବ୍ଧ କରେ। ଦେଶର ଦୁର୍ଗମ ଅଞ୍ଚଳରେ ମୋବାଇଲ୍ ଓ ଇଣ୍ଟରନେଟ୍ ସଂଯୋଗକୁ ବିସ୍ତାର କରିବା, ବ୍ୟକ୍ତି ବିଶେଷ ଓ ସମାଜକୁ ସମାନ ଭାବେ ସଶକ୍ତ କରିବା ପାଇଁ ଭାରତ ସରକାର ଅନେକ ପଦକ୍ଷେପ ଆରମ୍ଭ କରିଛନ୍ତି। ଦେଶର ୬,୪୪,୧୩୧ ଟି ଗାଁ ମଧ୍ୟରୁ ୬,୨୨,୮୦୪ରୁ ଅଧିକ ଗ୍ରାମରେ ମୋବାଇଲ କଭରେଜ୍ ରହିଛି। ଏଥିମଧ୍ୟରୁ ସେପ୍ଟେମ୍ବର ୨୦୨୪ ସୁଦ୍ଧା ୬,୧୪,୫୬୪ରୁ ଅଧିକ ଗାଁକୁ ୪ଜି ମୋବାଇଲ୍ ସଂଯୋଗ କରାଯାଇଛି।
ଏହାବ୍ୟତୀତ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ ଅଧୀନରେ ୪୫୪୩ରୁ ଅଧିକ ଅତି ଦୁର୍ବଳ ଜନଜାତି ଗୋଷ୍ଠୀ (ପିଭିଟିଜି) ବସ୍ତିକୁ ମୋବାଇଲ୍ ସଂଯୋଗ ଯୋଗାଇ ଦେବା ପାଇଁ ଚିହ୍ନଟ କରାଯାଇଥିବା ବେଳେ ବର୍ତ୍ତମାନସୁଦ୍ଧା ସେଥିମଧ୍ୟରୁ ୧୧୩୬ଟି ପିଭିଟିଜି ବସ୍ତିକୁ ମୋବାଇଲ୍ ସଂଯୋଗ କରାଯାଇଛି। ଅକ୍ଟୋବର ୨୦୨୪ ସୁଦ୍ଧା ପିଭିଟିଜି ବସ୍ତିଗୁଡ଼ିକୁ ୧୦୧୪ କୋଟି ଟଙ୍କା ବ୍ୟୟ ଅଟକଳରେ ୪ଜି କଭରେଜ୍ ପ୍ରଦାନ କରିବା ପାଇଁ ବିଭିନ୍ନ ଡିଜିଟାଲ ଭାରତ ନିଧି ଅନୁଦାନ ପ୍ରାପ୍ତ ମୋବାଇଲ୍ ପ୍ରକଳ୍ପ ଅଧୀନରେ ସମୁଦାୟ ୧,୦୧୮ଟି ମୋବାଇଲ୍ ଟାୱାର ମଞ୍ଜୁର କରାଯାଇଛି।
ଡିଜିଟାଲ ଭାରତ ନିଧି ଅଧୀନରେ ଭାରତ ବ୍ରଡବ୍ୟାଣ୍ଡ ନେଟୱର୍କ ଲିମିଟେଡ ଦ୍ୱାରା ୧.୯୯ ଲକ୍ଷରୁ ଅଧିକ ଗାଁରେ ୮୭୩୦ ମୋବାଇଲ ଟାୱାର୍ ସଂଯୋଗ କରାଯାଇଛି। ୨୭ ଡିସେମ୍ବର ୨୦୨୪ ସୁଦ୍ଧା ୨.୧୪ ଲକ୍ଷ ଗ୍ରାମପଞ୍ଚାୟତକୁ ଭାରତ ନେଟ୍ ଅଧୀନରେ ଶସ୍ତା ହାଇସ୍ପିଡ୍ ଇଣ୍ଟରନେଟ୍ ସଂଯୋଗ କରାଯାଇଛି। ସେହିପରି ପିଏମ୍-ୱାନି ଅଧୀନରେ ସାରା ଭାରତରେ ୨୪ ଡିସେମ୍ବର ୨୦୨୪ ସୁଦ୍ଧା ୨୪୭୦୭୬ଟି ସାର୍ବଜନୀନ ୱାଇଫାଇ ହଟସ୍ପଟ୍ ପ୍ରତିଷ୍ଠା କରାଯାଇଛି।
ଭାରତ ସରକାର ମଧ୍ୟ ଦୂରସଞ୍ଚାର ଉପଭୋକ୍ତାଙ୍କ ସୁରକ୍ଷା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ସଞ୍ଚାର ସାଥୀ ପୋର୍ଟାଲରେ ଥିବା ‘‘ନୋ ୟୋର ମୋବାଇଲ୍ କନେକ୍ସନ’’ ସୁବିଧା ରହିଛି, ଯାହା ନାଗରିକମାନଙ୍କୁ ଅନଧିକୃତ ସଂଯୋଗଟ୍ରାକ୍ ଏବଂ ରିପୋର୍ଟ କରିବାରେ ସାହାଯ୍ୟ କରେ। ଟେଲିକମ୍ କମର୍ସିଆଲ୍ କମ୍ୟୁନିକେସନ୍ କଷ୍ଟମର୍ ପ୍ରିଫରେନ୍ସ ରେଗୁଲେସନ୍ (ଟିସିସିସିପିଆର), ୨୦୧୮, ବ୍ୟବହାରକାରୀଙ୍କୁ ଅବାଞ୍ଛିତ କଲ୍ ଏବଂ ବାର୍ତ୍ତାଗୁଡ଼ିକୁ ବ୍ଲକ୍ କରିବା ପାଇଁ ‘‘ଡୁ ନଟ୍ ଡିଷ୍ଟର୍ବ୍” (ଡିଏନବି) ସେବା ପାଇଁ ପଞ୍ଜୀକରଣ କରିବାକୁ ଅନୁମତି ଦେଇଥାଏ। ଟେଲିମାର୍କେଟର ଓ ବ୍ୟାଙ୍କ ପାଇଁ ଟେଲିକମ୍ ବିଭାଗ ନିର୍ଦ୍ଦିଷ୍ଟ ନମ୍ବର ସିରିଜ୍ ଆବଣ୍ଟନ କରିଥିବା ବେଳେ ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ଅଣପଞ୍ଜୀକୃତ ଟେଲିମାର୍କେଟରଙ୍କୁ ଚିହ୍ନଟ କରିବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାର କରୁଛି। ଅବାଞ୍ଛିତ ଯୋଗାଯୋଗକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବାରୁ ଟ୍ରାଇ ଦୂରସଞ୍ଚାର ସେବା ପ୍ରଦାନକାରୀଙ୍କ ଉପରେ ଜରିମାନା କରିଛି।
ଗ୍ରାମାଞ୍ଚଳରେ ମୋବାଇଲ୍ ଏବଂ ନେଟୱର୍କର ପ୍ରସାର ପାଇଁ ଭାରତର ଅତୁଟ ପ୍ରତିବଦ୍ଧତା ସାମାଜିକ-ଆର୍ଥିକ ଦୃଶ୍ୟପଟ୍ଟକୁ ପରିବର୍ତ୍ତନ କରୁଛି। ରୀନା କିରାରଙ୍କ ଭଳି କାହାଣୀ ଡିଜିଟାଲ ସଶକ୍ତୀକରଣର ଗଭୀର ପ୍ରଭାବକୁ ଆଲୋକପାତ କରେ, ଯାହା ଗାଁଗୁଡ଼ିକୁ ସୁଯୋଗର ସକ୍ରିୟ କେନ୍ଦ୍ରରେ ପରିଣତ କରେ। ଡିବିଏନ୍, ଭାରତ ନେଟ୍ ଏବଂ ପିଏମ୍-ୱାନି ଭଳି ରଣନୀତିକ ପଦକ୍ଷେପ ମାଧ୍ୟମରେ ସରକାର କେବଳ ଭିତ୍ତିଭୂମି ନିର୍ମାଣ କରୁନାହାନ୍ତି ବରଂ ନାଗରିକମାନଙ୍କୁ ଡିଜିଟାଲ୍ ଭବିଷ୍ୟତରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ସକ୍ଷମ କରୁଛନ୍ତି। ଡିଜିଟାଲ ଭାବରେ ସମାବେଶୀ ଭାରତର ସ୍ୱପ୍ନ ଦ୍ରୁତ ଗତିରେ ବାସ୍ତବ ରୂପ ନେଉଛି। ପ୍ରତ୍ୟେକ ନାଗରିକ ସେମାନଙ୍କର ବାସସ୍ଥାନ ନିର୍ବିଶେଷରେ ଆଧୁନିକ ଦୁନିଆରେ ପ୍ରଗତି ହାସଲ କରିପାରିବେ।